Kulamani Sarangi

Inspirational

4.7  

Kulamani Sarangi

Inspirational

ବିବର୍ଣ୍ଣ ଆକାଶ

ବିବର୍ଣ୍ଣ ଆକାଶ

5 mins
618


ଝରକା ଫାଙ୍କରେ ବିବର୍ଣ୍ଣ ଆକାଶକୁ ଚାହିଁଲା ଶୁଭସ୍ମିତା । ଅନ୍ୟ ଦିନ ହୋଇଥିଲେ ଏହି ଆକାଶ ହୁଏତ ତାକୁ ସୁନ୍ଦର ସ୍ବପ୍ନମୟ ଲାଗିଥାନ୍ତା । କିନ୍ତୁ କାଳବୈଶାଖୀ ଉପରାନ୍ତ ଆକାଶର ଶାନ୍ତି ପରି ତାର ଝଡବିଧ୍ବସ୍ତ ମନ ଏ ଆକାଶରେ କୌଣସି ସୌନ୍ଦର୍ଯ୍ୟ ଖୋଜି ପାଇଲା ନାହିଁ । ହାତ ପାଦରୁ ତାର ମଳିନ ପଡ଼ିନାହିଁ ବାହାବେଦୀର ଅଳତା ଓ ମଥାର କୁଙ୍କୁମ । ଚାରିଦିନ ହେଲା ଆସିଲାଣି ଶାଶୁଘରକୁ, କିନ୍ତୁ ତାକୁ ଅଳତା ସିନ୍ଦୁରରେ ସଜାଇ ଦେବା ତ ଦୂରର କଥା,ପାଖରେ ମଧ୍ୟ କେହି ବସିବାକୁ ଆସୁ ନାହାନ୍ତି ।

ସମସ୍ତେ ତାର ଶତ୍ରୁ ପାଲଟି ଯାଇଛନ୍ତି ।


ଆଜି ସାନଭାଇ ମିଠୁ ଚଉଠି ଭାର ନେଇ ଆସିଛି । କେତେ କଥା ତାକୁ ଶୁଣେଇଲେଣି ସମସ୍ତେ । ଭାରରେ ଆଣିଥିବା କିଛି କାହା ମନକୁ ପାଉନାହିଁ । ନଣନ୍ଦ କହୁଛନ୍ତି "ଏ ମିଠୁ,ଏ ଭାର ଫାର ଆମର କିଛି ଦରକାର ନାହିଁ,ଫେରେଇ ନେ । ବାବାଙ୍କୁ ଯାଇ କ‌ହ ,ଆଠ ଦିନ ଭିତରେ ଦୁଇ ଲକ୍ଷ ଟଙ୍କା ଆଣି ଆସନ୍ତୁ,ନହେଲେ ଝିଅକୁ ନେଇ ଘରେ ରଖନ୍ତୁ । " ଶାଶୁ ଘରର ଏଭଳି ବ୍ୟବହାରରେ ସାନ ଭାଇଟା କାନ୍ଦି କାନ୍ଦି ନୟାନ୍ତ । ଯିଦ୍ କରୁଥିଲା ସାଙ୍ଗେ ସାଙ୍ଗେ ଚାଲିଯିବା ପାଇଁ । ବଡ଼ କଷ୍ଟରେ ତାକୁ ବୁଝେଇ ଶୁଝେଇ ଅଟକେଇଛି ଶୁଭସ୍ମିତା । କି ପାପ ସେ କରିଛି !!କଣ ତାର ଭୁଲ୍?ତା ଦେହର ରଙ୍ଗ ପାଇଁ କଣ ସେ ନିଜେ ଦାୟୀ !ଆଜି ମନେପଡେ, ପ୍ରଥମ ଥର ପାଇଁ ଶଶୁର ଘର ଲୋକମାନେ ଯେତେବେଳେ ତାକୁ ଦେଖିବାକୁ ଯାଇଥିଲେ ସମସ୍ତେ ତା ଗଢଣର ବହୁତ୍ ପ୍ରଶଂସା କରିଥିଲେ । ଶଶୁର କହିଥିଲେ 'ବର୍ଣ୍ଣ ଟିକିଏ ମଇଳା ହେଲେ କଣ ହେଲା,ଡଉଲ ଡାଉଲ ଝିଅଟିଏ । ଆମ ମନକୁ ପାଇଚି । ' ବାହାଘର ପ୍ରସ୍ତାବଟି ଆସିବାର ଦେଖି ନିଜ ମନକଥା ବୋଉକୁ ଖୋଲି କହିଥିଲା ଶୁଭସ୍ମିତା...ସେ ପାଖ ଗାଁର ସମ୍ବିତ କୁ ଭଲପାଏ । ସମ୍ବିତ ଗାଁ ପ୍ରାଇମେରୀ ସ୍କୁଲରେ ଶିକ୍ଷକ । ମାର୍ଜିତ ବ୍ୟବହାର...ସୁନ୍ଦର ଚେହେରା । ଆବଶ୍ୟକତା ଠାରୁ ଅଧିକ ଇନଟ୍ରୋଭର୍ଟ....ମନକଥା କହିପାରେ ନାହିଁ । ବାପା କିନ୍ତୁ ଶୁଣିଲେ ନାହିଁ । କହିଲେ.... କାହିଁ ଇଞ୍ଜିନିୟର କାହିଁ ଗାଁ ସ୍କୁଲର ମାଷ୍ଟ୍ର ।


ସେ ତଥାକଥିତ ବାଙ୍ଗାଲୋରିଆ ଇଞ୍ଜିନିୟର କିନ୍ତୁ ନିଜେ ତାକୁ ଦେଖିବାକୁ ଆସି ନଥିଲେ । ଶଶୁର କହିଥିଲେ "ପୁଅ ଆମର ବେଙ୍ଗାଳୁରୁରେ ଅଛି । ଆମେ ଫଟୋ ପଠେଇ ଦେଇଚୁ,ତା ମନକୁ ପାଇଚି । ଆମ କଥାରେ ସେ ରାଜି । ଦେଣ ନେଣ ଠିକ୍ ହେଲେ ବାହାଘର ତିଥି ନିର୍ଣ୍ଣୟ କରିବା । ଶୁଭସ୍ମିତାର ବୋଉ ବାବାଙ୍କୁ ଭିତରକୁ ଡ଼ାକି କହିଥିଲେ "ହେଇଟି ଶୁଣୁଚ,ତାଙ୍କୁ କୁହ ପୁଅକୁ ଆସିବାକୁ କୁହନ୍ତୁ;ବାହାଘର କଥା । ପୁଅ ଦେଖିବାପରେ ରାଜି ହେଲେ ବାହାଘର କରିବା । ଆମେ ମଧ୍ୟ ପୁଅକୁ ତ ଦେଖିବା ଦରକାର ନା । " ଶଶୁର କହିଥିଲେ...ପୁଅ କ'ଣ ଏଇଲେ ଆସି ପାରିବ?କେତେ ବଡ଼ କମ୍ପାନୀରେ ଇଞ୍ଜିନିୟର ସେ, କମ୍ପାନୀରୁ ଛୁଟି ମିଳିଲେ ତ । ପୁଅ ଆମର ଦେଖିବାକୁ ରଜାପିଲା ଭଳି । ଆପଣ ଆଉ ଦେଖିବେ କଣ? ଶୁଭସ୍ମିତାର ମାମୁଁ ବାବାଙ୍କୁ ଭିତରକୁ ଡାକି ବୁଝେଇ ଦେଲେ....ଶ୍ୟାମବନ୍ଧୁ ପ୍ରସ୍ତାବଟା ଭଲ;ହାତଛଡ଼ା କରନାହିଁ । ସେମାନେ ଯେବେ କହୁଛନ୍ତି ପୁଅ ରାଜି ଅଛି ବୋଲି,ଆମର ଏତେ ଫେଣେଇ ହବାର କଣ ଅଛି? ମାମୁଁ ଙ୍କ କଥା ଶୁଣି ବୋଉ ତୁନି ହୋଇଯାଇଥିଲେ ।


ଦିଆନିଆ କଥା ପଡ଼ିବା ବେଳେ ଶଶୁର କହିଥିଲେ..ଆମର କିଛି ଯୌତୁକ ଦରକାର ନାହିଁ, ଦାଣ୍ଡ ସୁନ୍ଦରକୁ ଆପଣ ଯାହା ଦେବେ । ଏହି "ଦାଣ୍ଡ ସୁନ୍ଦର"ଶବ୍ଦଟି ବଡ଼ ମାରାତ୍ମକ । ଏହାର ଅର୍ଥ... ଛୁଞ୍ଚି ଠାରୁ ହାତୀ ପର୍ଯ୍ୟନ୍ତ ସବୁ ଟିକିନିଖି ଦେବାପାଇଁ ପଡ଼ିବ ନହେଲେ ଦାଣ୍ଡ ଲୋକେ ବାହୁନିବେ । ବାବା ସବୁ ଯୋଗାଡ଼ କରି ଦେଇଛନ୍ତି । ଜୀବନର ସବୁ ସଞ୍ଚୟ ଏକମାତ୍ର ଅଲିଅଳି କନ୍ୟା ପାଇଁ ଉତ୍ସର୍ଗ କରିଦେଇଛନ୍ତି । ସବୁ ଯାଉ ପଛେ ଝିଅ ଯେପରି ଶାଶୁଘରେ କାହାଠାରୁ କିଛି ନଶୁଣୁ । କିନ୍ତୁ ହେଲା କଣ?ହାତ ଗଣ୍ଠି ବେଳେ ଜୋଇଁ ଅର୍ଣ୍ଣବ ଯିଦ୍ କଲେ....ଓଢ଼ଣା ଖୋଲ, ମୁଁ ଝିଅର ମୁହଁ ନଦେଖିଲେ ବାହା ହେବି ନାହିଁ । ଯେଉଁ ଝିଅର ଫଟୋ ମୁଁ ଦେଖିଥିଲି ଏ ସେ ଝିଅ ନୁହେଁ । ମତେ ଗୋଟେ କାଳୀ-କୋଚଟୀ ଝିଅ ସହିତ ଧୋକାରେ ବାହା କରାଯାଉଛି । ସେଦିନ ଓଢ଼ଣା ତଳେ କ୍ରୋଧ ଏବଂ ଅପମାନରେ ଶୁଭସ୍ମିତା ଜଳିଯାଇଥିଲା । ଇଚ୍ଛା ହେଉଥିଲା ଓଢ଼ଣା ଫିଙ୍ଗିଦେଇ ଏକ ବଜ୍ରଚାପୁଡା ଅର୍ଣ୍ଣବ ଗାଲରେ କସିଦେଇ ପଚାରିବ...ଦେହର ରଙ୍ଗକୁ ଯେବେ ଚାଟିବାର ଥିଲା ନିର୍ଲଜ ଆଗରୁ ଦେଖିଚାହି ବାହାହବାକୁ ସମ୍ମତି ନଦେଲ କାହିଁକି ?? କିନ୍ତୁ ସେଦିନ ଶୁଭସ୍ମିତା କିଛି କହିପାରି ନଥିଲା । ତାର କ୍ଷଣକୋପୀ ଚରିତ୍ରକୁ ଭଲଭାବେ ଜାଣିଥିବା ବାବା କାନରେ କହିଥିଲେ.."ତୁ କିଛି ପ୍ରତିକ୍ରିୟା ଦେଖାନି ଧନ, ଆମ ଘରର ଇଜ୍ଜତ କଥା । ମୁଁ ସବୁ ଠିକ୍ କରିଦେବି । ବାପା ଝିଅ ପାଇଁ ଗୋଡହାତ ଧରି ସମୁଦି ଏବଂ ଜୋଇଁଙ୍କର ପାଦତଳେ ପଡ଼ି ଯାଇଥିଲେ । ବାବାଙ୍କର ଏଭଳି ମୁଣ୍ଡର ପଗଡି ଚୋରଙ୍କ ପାଦତଳେ ରଖିବା କାମକୁ ଶୁଭସ୍ମିତାର ମନ ସ୍ବୀକାର କରି ପାରୁନଥିଲା । ଶେଷରେ କାଳୀକନ୍ୟା ସ୍ବୀକାର ନିମନ୍ତେ ଦୁଇଲକ୍ଷ ଟଙ୍କା ବୋଲି ଲଗାଇ ବାହାଘର କାର୍ଯ୍ୟ ସମ୍ପନ୍ନ କରିଥିଲେ ବରପକ୍ଷ ।


ବେଦୀ ମୁଣ୍ଡରେ ଟଙ୍କା ଚାହୁଁ ଥିଲେ ସେମାନେ । କିନ୍ତୁ ବାବାଙ୍କ ପାଖରେ ହଠାତ୍ ଟଙ୍କା ନଥିବାରୁ ଦୁଇ ସପ୍ତାହ ଭିତରେ ଦେବାପାଇଁ ସର୍ତ୍ତ ରଖି ଝିଅ ବିଦା କରିଛନ୍ତି । ସମସ୍ତଙ୍କର ରାଗ... ବେଦୀ ମୁଣ୍ଡରେ ବାବା କାହିଁକି ଟଙ୍କା ଦେଲେ ନାହିଁ । ସେଥିପାଇଁ ଶୁଭସ୍ମିତା ପ୍ରତି ଶାଶୁଘରେ ଏଭଳି ଘୃଣାପୂର୍ଣ୍ଣ ବ୍ୟବହାର । ଅର୍ଣ୍ଣବଙ୍କ ନୀଚ ପ୍ରକୃତି ଶୁଭସ୍ମିତା ମନକୁ ସ୍ବାମୀଙ୍କପ୍ରତି ଘୃଣାରେ ଭରି ଦେଇଥିଲା । ଏଭଳି ଲୋଭୀ ରାକ୍ଷସ ସହିତ କିଭଳି ସେ ଜୀବନ ଅତିବାହିତ କରିବ ଭାବି ପାରୁନଥିଲା । ଏପର୍ଯ୍ୟନ୍ତ ସ୍ବାମୀ ତା ସହିତ ପଦେ କଥା ମଧ୍ୟ ହୋଇନାହାନ୍ତି । ବାହାଘରରେ ଯୋଗ ଦେବାପାଇଁ ପତିଦେବଙ୍କ ସାଙ୍ଗରେ ଯେଉଁ ଗୋରୀଚମଡାବାଲୀ କିଶୋରୀଟି ବାଙ୍ଗାଲୋରରୁ ଆସିଛି, ଦିନ ରାତି ତା ସହିତ ହେଁ ହେଁ ଫେ ଫେ ହେଉଛନ୍ତି । ଏକ ପ୍ରକାର ମାନସିକ ନିର୍ବାସନ ଦଣ୍ଡ ପାଇ ଗତ ଚାରି ଦିନ ଧରି ଅର୍ଦ୍ଧ ପାଗଳୀ ହୋଇଯାଇଛି ଶୁଭସ୍ମିତା । ମିଠୁ ପଚାରିଛି... ଏଠାରେ କେମିତି ବଞ୍ଚିବୁ କିଲୋ ଦିଦୀ !! ମାନସିକ ସ୍ତରରେ ନିଜକୁ ଦୃଢ଼ କରିନେଲା ଶୁଭସ୍ମିତା । ତା ଆଗରେ ଦୁଇଟି ପଥ ଉନ୍ମୁକ୍ତ....ଆତ୍ମଦହନଓ ଆତ୍ମଗ୍ଲାନି ସହିତ ଅତ୍ୟାଚାର ସହ୍ୟକରି ଭାଗ୍ୟ ଆଦରି ପଡ଼ି ରହିବା ଅଥବା ପିଞ୍ଜରା ଛାଡି ମୁକ୍ତ ଆକାଶରେ ଉଡିଯିବା । ତାର ଗନ୍ତବ୍ୟ ପଥ ତାକୁ ସ୍ପଷ୍ଟ ଦେଖାଗଲା । ତାପରେ ଉଦ୍ବେଳିତ ମନ ସ୍ଥିର ହୋଇଯାଇଥିଲା...ମନରେ ଆସିଥିଲା ଅପୂର୍ବ ଶାନ୍ତି । ଚତୁର୍ଥୀ ଦିନ ରାତିରେ ସ୍ବାମୀଙ୍କର ଦେଖାଦର୍ଶନ ନଥିଲା । ପାହାନ୍ତା ପହରକୁ ନିଶାସକ୍ତ ଅବସ୍ଥାରେ କୋଠରୀ ଭିତରକୁ ପଶିଆସି କହିଲେ....ତମ ବାବା ଯେତେ ଶୀଘ୍ର ଟଙ୍କା ଦେବେ ସେତେ ଶୀଘ୍ର ତମ ସହିତ ମୋର ସମ୍ପର୍କ ଯୋଡି ହେବ, ସେପର୍ଯ୍ୟନ୍ତ ବାଏ । ଶୁଭସ୍ମିତାର ନାରୀତ୍ବ କୁରୁ ସଭାରେ ନଗ୍ନ ଦ୍ରୌପଦୀର ନାରୀତ୍ବଠାରୁ ଆହୁରି ଅପମାନିତ ମନେ କଲା । ଛିଃ ଏ ମୋର ସ୍ବାମୀ !!  ପର ଦିନ ସକାଳୁ ଅନ୍ତରଙ୍ଗ ବାନ୍ଧବୀ ଶୁଭ୍ରା ପାଖକୁ ଫୋନ୍ କରି ସବୁ ଜଣାଇଲା ଶୁଭସ୍ମିତା । ଶୁଭ୍ରା ଭୁବନେଶ୍ୱରରେ ଓକିଲାତି କରେ । ଶୁଭ୍ରା କହିଲା...ବିନା କାଳ ବିଳମ୍ବରେ ତୁ ମୋ ପାଖକୁ ଚାଲି ଆ । ଏଠାରେ ଡାଉରୀ ନିର୍ଯାତନା କେଶ୍ ଟିଏ ଠୁଙ୍କିଦବା । ପୁଅ ମାମୁଁ ଘରେ କିଛି ଦିନ ରହିଗଲେ ମୁଣ୍ଡକୁ ଅକଲ ଯୁଟିବ । ଏଠାରେ ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷୟତ୍ରୀ ପୋଷ୍ଟଟିଏ ଖାଲି ଅଛି । ତୋ ପେଟ ଅପୋଶା ରହିବନି;ସାଙ୍ଗହେଇ ହଷ୍ଟେଲରେ ରହିବା । ଚାଲିଆ । ହାତରେ ସାମାନ୍ୟ କିଛି ଲୁଗାପଟା ଧରି, ଶାଶୁଘରେ କେହି ଶେଯରୁ ଉଠିବା ପୂର୍ବରୁ ମିଠୁ ସହିତ ବାରିପଟ ଗୋହିରୀ ଦେଇ ସାବିଦେଇପୁର ଛାଡିଲା ଶୁଭସ୍ମିତା । ବସଷ୍ଟାଣ୍ଡରେ ମିଠୁକୁ ଗାଁ ଆଡକୁ ଯାଉଥିବା ବସରେ ବସେଇ ଦେଇ ତା ହାତରେ ବାପାଙ୍କ ପାଖକୁ ଲେଖିଥିବା ଚିଠି ଖଣ୍ଡିକ ଧରେଇ ଦେଲା । ଚିଠିରେ ଲେଖିଥିଲା....ବାବା ତୁମ ନିର୍ବାଚିତ ଜୋଇଁଙ୍କ ସହିତ ଜୀବନ ବିତାଇବା ମୋ ପାଇଁ ସମ୍ଭବ ନୁହେଁ । ଗାଁ କୁ ଫେରି ତୁମକୁ ଅସୁବିଧାରେ ପକାଇବାକୁ ମଧ୍ୟ ମୁଁ ଚାହେଁ ନାହିଁ । ମତେ ଯେତିକି ଶିକ୍ଷା ଦେଇଛ ମୋ ପେଟଚାଖଣ୍ଡକ ପୋଷିବା ପାଇଁ ତାହା ଯଥେଷ୍ଟ । " ବସ୍ ଛାଡ଼ିବା ପୂର୍ବରୁ ମିଠୁ ଦିଦୀକୁ ଜାକିଧରି କାନ୍ଦିପକେଇ କହିଲା...ତୁ ଠିକ୍ କରିଚୁ ଦିଦୀ । ଏ ନିଷ୍ପତିରେ ମୁଁ ତୋ ସହିତ ପୁରା ଅଛି । ତୋ ପାଇଁ ଆମେ ସମସ୍ତେ ଗର୍ବିତ । ବାବାଙ୍କୁ ନେଇ ମୁଁ ଶୀଘ୍ର ତୋପାଖକୁ ଭୁବନେଶ୍ୱର ଆସିବି ।


Rate this content
Log in

Similar oriya story from Inspirational