ଭୟଙ୍କର ବ୍ୟାଧି
ଭୟଙ୍କର ବ୍ୟାଧି
" ହୃଷିକେଶ ", ବୟସ ସତୁରୀ ହେବାକୁ ଏକବର୍ଷ ବାକି ଅଛି । ଘରଠାରୁ ଅନେକ ଦୂରକୁ ଚାଲିଆସିଛନ୍ତି । ନିଜ ଗାଡିକୁ ଏକ କି. ମି ଦୂରରେ ଛାଡି ଚାଲି ଚାଲି ଆସି ଏ ପୋଖରୀ ହୁଡାରେ ବସିଛନ୍ତି । ଖୁବ୍ ନିଛାଟିଆ ଯାଗାଟି । ସମୀପେ ଥିବା ଛୋଟ ଛୋଟ ମାଟି ଖଣ୍ଡକୁ ଉଠାଇ ପାଣିକୁ ଫିଙ୍ଗୁ ଥାନ୍ତି, ଓ ନିଜ ମନର ଅସୀମ ଭାବନାକୁ ଉଙ୍କି ମାରି ଦେଖୁଥାନ୍ତି ।
ହେତୁ ପାଇବା ପରେ ନିଜକୁ ସବୁ ସମୟରେ ମିତ୍ର ମାନଙ୍କ ଠାରୁ ଆଗରେ ଦେଖିବାକୁ ଚାହିଁଛନ୍ତି । କିଏ ଜଦି ତାଙ୍କଠାରୁ ନମ୍ବର ଅଧିକା ରଖୁଥିଲା ସେଦିନ ସେ ଶାନ୍ତିରେ ଶୋଇ ପାରନ୍ତିନି । ଯେତେ ଭଲ କଲେ ଇଛା ହେଉଥିଲା ଆହୁରି ଭଲ କରିବାକୁ ।
ଯେଉଁଦିନ ତୃପ୍ତିକୁ ଦେଖି ନିଜ ହୃଦୟତାକୁ ସମର୍ପି ଦେଇଥିଲେ, ପ୍ରେମରେ ବିଭୋର ଥିଲେ । ଶୟନ ସ୍ୱପନେ କେବଳ ତୃପ୍ତିକୁ ଭାବୁଥିଲେ । ଦିନ ଆସିଲା ତୃପ୍ତି ଛାଡି ଚାଲିଗଲା ହେଲେ ଏମନ ବାତୁଳ ହୋଇ ତୃପ୍ତିକୁ ଅନ୍ୟ ଝିଅଙ୍କ ଭିତରେ ଖୋଜିବାକୁ ଲାଗିଲା । ଶେଷରେ ନୀତି ସହିତ ଛନ୍ଦି ହୋଇଗଲେ ସାରା ଜୀବନପାଇଁ । ନୀତିକୁ ଖୁସି ରଖିବାର ପ୍ରୟାସ ସବୁବେଳେ ଜାରି ରଖିଲେ ।
ଚାକିରୀ ଜୀବନରେ ଅର୍ଥର ଅଭାବ ନଥିଲା, କିନ୍ତୁ ଏତିକିରେ ସନ୍ତୁଷ୍ଟବି ମନ ହେଉନଥିଲା । ବଡ ଘର, ବଡ ଗାଡି, ଓ ଦୁନିଆରେ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଗଢି ତୋଳିବାର ସ୍ୱପ୍ନ ଦିନରାତି ତାଙ୍କୁ ଶୋଇଦେଉନଥିଲା । ଯେତେ ଆଗକୁ ବଢିଲେ ସେତେ ଅଧିକ ଦରକାର ଭଳି ଲାଗୁଥିଲା ।
ପୁଅ, ଝିଅଙ୍କୁ ସମାଜରେ ବଡ କରି ଠିଆ କରିବା ପରେ । ତାଙ୍କ ପିଲାଙ୍କୁ ବଡମଣିଷ କରିବାର ପ୍ରୟାସ । ସାନପୁଅ ଗାଡି ଧକାରେ ଚାଲିଗଲା ସେକଷ୍ଟକୁ ଭୁଲିବାର ପ୍ରୟାସ, ତାଙ୍କୁ ଶାନ୍ତିରେ ରହିବାକୁ ଦେଉନି । ଏ ମନ ଅଥୟ ।
ପ୍ରତିମୁହୁର୍ତରେ ଏ ମୁଣ୍ଡ ଭିତରକୁ ଶହ ଶହ ଭାବନା ପଶି ଆସୁଛି । ମତେ ଅଧିକ ଟଙ୍କା ଦରକାର, ଆହୁରି ବଡ ଗାଡି ଦରକାର, ମୋ ଶତ୍ରୁ ବିନାଶ ହେବା ଦରକାର, ମୋ ନାତି ନାତୁଣୀ ମୋ ନାଆଁ କୁ ଆଗକୁ ନେବା ଦରକାର । ମୋ ସ୍ତ୍ରୀର ରୋଗକୁ ଭଲ କରିବା ଦରକାର, ମୁଁ ଅନେକ ଦିନ ବଂଚିଵା ଦରକାର, ଦୁନିଆରେ ଲୋକ ମାନେ ମତେ ଚିନ୍ହିଵା ଦରକାର, .............. !!!!। ହେଁ ଭଗବାନ କଣ କରିବି ମୁଁ । ନାଇଁ ଭଗବାନଙ୍କ ଉଦେଶ୍ୟରେ ହାତ ଯୋଡ଼ିଲେ ପୁନଃ ଅନେକ ଭାବନା ମୁଣ୍ଡକୁ ଆସି ଯାଉଛି । ଭଗବାନଙ୍କୁ କହିବାକୁ ଇଛା ହେଉଛି..... ମୋର ଏ ଦରକାର ମୋର ସେ ଦରକାର । ନାଇଁ ଏଥିରୁ ବି ମୁକ୍ତି ଦରକାର ।
ତାହେଲେ କଣ କରିବି ମୁଁ, ମୋର ଶାନ୍ତି ଦରକାର । ଏ ସଂସାରର ମୋହ, ପଇସାର ଲୋଭ ଠାରୁ ମତେ ଦୂରେଇବାକୁ ପଡ଼ିବ । ହେଲେ କିପରି ??????? । ଏ ଭୟଙ୍କର ବ୍ୟାଧି ମୋ ପିଛା ଛାଡିବ କିପରି ।
ନିଜର ଆଖି ବନ୍ଦ କରି ବସିଗଲେ ହୃଷିକେଶ, ମନକୁ ଆସିଲା ନିଜ ସ୍ତ୍ରୀଙ୍କ ରୋଗୀଣା ଚେହେରା..... ହୃଷିକେଶ ମନରେ ଭାବୁଥାନ୍ତି..... ଯାହା ହୋଇ ଯାଇଛି ତାହା ଠିକି ଥିଲା, ଯାହା ହେଉଛି ତାହାବି ଠିକି, ଓ ଯାହାହେବ ସବୁ ଠିକି ହେବ । ତାଙ୍କ ମନକୁ ଭାବନାରୁ ମୁକ୍ତ କରୁଥିଲେ, ଧୀରେ ଧୀରେ ମନ ଶୂନ୍ୟ ହେବାକୁ ଲାଗିଲା । ନା ଅଧିକ ଅର୍ଥର ଲୋଭ ଥିଲା, ନାଥିଲା ମୋହ, ନାଥିଲା ମାୟା । ସବୁ ତୁଚ୍ଛ.....
ସବୁ ଶୂନ୍ୟ, କେବଳ ଶୂନ୍ୟ । ଚେତନା ରାଇଜରୁ ନିଜକୁ ମୁକ୍ତ କରି ଅମାପ ଶାନ୍ତି ଅନୁଭବ କରୁଥିଲେ । ମତିଷ୍କ, ମନ ସବୁ ଶାନ୍ତ ।
କିଛିଦିନ ପରେ ହୃଷିକେଶ କାଶୀ ଚାଲିଗଲେ । ଶହ ଶହ ମୃତ ଦେହକୁ ଦହନ ହେବାର ବସି ଦେଖୁଥାନ୍ତି । ଜୀବନର ପରମ ଓ ଚରମ ସତ୍ୟକୁ ଆଖି ଆଗରେ ଦେଖୁଥାନ୍ତି । ମନ ଭିତରେ କିଛିବି ଭାବନା ନାହିଁ କେବଳ ଶୂନ୍ୟ ର ମୋହ ତାଙ୍କୁ ଆଣି ଏଠାରେ ଉପସ୍ଥିତ କରିଛି ।
