ବିରହୀ ମନର ଚିଠି
ବିରହୀ ମନର ଚିଠି


ସ୍ୱପ୍ନର ନାୟିକା,
ମୋ ମନରେ ତୁମ ପାଇଁ ଅନାବିଳ ପ୍ରେମର ଭାଷା ତୁମେ ହୁଏତ ବୁଝି ପାରିନଥିଲ । ତଥାପି ଏ ମନ ତୁମକୁ ଏବେ ବି ହୃଦୟରୁ ଜୀବନ୍ତ ଭାବେ ଭଲପାଉଛି ଓ ପାଉଥିବ ମଧ୍ୟ । ତୁମ ପାଇଁ ଚିଠିଟିଏ ଲେଖିଦେଲେ କାହିଁକି କେଜାଣି ମୋ ମନ ଭିତରର ଆଶା ଟିକକ ଜୀବନ୍ତ ହୋଇ ଉଠେ । ହଁ ମୁଁ ଏହା ବି ଜାଣିଛି ମୁଁ ଲେଖୁଥିବା ଚିଠି ସବୁ ମୋ ଡାଏରୀ ଭିତରେ ହିଁ ସାଇତା ହୋଇ ଥୁଆ ହୋଇଛି । ତଥାପି ତୁମ ପାଖକୁ ଚିଠିଟିଏ ନ ଲେଖିଲେ ମୋ ଜୀବନର ଅକୁହା କଥା ସବୁ ମୋ ଉପରେ ସତେ ଯେମିତି ଅଭିମାନ କରିବସନ୍ତି । ମୁଁ ଜାଣିଛି ତୁମେ ମୋ ଠାରୁ ଦୂରେଇ ଯାଇ ବହୁତ ଭଲରେ ଥିବ ଆଉ ବା ପଚାରି ଲାଭ କଣ ? କେତେବେଳେ ପରୀରାଇଜର ରାଜକୁମାରୀ ଭଳି ମୋ ସ୍ୱପ୍ନ ନୁହେଁ; ମୋ ବାସ୍ତବ ଜୀବନରେ ଚାଲିଆସିଲ ।
ଏ ମନର ଭାବନାକୁ ବାସ୍ତବରେ ପରିଣତ କରି ହୃଦୟ ଭିତରେ ବାଲିର ଘରଟିଏ ତିଆରି କରି ପୁଣି ବାଲିର ଘରକୁ ଗୋଇଠା ମାରି ଭାଙ୍ଗି ନିଜ ରାଇଜକୁ ଚାଲିଗଲା। ହେଲେ ଶୁଣିଥିଲି ପରୀ ରାଇଜରୁ ଆସିଥିବା ରାଜକୁମାରୀମାନେ କୁଆଡେ ନିଜ ରାଇଜକୁ ଫେରିଲା ବେଳେ ଅନେକ ସୁନ୍ଦର ସୁନ୍ଦର ଉପହାର ଦେଇ ଯାଆନ୍ତି। କିନ୍ତୁ ତୁମେ ତ ମୋତେ ଅନେକ ଭାବନା ସଙ୍ଗେ ଯୋଡି ପ୍ରେମର ଅଗ୍ନିରେ ଅର୍ଧଦାହ କରି ଦେଇଗଲ । ନା ମୁଁ ସେ ନିଆଁରୁ ବାହାରି ପାରୁଛି ନା ମରିପାରୁଛି, ତଥାପି ଏହି ଛାତିକୁ ପଥର କରି ସବୁ ସହୁଛି ଆଉ ସହୁଥିଵି ମଧ୍ୟ । ସବୁବେଳେ ଠାକୁରଙ୍କ ପାଖରେ ଗୁହାରି କରେ ମୋତେ ସେ ଅଗ୍ନିରୁ କାଢିବା ପାଇଁ କିନ୍ତୁ କାହିଁ ଆଜି ଯାଏଁ ମୁଁ ଯେତେ ଚେଷ୍ଟା କଲେ ଵି ବାହାରି ପାରିନି। ସବୁବେଳେ ତୁମ କଥା ମନେ ପଡେ ମୋର ପରୀ । ଏ ବାଦଲକୁ ମଝି ନଈରେ ଭସେଇ ଦେଇ ତୁମେ ଆକାଶକୁ ନିଜର କରିନେଲ। ଆକାଶକୁ ନିଜର କରି ନେଇ ତାଠାରୁ ତୁମେ କଣ ପାଇଲ ପରୀ !! ଧୋକା, ପ୍ରତାରଣା, ଆଉ ଜୀବନ ଆରମ୍ଭ କରିବା ପୂର୍ବରୁ ମୃତ୍ୟୁ। ଏ ବାଦଲ ତୁମକୁ ନିଜ ଆଡୁ କେବେ ଵି ଭଲ ପାଇନଥିଲା । ତୁମେ ପାଗଳୀ ପ୍ରେମୀଙ୍କ ପରି ମୋ ପଛରେ ପଡ଼଼ି଼ଯାଇଥିଲ। ଅଜଣା ପ୍ରେମର ଭାଷାକୁ ତୁମେ ମୋତେ ଅତି ସହଜରେ ବୁଝେଇ ଦେଇଥିଲ। ତୁମେ ସବୁବେଳେ ମୋତେ କହୁଥିଲ ସମୁଦ୍ରର ଗଭୀରତା ଯେମିତି ମାପି ହେବନି; ତୁମ ପ୍ରତି ମୋ ଭଲପାଇବା କେତେ ସେମିତି ମାପି ହବନି । ତୁମ ବିନା ମୁଁ ବଞ୍ଚିପାରିବିନି । ତୁମ ଓଠରୁ
ସବୁବେଳେ ମୋ ଖୁସିର ହସ ଝରିବ।ବାଦଲ ପରୀର ପ୍ରେମ କାହାଣୀ ପ୍ରକୃତି ଗାଇବ। ପ୍ରେମ ଆରମ୍ଭରୁ ହିଁ ତୁମେ ଆମ ବାହାଘରରେ କଣ କଣ ସବୁ ହେବ ଭାବି ଦେଇଥିଲ। କିନ୍ତୁ ତୁମ ଭଲପାଇବା ପଛରେ ଏତେ ସବୁ ଛଳନା ଥିଲା ବୋଲି ମୁଁ ମୂର୍ଖ ଜାଣିପାରିଲିନି କେଜାଣି ଜାଣିଵି ବା କେମିତି ତୁମକୁ ପରା ମୁଁ ଜୀବନ ଦେଇ ଭଲ ପାଉଥିଲି। ଯେତେବେଳେ ମୁଁ ତୁମକୁ କହୁଥିଲି; ପରୀ! ଆମର ବହୁତ ଗରିବ ଘର। ଘରେ ଦି ଖଣ୍ଡ ବାସନ ଵି ନାହିଁ ଖାଇବାକୁ। ଭଙ୍ଗା ମାଟି କାନ୍ଥରେ ମୁଷା ଗାଳି ଦେଇଛି। ପ୍ରତିଦିନ ଆସି ସେ କାନ୍ଥରେ ଥିବା ଗାତରେ ସାପ ଯେ ଗଜନ କରୁଛି। ଘରେ ଆମର କୁଟାଏ ବି ଜିନିଷ ନାହିଁ। ବାପା ଦିନସାରା ମଜୁରି ଖଟି ଘରକୁ ଟଙ୍କା ଆଣିଲେ ଆମର ଛଅପ୍ରାଣୀ କୁଟୁମ୍ବ ଖାଇବୁ। ଚାରି ଜଣ ପାଠ ପଢିବୁ ସେହି ଟଙ୍କାରେ । ଅଭାବ ତ ରହିବ ହିଁ ରହିବ ତୁମେ କହୁଥିଲ ମୋତେ ; ସେସବୁ ଛାଡ଼ ବାଦଲ। ତୁମର ପରିସ୍ଥିତି ଯାହା ଆମର ଵି ପରିସ୍ଥିତି ସେୟା।ମୁଁ ତୁମ ସାଙ୍ଗରେ ଗଛ ତଳେ ଵି ରହିପାରିଵି।ଲୁଣ ଜାଉ ଖାଇକି ପେଟ ପୁରେଇ ପାରିବି ଏବଂ ଖଣ୍ଡେ ସୁତା ଲୁଗାରେ ମୋ ଦେହକୁ ଢାଙ୍କି ପାରିବି। ମୋର କିଛି ବି ଦରକାର ନାହିଁ; ମୋର ଖାଲି ତୁମେ ହିଁ ଦରକାର ବାଦଲ । ତୁମ ଵିନା ମୁଁ ବଞ୍ଚି ପାରିବିନି।ଏତେ ସବୁକଥା ପଛରେ ତୁମର ଖାଲି ପ୍ରତାରଣା ଥିଲା ବୋଲି ମୁଁ ସ୍ୱପ୍ନରେ ସୁଧା ଭାଵିପାରୁନି। ତୁମକୁ ଯେଉଁ ଦିନ ଆକାଶ ମିଳିଗଲା ତୁମେ ମୋତେ କେମିତି ଧୋକା ଦେଇ ପାରିଲ।କାହିଁକି ନା ମୋ ପାଖରେ ଧନ ନ ଥିଲା। ମୁଁ ଗରିବ ! ମୋ ପାଖରେ ପିନ୍ଧିବାକୁ ହଳେ ମାତ୍ର ସାର୍ଟ। ମୋତେ ବାହା ହେଲେ ତୁମକୁ ମୁଁ ହଳେ ଭଲ ଶାଢୀ ଦେଇ ପାରିଵିନି। ତୁମ ପାଇଁ ମୁଁ କିଛି କରିପାରିଵିନି। ଆକାଶ ପାଖରେ ସବୁ କିଛି ଅଛି ନା,ସେ ତୁମ ପାଇଁଁ ସବୁକିଛି କରିପାରିବ। ତୁମେ ତ ଏତେ ଓଲି ଯେ..... ଆକାଶର ଟଙ୍କା ପଇସାର ମୋହ ତୁମକୁ ଘାଇଲା କରିଲା। ତୁମେ ଟିକେ ଚିନ୍ତା ଵି କରି ପାରିଲନି କି ଆକାଶର ଏତେ ଟଙ୍କା ପଇସା, ସେ ଗରିବ ଘରର ପରୀକୁ କଣ ପାଇଁ ବାହା ହେବା ପାଇଁ ଚାହୁଁଛି।ମୋତେ ଧୋକା ଦେଲ ନିଜେ ଧୋକା ପାଇଲ। ତୁମେ ମୋ ପ୍ରେମ ମୋ ଠାରୁ ଛଡ଼ାଇ ନେଲ ଆଉ ଆକାଶ ତୁମ ପ୍ରାଣ। ଗରିବ ଘରର ଝିଅ ଵୋଲି ତୁମକୁ ସେ ପଶୁ ଠାରୁ ହୀନ ଭାବି ତୁମକୁ ମାନସିକ,ଶାରୀରିକ ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେଇ ଶେଷରେ ଯନ୍ତ୍ରଣାର ଶେଯରେ ତୁମକୁ ସବୁଦିନ ପାଇଁ ଚିରନିଦ୍ରରେ ଶୁଆଇ ଦେଲା।ତୁମର ତ ଏତିକି ବୁଝିବା ନିହାତି ଦରକାର ଥିଲା କି ଟଙ୍କା କେବେ ପାଖରେ ରୁହେନି। କିନ୍ତୁ ପ୍ରେମ ଚିରଦିନ ପାଇଁ ଅମର ହୋଇ ରହେ।ଗରିବ ସବୁଦିନ ଗରିବ ହୋଇ ରହେନି ଦିନେ ନା ଦିନେ ସେ ନିଶ୍ଚିତ ଭାବରେ ଉନ୍ନତି କରେ। ଆଜି ମୁଁ ଆଉ ଗରିବ ଘରର ଦିନ ମଜୁରିଆ ପୁଅ ହୋଇ ନାହିଁ କି ହଳେ ସାର୍ଟ ପିନ୍ଧୁନି ।
ଏବେ ମୁଁ ସଫଳତାର ଶୀର୍ଷରେ ପହଞ୍ଚି ପାରିଛି। ମୋ ବାପା ମୋତେ ଶିକ୍ଷା ଦେଇଥିଲେ ମୋତେ ସଫଳ କରିବା ପାଇଁ।ଆଛା ପରୀ! ତୁମେ ଵୋଧେ ଭାଵିଥିଲ ; ତୁମ ଧୋକାରେ ମୁଁ ସବୁବେଳେ ପୋଡି ଜଳି ପାଉଁଶ ହୋଇଯିଵି ଆଉ ଆତ୍ମହତ୍ୟା କରିବି। କିନ୍ତୁ ମୁଁ ସମସ୍ତଙ୍କ ପରି ନୁହେଁ। ଯେ ପ୍ରେମରେ ଧୋକା ଖାଇ ମଦ ପିଇବି, ପାଠପଢ଼ିବିନି। କେବଳ ସେହି ସବୁ ଜିନିଷରୁ ଦୂରେଇ ରହି ମନ ଦେଇ ପାଠ ପଢିଥିଲି ଵୋଲି ଆଜି ମୁଁ ବାପାଙ୍କ ମୁହଁରେ ହସ ଫୁଟାଇ ପାରିଲି।ଆଜି ତୁମେ କେଉଁ ଅଫେରା ରାଇଜର ପରୀ ହୋଇଥିବ କି ନାହିଁ ଜାଣିନି। କେଉଁଠାରେ ଅଛ ଵି ଜାଣିନି। କିନ୍ତୁ ମୋ ମନର ଅକୁହା କଥା ସବୁ ଏହି ଚିଠି ମାଧ୍ୟମରେ ଜଣାଇଦେଲି। ଚିଠିକୁ ମୋ ଡାଏରୀରେ ସୀମିତ ଭାବରେ ସବୁ ଦିନ ପାଇଁ ସମାପ୍ତ କରିଦେଇଛି।।
ଇତି
ତୁମର ବିରହ ପ୍ରେମିକ ବାଦଲ ।।।