Bidulata Sahoo

Tragedy

4.0  

Bidulata Sahoo

Tragedy

ପ୍ରତିଶୃତି

ପ୍ରତିଶୃତି

2 mins
367


ଆଜି ହୋଲି ।ପୁଅ ଚିକୁ ଖେଳିବା ପାଇଁ ଶଶୁରଙ୍କ ସାଥୀରେ ବାହାରକୁ ଯାଇଛି ‌।ନିତା ଘର ଭିତରେ ଏକା ବସିଛି । ହଠାତ୍ ପଡିଶା ଘର ର ଆଠ ବର୍ଷର ଝିଅ ରଶ୍ମିତା ଭାଉଜ ଭାଉଜ କହିଦଉଡି ଆସି ନିତା ମନା କରୁ କରୁ ତା ମୁହଁ ରେ ମେଞ୍ଚାଏ ନାଲି ରଙ୍ଗ ବୋଳିଦେଲା ।ନିତା ତାକୁ ପ୍ରତିରୋଧ କରୁ କରୁ ତା ହାତରୁ ରଙ୍ଗ ନିତାର ଧଳା ଲୁଗା ସାରା ଛିଞ୍ଚାଡି ହୋଇ ପଡ଼ି ଏକ ଛିଟଲୁଗା ପରି ଦିଶିଲା ।


 ହଠାତ୍ ଶାଶୁ ଝଡ଼ ପରି ସେ ଘର ଭିତରକୁ ପଶିଆସି କହିଲେ ତୋର ଯଦି ସିନ୍ଦୂର ଆଉ ଛିଟଲୁଗା ପିନ୍ଧି ବାକୁ ଇଛା ତୁ ଯାଉନୁ କାହା ସାଥୀରେ ରହିବୁ ।ମୋ ପୁଅକୁ ତ ଖାଇଲୁ ,ଆଉ କ'ଣ ଆମକୁ ଖାଇବାକୁ ଏଠି ଅଛୁ । ଏତିକି କହି ସେ ଯେମିତି ଆସିଥିଲେ ସେମିତି ଚାଲିଗଲେ।


ନିତାର ଆଖି ରୁ ଗଡିଚାଲିଛି ଲୁହର ବନ୍ୟା ।ସେ ତା ସ୍ୱାମୀ ଅଶୋକ ର ଫଟୋଟିକୁ କୁଣ୍ଢେଇ ଧରି କାନ୍ଦୁ କାନ୍ଦୁ ଭାବନା ରେ ବୁଡ଼ିଗଲା ।


ଅଶୋକ ଯେତେ ବେଳେ କଟକରେ ଚାକିରି ଆରମ୍ଭ କରିଥିଲେ ତାଙ୍କ ଘରେ ଭଡ଼ାରେ ରହୁଥିଲେ । ଆସ୍ତେ ଆସ୍ତେ ଉଭୟ ଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା ।ନିତା ଥିଲା ବ୍ରାହ୍ମଣ ଘର ର ଝିଅ କିନ୍ତୁ ଅଶୋକ ଥିଲେ ଖଣ୍ଡାୟତ । ତେଣୁ ନିତା ଘର ଲୋକ ଏ ପ୍ରସ୍ତାବରେ ରାଜି ହେଲେ ନାହିଁ ।


ନିତା ଅଶୋକ ପ୍ରେମ ରେ ଏତେ ମଜି ଯାଇଥିଲା ସେ ତା ବାପାଙ୍କ ଘର ଛାଡ଼ି ଅଶୋକ ସହିତ ଚାଲିଆସିଲା । ଶାଶୁ ଘରେ ତା'ର କିଛି ଅସୁବିଧା ହେଲାନି । ଶାଶୁ ଶ୍ୱଶୁର ଙ୍କର ଅଶୋକ ଗୋଟିଏ ବୋଲି ପୁଅ । ସେମାନେ ତାକୁ ବୋହୂ ର ମର୍ଯ୍ୟାଦା ଦେଇ କୋଳେଇ ନେଲେ । ଦେଢବର୍ଷ ପରେ ଚିକୁ ତା କୋଳକୁ ଆସିଲା । ।ଘରେ ଖୁସିର ଜୁଆର ଖେଳିଗଲା ।ଚିକୁକୁ ବର୍ଷେ ପୁରିଲା ।


ଦିନେ ଅଶୋକ ତା ହାତକୁ ନେଇ ନିଜ ମୁଣ୍ଡ ଉପରେ ରଖି କହିଲେ ନିତା ମୋର ଯଦି କେବେ କିଛି ହୋଇଯାଏ ତୁମେ ମୋ ପୁଅକୁ ନିଶ୍ଚୟ ଭଲ ମଣିଷ ଟିଏ କରିବ । ତାହେଲେ ମୋ ଆତ୍ମା ଶାନ୍ତି ପାଇବ ।ନିତା ଅଶୋକ ହାତକୁ ମୁଣ୍ଡ ଉପରୁ କାଢି ଆଣି ତା ପାଟି ରେ ହାତ ଦେଇ କହିଲା ମୋ ରାଣ ତୁମେ ଏମିତି କଥା ଆଉ କେବେ କହିବନି ।


ବିଧିର ବିଧାନ ବିଚିତ୍ର ।ଏ ଘଟଣା ଘଟିବାର ମାସକପରେ ଦିନେ ଅଶୋକ ଅଫିସ ରୁ ଫେରିବା ବେଳକୁ ଗୋଟିଏ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଲା ।ସେ ଏହି ଦୁର୍ଘଟଣା ରେ ଅତି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ।ନିତା ତା'ର ସବୁ ଅଳଙ୍କାର ବିକି ଅଶୋକ ର ଚିକିତ୍ସା କରାଇଲା ।ହେଲେ କିଛି ଫଳ ହେଲା ନାହିଁ । ଅଶୋକ ସମସ୍ତଙ୍କୁ ଛାଡି ଚାଲିଗଲେ ।ନିତାକୁ ଚାରିଆଡ଼ ଅନ୍ଧାର ଦେଖାଗଲା ।


ସେଇଦିନଠାରୁ ଶାଶୁ ପୁରା ବଦଳି ଗଲେ । ପୁଅ ର ମୃତ୍ୟୁ ପାଇଁ ସେ ନିତାକୁ ଦାୟିକରି ପ୍ରତିକଥାରେ ତାକୁ ଆଘାତ ଦେବାକୁ ଲାଗିଲେ ।ନିତା ଶାଶୁ ଙ୍କ ବ୍ୟବହାର ରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ଅନେକ ଥର ଚିନ୍ତା କଲାଣି । କିନ୍ତୁ ଅଶୋକ ଙ୍କୁ ଦେଇଥିବା ପ୍ରତିଶୃତି କୂ ମନେପକାଇ ସେ ସେଥିରୁ ନିବୃତ୍ତ ହେଉଛି ।


ଏମିତି ଭାବୁ ଭାବୁ ତା ଆଖି ଲାଗିଯାଇଛି । ସେ ଦେଖିଲା ଅଶୋକ ତା ପାଖରେ ବସି ତା ମୁଣ୍ଡକୁ ଆଉଁସି ଦେଇ କହୁଛନ୍ତି ତୁମେ ଏତେ ଶୀଘ୍ର ମୋତେ ଦେଇଥିବା ପ୍ରତିଶୃତିକୁ କ'ଣ ଭୁଲିଗଲ ? ତୁମେ ଏପରି ଅଧୈର୍ଯ ହେଲେ ଆମ ପୁଅର ଭବିଷ୍ୟତ କ'ଣ ହେବ ? ତୁମେ ମୋଟେ ବ୍ୟସ୍ତ ହୁଅନି । ମୁଁ ସବୁବେଳେ ତୁମ ପାଖରେ ଅଛି ।


ହଠାତ୍ ନିତାର ନିଦ ଭାଙ୍ଗିଗଲା ।ସେ ଉଠିପଡ଼ି ଅଶୋକ ର ଫଟୋଟିକୁ ଆହୁରି ଜୋରରେ ଜାବୁଡ଼ି ଧରି କହିଲା ଅଶୋକ କେବଳ ତୁମରି ପାଇଁ ମୁଁ ମରି ପାରୁନି । ତୁମକୁ ଦେଇଥିବା ପ୍ରତିଶୃତିକୁ ମୁଁ କିପରି ପାଳନ କରିବି ମୋତେ ତୁମେ ସାହାଯ୍ୟ କର ।


Rate this content
Log in

Similar oriya story from Tragedy