Aminilu Ray

Tragedy

0.2  

Aminilu Ray

Tragedy

ବୋଝ

ବୋଝ

5 mins
400


      ସତରେ, ଏ ସଂସାର କଥା ଭାବିଲେ ବଡ ବିଚିତ୍ର ଲାଗେ । ଘରେ ପୁଅଟିଏ ଜନ୍ମ ହେଲେ ଲୋକେ କହନ୍ତି ତା ଘରକୁ ଉତରାଧିକାରୀ ଆସିଗଲା । ତା’ ଅନ୍ତେ ତା’ର ପିଣ୍ଡପାଣି ଦେବାକୁ ଆଉ କିଛି ଅସୁବିଧା ହେବ ନାହିଁ । ପୁନଶ୍ଚ ଝିଅଟିଏ ଭୂମିଷ୍ଟ ହେଲେ ସମସ୍ତେ କହନ୍ତି ତା’ ଘରକୁ ଏଥର ଲକ୍ଷ୍ମୀ ଆସିଗଲେ । ତା’ର ଆଉ ଦୁଃଖ କଷ୍ଟ କିଛି ରହିବନି । ଘର ଆପେ ଆପେ ଧନ ସମ୍ପଦରେ ପରିପୂର୍ଣ୍ଣ ହେଇଯିବ । ହେଲେ ସମୟ କ୍ରମେ ପିଲାମାନଙ୍କୁ ଲାଳନପାଳନ କରିବା, ପାଠ ପଢାଇବା, ବଡ ମଣିଷ କରିବା ଯେ କେତେ କଷ୍ଟ ସେକଥା ସବୁ ବାପମାଆ ଉଣାଅଧିକେ ଅଙ୍ଗେ ଲିଭାଇ ସାରିଛନ୍ତି । କିନ୍ତୁ ଝିଅଟିଏ କଲେଜ୍ ପଢୁଆ ହେଇଗଲେ ବାପମାଆଙ୍କ ମୁଣ୍ଡରେ ପଶେ ଚିନ୍ତା । ତାକୁ ହାତକୁ ଦ’ିହାତ ନ କରିବା ପର୍ଯ୍ୟନ୍ତ ଝିଅଟି ବୋଝ ସମାନ ପିତାମାତାଙ୍କ ଦୃଷ୍ଟିରେ ଥାଏ । ପୁଅ ହେଉ କିମ୍ବା ଝିଅ ହେଉ ଉଚ୍ଚଶିକ୍ଷା ପାଇଁ ଚାହିଁଲେ ମଧ୍ୟବିତ ଶ୍ରେଣୀର ଓ ଦାରିଦ୍ର‌୍ୟର ସୀମାରେଖା ତଳେ ଥିବା ପରିବାରରେ ଅର୍ଥ ବାଧକ ସାଜିଥାଏ । ଧାର, କରଜ, ଋଣ କରି ଆବଶ୍ୟକତା ମେଂଟାଇବା କେତେ ଯେ କଷ୍ଟ, ଭାବିଲେ ଦୁଃଖ ଲାଗେ । ପୁଅଝିଅଙ୍କର ମୁଣ୍ଡକୁ ହାତ ପାଇଗଲା ପରେ ତଥା ସେମାନେ ସମର୍ଥ ହେଇଗଲା ପରେ ବାପମାଆଙ୍କ ଖୁସି କହିଲେ ନ ସରେ । ସେମାନେ ଭାବନ୍ତି ଯାହାହେଉ ଆମ ପିଲାମାନେ ଏଥର କୂଳରେ ଲାଗିଗଲେ । ଆଉ କିଛି ଅସୁବିଧା ନାହିଁ । ଏବେଠାରୁ ଆମର ଦୁଃଖର ସମୟ ଚାଲିଗଲା ବୋଲି ଜାଣ । ଖାଲି ସୁଖ ହିଁ ସୁଖ । ଗୋଡ ଉପରେ ଗୋଡ ପକାଇ, ଗୋଟିଏ ଯାଗାରେ ଅଚିନ୍ତାରେ ବସି ରହି ଟି.ଭି, ପେପର୍ ଓ ନାତିନାତୁଣୀଙ୍କ ଗହଣରେ ବାକି ସମୟତକ ଭଲରେ ଭଲରେ ଏଥର ଅତିବାହିତ କରିବା । ପିଲାମାନଙ୍କ ଉନ୍ନତିରେ ବାପମାଆଙ୍କୁ ଖୁସିରେ ରାତିରେ ନିଦ ହୁଏନି । ସେମାନଙ୍କର ଆଗାମୀ ଦିନର ଉଜ୍ଜ୍ୱଳ କାମନା ପୂର୍ବକ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ।

   କିନ୍ତୁ ଫଳ ହୁଏ ଓଲଟା । ପିଲାମାନେ ସହରୀ ଚାଲିଚଳନ ଓ ଚାକଚକ୍ୟ ଭିତିରେ ଭୂଲି ଯାଆନ୍ତି ବାପମାଆଙ୍କ ଦୁଃଖକଷ୍ଟ । ନୂତନ ଭାବନାରେ ବଂଚିବା ପାଇଁ ତଥା ନୂତନ ଭାବନାକୁ କାନ୍ଧରେ ବୋହି ଜୀବନର ଘଟଣାବଳୀର ପୂର୍ବ ଇତିହାସକୁ ପାସୋରି ପକାନ୍ତି । ପିତାମାତା ବାର୍ଦ୍ଧକ୍ୟରେ ଉପନୀତ ହେଲେ, ଗୋଡ ହାତ ନ ଚଳିଲେ ପିଲାମାନଙ୍କ ମୁଣ୍ଡରେ ପଶେ ଚିନ୍ତା । ସେତେବେଳେ ନିଜର ଜନ୍ମିତ ବାପମାଆଙ୍କୁ “ବୋଝ” ସଦୃଶ ମନେ କରନ୍ତି । ସେମାନଙ୍କୁ ସବୁଥିରେ ଅବହେଳା କରିଥାନ୍ତି । ଖାଇବା ପିଇବାଠାରୁ ଆରମ୍ଭ କରି ଶରୀରର ଯତ୍ନ ନେବା ପର୍ଯ୍ୟନ୍ତ ସବୁଥିରେ ସ୍ପଷ୍ଟ ଦିଶେ ଅବହେଳା ଆଉ ଅବହେଳା । ବାପମାଆଙ୍କ ସୁଚିନ୍ତିତ ଭାବନା ଓ ସପନ ଭାଙ୍ଗି ଚୁର୍ମାର୍ ହେଇଯାଏ । ପିଲାମାନଙ୍କୁ ବଢାଇ କୁଢାଇ ଦୁଃଖେ କଷ୍ଟେ ଏଡେଟିଏରୁ ଏଡେଟିଏ କଲାପରେ ଶେଷରେ ସେମାନେ ନିଜ ପୁଅଝିଅଙ୍କ ଦୃଷ୍ଟିରେ ପାଲଟି ଯାଆନ୍ତି ବୋଝ । ଅଣଦେଖା, କୁବ୍ୟବହାର, ଅବହେଳାରେ ତଥା ଦୁଃଖ ଓ ନୈରାଶ୍ୟରେ ଦିନ କାଟନ୍ତି ଏ ଯୁଗର ପିତାମାତା । ଇତିହାସରେ ଯୁଗକୁ ସ୍ମରଣ କଲେ ଜଣାଯାଏ – ସତ୍ୟଯୁଗରେ ଶ୍ରବଣ କୁମାର ନିଜର ଅନ୍ଧ ପିତାମାତାଙ୍କୁ କାନ୍ଧରେ ବୋହି ଚାରି ଧାମ ବୁଲାଇ ତୀର୍ଥ ଦର୍ଶନ କରାଇଥିଲା ତଥା ପିତାମାତାଙ୍କ ପାଖରେ ମୃତ୍ୟୁ ପର୍ଯ୍ୟନ୍ତ ରହି ସେବାରେ ଟିକିଏ ହେଲେ ଅବହେଳା କରି ନଥିଲା । ପୁନଶ୍ଚ ଗୁରୁକୁଳ ଆଶ୍ରମରେ ଅଶ୍ୱିନୀ କୁମାର ଗୁରୁଙ୍କ ପାଖେ ପାଖେ ରହି ନିଜର ପିତା ସମାନ ଗୁରୁଙ୍କ ସେବାରେ ଟିକିଏ ହେଲେ ମଧ୍ୟ ଅବହେଳା କରି ନଥିଲା । ଗୁରୁଙ୍କ ଆଦେଶକୁ ଅମାନ୍ୟ ନକରି ଖାଦ୍ୟ ପରିବର୍ତେ ଅର୍କପତ୍ର ଭକ୍ଷଣ କରିଥିଲା ଓ ପରେ ସେ ଗୁରୁଙ୍କ ଆଶୀର୍ବାଦରେ ନିଜର ଦୃଷ୍ଟିଶକ୍ତି ଫେରିପାଇଥିଲା । ସେହିପରି ଅଯୋଧ୍ୟାରେ ରାଜା ଦଶରଥଙ୍କ ପୁତ୍ର ରାମଚନ୍ଦ୍ର ମନରେ କୈାଣସି ମାନ ଅଭିମାନ ନରଖି ମାତା କୈକେୟୀଙ୍କ ଆଦେଶ କ୍ରମେ ଚଉଦ ବର୍ଷ ବନବାସ କରିଥିଲେ । ଚଉଦ ବର୍ଷ ଅନ୍ତ ପରେ ସେ ସ୍ୱୟଂ ଅଯୋଧ୍ୟା ଫେରିଆସି ରାଜା ହେବା ସହ ନିଜ ପିତାମାତାଙ୍କ ପ୍ରତି କର୍ତବ୍ୟରେ ଓ ସେବାରେ ମଧ୍ୟ ଟିକିଏ ହେଲେ ଅବହେଳା କରି ନଥିଲେ । କିନ୍ତୁ ଏ ଯୁଗରେ ଜନ୍ମିତ ପିଲାମାନଙ୍କ ପାଇଁ ବୋଝ ସଦୃଶ ହୋଇଛନ୍ତି ପିତାମାତା । ଏଥି ନିମନ୍ତେ ଏକ ଜ୍ଜ୍ୱଳନ୍ତ ଦୃଷ୍ଟାନ୍ତ ଦିଆଯାଇପାରେ ।

           ସେଦିନ ଗାଁ ଦାଣ୍ଡରେ, ଧୂଳି ବାଲିରେ ଖେଳୁଥିବା ଅମୁ ଆଜିର ସହରୀ ବାବୁ, ପଟ୍ଟନାୟକ ବାବୁ ଓରଫ୍ ଅମର୍ ପଟ୍ଟନାୟକ । ଏଇ ଅମୁକୁ ଲାଳନ ପାଳନ କରି ପାଠ ପଢାଇ ବଡ ମଣିଷ କରିବା ପର୍ଯ୍ୟନ୍ତ ତା ପିତାମାତାଙ୍କୁ କେତେ ଯେ କଷ୍ଟ ସହିବାକୁ ପଡିଛି ସେକଥା ଭାବିଲେ ମନରେ ଆଶ୍ଚର୍ଯ୍ୟ ତଥା ଦୁଃଖ ଆସେ । ଇଂଜିନିୟରିଂ ପାଠ ପଢାଇବା ପାଇଁ ଶେଷରେ କୈାଣସି ଉପାୟ ନପାଇ ଅମୁର ପିତା ମହାଜନ ପାଖରେ ନିଜର ସାତ ପୁରୁଷର ଭିଟାମାଟି ଖଣ୍ଡିକ ବନ୍ଧକ ରଖନ୍ତି । ତାଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ - “ଅମୁ ପାଠ ପଢି ଭଲ ଚାକିରୀ ଖଣ୍ଡେ ପାଇଗଲା ପରେ ତା’ରି ଦରମାରୁ ପ୍ରତି ମାସରେ କିଛି କିଛି ମହାଜନକୁ ଦେଇ ତାଙ୍କର ଘର ଡିହ ଖଣ୍ଡିକ ମୁକୁଳାଇ ଆଣିବେ ଓ ପରେ ସେହି ଯାଗାରେ ଭଲ କୋଠାଘରଟିଏ ତୋଳିବେ” ।

          ଅମୁ ମାଡ୍ରାସରୁ ଇଂଜିନିୟରିଂ ଶେଷ କରି ଭୂବନେଶ୍ୱର ଚାଲିଆସେ । ସେଠାରେ ଓଲ୍ଡଟାଉନ୍ରେ ଭଡାଘର ନେଇ ଦିନକୁ ଦୁଇ ଓଳି ଟ୍ୟୁସନ୍ କରି ତଥା ପ୍ରତି ମାସରେ ଘରୁ କିଛି ଟଙ୍କା, ଚାଉଳ, ଡାଲି ଆଣି ନିଜେ ରୋଷେଇ କରି ଖାଇ ପିଇ କମ୍ପିଟେଟିଭ୍ ପରୀକ୍ଷା / ଇଂଟର୍ଭ୍ୟୁ ଦେଇ ସରକାରୀ ଚାକିରୀ ଖଣ୍ଡେ ପାଇଯାଏ । ଚାକିରୀରେ ଜଏନ୍ କଲା ପରେ ତାକୁ ଭାଗ୍ୟବଶତଃ କ୍ୱାର୍ଟରଟିଏ ମିଳେ ।

          ଚାକିରୀ ସମୟ ମଧ୍ୟରେ ସେ ଭଲ ପାଇ ବସେ ଅନିମାକୁ । ସହରୀ ଝିିଅ ଅନିମାର ସରଳ ବ୍ୟବହାର, ଚାଲିଚଳନ, କଥାବାର୍ତାରେ ମୋହିତ ହୋଇ ସେ ବିବାହର ପ୍ରତିଶୃତି ଦିଏ । ସମସ୍ତଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସଂପନ୍ନ ହୁଏ । ଅନିମା ଶାଶୁଘରେ ନ ରହି ଅମୁ ସହ ଚାଲିଆସେ କ୍ୱାର୍ଟରକୁ । ଅମୁକୁ ତା’ ପଣତକାନୀରେ ବାନ୍ଧି ରଖେ । ସମୟ ରଥ ଚକ ପରି ଦିନ ପରେ ଦିନ ଗଡି ଚାଲିଥାଏ ।

          ଅମୁ ଚାକିରୀ କାର୍ଯ୍ୟରେ ବ୍ୟସ୍ତ ରହି କିମ୍ବା ଅନ୍ୟ କୈାଣସି କାରଣବଶତଃ ଭୂଲିଯାଏ ନିଜର ଗାଁ ମାଟି । ନିଜର ଜନ୍ମିତ ପିତାମାତା କିଭଳି ଭାବେ ଦିନ କାଟୁଛନ୍ତି ସେକଥା ଚିନ୍ତା କରିବାକୁ ଅମୁ ପାଖରେ ସମୟ ନଥାଏ । ମାୟା ନଗରୀର ଚାକଚକ୍ୟ ମଧ୍ୟରେ ସେ ଭୂଲିଯାଏ ତା ଜୀବନରେ ଘଟିଥିବା ପୂର୍ବ ଇତିହାସର ପୃଷ୍ଠା ସବୁକୁ । ଏବେ ସେ ସହରୀ ବାବୁ ଅମର୍ ପଟ୍ଟନାୟକ । ଏଇ ପରିଚୟ ନେଇ ସେ ବଂଚିବାକୁ ପସନ୍ଦ କରେ ।

          ଦିନେ ଅମୁର ବାପା କୈାଣସି ଉପାୟ ନପାଇ ଶେଷରେ ବାଧ୍ୟ ହୋଇ ଅମୁ ପାଖକୁ ଆସନ୍ତି ଟଙ୍କା ପାଇଁ, ଘର ଡିହ ଖଣ୍ଡିକ ମହାଜନ ପାଖରୁ ମୁକୁଳାଇବା ପାଇଁ । ଅମୁ ସବୁ ଶୁଣିସାରିବା ପରେ କହେ – “ବାପା, ଘର ଡିହ ଖଣ୍ଡିକ ଆମର ଆଉ ଦରକାର ନାହିଁ । ତାକୁ ବିକିଲେ ବା କେତେ ଟଙ୍କା ହେବ ? ସବୁଠୁ ଭଲ ହେବ, ତାକୁ ମହାଜନକୁ ଦେଇଦିଅ । ତମେ ଗାଁ କୁ ଯାଇ ବୋଉକୁ ସାଥୀରେ ନେଇଆସ । ଆମେ ସମସ୍ତେ ଏଠାରେ ରହିବା । ଆଉ କିଛି ବର୍ଷ ପରେ ଏଇ ସହରରେ ଯାଗା କିଣି ନୂଆ ଘର ଖଣ୍ଡେ କରିବା । ନିଅ, ବାଟ ଖର୍ଚ୍ଚ ରଖ । ମୁଁ ଯାଉଛି । ଅଫିସ୍ରେ ମୋ’ର ଅନେକ କାମ ଅଛି” ।

           ଅମୁ ତର ତର ହୋଇ ଅଫିସ୍ ଚାଲିଗଲା ପରେ ତାଙ୍କ ବାପା କୃପାସିନ୍ଧୁ ବସ୍ରେ ବସି ଗାଁ ଅଭିମୂଖେ ଆସୁଥିଲାବେଳେ ଭାବୁଥିଲେ – “ଦୁଃଖ କଷ୍ଟ ସହି, ଲାଳନ ପାଳନ କରି, ଘରଡିହ ବନ୍ଧାଦେଇ, ଉଚ୍ଚଶିକ୍ଷିତ କରି ସମାଜରେ ବଂଚିବା ପାଇଁ ନୂଆ ପରିଚୟ ସୃଷ୍ଟି କରେଇଲି, ଶେଷରେ ଫଳ ଏଇଆ ହେଲା ? କେଇଟା ଟଙ୍କା ପାଇଁ ସାତ ପୁରୁଷର ଭିଟାମାଟିକୁ ମହାଜନକୁ ଦେଇଦେବାକୁ କହିଲା ? ହଉ, ଭଗବାନଙ୍କର ଯାହା ଇଛାଥିବ ସେଇଆ ହେବ ।”

           କୃପାସିନ୍ଧୁ ସଂଧ୍ୟାରେ ଘରେ ପହଂଚି ନିଜ ସ୍ତ୍ରୀ ଆଗରେ ପୁଅର ମର୍ମଭେଦୀ କଥାଗୁଡିକ କହୁଥିଲାବେଳେ ଅନୋନ୍ୟପାୟ ହୋଇ ତାଙ୍କ ସ୍ତ୍ରୀ ପଣତକାନୀରେ ନିଜର ଲୁହ ପୋଛୁ ପୋଛୁ କହିଲେ - “ଏ ଲୋକଲଜ୍ଜା କଥା କାହାକୁ କହିବା ? ତା ପାଖକୁ ନଯିବା ବ୍ୟତୀତ ଆମ ପାଖରେ ଆଉ କିଛି ଉପାୟ ନାହିଁ ।”           

ତହିଁ ଆରଦିନ ବୁଢାବୁଢୀ ଦୁହେଁ କଷ୍ଟେମଷ୍ଟେ ବସ୍ରେ ଆସି ଅମୁ କ୍ୱାର୍ଟରରେ ପହଂଚିଲେ । ହେଲେ ବାପମାଆଙ୍କ ଭଲମନ୍ଦ ବୁଝିବାକୁ ଅମୁ ପାଖରେ ସମୟ ନଥିଲା । ଅମୁର ସ୍ତ୍ରୀ ଦିନକୁ ଦିନ ବୁଢାବୁଢୀ ଦୁଇଟାଙ୍କୁ ଅଣଦେଖା କରିବାକୁ ଲାଗିଲା । ସେମାନଙ୍କର ସେବା ଶୁଶ୍ରୁସା କଲା ନାହିଁ । ତାଙ୍କର ଭଲମନ୍ଦ ବୁଝିଲା ନାହିଁ । ଖାଇବା ପିଇବାଠାରୁ ଆରମ୍ଭ କରି ସବୁଥିରେ ଅବହେଳା କରିବାରୁ ସେମାନେ ଦୁଃଖରେ ଭାଙ୍ଗି ପଡିଲେ । ଏଠାକୁ ଆସିବା ପରେ ବାପମାଆଙ୍କର ସବୁ ସ୍ୱପ୍ନ, ସବୁ ଇଛା ପାଣି ଫୋଟକା ପରି ମିଳାଇ ଯାଇଥିଲା । ଦୁଃଖରେ ଥାଇ ବି ସେମାନେ ପୁଅବୋହୁଙ୍କୁ ଭରସି କରି କିଛି କହିପାରୁ ନଥିଲେ । କିଛି କହିଲେ ସେମାନେ ଚିଡ୍ଚିଡ୍ ହେଉଥିଲେ । ଏମାନେ ସେଠାରେ ରହୁଥିବାରୁ ଅମୁ ଓ ଅନିମା ଦୁହେଁ ‘ବୋଝ’ ବୋଲି ଭାବୁଥିଲେ । ମନରେ ପ୍ରଶ୍ନ ଉଠେ, ଏ ସମାଜରେ ଯେତେ ଯେତେ ପିତାମାତା ଜରାଜୀର୍ଣ୍ଣ ଅବସ୍ଥାରେ କାଳ କାଟୁଛନ୍ତି, ସତରେ ସେମାନେ କ’ଣ ତାଙ୍କ ପିଲାମାନଙ୍କ ଉପରେ “ବୋଝ” ?

                                                                

                      


Rate this content
Log in

Similar oriya story from Tragedy