STORYMIRROR

Lokanath Rath

Inspirational

3  

Lokanath Rath

Inspirational

ବନ୍ଧୁମିଳନ

ବନ୍ଧୁମିଳନ

6 mins
228

ଦୀର୍ଘ ଚାଳିଶ ବର୍ଷ ପରେ ଆଜି ସବୁ ସାଙ୍ଗ ମାନଙ୍କ ସହିତ ଦେଖା ହେବ l କିଏ କେମିତି ସବୁ ଦେଖା ଯାଉଥିବେ, କିଏ ସବୁ ମନେ ରଖିଥିବେ କି ନାହିଁ, କିଏ ପୁଣି କାଳେ ବଦଳି ଯାଇଥିବେ, ଏଇ ସବୁ ଭାବି ଭାବି ଆରତୀ ବଡ଼ ସଂଶୟରେ ଥାଏ, କିନ୍ତୁ ମନର ଉତ୍କଣ୍ଠା ବଢ଼ିବାରେ ଲାଗିଥାଏ l ଏଣେ କେଉଁ ଶାଢ଼ୀ ପିନ୍ଧିବ ଭାବି ଆଲମାରୀରୁ ସବୁ କାଢି ବାଛିବାରେ ଲାଗି ପଡିଲା l ଠିକ ସେତିକି ବେଳେ ବୋହୁ ବିନତି ଆସି କହିଲା, " ବୋଉ ଇଏ କଣ ତୁମେ ଏଯାଏ ରେଡି ହେଇନାହଁ l ମୁଣ୍ଡ କୁଣ୍ଡାଇ ଦେଉଛି ବସ l ମୁଁ ଏଇ ଶାଢ଼ୀଟା ବାଛୁଛି ପିନ୍ଧିକି ଜିବ l କଲି କହିଲି ଟିକେ ମୁଣ୍ଡ ଚୁଟିକୁ କଳା ରଙ୍ଗ କରିବାକୁ, ମୋତେ ମନା କଲ l ସବୁଗୁଡାକ ଧଳା ହେଇ ଗଲାଣି l " ଆରତୀ କହିଲା, "ଶୁଣ ମାଆ, ମୁଁ ଆସି ବୁଢ଼ୀ ହେଲିଣି l ଯେତେ ସଜେଇ ହେଲେ କଣ ହେବ l ମୋ ସାଙ୍ଗମାନେ ସବୁ ବି ବୁଢା ବୁଢ଼ୀ ହେଇ ଯାଇଥିବେ l ଯଦି ଚିହ୍ନି ନ ପାରିବେ ତେବେ ମୁଁ ତାଙ୍କୁ ଏତେ ଦିନ ପରେ ତ ଆଖି ପୁରେଇ ଦେଖିବି, ଆଉ ମୁଁ ନିଜ ପରିଚୟ ଦେଇ ଦେବି l ହଉ ତୁ ମୁଣ୍ଡ କୁଣ୍ଡେଇ ଦେ l ମୁଁ ଶୀଘ୍ର ବାହାରି ଯିବି l " 

ସେପଟେ ବନ୍ଧୁମିଳନକୁ ନେଇ ନମିତା ଏତେ ଉତ୍ସାହିତ ହେଇଥିଲା ଯେ, କାଲି ଯାଇ ସେ ପ୍ରସାଧନ ସ୍ଥଳରୁ ନିଜ ଚୁଟି କଳା କରି ଆସିଛି l ଟିକେ ନିଜକୁ ସଜେଇବାକୁ ଚେଷ୍ଟା କରିଛି l କେଜାଣି ସବୁ ସାଙ୍ଗମାନେ ଏବେ କେମିତି ଦେଖା ଯାଉଥିବେ ? କିନ୍ତୁ ଏତେ ବର୍ଷ ପରେ ଯେଉଁ ଦେଖ ହେବ, ନିଶ୍ଚୟ ବଡ଼ ମଜା ଆସିବ l ନମିତା ନିଜକୁ ପୁରା ପ୍ରସ୍ତୁତ କରି ବସିଛି ତା ସ୍ୱାମୀ ନରେଶ ଆସିଲେ ତାକୁ ନେଇ ଛାଡ଼ିଦେବେ l ନରେଶ କେନ୍ଦ୍ର ସରକାରଙ୍କ ଅଧିନରେ ଜଣେ ବଡ଼ ଅଧିକାରୀ l ତାକୁ ତା ସ୍ୱାମୀଙ୍କ ସମ୍ମାନ ବି ଦେଖିବାକୁ ହେବ l ଏତିକି ବେଳେ ନରେଶ ଆସିଗଲେ ଓ ବାହାରିବାକୁ କହିଲେ l 

ରାଜେଶ ନିଜ କର୍ମମୟ ଜୀବନ ଭିତରେ ଏତେ ବ୍ୟସ୍ତ ଥିଲା ଯେ ପ୍ରାୟ ସବୁ ସାଙ୍ଗ ମାନଙ୍କ ସହିତ କିଛି ସମ୍ପର୍କ ରଖି ପରି ନ ଥିଲା l ସେ ଯାହା ହେଉ ବହୁତ ଧନ୍ୟବାଦ ଆଶିଷକୁ ଯେ ତାକୁ ଯୋଗାଯୋଗ କଲା ଓ ଅନ୍ୟ ସାଙ୍ଗ ମାନଙ୍କୁ ବି ସେ ଯୋଗାଯୋଗ କରି ଦୀର୍ଘ ଚାଳିଶ ବର୍ଷ ପରେ ଏହି ବନ୍ଧୁମିଳନ ର ଆୟୋଜନ କରୁଛି l ରାଜେଶ କଣ ପିନ୍ଧିବ ଭାବୁଥିଲା, ପତ୍ନୀ ଅନିତା କହିଲେ, "ତୁମ ପିନ୍ଧିବା ପାଇଁ ମୁଁ ବାହାର କରି ରଖିଛି l ଯେତେ କହିଲି ଟିକେ ଚୁଟି କଳା କରିଦିଅ, ଏଇ ଦାଢ଼ିକୁ କାଟି ଦିଅ, ମୋଟେ ଶୁଣିଲ ନାହିଁ l ସମସ୍ତେ ତୁମକୁ ଦେଖି କଣ ଭାବିବେ କହିଲ ?କହିବେ ମୁଁ ତୁମର ମୋଟେ ଯତ୍ନ ନେଉ ନାହିଁ l ହଉ ଏବେ ଟିକେ କିଛି ଖାଇଦେଇ ବାହାରି ଯାଅ l "ଅନିତା ର କଥା ଶୁଣି ରାଜେଶ କହିଲା, " ମୋ ସାଙ୍ଗମାନେ ଜମା କିଛି ଭାବିବେ ନାହିଁ l ସେମାନେ ମୋଟେ ଜାଣିଛନ୍ତି l ଆଉ ଏବେ ଏତେ ବର୍ଷ ପରେ ଭେଟିବୁ ସେଇଟା ସବୁଠୁ ବଡ଼ କଥା l " ଏତକ କହି ରାଜେଶ ପିନ୍ଧା ପିନ୍ଧି କରି ବାହାରିଗଲା ନିଜ ସ୍କୁଟର ନେଇ l 

ସହର ର ମଧ୍ୟଭାଗରେ ଥିବା ହୋଟେଲ୍ରେ ବନ୍ଧୁମିଳନ ର ଆୟୋଜନ l ଦୀର୍ଘ ଚାଳିଶ ବର୍ଷ ପରେ ସ୍କୁଲ୍ର ର ସବୁ ସାଙ୍ଗ ଏକାଠି ହେବେ l ସମସ୍ତଙ୍କ ମନରେ ଉଦ୍ଦୀପନା l ଦେଖୁ ଦେଖୁ ସମୟ ଦିନ ଏଗାର ବାଜିଗଲା l ଜଣ ଜଣ କରି ସମସ୍ତେ ଆସିଲେ l ପ୍ରାୟ ସତୁରି ସାଙ୍ଗ ଅଧ ଘଣ୍ଟା ଭିତରେ ଏକାଠି ହେଲେ l ସଭାଗୃହ ଭିତରେ ସମସ୍ତେ ରୁଣ୍ଡ ହେଲେ l ହସ ଓ ଖୁସିରେ ସମସ୍ତେ ମଜ୍ଜି ଗଲେ l କିଛି ସମୟ ପରେ ସମସ୍ତେ ନିଜ ନିଜ ପରିଚୟ ଦେଲେ l ପାଠ ପଢିଲା ବେଳେ ଯେମିତି ସବୁ ଠିଆ ହେଇ କହୁଥିଲେ, ଏବେ ସେମିତି ଠିଆ ହେଇ କହିଲେ l କାହାର ଚାଲିବାର ଓ କହିବାର ଢଙ୍ଗରେ କିଛି ପରିବର୍ତ୍ତନ ହେଇନାହିଁ l ଖାଲି ଟିକେ କଣ୍ଠ ସାମାନ୍ୟ ବଦଳି ଯାଇଛି l ସମସ୍ତଙ୍କ ଚେହେରାରୁ ବୟସ ର ଛାପ ପୁରା ବାରି ହେଇ ଯାଉଥିଲା l ପ୍ରଥମେ ପ୍ରଥମେ ଟିକେ ଟିକେ ଥା ଥା ମ ମ ସମସ୍ତେ ହେଲେ l କିଛି ସମୟ ପରେ ସମସ୍ତେ ଯେମିତି ସେଇ ସ୍କୁଲ ଦିନର ପିଲା ହେଇଗଲେ l ପୁଅ ଝିଅ ସମସ୍ତେ ଲାଗୁଥିଲା ପୁରା ଖୋଲା ମନରେ ବଡ଼ ବଡ଼ ପାଟିରେ କଥା ହେଉଥିଲେ ଓ ପିଲାଙ୍କ ପରି ହସୁଥିଲେ l ପୁଣି ଥଟା ମଜା ର ବି କିଛି କମ ନ ଥିଲା l ସମସ୍ତେ ସେଇ ପିଲାଦିନ ର ପୁରୁଣା କଥାକୁ ମନେ ପକାଇ ବହୁତ ହସୁଥିଲେ l ଲାଗୁଥିଲା ଯେମିତି ସମସ୍ତେ ଏବେ ଅନ୍ୟ ଏକ ଦୁନିୟାରେ ଅଛନ୍ତି l ସମସ୍ତେ ରଙ୍ଗ ବେରଙ୍ଗ ର ଡ୍ରେସ ଓ ଶାଢ଼ୀ ପିନ୍ଧିଥିଲେ l କେହି କେହି ଚୁଟି କଳା କରିଥିଲେ ତ କେହି କେହି କରି ନ ଥିଲେ l ଯିଏ ଯେମିତି ହେଇ ଆସିଥିଲେ ବି ସେ ସବୁ ପ୍ରତି କାହାର ନଜର ନ ଥିଲା l ସମସ୍ତେ ଆଖି ପୁରେଇ ସମସ୍ତଙ୍କୁ ଦେଖୁଥିଲେ l ସତେ ଯେମିତି ସେଇ ଦେଖା ଭିତରେ ପୁରୁଣା ଦିନର ଚେହେରା ଖୋଜି ପାଇଯାଇ ବହୁତ ଆନନ୍ଦିତ ହେବା ସହିତ ମନରେ ରହିଥିବା ପୁରୁଣା ସ୍ମୃତିକୁ ତାଜା କରୁଥିଲେ l ତା ଭିତରେ ସମସ୍ତେ ମିଶି ଭୋଜନ କଲେ l ଭୋଜନ ପରେ ସମସ୍ତେ ଏକାଠି ନାଚିଲେ l କିଛି ସାଙ୍ଗ, ଯେଉଁମାନେ ଏବେ ବଡ଼ କଳାକାର, ସେମାନେ ସଙ୍ଗୀତ ପରିବେଷଣ କଲେ l ଆଉ କିଛି ସାଙ୍ଗ ତାଙ୍କ ବେସୁରା କଣ୍ଠରେ ବି ଗୀତ ଗାଇଲେ l ସବୁଥିରେ ମଜା ଆସୁଥିଲା l ଦେଖୁ ଦେଖୁ ସନ୍ଧ୍ୟା ହୋଇଗଲା l ଏବେ ପୁଣି ସମସ୍ତଙ୍କୁ ନିଜ ନିଜ ଘରକୁ ଫେରିବାକୁ ହେବ l ସେତିକିବେଳେ ସମସ୍ତେ ଉଦାସ ହେଇଗଲେ l ଏତେ ବର୍ଷ ପରେ ଏକାଠି ହୋଇ, ଏତେ ଶୀଘ୍ର ପୁଣି ଅଲଗା ହେବାକୁ କେହି ଭାବି ନ ଥିଲେ l କିନ୍ତୁ ସମୟ ର ଖେଳ ଏବେ ସମସ୍ତେ ବୁଝି ଉଦାସ ହେଉଥିଲେ l ଆସ୍ତେ ଆସ୍ତେ ସମସ୍ତେ ସେଠାରୁ ବାହାରିବାକୁ ଲାଗିଲେ l ଆଶିଷକୁ ସମସ୍ତେ ଧନ୍ୟବାଦ ଦେଉଥାନ୍ତି ତାର ଏହି ଚେଷ୍ଟା ପାଇଁ l ସମସ୍ତେ ଏକାଠି ସ୍ଥିର କଲେ ପ୍ରତ୍ୟେକ ବର୍ଷ ପୁଣି ସମସ୍ତେ ମିଶିବେ l l l l 

ଆରତୀ ଘରେ ପହଞ୍ଚୁ ପହଞ୍ଚୁ ବୋହୁ ପଚାରିଲା, "ବୋଉ କେମିତି ରହିଲା ତୁମ ବନ୍ଧୁମିଳନ ?" ଆରତୀ କହିଲା, " ବହୁତ ଆନନ୍ଦ ଦେଲା l ଆମେ ସବୁ ପୁଣି ସେଇ ପିଲାଦିନକୁ ଫେରି ଯାଇଥିଲୁ l ମୋ ପରି ବହୁତ ସାଙ୍ଗଙ୍କ ଚୁଟି ବି ପୁରା ଧଳା ହେଇ ଯାଇଛି, କିନ୍ତୁ ଆମେ କେହି କିଛି ଭାବିବାକୁ ସମୟ ପାଇଲୁ ନାହିଁ l ଆଉ ଆସିଲା ବେଳେ ବହୁତ କଷ୍ଟ ଲାଗୁଥିଲା l ଯାହା ହେଉ ଏବେ ପୁଣି ସବୁ ବର୍ଷ ଆମେ ଏକାଠି ହେବୁ l ବୁଝିଲୁ ଦୁନିୟା ସିନା ବଦଳି ଯାଇଛି l କିନ୍ତୁ କେହି ସାଙ୍ଗ ବଦଳି ନାହାନ୍ତି l " ଏତିକି କହି ଆରତୀ ଟିକେ ହସିଦେଇ ଗଲା ନିଜ ଲୁଗା ବଦଳାଇବାକୁ l ତା ବୋହୁ ବିନତି ବୁଝି ପରୁଥାଏ ଆରତୀ ମନର ଖୁସିକୁ l l l 

ନମିତା ତା ସ୍ୱାମୀ ନରେଶଙ୍କ ସହିତ ଗାଡ଼ିରେ ବସି ଫେରୁଥିଲା l ନରେଶ ପଚାରିଲେ, "କଣ ବହୁତ ଖୁସି ତ ! କେମିତି ରହିଲା ତୁମ ବନ୍ଧୁମିଳନ ?"ନମିତା ହସି ହସି କହିଲା, "ମୁଁ ଆଜି ବହୁତ ବହୁତ ଖୁସି l ଆଜି ମୋଟେ ଲାଗିଲା ଯେମିତି ଆମେ ସମସ୍ତେ ସ୍କୁଲରେ ପଢ଼ୁଛୁ l କେତେ ଖୁସି, କେତେ ନାଚ l ସମସ୍ତେ ବହୁତ ଖୁସିରେ ପିଲାଙ୍କ ଭଳିଆ ହେଇ ଯାଇଥିଲୁ l ସମସ୍ତଙ୍କ ଚେହେରାରେ ବୟସ ର ଛାପ ଥିଲା, କିନ୍ତୁ ଏକାଠି ହେଇ ସବୁକିଛି ଭୁଲିଗଲେ l କାହା ପାଖରେ କିଛି ଆଭିଜାତ୍ୟ ର ଚିନ୍ହ ବର୍ଣ ନ ଥିଲା l ମନ ହେଉଛି ଏବେ ଯେମିତି ମୁଁ କିଛି ଛାଡି ଆସିଲି l " ଏତକ ଶୁଣି ନରେଶ କହିଲେ, " ଏ ବନ୍ଧୁତ୍ୱ ଗୋଟିଏ ମାତ୍ର ସମ୍ପର୍କ, ଯେଉଁଠି କିଛି ସ୍ୱାର୍ଥ ନ ଥାଏ l ଏ ସମ୍ପର୍କ ଭାଗ୍ୟରେ ଥିଲେ ମିଳେ l ଏବେ ଯେତେବେଳେ ବହୁତ ବର୍ଷ ପରେ ମିଳିଛି, ଏହାକୁ ସାଇତି ରଖ l " ଏତିକି କହି ନରେଶ ଟିକେ ହସି ଚାହିଁଲେ ନମିତାକୁ ଓ ବୁଝି ପାରୁଥିଲେ ସେ ଆଜି କେତେ ଖୁସି l ଗାଡି ଘର ପାଖରେ ପହଞ୍ଚି ଗଲା l ଉଭୟ ଗାଡ଼ିରୁ ବାହାରି ଘର ଭିତରକୁ ଗଲେ l l l l 

ରାଜେଶ ନିଜ ସ୍କୁଟର ନେଇ ଘରେ ପହଞ୍ଚି ଗଲା l ଘର କବାଟ ଖୋଲୁ ଖୋଲୁ ହସି ହସି ଅନିତା ପଚାରିଲା, "କଣ ଆଜି ବାବୁଙ୍କ ମନ ବହୁତ ଖୁସି ଥିଲା ପରି ଲାଗୁଛି l ଯାହାହେଉ ଆଜି ବନ୍ଧୁମିଳନ ବହୁତ ଜମାଣିଆ ହେଇଥିବ l " ରାଜେଶ ଚୌକିରେ ବସୁ ବସୁ କହିଲା, " ବୁଝିଲ ଅନିତା, ବୋଧହୁଏ ମୁଁ କିଛି ପୂଣ୍ୟ କରିଥିଲି, ସାଙ୍ଗମାନଙ୍କୁ ଏତେ ବର୍ଷ ପରେ ଭେଟିଲି l କେତେ ମଜା ମଜା କଥାରେ ଦିନ କଟିଗଲା ଜଣା ପଡିଲା ନାହିଁ l ପିଲାଦିନେ ଯେମିତି ହେଉଥିଲୁ ଏବେ ସମସ୍ତେ ସେମିତି ହେଇଗଲୁ l ଲାଗିଲା ନାହିଁ ଆମେ ସବୁ ବୁଢା ବୁଢ଼ୀ ହେଇ ଯାଇଛୁ ବୋଲି l ନାଚ ଗୀତ, ଥଟ୍ଟା ମଜାରେ ପୁରା ଦିନ ବିତିଗଲା l ଛାଡିକି ଆସିବାକୁ ମୋଟେ ମନ ହେଉ ନ ଥିଲା l ସତରେ ବନ୍ଧୁ ଓ ସେମାନଙ୍କ ସମ୍ପର୍କ ଅମୁଲ୍ୟ l ଏତେ ବର୍ଷ ପରେ ସବୁ କଥା ସେଠାରେ ପୁଣି ମନେ ପଡିଗଲା l " ଏତକ ଶୁଣି ଅନିତା କହିଲା, " ସାଙ୍ଗମାନେ ହଜିଥିବା ଅତୀତକୁ ଫେରାଇ ଆଣନ୍ତି l ସେମାନେ ବଞ୍ଚିବାର ନୂଆ ଆଶା ମନରେ ଭରି ଦିଅନ୍ତି l ଏବେ ଟିକେ ସମୟ କାଢି ସେ ସମ୍ପର୍କକୁ ଆହୁରି ମଜଭୁତ କର l "

ରାଜେଶ ଏତକ ଶୁଣି ଟିକେ ହସିଦେଇ ଭିତରକୁ ଚାଲିଗଲା l l l l 

ତା ପର ଦିନ ଆଶିଷ ସମସ୍ତଙ୍କୁ ଫୋନ କରି ଜଣାଇଲା ଯେ ଏବେ ସମସ୍ତଙ୍କୁ ନେଇ ୱଷ୍ଟଶପରେ ଗୋଟିଏ ମେଳି କରିଛି l ଏବେ ସମସ୍ତେ ସବୁଦିନେ ଦେଖା ନ ହେଲେ ବି ଏହା ମାଧ୍ୟମରେ ନିଜ ନିଜ ମନ କଥା ବାଣ୍ଟି ପାରିବେ l ସେ କହିଲା, "ଏଇ ବନ୍ଧୁମିଳନ ଆମକୁ ଗୋଟିଏ ନୂତନ ଜୀବନ ଦେଇଛି l ଏବେ ଆମେ ସମସ୍ତେ ମିଶି ଏହାକୁ ଆହୁରି ଜୀବନ୍ତ କରିବା l ପୁଣି ଆସନ୍ତା ବର୍ଷ ଆମେ ମିଶିବା l " l l l l l



Rate this content
Log in

Similar oriya story from Inspirational