Suchismita Sahoo

Inspirational

3  

Suchismita Sahoo

Inspirational

ବୋଉ ପାଇଁ ଚିଠିଟିଏ

ବୋଉ ପାଇଁ ଚିଠିଟିଏ

3 mins
141


ବୋଉ ଲୋ! ଶୁଣିଛି, ଝିଅ ମାଆ ଅଣି ଆଣିଲେ ଜୀବନ ସାରା ଦୁଃଖୀ ହୁଏ। ଏ କଥା କଣ ସତ? ଯଦି ଏ କଥା ସତ, ତେବେ ପିଲାଦିନୁ ଏହାର ପ୍ରତିକାର କାହିଁକି କଲୁନି? କାହିଁକି ମୋ ମୁହଁକୁ କୁତ୍ସିତ କରିଦେଲୁନି ? ମତେ ଲାଗୁଥିଲା ପୂଣ୍ୟ ବଳେ ଝିଅ ମାଆର ରୂପ ଗୁଣ ବହନ କରେ, ହେଲେ ଏ ରୂପ ଆଜି ମୋ ପାଇଁ ଅଭିଶାପ ପାଲଟି 

ଯାଇଛି ଲୋ ବୋଉ।। ଦୁଷ୍ଟ ଦାନବର ଲୋଲୁପ ଦୃଷ୍ଟି ସଦା ସର୍ବଦା ମୋ ରୂପ ଉପରେ। ସୁଯୋଗ ଉଣ୍ଡୁଥିଲେ ନଷ୍ଟ କରିଦେବାକୁ ଏ ସୌନ୍ଦର୍ଯ୍ୟ, ଆଉ ପାଇଗଲେ ମଧ୍ୟ। ଜୀବନ ଏମିତି ଏକ ମୋଡରେ ଆଣି ମତେ ଛିଡା କରିଛି, ଜାଣିପାରୁନି କେମିତି ଆଗକୁ ବଢ଼ିବି, କେମିତି ସମାଧାନ କରିବି ଏହାର। ମୁଁ ତୋ ଛତ୍ରଛାୟା ତଳେ ବଢ଼ିଛି ଲୋ ବୋଉ, ହାରିଯିବା ଶିଖିନି ମୁଁ, ତେବେ ଏବେ ମୁଁ ଆତ୍ମହତ୍ୟା କେମିତି କରିପାରିବି? ତତେ ଏକା ଛାଡି ମୁଁ ଦୁନିଆରୁ ବିଦାୟ କେମିତି ନେଇପାରିବି? ତେବେ ମୁଁ କଣ କରିବି କହ ଲୋ ବୋଉ। ସେ ରାକ୍ଷସଗୁଡ଼ାଙ୍କ ଚେହେରା ଯେବେ ମୋ ମନରେ ଆସିଯାଉଛି, ମୋ ଦେହ ମନ ଘୃଣା, ରାଗ ଓ ପ୍ରତିଶୋଧର ନିଆଁ ରେ ଜଳି ଉଠୁଛି। ମୁଁ କେବେ ବି ତାଙ୍କୁ ଛାଡିବିନି। ସେମାନଙ୍କୁ ନିଶ୍ଚୟ ଦଣ୍ଡ ଦେବି। ହେଲେ ସେମାନଙ୍କୁ ଦଣ୍ଡ ଦେବାକୁ ଯାଇ ମୁଁ ନିଜକୁ ଓ ତତେ ଦଣ୍ଡ ଦେଇ ବସିବିନି ତ? ସେଇ ଡର ମତେ ଖାଇ ଯାଉଛି ଓ ମତେ ପୁଣି ଥରେ ପଛକୁ ଭିଡ଼ି ନେଉଛି। ଏ ସମାଜ ଯେତେବେଳେ ଜାଣିବ ଯେ ମୁଁ ଜଣେ ପୀଡିତା, ମୋତେ ଧର୍ଷଣ କରା ଯାଇଛି, ତେବେ ସମାଜ କଣ ଆମକୁ ବଞ୍ଚିବାକୁ ଦେବ ତ? ପ୍ରତି ମୁହୂର୍ତ୍ତରେ ମନେ ପକେଇଦେବ କି ମୁଁ ଧର୍ଷିତା ଆଉ ତୁ ପୀଡିତାର ବୋଉ। ସାହାଯ୍ୟ ବଦଳରେ ଏ ସମାଜ ମତେ କେବଳ ସହାନୁଭୂତି ଦେଖେଇବ, କେହି କେହି ତ କହିବେ, ଭୁଲ ସେ ଝିଅର, ଏତେ ରାତିରେ ସେ ବାହାରକୁ କାହିଁକି ଯାଇଥିଲା, ଏତେ ଛୋଟ ଡ୍ରେସ୍ କାହିଁକି ପିନ୍ଧିଥିଲା। ଜାଣିନି ଏ ସବୁର ବଳତ୍କାର ସହ ସମ୍ପର୍କ କଣ? ତଥାପି ସତ କହୁଛି ବୋଉ, ସେଦିନ କମ୍ପାନୀର ପାର୍ଟି ପାଇଁ ମୁଁ ପିନ୍ଧିଥିଲି ତୋର ସମ୍ବଲପୁରୀ ପାଟ, ଆଉ ରାତି ବେଶୀ ନୁହେଁ ସନ୍ଧ୍ୟା ୭:୩୦ ଭିତରେ ମୁଁ ଫେରୁଥଲି ମୋ ରୁମକୁ। ଆଉ ଫେରିବା ବାଟରେ..........। ସେମାନେ ଜବରଦସ୍ତି କରିବାକୁ ଯାଇ, ମତେ ଏତେ ମାରିଛନ୍ତି ଯେ, ଏବେ ବି ରକ୍ତ ବୋହିବା ବନ୍ଦ ହେଇନି, ବହୁତ୍ ଶାରୀରିକ କଷ୍ଟ ହେଉଛି। ହେଲେ ଏ ସବୁ ଶାରୀରିକ କଷ୍ଟଠୁ ବଳି ଯାଉଛି ମୋର ମାନସିକ କଷ୍ଟ। କେତେ କାପୁରୁଷ ଗୁଡ଼ା ସେମାନେ, ଗୋଟିଏ ଝିଅକୁ ବଳି ଦେବାକୁ ଚାରି ଚାରି ଜଣ ଆସିଥିଲେ। ମୁଁ ଏକା ଲଢି ପାରିଲିନି ଚାରି ଜଣଙ୍କ ସହିତ। ହା ଲୋ ବୋଉ, ସେମାନେ ବଳି ପକେଇଦେଲେ ମତେ, କ୍ଷତ ବିକ୍ଷତ କରିଦେଲେ ମୋ ଶରୀରକୁ। ବହୁତ୍ କାନ୍ଦିଲି, ନେହୁରା ହେଲି ସେମାନଙ୍କ ପାଖେ, ଗୋଡ ହାତ ଧରି ସାହାଯ୍ୟ ମାଗିଲି, ହେଲେ ଟିକେ ବି ଶୁଣିଲେନି ସେ ରାକ୍ଷସ ମାନେ। ସେମାନଙ୍କୁ ଦଣ୍ଡ ଦରକାର ଆଉ ମୁଁ ସେମାନଙ୍କୁ ଦଣ୍ଡ ନ ଦେବା ଯାଏ ଲଢ଼ିବି। ମୁଁ ପଳାତକ ନୁହେଁ, ମୁଁ କେବେ ବି ଆତ୍ମହତ୍ୟା କରିବିନି। ଖାଲି ମତେ ତୋ ଆଶୀର୍ବାଦ ଦରକାର ଲୋ ବୋଉ। ଥରୁଟିଏ କହିଦେ, ତୁ ବି ମୋ ଭଳି ଏ ସମାଜକୁ ଡରୁନା, ସମାଜର ଥଟ୍ଟା,ପରିହାସ, ସହାନୁଭୂତିକୁ ପ୍ରତି ଯତ୍ନବାନ ନୁହେଁ, ଏ ସହିବାକୁ ଯଥେଷ୍ଟ ଶକ୍ତି ତୋ ପାଖେ ଅଛି। ଯୁଦ୍ଧ ସେ ରାକ୍ଷସ ମାନେ ଆରମ୍ଭ କରିଛନ୍ତି ଓ ଶେଷ ମୁଁ କରିବି। କୁହନ୍ତି ନାରୀ ଦୁର୍ଗା, ହେଲେ ଏ ଦୁର୍ଗା ମାଆ ଏକା ଲଢି ନ ଥିଲେ, ତାଙ୍କୁ ମିଳିଥିଲା, ସବୁ ଦେବା ଦେବୀ ଙ୍କ ସହଯୋଗ, କିଏ ତ୍ରିଶୂଳ ଦେଇଥିଲେ ତ କିଏ.....ଛାଡ। ତୋର ସାହସ ଓ ଆଶୀର୍ବାଦର ଅସ୍ତ୍ର ନେଇ ମୁଁ ସାଜିବି ଏ ଯୁଗର ଦୁର୍ଗା ଓ ଉଚିତ୍ ଶାସ୍ତି ଦେବୀ ସଭିଙ୍କୁ। ମୁଁ ଜାଣେ ତୁ ବହୁତ୍ କାନ୍ଦିବୁ ମୋ ଚିଠି ପଢ଼ି, ମୁଁ ବି ବହୁତ୍ କାନ୍ଦୁଛି l ହେଲେ ଏଇଟା କାନ୍ଦିବା ସମୟ ନୁହେଁ, ଲଢିବାର ସମୟ, ତୁ କେବଳ କଥା ଦେ ଯେ, ଏ ଯୁଦ୍ଧରେ ତୁ ମୋ ରଥର ସାରଥି ହେବୁ। କଥା ଦେ ଲୋ ବୋଉ...


ଅପେକ୍ଷାରେ ରହିଲି

"ଇତି"

ତୋର ପାଗିଳି 



Rate this content
Log in

Similar oriya story from Inspirational