Bidulata Sahoo

Others

3  

Bidulata Sahoo

Others

ଭାଗ୍ୟ

ଭାଗ୍ୟ

3 mins
139


୧୯୮୮ ମସିହା କଥା । ମୁଁ ଆମ ଗାଆଁ ପାଖ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରୁଥାଏ । ମୁଁ ପଞ୍ଚମ ଶ୍ରେଣୀରେ ପଢାଉଥାଏ । ସେହି ଶ୍ରେଣୀରେ ଗୀତା ନାମରେ ଝିଅଟିଏ ପଢୁଥାଏ । ସେ ଭାରି ଗରିବ ଘରର ପିଲା କିନ୍ତୁ ଭାରି ଭଲ ପଢେ । ତାର ଗୋଟିଏ ବଡ଼ ଭଉଣୀ ଥାଏ । ତାର ନାମ ରିତା ।ସେ ମାଟ୍ରିକ ପାସ କରିବା ପରେ ପଇସା ଅଭାବ ଯୋଗୁ ଆଉ ଅଧିକ ପଢିନପାରି ଘରେ ଥାଏ । ମୁଁ ବେଳେ ବେଳେ ତାକୁ ଡକାଇ ଗୀତାର ପାଠପଢ଼ା ସମ୍ବନ୍ଧରେତା ସହିତ ଆଲୋଚନା କରେ ।


ଦିନେ ରିସେସରେ ପିଲା ମାନେ ଖାଇବା ପାଇଁ ଘରକୁ ଯାଇଥାନ୍ତି । ମୁଁ କ୍ଲାସ୍ ରୁମରେ ବସି ପେପର ପଢୁଥାଏ । ହଠାତ୍ ରିତା ମୋ ପାଖକୁ ଦଉଡି ଆସି ମୋ ଗୋଡ଼ ଧରି କାନ୍ଦି କାନ୍ଦି କହିଲା ଦିଦି ମୋତେ ବଞ୍ଚାନ୍ତୁ । ମୁଁ ହଠାତ୍ କିଛି ବୁଝି ପାରିଲି ନାହିଁ । ତାକୁ ଧରି ପଚାରିଲି କଣ ହେଲା ? କାହିଁକି କାନ୍ଦୁଛୁ ? 


ସେ କହିଲା ଆମ ଘରକଥା ତ ଆପଣ ଜାଣିଛନ୍ତି । ମୋ ବାପା ବହୁତ ଗରିବ । ଆମେ ପୁଣି ତିନି ଝିଅ । ତେଣୁ ବାପା ଭାରି ବ୍ୟସ୍ତ ମୋ ବାହାଘର କରିଦେବାକୁ ।ମୋ ବାହାଘର ପ୍ରାୟତଃ ଠିକ୍ ହୋଇ ସାରିଛି । କାଲି ସେମାନେ ମୋତେ ଦେଖିବାକୁ ଆସିବେ ।


ପୁଅଟି ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଛି । କିନ୍ତୁ ତାଙ୍କର କିଛି ଜମି ବାଡ଼ି ଥିବାରୁ ବାପା ଏ ପ୍ରସ୍ତାବରେ ରାଜି ହୋଇଗଲେ । ମୁଁ କିନ୍ତୁ ଜମା ଏ ପ୍ରସ୍ତାବରେ ରାଜି ନୁହେଁ । ଆପଣ ମୋ ବାପାଙ୍କୁ ବୁଝାଇ କିଛି ହେଲେ କରନ୍ତୁ ଦିଦି ।


ଏ କଥାତକ ଏକା ନିଃଶ୍ୱାସରେ କହିସାରି ସେ ମୋ ମୁହଁକୁ ଚାହିଁ ରହିଲା ।ତା ମନର ଦୁଃଖକୁ ମୁଁ ବେଶ୍ ବୁଝିପାରିଲି । କହିଲି ହଉ ତୁ ବ୍ୟସ୍ତ ହୁଅନି । ମୁଁ ତୁମଘରକୁ ଯାଇ ତୋ ବାପାଙ୍କ ସହ ଏ ବିଷୟରେ ଆଲୋଚନା କରିବି ।


ସେ ଘରକୁ ଚାଲିଗଲା । ସଂଯୋଗ ବଶତଃ ସେଦିନ ପେପରରେ ସି.ଟି. ତାଲିମ ପାଇଁ ବିଜ୍ଞାପନ ବାହାରି ଥିବାର ଖବର ମୋ ନଜରରେ ପଡ଼ିଲା ।ମୋ ମନରେ ଟିକିଏ ଆଶା ସଂଚାର ହେଲା ।


ମୁଁ ସେ ବିଜ୍ଞାପନଟିକୁ ପେପରରୁ କାଟି ଛୁଟି ପରେ ତାଙ୍କ ଘରକୁ ଗଲି ।ତା ବାପାଙ୍କୁ ଝିଅକୁ କାହିଁକି ଏତେ ଶୀଘ୍ର ବାହାକରିବାକୁ ଚାହୁଁଛ ପଚାରିଲି । ସେ ଉତ୍ତର ଦେଲେଦିଦି ଆମେ ଭାରି ଗରିବ ଲୋକ । ମୋର ତିନି ଝିଅ । ତେଣୁ ଶିଘ୍ର ଶିଘ୍ର ଝିଅମାନଙ୍କୁ ବିଦା ନକଲେ ଗୋଟିଏ ମୂଲରେ ମୁଁ ଏତେ ଲୋକଙ୍କୁ ପୋଷିବି କେମିତି ।


ତାପରେ ମୁଁ ତାଙ୍କୁ ବୁଝାଇଲି ତୁମ ଝିଅ ଯଦି ସ୍କୁଲରେ ଶିକ୍ଷୟିତ୍ରୀ ଚାକିରୀଟିଏ କରିବ ତୁମକୁ କେମିତି ଲାଗିବ ? ସେ ଅବିଶ୍ୱାସ ଭରା ଆଖିରେ ମୋ ଆଡ଼କୁ ଚାହିଁ କହିଲେ ସେ ଆକାଶକୁସୁମ କଥା କ'ଣ ଆମ ଘରେ ସମ୍ଭବ ଦିଦି ? 


ମୁଁ ରିତାକୁ ଡାକି ତା ହାତରେ ବିଜ୍ଞାପନଟି ଦେଇ କହିଲି ତୁ ଏହାକୁ ପୂରଣ କରି ଡାକଘରେ ପକାଇ ଦେବୁ । ତାପରେ ତା ବାପାଙ୍କୁ କହିଲି ଏହାର ଫଳାଫଳ ନବାହାରିବା ପର୍ଯ୍ୟନ୍ତ ଝିଅ ବାହାଘର ସ୍ଥଗିତ ରଖ ।ସେ ମୋ କଥାରେ ରାଜି ହୋଇଗଲେ ।


ପ୍ରାୟ ଏକ ମାସ ମଧ୍ୟରେ ଇଣ୍ଟରଭିଉରେ ଯୋଗ ଦେବାକୁ ତାକୁ ଡକରା ଆସିଲା । ମୁଁ ତାକୁ ସବୁ ସାର୍ଟିଫିକେଟ ଓ ମାର୍କସିଟ ଯୋଗାଡ଼ କରି ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ କହିଲି ।ସେ ବି ସବୁ ଯୋଗାଡ଼ କରି ଇଣ୍ଟରଭିଉ ଆଟେଣ୍ଡ କଲା ।


କିଛି ଦିନ ପରେ। ସି.ଟି. ସ୍କୁଲରେ ନାମ ଲେଖାଇବାକୁ ତା ପାଖକୁ ଅର୍ଡର ଆସିଲା ।ସେ ପଢ଼ିବାକୁ ଚାଲିଗଲା । ଦୁଇ ବର୍ଷ ପରେ ତାର ପଢା ସରିଗଲା ।ସେ ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତିର୍ଣ ହେଲା ।

କିଛି ଦିନ ପରେ ତାର ଘର ପାଖ ସ୍କୁଲରେ ଜଏନ କରିବା ଲାଗି ଅର୍ଡର ଆସିଲା । ସ୍କୁଲରେ ଜଏନ୍ କରି ବା ପୂର୍ବରୁ ସେ ମୋ ପାଖକୁ ଆସି ମୁଣ୍ଡିଆ ମାରି କହିଲା ଦିଦି ଆପଣ ମୋ ଭାଗ୍ୟ ବଦଳାଇଦେଲେ । ମୁଁ କହିଲି ତୋ ଭାଗ୍ୟ ବଦଳାଇବାକୁ ମୁଁ କିଏ ? ତୋର ଚେଷ୍ଟା ଓ ତୋର ଅଧ୍ୟବସାୟ ହିଁ ତୋର ଭାଗ୍ୟ ବଦଳାଇ ଦେଲା ।


ଏ ଘଟଣା ଘଟିବାର ଅନେକ ବର୍ଷ ବିତିଗଲାଣି । କିନ୍ତୁ ଏବେବି ସେ ସ୍ମୃତି ମୋ ମନରେ ପୁରା ସତେଜ ହୋଇ ରହିଛି ।



Rate this content
Log in