The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Panchanan Jena

Inspirational

3.8  

Panchanan Jena

Inspirational

ବିନ୍ଦୁରେ ସିନ୍ଧୁ

ବିନ୍ଦୁରେ ସିନ୍ଧୁ

4 mins
569


ଜାତି ପ୍ରଜାତିର ରଙ୍ଗ ବେରଙ୍ଗର ଫୁଲବଗିଚାର ମଝିରେ ମଝିରେ ଗୋଟେ ଦିଇଟା ପରିବା ଗଛ –କଣ୍ଟା ବାଇଗଣ ଚାରିଟା , ଧାନୁଆ ଲଙ୍କା ଦଶଟା , ଭେଣ୍ଢି ସାତ ଆଠଟା, ଖୋସଳା ଶାଗ ପଟାଳି, କୁନ୍ଦୁରୀ ମଞ୍ଚାଏ, ଲାଉ-କଖାରୁ ମନ୍ଦାଏ ମନ୍ଦାଏ --- ଏମିତି କେତେ କ’ଣ ହରା ଭରା ଫୁଲ-ପରିବା ବାଡିରେ କୈବଲ୍ୟ ବାବୁଙ୍କୁ ସକାଳ ସମୟଟା ବିତେଇବାକୁ ବହୁତ ଭଲ ଲାଗେ | ସୂର୍ଯ୍ୟ ଉଠିବା ପୂର୍ବରୁ ଶେଯ ଛାଡନ୍ତି ;ବଙ୍କୁଲି ବାଡିଟା ଧରି ପ୍ରାତଃ ଭ୍ରମଣରେ ତାଜା ହାୱା ଖାଇବାକୁ ବହେ ଚାଲନ୍ତି | ଚାକିରି ଜୀବନରୁ ଅଭ୍ୟାସଟା ଦେହସୁଆ ହୋଇ ରହିଯାଇଛି, ଛାଡିପାରୁନାହାନ୍ତି | ଛାଡିବାକୁ ବି ଇଚ୍ଛା ହେଉନି | ସେତେବେଳେ ଭୂବନେଶ୍ଵର ବାପୁଜୀନଗରର ଓସାରିଆ କଲୋନୀ ରାସ୍ତାରେ ଦଉଡୁଥିଲେ, ଯୋଗିଙ୍ଗ କରୁଥିଲେ | ମାତ୍ର ଆଜି ଅବସର ପରେ ବଙ୍କୁଲି ବାଡିର ସାହାରାରେ ଥଙ୍ଗେଇ ମଙ୍ଗେଇ ଚାଲୁଛନ୍ତି ନିଜ ଭିଟାମାଟି ବଗଦା ଗାଁର ଝାଟିମାଟିଆ ବଡଦାଣ୍ଡରେ |


କୈବଲ୍ୟ ବାବୁଙ୍କୁ ୮୨ବର୍ଷ ହେଲାଣି | କମର ଧାପି ଆସିଲାଣି | ଜୋରରେ କଥା କହିଲେ କି ହସିଲେ ହାଇଁ ପାଇଁ ଧଇଁ ସଇଁ ହୋଇଯାଆନ୍ତି |ତଥାପି ବେଶ ସତେଜ-ନିରୋଗ ଲାଗନ୍ତି | ଚିରାଚରିତ ବ୍ଲଡ଼ପ୍ରେସର-ସୁଗାର-ମଧୁମେହ ଇତ୍ୟାଦି ରୋଗ ତାଙ୍କ ପାଖ ମାଡିପାରିନି | ଏବଂ ଏହାର ସେ ଶ୍ରେୟ ଦିଅନ୍ତି ତାଙ୍କର ଦେହ ଝାଳରେ ଉଗେଇଥିବା ରାସାୟନିକ ସାର ରହିତ ବାଡ଼ି ପରିବା ତରକାରୀ ଓ ନାଲି-ଧଳା-ନେଳି ଫୁଲଭରା ବଗିଚା ; ତାଙ୍କ ଜୀବନ ବଗିଚାରେ ଭରିଦେଇଛି ଆଣିଦେଇଛି କୁସୁମର କୋମଳତା-ସୁବାସିତ ସୌରଭିତ ମାନବିକତା ;ପରିବାର ଛନ ଛନ ପରିଷ୍କାର ପରିଚ୍ଛନ୍ନତା ଆଉ ସୁସ୍ଥ-ସତେଜ-ରଙ୍ଗୀନ ଭାବପ୍ରବଣତା | ଘଣ୍ଟା ଘଣ୍ଟା ଧରି ଫୁଲ ପଖୋଡାକୁ ଫୁ ଫୁ କରି ହଲେଇବା, ପୋକ ଘଉଡେଇବା ବାହାନାରେ କଷି ପରିବାକୁ ଛୁଇଁବାରେ ଯେଉଁ ମଜା ,ଯେଉଁ ଅପାର-ନୈସର୍ଗିକ ସୁଖ ଶାନ୍ତି ମିଳେ, ତାହାହିଁ କୈବଲ୍ୟ ବାବୁଙ୍କୁ ଟାଣିଆଣିଛି ରାଜଧାନୀର ରାଜପଥରୁ ଜନ୍ମମାଟିର ବଡଦାଣ୍ଡକୁ |



ସେଦିନର କାଳିଗାଈ କ୍ଷୀର ,କାଳି ମାଦି କୁକୁଡାର ଅଣ୍ଡା , କାଳି ଆମ୍ବର ସୁଆଦିଆ ରସ , କାଳିଆ କଣ୍ଟା ବାଇଗଣ ପୋଡାର ମହକ, କାଳିଆ ଡିହର ଗୋଦରାଗୋଡିଆ ଖମ୍ବଆଲୁର ଚହକ, କାଳି ଗଡିଆର ଫାଳିଆ କଉ  ଓ କାନ୍ଧିଆ ମାଗୁର ମାଛର ଦମକ, କାଳି ମା’ ଠାକୁରାଣୀ ମନ୍ଦିର , କାଳିମାତା ସିନେମା ଘର,କାଳିଆ ମା’ର ସ୍ନେହିଳ ହାତର ପରଶ, କଳା ମାଟି ତାୱାରେ ଗରମ ଗରମ ପିଠା ଓ କଳାହାଣ୍ଡିଆ ତାଳ ପିଠାର ସୁବାସ ......ତାଙ୍କୁ ରାଜଧାନୀ ଭୁବନେଶ୍ଵରର ରାଜମହଲ ଛକର ଜାକଜମକ ସହରୀ ଚମକ ବିଜୁଲଳିବତୀର ଝିଲ ମିଲ ସହରୀ ସଭ୍ୟତାର ଫଁପା ପୋଲା ଅସଲି ଚେହେରା ବେଶ ବୋଧଗମ୍ୟ ହୋଇଯାଇଥିଲା | ଆତ୍ମସମ୍ମାନ ଆଉ ଖାତିର ପାଇଁ ତ କେବଳ ଚାକିରି କରିଥିଲେ | ମାତ୍ର ମନ ତ ସବୁବେଳେ ଗାଁରେ ବନ୍ଧା | ପିଲାମାନେ ତ ଉଡିଗଲେ ନିଜ ନିଜ ନୀଡ ବନେଇଲେ ......|


 ଫୁଲ-ପରିବା ବାଡିର ଅନ୍ୟଏକ ଆକର୍ଷଣ ହେଲା ଜେଜେବାପା ଲଗେଇଥିବା ଆମ୍ବଗଛ | କୈବଲ୍ୟ ବାବୁଙ୍କ ବାଲ୍ୟାବସ୍ଥାରେ ଜେଜେ ଦୈତ୍ୟାରି ଜେନା ବାଲେଶ୍ଵର ସହରରୁ ବାଇଗଣପଳେଇ ଆମ୍ବ ଘରେ ଖାଇବା ପାଇଁ ଆଣିଥିଲେ ଆଉ ଗୋଟେ ଆମ୍ବ ଟାକୁଆଟିକୁ ନେଇ ଘରବାଡିର ଐଶାନ୍ୟ କୋଣରେ ପୋତିଦେଇଥିଲେ ଏବଂ ଛୋଟ କୈବଲ୍ୟ ଦ୍ୱାରା ପ୍ରଥମେ ପାଣି ଦିଆଇଥିଲେ ---- ଝାପସା ଝାପସା ମନେପଡୁଛି .......|


“ ଛୁଆ ---ଆମ୍ବ ପାଚିଲେ ଖାଇବୁ ଆଉ ଏ ବୁଢା ଜେଜେକୁ ମନେ ପକେଇବୁ | ବାଳ ପାଚିଲାଣି ....ଆରପାରିକୁ ଟିକଟ କଟାସାରିଲିଣି .....ଗଛର ଯତ୍ନ ନେବୁ ବାପ !”


ଛୋଟ ବେଳେ ଏ ସବୁ କଥାର ମର୍ମ ସେ ଜମା ବୁଝିପାରୁନଥିଲେ ମାତ୍ର ଆଜି ଏ ପଶ୍ଚିମ ଜୀବନରେ ସେ ବେଶ ବୁଝିପାରୁଛନ୍ତି |


ସେହି ଆମ୍ବ ଗଛଟି ଆଜି ଏକ ମହାଦ୍ରୁମ ପରି ଛିଡା ହୋଇଛି | ଶାଖା-ପ୍ରଶାଖାରେ ଭରପୁର | ବର୍ଷକୁ ବଉଳରେ ଗାଦୁଲ-ମାଦୁଲ ହୋଇଯାଏ | ମହୁପୋକମାନେ ଦଳ ଦଳ ହୋଇ ଆମ୍ବ ମଞ୍ଜରୀର ଚାରିପାଖରେ ବେଢିଯାନ୍ତି | ବାଘୁଆ ମହୁବସା ବି ହୋଇଛି | ଆମ୍ବ ବାଦ ଯିବାର ନାହିଁ | ନେଥି ପଡେ ପେନ୍ଥି ପଡେ | ପତର ଦେଖାଯାଏନି | କଞ୍ଚା ବେଳେ ହାଣ୍ଡି ହାଣ୍ଡି ଆମ୍ବୁଲ ଓ ଆଚାର ପାଇଁ କଞ୍ଛାମାଲ ହୋଇଯାଏ | ଆମ୍ବଟା ପାଚିଲେ ରଙ୍ଗଟା ପୁରା ହଳଦିଆ ନ ଦିଶିଲେ ବି ସୁନ୍ଦରିଆ ମୁଣ୍ଡି ଆଡକୁ ହୋଇଯାଏ | ମାଠିଆରେ ବା ପାତନାରେ ଅଧାପାଚିଲା ରାୟାଁ ଆମ୍ବ ପକେଇକରି ସକାଳୁ ମୁଢି ସାଙ୍ଗରେ ଖାଇଲେ କି ସୁଆଦିଆ – ଅମୃତ ମଣୋହି |


ଦୈନିକ ପ୍ରାତଃ ଭ୍ରମଣରୁ ଫେରି କାଳିଆର କିଂକର କୈବଲ୍ୟ ବାବୁ ଫୁଲ-ପରିବା ବାଡିକୁ ଯାଆନ୍ତି | ବାଉଁଶ ତାଟି ଖୋଲିବା ବେଳେ ତାଙ୍କର ନଜର ପଡେ ଜେଜେଙ୍କ ଆମ୍ବ ଗଛ ଉପରେ | ଗୋଟିଏ ଶୁଖିଲା ପତର ଧପକିନା ଖସିପଡେ | ଯେମିତି ଜେଜେ ଆଖିରେ ପଲକ ନ ପକେଇ ତାକୁ ବରାଭୟ ଦେଉଛନ୍ତି ,ତାଙ୍କର ଅଭୟ ହାତ ପ୍ରସାରୀ ସ୍ନେହ-ଆଶୀର୍ବାଦର ଫଲଗୁ-ଧାରା ଶୁଖିଲା ଆମ୍ବ ପତ୍ର ମାଧ୍ୟମରେ ସୁଚେଇଦେଉଛନ୍ତି | ଜେଜେଙ୍କର ସେହି ଶାନ୍ତ –ସରଳ କଥା ସବୁ ତାଙ୍କ କାନ ପାଖରେ ଯେମିତି ଶୁଭିଯାଏ |


୧. ପାଚିଲା ଫଳ ଖାଇଲା ବେଳେ ଗଛ ଲଗେଇବା ଲୋକକୁ ମନେ ପକେଇବା ଆଉ ଅନ୍ତରରୁ ଧନ୍ୟବାଦ ଦେବା ଫାରାସୀ ଦାର୍ଶନିକ ଭଲଟେୟାରଙ୍କୁ ମନେ ପକେଇଦିଏ |

୨. କର୍ନାଟକର ସାଲୁମାରାଡା ଥିମ୍ମାକ୍କାଙ୍କ ୩୯୫ ବରଗଛ ଲଗେଇବାର କାହାଣୀ, ହୋଲିକୁଲ ଓ କୁଡ଼ୁର ମଧ୍ୟରେ ଦୀର୍ଘ ୪ କିଲୋମିଟର ଜାତୀୟ ରାଜମାର୍ଗ- ବରଗଛ ମାର୍ଗ –ଥିମ୍ମାକା ମାର୍ଗ କଥାବି ସୁଚେଇ ଦିଏ | 

୩. ଆସାମ ରାଜ୍ୟର ମୋଲାଇ ପାୟେଙ୍ଗ ଯାଧବ ଜିଏକି ଜୋରହାଟର କୋକିଳାମୁଖରେ ଥିବା ବ୍ରହ୍ମପୁତ୍ର ନଦୀର ଟାପୁକୁ ନିଜେ ଏକାକୀ ଏକ ସୁନ୍ଦର ଜଙ୍ଗଲରେ ପରିଣତ କରିଦେଇଥିଲେ ସ୍ମରେଇ ଦିଏ |

  ଏମିତି କେତେ ଅସରନ୍ତି କଥା-ଉପଦେଶ ସବୁ ଗୋଗୋଲ ଆସିଷ୍ଟାନ୍ତ ପରି ହାଜର ହୋଇ ଯାଆନ୍ତି , ୱିକିପେଡିଆ ପରି ଜ୍ଞାନର ଦଶ ଦ୍ଵାର ଖୋଲି ହୋଇଯାଏ , ସମସ୍ୟାର ଆଶୁ ଓ ସଠିକ ସମାଧାନ ମିଳିଯାଏ | ମନେହୁଏ ଯେମିତି ଆମ୍ବ ପତ୍ର ଖସିବା ଆଳରେ ଜେଜେ ଦୈତାରୀ ଜେନା ଆଖିର ମଣି କୂଳ ପ୍ରଦୀପ କୈବଲ୍ୟ ଚନ୍ଦ୍ରମଣୀଙ୍କୁ କିଛି ଆଂଶିକ ନୁହେଁ ବରଂ ଇଶାରାରେ କୂଳ-କିନାରା ସହିତ ବିନ୍ଦୁରେ ସିନ୍ଧୁ ଦର୍ଶନ କରେଇ ଦେଇଛନ୍ତି |


ଆପେ ଆପେ ଆମ୍ବ ପତ୍ର ପଡୁଥିବା ମାଟିକୁ ନାତି କୈବଲ୍ୟ ବାବୁ ଚନ୍ଦନ ଟୀକା ପରି ଲେପନ କରିବାକୁ ଆଉ ଜେଜେଙ୍କୁ ବନ୍ଧନ ଆଉ ଅଭିନନ୍ଦନ କରିବାକୁ ପଶ୍ଚିମ ବୟସରେ ବି କେବେ ଭୁଲି ନାହାନ୍ତି | ଭୁଲିବେ ବା କେମିତି ? ଜେଜେ –ନାତିର ସଂପର୍କ ତ ଦୁଇ ପିଢୀର ବୋଲି ଲୋକେ କହନ୍ତି | କିନ୍ତୁ ପୁଣି ଆମ୍ବଗଛର ନିଚ୍ଛକ ଜ୍ଞାନଗଙ୍ଗା ଅତୀତ ଆଉ ବର୍ତ୍ତମାନ ମଧ୍ୟରେ ସେତୁ ବାନ୍ଧିଛି |


 ପେଟ ଟିକିଏ କୁଳୁ କୁଳୁ ଶବ୍ଦ କଲାରୁ କୈବଲ୍ୟ ବାବୁ ଚିନ୍ତା ରାଜ୍ୟରୁ ଫେରିଲେ | ଭୋକ ହେଲାଣି |ଏ ବୟସରେ ଭୋକ କ’ଣ ସହି ହୁଏ ? ବାଉଁଶ ତାଟି ବନ୍ଦ କଲେ | ଘର ମୁଁହା ହେଲେ | କିନ୍ତୁ ପଛକୁ ଫେରି ଆମ୍ବ ଗଛକୁ ଚାହିଁ ରହିଲେ | ଦଳେ ବଗୁଲା ଆକାଶର ଅଗଣା ଚିରି ଆମ୍ବ ଗଛକୁ ଉହାଡ କରି ଅଜଣା ଅମୁହାଁ ଚାଲିଥିଲେ ଦୂର ଦିଗବଳୟ କୂଳେ                 


Rate this content
Log in

More oriya story from Panchanan Jena

Similar oriya story from Inspirational