Panchanan Jena

Inspirational

4.3  

Panchanan Jena

Inspirational

ବିନ୍ଦୁରେ ସିନ୍ଧୁ

ବିନ୍ଦୁରେ ସିନ୍ଧୁ

4 mins
543



ଜାତି ପ୍ରଜାତିର ରଙ୍ଗ ବେରଙ୍ଗର ଫୁଲବଗିଚାର ମଝିରେ ମଝିରେ ଗୋଟେ ଦିଇଟା ପରିବା ଗଛ –କଣ୍ଟା ବାଇଗଣ ଚାରିଟା , ଧାନୁଆ ଲଙ୍କା ଦଶଟା , ଭେଣ୍ଢି ସାତ ଆଠଟା, ଖୋସଳା ଶାଗ ପଟାଳି, କୁନ୍ଦୁରୀ ମଞ୍ଚାଏ, ଲାଉ-କଖାରୁ ମନ୍ଦାଏ ମନ୍ଦାଏ --- ଏମିତି କେତେ କ’ଣ ହରା ଭରା ଫୁଲ-ପରିବା ବାଡିରେ କୈବଲ୍ୟ ବାବୁଙ୍କୁ ସକାଳ ସମୟଟା ବିତେଇବାକୁ ବହୁତ ଭଲ ଲାଗେ । ସୂର୍ଯ୍ୟ ଉଠିବା ପୂର୍ବରୁ ଶେଯ ଛାଡନ୍ତି ;ବଙ୍କୁଲି ବାଡିଟା ଧରି ପ୍ରାତଃ ଭ୍ରମଣରେ ତାଜା ହାୱା ଖାଇବାକୁ ବହେ ଚାଲନ୍ତି । ଚାକିରି ଜୀବନରୁ ଅଭ୍ୟାସଟା ଦେହସୁଆ ହୋଇ ରହିଯାଇଛି, ଛାଡିପାରୁନାହାନ୍ତି । ଛାଡିବାକୁ ବି ଇଚ୍ଛା ହେଉନି । ସେତେବେଳେ ଭୂବନେଶ୍ଵର ବାପୁଜୀନଗରର ଓସାରିଆ କଲୋନୀ ରାସ୍ତାରେ ଦଉଡୁଥିଲେ, ଯୋଗିଙ୍ଗ କରୁଥିଲେ । ମାତ୍ର ଆଜି ଅବସର ପରେ ବଙ୍କୁଲି ବାଡିର ସାହାରାରେ ଥଙ୍ଗେଇ ମଙ୍ଗେଇ ଚାଲୁଛନ୍ତି ନିଜ ଭିଟାମାଟି ବଗଦା ଗାଁର ଝାଟିମାଟିଆ ବଡଦାଣ୍ଡରେ ।


କୈବଲ୍ୟ ବାବୁଙ୍କୁ ୮୨ବର୍ଷ ହେଲାଣି । କମର ଧାପି ଆସିଲାଣି । ଜୋରରେ କଥା କହିଲେ କି ହସିଲେ ହାଇଁ ପାଇଁ ଧଇଁ ସଇଁ ହୋଇଯାଆନ୍ତି ।ତଥାପି ବେଶ ସତେଜ-ନିରୋଗ ଲାଗନ୍ତି । ଚିରାଚରିତ ବ୍ଲଡ଼ପ୍ରେସର-ସୁଗାର-ମଧୁମେହ ଇତ୍ୟାଦି ରୋଗ ତାଙ୍କ ପାଖ ମାଡିପାରିନି । ଏବଂ ଏହାର ସେ ଶ୍ରେୟ ଦିଅନ୍ତି ତାଙ୍କର ଦେହ ଝାଳରେ ଉଗେଇଥିବା ରାସାୟନିକ ସାର ରହିତ ବାଡ଼ି ପରିବା ତରକାରୀ ଓ ନାଲି-ଧଳା-ନେଳି ଫୁଲଭରା ବଗିଚା ; ତାଙ୍କ ଜୀବନ ବଗିଚାରେ ଭରିଦେଇଛି ଆଣିଦେଇଛି କୁସୁମର କୋମଳତା-ସୁବାସିତ ସୌରଭିତ ମାନବିକତା ;ପରିବାର ଛନ ଛନ ପରିଷ୍କାର ପରିଚ୍ଛନ୍ନତା ଆଉ ସୁସ୍ଥ-ସତେଜ-ରଙ୍ଗୀନ ଭାବପ୍ରବଣତା । ଘଣ୍ଟା ଘଣ୍ଟା ଧରି ଫୁଲ ପଖୋଡାକୁ ଫୁ ଫୁ କରି ହଲେଇବା, ପୋକ ଘଉଡେଇବା ବାହାନାରେ କଷି ପରିବାକୁ ଛୁଇଁବାରେ ଯେଉଁ ମଜା ,ଯେଉଁ ଅପାର-ନୈସର୍ଗିକ ସୁଖ ଶାନ୍ତି ମିଳେ, ତାହାହିଁ କୈବଲ୍ୟ ବାବୁଙ୍କୁ ଟାଣିଆଣିଛି ରାଜଧାନୀର ରାଜପଥରୁ ଜନ୍ମମାଟିର ବଡଦାଣ୍ଡକୁ ।


ସେଦିନର କାଳିଗାଈ କ୍ଷୀର ,କାଳି ମାଦି କୁକୁଡାର ଅଣ୍ଡା , କାଳି ଆମ୍ବର ସୁଆଦିଆ ରସ , କାଳିଆ କଣ୍ଟା ବାଇଗଣ ପୋଡାର ମହକ, କାଳିଆ ଡିହର ଗୋଦରାଗୋଡିଆ ଖମ୍ବଆଲୁର ଚହକ, କାଳି ଗଡିଆର ଫାଳିଆ କଉ  ଓ କାନ୍ଧିଆ ମାଗୁର ମାଛର ଦମକ, କାଳି ମା’ ଠାକୁରାଣୀ ମନ୍ଦିର , କାଳିମାତା ସିନେମା ଘର,କାଳିଆ ମା’ର ସ୍ନେହିଳ ହାତର ପରଶ, କଳା ମାଟି ତାୱାରେ ଗରମ ଗରମ ପିଠା ଓ କଳାହାଣ୍ଡିଆ ତାଳ ପିଠାର ସୁବାସ ......ତାଙ୍କୁ ରାଜଧାନୀ ଭୁବନେଶ୍ଵରର ରାଜମହଲ ଛକର ଜାକଜମକ ସହରୀ ଚମକ ବିଜୁଳିବତୀର ଝିଲ ମିଲ ସହରୀ ସଭ୍ୟତାର ଫଁପା ପୋଲା ଅସଲି ଚେହେରା ବେଶ ବୋଧଗମ୍ୟ ହୋଇଯାଇଥିଲା । ଆତ୍ମସମ୍ମାନ ଆଉ ଖାତିର ପାଇଁ ତ କେବଳ ଚାକିରି କରିଥିଲେ । ମାତ୍ର ମନ ତ ସବୁବେଳେ ଗାଁରେ ବନ୍ଧା । ପିଲାମାନେ ତ ଉଡିଗଲେ ନିଜ ନିଜ ନୀଡ ବନେଇଲେ ।


 ଫୁଲ-ପରିବା ବାଡିର ଅନ୍ୟଏକ ଆକର୍ଷଣ ହେଲା ଜେଜେବାପା ଲଗେଇଥିବା ଆମ୍ବଗଛ । କୈବଲ୍ୟ ବାବୁଙ୍କ ବାଲ୍ୟାବସ୍ଥାରେ ଜେଜେ ଦୈତ୍ୟାରି ଜେନା ବାଲେଶ୍ଵର ସହରରୁ ବାଇଗଣପଳେଇ ଆମ୍ବ ଘରେ ଖାଇବା ପାଇଁ ଆଣିଥିଲେ ଆଉ ଗୋଟେ ଆମ୍ବ ଟାକୁଆଟିକୁ ନେଇ ଘରବାଡିର ଐଶାନ୍ୟ କୋଣରେ ପୋତିଦେଇଥିଲେ ଏବଂ ଛୋଟ କୈବଲ୍ୟ ଦ୍ୱାରା ପ୍ରଥମେ ପାଣି ଦିଆଇଥିଲେ ---- ଝାପସା ଝାପସା ମନେପଡୁଛି ।


“ ଛୁଆ ---ଆମ୍ବ ପାଚିଲେ ଖାଇବୁ ଆଉ ଏ ବୁଢା ଜେଜେକୁ ମନେ ପକେଇବୁ । ବାଳ ପାଚିଲାଣି ....ଆରପାରିକୁ ଟିକଟ କଟାସାରିଲିଣି .....ଗଛର ଯତ୍ନ ନେବୁ ବାପ !”

ଛୋଟ ବେଳେ ଏ ସବୁ କଥାର ମର୍ମ ସେ ଜମା ବୁଝିପାରୁନଥିଲେ ମାତ୍ର ଆଜି ଏ ପଶ୍ଚିମ ଜୀବନରେ ସେ ବେଶ ବୁଝିପାରୁଛନ୍ତି ।


ସେହି ଆମ୍ବ ଗଛଟି ଆଜି ଏକ ମହାଦ୍ରୁମ ପରି ଛିଡା ହୋଇଛି । ଶାଖା-ପ୍ରଶାଖାରେ ଭରପୁର । ବର୍ଷକୁ ବଉଳରେ ଗାଦୁଲ-ମାଦୁଲ ହୋଇଯାଏ । ମହୁପୋକମାନେ ଦଳ ଦଳ ହୋଇ ଆମ୍ବ ମଞ୍ଜରୀର ଚାରିପାଖରେ ବେଢିଯାନ୍ତି । ବାଘୁଆ ମହୁବସା ବି ହୋଇଛି । ଆମ୍ବ ବାଦ ଯିବାର ନାହିଁ । ନେଥି ପଡେ ପେନ୍ଥି ପଡେ । ପତର ଦେଖାଯାଏନି । କଞ୍ଚା ବେଳେ ହାଣ୍ଡି ହାଣ୍ଡି ଆମ୍ବୁଲ ଓ ଆଚାର ପାଇଁ କଞ୍ଛାମାଲ ହୋଇଯାଏ । ଆମ୍ବଟା ପାଚିଲେ ରଙ୍ଗଟା ପୁରା ହଳଦିଆ ନ ଦିଶିଲେ ବି ସୁନ୍ଦରିଆ ମୁଣ୍ଡି ଆଡକୁ ହୋଇଯାଏ । ମାଠିଆରେ ବା ପାତନାରେ ଅଧାପାଚିଲା ରାୟାଁ ଆମ୍ବ ପକେଇକରି ସକାଳୁ ମୁଢି ସାଙ୍ଗରେ ଖାଇଲେ କି ସୁଆଦିଆ – ଅମୃତ ମଣୋହି ।


ଦୈନିକ ପ୍ରାତଃ ଭ୍ରମଣରୁ ଫେରି କାଳିଆର କିଂକର କୈବଲ୍ୟ ବାବୁ ଫୁଲ-ପରିବା ବାଡିକୁ ଯାଆନ୍ତି । ବାଉଁଶ ତାଟି ଖୋଲିବା ବେଳେ ତାଙ୍କର ନଜର ପଡେ ଜେଜେଙ୍କ ଆମ୍ବ ଗଛ ଉପରେ । ଗୋଟିଏ ଶୁଖିଲା ପତର ଧପକିନା ଖସିପଡେ । ଯେମିତି ଜେଜେ ଆଖିରେ ପଲକ ନ ପକେଇ ତାକୁ ବରାଭୟ ଦେଉଛନ୍ତି ,ତାଙ୍କର ଅଭୟ ହାତ ପ୍ରସାରୀ ସ୍ନେହ-ଆଶୀର୍ବାଦର ଫଲଗୁ-ଧାରା ଶୁଖିଲା ଆମ୍ବ ପତ୍ର ମାଧ୍ୟମରେ ସୁଚେଇଦେଉଛନ୍ତି । ଜେଜେଙ୍କର ସେହି ଶାନ୍ତ –ସରଳ କଥା ସବୁ ତାଙ୍କ କାନ ପାଖରେ ଯେମିତି ଶୁଭିଯାଏ ।


୧. ପାଚିଲା ଫଳ ଖାଇଲା ବେଳେ ଗଛ ଲଗେଇବା ଲୋକକୁ ମନେ ପକେଇବା ଆଉ ଅନ୍ତରରୁ ଧନ୍ୟବାଦ ଦେବା ଫାରାସୀ ଦାର୍ଶନିକ ଭଲଟେୟାରଙ୍କୁ ମନେ ପକେଇଦିଏ ।

୨. କର୍ନାଟକର ସାଲୁମାରାଡା ଥିମ୍ମାକ୍କାଙ୍କ ୩୯୫ ବରଗଛ ଲଗେଇବାର କାହାଣୀ, ହୋଲିକୁଲ ଓ କୁଡ଼ୁର ମଧ୍ୟରେ ଦୀର୍ଘ ୪ କିଲୋମିଟର ଜାତୀୟ ରାଜମାର୍ଗ- ବରଗଛ ମାର୍ଗ –ଥିମ୍ମାକା ମାର୍ଗ କଥାବି ସୁଚେଇ ଦିଏ । 

୩. ଆସାମ ରାଜ୍ୟର ମୋଲାଇ ପାୟେଙ୍ଗ ଯାଧବ ଜିଏକି ଜୋରହାଟର କୋକିଳାମୁଖରେ ଥିବା ବ୍ରହ୍ମପୁତ୍ର ନଦୀର ଟାପୁକୁ ନିଜେ ଏକାକୀ ଏକ ସୁନ୍ଦର ଜଙ୍ଗଲରେ ପରିଣତ କରିଦେଇଥିଲେ ସ୍ମରେଇ ଦିଏ ।

  ଏମିତି କେତେ ଅସରନ୍ତି କଥା-ଉପଦେଶ ସବୁ ଗୋଗୋଲ ଆସିଷ୍ଟାନ୍ତ ପରି ହାଜର ହୋଇ ଯାଆନ୍ତି , ୱିକିପେଡିଆ ପରି ଜ୍ଞାନର ଦଶ ଦ୍ଵାର ଖୋଲି ହୋଇଯାଏ , ସମସ୍ୟାର ଆଶୁ ଓ ସଠିକ ସମାଧାନ ମିଳିଯାଏ । ମନେହୁଏ ଯେମିତି ଆମ୍ବ ପତ୍ର ଖସିବା ଆଳରେ ଜେଜେ ଦୈତାରୀ ଜେନା ଆଖିର ମଣି କୂଳ ପ୍ରଦୀପ କୈବଲ୍ୟ ଚନ୍ଦ୍ରମଣୀଙ୍କୁ କିଛି ଆଂଶିକ ନୁହେଁ ବରଂ ଇଶାରାରେ କୂଳ-କିନାରା ସହିତ ବିନ୍ଦୁରେ ସିନ୍ଧୁ ଦର୍ଶନ କରେଇ ଦେଇଛନ୍ତି ।


ଆପେ ଆପେ ଆମ୍ବ ପତ୍ର ପଡୁଥିବା ମାଟିକୁ ନାତି କୈବଲ୍ୟ ବାବୁ ଚନ୍ଦନ ଟୀକା ପରି ଲେପନ କରିବାକୁ ଆଉ ଜେଜେଙ୍କୁ ବନ୍ଧନ ଆଉ ଅଭିନନ୍ଦନ କରିବାକୁ ପଶ୍ଚିମ ବୟସରେ ବି କେବେ ଭୁଲି ନାହାନ୍ତି । ଭୁଲିବେ ବା କେମିତି ? ଜେଜେ –ନାତିର ସଂପର୍କ ତ ଦୁଇ ପିଢୀର ବୋଲି ଲୋକେ କହନ୍ତି । କିନ୍ତୁ ପୁଣି ଆମ୍ବଗଛର ନିଚ୍ଛକ ଜ୍ଞାନଗଙ୍ଗା ଅତୀତ ଆଉ ବର୍ତ୍ତମାନ ମଧ୍ୟରେ ସେତୁ ବାନ୍ଧିଛି ।


 ପେଟ ଟିକିଏ କୁଳୁ କୁଳୁ ଶବ୍ଦ କଲାରୁ କୈବଲ୍ୟ ବାବୁ ଚିନ୍ତା ରାଜ୍ୟରୁ ଫେରିଲେ । ଭୋକ ହେଲାଣି ।ଏ ବୟସରେ ଭୋକ କ’ଣ ସହି ହୁଏ ? ବାଉଁଶ ତାଟି ବନ୍ଦ କଲେ । ଘର ମୁଁହା ହେଲେ । କିନ୍ତୁ ପଛକୁ ଫେରି ଆମ୍ବ ଗଛକୁ ଚାହିଁ ରହିଲେ । ଦଳେ ବଗୁଲା ଆକାଶର ଅଗଣା ଚିରି ଆମ୍ବ ଗଛକୁ ଉହାଡ କରି ଅଜଣା ଅମୁହାଁ ଚାଲିଥିଲେ ଦୂର ଦିଗବଳୟ କୂଳେ ..... । 



Rate this content
Log in

Similar oriya story from Inspirational