ବିଭାଜନ
ବିଭାଜନ



ଆଜି ଯଦି ଜେଜେ ଆମର ବଞ୍ଚିଥାନ୍ତେ, ତାହେଲେ ଆଉ ଗୋଟିଏ ବିଭାଜନର ବିଭୀଷିକା ନିଜ ଆଖିରେ ଦେଖି ଲୁହ ଗଡ଼ାଇଥାଆନ୍ତେ ନିଶ୍ଚିତ ! ବଞ୍ଚିଥିବା ବେଳେ ତାଙ୍କ ଅମଳର ଅନେକ କଥା କହନ୍ତି ଆମକୁ, ସେସବୁ ଆମ ପରି ତଥାକଥିତ ଅତ୍ୟାଧୁନିକ ଯୁଗର ପିଲାମାନଙ୍କୁ ମରହଟ୍ଟିଆ ଗପ ପରି ଲାଗେ।
ଦେଶ ସ୍ବାଧୀନ ହେବାର ସମୟକୁ ଜେଜେଙ୍କ ବୟସ ପାଖାପାଖି ପନ୍ଦର କି ଷୋଳ ବର୍ଷ ହେବ ବୋଧେ। ସ୍ବାଧୀନତା ହାସଲ କରିବାର ସ୍ବପ୍ନ ଦେଖିଥିବା ଆଖିରୁ ତାଙ୍କର ଲୁହ ସେଦିନ ବୋହି ପଡିଥିଲା ଯେଉଁ ଦିନ ଦେଶ ସ୍ୱାଧୀନ ହେବା ସହ ବିଭାଜନର ବି ସାମ୍ନା କରିଥିଲା।
ସୁଖ କମ୍ ଦୁଃଖ ଅଧିକ ଅନୁଭବ କରିଥିଲେ ସମସ୍ତେ। ବିଭାଜନର ଦୁଃଖ। ବିଭାଜନ ପରବର୍ତ୍ତୀ ବିସ୍ଥାପନର ଦୁଃଖ। ଶରଣାର୍ଥୀଙ୍କ ଅସରନ୍ତି ସମସ୍ୟାର ଦୁଃଖ। ସେତେବେଳେକୁ ତ ଆଉ ଆଜି ପରି ଟିଭି ଚ୍ୟାନେଲ ସବୁ ନଥିଲା ଯେ ସବୁ କଥାକୁ ଟିକିନିଖି ପ୍ରଚାର ପ୍ରସାର କରିବେ। କିନ୍ତୁ ତୁଣ୍ଡ ବାଇଦକୁ ବା ରୋକିବ କିଏ?
ପଞ୍ଜାବ୍, ପୂର୍ବ ପାକିସ୍ତାନ ଓ ବର୍ମାରୁ ଆସିଥିବା ଶରଣାର୍ଥୀଙ୍କ ସମସ୍ୟା ସୀମାରେଖା ଡେଇଁ ଆମ ଗାଁରେ ବି ଜେଜେଙ୍କ କାନରେ ପଡ଼େ। ଦ୍ବିତୀୟ ବିଶ୍ବଯୁଦ୍ଧ, ଗାନ୍ଧୀ ମହାତ୍ମାଙ୍କ ହତ୍ୟାକାଣ୍ଡ, ଚୀନ ସହ ଯୁଦ୍ଧ, ବଙ୍ଗଳାଦେଶର ଜନ୍ମ, କାଶ୍ମୀର ପଣ୍ଡିତଙ୍କ ଦୁର୍ଦ୍ଦଶା, ସୋଭିଏତ ସଂଘର ପତନ, ଉପସାଗରୀୟ ଯୁଦ୍ଧ, ବିଶ୍ବ ବାଣିଜ୍ୟ କେନ୍ଦ୍ର ଆକ୍ରମଣ, ଅଗଣିତ ମହାବାତ୍ୟା ଓ ମହାବନ୍ୟା ପରି ଏମିତି ଅନେକ ମାନବିକ ଦୁର୍ଗତି କଥା ଜେଜେ ଦେଖିଛନ୍ତି ତାଙ୍କ ଜୀବଦ୍ଦଶାରେ।
ହେଲେ ସବୁଠାରୁ ବେଶୀ ଦୁଃଖ ଦେଇଥିଲା ତାଙ୍କୁ ଦେଶର ବିଭାଜନ। ଲକ୍ଷ ଲକ୍ଷ ଲୋକ ଧାଡ଼ି ବାନ୍ଧି ପଳାଇ ଆସୁଥିଲେ ଭାରତକୁ ଜୀବନ ରକ୍ଷା କରିବା ପାଇଁ। ରେଳ ଗାଡିର ଛାତ ଉପରେ ବସି ସର୍ବସ୍ୱ ହରାଇ ପରିବାରକୁ ସାଥିରେ ନେଇ ସୀମା ଆରପାରିରୁ ଛୁଟି ଆସୁଥିଲେ କେତେ ଆଶା ଭରସାରେ। ଦିନ ଦିନ ଧରି ଭୋକ ଉପାସରେ ଖୋଲା ଆକାଶ ତଳେ କାଟି ଦେଇଥିଲେ ଶରଣାର୍ଥୀ ଭାବେ ନିଜ ଜନ୍ମମାଟିରେ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଅନେକଙ୍କର ପ୍ରାଣ ବାୟୁ ଉଡିଯାଇଥିଲା। ଅନେକଙ୍କୁ ହତ୍ୟା ବି କରାଯାଉଥିଲା। ମଣିଷ ଉପରେ ମଣିଷର ବିଶ୍ବାସ ତୁଟି ଯାଇଥିଲା। ସବୁ ସମ୍ପର୍କ ପାଣିର ଗାର ହୋଇଯାଇଥିଲା। ଏସବୁ କଥା କହିବା ବେଳେ ଜେଜେଙ୍କ ଆଖିରୁ ଧାର ଧାର ଲୁହ ବୋହିଯାଏ।
ଆମେ କେହି ଏ ଭାବାବେଗ ବୁଝିପାରୁନି। ବୁଝି ପାରିବୁ ବା କେମିତି? ଆମେ ତ ସେ ସମୟର ଲୋକ ନୋହୁଁ ନା! ଜେଜେଙ୍କ କହିବା ବେଳେ ତାଙ୍କ ବର୍ଣ୍ଣନାର ଶୈଳୀକୁ ଦେଖି ଆମେ ନିଜକୁ ସମ୍ଭାଳି ନ ପାରି ଯଦି ହସି ଦେଉ, ସେ ବିରକ୍ତ ନହୋଇ ପଦ ଟେ କହନ୍ତି, "ସଂସାରରେ ବଞ୍ଚିରହିଥିଲେ ବାବୁ, କେତେ କଥା ଦେଖିବୁ, ଉଚ୍ଛନ୍ନ କାହିଁ ପାଇଁ?"
ସେତେବେଳେ ସେ କଥାର ମହତ୍ତ୍ୱ ଆଜି ଏତେ ଦିନ ପରେ ବୁଝୁଛି। କରୋନାର ପ୍ରକୋପ! ଏଇ ତୃତୀୟ ବିଶ୍ବଯୁଦ୍ଧ ନୁହେଁ ତ ଆଉ କଣ? ଗୁଳିଟିଏ ସିନା ଫୁଟିନି, କିନ୍ତୁ ଶହ ଶହ କୋଟି ଜନସାଧାରଣ ଆକ୍ରାନ୍ତ। ତଥାକଥିତ ମହାଶକ୍ତିମାନେ ପରାସ୍ତ, ନିରସ୍ତ୍ର, ନିରୁପାୟ। ଚାରିଆଡ଼େ ହାହାକାର। ନିସ୍ତବ୍ଧତାର ଅଖଣ୍ଡ ରାଜୁତି। ସାରା ଦୁନିଆରେ ତାଲା ବନ୍ଦ। ସବୁ କିଛି ବନ୍ଦ। ଏଥିରେ ଜୀବନ ବଞ୍ଚିବ କେମିତି?
ଆମ ଦେଶରେ ବି କିଛି କମ୍ ନୁହେଁ ଏହାର ପ୍ରଭାବ ଓ ପ୍ରକୋପ। ରାଜପଥ ଉପରେ ହଜାର ହଜାର ଶ୍ରମଜୀବୀଙ୍କ ପଦଯାତ୍ରା। ରୋଜଗାର ହରାଇ ଉପାୟଶୂନ୍ୟ ହୋଇ ଭାଗ୍ୟ ଓ ଭଗବାନଙ୍କ ଭରସାରେ ସ୍ତ୍ରୀ ପିଲାଙ୍କୁ ସାଥିରେ ଧରି ଯାହିତାହି ଜିନିଷକୁ ଗଣ୍ଠିଲିରେ ବାନ୍ଧି ଅଖିଆ ଅପିଆ ଅବିଶ୍ରାନ୍ତ ଚାଲି ଚାଲି ଫେରୁଛନ୍ତି ନିଜ ଭିଟାମାଟିକୁ। ସୁଖରେ ଜୀଇଁବାର ସ୍ଵପ୍ନ ତ ଛାରଖାର ହୋଇଯାଇଛି, ଭିଟାମାଟିରେ ପହଞ୍ଚିବାକୁ ଆଶାର ଦୀପଟା ମନରେ କୋଉଠି ନା କୋଉଠି ଦିକ୍ ଦିକ୍ ହୋଇ ଜଳୁଛି। କି ବିକଳ ସେ ଦୃଶ୍ୟ! କେବେ ରେଳ ଚକା ତଳେ ତ କେବେ ଟ୍ରକ୍ ଚକା ତଳେ ଚାଲିଯାଉଛି ବହୁ ଅମୂଲ୍ୟ ଜୀବନ।
ଆମେ ତ ଦେଖି ନଥିଲୁ ଦେଶ ବିଭାଜନର ଦୃଶ୍ୟ, କିନ୍ତୁ ଦେଶ ସ୍ବାଧୀନ ହେବାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ଯ ବୁଭୁକ୍ଷୁ ଜନତାର ସାମୁହିକ ପଳାୟନ ଗୋଟିଏ ବିଶ୍ଵ ଶକ୍ତି ପାଇଁ ବିଡ଼ମ୍ବନା ଛଡା ଆଉ କଣ ହୋଇପାରେ? ସେତେବେଳେ ହୁଏତଃ ସାଧନ ନଥିବ ଦେଶ ପାଖରେ, ହେଲେ ଏବେ ତ ମହାଶକ୍ତି। ମହାକାଶରେ ଉଡୁଛି ଆମର ବୈଜୟନ୍ତୀ। କେଉଁଥିରେ ବି କିଛି କମ୍ ନୋହୁଁ ଆମେ। କିନ୍ତୁ କେଉଁଠି ରହୁଛି ଭୁଲ? କାହାର ଏ ଭୁଲ? କାହା ପାଇଁ ପ୍ରଚାର ସର୍ବସ୍ବ ଯୋଜନା ସବୁ? ଥିଲାବାଲା ଆଉ ନଥିଲାବାଲା ମଧ୍ୟରେ ଇଏ ବିଭାଜନର ରେଖାଟିଏ ନୁହେଁ କି?
ଜେଜେଙ୍କ ସେ ଉକ୍ତିଟି ମୋ କର୍ଣ୍ଣପଟଳରେ ଗୁଞ୍ଜରିତ ହେଉଛି ବାରମ୍ବାର...