ବିଡି ହାତରେ ଖଡି
ବିଡି ହାତରେ ଖଡି
ମୁଁ ବରପଦା ସ୍କୁଲ୍ ରେ ଥାଏ ।ସର୍ବଶିକ୍ଷା ଅଭିଯାନରେ ପ୍ରତି ଘର ସର୍ଭେକରି ସ୍କୁଲ୍ ନଆସୁଥିବା ପିଲାମାନଙ୍କୁ ସ୍କୁଲ୍ କୁ ଆଣିବାକୁ ପଡେ ।
ଦିନେମୁଁ ସେ ଗାଆଁକୁ ସର୍ଭେ କରିବାକୁ ଯାଇଥିଲି । ଦେଖିଲି ଗୋଟିଏ ଅତି ଗରିବ ପରିବାର । ବାପାମାଆ ମୁଲ ଲାଗିବାକୁ ଗଲାପରେ ତାଙ୍କର ଆଠ ବର୍ଷର ପୁଅ ମାଧବ ଗାଆଁ ସାରା ବୁଲୁଥାଏ ।
ତା ମାଆକୁ ବହୁତ ବୁଝେଇଲି । ତା ନାଁ ସ୍କୁଲରେ ଲେଖିଲେ ତାକୁ ଚାଉଳ,ଟଙ୍କା, ପୋଷାକ,ଜୋତାମୋଜା ଇତ୍ୟାଦି ମିଳିବ । ବହୁ କଷ୍ଟରେ ରାଜିହୋଇ ତା ମାଆ ନାଆଁ ଲେଖେଇଲା ।
ତା ପରଦିନ ସେ ସ୍କୁଲ ଆସିଲା । ସ୍କୁଲ୍ ରେ ବ୍ୟାଗଟି ରଖିଦେଇ ସେ ବାହାରେ ବୁଲିଲା । ପିଲାମାନେ କହିଲେ ଗୁରୁମା ସେ ବାହାରେ ଯାଇ ବିଡି ଟାଣୁଛି ।
ମୁଁ ତାକୁ ପଚାରିଲି ଆରେ ବିଡି କୋଉଠୁ ଆଣିଲୁ ? ସେ କହିଲାମୋ ବାପା ବିଡିଟାଣେ ତ ମୁଁ ତାଠୁ ଲୁଚେଇକରି ଗୋଟେ ଗୋଟେ ଆଣିଦିଏ ।
ତାକୁ ବୁଝେଇଲି ବିଡି ଦେହକୁ ବହୁତ କ୍ଷତିକାରକ । ତୁ ଯଦି ବିଡି ନଟାଣିବୁ ମୁଁ ତତେ ପ୍ରତିଦିନ ଗୋଟିଏ ଚକୋଲେଟ୍ ଦେବି । ସେ ରାଜିହେଲା । ସେ ସତରେ ବିଡି ଟାଣୁଛି କି ନାହିଁ ଏକଥା ଦେଖିବାକୁ ମୁଁ ପିଲାଙ୍କୁ କହିଲି ।
ପ୍ରତିଦିନ ପ୍ରାର୍ଥନା ବେଳେ ମୁଁ ତାକୁ ଗୋଟିଏ ଚକୋଲେଟ୍ ଦିଏ । ସାତଦିନ ପରେ ସେ ନିଜେ ଆସି ମୋତେ କହିଲା ମୁଁ ଆଉ ବିଡି ଖାଉନି । ମୁଁ ତା ହାତକୁ ଗୋଟିଏ ନୂଆ ସ୍ଲେଟ୍ ଓ ଖଡି ଦେଇ କହିଲି ତୋ ହାତ ଆଜିଠୁ ଖଡି ପାଇଁ ବିଡି ପାଇଁ ନୁହେଁ ।
ସେ ଏବେ ପ୍ରତିଦିନ ସ୍କୁଲ୍ ଆସୁଛି ଓ ଭଲ ପାଠ ପଢୁଛି ।