Aravinda Das

Inspirational

4.6  

Aravinda Das

Inspirational

ବିଶ୍ୱର ଶ୍ରେଷ୍ଠ ପଖାଳ କଂସା

ବିଶ୍ୱର ଶ୍ରେଷ୍ଠ ପଖାଳ କଂସା

3 mins
1.2K


ବିଶ୍ୱ ପଖାଳ ଦିବସ ମନାଇବାକୁ ହୋଟେଲରେ ଏକାଠି ହୋଇଥିଲେ ଚାରିବନ୍ଧୁ; ବିକାଶ,ଲିଙ୍ଗରାଜ,ପ୍ରମୋଦ ଓ ସୁଜିତ।

ବର୍ଷେ ହେଲା ଖୋଲିଥିବା ହୋଟେଲ "ପଖାଳ କଂସା" ୟା ଭିତରେ ବହୁତ ପ୍ରସିଦ୍ଧି ଲାଭ କରିସାରିଥିଲା ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ କରିବାରେ।ଆଉ ଆଜି ତ ପ୍ରବଳ ଭିଡ଼।

ୱେଟର ଆସି ଦେଇଗଲା ମେନୁ କାର୍ଡ।ଆଜି ଭିଭିନ୍ନ ପ୍ରକାର ର ପଖାଳ ସ୍ପେସିଆଲ ମେନୁ ଭାବେ ରଖାଯାଇଛି।

- ଆରେ ପଖାଳ ଡ଼େ ଦ୍ବାରା ଏଇ ହୋଟେଲ ମାନଙ୍କର ଭଲ ବ୍ୟବସାୟ ଓ ଫେସବୁକରେ ସମସ୍ତଙ୍କ ଫଟ ପଖାଳ ସହ।ଆଜି ଆମ କାମବାଲୀ କହୁଥିଲା ସେ ବି କାଳେ ତା ଫେସବୁକ ଷ୍ଟାଟସ ରେ ପଖାଳ ଫଟ ଅପଡେଟ କରିଛି।"ପ୍ରମୋଦ ହସିଦେଇ କହିଲା।

-ତେବେ ଯାହା ନିନ୍ଦା କିଏ କରୁ ପଛେ, ପଖାଳ କଥା ଶୁଣିଲେ ସବୁ ଓଡ଼ିଆଙ୍କ ପାଟିରୁ ଲାଳ ବାହାରେ।ଧନୀ ଗରିବ ସମସ୍ତଙ୍କ ପସନ୍ଦ ।ଏଠାର ସ୍ପେଶାଲ ଦହି ପଖାଳ ଭାରି ବଢିଆ।ମୁଁ ତ ଅନେକ ଥର ଖାଇଛି।ଭେଜ୍, ନନଭେଜ ସାଇଡ ଆଇଟମ ବରାଦ କରିହେବ।ଆଳୁ ଭର୍ତ୍ତା, ବଡ଼ି ଚୁରା ଠାରୁ ମହୁରାଳି ବେସର, ଶୁକୁଆ ଭଜା ଠୁ ପତ୍ର ପୋଡା,ଖାସୀ ମାଂସ କଷା।"ବିକାଶ କହିଲା।

- ମୋତେ ପଖାଳ ସହିତ ସାଧା ଆଇଟମ ଭଲ ଲାଗେ।ମୋ ବୋଉ ବଢିଆ ପାଗ କରେ।ଆମ୍ବ ନସି ଭାଙ୍ଗି ସଜ ପଖାଳ ତୋରାଣି ରେ ଟିକେ ବାସି ତୋରାଣି ମିଶାଇଦିଏ।ତା ସହିତ ସଜନା ଛୁଇଁ, ପୋଟଳ ଭଜା, ମଞ୍ଜି ବଡ଼ି ଓ ବାଇଗଣ ପୋଡା।କି ଟେଷ୍ଟ !"ଲିଙ୍ଗରାଜ କହିପକାଇଲା।

ୱେଟର କୁ ଅର୍ଡର ଦେଇସାରି ସମସ୍ତେ ଆଲୋଚନାରେ ମାତିଗଲେ ନିଜ ନିଜ ର ପଖାଳ ଖାଇବାର ଅନୁଭୂତିକୁ ନେଇ।ପ୍ରମୋଦ ଟେବୁଲ ରେ ହାତ ବାଡେଇ କହିଲା,

- ଯାହା କହ ପଛେ,ମା,ଜେଜେମା,ଆଇ ମାନଙ୍କ ହାତ ପରସା ପଖାଳ ର ସ୍ୱାଦ ହିଁ ନିଆରା।ମୋ ବୋଉ ପରା ଏବେ ବି ନିଜେ ପଖାଳ ଖାଇଲାବେଳେ ମୋତେ ଗୁଣ୍ଡାଏ ନିଶ୍ଚେ ଖୁଆଇଦିଏ।ମାଟି ହାଣ୍ଡି ପଖାଳରେ ଆମ୍ବକଷି ଅଦା,ଲେମ୍ବୁ/ଖଟା କମଳା ପତ୍ର ପକାଇ ରଖିଥାଏ।ବାଢ଼ିଲା ବଳେ ଦହି, କଷି ନଡ଼ିଆ କୋରା,ଜୀରା ଲଙ୍କା ଗୁଣ୍ଡ, ଇତ୍ୟାଦି ପକାଏ।ତା ସାଙ୍ଗରେ ଗରମ ଗରମ ଆଳୁ ଭଜା,ଶାଗ,ଆମ୍ବ ଛେଚା ।"

ପ୍ରମୋଦ କଥା ଶୁଣି ବିକାଶ କହିଲା, "ମୋ ବୋଉର ପଖାଳ ସାଙ୍ଗକୁ ଶୁଖୁଆ ପୋଡାରେ ,ବାସି ତୋରାଣି ,ସୋରିଷ ତେଲ ରସୁଣ ପଡି ପାଗ ଏକଦମ ୱାର୍ଲ୍ଡ଼ ବେଷ୍ଟ।

ହସିଦେଇ ଲିଙ୍ଗରାଜ କହିଲା, " ନା , ମୁଁ କହିବି ଓଡ଼ିଆ ପଖାଳ ର ଅସଲ ମଜା ହେଲା ନିଦ।ପିଲାଦିନେ ରାତି ଅନିଦ୍ରା ହୋଇ ଯାତ୍ରା /ଅପେରା ଦେଖି ପରଦିନ ପଖାଳ ଖାଇ ଶୋଇବା ହେଉଛି ଅମୃତ ଅନୁଭବ।ମୋ ବୋଉ ହାତରେ ପଖାଳ ମହମହ ବାସେ।"

ଏପର୍ଯ୍ୟନ୍ତ ଚୁପ୍ ହୋଇ ବସିଥିବା ସୁଜିତ ମୁହଁ ଖୋଲିଲା," ମୋ ଜୀବନରେ ଏକ ନିଆରା ଘଟଣା ଘଟିଥିଲା ପଖାଳ କୁ ନେଇ।ବୋଉ ହାତରୁ ନୁହେଁ ,ଜଣେ ସମ୍ପୂର୍ଣ୍ଣ ଅଜଣା ଅଶୁଣା ମହିଳାଙ୍କ ହାତରୁ ପଖାଳ ଖାଇବାର ଅନୁଭୂତି ।"

- ସିଧା କହୁନୁ ପ୍ରେମିକା ହାତ ପଖାଳ।କିଏ ସେ ଭାଗ୍ୟବତୀ ମହିଳା ?କେଉଁଠି ଖାଇଥିଲୁ ?"ପଚାରିଲା ଲିଙ୍ଗରାଜ।

-ମୋର ପ୍ରଥମ ପୋଷ୍ଟିଙ୍ଗ ଅରୁଣାଚଳ ପ୍ରଦେଶ ରେ ହୋଇଥାଏ।କିଛି ଟେନ୍ସନ ଚାଲିଥାଏ ସ୍ଥାନୀୟ ଓ ବାହାର ପ୍ରଦେଶ ଲୋକଙ୍କୁ ନେଇ।ସେଦିନ ରାତିରେ ବହୁତ ଜୋରରେ ଗଣ୍ଡଗୋଳ ଲାଗିଲା।ସନ୍ଧ୍ୟାରେ ମୁଁ ଇନ୍ସପେକ୍ସନ ସାରି ଫେରୁଥାଏ।ମୋ ଗାଡ଼ିକୁ ଆକ୍ରମଣ କଲେ ଦଳେ ବଦମାସ।ଜୀବନ ବଞ୍ଚାଇବାକୁ ପ୍ରାଣବିକଳରେ ମୁଁ ସେଇ ଅନ୍ଧାର ଭିତରେ ଦୌଡ଼ିଲି।କୁଆଡେ ଯାଉଛି ଜାଣିନଥିଲି।ଗୋଟେ କୁଡିଆ ଦେଖି କବାଟ ବାଡେଇଲି। ଆଶ୍ରୟ ଦେଇଥିଲା ଜଣେ ଶ୍ରମିକ ଶ୍ରେଣୀର ମହିଳା।ଏକୁଟିଆ ଥିଲା ସେ ଘରେ।"

- ଆଛା,ତା ହେଲେ ବଢିଆ ଟାଇମ ପାସ ହୋଇଥିବ।ଆଗକୁ କଣ ହେଲା ଶୀଘ୍ର କହ।

- ବାହାରକୁ ବାହାରିବା ପାଇଁ ସାହାସ ହେଉନଥିଲା।ସେମିତି ଆମେ ଦୁହେଁ ବସିଥିଲୁ ସେଇ ଛୋଟ ଘର ଭିତରେ କିରାସିନି ଡିବି ଜଳାଇ ।ସେ ବୋଧେ ଜାଣୁଥିଲା ମୋ ଜୀବନକୁ ବିପଦ।ମୁଁ ଧୀର ସ୍ୱରରେ ତାକୁ ବୁଝାଇବାକୁ ଚେଷ୍ଟା କରୁଥିଲି ସବୁକଥା।ତାକୁ ତା ପରିବାର କଥା ବି ପଚାରିଥିଲି।ବିଚାରୀ ମୂକ ଥିଲା।ଠାର କଥା ମୁଁ ବୁଝିପାରୁନଥଲି।ରାତି ଅନେକ ହୋଇଯାଇଥିଲା।ମୋତେ ଭୀଷଣ ଭୋକ ଲାଗୁଥାଏ।ମୋତେ ଆଶ୍ଚର୍ଯ୍ୟ କରି ଗୋଟେ ସିଲଭର ବେଲାରେ ସେ ବାଢ଼ିଦେଲା ପଖାଳ ଓ ସାଙ୍ଗରେ କଞ୍ଚା ପିଆଜ ଓ ଲୁଣ।ଭୋକରା ପାଟିକୁ ତାହା ମୋତେ ଅମୃତ ଭଳି ଲାଗିଲା।ମୁଁ ଭୁଲି ଯାଇଥିଲି ତାକୁ ପଚାରିବାକୁ ତା ଖାଇବା ବିଷୟରେ।ସ୍ବାର୍ଥପର ହୋଇଯାଇଥିଲି ବୋଧେ।ଘରେ ଆଉ କିଛି ନଥିଲା ଖାଇବାପାଇଁ ବୋଧେ।ବିଚାରୀ କେଵଳ ତୋରାଣି ପିଇ ହସିଦେଲା।ସକାଳ ହେଲାପରେ ମୁଁ ବାହାରିଥିଲି ପୋଲିସ ସହାୟତାରେ ।ପକେଟରୁ ଟଙ୍କା ବାହାର କରି ତାକୁ ବଢ଼ାଇଥିଲି, ବିଦାୟ ନେଲାବେଳେ। ମନା କରିଥିଲା ସେ।ବାସ୍ ,ଆଜି ବି ସେଇ ପଖାଳ ଓ ପିଆଜ ମୋର ମନେ ପଡ଼େ।

- ସେ ସ୍ତ୍ରୀ ଲୋକ କଣ ଓଡ଼ିଆ ଥିଲା ?ତା ନାଁ ?

ବିକାଶ କଥା ଶୁଣି ସୁଜିତ ଜବାବ ଦେଲା,

- କହିଲି ପରା ସେ ମୂକ ଥିଲା ବୋଲି।ତେବେ ନିଜ ପାଇଁ ଥିବା ଖାଦ୍ୟକୁ ଜଣେ ଅଜଣା ବ୍ୟକ୍ତିକୁ ଦେଇ ନିଜେ ଖାଲି ତୋରାଣି ପିଇବା,ଆଶ୍ରୟ ଦେବା, କେଵଳ ଜଣେ ମହିୟଶୀ ମହିଳା ହିଁ କରିପାରିବ। ସେମିତି ଜଣେ ଗରିବ ମହିଳାଙ୍କ ହାତର ସେଇ ପଖାଳ କଂସା ପୃଥିବୀ ର ଶ୍ରେଷ୍ଠ ପଖାଳ କଂସା ନୁହେଁ କି ?

ସମସ୍ତେ ଚୁପ୍ ହୋଇଯାଇଥିଲେ।

(@ଅରବିନ୍ଦ ଦାସ)


Rate this content
Log in

Similar oriya story from Inspirational