Gobinda Chandra Sethi

Abstract Tragedy Inspirational

4.7  

Gobinda Chandra Sethi

Abstract Tragedy Inspirational

ବିଜୟିନୀ

ବିଜୟିନୀ

2 mins
26



  ଜନ୍ମ ହେବାର କିଛିକ୍ଷଣ ପରେ କଅଁଳ ଶିଶୁଟିକୁ ଝୁଡିରେ ଭର୍ତ୍ତି କରି କିଏ କିପରି କିଆବୁଦା ମୂଳେ ପାହାନ୍ତା ପ୍ରହରୁ ଥୋଇଦେଲା । ତାର କିଛି ସୁରାଗ ମିଳିଲା ନାହିଁ । କୃପାସିନ୍ଧୁ ବାବୁ ପାହାନ୍ତିଆ ପ୍ରହରୁ ପୋଖରି ପାଣି ଆସିଥାନ୍ତି। କିଆବୁଦା ମୂଳେ ଶିଶୁଟିର କାନ୍ଦଣା ଶୁଣି ସେ ଚମକି ପଡିଲେ। ଘୋର ଅନ୍ଧାର ମଧ୍ୟରେ ସେ କାହାକୁ ଦେଖି ନ ଥିଲେ । ଏତେ ନିର୍ଦୟ କିଏ ? ସେ କାଳବିଳମ୍ବ ନ କରି ନିରୀହ ଶିଶୁଟିକୁ ସେଠାରୁ ଉଦ୍ଧାର କରି ନିଜ ଅନାଥ ଆଶ୍ରମକୁ ନେଇ ଆସିଥିଲେ । ଛୁଆଟିର କାନ୍ଦ ଶୁଣି ଅନାଥଶ୍ରମର ପିଲାମାନେ ନିଦରୁ ଉଠି ପଡିଲେ । ଶିଶୁଟିର ଚାରି ପାଖରେ ଘେରି ହୋଇ ବସିଥାନ୍ତି। କିନ୍ତୁ ଛୁଆଟିକୁ ନ ଛୁଇଁବା ପାଇଁ କୃପାସିନ୍ଧୁ ବାବୁଙ୍କର ନିର୍ଦ୍ଧେଶ ଥିଲା । ଆଶ୍ରମରେ ପଚାଶରୁ ଉର୍ଦ୍ଧ ଅନାଥ ପୁଅଝିଅଙ୍କୁ କୃପାସିନ୍ଧୁ ବାବୁ ପାଳନ କରୁଥାନ୍ତି । କେତେ ଜଣ ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ମଧ୍ୟ ଅନାଥାଶ୍ରମକୁ ଦେଇଥାନ୍ତି। ଏ ପର୍ଯ୍ୟନ୍ତ କୌଣସି ଅସୁବିଧାର ସମ୍ମୁଖୀନ କେବେ ହୋଇ ନାହାଁନ୍ତି କୃପାସିନ୍ଧୁ ବାବୁ। ସବୁ ସମାଧାନ ପ୍ରାୟ ଆପେ ଆପେ ହୋଇଯାଉଥିଲା ।

  କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । କୋକୁଆ ଶୀତରେ ଓ ଜଙ୍ଗଲୀ ହେଟା କବଳରୁ ମୃତ୍ୟୁକୁ ଜୟ କରି କନ୍ୟା ସନ୍ତାନଟି ବଞ୍ଚି ଯାଇଥିବାରୁ ଶିଶୁ କନ୍ୟାର ନାଁ କୃପାସିନ୍ଧୁ ବାବୁ ଦେଲେ ବିଜୟିନୀ । କଣ ବା ଭୁଲ କରିଥିଲା କୋମଳମତୀ ଶିଶୁଟି । କାହିଁକି ଜନ୍ମ ହେଉ ହେଉ ତା ସହ ଏପରି ଅନ୍ୟାୟ କଲେ ତା'ର ପରିବାର ଲୋକ ବେଳେ ବେଳେ ନିଜକୁ ପ୍ରଶ୍ନ କରୁଥିଲେ କୃପାସିନ୍ଧୁ ବାବୁ। କାହିଁକି ଏତେ ଛୁଆଙ୍କ ପାଇଁ ସେ ସବୁବେଳେ ଚିନ୍ତିତ। ଅତୀତରେ ବୋଧେ ଏମାନଙ୍କର ମୁଁ ଋଣୀ ଥିଲି ଆଜି ସେମାନଙ୍କର ସେବା କରୁଛି।

   ସେ ଯାହା ହେଉନା କାହିଁକି ଏହି ଅନାଥ ଶିଶୁମାନଙ୍କୁ ମଣିଷ କରାଇ ସେ ଦୁନିଆଁରେ ଆଲୋକର ସନ୍ଧାନ ସେମାନଙ୍କୁ ଦେଖାଇଛନ୍ତି। ସେଥି ମଧ୍ୟରୁ ବିଜୟିନୀର ବିଜୟ ଯାତ୍ରା ଅନ୍ୟାନ୍ୟ। ବିଜୟିନୀର ଧୀଶକ୍ତି ଦେଖି କୃପାସିନ୍ଧୁ ବାବୁ କାବା ହୋଇ ଯାଇଥିଲେ। ପ୍ରାଥମିକ ଓ ଉଚ୍ଚ ବିଧ୍ୟାଳୟରେ ଶିକ୍ଷା ଅର୍ଜନ କରି ବିଜୟିନୀ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଥିଲା । ସୋପାନ ପରେ ସୋପାନ ଚଢି ବିଜୟିନୀର ବିଜୟ ଧାରା ଆଗକୁ ଆଗକୁ ମାଡି ଚାଲିଲା। କେତେବେଳେ ବିଦ୍ୟାଳୟରୁ ମହାବିଦ୍ୟାଳୟ ଅତିକ୍ରାନ୍ତ କରି ସୁଦୂର ଆମେରିକାରେ ପାଦ ଥାପିଦେଲା କିଛି ଜଣାପଡିଲା ନାହଁ। ସେଠାରେ କିଛି ବର୍ଷ କାମ କଲା ପରେ ଜଣେ ବିଦେଶୀ ସହିତ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। କୃପାସିନ୍ଧୁ ବାବୁଙ୍କ ସହ ମତରେ ପ୍ରେମ ବନ୍ଧନରେ ଉୟିଲିଅମଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ସେ ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକ ସାଜିଲେ, କିନ୍ତୁ ତାଙ୍କ ଅନାଥାଶ୍ରମକୁ କେବେ ଭୁଲି ନ ଥିଲେ । ମଝିରେ ମଝିରେ ତାଙ୍କ ସ୍ୱାମୀଙ୍କ ସହିତ ଓଡିଶା ଆସି ଅନାଥାଶ୍ରମ ଦାୟିତ୍ୱ ନେଇ କୃପାସିନ୍ଧୁ ବାବୁଙ୍କ ମନ ଜିଣି ନେଇଥିଲେ । କୃପାସିନ୍ଧୁ ବାବୁଙ୍କ ଜୀବନର ଅନ୍ତିମ ସମୟରେ ଅନାଥଶ୍ରମର ଦାୟିତ୍ୱ ନେଇ ତାଙ୍କୁ ବହୁତ ଖୁସି କରାଇଥିଲେ। ବିଜୟିନୀର ବିଜୟ ବାଜା ଆଜି ସବୁଆଡେ ଡେଙ୍ଗୁରା ପିଟୁଛି। ଅନାଥଶ୍ରମର ପିଲାଙ୍କ ଦାୟିତ୍ୱରେ କିଛି ଅବହେଳା ନାହିଁ । ସତେ ଆଶ୍ରମଟି ସ୍ବର୍ଗପୁରର ସୌନ୍ଦର୍ଯ୍ୟକୁ ମାଡି ବସିଲା ପରି ଲାଗୁଛି । ଆଜି ସେ ପ୍ରଶଂସାରେ ପୋତି ହୋଇଯାଇଛନ୍ତି । ଆଶ୍ରମ ସମ୍ମୁଖରେ କୃପାସିନ୍ଧୁ ବାବୁଙ୍କ ଏକ ବଡ଼ ପ୍ରତିମୂର୍ତ୍ତି । ଯାହାଙ୍କ ପାଦଦେଶର ଏକ ବଡ଼ ଫଳକରେ ଲେଖାଥିଲା କରୁଣା ସାଗର ବାବୁ କୃପାସିନ୍ଧୁ।

  ବିଜୟିନୀ ତାର ଜୀବନ ରହସ୍ୟ କେବେ ଖୋଜିବାକୁ ପ୍ରୟାସ କରି ନାହିଁ । ସେ କୃପାସିନ୍ଧୁ ବାବୁଙ୍କୁ ତାଙ୍କ ପିତା ଓ ମାତା ବୋଲି ଭାବିଥାନ୍ତି । କୃପାସିନ୍ଧୁ ବାବୁଙ୍କ ଦେହାନ୍ତ ପରେ ସେ ଅନାଥାଶ୍ରମର ଦାୟିତ୍ୱ ନେଲେ । ଅନାଥାଶ୍ରମର ନାମ କରଣ କରି ରଖିଲେ "କୃପାସିନ୍ଧୁ ଅନାଥାଶ୍ରମ”। ବିଜୟିନୀ ତାଙ୍କ ରଚିତ ପୁସ୍ତକରେ କୃପାସିନ୍ଧୁ ବାବୁଙ୍କ ଉଦ୍ୟମରେ ଗଢି ଉଠିଥିବା ଆଶ୍ରମକୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରି ଶତମୁଖରେ ପ୍ରଶଂସିତ ହୋଇଛନ୍ତି ।

  


Rate this content
Log in

Similar oriya story from Abstract