ଧରାରେ ଗ୍ରୀଷ୍ମାଗମନ
ଧରାରେ ଗ୍ରୀଷ୍ମାଗମନ
ବୈଶାଖ ଜ୍ୟେଷ୍ଠ ପଦାର୍ପଣ
ଧରାରେ ଗ୍ରୀଷ୍ମ ଆଗମନ ।
ପ୍ରଚଣ୍ଡ ରୌଦ୍ର ପରକାଶ
ମିଳଇ ଦୁଃଖ ଯେ ଅଶେଷ ।
ବାଟୋଇ ଖୋଜିଥାଏ ଛାଇ
ଚାଲଇ ବୃକ୍ଷ ତଳେ ରହି ।
ପବନ ବହୁଥାଏ ଝାଞ୍ଜି
ଦୁଃଖକୁ ଦେଉଥାଏ ଖଞ୍ଜି ।
ଅରଣ୍ୟେ ଲାଗିଲେ ଅନଳ
ସେ ଜୀବଜନ୍ତୁ ଯେ ବିକଳ ।
ନିଦାଘ କାଳରେ ମଧ୍ୟାହ୍ନ
କିବା ସେ ହେଉ ଅପରାହ୍ନ ।
ଆକାଶୁ ବରଷେ ଅନଳ
ସଂସାରେ ଲାଗଇ ବିକଳ ।
ଶୁଖଇ କୂଅ ପୁଷ୍କରଣୀ
ସଂସାରେ ପଡଇ ଭାଳେଣି ।
ଜଳ ବିହୁନେ ଏ ଜଗତେ
ପ୍ରାଣୀ ହୁଅନ୍ତି ହନ୍ତସନ୍ତେ ।
ଆସଇ କାଳ ବୈଶାଖୀ
କ୍ଷଣକେ କରି ଦିଏ ଦୁଃଖୀ ।
ବେଘର କରିଥାଏ ଜନେ
ଜୀବନ ଚାଲିଯାଏ କ୍ଷଣେ ।
ଗ୍ରୀଷ୍ମରେ ଦୁଃଖ ଅପ୍ରମିତ
ତଥାପି କରିଥାଏ ହିତ ।
ଦିଅଇ କେତେ ପକ୍ଵ ଫଳ
ରୋଗଙ୍କୁ କରେ ନିରମୂଳ ।
ଆଣଇ ଅନ୍ତେ ବର୍ଷାକାଳ
ଧରିତ୍ରୀ ଦେଇଥାଏ ବଳ ।
ଏମନ୍ତେ ଗ୍ରୀଷ୍ମ କରେ ଗତି
ଶେଷରେ ହୋଇଥାଏ ଇତି ।।