ଓଡିଆ ଶିଶୁ ଗପ

Classics

2  

ଓଡିଆ ଶିଶୁ ଗପ

Classics

ବିକ୍ରମ ବେତାଳ - ୧୨

ବିକ୍ରମ ବେତାଳ - ୧୨

5 mins
7.3K


ପୁଣ୍ୟଦାନର ମହିମା - ୨

ଗୁଣଗୁପ୍ତ ତା’ ପିତାଙ୍କର ଏପରି ପ୍ରସ୍ତାବରେ ଆଦୌ ରାଜି ହେଲେ ନାହିଁ । ଭଗ୍ନ ହୃଦୟରେ ଧନଗୁପ୍ତ ଅନ୍ୟମାନଙ୍କ ସେବାକାର୍ଯ୍ୟ ଉଦ୍ଧେଶ୍ୟରେ ଗୃହତ୍ୟାଗ କଲେ । ସେହି ଦିନଠାରୁ ଗୁଣଗୁପ୍ତ ସକଳ ପ୍ରକାରର ପୁଣ୍ୟ କର୍ମରେ ଲାଗି ପଡିଲେ । ଯେପରିକି ଗ୍ରାମରେ ମାଗଣା ଚିକତ୍ସାଳୟ କରାଇଲେ । ଗ୍ରାମରେ ଏକ ବିଦ୍ୟାଳୟ ସ୍ଥାପନ କଲେ ଓ ସେଠାରେ ଶିକ୍ଷାଲାଭ ସୁଯୋଗ ଦେଲେ । ଅଭାବୀ ଲୋକମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସାହାଯ୍ୟ କଲେ । ଏହିପରି ଏକବର୍ଷ ବିତିଗଲା । ଯେତେ ଖର୍ଚ୍ଚ କଲେ ମଧ୍ୟ ପିତାଙ୍କର ଧନକ୍ଷୟ ଆଦୌ ହେଲାନାହିଁ । ଓଲଟି ଆମଦାନୀ ଦିନକୁ ଦିନ ବଢିଚାଲିଲା । କିନ୍ତୁ ପୁତ୍ର ମଣିଗୁପ୍ତର ସ୍ୱାସ୍ଥ୍ୟର ଅବସ୍ଥା ମୋଟେ ବଦଳିଲା ନାହିଁ ।

ସମୟାନୁକ୍ରମେ ଗୁଣଗୁପ୍ତଙ୍କର ଦାନ ଧର୍ମ କଥା ସାରା ଦେଶରେ ପ୍ରଚାରିତ ହେଲା । କିନ୍ତୁ କୌଣସି ପ୍ରକାରର ପ୍ରଶଂସା ଗୁଣଗୁପ୍ତଙ୍କର ମନରେ ସଂତୃପ୍ତି ଆଣୁ ନଥାଏ । ପ୍ରତ୍ୟେକ ଦିନ ସେ ତାଙ୍କ ପୁତ୍ର ନିକଟକୁ ଯାଇ ତା’ର ଦୁଃସ୍ଥିତି ଦେଖି ଅଶ୍ରୁ ଝରାଉଥାନ୍ତି । ଗୋଟିଏ କଥା ତାଙ୍କୁ ବେଶି ଦୁଃଖ ଦେଉଥାଏ ଯେ, ତାଙ୍କର ସମସ୍ତ ପୁଣ୍ୟକର୍ମ ବିଫଳ ହେଉଛି ଓ ତାଙ୍କର ପୁତ୍ରର ଅବସ୍ଥା ଯମା ବଦଳୁ ନାହିଁ । ଦିନେ ତାଙ୍କର ସମସ୍ତ ନିକଟ ସମ୍ପର୍କୀୟମାନେ ତାଙ୍କ ଗୃହରେ ଆସି ସମ୍ମିଳିତ ହେଲେ । ସେମାନେ ତାଙ୍କୁ ପରାମର୍ଶ ଦେଲେ – ତୁମର ପୁଣ୍ୟ, ତୁମର କେଉଁ କାମରେ ଆସୁଛି..? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଧନ ଉପାର୍ଜନ କରି ଯାହାକୁ ନାହିଁ ତାହାକୁ ବାଂଟିଲେ ପୁଣ୍ୟ ଅର୍ଜନ କରି ହୁଏ ନାହିଁ । ତେଣୁ ତୁମେ ଏବେ ଏପରି ପୁଣ୍ୟ କାର୍ଯ୍ୟ ଛାଡି ଦେଶ ବିଦେଶରେ ନିଜର ବ୍ୟବସାୟ ପ୍ରସାରିତ କର । ଆମେ ଏଥିରେ ତୁମକୁ ନିଶ୍ଚୟ ସାହାଯ୍ୟ କରିବୁ ।

ଗୁଣଗୁପ୍ତ ସେମାନଙ୍କ କଥାରେ ଆଦୌ ପ୍ରଭାବିତ ହେଲେ ନାହିଁ । ସିଧାସଳଖ ଜଣାଇ ଦେଲେ ଯେ, ମୋର ପୁଣ୍ୟ କାର୍ଯ୍ୟ ବଳରେ ଗରିବ, ଅସହାୟ ଲୋକମାନେ ଉପକୃତ ହେଉଛନ୍ତି । ସେଇଥିରେ ହିଁ ମୋର ଖୁସି । ଏବେ ମୋର ବ୍ୟବସାୟ ଠିକ୍ ଚାଲିଛି । ସେଥିପାଇଁ ଚିନ୍ତିତ ହେବାର କୌଣସି କାରଣ ହିଁ ନାହିଁ । ଏପରି କହି ସେ ଗୁଣଗୁପ୍ତ ସେମାନଙ୍କୁ ସେଠାରୁ ବିଦା କରିଦେଲେ ।

ଠିକ୍ ସେହି ସମୟକୁ ସେ ଦେଶର ରାଜା ପୀଡିତ ହୋଇ ପଡିଲେ । କାହିଁକିନା ତା’ଙ୍କ ପିଠିରେ ଏକ ବିଷାକ୍ତ ଘାଆ ବାହାରିଥାଏ । ଯେତେ ପ୍ରକାର ଚିକିତ୍ସା କଲେ ବି ତାହା ଆଦୌ ଶୁଖୁନଥାଏ । ଶେଷକୁ ବୈଦ୍ୟମାନେ ନିରାଶ ହୋଇ ପଡିଲେ ଓ ରାଜାଙ୍କର ମୃତ୍ୟୁ ଆସନ୍ନ ହୋଇ ଆସିଲା । ରାଜା ଶାସନ ଭାର ମନ୍ତ୍ରୀମାନଙ୍କ ହାତରେ ଅର୍ପଣ କରି ସାଧୁ ମେଳରେ ଯାଇ ଦିନ ବିତାଇଲେ ।

ଥରେ ମହାନନ୍ଦ ସେ ରାଜାଙ୍କୁ ଦେଖିବାକୁ ଆସିଥିଲେ । ରାଜାଙ୍କର ଅବସ୍ଥା ଦେଖି ସେ ଦୟାର୍ଦ୍ର ହୃଦୟରେ କହିଲେ ମଣିମା, ସ୍ୱୀକାର କରୁଛି – ଆପଣ ଜଣେ ସଜ୍ଜନ, ସତ୍ ପୁରୁଷ ଅଟନ୍ତି । କିନ୍ତୁ ରାଜା ଭାବରେ ନିଜର ଅଜାଣତରେ ଆପଣ ଅନେକ ଅନ୍ୟାୟ ଅତ୍ୟାଚାର କରିଛନ୍ତି । ଆପଣଙ୍କ ଯୋଗୁଁ ଅନେକ ନିର୍ଦୋଷୀଙ୍କୁ ମଧ୍ୟ ଦଣ୍ଡ ଭୋଗିବାକୁ ପଡିଛି । କେତେଜଣ ଦୋଷୀ ବି ଖସି ଯାଇଛନ୍ତି, ଓ ଆହୁରି ଅନେକ କୁକର୍ମରେ ଲିପ୍ତ ଅଛନ୍ତି । ଏହି ପାପ ଆପଣଙ୍କ ଶରୀରରେ ଘାଆ ହୋଇ ବାହାରିଛି । ତେଣୁ ଏହା ଉପରେ କୌଣସି ପ୍ରକାରର ଔଷଧ କାମ କରୁନି । ଏହାର ଚିକିତ୍ସା ମଧ୍ୟ ସମ୍ଭବ ନୁହେଁ । କିନ୍ତୁ… ହଁ, ଯଦି ଆପଣଙ୍କର ରାଜ୍ୟର କେହି ପୁଣ୍ୟାତ୍ମା ନାଗରିକ ତା’ର ପୁଣ୍ୟ ଆପଣଙ୍କୁ ସମର୍ପିତ କରେ ତେବେ ଯାଇ ଆପଣଙ୍କ ଶରୀରରୁ ଏହି ବିଷାକ୍ତ ଘା’ ଆପେ ଆପେ ଭଲ ହୋଇଯିବ । ଏପରି କଥା ଶୁଣି ଆତୁର ହୋଇ ରାଜା ପଚାରିଲେ, ଆପଣଙ୍କ ଦୃଷ୍ଟିରେ ଏପରି ପୁଣ୍ୟବାନ୍ ଆମ ରାଜ୍ୟରେ କେହି ଅଛନ୍ତି କି? ତାଙ୍କର ନାମ କ’ଣ? ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହାନନ୍ଦ ତୁରନ୍ତ ଗୁଣଗୁପ୍ତ ନାମ ଉଚ୍ଚାରଣ କଲେ । ତାପରେ ସେ ମହାରାଜା ଗୁଣଗୁପ୍ତଙ୍କୁ ଡକାଇ ନିଜର ମତ ବ୍ୟକ୍ତ କଲେ ।

ଗୁଣଗୁପ୍ତ କହିଲେ, “ମହାରାଜ ! ମୋର ମନେହୁଏ ମୋ ପୁଣ୍ୟ ଆପଣଙ୍କର କାମରେ ଆଦୌ ଆସିବ ନାହିଁ । କାରଣ ମୋ’ ପୁଣ୍ୟ ବଳରେ ମୋ ପୁତ୍ରର ଅବସ୍ଥା ମୁଁ ତ ସାମାନ୍ୟ ଟିକେ ବି ବଦଳାଇ ପାରି ନାହିଁ ।” କିନ୍ତୁ ମହାନନ୍ଦ କହିଲେ ଗୁଣଗୁପ୍ତ ତୁମ ପିତାଙ୍କ ପାପର ଫଳ ସ୍ୱରୂପ ତୁମ ପୁତ୍ର କଷ୍ଟ ଭୋଗ କରୁଛି । ଏହା ଫଳରେ ସେ ପାପମୁକ୍ତ ହେଲେ । ତମେ ତାଙ୍କର ଉତ୍ତରାଧିକାରୀ ହୋଇ ଅନେକ ପୁଣ୍ୟ କର୍ମ କରୁଛ । ସେହି ସବୁ ପୁଣ୍ୟ କର୍ମର ପ୍ରଭାବରେ ତୁମର ସମ୍ପତ୍ତି ତିନିଗୁଣ ଅଧିକ ହୋଇଛି । ତେଣୁ ତୁମର ପୁଣ୍ୟ କର୍ମର କିଛି ପ୍ରଭାବ ନାହିଁ କହିବା ମୋଟେ ଠିକ୍ ନୁହେଁ ।

ସବୁଶୁଣି ଗୁଣଗୁପ୍ତ କହିଲେ, ସ୍ୱାମୀ! ସମ୍ପତ୍ତି ଅର୍ଜନ କରିବା ପାଇଁ ମୁଁ ପୁଣ୍ୟ କାମ କରୁନାହିଁ । ମୋତେ କେବଳ ‘ମୋ’ ପୁତ୍ରର ଆରୋଗ୍ୟ ଲୋଡା । ମହାନନ୍ଦ ପୁଣି ଗୁଣଗୁପ୍ତଙ୍କୁ ବୁଝେଇଲେ ଏବେ ତମର ସମ୍ପତ୍ତିରେ ଅପାର ବୃଦ୍ଧି ଘଟିଛି । ତାହାର ଏକ ଭାଗ ତୁମ ପିତାଙ୍କର ଓ ବାକି ତିନିଭାଗ ତୁମର ଅଟେ । ଅନ୍ୟର ସମ୍ପତ୍ତି ବଳରେ ତୁମେ ପୁଣ୍ୟ କାର୍ଯ୍ୟ କଲେ ତା’ର କୌଣସି ସୁଫଳ ପାଇବ ନାହିଁ । ବରଂ ତାହା କେବଳ ତୁମର ସମ୍ପତ୍ତି ବଢାଇବାରେ ହିଁ ସାହାଯ୍ୟ କରିବ । ନିଜ ସମ୍ପତ୍ତିକୁ ଆଧାର କରି ପୁଣ୍ୟ କଲେ ତୁମର ମନସ୍କାମନା ନିଶ୍ଚୟ ପୂରଣ ହେବ । ଏକଥା ଶୁଣି ଗୁଣଗୁପ୍ତ ମହାନନ୍ଦଙ୍କ କଥାରେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ ତେବେ ଏହାର ଅର୍ଥ ହେଉଛି, ଏବେ ମୋ ପାଖରେ ମୋ ଇଚ୍ଛା ପୂରଣ କରିପାରିବା ଭଳି ପୁଣ୍ୟ ସଂଚିତ ଅଛି । ଆଉ ଯେବେ ସେହି ପୁଣ୍ୟ ମୁଁ ମହାରାଜାଙ୍କୁ ଦାନ କରିଦେବି ତେବେ ମୋ ନିକଟରେ ଆଉ କୌଣସି ପୁଣ୍ୟ ରହିବ ନାହିଁ । ଫଳରେ ମୁଁ ପୂର୍ବ ସ୍ଥିତିକୁ ଫେରିଯିବି । ତା’ହେଲେ, ମୋ ପୁତ୍ର ଯେପରି ସୁସ୍ଥ ଥିଲା, ଠିକ୍ ସେପରି ସୁସ୍ଥ ହୋଇ ଉଠିବ ତ? ସ୍ୱାମୀ ଆପଣ ମୋତେ ପରାମର୍ଶ ଦିଅନ୍ତୁ, ମୁଁ ଏବେ କଣ କରିବା ଉଚିତ୍ ହେବ ।

ଗୁଣଗୁପ୍ତଙ୍କ ସମସ୍ତ କଥା ଶୁଣି ମହାନନ୍ଦ ନିଜର ମତ ପ୍ରକାଶ କରିବାକୁ ଯାଇ କହିଲେ – “ତାହା ତ ତମେ ନିଜେ ସ୍ଥିର କର” । ଗୁଣଗୁପ୍ତ କିଛି ସମୟ ଚିନ୍ତା କରିବା ପରେ କହିଲେ, ଯଦି ମୋ ପୁଣ୍ୟ ବଳରେ ମହାରାଜାଙ୍କ ଅସୁସ୍ଥତା ଦୂର ହେବା ସମ୍ଭବ ତେବେ ଏହିକ୍ଷଣି ମୁଁ ତାଙ୍କୁ ମୋର ସମସ୍ତ ପୁଣ୍ୟ ଦାନ କରିବାକୁ ଚାହେଁ, କାରଣ ମୋ ପୁତ୍ରର ସ୍ୱାସ୍ଥ୍ୟ କେବେ ଯେ ଭଲ ହେବ ତା ତ ମୋତେ ଜଣାନାହିଁ । ମାତ୍ର ମହାରାଜା ଆରୋଗ୍ୟ ହେଲେ, ସମସ୍ତଙ୍କର କଲ୍ୟାଣ ହେବ ।

ଗୁଣଗୁପ୍ତ ରାଜାଙ୍କୁ ନିଜର ସମସ୍ତ ଅର୍ଜିତ ପୁଣ୍ୟ ସମର୍ପିତ କଲେ । ତା’ପରେ ରାଜାଙ୍କ ପିଠିରୁ ସେହି ବିଷାକ୍ତ ଘା’ ଆପେ ଆପେ ଅଦୃଶ୍ୟ ହୋଇଗଲା । ମହାରାଜା ଗୁଣଗୁପ୍ତଙ୍କୁ ପୁରସ୍କୃତ କରିବା ପାଇଁ ଚାହିଁଲେ, କିନ୍ତୁ ଗୁଣଗୁପ୍ତ ସେ ମହାରାଜାଙ୍କୁ କହିଲେ, ଆପଣ ମୋତେ ଯାହା ଦେବାକୁ ଚାହୁଁଛନ୍ତି, ତାହା ଯଦି ପ୍ରଜାମାନଙ୍କର କଲ୍ୟାଣ ନିମନ୍ତେ ବିନିଯୋଗ କରିବେ, ସେଥିରେ ମୋର ଆନନ୍ଦ । ଏହିପରି ନିଃସ୍ୱାର୍ଥପରତାର ଚରମ ଦୃଷ୍ଟାନ୍ତ ଦେଖାଇ ଗୁଣଗୁପ୍ତ ସେଠାରୁ ବିଦାୟ ନେଲେ ।

ଗୁଣଗୁପ୍ତ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ସେତେବେଳକୁ ତା’ଙ୍କ ପିତା ଧନଗୁପ୍ତ ମଧ୍ୟ ତୀର୍ଥଯାତ୍ରାରୁ ଫେରି ଆସିଥିଲେ । ଏତିକିବେଳେ ସର୍ବ ସମକ୍ଷରେ ଏକ ଅଦ୍ଭୁତ ଘଟଣା ଘଟିଲା । ସେ ଧନଗୁପ୍ତ ଆଣିଥିବା ଗଙ୍ଗାଜଳ ପାନକରି ତାଙ୍କ ନାତି ତଥା ମଣିଗୁପ୍ତ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଉଠିଲା । ଫଳରେ ସମସ୍ତେ ଆନନ୍ଦିତ ହେଲେ ।

ବେତାଳ କାହାଣୀଟିକୁ ରାଜା ବିକ୍ରମାଦିତ୍ୟଙ୍କୁ ଶୁଣାଇବା ପରେ ପ୍ରଶ୍ନ ପଚାରି କହିଲା – “ହେ ରାଜନ ଗୁଣଗୁପ୍ତ ତ ଅନେକ ପୁଣ୍ୟକାମ କଲେ । ତେଣୁ ସାରା ରାଜ୍ୟରେ ତାଙ୍କର ସୁନାମ ବ୍ୟାପିଗଲା । ଏପରି ଜଣେ ମହାନ ପୁଣ୍ୟବାନ ପୁରୁଷଙ୍କ ପୁଣ୍ୟବଳରେ ତାଙ୍କ ପୁତ୍ର ଆରୋଗ୍ୟ ହେଲା ନାହିଁ । କିନ୍ତୁ ଧନଗୁପ୍ତ ପରି ପରମ ପାପୀ ଜନ କଲ୍ୟାଣ ଦ୍ୱାରା ତାହା ସମ୍ଭବ କଲା, ଏପରି ହେଲା କାହିଁକି? ମୋର ଏହି ସନ୍ଦେହର ଉତ୍ତର ଜାଣି ମଧ୍ୟ ନିରବ ରହିଲେ, ତୁମର ଶିର ଶତଧା ବିଦୀର୍ଣ୍ଣ ହେବ ।”

ତହୁଁ ରାଜା ବିକ୍ରମାଦିତ୍ୟ ଉତ୍ତର ଦେଲେ, ଯେଉଁ ସମୟରୁ ଧନଗୁପ୍ତ ନିଜର ସମସ୍ତ ସମ୍ପତ୍ତି ପୁତ୍ର ହାତରେ ସମର୍ପଣ କରି ନାତିର ଆରୋଗ୍ୟ କାମନା ଉଦ୍ଧେଶ୍ୟରେ ଜନ କଲ୍ୟାଣରେ ବାହାରିଛି ସେହିକ୍ଷଣରୁ ସେ ଆଉ ପାପୀ ନୁହେଁ । କିନ୍ତୁ ମଣିଗୁପ୍ତ ସୁସ୍ଥ ହୋଇ ଉଠିବାର କାରଣ ଧନଗୁପ୍ତଙ୍କର ଗଙ୍ଗାଜଳ ନୁହେଁ । ତାହା କେବଳ ଗୁଣଗୁପ୍ତଙ୍କର ପୁଣ୍ୟ ବଳରୁ ହିଁ ସମ୍ଭବ ହେଲା । ଗୁଣଗୁପ୍ତ ଏବେଯାଏଁ ଯେତକ ପୁଣ୍ୟ କରିଥିଲେ, ତାହା ସ୍ୱାର୍ଥପୂର୍ଣ୍ଣ ଥିଲା । କାରଣ ତାଙ୍କର ଲକ୍ଷ୍ୟଥିଲା ନିଜ ପାଇଁ ପୁଣ୍ୟ ଅର୍ଜନ କରି ପୁତ୍ରର ସ୍ୱାସ୍ଥ୍ୟ ଭଲ କରିବା । କିନ୍ତୁ ସେ ଯେତେବେଳେ ନିଃସ୍ୱାର୍ଥପର ଭାବରେ ରାଜାଙ୍କୁ ନିଜର ସମସ୍ତ ପୁଣ୍ୟ ସମର୍ପଣ କଲେ, ତାହା ତାଙ୍କର ପୁଣ୍ୟରେ ଶକ୍ତି ଯୋଗାଇଲା । ଏପରି ସ୍ୱାର୍ଥହୀନ ଦାନ ବଳରେ ତାଙ୍କର ପୁତ୍ର ସୁସ୍ଥ ହୋଇ ଉଠିଲା । ଦାନ ମଧ୍ୟରେ ସର୍ବୋତ୍କୃଷ୍ଟ ଦାନ ହେଉଛି “ପୁଣ୍ୟ ଦାନ” । ଏହିପରି ରାଜାଙ୍କର ମୌନଭଙ୍ଗ କରିବାରେ ସଫଳ ହୋଇ ଶବ ଓ ସେ ଶବସ୍ଥିତ ବେତାଳ ରାଜାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।


Rate this content
Log in

Similar oriya story from Classics