ଭୟାତୁର ଖୁସି
ଭୟାତୁର ଖୁସି
ସହରଟା ଉଠୁଛି ପଡୁଛି। ଗଳି, କନ୍ଦି, ମୋହଲ୍ଲା, ବସ୍ତି ସବୁଠି ଭିଡ ହିଁ ଭିଡ। ଚାରିଆଡେ ଜନ ସମାଗମ। ହବନି, କି କଥା କହୁଛ ମ, ଇଏ ପରା ଦୁର୍ଗା ପୂଜା। ପୁଣି କଲିକତା ଦୁର୍ଗାପୂଜା। ପୃଥିବୀର ସବୁଠୁ ଅଧିକ କମ୍ପିଟସନ ବୋଧହୁଏ କଲିକତା ଦୁର୍ଗାପୂଜାରେ ଦେଖିବାକୁ ମିଳେ। ବହୁ ବଜାର, ଶିଆଲଦା, ଶୋନାଗାଛି, ସୁବାସ ବୋଷ ରୋଡ, କାଲିଘାଟି ଏମିତି ସବୁ ବଜାରରେ ମାଆ ଦୁର୍ଗାଙ୍କର ଅପୂର୍ବ ସମାବେଶ। ଭିଡ କଥା ନକହିଲେ ଭଲ। ସେତେବେଳେ ମୁଁ +2 ଫାଷ୍ଟ ଇୟର ବିଜ୍ଞାନର ଛାତ୍ର। ପିଉସା ପୁଅ ଭାଇ କଲିକତାରେ ରହୁଥିଲେ। ତାଙ୍କରି ଭରସାରେ ମୁଁ ଯାଇ ପହଞ୍ଚି ଥିଲି ସେଠାରେ ବିଶ୍ବ ପ୍ରସିଦ୍ଧ କଲିକତା ଦୁର୍ଗାପୂଜା ଦେଖିବା ପାଇଁ। ରହିବା, ଖାଇବାର ପୁରା ବନ୍ଦୋବସ୍ତ। ଭଲ ଘରଟିଏ ଭଡା ନେଇଥାଏ। ସାନଭାଇ ଦିନରେ ଡିଉଟି ଚାଲିଯାଏ। ମୋତେ ଆଖ ପାଖ ଗଳି, ବସ୍ତି ଦେଖେଇ ଦେଇଥିଲା ଏବଂ ଏହା ଭିତରେ ବୁଲା ବୁଲି କରିବାକୁ କହି ତା ଡିୟୁଟିରେ ଚାଲିଯାଏ । ବେଶି ଦୂର ନଯିବା ପାଇଁ ତାଗିଦ୍ ବି କରିଯାଏ। ମଣିଷର ଏକ ସ୍ବଭାବ, ଯେଉଁ ଜିନିଷ ପାଇଁ ତାକୁ ମନା କରାଯାଏ ସେ ସେହି ଜିନିଷ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରେ। ଲୁଚି ଛପି ସେ ତାହାରି ପଛରେ ପଡିଯାଏ। ଯେପର୍ଯ୍ୟନ୍ତ ସେ ଠକି ନଥିବ ସେ ପର୍ଯ୍ୟନ୍ତ ସେ ଛାଡିବ ନାହିଁ। ତାସହିତ ପଢୁଥିବା ବେଳେ ଦିମାଗ ବେଶି ଇଆଡେ ସିଆଡେ ଘୂରିବୁଲେ। ଛାତ୍ର ଅବସ୍ତାରେ ଦିମାଗ ବେଶି ଖୁରାପାତି ହୁଏ। ବେଶି ଅନୁସନ୍ଦିଛୁ ହୋଇଉଠେ। ସମୟ ଜଣାପଡେ ନାହିଁ ମନ ଏବଂ ଦିମାଗ ପୁରା ବିଶ୍ବ ଭ୍ରମଣ କରିଆସନ୍ତି। ଠିକ୍ ସେହିପରି ସେଦିନ ବି ମୋର ଅବସ୍ତା ହୋଇଥିଲା। ପ୍ରତିଦିନ ଭଳି ସେଦିନ କାଳି ଘାଟୀ କାଳୀ ମନ୍ଦିର ଯାଇଥାଏ। ପ୍ରବଳ ଭିଡ, ସୋରିଷ ପଡିବାକୁ ବି ଜାଗା ନଥାଏ। ମୁଁ ଦୁର୍ଗା ମେଢ ଦେଖିବାକୁ ଯାଇ ଠେଲା ପେଲା ଭିତରେ ଆଗକୁ ଆଗକୁ ପେଲି ହେଇଗଲି। ଚାଲୁ ଚାଲୁ ପହଞ୍ଚି ଯାଇଥାଏ ଛୋଟି ଗଙ୍ଗା କୂଳରେ। ମୁଖ୍ଯ ଗଙ୍ଗା ସହିତ ସଂଯୋଗ ହୋଇଥିବାରୁ ନାଆଁଟି ତାର ଛୋଟି ଗଙ୍ଗା।
ଗଙ୍ଗା, କିନ୍ତୁ ମୁଁ ଯାହା ଶୁଣିଥିଲି ଦେଖିଲା ପରେ ବିଶ୍ବାସ କରି ପାରିଲି ନାହିଁ ଯେ ଇଏ ପ୍ରକୃତରେ ଗଙ୍ଗା ନା ମିଛଟାରେ ଲୋକମାନେ ଏ କେନାଲକୁ ଗଙ୍ଗା କହୁଛନ୍ତି। ଅବଶ୍ଯ ମୋ ଗାଆଁ ଦେଇ ପ୍ରବାହିତ କେନାଲ ଯାହାର ଉତ୍ପତ୍ତିସ୍ଥଳ ହଦଗଡ ଡେମ ତା ଠାରୁ ଏ ଗଙ୍ଗା ବଡ ନୁହେଁ। ଗଙ୍ଗା ପବିତ୍ର, ସ୍ବଛ୍ଛ, ନିର୍ମଳ କିନ୍ତୁ ସମ୍ପୂର୍ଣ୍ଣ ଅଲଗା ଥିଲା ସେ ଛୋଟି ଗଙ୍ଗା। ଗନ୍ଧରେ ନାକ ଫାଟି ପଡୁଥାଏ। ସହରର ସବୁଯାକ ନାଳ ନର୍ଦ୍ଦମାର ଆଶ୍ରୟ ସ୍ଥଳୀ ସେହି ଗଙ୍ଗା। ସାତ ରଙ୍ଗର ପାଣି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ସେଦିନ। ବହିରେ ତ ପଢିଥିଲି ପାଣି ରଙ୍ଗ ହୀନ। କିନ୍ତୁ ଇଏ କଣ, ଏଠି ତ ଭଳି ଭଳି ରଙ୍ଗର ପାଣି। ତା ସହିତ ସବୁଯାକ ଅପରିଷ୍କାର ର ଗନ୍ତାଘର ସେ ଗଙ୍ଗା।
ଭିଡ ସେଠି ବି ଲାଗିଥାଏ। ମା ଦୁର୍ଗାଙ୍କ ମେଢ ପାଇଁ ନୁହେଁ, ମାଆଙ୍କର ପାର୍ଶ୍ବ ସହାୟକା ଚାମୁଣ୍ଡା, କାତ୍ୟୟନୀ, ଖପରଧାରିଣୀ ଇତ୍ୟାଦିଙ୍କ ନାଲି ନେଳି ଲିପଷ୍ଟିକ ସହିତ ପ୍ରସାଧନ ସାମଗ୍ରୀ ବୋଳି ହୋଇ ରୂପର ପସରା ମେଲେଇ ଚାହିଁ ବସିଥିବା ରୂପସୀ ମାନଙ୍କ ପାଇଁ। ସେଦିନ ସେମାନଙ୍କ ଭିଡ ଭିତରେ ମୁଁ ନିର୍ବାକ୍ ହୋଇଯାଇଥିଲି। ଛୋଟି ଗଙ୍ଗା ନଦୀ ଦେଖିସାରି ଯେବେ ପଛକୁ ଫେରିବା ପାଇଁ ପାଦ ବଢେଇଥିଲି ସେତେବେଳେ ମୋ ପାଦ ଆଉ କେଉଁଠି ପଡିଥିଲା। କେତେଜଣ ମହିଳା ରାସ୍ତା ଦେଖେଇବା ବାହାନାରେ ମୋତେ ସେମାନଙ୍କର ଭିଡ ଭିତରକୁ ଟାଣି ନେଇଥିଲେ। ସେମାନଙ୍କର ଅଦ୍ଭୁତ ଅଙ୍ଗ ଢଙ୍ଗ କାର୍ଯ୍ଯକାରିତା ଏବଂ ବ୍ଯବହାରରେ ମୁଁ ଅତିଶୟ ହୋଇ ପଡିଥାଏ। ଗଳି ଭିତରେ ଏକ ଦୋକାନରୁ ଗୋଟିଏ ରାଜୀବ ଗାନ୍ଧୀଙ୍କ ଜୀବନ ଚକ୍ର ଉପରେ ଆଧାରିତ ପୋଷ୍ଟକାର୍ଡ଼ ଟିଏ ୧ଟଙ୍କା ଦେଇ ଖର୍ଦି କରିଥିଲି। ସେହି ପୋଷ୍ଟକାର୍ଡ଼ ସହିତ ୨୦ ଟଙ୍କା ମୋ ସାର୍ଟ ଉପର ପକେଟରେ ଥିଲା। ଏକାଥରେ ୩ ଜଣ ମହିଳା ମୋ ପକେଟରେ ହାତ ପୂରେଇ ଖିଚିନେବାପାଇଁ ଟଣା ଓଟରା କରୁଥାନ୍ତି। ସେମାନଙ୍କ ଦୃଷ୍ଟିରେ ମୋ ପକେଟରେ କିଛି ମୋଟା ପଇସା ନିଶ୍ଚିତ ଅଛି ବୋଲି ସେମାନେ ଭାବି ମୋତେ ଆକ୍ରମଣ କରିଥାନ୍ତି। କିନ୍ତୁ ମୁଁ ତ ବୁଲା ଫକିର। ସେ ସମୟରେ ୨୦ ଟଙ୍କା ୧୯୮୯ ମସିହାର ବହୁତ କିଛି। ମୁଁ ବା କେମିତି ଛାଡିଥାଆନ୍ତି! ମୁଁ ବି ମୋ ପକେଟକୁ ଜାବୁଡି ଧରିଥାଏ। ଏହା ଭିତରେ ୫୵୧୦ ମିନିଟ ଅତିବାହିତ ହୋଇଯାଇଥାଏ। କେହି ଜଣେ ଚାପୁଡା, ଆଉ କିଏ ବିଧା ମାରିବାକୁ ବି ପଛେଇ ନଥିଲେ। ମୁଁ ନିରୂପାୟ। ସେତେବେଳେ ସବୁ ଯାକ ଭୟ ଭ୍ରାନ୍ତି ମନଟାକୁ ଆହୁରି ନର୍ଭସ କରିଦେଉଥାଏ। ସବୁଠୁ ମଜା କଥା ଥିଲା ସେମାନେ ବଙ୍ଗଳାରେ ମୋତେ ଗାଳି ଗୁଲଜ କରୁଥିବା ବେଳେ ମୁଁ ସେମାନଙ୍କୁ ଓଡିଆରେ ଛାଡ ଦୋ, ଆମି ଯିବା, ଆମାର ଭାଇ ମାରବୋ ମୋତେ, ଛାଡ ଦୋ। ବାହାରେ ଯିବା ଆସିବା କରୁଥିବା ଲୋକମାନଙ୍କ ଭିଡ ଧୀରେ ଧୀରେ ବଢିବାକୁ ଲାଗୁଥାଏ। ଦେଖୁଥିବା ଲୋକମାନେ ଭାବୁଥିଲେ ବୋଧହୁଏ ମୁଁ ଚୋରିକରି ପଳେଇ ଯାଉଥିଲି ସେଥିପାଇଁ ମୋତେ ଅଟକେଇ ଧରିରଖିଛନ୍ତି। କିନ୍ତୁ କେହି ଜାଣି ପାରୁ ନଥାନ୍ତି ମୋ ଦୁଃଖ କଥା। ମୁଁ ବୁଝି ପାରୁଥିଲି ସେମାନଙ୍କ କଥା କିନ୍ତୁ ସେମାନେ କେହି ମୋ କଥା ବୁଝି ପାରୁନଥିଲେ। ମୋ ଦୁର୍ଦ୍ଧଷାର ମୂଳକାରଣ ବଙ୍ଗଳା ଭାଷା। ହଠାତ୍ ସେହି ଭିଡ ଭିତରୁ କେହି ଜଣେ ମୋତେ ଜୋର କରି ଟାଣି ନେଲେ। ମୋ ପକେଟରୁ ସେମାନଙ୍କ ହାତ ବାହାରି ଯିବା ପରେ ମୁଁ ଏକମୁହାଁ ହୋଇ ମେଢ ପାଖକୁ ଚାଲିଆସିଥିଲି। ତାପରେ ସେହି ବହୁ ବଜାରରେ ଭଡା ଘର ଭିତରକୁ ଅତର୍କିତ ଭାବେ ପଶିଯାଇଥିଲି। ମଣିଷ ବଞ୍ଚିଗଲା। ଆଉ କିଛି ସମୟ ସେଠି ଥିଲେ କଣ ଯେ ହୋଇଥାନ୍ତା ସେଦିନ ମୋର ଅବସ୍ଥା କେବଳ ସେହି ମା ଦୁର୍ଗା ଜାଣନ୍ତି। ସେହି ଭୟ ଭିତରେ ବି ଖୁସି ଥିଲା। ମାଆ ଦୁର୍ଗାଙ୍କର ଅସୀମ କୃପାରୁ ମୁଁ ସେଦିନ ବଞ୍ଚି ପାରିଥିଲି ।

