Satyabati Swain

Inspirational

4.5  

Satyabati Swain

Inspirational

ବାପା

ବାପା

6 mins
502



ସମସ୍ତେ ଜାଣିଥିଲେ ଇତୁ ନାନୀ ଗୋଟେ ବାଜେ ଝିଅ।

ବାଜେ ଝିଅ ଏଇଥିପାଇଁ ଯେ ସେ କାଳେ ଘରେ ଟୋକା ବୁଢା ଯାହାକୁ ବି ହେଉ ପୁରାଇ ହସ ପଉରଷ ହୁଏ।ଏଇ ଧନ୍ଦା କରି ବାପ ଝିଅ ଓ ଭାଇ ଦିଟା ଚଳନ୍ତି ବୋଲି ଲୋକଙ୍କ ଧାରଣା।ବାପଟି ଘୋଡା ମଦୁଆ ସାଙ୍ଗକୁ ଲମ୍ପଟ।ଭାଇ ଦିଟା ବଣ ବିଛୁଆତି।

କିନ୍ତୁ ଇତୁ ନାନୀ ! ସ୍ୱର୍ଗର ଅପ୍ସରୀ ଟିଏ। ଘଡିଏ ଚାହିଁଲା ଭଳି ଚେହେରା। କଥା ଗୁଡା ମିଠା ମିଠା ବୋଲି ଖୁବ୍ କମ୍ ଖର୍ଚ୍ଚ କରେ। ସରଳ ମୁହଁ। ଆଖିର ମାୟା ଭେଣ୍ଡାକୁ ମେଣ୍ଢା କରିବାକୁ ଯଥେଷ୍ଟ। ପ୍ଲସ ଟୁ ପାସ୍ କରି ଟିଉସନ୍ କରୁଛି। ତାର ଇଂଲିଶି ହେଉ କି ଓଡ଼ିଆ ଅକ୍ଷର ଗୁଡା ଭାରି ସୁନ୍ଦର।ପେନ୍ସିଲ ଆର୍ଟ ଚମତ୍କାର କରେ । ବାହା ବୟସ ହେଲେ ବି ଅର୍ଥ ଅଭାବରୁ ହେଉ ଅବା ଅନ୍ୟ କେଉଁ କାରଣରୁ ବାହା ହୋଇ ପାରୁନାହିଁ।

ଲୋକେ କୁହନ୍ତି ସେ ବାହା ହୋଇ ଗଲେ ମଦୁଆ ପୁଣି ଚରିତ୍ରହିଁନ ବାପ ଓ ଛତରା ଭାଇ ଦିଟା ଖାଇବା ବିନା ମରି ଯିବେ ଯେ। ତାରି ରୋଜଗାରରେ ଚଳୁଛନ୍ତି ପରା। ତା'ଛଡା ହଜାରେ ଜାଗାରେ ଯିଏ ମୁହଁ ମାରିଲାଣି ସେ ଗୋଟେ ଜାଗାରେ ବନ୍ଧା ପଡିବାକୁ ପସନ୍ଦ କରିବା କି। ଶିଶିବାବୁ ଯାହାର ସ୍ତ୍ରୀ ମରି ଯାଇଛି ଓ ଯିଏ ତିନୋଟି ପିଲାର ବାପା ଇତୁ କୁ ଦ୍ୱିତୀୟ ସ୍ତ୍ରୀ କରିବାକୁ କହିଲା ଯେ ଘୋଡ଼ା ମୁହିଁ ବଜାରୁଣୀ ଝିଅଟି

ମୁହେଁ ମୁହେଁ ମନା କରିଦେଲା ବୁଢା ପୁଣି ତିନିଟା ପିଲାଙ୍କ ର ବାପାକୁ ବାହା ହେବା ଅପେକ୍ଷା ଆତ୍ମ ହତ୍ୟା କରିଦେବା ଭଲ।କି ସାଙ୍ଘାତିକ ଝିଅ ରେ ବାବା!!

ଲୋକେ କଣ କହୁଛନ୍ତି, କଣ ଭାବୁଛନ୍ତି ସେ କଥାରେ ଇତୁ ନାନୀର ପରବାୟ ନଥାଏ।

ଇତୁ ନାନୀ ଘର ଗାଁ ଶେଷକୁ।ସେ ମୋ ଉପର ନାନୀ ସାଙ୍ଗ । ମୁଁ ଛୁଟିରେ ଗାଁ କୁ ଆସିଲେ ଯେବେ ଗାଁ ସେ ମୁଣ୍ଡକୁ ଯାଏ ଇତୁ ନାନୀ ଘରକୁ ଯାଏ । ଯେତେ ବେଳେ ଯାଇଛି କେହି ନା କେହି ତା ପାଖରେ ଥିବେ। ମୋର ଲୋକଙ୍କ କଥା ସତ ବୋଲି ସେମାନଙ୍କୁ ଦେଖି ଅନୁଭଵ ହୁଏ।ଇତୁ ନାନୀ ପାଖକୁ କିନ୍ତୁ ବାର ବାର ଯିବା ଦ୍ୱାରା ଏ କଥା ଭୁଲ୍ ବୋଲି ମୁଁ ଜାଣି ପାରିଲି।

କିଏ ଇତୁ ନାନୀ ପାଖକୁ ଚିତ୍ର କି ଦରଖାସ୍ତ କିବା ସୁନ୍ଦର ଅକ୍ଷର ରେ କିଛି ଲେଖିବାକୁ ଆସନ୍ତି। ଇତୁ ନାନୀ ଫୋନ୍ ଅପରେଟିଂ ରେ ବି ମାହିର। ବେଶୀ ଇଙ୍ଗିଲିଶ ମିଡ଼ିୟମ ପିଲାଙ୍କର ବାପା ମା ସେମାନଙ୍କ ପିଲାଙ୍କ ପ୍ରୋଜେକ୍ଟ କିମ୍ବା ଚିତ୍ର ପାଇଁ ତା ପାଖକୁ ଆସନ୍ତି । ବିଭିନ୍ନ ଆପ୍ ରୁ ଉତ୍କୃଷ୍ଟ ଚିତ୍ର ସହ କଥା ଆଣି ଅତି ଚମତ୍କାର ଭିଡିଓ ବନାଇ ପାରେ ଇତୁ ନାନୀ।ଏଣୁ କି ରାତି କି ଦିନ ତା ପାଖେ ଏସବୁ କାରଣରୁ କେହି ଥାଆନ୍ତି।

ଲୋକେ ଏଇ କଥାକୁ ସଜ ମାଛରେ ପୋକ ପକାଇଲା ପରି କଥା କୁହନ୍ତି ଯେ ଇତୁ ନାନୀ ଖରାପ କାମ କରେ ପୁଅ ମାନଙ୍କୁ ପୁରାଇ। ଅବଶ୍ୟ ସତ୍ୟ କଣ ସମସ୍ତେ ଜାଣିଥିବେ ହେଲେ ଦେଖି ସହି ନ ପାରି ପ୍ରକୃତ କଥା ନ ଜାଣି ଇତୁ ନାନୀ ନାଁ ରେ ଏଣୁ ତେଣୁ ଗପନ୍ତି। ବଦନାମ କରନ୍ତି।

ଇତୁ ନାନୀକୁ ଥରେ କହିଲି, ତୁମକୁ ଲୋକେ ବାର କଥା କହୁ ଛନ୍ତି ଖରାପ ଲାଗୁନି ! ତୁମେ ତ ତାଙ୍କରି ପାଇଁ କାମ କରୁଛ, ଅଥଚ ସେଇ ଲୋକେ ତୁମକୁ ଅପଦୁଆ ଦେଉଛନ୍ତି !

ଦିଅନ୍ତୁ ମୋ ଦେହ କଣ ଘୋରି ହୋଇ ଯାଉଛି? କେତେ ସହଜରେ ଇତୁ ନାନୀ ଏକଥା କହିଲେ ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଆଉ ଦିନେ କହଲି ତୁମେ ବାହା ହେଉନ କାହିଁକି ଇତୁନାନୀ ?

ବହୁତ କମ୍ କଥା କହୁଥିବା ଇତୁ ନାନୀ ଖିଲି ଖିଲି ହସି କହିଲା, ବାହା ହେବା ପାଇଁ ବରଟିଏ ଦରକାର ନା । କିଏ ମିଳିଲେ ତ ବାହା ହେବି !

ତୁମେ ଏତେ ସୁନ୍ଦର ପୁଣି କେତେ ଭଲ କଥା ତୁମକୁ ଆସେ। ଯେ କେହି ବି ତୁମକୁ ବାହା ହୋଇ ପାରେ।

ଯେ କେ ହି ବି !

ହଁ ଯେ କେହି ବି।

ତୁ ବାହା ହୋଇ ପାରିବୁ ମୋତେ ସୁନୁ !

ମୁଁ ଏପରି କଥା ଆଶା କରି ନଥିଲି। ହଡ଼ ବଡେଇ ଗଲି।ଲାଜ ବି ଲାଗିଲା। ଏ ଇତୁ ନାନୀ ନା ବଡ଼ ଦୁଷ୍ଟ ପିଲା।

ମୋ ଚୁପ୍ ହେବା ଦେଖି ଇତୁ ନାନୀ ଆହୁରି ଜୋରରେ ହସି କହିଲା, ଆରେ ବୋକା ମୁଁ ଜୋକ୍ କଲି। ତଥାପି ଦେଖିଲୁ ତ ମୋ କଥା ଶୁଣି କେମିତି ଚୁପ୍ ହୋଇ ଗଲୁ ? ମୁଁ ଗରିବ ଘରର ଝିଅରେ ସୁନୁ। ମୋ ବାପା ଓ ମୋ ସାନ ଭାଇ ଦିଟା ମୋରି ରୋଜଗାରରେ ଚଳୁଛନ୍ତି ବୋଲି ମୋ ବାହା ଘର ନାଁ ଧରନ୍ତିନି। କହୁନୁ କେମିତି ବାହା ହେବି?

ଇତୁ ନାନୀଙ୍କ କଥା " ତୁ ମତେ ବାହା ହୋଇ ପାରିବୁ ସୁନୁ" ବାରମ୍ବାର ମୋ କାନରେ ଶୁଭିଲା। ଆଠ ପନ୍ଦର ଦିନ ଏଇ ଗୋଟିଏ ବାକ୍ୟ ଛଡା ଆଉ କୌଣସି ଶବ୍ଦ ମୋ କାନରେ ପଡିଲା ନାହିଁ। ମୁଁ କେବଳ ଭାବିଲି ଆଉ ଭାବିଲି। ସିଦ୍ଧାନ୍ତରେ ପହଞ୍ଚି ନ ପାରି ବହୁ ହଇରାଣ ହେଲି।

ଏହା ଭିତରେ ମୋର ପଢା ସରି ଗଲା ଓ ମିଳିଗଲା ଚାକିରି ଟିଏ । ଘର ଲୋକେ ମୋ ବାହା ଘର ପାଇଁ ଲାଗି ପଡିଲେ। ଯେତେ ଝିଅ ମୋତେ ଦେଖଇଲେ କେହି ମୋର ପସନ୍ଦ ହେଲେନି । ଶେଷରେ ସମସ୍ତେ ଚିଡି କହିଲେ, ତୁ ଯଦି କାହାକୁ ପସନ୍ଦ କରିଛୁ କହୁନୁ ! ଏତେ ଛୋପାର ଦେଖଉଛୁ କଣ ?

ହଠାତ୍ ମୋ ପା ଟିରୁ ବାହାରି ପଡ଼ିଲା " ଇତୁ ନାନୀ"।

ଗଲା ମହାଭାରତ ହେଲା ଆମ ଘରେ। କି ଛି ଛାକର କଲେ ମୋତେ ! ହଇରେ ତୋତେ କେହି ମିଳିଲେନି ଶେଷକୁ ଦର ବୁଢ଼ୀ ଯିଏ ତୋ ନାନୀ ବୟସର ତାକୁ ରସିଲୁ ? ଟୋକାଙ୍କୁ ପୁରେଇ ରାସଲୀଳା ଚଳଉଛି ସେ। ସେ ଡାହାଣୀ ଟା ତୋତେ ସୁନ୍ଦରିଆ ଚାକିରିଆ ଦେଖି ପାଲରେ ପକାଇ ଦେଲା । ଆଉ ତୁ ବୋକାଙ୍କ ପରି ତା ଜାଲରେ ଧରା ଦେଲୁ !

ଆମେ ବୁଝିପାରୁ ନଥିଲୁ ଘରକୁ ଆସି ଗୋଡ଼ ଦେଉ ନ ଦେଉଣୁ ଗାଁ ଶେଷ ମୁଣ୍ଡକୁ ଯିବାକୁ କାହିଁକି ବାଉଳା ହୋଇ ଯାଉ ! ସୁନୁ ତୋ ମୁଣ୍ଡ ଖରାପ ହୋଇ ଯାଇଛି। ନ'ଲେ ଗୋଟେ ବାଜେ ଝିଅ ଯିଏ ତୋ ଠାରୁ ବଡ଼ ତାକୁ ଭଲ ପାଉଛୁ ? କେତେ ସୁନ୍ଦର ପ୍ରସ୍ତାବ ତୋ ପାଖେ ଲାଇନ୍ ଲାଗିଛି, ଅଥଚ ତୁ ....

କହିଲି ତ ବାହା ହେବି ତ ଇତୁ ନାନୀଙ୍କୁ, ନହେଲେ ନାଇଁ।

କହି ସିନା ଦେଲି କିନ୍ତୁ ବାପାଙ୍କୁ କେମିତି ସାମନା କରିବି ! ସେ ତ ସାକ୍ଷାତ ଯମଦୂତ ଏସବୁ କଥାରେ। ନୀତି ନିଷ୍ଠ ପୁଣି ଆମ ଅଞ୍ଚଳର ସମସ୍ତେ ମାନନ୍ତି ବାପାଙ୍କୁ। ବାପା ଯଦି କାଉକୁ ଧଳା କହିଛନ୍ତି ଆମ ଘରେ ସମସ୍ତେ କାଉ ଧଳା ବୋଲି ମାନିବାକୁ ବାଧ୍ୟ। ମୋ କଥା ଶୁଣି ସେ କି ପ୍ରତିକ୍ରିୟା ପ୍ରକାଶ କରିବେ ଭାବି ମୋ ଦେହର ତାପମାତ୍ରା ବଢି ଯାଉଥାଏ। ବାପା ଖୁବ୍ ଗମ୍ଭୀର ଥାଆନ୍ତି । କାହାକୁ କିଛି କହୁ ନ ଥାନ୍ତି। ଢୁ ଢୁ ବର୍ଷା କାଚିବା ପୂର୍ବରୁ ଆକାଶ ଯେମିତି କଳା ହୋଇ ଚାରି ଆଡ଼ ଅନ୍ଧାର କରିଦିଏ ସେମିତି ଲାଗୁଥିଲା ଆମ ଘର ଏବଂ ବେଶୀ ବାପା।

ମୋ ଭାଇ ଭାଉଜ, ଦାଦା ଖୁଡି ସମସ୍ତେ ଗୁମ୍ ଥାଆନ୍ତି ମୋ କଥା ଶୁଣି। ଜେଜେ ଓ ଜେଜେମା ପୁରା ଖପ୍ପା। ମୋ ସହ ସମସ୍ତେ କଥା ହେବା ବନ୍ଦ କରିଦେଲେ। ଏଣୁ ମୁଁ ମାଆ କୁ କହି ଛୁଟି ନ ପୁରୁଣୁ ବାହାରିଲି ମୋ ଚାକିରି ଜାଗାକୁ।

ବାପା ଆସିବା ପୂର୍ବ ଦିନ ରାତିରେ ମୋତେ ତାଙ୍କ ରୁମ୍ କୁ ଡକାଇଲେ। ଘରେ ସମସ୍ତେ ଏବଂ ମୁଁ ଭାବିନେଲୁ ଭୟାନକ ଝଡ଼ ତୋଫାନ ହେବା ଥୟ ଜାଣ ।  ପ୍ରକୃତି ଝଡ଼ ଘର ଦ୍ୱାର ,ଗଛଲତା ଭାଙ୍ଗେ ମାତ୍ର ସମସ୍ୟା ଜନିତ ଘର ଭିତର ଝଡ଼ ଭାଙ୍ଗେ ସମ୍ପର୍କ ମନ ଓ ହୃଦୟ। ବାପାଙ୍କୁ କେଉଁ କଥାରେ ଅବଜ୍ଞା କରେନି। ଏଣୁ ବାପାଙ୍କ  ପାଖକୁ ଗଲି।

ବାପା ମୋତେ ଖଟରେ ବସିବାକୁ କହିଲେ। ମୁଁ ଭିତରେ ଖୁବ ଡରି, ଉପରେ ମୁହଁ ଦମ୍ଭ କରି ଯାଇ ବସିଲି। କିଛି ସମୟ ବିତି ଗଲା। ବାପା କିଛି ମୋତେ କହୁ ନ ଥାନ୍ତି।ପାଖକୁ ଡାକି କିଛି ନ କହିବା ମୋତେ ଆହୁରି ଭୟ ଦେଉଥାଏ। ମୁଁ ସ୍ଥିର ନିଶ୍ଚିତ ତେଜ୍ୟପୁତ୍ର ଘୋଷଣା କରିଦେବେ ବାପା ଆଜି ମୋତେ। ହାତ ପାପୁଲି ଦିଟା ଖାଲି ଘଷୁଥାଏ ମୁଁ।

ବାପା ଗଳା ଖଙ୍ଖାରି ପଚାରିଲେ, ଇତୁକୁ ତୁ ଭଲ ପାଉ ? ଇତୁ ତୋତେ ବି ଭଲପାଏ ?

ନା।

ବିସ୍ମୟ ହୋଇ ବାପା କହିଲେ ତୁ ପରା ଇତୁକୁ ପସନ୍ଦ କରୁ କହିଲୁ !

ହଁ ବାହା ହେବାକୁ କହିଲି ପ୍ରସ୍ତାବ ପକେଇ। ଇତୁ ନାନୀ ମୋତେ ବାହା ହେବେ କି ନାହିଁ ଏ କଥା ବି ଜାଣି ନାହିଁ।

ଆରେ ସୁନୁ ଏ ପୁଣି କେମିତି କଥା ! ତୁମେ ପରସ୍ପରକୁ ଭଲ ପାଆ କି ନାହଁ ଜାଣନି ! କିନ୍ତୁ ତୁ କହୁଛୁ ବାହା ହେବୁ !

ବାପା ! ଇତୁ ନାନୀ ମୋତେ ଭଲ ଲାଗନ୍ତି। ଅର୍ଥ ଅଭାବରୁ ଏବଂ ତାଙ୍କ ବାହାଘର କଥା କେହି ବୁଝିବାକୁ ନଥିବାରୁ ବାହାହୋଇ ପାରୁ ନାହାନ୍ତି। ମୁଁ ତ ଝିଅଟିଏ ବାହା ହେବି, ସେ ଝିଅ ଇତୁ ନାନୀ ହେଲେ ଅସୁବିଧା କେଉଁଠି?

ତୋ ଠାରୁ ସେ କେତେ ବଡ଼ ଜାଣିଛୁ ତ !

ହଁ ବାପା। ସବୁବେଳେ ପୁଅଠାରୁ ଝିଅ ସାନ ହେବ ଏମିତି କଥାର କିଛି ଅର୍ଥ ଅଛି କି ? ଝିଅ ଠାରୁ ପୁଅ ବଡ଼ ହେଉଥିଲେ। ମୋ କ୍ଷେତ୍ରରେ ଝିଅ ପୁଅଠାରୁ ବଡ଼ ହେବ।

ଘର ଲୋକେ ସବୁ ଲୁଚି ଶୁଣୁ ଥିଲେ ଆମ ବାପା ପୁଅ କଥା। ସେମାନେ ପ୍ରମାଦ ଗଣିଲେଣି। ସୁନୁ ଆଜି ଦୁଇ ପାଞ୍ଜିରୁ ଗଲା ଜାଣ।କିନ୍ତୁ ଏମିତି କିଛି ଘଟି ନ ଥିଲା। ବାପା ମୋ ବଡ଼ ଭାଇକୁ ଡାକି କହିଲେ, ଆରେ ମୁନୁ ! ଇତୁ ଘରକୁ ବାହାଘର ପ୍ରସ୍ତାବ ପଠା।"

ସମସ୍ତେ କାବା। ବାପା ଭଳି ଲୋକ ଏତେ ଶୀଘ୍ର ପୁଣି ମୋ କଥାରେ ସଭିଙ୍କୁ ଚମକେଇଲା ପରି ରାୟ ଶୁଣେଇବେ ଏକଥା କେହି ବିଶ୍ୱାସ କରି ନଥିଲେ।

ମୋତେ ସେଦିନ ରାତିସାରା ନିଦ ହେଲା ନାହିଁ। ବାପା ଆଉ ଅଭିମାନ କରି ଏମିତି ନିଷ୍ପତ୍ତି ନେଲେ ନି ତ ! ଏତେ ଶୀଘ୍ର ବାପା ଏ କଥାରେ ରାଜି ହୋଇଯିବା ମୋତେ ବହୁତ କିଛି ଭାବିବାକୁ ବାଧ୍ୟ କରୁଥିଲା। ଦୋଷୀ ଦୋଷୀ ଲାଗୁଥିଲା ମୋତେ। ରାତି ସାରା ପାଣି ପିଉଥିଲି ଓ ବାଥରୁମ ଯାଉଥିଲି।ବାଥରୁମକୁ ଗଲା ବେଳେ ବାପା ଓ ମା କଥା ହେବା ଶୁଣୁଲି। ମା କହୁଥିଲା ସୁନୁ କଥାରେ ତୁମେ ରାଜି ହେଲ କେମିତି ?

ସୁଧା ! ସୁନୁ ଯେଉଁ କାମ କରିବାକୁ ଯାଉଛି, ସେ କାମ କରିବାକୁ କଲିଜା ଦରକାର। ସମସ୍ତେ ପାରିବେ ନାହିଁ। ଭଲ ପାଏନି କିନ୍ତୁ ଗୋଟେ ଅଭାବୀ  ଝିଅ ସଂସାର କରୁ ବାହା ହେଉ ସୁନୁ ଚାହୁଁଛି।

ଆମେ ଟଙ୍କା ପଇସା ଦେଇ ଇତୁକୁ ଅନ୍ୟ କେଉଁଠି ବାହା ତ ଦେଇ ପରିଥାନ୍ତେ?

ସୁଧା ! ତୁମେ ମା ହୋଇ ବି ପୁଅ ମନ କଥା ପଢି ପାରୁନ ? ଲୋକେ କଣ କହିବେ ଭାବୁଛ କି ? କିନ୍ତୁ ତୁମ ପୁଅ କଥା ବୁଝ।ତା ଖୁସି କଥା ଚିନ୍ତା କର। କେଉଁଠି ନା କେଉଁଠି  ଇତୁ ସୁନୁ ହୃଦୟରେ ଅଛି ।ଇତୁ ସୁନୁକୁ ଭଲ ଲାଗେ। ତା ଦୁଃଖ ତାକୁ ଦୁଃଖୀ କରେ। ଇତୁର ମଙ୍ଗଳ ପାଇଁ ସୁନୁ ମୋ ପରି ରାଢ ବାପାର ସାମନା କରିବା ତାକତ ରଖେ। ଏହାର ନାଁ ପ୍ରେମ ନୁହେଁ ତ ଆଉ କଣ ! 

ବାପା ମା ଙ୍କ କଥା ଶୁଣି ମୋ ଆଖି ଲୁହରେ ଛଳ ଛଳ ହୋଇ ଗଲା। ସେଦିନ ଅନୁଭବ କଲି ସନ୍ତାନକୁ ବୁଝୁଥିବା ବିଶାଳ ଆକାଶର ନାଁ ବାପା।



Rate this content
Log in

Similar oriya story from Inspirational