STORYMIRROR

Seetaram Dash

Horror

2  

Seetaram Dash

Horror

ଅଲୌକିକ

ଅଲୌକିକ

4 mins
337


  ସାରା ଜଗତରେ ସମସ୍ତ ଧର୍ମ, ସମସ୍ତ ସଂସ୍କୃତି ଏହି ଗୋଟିଏ କଥାକୁ ସ୍ୱୀକାର କରିଛନ୍ତି ଯେ "ଆତ୍ମା ଅମର"। ନିଜର ଧର୍ମ କର୍ମ ଅନୁସାରେ ମନୁଷ୍ୟ ଉଚ୍ଚ କି ନୀଚ ଯୋନିରେ ଜନ୍ମ ଲାଭ କରେ। ପୁଣି ସଂସାର ସାଗରରେ ଘୁରି ବୁଲେ। ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ମାର୍ଗରେ ଗତିକଲେ ମନୁଷ୍ୟ(ଆତ୍ମା) ମୋକ୍ଷ୍ୟ ଲାଭ ହୋଇଥାଏ। ମୋକ୍ଷ ମନୁଷ୍ୟର ପରମ ଲକ୍ଷ୍ୟ ହେବା ଉଚିତ। ଗୀତା, ଉପନିଷଦ, ଅନେକ ଧର୍ମ ଗ୍ରନ୍ଥରେ ପୂର୍ବ ଜନ୍ମ କଥା ଉଲେଖ କରାଯାଇଛି। ଅନେକ ଗ୍ରନ୍ଥରେ ଦେବଲୋକ,ପିତୃଲୋକ ଓ ପ୍ରେତଲୋକ ବିଷୟରେ ଉଲେଖ କରାଯାଇଛି। ମୋର ଗୋଟେ ପ୍ରଶ୍ନ ମନକୁ ଆସେ, ଆତ୍ମା ପୁରୁଣା ଶରୀର ତ୍ୟାଗ କଲା ପରେ ପୁଣି ନୂଆ ଶରୀରରେ ପ୍ରବେଶ କରେ। ଏହା ଯଦି ସତ୍ୟ ତେବେ ଏତେ ସବୁ ଭୂତ ପ୍ରେତ ଆସନ୍ତି କିପରି? କିଛି ଲୋକଙ୍କ ମତ ଏସବୁ ଅନ୍ଧବିଶ୍ୱାସ, ଭୂତ ପ୍ରେତଙ୍କ ଅସ୍ତିତ୍ବ ହିଁ ନାହିଁ। ଆଉ କିଛି ଲୋକଙ୍କ ମତ ଭୂତ ପ୍ରେତ ହେଉଛନ୍ତି ଅତୃପ୍ତ ଆତ୍ମା। 


      ଆଜି ପର୍ଯ୍ୟନ୍ତ ମୁଁ କେବେ ଭୂତ ଦେଖିନି କି ଭୂତ ପ୍ରେତଙ୍କ କାର୍ଯ୍ୟ କଳାପ(ଗଛ ଡାଳ ଭାଙ୍ଗିବା, ଅନ୍ଦାରରେ ଟେକା ପଥର ଫିଙ୍ଗିବା) ପ୍ରତ୍ୟକ୍ଷ ରୂପେ ଶୁଣିନି। କେବଳ ପିଲାବେଳୁ ଆଜି ପର୍ଯ୍ୟନ୍ତ ଅନେକ କାହାଣୀ ଶୁଣୁଛି। ଭୂତ ମାନଙ୍କର ବି ଅନେକ ପ୍ରକାର ନାଁ ଅଛି। ଯେମିତି ଭୂତ, ବାବେନା ଭୂତ, ପ୍ରେତ, ସୈତାନ, ଡାହାଣୀ, ଚିରୁଗୁଣୀ, ପିତାଶୁଣି, ହାଡବାଇ, ବାଳ ଝାମ୍ପୁରି ଇତ୍ୟାଦି ଇତ୍ୟାଦି। ସେମାନଙ୍କର ରଙ୍ଗ ବି ଅଛି, ହେଲେ କେବଳ କଳା ନ ହେଲେ ଧଳା। କେବେ ନାଲି, ନୀଳ, ହଳଦିଆ କିମ୍ଵା ସବୁଜ ରଙ୍ଗ ଭୂତ କଥା ଶୁଣିନି, କି କେହି ମଧ୍ୟ ଶୁଣି ନ ଥିବେ। ହେଲେ ଠିକ ସେ ବୁଝି ପାରିନି ଏସବୁ ସତ ନା ମିଛ? ଭୂତ ପ୍ରେତ କାଳ୍ପନିକ ନା ଅନ୍ଧବିଶ୍ୱାସ? ପିଲାଦିନର ଏକ ଅନୁଭୂତି ବର୍ଣ୍ଣନା କରୁଛି। ଘଟଣାଟି ଆଜକୁ ୨୩ ବର୍ଷ ପୂର୍ବର। ମୁଁ ଅଷ୍ଟମରେ ପଢୁ ଥାଏ।


    ଆମ ଗାଁ। ଗାଁରେ ସେତେବେଳେ କେବଳ ଚାଳଘର ଥାଏ। ଅଳ୍ପ ଆଜବେଷ୍ଟ ଘର ଆଉ ଦୁଇ ତିନୋଟି ଛାତ ଘର। ଗାଁ ଚାରି ପଟେ ଅନେକ ବଡ଼ ବଡ଼ ଗଛ। ଯାହାକୁ ଆମେ ମାନେ ତୋଟା କହୁ। ଗାଁ ଚାରି ପାଖ ଛାଡି ଦେଲା ପରେ ବି ଅନେକ ବଡ଼ ବଡ଼ ଗଛ ଗାଁ ଭିତରେ ଏବଂ ଘର ନିକଟରେ ଥାଏ। ଆମ ଗାଁ ଏତେ ଅନୁନ୍ନତ ବି ନୁହେଁ। ରାଜଧାନୀ ଭୁବନେଶ୍ବର ଓ କଟକ ମଧ୍ୟରେ ଅବସ୍ଥିତ। ଭୁବନେଶ୍ୱରରୁ ଦୂରତା କେବଳ ୩୪ କିଲୋମିଟର।


        ରାଧୁ(ଛଦ୍ମ ନାମ) ମଉସା ଆମ ଗାଁର ସବୁଠୁ ଗରିବ ଓ ସାଧାରଣ ଲୋକ। କେବେ କାହା ସହ କଳି ଝଗଡା କରିବା ଆମେ ଦେଖିନୁ କି ଶୁଣିନୁ। ଏକଦମ ସରଳ ନିଷ୍କପଟ ମଣିଷଟିଏ। ବୟସ ସେ ସମୟରେ ୫୫ ବର୍ଷ। ଘରେ ଦୁଇ ଝିଅ ଗୋଟେ ପୁଅ ଓ ସ୍ତ୍ରୀ କୁ ନେଇ ତାଙ୍କର ଗରିବ ପରିବାର। ଗାଁରେ ସମସ୍ତେ ତାଙ୍କୁ ଭଲ ପାଆନ୍ତି। ସେତେବେଳେ ଗାଁରେ ସ୍ନେହ, ଅତ୍ମୀୟତା ଓ ଏକତା ଭାବ ମନ ପ୍ରାଣରେ ଭରିଥାଏ। ସାହାଯ୍ୟ ସହଯୋଗରେ ଲୋକମାନେ ଦିନ କାଟି ନିଅନ୍ତି।


        ଦିନେ ରାତି ଦଶଟା କି ସାଢେ ଦଶଟା ହେବ,ରାଧୁ ମଉସାଙ୍କୁ ଝାଡା ଲାଗିଛି। ସେତେବେଳେ ଗାଁରେ ବିଜୁଳି ବତୀ ସପ୍ନ। ଟର୍ଚ୍ଚ ଖଣ୍ଡେ ବି ସମସ୍ତଙ୍କ ପାଖରେ ନଥାଏ। ଲଣ୍ଠନ ଟିଏ ନେଇ ସେ ନଈ କି ଯାଇଛନ୍ତି। ଗାଁ ପାଖରେ ନଈ ତେଣୁ ସମସ୍ତେ ଗାଧୁଆ ପାଧୁଆ ଠାରୁ ଆରମ୍ଭ କରି ସମସ୍ତ ନିତ୍ୟକର୍ମ କର୍ମ ପାଇଁ ନଈ ପାଣିକୁ ବ୍ୟବହାର କରନ୍ତି। ସେ ସମୟରେ ରାତି ଦଶଟା ବି ବହୁତ। ଚାରିଆଡ଼େ ନୀରବତା ଓ ନିର୍ଜ

ନତା। କୌଣସି କାରଣରୁ ରାଧୁ ମଉସା ଏକା ନଇ କି ଯାଇ ଫେରିଛନ୍ତି। ଘରେ ଖାଇ ପିଇ ଶୋଇ ଯାଇଛନ୍ତି।


       ପର ଦିନ ସକାଳ। ବଡି ଭୋରୁ ଉଠୁଥିବା ରାଧୁ ମଉସା ଦିନ ସାତ ଟା ଯାଏଁ ଶୋଇଛନ୍ତି। ଦେହରେ ଟିକେ ତାତି, ଦେହ ଭଲ ଲାଗୁନି ବୋଲି କହିଛନ୍ତି। ଧୀରେ ଧୀରେ କଥା କହୁଛନ୍ତି। କଥାରେ ଅନେକ ଫରକ ଲାଗୁଛି। ବେଳେ ବେଳେ କଣ କହୁଛନ୍ତି ଜାଣି ହେଉନି। ଅନେକ ପୁରୁଣା ଦିନ କଥା କହୁଛନ୍ତି। କିଛିଦିନ ତଳେ ହୋଇଥିବା ଭୋଜିରେ ଖାଇବାକୁ ଦେଲନି ବୋଲି କହିଲେ। କିଛି ଲୋକ ସନ୍ଦେହ କଲେଣି ଦେହରେ କେହି ଲାଗିଛି(ପ୍ରେତ ଆତ୍ମା ପ୍ରବେଶ କରିଛି)। ଦିନ ଏଗାରଟା ବେଳେ ରାଧୁ ମଉସା ମାଉସୀଙ୍କୁ କହିଛନ୍ତି, "ବୋହୁ ମା' ମାଛ ଭଜା ଟିକେ ଖାଇବାକୁ ଦେ"। ମତେ ଜାଣିପାରୁନ ମୁଁ ପରା ଅମକ"। ନିଜକୁ ରାଧୁ ମଉସାଙ୍କ ବାପା ବୋଲି ପରିଚୟ ଦେଇଛନ୍ତି। ତା ସହିତ କହିଛନ୍ତି ବ୍ୟସ୍ତ ହୁଅନି ମୁଁ ଆପେ ଆପେ ଚାଲିଯିବି। ଘଟଣାଟା ପୁରା ଗାଁ'ରେ ପବନ ବେଗରେ ଖେଳି ଯାଇଛି। 


          ଦିନ ୨ଟା ସମୟ। ରାଧୁ ମଉସାଙ୍କ ଘର ଅଗଣାରେ ପୁରା ଗାଁ ଲୋକ ରୁଣ୍ଡ ହୋଇଛନ୍ତି। ରାଧୁ ମଉସା ଘରର ପିଣ୍ଡାରେ ବସିଛନ୍ତି। ଜଣେ ବୟସ୍କ ବ୍ୟକ୍ତି ରାଧୁ ମଉସାଙ୍କୁ ପ୍ରଶ୍ନ କରିଛି "ମହାତ୍ମା କଣ ପାଇଁ ଆସିଲ"। ରାଧୁ ମଉସା କହିଛନ୍ତି, "ପୁଅଟା ରାତିରେ ଏକା ନଇ ପଠାକୁ ଯାଇଥିଲା, କାଳେ ଡରିବ ତେଣୁ ମୁଁ ପଛପଟେ ଜଗିକି ଠିଆ ହୋଇଥିଲି। ରାଧୁ ପଛପଟକୁ ବୁଲିଯିବାରୁ ମତେ ଦେଖି ଚମକି ପଡିଲା। ମୁଁ ଦେହରେ ରହିଗଲି। ବ୍ୟସ୍ତ ହୁଅନି, ଗୁଣିଆ ଡାକିବା ଦରକାର ନାହିଁ। ଟିକେ ଛାଇ ଲେଉଟିଲେ ମୁଁ ଚାଲିଯିବି"। 


        ଭିଡ଼ ଭିତରୁ ଜଣେ ପୁରୁଖା ଲୋକ ଆସି ରାଧୁ ମଉସାଙ୍କ ପାଖରେ ବସି ପଚାରିଲେ, "ମତେ ଚିହ୍ନି ପାରୁଛ"। ରାଧୁ ମଉସା ତା ନାଟି କହିଲେ। ଅତୀତର କିଛି ସ୍ମୁତି ବାଣ୍ଟିଲେ। ଗୋଟେ ଗଉଣୀ ଦେଇଥିବା କଥା କହିଲେ। ଶେଷରେ ସବୁ ମନେ ଅଛିରେ ଅମକ, କହୁ କହୁ ଦୁଇ ଟୋପା ଲୁହ ବି ଝରି ପଡ଼ିଲା ତାଙ୍କ ଆଖିରୁ। ଏବେ ସମସ୍ତଙ୍କ ଆଖିରେ ଲୁହ। ସମସ୍ତେ ଭାବ ପ୍ରବଣ।ଭୂତ ପ୍ରତି କାହାର ଭୟ ନାହିଁ। ସମସ୍ତେ ରାଧୁ ମଉସାଙ୍କ ପାଖାପାଖି ବସିଛନ୍ତି। ଯେମିତି ସାଧାରଣ ଭାବରେ ଗାଁ ଲୋକ ବସନ୍ତି। ପ୍ରଶ୍ନ ପଚାରୁ ଥିବା ବ୍ୟକ୍ତି ଜଣକ ଆଖିର ଲୁହକୁ ଗାମୁଛାରେ ପୋଛି ପଚାରିଲେ, "କୋଉଠି ସବୁ ରହୁଛ, କିଏ କିଏ ରହୁଛ"। ରାଧୁ ମଉସା ଘର ସାମନାରେ ଥିବା ବିରାଟ ଚାଖୁଣ୍ଡା ଗଛକୁ ଦେଖାଇ କହିଲେ, "ଏଇ ଗଛରେ ସମସ୍ତେ ରହୁ। ଅମକ ଲୋକ ଖାଲି କଲିକତାରେ ରହିଲା"।ବୁଝୁ ବୁଝୁ ସେ ଲୋକଟି କଲିକତାରେ ମରିଥିଲା ଏବଂ ସେଠାରେ ଅନ୍ତିମ କ୍ରିୟା କରାଯାଇଥିଲା।


       ଦିନ ଚାରିଟା ସମୟ। ସମସ୍ତେ ବସି ବିଭିନ୍ନ କଥା ହେଉଛନ୍ତି। ହଟାତ ରାଧୁ ମଉସା ବସିବା ଜାଗାରୁ ଟଳି ପଡିଲେ। ସମସ୍ତେ କହିଲେ ବୁଢା ଚାଲିଗଲା। ପାଣି ଛିଞ୍ଚି, ରାଧୁ ମଉସାଙ୍କୁ ଉଠାଗଲା। ରାଧୁ ମଉସା ଏବେ ସମ୍ପୂର୍ଣ୍ଣ ସୁସ୍ଥ। ରାତିର ସବୁ ଘଟଣା କହିଲେ। ଭୂତ ଦେଖିବା କଥା ମନା କଲେ କେବଳ ଏତିକି କହିଲେ ଛାଇ ପରି କଣ ଲାଗିଲା, ଚମକି ପଡିଲି। ଖାଇ ପିଇ ଶୋଇଲି। ସକାଳୁ କଣ ହୋଇଛି, କଣ ନାଇ ମୁଁ କିଛି ଜାଣିନି। ଏବେ ଗାଁରେ ଭୟର ମାହଲ। କେହି ସଞ୍ଜ ହେଲେ ପଦାକୁ ବାହାରୁ ନାହାନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ସେଇ ଚାଖୁଣ୍ଡା ଗଛ ଆଉ ଭୂତ। ଏମିତି ୧୫ ଦିନ ଚାଲିଲା।ତାପରେ ଧୀରେ ଧୀରେ ଲୋକମାନେ ଏ କଥାକୁ ଭୁଲିଗଲେ।


Rate this content
Log in

Similar oriya story from Horror