Kulamani Sarangi

Inspirational

3  

Kulamani Sarangi

Inspirational

ବନବାସ

ବନବାସ

5 mins
485



ପ୍ରଣବ ବାବୁଙ୍କ ଆହତ ଅହଂକାର ବହୁତ୍ ପୁରୁଣା। ସେ ଆହତ ଅହଂକାରକୁ ବିଗତ ବାର ବର୍ଷ ଭିତରେ ଏଯାବତ୍ କେହି ଆରୋଗ୍ୟ କରି ପାରି ନାହାନ୍ତି... ନିଜର ଦୁଇ ଅଲିଅଳ କନ୍ୟା ମଧ୍ୟ ପାରିନାହାନ୍ତି।


ପୁରୁଷ ପଣିଆର ମିଛ ଶ୍ରେଷ୍ଠତ୍ବକୁ ଛାତି ଭିତରେ ଯାବୁଡି ଧରି ସ୍ତ୍ରୀ ଉପରେ ସ୍ବାମୀ ପଣିଆ ଜାହିର୍ କରିବା ସମ୍ବନ୍ଧୀୟ ଥିଲା ସେ ଅହଂକାର। ସ୍ତ୍ରୀ ଅନୁପମାଙ୍କ ସହିତ ଦୀର୍ଘ ବାର ବର୍ଷ ଧରି ଏଭଳି ମନୋମାଳିନ୍ୟ ଘଟିଲା ଯେ ଗୋଟିଏ ଘର ଭିତରେ ଥାଇ ମଧ୍ୟ ଦୁଇଜଣଙ୍କ ଭିତରେ କଥାବାର୍ତ୍ତା ନଥିଲା।ତଳ ଘରେ ରହୁଥିଲେ ଅନୁପମା ଏବଂ ଉପର ମହଲାରେ ପ୍ରଣବ।ଦୁଇ ଝିଅ ରୁମା,ଝୁମାଙ୍କୁ ମଧ୍ୟ ସେ ବାଣ୍ଟି ଦେଇଥିଲେ ଦୁଇ ଜଣଙ୍କ ଭିତରେ...ରୁମା ରହୁଥିଲା ଡାଡିଙ୍କ ସହିତ ଏବଂ ଝୁମା ମାମା ସହିତ।


ପ୍ରଣବ-ପରିବାରର ଏହି ଭୟଙ୍କର ଶୀତଳ ଯୁଦ୍ଧର ଆଭାସ ସାଇ ପଡିଶା ପାଇ ନଥିଲେ ବୋଲି ନାହିଁ, କିନ୍ତୁ ପରଘର କଥାରେ କିଏ କାହିଁକି ମୁଣ୍ଡ ଖେଳେଇଵ?କିଛି ବନ୍ଧୁ ବାନ୍ଧବ ଯୁଦ୍ଧ ବିରତି ପାଇଁ ବିଫଳ ପ୍ରୟାସ କରି;ବିଶେଷ କରି ପ୍ରଣବ ବାବୁଙ୍କ ଠାରୁ ଅପମାନିତ ହେବା ପରେ ଆଉ ଚେଷ୍ଟା କରି ନାହାଁନ୍ତି।


ପ୍ରଣବ ବାବୁ ପ୍ରେମ ବିବାହ କରିଥିଲେ। ବିବାହ ସମୟରେ ଏକ ବୈଷମ୍ୟ ରହିଯାଇଥିଲା...ପ୍ରଣବ ବିଏ ପାଶ୍ କରି ସେକ୍ରେଟେରିଏଟରେ କିରାଣି ଥିଲେ, କିନ୍ତୁ ଅନୁପମା ଥିଲେ ଏମ୍ ଏ ପାଶ୍ କରି କଲେଜରେ ଅଧ୍ୟାପିକା ।ପ୍ରେମ ଅନ୍ଧ... କନ୍ୟାପିତାଙ୍କର ଅସମ୍ମତି ସତ୍ବେ ମନ୍ଦିରରେ ବିବାହ କରିଥିଲେ ସେ ଦୁହେଁ। 


ଦାମ୍ପତ୍ୟର କଳ କଳ ଛଳ ଛଳ ପ୍ରୀତି ଝରଣାରେ ପ୍ରଥମ କିଛିବର୍ଷ ଅବଗାହନ କରିବା ସମୟରେ ଏହି ବୈଷମ୍ୟ କିଛି ସମସ୍ୟା ସୃଷ୍ଟି କରୁନଥିଲା।


 କିନ୍ତୁ ସମୟ କ୍ରମେ ପ୍ରଣବଙ୍କ ମନଭିତରେ ଅଜ୍ଞାତରେ ଏକ ନ୍ୟୂନଭାବ କିପରି ବସା ବାନ୍ଧି ନେଲା,ସେ ନିଜେ ବି ଜାଣି ପାରି ନଥିଲେ। ସେ କମ୍ପେକ୍ସକୁ ଲୁଚାଇବା ପାଇଁ ଅନୁପମାଙ୍କ ଉପରେ ସବୁବେଳେ ସ୍ବାମୀତ୍ବ ଜାହିର୍ କରିବା ଆରମ୍ଭ କରିଦେଲେ ସେ। ସଂସାର ଚଳାଇବା ସହଜ କାମ ନୁହେଁ।କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କର ପ୍ରେମ-ସିକ୍ତ ଅନୁବନ୍ଧନରେ ସଂସାର ବୋଝ ଫୁଲ ପରି ହାଲୁକା ଲାଗେ।


   ସକାଳୁ ଉଠି ଚା' କରିବା ଠାରୁ ଆରମ୍ଭକରି ଜଳଖିଆ ତିଆରି , ରୋଷେଇ ,ଲୁଗାପଟା ସଫା ,ବଗିଚା କାମ , ହାଟ ବଜାର ଇତ୍ୟାଦି ସବୁ କରିବା ସହିତ କଲେଜରେ ଅଧ୍ୟାପନା କରି ଦିନ ଶେଷରେ ସମ୍ପୂର୍ଣ୍ଣ ଅନ୍ତସାର ଶୂନ୍ୟ ହୋଇ ଯାଉଥିଲେ ଅନୁପମା। ତଥାପି ନିଜେ ପିଇଥିବା ଚା କପ୍'ଟି ମଧ୍ୟ ଉଠେଇ ନେଇ ସିଙ୍କ୍ ପାଖରେ ରଖୁ ନଥିଲେ ପ୍ରଣବ। ସବୁଦିନ ଅଫିସ ଯିବା ପୂର୍ବରୁ ପ୍ୟାଣ୍ଟ୍ ସାର୍ଟ ଆଇରନ୍ କରି ତାଙ୍କ ହାତକୁ ଅନୁପମା ଦିଅନ୍ତୁ ବୋଲି ସେ ଆଶା କରୁଥିଲେ। ଅନୁପମା କରୁଥିଲେ ମଧ୍ୟ।ସ୍ବାମୀଙ୍କୁ ପ୍ରାଣଭରି ଭଲ ପାଉଥିଲେ ଅନୁପମା।ତେଣୁ ପ୍ରଣବଙ୍କର ଏ ମନୋବୃତ୍ତି ତାଙ୍କୁ ପିଲାଳିଆ ଅଳସୁଆମୀ ଭଳି ଲାଗୁଥିଲା। କିନ୍ତୁ ସମୟକ୍ରମେ ସେ ଅନୁଭବ କଲେ ଯେ ପ୍ରଣବ ସ୍ବାମୀତ୍ବର ଅଧିକାର ଜାହିର କରୁଛନ୍ତି;ସେତେବେଳେ ଏସବୁ ତାଙ୍କ ମନରେ ଅସୀମ ବ୍ୟଥା ଆଣିଦେଲା।


ଏହି କମ୍ପ୍ଲେକ୍ସ୍ ପ୍ରଣବଙ୍କୁ ବିଶେଷ ଭାବରେ ବ୍ୟତିବ୍ୟସ୍ତ କରୁଥିଲା ଯେତେବେଳେ ସେ ଅନୁପମାଙ୍କ ସହିତ କୌଣସି ପାର୍ଟିରେ ଯୋଗ ଦେବାପାଇଁ ଯାଉଥିଲେ।ଅନୁପମା ଯେତେବେଳେ ପ୍ରଣବଙ୍କୁ ତାଙ୍କ ଅଧ୍ୟାପିକା ବା ଅଧ୍ୟାପକ ବନ୍ଧୁ ମାନଙ୍କ ସହିତ ପରିଚୟ କରାଉଥିଲେ, ସେତେବେଳେ ନଜାଣିଥିବା କିଛି ବ୍ୟକ୍ତି ପଚାରୁଥିଲେ....ସାର୍ କଣ କରନ୍ତି?

ଅନୁପମା ନିର୍ଲିପ୍ତ ଭାବରେ କହୁଥିଲେ...ସେକ୍ରେଟେରିଏଟରେ ଆସିଷ୍ଟାଣ୍ଟ ଅଛନ୍ତି।


ସେତେବେଳେ ପ୍ରଣବଙ୍କ ମୁହଁ ଲାଲ୍ ପଡ଼ିଯାଉଥିଲା,କାନମୁଣ୍ଡ ଭାଁ ଭାଁ ହୋଇ ଯାଉଥିଲା।କିଭଳି ଶୀଘ୍ର ସେ ପାର୍ଟିରୁ ପଳାଇ ଆସିବେ ସେହି ଚିନ୍ତାରେ ସେ ରହୁଥିଲେ ।


ଅନୁପମାଙ୍କର ଯେଉଁ ଦିନ ରିଡର୍ ପୋଷ୍ଟକୁ ପ୍ରମୋଶନ ମିଳିଲା, ସେଦିନ ପ୍ରଣବଙ୍କ ମନକୁ ଏକ ଅବ୍ୟକ୍ତ-ଅନାହୂତ ଈର୍ଷାଭାବ ଯାବୁଡି ଧରିଲା।ଖୁସିରେ ପ୍ରଗଲ୍ଭା ଅନୁପମା, ଘରେ ପହଞ୍ଚି, ସ୍ବାମୀଙ୍କୁ ପ୍ରମୋଶନ ସମ୍ବାଦ ଦେଇ ତାଙ୍କୁ ଯାବୁଡି ଧରିଲେ । ଖୁସି ହେବା ପରିବର୍ତ୍ତେ ପ୍ରଣବ ବିରକ୍ତରେ ପାଟି କରି କହିଥିଲେ... ଆରେ ଛାଡମ,... କାହିଁକି ଏମିତି ହଉଚ?

ସେ ଦିନ ପତିଦେବଙ୍କ ମନ ଭିତରେ ଲୁଚି ରହିଥିବା ଈର୍ଷାର ସମ୍ପୂର୍ଣ୍ଣ ଆଭାସ ପାଇଥିଲେ ଅନୁପମା।ତାଙ୍କୁ ଲାଗିଥିଲା ଯେପରି ପ୍ରମୋଶନ ସମ୍ବାଦ କଣ୍ଟା ରୂପ ନେଇ ତାଙ୍କ ଆଲିଙ୍ଗନ ଜରିଆରେ ପ୍ରଣବଙ୍କୁ କ୍ଷତ ବିକ୍ଷତ କରିଦେଲା।  


ରୁମା ଓ ଝୁମା ସଂସାରକୁ ଆସିବା ପରେ ଘର କାମ ବଳେଇ ପଡିଲା। ସାନ ଝିଅ ଝୁମା କୋଳକୁ ଆସିବା ପରେ ଘରେ ଗୋଟିଏ ଧାଈ ରଖିବାକୁ ଠିକ୍ କଲେ ଅନୁପମା।ପ୍ରଣବ ଧାଈ ରଖିବା ସପକ୍ଷରେ ନଥିଲେ। କହିଥିଲେ... ବର୍ତ୍ତମାନ ତମର ଚାକିରି ଛାଡ଼ିବା ସମୟ ଆସିଯାଇଛି ଅନୁ।ଧାଈ ହାତରେ ପିଲାଙ୍କ ଲାଳନ ପାଳନ ଠିକ୍ ହେବନାହିଁ।ତେଣୁ ତମେ ଚାକିରି ଛାଡ଼ି ପିଲାଙ୍କ କେୟାର ନିଅ।


ଭୀଷଣ ରାଗିଯାଇଥିଲେ ଅନୁପମା। କହିଥିଲେ... କାହିଁକି,ତମେ ଚାକିରି ଛାଡ଼ି ଦଉନ...ପିଲା ଦି'ଟା କଣ କେବଳ ମୋର କି?

ମୁଁ ଚାକିରି ଛାଡ଼ି ଦେଲେ ତମ ଘର ସଂସାର ଚଳିବ କେମିତି?ପିଲା ମାନଙ୍କର ଲାଳନ ପାଳନ ପଢ଼ାପଢ଼ି ଭଲ ମନ୍ଦ କଣ ଖାଲି ତୁମରି ଦରମାରେ ମେଣ୍ଟି ପାରିବ?


ପ୍ରଣବ ମଧ୍ୟ ଛାଡିଲେ ନାହିଁ, କହିଲେ....ମୋ ରୋଜଗାର ଯଦି ନିଅଣ୍ଟି ହେଉଛି, ତମେ ଗୋଟେ ଆଇ ଏ ଏସ କୁ ବାହା ହେଲନି... କିରାଣି କୁ କାହିଁକି ବାହା ହଉଥିଲ?

ଅନୁପମା ମଧ୍ୟ ଶୁଣେଇ ଦେଲେ...ସେତେବେଳେ ମୋ ଭଲ ପାଇବାଟା ହଜାର IAS ଠାରୁ ଉଚ୍ଚରେ ଥିଲା,କିନ୍ତୁ ସେତେବେଳେ ଯେଉଁ ପ୍ରଣବକୁ ମୁଁ ବାହା ହେଇଥିଲି ସେ ତୁମେ ନୁହଁ।ଅନେକ ଦିନ ହେଲା ମୁଁ ତମର ଈର୍ଷା ଭାବ ଲକ୍ଷ କରୁଚି..ତମେ ମୋର ଉନ୍ନତିରେ ଖୁସି ନୁହଁ।ତମେ ଚାହୁଁଛ ମୁଁ ଚାକିରି ଛାଡ଼ି ଘରେ ବସି ପିଲା ଖେଳେଇବି ଆଉ ତୁମ ହାତ ଟେକାକୁ ଚାହିଁ ବସିଥିବି...ତାହା କଦାପି ହୋଇ ପାରିବ ନାହିଁ।

ତମେ ଯଦି ମୋ ପୋଷ୍ଟରେ ଥାଆନ୍ତ ଏବଂ ମୁଁ ତମ ସ୍ଥାନରେ ତାହେଲେ ମୁଁ ତୁମ ପାଇଁ ଗର୍ବରେ ଫାଟି ପଡୁଥାନ୍ତି,ତୁମ ଭଳି ଅହଂକାରର ବଶବର୍ତ୍ତୀ ହୋଇ ଈର୍ଷା କରୁନଥାନ୍ତି।ଏହା ହିଁ ହେଉଛି ନାରୀ ଏବଂ ପୁରୁଷର ମନସ୍ତତ୍ତ୍ୱ ଭିତରେ ପ୍ରଭେଦ।


ସେ ଦିନର ବାକ୍ୟ ଯୁଦ୍ଧ ପ୍ରବଳ ମନୋମାଳିନ୍ୟ ରେ ପରିଣତ ହେଲା।ତା ପରଠାରୁ ସ୍ବାମୀ ସ୍ତ୍ରୀ ଙ୍କ ଭିତରେ କଥାବାର୍ତ୍ତା ବନ୍ଦ..ପ୍ରଣବ ଉପର ଘରେ ବଡ଼ ଝିଅ ସହିତ ଅଲଗା ରୋଷେଇ କରି ଖାଆନ୍ତି।ତଳଘରେ ଅନୁପମା ସାନ ଝିଅ ଝୁମା ସହିତ ଅଲଗା ରୋଷେଇ କରନ୍ତି।ଖାଇବା ସମୟରେ ଦୁଇ ଝିଅ କିନ୍ତୁ ଯେ ଯାହାର ଥାଳି ଧରି ତଳଘରେ ଡାଇନିଂ ଟେବୁଲ ରେ ବସି ଖାଆନ୍ତି।


ସମୟ କାହାକୁ ଅପେକ୍ଷା କରେ ?ଏ ଭିତରେ ବିତି ଗଲାଣି ବାର ବର୍ଷ। ଅନୁପମା ଏଭିତରେ ପ୍ରିନ୍ସପାଲ୍ ପୋଷ୍ଟକୁ ପ୍ରମୋଶନ ପାଇଛନ୍ତି।ଖୁସି ଖବର ସହିତ ମିଠା ନେଇ ଝୁମା ଯେତେବେଳେ ବାବାଙ୍କ ପାଖରେ ପହଞ୍ଚିଛି,ପ୍ରଣବ କୌଣସି ପ୍ରତିକ୍ରିୟା ଦେଖାଇ ନାହାନ୍ତି କି ମିଠା ମଧ୍ୟ ଗ୍ରହଣ କରି ନାହାଁନ୍ତି।


ଦୁଇ ଝିଅଙ୍କର ଦିଲ୍ଲୀରେ ପଢ଼ିବାର ସମୟ ଆସିଛି। ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ବାବା ମାମାଙ୍କୁ ତାଗିଦ୍ କରି କହିଛନ୍ତିି...ଦେଖ ଆମର ପାଠ ଶେଷ ହେବା ପୂର୍ବରୁ ତୁମେ ଦିଜଣ ଝଗଡ଼ା ଶେଷ କରିଦିଅ।ନହେଲେ କହିଦେଉଛୁ,ଆମେ ଆଉ ଫେରିବୁ ନାହିଁ।


ରୁମା ଝୁମା ଦିଲ୍ଲୀ ଚାଲିଗଲା ପରେ କିଭଳି ଏକ ଅଜ୍ଞାତ ଶୂନ୍ୟତା ଯାବୁଡି ଧରିଛି ପ୍ରଣବ ଏବଂ ଅନୁପମାଙ୍କୁ।ଚଢେଇ ଉଡିଗଲା ପରେ ଯେଉଁ ଶୂନ୍ୟତା ପଞ୍ଜୁରୀକୁ ଦେଖିଲେ ହୃଦୟଙ୍ଗମ କରିହୁଏ,ସେଭଳି ଯନ୍ତ୍ରଣା ଘରେ ପଶୁ ପଶୁ ଅନୁଭବ କରିଛନ୍ତି ଉଭୟେ। 

  

ପ୍ରଣବଙ୍କର ସେବା ନିବୃତ୍ତି ହୋଇଯାଇଛି। ଅନୁପମା ମଧ୍ୟ ସ୍ବେଚ୍ଛାକୃତ ସେବା ନିବୃତ୍ତି ନେଇଛନ୍ତି। ଗୋଟିଏ ଘରେ ରହୁଥିଲେ ମଧ୍ୟ ଘର ଭିତରେ ନିରବତାର ହାହାକାର... ଅନିଚ୍ଛାକୃତ ଏ ଶାନ୍ତି ଭିତରେ ଅଣନିଃଶ୍ବାସୀ ହେବା ଭଳି ଏକାନ୍ତଭାବ ଯୋଗୁଁ ଛାତି ରୁନ୍ଧି ହେବା ଭଳି ଅନୁଭବ କରୁଥିଲେ ଅନୁପମା। 


ପିଲାମାନେ ଥିବା ସମୟରେ ସବୁ ଠିକ୍ ଚଳିଯାଉଥିଲା।ଦୁଇ ଜଣଙ୍କ ଭିତରେ ସେତୁ ଭଳି କାମ କରୁଥିଲେ ସେମାନେ।ଏବେ ସେମାନଙ୍କର ଅନୁପସ୍ଥିତି ସହିତ ସେବା ନିବୃତ୍ତି ଜନିତ ଏକାକିତ୍ବ ବୋଝ ଭଳି ଲାଗିଛି ଉଭୟଙ୍କୁ। ଅନୁପମାଙ୍କର ବେଳେ ବେଳେ ନିଜ ଆଡୁ ପ୍ରଥମେ କଥା କହିବାକୁ ଇଚ୍ଛା ହେଲେ ମଧ୍ୟ ଏକ ଅବ୍ୟକ୍ତ ଅଭିମାନ ତାଙ୍କୁ ବିବଶ କରୁଥିଲା।


ପରିଣତ ବୟସରେ ସ୍ବାମୀ-ସ୍ତ୍ରୀଙ୍କର ସାନ୍ନିଧ୍ୟ ଆବଶ୍ୟକତା ଜନିତ ହେଲେ ମଧ୍ୟ ତା'ଭିତର ଏକ ଅକୁହା ଆନ୍ତରିକତା-ସିକ୍ତ ଭଲପାଇବା ଲୁଚି ରହିଥାଏ।ତାର ଅଭାବ ଅନୁଭବ କରୁଥିଲେ ଉଭୟେ।ଏ ବନବାସର ଅନ୍ତ କେବେ ହେବ, ଭାବୁଥିଲେ ଅନୁପମା।  


+++++++++ସକାଳୁ ବୁଢାଙ୍କୁ ବାଲକୋନିରେ ଦି'ଦିନ ହେଲା ଦେଖି ନାହାନ୍ତି ଅନୁପମା।କାଲି ରାତିରେ ଖୁଁ ଖୁଉଁ ଖାସ ଶୁଭୁଥିଲା।ଦେହ ପା କିଛି ଖରାପ ହେଲା କି? ଚିନ୍ତାରେ ପଡ଼ିଲେ ସେ। 


ସକାଳେ କାମବାଲୀ ଆସିବା ପରେ ଅନୁପମା କହିଲେ...ଟିକିଏ ଯାଇ ଦେଖିବୁ ସୋମବାରୀ,ବାବୁଙ୍କ ଦେହ ଠିକ୍ ଅଛି ନା ନାହିଁ।

ସୋମବାରୀ ଉପରକୁ ଯାଇ ଡାକିଲା...ମା ଧାଇଁ ଆସ...ବାବୁ ଖଟତଳେ ପଡ଼ି ଯାଇଛନ୍ତି,ଚେତା ନାହିଁ।


ଦେହରେ ବିଦ୍ୟୁତର ତରଙ୍ଗ ଖେଳିଗଲା ଅନୁପମାଙ୍କର।ଉପରକୁ ଧାଇଁ ଯାଇ ସୋମବାରୀର ସାହାଯ୍ୟ ନେଇ ପ୍ରଣବଙ୍କୁ ଶେଯରେ ଶୁଆଇ ଦେଲେ। ମୁହଁରେ ପାଣି ମାରିବା ପରେ ଚେତା ଆସିଲା ।


ଡାକ୍ତର ଆସି ପରୀକ୍ଷାକରି କଲେ..."ବ୍ଲଡ୍ ପ୍ରେସର ଟିକିଏ ଅଧିକ ଅଛି।ବ୍ୟସ୍ତ ହେବାର ନାହିଁ। ଔଷଧ ଦିଅନ୍ତୁ ଏବଂ ପାଖରେ ସବୁବେଳେ ରହନ୍ତୁ" କହି  କିଛି ଔଷଧ ଦେଇ ଚାଲିଗଲେ ଡାକ୍ତର।


ଚେତନା ପାଇ ଅନୁପମାଙ୍କୁ ପାଖରେ ପାଇଲେ ପ୍ରଣବ।ତାଙ୍କ ମୁଣ୍ଡକୁ କୋଳରେ ରଖି ଆଉଁସି ଦେଉଛନ୍ତି ଅନୁପମା।ଆଖିରେ ଆଖିଏ ଲୁହର ବନ୍ୟା। ଟୋପାଏ ଲୁହ ପ୍ରଣବଙ୍କ କପାଳରେ ପଡ଼ିଛି।ଲୁହ ଡବ ଡବ ଆଖିରେ କ୍ଷୀଣ କଣ୍ଠରେ ପ୍ରଣବ କହିଛନ୍ତି...ଅନୁ ! ତମେ ?... ମୁଁ ବହୁତ୍ ଭୁଲ୍ କରିଛି ଅନୁ।ମତେ କ୍ଷମା କରିଦିଅ।ମତେ ଛାଡ଼ି ତମେ କୁଆଡେ ଯାଅନି।  


ଅନୁପମାଙ୍କ ଆଖିରେ ଲୁହର ବନ୍ୟା ଥଳକୂଳ ମାନୁ ନଥିଲା........ବାହାରୁ କୁଆଡୁ ଏକ ପୁରୁଣା ହିନ୍ଦୀ ଗୀତର ସ୍ବର ଭାସି ଆସୁଥିଲା....ଓ ମେରେ ଦୋହୋରା ଜବୀ,ତୁଝେ ମାଲୁମ ନେହିଁ ,ତୁ ଅଭି ତକ ହୈ ‌ହସିନ୍ ଔର ମୈ ଜୱାଁ.......


Rate this content
Log in

Similar oriya story from Inspirational