Aparajita Sarangi

Abstract Horror Classics

4  

Aparajita Sarangi

Abstract Horror Classics

ଭୂତ

ଭୂତ

5 mins
244


ଅଭୁଲା ପ୍ରେମ ପାର୍ଟ ଏକ ଦୁଇ ତିନି ଚାରି ଶୁଣିଥିଲି କିନ୍ତୁ କେବେ ଶୁଣି ନଥିଲି ଅଭୁଲା ତେନ୍ତୁଳି l ତେନ୍ତୁଳି ତ ଗୋଟେ ଖାଇବା ଜିନିଷ l ଚାଖିଲେ ଖଟା ଲାଗେ ଆଉ ଯଦି ଗୁଡ଼ ମିଶିଥିବ ଟିକେ ମିଠା ଲାଗିବ ପୁଣି ଏଥିରେ ନୂଆ ନାଁ ଗୋଟେ ଯେତେବେଳେ ଲାଗିଗଲା ଅଭୁଲା ତେନ୍ତୁଳି ମତେ ଟିକେ ଭାରି ଅଦ୍ଭୁତ ଲାଗିଲା l ମୁଁ ସାଙ୍ଗେ ସାଙ୍ଗେ ମୁହଁଟାକୁ ମୋଡ଼ି ଡେଲି l ଅବଶ୍ୟ ମୋର ମୁହଁ ମୋଡିବା ଅଭ୍ୟାସ ଟା ପୁରୁଣା ଥିଲା l ମତେ ଯଦି ଗୋଟେ କଥା ଟିକେ ଭଲ ଲାଗିଲାନି କି ଅଦ୍ଭୁତ ଲାଗିଲା ମୁଁ ସାଙ୍ଗେ ସାଙ୍ଗେ ମୁହଁ ମୋଡ଼ି ଦେବି l ତେଣୁ ବିନି ନାନୀ ଯେତେବେଳେ ମତେ ଅଭୁଲା ତେନ୍ତୁଳି କଥା କହିଲା ମୁଁ ଧଡ଼ କିନା ମୁହଁ ମୋଡିଦେଲି l


ପିଲାବେଳେ ମୁଁ ପ୍ରତି ବର୍ଷ ରଜ ଛୁଟି ରେ ମୋ ମାମୁଁ ଘରକୁ ଯାଉଥିଲି l ମୋ ବୋଉ ର ସ୍କୁଲ ଛୁଟି ହଉଥିଲା ଓ ଆମ ଭାଇ ଭଉଣୀଙ୍କର ବି l ତେଣୁ ଆମେ ମାସେ ଉପରେ ଯାଇ ରଜ ଛୁଟି ରେ ମାମୁଁ ଘରେ ରହୁଥିଲୁ l ବିନି ନାନୀ ମାମୁଁ ଘର ଗାଁ ର ଜଣେ ସମାଜ ସେବି ଥିଲେ l ସେ ପ୍ରାୟ ସନ୍ଧ୍ୟା ବେଳେ ଆସନ୍ତି ମୁଁ ତାଙ୍କ ସହ ବୁଲିବାକୁ ଯାଏ l ସେ ଭଲ ଭଲ କଥା କୁହନ୍ତି ମତେ ଶୁଣିବାକୁ ଭଲ ଲାଗେ l


ଦିନକ ର କଥା ସେ ମତେ ଯେତେବେଳେ ତିନ୍ତୁଳି ର ଗୋଟେ ଅଭୁଲା ସ୍ମୃତି ଅଛି କହିଲେ ତାହା ମୋ ମନକୁ ପାଇଲାନି l ବିନି ନାନୀ ମୋ ମନର ଅବସ୍ଥା ବୁଝି ଯାଇ କହିଲେ, ଶୁଣୁ ତୁ ଯେତେବେଳେ ଭୁବନେଶ୍ୱର ରୁ ବସ ରେ ଆସି ଆମ ଗାଁ ମୁଣ୍ଡ ରେ ଓହ୍ଲାଉ କଣ ଦେଖୁ lମୁଁ ସାଙ୍ଗେ ସାଙ୍ଗେ ଦାନ୍ତ ଦେଖେଇ କହିଲି, ବେନୁଆ ଗୁଡ଼ିଆ ର ପକୁଡି ଦୋକାନ l ଯୋଉଠୁ ଆମେ ପକୁଡି କିଣି ଖାଉ l

ହଇଲୋ ବାଚୁଳି ଖାଲି ପକୁଡି ଦୋକାନ ତତେ ଦିଶେ l ତା ପାଖରେ କଣ ଅଛି ଟିକେ ଭାବେ l

ଉଁ ଉଁ ହେଇ ବହୁତ ଭାବିଲି ଆଉ କହିଲି ହଁ ଢ଼ୋକିଆ ବୁଢାର ଘର... ଆଉ ଆଉ ହଁ ତେନ୍ତୁଳି ଗଛ lହଁ ଏବେ ବାଟକୁ ଆସିଲୁ ତେନ୍ତୁଳି ଗଛ ସେ ଗଛ କୁ କେବେ ଭଲକି ଦେଖିଚୁ...

ଉଁ... ଉଁ.... ନାଁ... ମତେ ତେନ୍ତୁଳି ଭଲ ଲାଗେନି ସେଥିପାଇଁ ମୁଁ ଦେଖେନି...ଧେତ ତେରିକା... କି ବେକାରିଆ ପିଲାଟା ତୁ... କିଛି ଗୋଟେ ଜlଣିବାରେ ଆଗ୍ରହ ନାହିଁ... ତୋ ବୋଉ ତତେ କଣ ଖାଇକି ଜନ୍ମ କରିଥିଲା କେଜାଣି ଏଡ଼େ ଓଲି ହେଲୁ... ଖାଲି ମୁହଁ ଗୋଲିଆ ନୁହେଁ ତୋ ବୁଦ୍ଧି ବି ଗୋଲ... ଚାଲ ମୋ ସାଙ୍ଗରେ...


କହି ଦେଇ ବିନି ନାନୀ ମତେ ଟାଣି ଟାଣି ନେଇଗଲା ଗାଁ ମୁଣ୍ଡ ତେନ୍ତୁଳି ଗଛ ମୂଳକୁ l ସେତେବେଳେ ଖରାବେଳ ହେଇଥାଏ l ଡହ ଡହ ତାତି l କେହି କୁଆଡ଼େ ନଥାନ୍ତି l ତେନ୍ତୁଳି ଗଛ ମୂଳଟା ମତେ ଖାଁ ଖାଁ ଲାଗିଲା l ମତେ ବିନି ନାନୀ କହିଲା ଦେଖ କେଡେ ବଡ଼ ଗଛ ହେଇଛି... ଉପରକୁ ଚାହାଁ...

ମୁଁ ଆଖି ଟେକି ଚାହିଁଲି l ସତକୁ ସତ ଗଛ ଟା ମତେ ଭାରି ବଡ଼ ଲାଗିଲା l ତେନ୍ତୁଳି ବି ଗଛରେ ଲଦି ହେଇଥାଏ l ତା ଦେହରେ ଲାଗିଥିବା ହଳଦିଆ ମାଟିଆ ରଙ୍ଗର ଚୋପା ବି କିମ୍ଭୁତ କିମ୍ଵାକାର ଲାଗୁଥାଏ l


ବିନି ନାନୀ ମୋ ପାଖକୁ ଲାଗି ଆସି କହିଲା, ଜୁବୁଲି ଲୋ ଶୁଣୁ ପୁରା ଉପରକୁ ଦେଖ.... ସେ ଅଗ କେମିତି ଶୂନ୍ୟରେ ମିଶି ଯାଇଛି... ଆକାଶ ରେ ମିଳେଇ ଯାଇଛି ପରା କଥା କଣକି ରାତି ଅଧରେ ଆଉ ଦିନ ଦ୍ବିପହର ରେ ଏଠି ବା ଆମ ଗାଁ ର ଭୂତ ଗୁଡ଼ା ଆସି ଦୋଳି ଖେଳନ୍ତି... ଝୁଲନ୍ତି... ବେଳେ ବେଳେ ଏ ତେନ୍ତୁଳି ଭିତରେ ପଶି ଯାଆନ୍ତି... ଆଉ ଟିକେ ଗୋଲ ଗାଲିଆ ଚେହେରା ଦେଖିଲେ ତାଙ୍କ ପାଟିରୁ ଲାଳ ବାହାରେ... ସେ କୁଆଡ଼େ ଚୋବାନ୍ତିନି ଆନlକୋଣ୍ଡା ଭଳି ଗୋଟା ଗିଳନ୍ତି l


ଏତକ ଶୁଣି ମୋ ଦେହ ଟା ପୁରା ଥରିବା ଆରମ୍ଭ ହେଇଗଲା l ମୁଁ ତ ଗୋଲ ଗାଲ ସମସ୍ତେ କୁହନ୍ତି ତାହେଲେ କଣ ମତେ ଗିଳିବେ l ହେ ପ୍ରଭୁ l ମୁଁ ବିନି ନାନୀ କୁ ଜାବୁଡ଼ି ଧରିଲି l ମୋ ଦେହ ଥଣ୍ଡା ହେଇଗଲା ଭଳି ଲାଗୁଥାଏ l ମୁଁ କାନ୍ଦ କାନ୍ଦ ହେଇ କହିଲି,

ବିନି ନାନୀ ମୁଁ ଘରକୁ ଯିବି... ମତେ ଭୋକ ହେଲାଣି l

ଯଦିଓ ମତେ ଭୋକ ଜମାରୁ ହଉ ନଥିଲା l ବିନି ନାନୀ କହିଲା ଡରୁଛୁ କି... ମୁଁ ପରା ଅଛି l

ମୁଁ ଉପରେ ଦମ୍ଭ ଦେଖେଇ କହିଲି ନାଁ ନାନୀ ମୁଁ ଡ଼ରିନି ମୁଁ ଘରକୁ ଯିବି l ବିନି ନାନୀ ମତେ ତା ସାଇକେଲ ରେ ବସେଇ ଘରକୁ ନେଲା ଓ ଦlଣ୍ଡ ରେ ଛାଡି ଦେଇ କହିଲା ଯା ଘରକୁ ପଳା ମୋର ଟିକେ କାମ ଅଛି l ମୁଁ ଦାଣ୍ଡ ଟାରେ ଠିଆ ହୋଇଥାଏ l ବିନି ନାନୀ ପଳେଇଲା l ଦାଣ୍ଡ ରେ ବିରାଟ ଆମ୍ବ ଗଛଟିଏ ଥିଲା l ଭାରି ଗହଳିଆ ଗଛ l ଖରାବେଳେ ବି ସେ ଗଛ ଟା ଦେଖିକି ମତେ ଟିକେ ଡର ଲାଗିଲା l ତା ପାଖରେ ଗଡିଆ ଯାହାକୁ ଆମେ ଦାଣ୍ଡ ଗଡିଆ କହୁ l ସେ ପାଣିକୁ ମୁଁ ଚାହିଁଲି l ଦେଖିଲି କଳା କଳା ହେଇ ସେ ପାଣି ଉପରେ କଣ ଟୁବ ଟୁବ ହେଉଛି l

ଭାବିଲି ଭୂତ କଣ ପାଣି ପିଉଚି ନାଁ କଣ ବା ଏଠି l ସେପଡ଼ କୋଣରେ ଜଣେ ହିସାବ ରେ ପିଉସୀ ହେବେ କିଛି ଦିନ ଆଗରୁ ତାଙ୍କର ମୃତ୍ୟୁ ହେଇଥିଲା l ଵାସ ଏମିତି ଲାଗିଲା ତାଙ୍କ ଘର ଆଗରେ କିଏ ଗୋଟେ ଚାଲୁଛି l ମତେ ଆଉ କିଏ ସମ୍ଭାଳେ, ମୁଁ ବୋପାଲୋ କହିକି ଭିତରକୁ ଦଉଡିଛି l


ମୁଁ ଭିତରୁ ଡ଼ରିଥିଲେ ବି ଉପରେ ଭାରି ଟାଣ ଦେଖାଏ l ମୋ ମନ କଥା ସହଜେ କାହାକୁ କହେନି l ଭାରି ଜବରୀ ଥିଲି ମୁଁ l ରାତିରେ ଆଈ ପାଖରେ ଶୋଇଥିବା ବେଳେ ପଚାରିଲି, ଆଈ ତେନ୍ତୁଳିଆ ଭୂତ କଣ ସତରେ ଅଛନ୍ତି l

ଆଈ ତ ମୋର ପୁରୁଣା କାଳିଆ ଲୋକ ଥିଲା l ଧଡ଼ କିନା ମୋ ପାଟିରେ ହାତ ଦେଇ କହିଲା ଭୁଲ ରେ ସେ ନାଁ ପାଟିରେ ଧରିବୁନି l

ଵାସ ମୋ ମନରେ ଏ ଧାରଣା ହେଇଗଲା ଏ କଥା ସତ l


ଏହା ପରେ କିଛି ଦିନ ମୋର ଆଉ ବିନି ନାନୀ ସହ ଦେଖା ହେଇ ନଥିଲା l ଦିନେ ମୋ ମାଉସୀ ଘରେ ଖେଳୁ ଖେଳୁ ସନ୍ଧ୍ୟା ହେଇଗଲା l ମୁଁ ଆଈ ଘରକୁ ଆସୁଥାଏ l ଠିକ ଦାଣ୍ଡ ରେ ହେଇଛି କଣ ଗୋଟେ ଖସ ଖସ ଶୁଭିଲା l ମୁଁ ଡରିଗଲି l ହଠାତ ଦେଖିଲା ବେଳକୁ ସେ ଆମ୍ବ ଗଛର ପତ୍ର ହଲିଲା l ମୋ ଦେହ ଥରି ଉଠିଲା l ଏମିତି ଲାଗିଲା ସତେ ଯେପରି ସାଇକେଲ ଘଣ୍ଟି କିଏ ବଜାଉଛି ବିନି ନାନୀ ପରି l ହଠାତ କୋଉଠୁ କେଜାଣି ତେନ୍ତୁଳି ଖଣ୍ଡେ ଆସି ମୋ ଆଗରେ ପଡିଗଲା l ମତେ ଲାଗିଲା ସେ ତେନ୍ତୁଳି ଏଡ଼େ ଏଡ଼େ ଆଖି କରି ମତେ ଚାହିଁଛି l ମୁଁ ଆଉ କି ସମ୍ଭାଳେ l ଆଈ ଆଈ କହି ଚିତ୍କାର ଛାଡି ମୁଁ ଘର ଭିତରକୁ ଦଉଡିଲି l ମୁଁ ଝାଳରେ ଗୋଟାପଣେ ଓଦା ହେଇ ଯାଇଥାଏ l


ଆଈ ଦଉଡ଼ି ଆସି କହିଲା କଣ ହେଲା l ମୋ ଦେହରେ ସେତେବେଳେ ତାତି ଭର୍ତ୍ତି ହେଇ ଯାଇଥାଏ l ମୁଁ ଖନେଇ ଖନେଇ ଥର ଥର କଣ୍ଠ ରେ କହିଲି ଆଈ ମତେ ତେନ୍ତୁଳିଆ ଭୂତ ଗୋଡ଼େଇଲା l ମୋ ଆଈ ଗୋଟେ କୁହାଟ ଛାଡି ଦଉଡିଲା ମତେ ଧରି ଗୁହାଳକୁ l ସେଠି ଗାଈ ଲାଞ୍ଜରେ ଠାକୁର ଜାଣନ୍ତି କି ମନ୍ତ୍ର କେଜାଣି ଗାଇ ମତେ ଝାଡ଼ିଲା l ଗୋରୁ ହାଣ୍ଡିରୁ ପାଣି ଆଣି ମୋ ଉପରେ ପକେଇଲା l ରାତି ସାରା ମୋ ମୁଣ୍ଡ ପାଖରେ ବସି ରହିଲା l


ସକାଳୁ ଉଠିବା ବେଳକୁ ମତେ ଟିକେ ଠିକ ଲାଗୁଥାଏ l ଆଈ ଆସି ମୋ ପାଖରେ କହିଲା ସେ ଭୂତ କଥା ମିଛ ବା... ତୁ ଟା ଏତେ ଡରକୁଳି l ମୁଁ ବୁଝି ପାରିଲିନି ଆଈ ସତ କହୁଛି ନାଁ ମିଛ କହୁଛି ମତେ ବୁଝେଇବାକୁ l ହଠାତ ସେତିକି ବେଳକୁ ଗାଆଁ ର ପଦିଆ ନନା ଆସିଲେ l କହିଲେ, ଭାଉଜ ଗୋଟେ କାଣ୍ଡ ଘଟିଛି ଶୁଣିଲଣି l ଆଈ କହିଲା କି କାଣ୍ଡ l ସେ କହିଲେ ଆମ ସମାଜ ସେବି ବିନି ଗୋଟେ ଟୋକା ସହ ପଳେଇ ଥିଲା ଦୁଇ ଦିନ ତଳେ l ଶୁଣିଲୁ କାଲି କୁଆଡ଼େ ତାକୁ କିଏ ମାରି ଦେଇଛି ବୋଲି l ଅବଶ୍ୟ ସତ କି ମିଛ କିଛି ଠିକ ଭାବରେ କହି ହଉନି l ମୁଁ ଏକଥା ଶୁଣି ସ୍ତବ୍ଧ ହେଇଗଲି l ତା ପୂର୍ବ ଦିନ ମୋ ସହ ଘଟିଥିବା ଘଟଣା ସହ କଥାଟିର ତାଳ ମେଳ ଖାଉଥିଲା l ତା ଅର୍ଥ ବିନି ନାନୀ କଣ ତେନ୍ତୁଳିଆ ଭୂତ ହେଇ ମୋ ପାଖକୁ ଆସିଥିଲା l ମୋ ଆଖିରୁ ଲୁହ ଝରିଗଲା l ମୁଁ ଜାଣି ପାରିଲିନି ସେ ଲୁହ ଭୟ ର ଥିଲା ନାଁ ଦୁଃଖର l



Rate this content
Log in

Similar oriya story from Abstract