ବିପଦର ବନ୍ଧୁ
ବିପଦର ବନ୍ଧୁ
ମାନିନୀ ଯେବେଠାରୁ ବାହା ହେଇ ଆସିଛି, ସେବେଠାରୁ ଶୁଣି ଆସୁଛି ଯେ-ତାଙ୍କ ପଡିଶା ଘର ପୁଅଟା ପରା କୁଆଡେ ଅମଣିଷଟେ । ଅବଶ୍ୟ ତାକୁ ଅମଣିଷର ଆଖ୍ୟା ଯେତିକି ତା'ନିଜ କର୍ମ ଦେଇନି, ତା'ଠାରୁ ଢେର୍ ଅଧିକ ତା ଦାରିଦ୍ର୍ୟତା ସେଥିଲାଗି ଦାୟୀ ।
ବେଶୀ ଯଦିଓ ନୁହେଁ ତଥାପି ଥରେ ଅଧେ ମାନିନୀ ତାକୁ ଦୂରରୁ ଦେଖିଛି । କଥାବାର୍ତ୍ତା ହେବାର ସୁଯୋଗ ମିଳିନି । ତେଣୁ ତାକୁ ଅମଣିଷ ବୋଲି ଆଖ୍ୟାଟା ଦେବାକୁ ମାନିନୀ ଟିକିଏ ସହଜରେ ଗ୍ରହଣ କରି ପାରୁ ନଥାଏ ।
ଦିନକର କଥା ମାନିନୀର ଶାଶୁଙ୍କର ଭୀଷଣ ଦେହ ଖରାପଥାଏ । ସେମାନେ ଦିନବେଳା ଖିଆପିଆ ସାରି ଟିକିଏ ଆରାମ କରୁଥାନ୍ତି । ମାନିନୀର ଆଖି ଟିକିଏ ଲାଗିଯାଇଥାଏ । ହଠାତ୍ ଏକ ଶବ୍ଦ ଶୁଣି ତା ନିଦ ଭାଙ୍ଗିଗଲା । ସେ ତରବର କି ଉଠିକି ଯାଇକି ଦେଖିଲା ବେଳକୁ ତା ଶାଶୁ ଗାଧୁଆ ଘରେ ପଡିଯାଇଛନ୍ତି । ମୁଣ୍ଡରେ ଗଭୀର ଆଘାତ ଲାଗିଛି । ରକ୍ତଧାର ବହିଯାଉଛି । କ'ଣ କରିବ !କିଛି ବୁଝିପାରିଲା ନାହିଁ ମାନିନୀ । ତା ସ୍ୱାମୀ ବି ଅଫିସ୍ କାମରେ ବାହାରକୁ ଯାଇଛନ୍ତି । କାହାକୁ ଡାକିବ ? କଣ କରିବ ? କିଛି ଭାବିପାରୁ ନଥାଏ ସେ । କାରଣ ତା ବାହାଘର ବି ଏଇ ୪/୫ ମାସ ହେଲା ହେଇଛି । ତେଣୁ ଅଜଣା ସହରରେ କୁଆଡେ ଯିବ ? ପୁଣି ଏବେର ଯୋଉ କରୋନା ପରିସ୍ଥିତି ।
ସେ ପ୍ରଥମେ ବାହାରକୁ ଦୌଡି ଯାଇ ଦେଖିଲା,ହେଲେ ସେଇଠି କେହି ବି ନଥିଲେ । ହଠାତ୍ ତା ନଜର ସେ ପଡୋଶୀ ପିଲାଟି ଉପରେ ପଡିଲା । ସେ ମାନିନୀର ଚିନ୍ତା ଜନକ ଚେହେରା ଦେଖି ପଚାରିଲା - କ'ଣ ହେଇଛି ଭାଉଜ ? ମାନିନୀ ଅନର୍ଗଳ ଭାବେ ଗୋଟେ ନିଃଶ୍ୱାସରେ ସବୁକିଛି ବଖାଣି ଦେଇଗଲା । ସେ ସବୁତକ ଶୁଣି କହିଲା ଯେ - ଭାଉଜ ତୁମେ ମାଉସୀଙ୍କ ପାଖେ ଥାଅ । ମୁଁ କିଛି ବ୍ୟବସ୍ଥା କରୁଛି । ତା ପରେ ସେ ଗୋଟିଏ ଅଟୋ ଡାକିଆଣିଲା ଓ ଦୁହେଁ ମାନିନୀର ଶାଶୁଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତିକରି ଦେଲେ । କିଛିଦିନ ଚିକିତ୍ସା ପରେ ମାନିନୀର ଶାଶୁ ସୁସ୍ଥ ହେଇ ଘରକୁ ଫେରିଲେ ।
ସେ ପିଲାଟି ପ୍ରତିଦିନ ଯାଇ ତାଙ୍କ ସୁବିଧା ଅସୁବିଧା ବୁଝି ଆସୁଥାଏ । ମାନିନୀ ଶାଶୁଙ୍କର ଦେହ ସହିତ ତାଙ୍କ ମନରେ ଥିବା ପିଲାଟି ପ୍ରତି ମନୋଭାବରେ ମଧ୍ୟ ଅନୁକୁଳ ପରିବର୍ତ୍ତନ ଆସିସାରିଥାଏ ।
ସତରେ ଲକ୍ଷେ ବନ୍ଧୁବାନ୍ଧବ ଥିଲେ ବି ବିପଦରେ ସାହାଯ୍ୟ କରିଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ ହୋଇଗଲା ।
ଘରେ ଯେତେବେଳେ ବି କେହି ମାନିନୀର ପ୍ରଶଂସା କରନ୍ତି ଯେ ତା ଶାଶୁଙ୍କୁ କିପରି ବଞ୍ଚେଇଦେଲା । ସେତେବେଳେ ମାନିନୀ ସେ ପିଲାଟିର ନାଆଁ ନେବାକୁ ଭୁଲେନାହିଁ ।