Parameswar Ojha

Inspirational

3  

Parameswar Ojha

Inspirational

ବନ୍ଧୁ

ବନ୍ଧୁ

3 mins
12.3K



ମୋର ସେଦିନ କମ୍ପାନୀରେ ପ୍ରଥମ ଦିନ , ବାର ଘଣ୍ଟା ଡ୍ୟୁଟି , ଦିନ ଆଠ ପନ୍ଦରରୁ ସଂଧ୍ୟା ଆଠ ପନ୍ଦର । ପ୍ରଥମ ଦିନ ଯେହେତୁ ସଂପୂର୍ଣ୍ଣ ଥକି ଯାଇଥାଏ । ଡ୍ୟୁଟି ସରିଲା , ବହୁତ ଭିଡ଼ ଯୋଗୁଁ ସଂଧ୍ୟା ଆଠଟା ପନ୍ଦର ବଦଳରେ ଆଠଟା ତିରିଶ ହୋଇଗଲା ଆଙ୍ଗୁଠି ଛାପ ( ବାୟୋ ମେଟ୍ରିକ୍ ) ମାରିବା ପାଇଁ । ପିଲା ମାନେ ସବୁ ଚିଲେଇଲେ "ଚାଲରେ ନହେଲେ ବସ୍ ଛାଡି ଦେବ " । ସମସ୍ତ ଙ୍କ ସହ ମୁଁ ବି ଦୌଡିଲି ଗେଟ୍ ପାଖକୁ । କମ୍ପାନୀ ବସ୍ ସବୁ ପିଲାଙ୍କୁ ରୁମ୍ ପାଖରୁ ସକାଳେ ଆଣି ଆସେ , ପୁଣି ସଂଧ୍ୟାରେ ନେଇ ରୁମ୍ ପାଖରେ ଛାଡେ ।

ଗେଟ୍ ପାଖକୁ ଆସିଲି ତ ସେଠି ଚାରୋଟି ବସ୍ ଥୁଆ ହୋଇଛି । ତେବେ ଭଲସାଡ୍ କୋଉଟା ଯିବ ?

ଜାଣି ନପାରି ଗୋଟେ ବଡ ବସ୍ରେ ଚଢି ଯାଇ ପଚାରି ଦେଲି ପିଲାଙ୍କୁ " ଏଇଟା ଭଲସାଡ୍ ଯିବ ? "

" ହଁ ଯିବ " କେତେଜଣ କହିଲେ ଶୁଭିଲା ପଛରୁ ।

ମୁଁ ଏଥର ନିଶ୍ଚିତରେ ଛିଡା ହୋଇ ରହିଲି ବସ୍ ର ରେଲିଙ୍ଗ୍ କୁ ଧରି , କାରଣ ଗୋଟେ ସିଟ୍ ବି ଫାଙ୍କା ନଥିଲା । ସିକ୍ୟୁରିଟି କମ୍ପାନୀ ଗେଟ୍ ଖୋଲିଲା , ବସ୍ ଚାଲିଲା ଏଥର । ପାଞ୍ଚ ଦଶ ମିନିଟରେ ଗୋଟେ ଛକରେ ପହଞ୍ଚି ସେଠି ଅଟକି ଯିବାରୁ ପିଲା ସବୁ ଧଡ୍ ଧାଡ୍ ଓହ୍ଲେଇ ପଡ଼ିଲେ । ମୁଁ ଭାବୁଥାଏ କଣ ହେଲା ଯେ ? ଅଧା ବାଟରେ ସବୁ ଓହ୍ଲେଇ ପଡ଼ିଲେ ଯେ ?

ଡ୍ରାଇଭର୍ କୁ ଯାଇ ପଚାରିଲି, " ଗାଡ଼ି ଭଲସାଡ୍ ଯିବନି କି ?"

ଡ୍ରାଇଭର୍ କହିଲା -" ଆରେ , ଇଏତ ଖତଲବାଡା ଗାଡ଼ି , ଭଲସାଦ୍ ଗାଡ଼ି ଅଲଗା ଥିଲା "

- " ହେଲେ କିଛି ପିଲାତ କହିଲେ ଏଇ ଗାଡ଼ି ଭଲସାଦ୍ ଯିବ ବୋଲି ?"

-" ହେସ୍ , ସେମାନେ କିଏ ମଜାକ୍ କରିଥିବେ ତୁମ ସହ । ଡେରି କରନି ଯାଅ ଦେଖ ଅଟୋ ଯଦି ମିଳିବ ପଳାଇବ ରିଜର୍ଭ କରି "

ମୁଁ ଛାନିଆ ହେଲି ଗାଡିରୁ ଓହ୍ଲେଇ କି , ଏ ସହର ନୁହେଁ ଯେ ଗାଡି ମିଳିଯିବ ସବୁବେଳେ । ଗାଉଁଲି ଯାଗା ଟେ ଯଦି ଅଟୋ ନମିଳେ ତ ଗଲା , କଥା ସରିଲା । ଅଟୋରୁ ଓହ୍ଲେଇ ପୁଣି ଟ୍ରେନ୍ ରାସ୍ତା ଅଛି ଅଧଘଣ୍ଟା ର .. କଣ କରିବି ? "


ଆଉ ଜଣେ କମ୍ପାନୀ ପିଲାଟେ ଡ୍ରାଇଭର ଆଉ ମୋର କଥା ସବୁ ଶୁଣୁଥିଲା । ମୁଁ ତାଙ୍କୁ ଟପି ଆଗକୁ ତରତର ହୋଇ ଚାଲି ଆସୁଥିବାବେଳେ ସେ ମୋ ପାଖକୁ ଆସି ମୋତେ ତାଙ୍କ ତରଫରୁ କହିଲେ -" ଭାଇ , ରାତି ନଅ ଟା ହେଲାଣି , ଷ୍ଟେସନ୍ କୁ ଏଠାରେ ଏବେ ଅଟୋ ମିଳିବା କଷ୍ଟ । ତଥାପି ଦେଖ ଯଦି ମିଳିଯାଏ ତମ ଭାଗ୍ୟ ।"

ମୋର ତାଙ୍କ କଥା ଶୁଣିବାକୁ ଆଗ୍ରହ ମୋଟେ ନଥିଲା । ମୁଁ ତରତର ହୋଇ ଚାଲିଲି । ସେ ପଛରୁ ମୋତେ ପୁଣି ଡାକି କହିଲେ -" ଭାଇ , ଶୁଣ । ମୋ ନମ୍ବର ରଖ । ଯଦି ଅଟୋ ନମିଳେ ମୋତେ କଲ୍ କରିବ । ରାତିଟା ମୋ ରୁମରେ ବିତେଇ ଦେବ ନହେଲେ ହଇରାଣ ହୋଇ ଯିବ ଯେ , ଏଠାରେ ନୂଆ ତମେ "

ମୁଁ ତରତରରେ ତାଙ୍କ ନମ୍ବର ଟାଇପ୍ କରି ଚାଲିଲି ।

ମୋର ଦୁର୍ଭାଗ୍ୟକୁ ଅଟୋ ଗୋଟେ ବି ନଥିଲା ସେ ଛକରେ । ଫେରି ଆସୁଥିଲି ଗୋଟେ ଅଟୋ ଆସିଲା ମୋ ଆଡ଼କୁ ମୁଁ ହାତ ଦେଖାଇଲି , ସେ ଅଟକିଲା ଯେ ହେଲେ ସେ ଷ୍ଟେସନ ଯିବାକୁ ମନାକଲା । ସବୁଆଡେ ଶୁନ୍ ଶାନ୍ କିଟି କିଟି ଅନ୍ଧାର । ଦୋକାନ ବଜାର ସବୁ ବନ୍ଦ । ଆଉ ପନ୍ଦର ମିନିଟ୍ ଅପେକ୍ଷା କଲି ହେଲେ ଆଉ ଗୋଟେ ବି ଗାଡ଼ି ଦେଖା ଗଲାନି ।

ଶେଷରେ ସେ ନମ୍ବର ଦେଇଥିବା ପିଲା ଙ୍କୁ ଫୋନ୍ କଲି ।

ସେ ଆସୁଛନ୍ତି କହି ଫୋନ୍ କାଟିଲେ । କିଛି ସମୟ ପରେ ଆସିଲେ ମୋତେ ସାଙ୍ଗରେ ନେଇ ଗଲେ ତାଙ୍କ ଭଡାଟିଆ ରୁମ୍ କୁ । ମୁଁ ମନାକଲି ଖାଇବାକୁ ହେଲେ ସେ ଶୁଣିଲେନି , ମୋ ପାଇଁ ଆଉଥରେ ଭାତ ରାନ୍ଧିଲେ ଭଜା ବନେଇଲେ ।

ଆମେ ଦୁହେଁ ସାଙ୍ଗହୋଇ ଖାଇଲୁ । ରାତି ସାରା ବହୁତ କଥା ଗପିଲୁ ଡେରି ରାତି ଯାଏଁ , ସେ ତାଙ୍କ ଗାଁ କଥା କହିଲେ ମୁଁ ମୋ ଗାଁ କଥା କହିଲି । ଶେଷରେ ସକାଳେ ନିତ୍ୟକର୍ମ ସାରି ସେ ପାଣିରେ ବତୁରାଇ ଥିବା ଦେଶୀ ଶୋଲା ଦିମୁଠା ଖାଇ କମ୍ପାନୀ ଆସିଲୁ ଏକା ସାଙ୍ଗରେ । ସେଦିନ ସଂଧ୍ୟାରେ ମୋତେ ଭଲକି ଚିହ୍ନେଇ ଦେଲେ ୭୮୪୪ ନମ୍ବର ଭଲସାଦ୍ ଯିବା ବସ୍ ଟି । ମୁଁ ସେଦିନ ଫେରିଲି ।

ହେଲେ ସେ ବନ୍ଧୁ ଙ୍କ ସାହାଯ୍ୟ ମୁଁ କେବେ ବି ଭୁଲିନି କି ଭୁଲି ପାରିବିନି କେବେ ।

ସତରେ ଏମିତି ବହୁତ ସହୃଦୟ ବ୍ୟକ୍ତି ଥାଆନ୍ତି ଯୋଉ ମାନେ ନିଜର ଅସୁବିଧା ସମୟରେ ଏମିତି ଅଚାନକ ସାହାଯ୍ୟ ସହଯୋଗ କରି ମନରେ ଛାପ ଛାଡ଼ି ଦିଅନ୍ତି ସବୁଦିନ ପାଇଁ । ଆମର କେହି ନହୋଇ ବି ବହୁତ କିଛି ହୋଇଯାଆନ୍ତି ସେ ।




Rate this content
Log in

Similar oriya story from Inspirational