ବିଶ୍ବାସ
ବିଶ୍ବାସ
ମାନିନୀ ଏକ ନିଃଶ୍ୱାସରେ ଆଗକୁ ଆଗକୁ ମାଡି ଚାଲିଛି । ଜାଣିନି ସେ କୁଆଡେ ଯିବ ? କାରଣ ଏତେ ବଡ ଦୁନିଆରେ ତ ତା'ର ନିଜର ବୋଲି କେହି ନାହିଁ । ଯାହାକୁ ନିଜର ବୋଲି ଭାବୁଥିଲା ସେ ତ ଆଜି ପ୍ରମାଣ କରିଦେଲେ ଯେ-ସେ ସେଥିଲାଗି ଯୋଗ୍ୟ ନୁହଁନ୍ତି ।
ପିଲାଟି ଦିନରୁ ମାଆ ବାପାଙ୍କୁ ହରେଇ ସାରିଥିଲା । ଆଈ ବୁଢୀ ପାଖରେ ରହୁଥିଲା । ସେଦିନ ବାବୁ ଗାଆଁକୁ ଆସିଥିଲେ ଜମିଜମା କାମ ଲାଗି । ମାନିନୀକୁ ଦେଖି ନିଜ ସାଥିରେ ନେବାକୁ ଜିଦ୍ କରିବାରୁ, ବହୁତ କଷ୍ଟରେ ଆଈବୁଢୀଟି ରାଜି ହେଇଥିଲା । ମାନିନୀ ଆସିବାର ବର୍ଷ ଗୋଟିଏ ଯାଇଛି କି ନାହିଁ, ସେ ବି ଆରପାରିକୁ ଚାଲିଗଲା ।
ସେହି ଦିନଠୁ ବାବୁ ଓ ବାବୁଆଣୀ ତା'ର ସବୁକିଛି । ମାନିନୀକୁ ସେମାନେ ଯେତିକି ଭଲ ପାଆନ୍ତି, ମାନିନୀ ମଧ୍ୟ ସେମାନଙ୍କୁ ସେତିକି ସମ୍ମାନ ଦିଏ । ଘରର ଯାବତୀୟ କାମ କରିବା ସହିତ, ବାବୁଆଣୀଙ୍କ ଡାହାଣ ହାତ ପାଲଟି ଯାଇଥିଲା ସେ ।
ସବୁକିଛି ସୁରୁଖୁରୁରେ ଚାଲିଥିଲା ।
ହେଲେ ଯେଉଁ ଦିନ ଠାରୁ ବାବୁଙ୍କ ମାଆଙ୍କୁ ଦେଖାଶୁଣା କରିବାକୁ ସେ କଲିକତି ସ୍ତ୍ରୀ ଲୋକଟି ଆସିଛି । ସେହିଦିନ ଠାରୁ ଘରର ମାହୋଲ ପୁରା ବଦଳି ଗଲାଣି ।
ଯେତେବେଳେ ଦେଖ ବାବୁଆଣୀଙ୍କ କାନ ପାଖେ ମନ୍ତ୍ର ଫୁଙ୍କିବାରେ ସେ ବ୍ୟସ୍ତ । ବାବୁଆଣୀଙ୍କ ବ୍ୟବହାର ବି ଧିରେ ଧିରେ ମାନିନୀ ପ୍ରତି ବଦଳିବାରେ ଲାଗିଲାଣି । ମାନିନୀ ଯଦିଓ ସେ ସବୁକୁ ଅନୁଭବ କରିପାରୁଥିଲା । ତଥାପି କିଛି କହିପାରୁନଥିଲା ।
ଦିନକର କଥା ମାନିନୀ ସବୁଦିନ ପରି ସକାଳୁ ଉଠି ନିଜର କାମଧନ୍ଦାରେ ବ୍ୟସ୍ତ ଥାଏ । ସେ ଦିନ ବାବୁ ଓ ବାବୁଆଣୀ କୌଣସି ଗୋଟେ କାମରେ ବାହାରକୁ ଯାଇଥାନ୍ତି । ସନ୍ଧ୍ୟାରେ ଯେତେବେଳେ ସେମାନେ ଘରକୁ ଫେରିଲେ ,ସେତେବେଳେ ସେ କଲିକତି ସ୍ତ୍ରୀ ଲୋକଟି ସାଙ୍ଗେ ସାଙ୍ଗେ ତାଙ୍କ ରୁମକୁ ପଶିଗଲା । ପ୍ରାୟ ଅଧଘଣ୍ଟା ପରେ ସେଠାରୁ ବାହାରିଲା ।
ସେ ବାହାରିବା ପରେ ପରେ ବାବୁଆଣୀ ମାନିନୀକୁ ଡାକିଲେ ଓ ତାକୁ ଦିନଯାକର କାମର ତାଲିକା ମାଗିଲେ । ମାନିନୀ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଚା କଲେବି ସେ ବୁଝିବାକୁ ନାରାଜ ଥିଲେ ଯେ ମାନିନୀ ଆଜି କାମ ନ କରି ବଜାରକୁ ବୁଲି ଓ ପଡିଶା ଘର ସହିତ ଗପସପ କରିବାରେ ସମୟଟି ବିତେଇ ଦେଇଛି । ଆଜି ଯଦି ସେ ସ୍ତ୍ରୀ ଲୋକଟି ନଥାଆନ୍ତା ତେବେ ତାଙ୍କ ଶାଶୁଙ୍କୁ ଠିକ ସମୟରେ ଔଷଧ ଓ ଖାଇବା ମଧ୍ୟ ଦିଆଯାଇ ପାରିନଥାନ୍ତା ।
ବାବୁଆଣୀଙ୍କ ମନକୁ ଯାହା ଆସିଲା ସେ ମାନିନୀକୁ ଶୁଣେଇ ଦେଇଗଲେ । ମାନିନୀ ନିରବ ହୋଇ ସବୁ ଶୁଣୁଥାଏ । ବାବୁଆଣୀ ସବୁ କହିସାରିବା ପରେ ମାନିନୀ କେବଳ ଏତିକି କହିଲା ଯେ- "ଠିକ୍ ଅଛି,ମୁଁ ଯଦି କିଛି କରୁନି, ତେବେ ମୋର ଏଇଠି ରହିବା କିଛି ଆବଶ୍ୟକ ନାହିଁ ।"ଏତିକି କହି ସେ ଚୁପଚାପ ଚାଲିଗଲା ।
ସେଦିନ ରାତିରେ ବି ସବୁ କାମ ଯଥାରୀତି ସାରିଦେଇ ମାନିନୀ ନିଜ ରୁମକୁ ଶୋଇବାକୁ ଗଲା । ହେଲେ ସେ ଯେତେବେଳେ ବି ଆଖି ବନ୍ଦ କରିବାକୁ ଚେଷ୍ଚା କରୁଥାଏ, ବାବୁଆଣୀଙ୍କ କଥା ସବୁ ତା' କାନରେ ବାରମ୍ବାର ଶୁଭୁଥାଏ । ସାରା ରାତି ସେ ଶୋଇ ପାରିଲାନି । ଶେଷରେ ଉଠି ଏଇ ଚରମ ନିଷ୍ପତ୍ତି ନେଇ, ଘରୁ ଗୋଡ କାଢି ସେ ବାହାରି ଆସିଛି । ହେଲେ ସେ ଏବେ ଯିବ କୁଆଡେ ? ? ?
ସକାଳୁ ସକାଳୁ ମାନିନୀକୁ ଘରେ ନ ପାଇ ବାବୁଆଣୀଙ୍କ ଅକଲ ଗୁଡୁମ୍ । କ'ଣ କରିବେ କିଛି ବୁଝିପାରୁ ନଥାନ୍ତି । ସେପଟେ ସେ ସ୍ତ୍ରୀ ଲୋକଟି ବାବୁଆଣୀଙ୍କୁ ବାରମ୍ବାର ବିଶ୍ୱାସ ଦେଇ କହିଚାଲିଥିଲା ଯେ-"ସେ ଗଲା ତ ଯାଉ,ମୁଁ ଅଛି ପରା!ସବୁ ସମ୍ଭାଳି ନେବି ଯେ । "
ଏତିକି ବେଳକୁ ତାଙ୍କ ଶାଶୁଙ୍କ ଦେହ ଅଚାନକ ଖରାପ ହେଇଗଲା । ତେଣୁ ତାଙ୍କୁ ଶିଘ୍ର ଡାକ୍ତରଖାନା ନେବାକୁ ପଡିଲା । ହେଲେ ସେଇଠି ପହଞ୍ଚିବା ଆଗରୁ ହିଁ, ସେ ଦେହତ୍ୟାଗ କରିଦେଲେ । ସେ ଯାହାହଉ ଯେମିତି ସେମିତିରେ ତାଙ୍କ କାମଘରଟି ସରିଗଲା ।
ଏଥର ସ୍ତ୍ରୀ ଲୋକଟି ତା'ର ଅସଲ ରୂପ ଦେଖାଇଲା ସେ କହିଲା ଯେ-"ମୁଁ ତ ଯାହାଲାଗି ଆସିଥିଲି,ସେ ତ ଚାଲିଗଲେ । ମୁଁ ବି ଭାବୁଛି ମୁଁ ମୋ ଘରକୁ ଫେରିଯିବି । "ଏଥର ବାବୁଆଣୀଙ୍କ ମୁଣ୍ଡରେ ଚଡକ ପଡିଲା । ମାନିନୀ ତ କୁଆଡେ ଗଲା ଯେ ତା'ର ଖୋଜଖବର ନାହିଁ । ଇଏ ବି ପଳେଇବ କହୁଛି । ସେ କ'ଣ କରିବେ କିଛି ଭାବିପାରୁନଥାନ୍ତି ।
ତା ପର ଦିନ ସେ ସ୍ତ୍ରୀଲୋକଟି ତା ଘରକୁ ଚାଲିଗଲା । ବାବୁ ଓ ବାବୁଆଣୀ ଦୁହେଁ ମନ ଦୁଃଖରେ ବସିଥାଆନ୍ତି । କୋଉଠୁ ପୁଣି ମାନିନୀ ପରି ଝିଅଟିଏ ଆଣିବେ, ସେଇଆ ଭାବୁଥାଆନ୍ତି । ଏଇ ଚାଲାକି ସ୍ତ୍ରୀ ଲୋକଟିର କଥାରେ ପଡି, ମାନିନୀକୁ ଯାହା ତାହା କହି ବାହାର କରିଦେଲେ, ହେଲେ ଏବେ ସେ ସ୍ତ୍ରୀ ଲୋକଟି ନିଜ କାମ ହାସଲ ପରେ ଧୋଇଧାଇ ହେଇ ଚାଲିଗଲା ।
ଠିକ ଏତିକି ବେଳକୁ କଲିଂବେଲଟି ବାଜି ଉଠିଲା । ବାବୁ ଯାଇ କବାଟ ଖୋଲିଲେ । ସାଙ୍ଗେସାଙ୍ଗେ ଡାକ ପକେଇଲେ-"ହେଇଟି ଦେଖ ,କିଏ ଆସିଛି ?"
ଆମ ମାନିନୀ ଫେରି ଆସିଛି । ତାଙ୍କ ଖୁସି ତାଙ୍କ ଆଖିରୁ ସ୍ପଷ୍ଟ ବାରି ହେଇପଡୁଥିଲା । ବାବୁଆଣୀ ଦୌଡି ଆସି ମାନିନୀକୁ କୋଳେଇ ନେଲେ ଓ କହିଲେ-"ମତେ କ୍ଷମା କରିଦେବୁ ମାନିନୀ ,ମୁଁ ସେ ସ୍ତ୍ରୀ ଲୋକଟି କଥାରେ ପଡି ତତେ ଅବିଶ୍ୱାସ କଲି ।"
ମାନିନୀ ନିଜ ଆଖିରୁ ଲୁହ ପୋଛି କହିଲା-"ମାଆ କିଏ କହିଲା ଆପଣ ମତେ ଅବିଶ୍ୱାସ କଲେ ବୋଲି,ଆପଣଙ୍କର ସେଇ ବିଶ୍ୱାସ ତ ମତେ ଆଜି ପୁଣି ଟାଣିଆଣିଛି ।"
ମାନିନୀ,ବାବୁ ଓ ବାବୁଆଣୀ ସମସ୍ତେ ଖୁସି ହେଇ ଘର ଭିତରକୁ ଚାଲିଲେ ।
ସତରେ ନା... ବେଳେବେଳେ ତୃତୀୟ ଲୋକର ମନ୍ତ୍ରଣା ଲାଗି ବର୍ଷବର୍ଷର ବିଶ୍ୱାସ ଭାଙ୍ଗିଯିବାକୁ ବେଶୀ ସମୟ ଲାଗେନି । ହେଲେ ଆମକୁ ଏମିତି ସମୟରେ ବୁଦ୍ଧିର ସହିତ କାମ ନେବା ଉଚିତ୍ । କାରଣ, ସବୁବେଳେ ସବୁ ମାନିନୀ ଫେରି ଆସନ୍ତି ନାହିଁ ।
