Bhabesh Chandra Kar

Inspirational

1.6  

Bhabesh Chandra Kar

Inspirational

ଭୂଲ

ଭୂଲ

7 mins
233


ନୂଆକରି ଗୋଟିଏ ସରକାରୀ ପ୍ରୋଜେକ୍ଟରେ କେନ୍ଦୁଝର ଆଇଟିଡିଏ ଅଫିସରେ ଜଏନ୍ କରିଥାଏ ଅନିମେଷ । କେନ୍ଦୁଝରଗଡ ଛୋଟିଆ ସହରଟିଏ ହେଲେ ମଧ୍ୟ ଏକ ଐତିହାସିକ ଗୁରୁତ୍ବ ବହନ କରୁଥିବା ସହରଟିଏ । ଅନିମେଷର ଅଫିସଟା ମଣ୍ଡୁଆ ଛକର ରାମମହାନ୍ତି ଲଜ ଛକରୁ ରାଙ୍କି ରାସ୍ତାରେ ଛକଠାରୁ ପଚାଶ ମିଟର ଗଲେ ଡାହାଣ କଡରେ ପଡେ । ସେ ରହୁଥାଏ ମାଇନିଂ ରୋଡରେ । ଜଏନ କରିବାର ପନ୍ଦର ଦିନ ତଳର କଥା । ସେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ନୁଆ ପାସବୁକଟେ ଖୋଲିବା ପାଇଁ ଯାଇଥାଏ । ସେଦିନ ବିଶେଷ ଭିଡ ନଥାଏ ବ୍ୟାଙ୍କରେ । ବ୍ୟାଙ୍କ କାଉଣ୍ଟରରୁ ଏକାଉଣ୍ଟ ଓପନିଂ ଫର୍ମ ଆଣି ପୁରଣ କରିବା ପରେ କାଉଣ୍ଟରରେ ଦେବା ସମୟରେ ପାଖ କାଉଣ୍ଟରରେ ବସିଥିବା ବୟସ୍କ ମହିଳାଙ୍କ ଉପରେ ନଜର ପଡିଲା ଅନିମେଷର । ମହିଳା ଜଣଙ୍କ ଚିହ୍ନାଚିହ୍ନା ଲାଗୁଥିଲେ ଅନିମେଷକୁ । ଲାଗୁଥିଲା ସେ ତାଙ୍କୁ ଆଗରୁ ଦେଖିଛି କେଉଁଠି ବୋଲି । ଏମିତି ଭାବି ସେ ପାସବୁକ୍ ମିଳିବା ପର୍ଯ୍ୟନ୍ତ ପଡିଥିବା ଚେୟାରରେ ବସି ପଡିଲା ।

ଅନିମେଷ ମନେପକାଉଥିଲା କେଉଁଠି ଉକ୍ତ ମହିଳାଙ୍କ ସହ ତାର ଦେଖା ହୋଇଥିଲା କିମ୍ବା ସେ ତାର କୌଣସି ଦୂର ସମ୍ପର୍କୀୟା ହେବେ କି ? ଏମିତି ଭାବୁଭାବୁ ତାର ତାଙ୍କ ଗାଁର ସତିଶଭାଇଙ୍କ କଥା ମନେପଡିଲା । ସତିଶ ଭାଇ ଗାଁର ଜଣେ ସମ୍ପର୍କିୟ ଭାଇ ହେବେ । ତାଙ୍କ ଘରକୁ ଲାଗି ଅନିମେଷର ଘର । ସେ ମାଟ୍ରିକ ପରୀକ୍ଷା ଦେବା ସମୟରେ ସତିଶ ଭାଇ ଷ୍ଟେଟବ୍ୟାଙ୍କରେ କ୍ଲରିକାଲରେ ଜଏନ କଲେ । ତାର କିଛି ମାସ ପରେ ତାଙ୍କର ବାହାଘର ନନ୍ଦିତା ଭାଉଜଙ୍କ ସହ ହୋଇଗଲା । ଭାଉଜଙ୍କ ଘର ଅନିମେଶର ଗାଁ ଠାରୁ ପଚିଶ କିଲୋମିଟର ଦୂର ସତ୍ୟଭମାପୁର ଗାଁରେ । ସତିଶ ଭାଇ ଘରର ବଡପୁଅ । ତାଙ୍କ ସାନଭାଇ ହରିଶ ଭାଇ ବାଣୀବିହାରରେ ପି.ଜି କରୁଥାନ୍ତି । ତାଙ୍କର ତିନି ଭଉଣି ବାହାହୋଇ ଯେଝା ସଂସାରକୁ ନେଇ ଯେଝା ବ୍ୟସ୍ତ ଥାନ୍ତି । ଦଦେଇ ଅର୍ଥାତ ହରିଶ ଭାଇଙ୍କ ବାପା କେବେଠୁ ଆରପାରିକୁ ଚାଲିଯାଇଥିଲେ । ନନ୍ଦିତା ଭାଉଜ ତାଙ୍କ ରୂପ ଓ ଗୁଣ ପାଇଁ ଗାଁଟା ଯାକର ସମସ୍ତଙ୍କର ପ୍ରିୟପାତ୍ର ହୋଇଉଠିଲେ । ଜେଠେଇତ ତାଙ୍କୁ ମୁଣ୍ଡରେ ବସାଇଥିଲେ । ଅନିମେଷ ମଧ୍ୟ ବେଳେବେଳେ ତାଙ୍କ ଘରକୁ ଯାଏ । ନନ୍ଦିତା ଭାଉଜ ବହୁତ ମେଳାପୀ । ତାକୁ ଭଲ ପଢିବା ପାଇଁ ଓ ଜୀବନରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ସେଠାରେ ନପହଂଚିବା ପର୍ଯ୍ୟନ୍ତ ଅନ୍ୟ କୌଣସିଥିରେ ମନ ନବଳାଇବା ପାଇଁ ତାକୁ ଉପଦେଶ ଦିଅନ୍ତି । ଭଗବାନ ବୋଧହୁଏ ସେମାନଙ୍କର ସୁଖ ବେଶିଦିନ ସହିପାରିଲେନି ।  

ଏକ ବର୍ଷଣମୁଖର ରାତ୍ରୀରେ ଗାଁ ଭିତରକୁ ଗୋଟିଏ ବୋଲେରୋଟିଏ ଆସିଲା । ସମସ୍ତେ ଭାବିଲେ କାହା ଘରକୁ କୁଣିଆଁ ଆସିଥାଇପାରନ୍ତି । କିନ୍ତୁ ସେମାନଙ୍କର ଅନୁମାନ ଭୂଲ ଥିଲା । ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସତିଶ ଭାଇଙ୍କ ମରଶରୀରକୁ ନେଇ ଆସିଥିବା ସେହି ଗାଡିଟି ତାଙ୍କ ଘର ଆଗରେ ଲାଗିଲା । ବ୍ୟାଙ୍କରୁ ଆସିଥିବା କର୍ମଚାରୀମାନେ ଘରେ ପହଂଚି ଏହି ଦୁଃଖଦ ଖବର ତାଙ୍କ ଘର ଲୋକମାନଙ୍କୁ ଦେଇଥିଲେ ।

ତାଙ୍କ ଘରୁ କାନ୍ଦବୋବାଳି ଶୁଣି ଗାଁଟାଯାକର ଲୋକ ତାଙ୍କ ଘର ଆଗରେ ଜମା ହୋଇଯାଇଥିଲେ । ଜେଠେଇ ଓ ନନ୍ଦିତା ଭାଉଜ କାନ୍ଦିକାନ୍ଦି ମୁର୍ଛା ଯାଉଥାନ୍ତି । ଅନିମେଶର ବାପା ଓ ମୂରବୀସ୍ଥାନୀୟ ଲୋକମାନେ ବୁଝାସୁଝା କରି ଶବଦାହର ବନ୍ଦୋବ୍ୟସ୍ଥ କରାଇଲେ ।

ଯେନତେନ ପ୍ରକାରରେ ସତିଶ ଭାଇଙ୍କ ଅନ୍ତେଷ୍ଟିକ୍ରୀୟା ସରିଗଲା । ତାପରେ ନନ୍ଦିତା ଭାଉଜଙ୍କ ଉପରେ ଦୁର୍ଦିନ ମାଡିଆସିଲା । ସେତେବେଳେ ଭାଉଜ ଗର୍ଭବତୀ ଥାନ୍ତି । ଯେଉଁ ଜେଠେଇ ତାଙ୍କୁ ମୁଣ୍ଡରେ ବସି ବୁଲାଉଥିଲେ । ସେ ପୁରା ବଦଳିଗଲେ । ଭାଉଜଙ୍କୁ ବହୁତ ଖରାପ ଭାଷାରେ ଗାଳିଗୁଲଜ କଲେ । ସେ ଧରିନେଇଥିଲେ ନନ୍ଦିତା ଭାଉଜହିଁ ତାଙ୍କ ପୁଅର ମୃତ୍ୟୁର କାରଣ । ସେ ଉଚ୍ଚକପାଳୀ ଓ ତାର ପାଦର ଗଠନ କହୁଥିଲାଯେ ସ୍ବାମୀକୁ ଖାଇବ । ନନ୍ଦିତା ଭାଉଜଙ୍କୁ ଆଗରେ ଦେଖିଲେ ଜେଠେଇଙ୍କ ମୁହଁରୁ ଆରମ୍ଭ ହୋଇଯାଏ ଗାଳି ଅଲକ୍ଷଣୀ ସ୍ବାମୀକୁତ ଖାଇଲୁ ଆଉ କାହାକୁ ଖାଇବୁ । ତୁ ଅଲକ୍ଷଣୀ ଗୁଣିଗାରିଡୀ ଜାଣିଛୁ । ତୋ ପାଇଁ ମୋ ପୁଅ ମଲା । ନନ୍ଦିତା ଭାଉଜ ଏସବୁ ଗାଳିର ପ୍ରତିଉତ୍ତର କେବେଭି ଦେବାର ଶୁଣିନି ।

ସତିଶ ଭାଇ ମରିବାର କେତେ ମାସପରେ ତାଙ୍କ ବ୍ୟାଙ୍କରୁ କିଛି କର୍ମଚାରୀ ଆସିଥିଲେ । ସେମାନେ କହୁଥିଲେ ଭାଉଜଙ୍କୁ ବ୍ୟାଙ୍କରେ ଚାକିରୀ ମିଳିବ ବୋଲି । ଜେଠେଇ କିନ୍ତୁ ସାନପୁଅ ହରିଶଭାଇଙ୍କୁ ଚାକିରୀ ମିଳିବା ପାଇଁ ସେମାନଙ୍କ ନିକଟରେ ଯୁକ୍ତି ବାଢିଥିଲେ । ସେମାନେ କିନ୍ତୁ ସବୁକିଛି ଭାଉଜଙ୍କ ଉପରେ ନିର୍ଭର କରେ ବୋଲି କହିଥିଲେ । ଭାଉଜ ଚାହିଁଲେ ହରିଶ ଭାଇ ଚାକିରୀ କରିପାରିବେ ବୋଲି ସେମାନେ କହିଥିଲେ । କିନ୍ତୁ ଭାଉଜଙ୍କର ଯୁକ୍ତିଥିଲା ତାଙ୍କ ପେଟରେ ବଢୁଥିବା ସତିଶଭାଇଙ୍କ ସନ୍ତକକୁ ବଢାଇକୁଢାଇ ମଣିଷ କରିବାର ଦାୟିତ୍ବ ତାଙ୍କର । ତେଣୁ ତାଙ୍କର ଚାକିରୀ କରିବା ନିହାତି ଦରକାର । ଜେଠେଇଙ୍କ ମୁଣ୍ଡକୁ ଏକ କୁବୁଦ୍ଧି ଜୁଟିଲା । ଥରେ ସେ ନନ୍ଦିତା ଭାଉଜଙ୍କ ନିକଟରେ ଏକ ପ୍ରସ୍ତାବ ଦେଲେ ଦେଖ ପିଲାଟାକୁ ଆବରସନ କରି ନଷ୍ଟ କରିଦେ । ମୋ ସାନପୁଅକୁ ବାହା ହୋଇପଡ । ତାକୁ ତା ଭାଇ ଜାଗାରେ ଚାକିରୀ କରିବାପାଇଁ ଲେଖିକରି ବ୍ୟାକରେ ଦେଇଦେ । ଏଘରେ ରାଣୀ ପରି ରହ । ଭାଉଜ କିନ୍ତୁ ତାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ । ଅନିମେଶ ଶୁଣିଛି ଜେଠେଇ ଭାଉଜଙ୍କୁ ରାସ୍ତାରୁ ହଟାଇବା ପାଇଁ ସେ ପିଇବାକୁ ଥିବା କ୍ଷୀରରେ ବିଷ ମିଶାଇ ଦେଇଥିଲେ । ନନ୍ଦିତା ଭାଉଜଙ୍କର ଭାଗ୍ୟ ଗ୍ଲାସରେ ରଖାଯାଇଥିବା କ୍ଷୀରକୁ ବିଲେଇ ପିଇଲା ଓ ବିଲେଇ ମରିଯିବାରୁ ତାଙ୍କ କୂଚକ୍ରାନ୍ତ ଭାଉଜ ଜାଣିପାରି ତାଙ୍କ ବାପଘର ସତ୍ୟଭମାପୁରକୁ ପଳାଇଥିଲେ । ସେହିଦିନଠାରୁ ତାଙ୍କ ସହିତ ଅନିମେଶର ଦେଖା ହୋଇନି ।

ସେ ଶୁଣିଛି ନନ୍ଦିତା ଭାଉଜ ସତିଶଭାଇଙ୍କ ଜାଗାରେ ବ୍ୟାଙ୍କରେ ଚାକିରୀ ପାଇଥିଲେ ବୋଲି । ସେହିଦିନ ଠାରୁ ତାଙ୍କ ସହିତ ତାର ଦେଖା ହୋଇନି । ତାଙ୍କର ପୁଅଟିଏ ହୋଇଥିବାର ସେ ମଧ୍ୟ ଶୁଣିଥିଲା ।

ଏମିତି ଭାବୁଥିବା ଅନିମେଶ କାହାର ହାତର କୋମଳ ସ୍ପର୍ଶରେ ଚମକିପଡି ଚାହିଁ ଦେଖିଲା ଜଣେ ମହିଳା ତା କାନ୍ଧରେ ହାତ ରଖିଛନ୍ତି । ତାଙ୍କୁ ଦୋଦୋ ଚିହ୍ନାହୋଇ ଚାହିଁ ରହିଲା ସେ । ଭଦ୍ର ମହିଳା ଜଣଙ୍କ ପଚାରିଲେ କଣ ଅନିମେଶ ଚିହ୍ନିପାରୁନ ? ତୁମ ନନ୍ଦିତା ଭାଉଜକୁ ଚିହ୍ନି ପାରୁନ । ଅନିମେଶ ପାଟିରୁ ବାହାରିପଡିଲା ଭାଉଜ ତୁମେ ଏଠି? ଆରେ ମୁଁ ପରାଏହି ବ୍ୟାଙ୍କରେ ଚାକିରୀ କରିଛି । ତୁମେ ଏଠି କିପରି । ଅନିମେଶ ବହୁତ ଖୁସି ହୋଇଗଲା । ନନ୍ଦିତା ଭାଉଜଙ୍କ ପାଦଛୁଇଁ ପ୍ରଣାମ କଲା ସେ । କେନ୍ଦୁଝର ଆଇଟିଡିଏରେ ତାର ନିକଟରେ ଚାକିରୀ ହୋଇଥିବା କଥା କହିଲା । ଭାଉଜ ତା କାନ୍ଧରେ ହାତ ରଖି କହିଲେ ଅନିମେଶ ଘରେ ସମସ୍ତେ ଭଲ ଅଛନ୍ତି ? ମୋ ବସା ଆଡେ ଯିବନି । ମୋ ପୁଅ ତୁମକୁ ଦେଖିଲେ ବହୁତ ଖୁସି ହେବ । ଅନିମେଶ ଯିବାର ପ୍ରତିଶୃତି ଦେଇ ତାଙ୍କଠାରୁ ମୋବାଇଲ ନମ୍ବର ଓ ଘର ଠିକଣା ଆଣି ଅଫିସକୁ ଫେରିଆସିଲା । ଭାଉଜମଧ୍ୟ ତାର ନମ୍ବର ଟିପି ରଖିଲେ ।

ଅଫିସରେ କାମର ଚାପରେ ସେଦିନର କଥାକୁ ପୁରା ଭୂଲିଯାଇଥିଲା ସେ । ପନ୍ଦର ଦିନ ପରେ ଦିନେ ସକାଳେ ନନ୍ଦିତା ଭାଉଜଙ୍କ ଫୋନ ଆସିଲେ । ଫୋନ ଉଠାଇବାପରେ ଭାଉଜ କହିଲେ ଅନିମେଶ ଜାଣିଛ ଆଜି ମୋ ପୁଅ ନିଲେଶର ଜନ୍ମଦିନ । ଆମଘରକୁ ଆସିବା ପାଇଁ ନିମନ୍ତ୍ରଣ ରହିଲା । ଭାଉଜଙ୍କୁ ସନ୍ଧ୍ୟାବେଳେ ତାଙ୍କ ଘରଆଡେ ଯିବାର କଥା ଦେଇ ଫୋନ ରଖିଲା ଅନିମେଶ ।

ସନ୍ଧ୍ୟାବେଳେ ନନ୍ଦିତାଭାଉଜଙ୍କ ଘରେ ପହଂଚିଗଲା ଅନିମେଶ । ଛୋଟକାଟିଆ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ ଭାଉଜ । ସେଠାରେ ସମସ୍ତେ ତାର ଅପରିଚିତ ଥିଲେ । ନିଲେଶକୁ ଦେଖିଲା । ଭାଉଜ ନିଲେଶକୁ ମୋ ସହିତ ପରିଚୟ କରି କହଲେ ନିଲେଶ ଏ ତୋର ଜଣେ କକେଇ ହେବେ । ପ୍ରଣାମ କର । ନିଲେଶ ତାକୁ ପ୍ରଣାମ କଲା । ଦେଖିବାକୁ ସେ ପୁରା ହରିଶ ଭାଇଙ୍କ ଭଳି ଦେଖାଯାଉଥିଲା । ହଠାତ ତାର ନଜର ଜଣେ ବୃଦ୍ଧାଙ୍କ ଉପରେ ପଡିଲା । ସେ ଆଖିକୁ ବିଶ୍ବାସ କରିପାରିଲାନି ସେ । ଏତ ଜେଠେଇ ମାନେ ନନ୍ଦିତା ଭାଉଜଙ୍କ ଶାଶୁ । ଜେଠେଇଙ୍କୁ ପ୍ରଣାମ କଲା ସେ । ଏହିସମୟରେ ନନ୍ଦିତା ଭାଉଜ ଆସି ସେଠାରେ ପହଂଚିଗଲେ । ଅନିମେଶର ମୁହଁରୁ ସେ ବୁଝିପାରିଲା ଭଳି କହିଲେ ବୁଝିଲ ଅନିମେଶ ହରିଶ ବାହାହେବାପରେ ସେ ତାଙ୍କ ପରିବାରକୁ ନେଇ ଭୂବନେଶ୍ବରରେ ରହିଲେ । ବୋଉ ଯାଇଥିଲେଯେ କିଛିଦିନପରେ ହରିଶ ତାଙ୍କୁ ବସଷ୍ଟାଣ୍ଡରେ ଆଣି ଛାଡିଦେଇଗଲେ । ଗଲାବେଳେ ବୋଉଙ୍କ ହାତରେ ତିନିଶହ ଟଙ୍କା ଦେଇଯାଇଥିଲେ । ବୋଉ ପଚାରିଲେ ବାପାରେ ମୋତେ କଣ ଏଠି ଛାଡିଯାଉଛୁ । ତାର ଉତ୍ତରରେ ହରିଶ କହିଲେ ଏବେ ଯେଉଁ ଗାଡିଟା ଲାଗିବ ସେଇଟା ସାଲେପୁର ଯିବ । ସେହି ଗାଡିରେ ବସି ସାଲେପୁର ପଳାଇବୁ । ସାଲେପୁରରୁ ଆମ ଗାଁ ଛାଣିପୁରକୁ ସବୁବେଳେ ଅଟୋ ଯାଉଛି । ଏତିକି କହି ସେ ପଳାଇଲେ । ବୋଉ ସେଠି ବସିଥାନ୍ତି । ସେ ସମୟରେ କେନ୍ଦୁଝର ଗାଡି ଲାଗିଲା । ସେ ସାଲେପୁର ଗାଡି ଭାବି ତରତର ହୋଇ ଗାଡିକୁ ଉଠିଗଲେ । ମୁଁ ବ୍ୟାଙ୍କର ଏକ ପ୍ରଶିକ୍ଷଣରେ ଯୋଗଦେବା ପାଇଁ ଭୂବନେଶ୍ବର ଯାଇଥାଏ । ସେହିଦିନ କେନ୍ଦୁଝର ଫେରୁଥାଏ । ମୋର ଆଗରୁ ଟିକେଟ୍ ହୋଇଥାଏ । ମୁଁ ମଧ୍ୟ ସେହି ଗାଡିରେ ନିର୍ଦ୍ଧାରିତ ସିଟ୍ ରେ ବସିଥାଏ । ଗାଡି ଚାଲିବାକୁ ଆରମ୍ଭ କଲାପରେ କଣ୍ଡକ୍ଟର ଟିକେଟ୍ ଚେକ୍ କରିକରି ବୋଉଙ୍କ ପାଖରେ ପହଂଚିଲା ଓ ଟିକେଟ୍ ମାଗିବାରୁ । ବୋଉ କହିଲେ ପୁଅ ସାଲେପୁର ଗୋଟେ ଟିକଟ ଦେ । ଏତିକି କହି ତାଙ୍କ ଲୁଗାକାନୀ ଦେଖିଲା ବେଳକୁ । ଟଙ୍କା ଉଭାନ୍ । ବୋଧହୁଏ ପକେଟମାର୍ ହୋଇଯାଇଥିଲା । କଣ୍ଡକ୍ଟର କହିଲା ମାଉସୀ ଏ ଗାଡି ସିଆଡେ ଯାଉନି । ଏ ଗାଡି କେନ୍ଦୁଝର ଯାଉଛି । ତୁମେ କଟକରେ ଓହ୍ଲାଇପଡିବ । ମୋତେ କୋଡିଏ ଟଙ୍କା ଦିଅ । ବୋଉ କହିଲେ ପୁଅ ମୋର ପଇସାତ କିଏ ଚୋରିକରିନେଲା । ମୋ ପାଖରେତ ଆଉ ଟଙ୍କା ନାହିଁ । ଏହାଶୁଣି କଣ୍ଡକ୍ଟର କହିଲା କଣ କହିବ ଲୋକମାନଙ୍କୁ ପଇସା ରଖିଥିବେ ମିଛରେ କହିବେ ମୋର ପଇସା ଚୋରୀ ହୋଇଗଲା ବୋଲି । ଏଇଟା ଗୋଟେ ସୁବିଧାବାଟ ମାଗଣାରେ ଯିବା ପାଇଁ । ସେ ନାଟକ ଦେଖାଅନି । ବସ କଣ ପାଣିରେ ଚାଲୁଛି । ମୋତେଟିକେ ଦୟା ଲାଗିଲା ମୁଁ କହିଲି କଣ୍ଡକ୍ଟର ବାବୁ କୋଡିଏଟା ଟଙ୍କା ପାଇଁ ଜଣେ ମହିଳା ପୁଣି ବୟସ୍କା ମହିଳାଙ୍କୁ ଏପରି କହିବା ଆପଣଙ୍କର ଉଚିତ ହେଲାନି । ସେ କିଛି କହିବା ଆଗରୁ ମୁଁ ତା ହାତକୁ ଟଙ୍କା ବଢାଇଦେଲି । କଣ୍ଡକ୍ଟର ଟଙ୍କା ନେଇ ତା ସିଟକୁ ଚାଲିଗଲା । ବୋଉ ଆନନ୍ଦରେ କୃତ୍ୟକୃତ୍ୟ ହୋଇ ମତେ କୃତଗ୍ୟନ୍ତା ଜଣାଇବାକୁ ମୋ ସିଟ ନିକଟକୁ ଆସିବାପରେ ମୁଁ ବୋଉଙ୍କୁ ଦେଖି ଚମକି ଉଠି ପଚାରିଲି ବୋଉ ତମେ ଏଠି । ବୋଉ କିଛି କହିବା ଅବସ୍ଥାରେ ନଥିଲେ । ସେ କେବଳ ମୋତେଧରି କାନ୍ଦିବାକୁ ଲାଗିଲେ । ମୁଁ ତାଙ୍କୁ ବୁଝାଇ ମୋ ପାଖରେ ବସାଇବା ପରେ ସେ ସବୁକଥା କହିଲେ । ମୁଁ ସେହିଦିନ ତାଙ୍କୁ କେନ୍ଦୁଝର ନେଇଆସିଲି । ସେ କେନ୍ଦୁଝର ମୋ ସଙ୍ଗରେ ଆସିବାକୁ ମନା କରୁଥିଲେ । ମୋ ହାତକୁ ଧରି କହିଲେ ମାଲୋ ତତେ କଣ ମୁଁ ନ କହିଛି । ମୋ ପାପ ର ଦଣ୍ଡ ମୁଁ ଆଜି ଭୋଗୁଛି । ମାଲୋ ମୋତେ ଖାଲି ଗାଁରେ ଛାଡିଦେ । ମୁଁ ସେଠି ଗାଁ ଲୋକମାନଙ୍କ ସାହାର୍ଯ୍ୟ ସହଯୋଗରେ ବଂଚିଯିବି । ନଚେତ ମୋ ଭାଗ୍ୟରେ ଯାହାଥିବ । ମୋ ଆଖିରୁ ଧାରଧାର ଲୁହ ଆସିଗଲା । ମୁଁ କହିଲି ବୋଉ ମୁଁ କଣ ତୁମର ଝିଅ ନୁହେଁ । ତୁମର କଣ କେହି ନାହାନ୍ତି । ତୁମର ନାତୀ ତୁମକୁ ଦେଖିଲେ ବହୁତ ଖୁସି ହେବ । ନାତୀ ହୋଇଥିବାର ଜାଣି ସେ ବହୁତ ଖୁସି ହୋଇଗଲେ ଓ ମୋ ସହିତ କେନ୍ଦୁଝର ଆସିବାକୁ ରାଜି ହେଲେ ।

ସେ ଏଠିକୁ ଆସିବା ପରେ ସବୁଠୁ ବେଶି ଖୁସିହେଲା ମୋ ପୁଅ । ସବୁ କଥାରେ ତାର ଜେଜେ ମା ନିହାତି ଦରକାର । ଜେଜେ ମା ମୋତେ ଗପ କୁହ । ଜେଜେ ମା ତୁମର ଜେଜେଙ୍କର କଜିଆ ଲାଗୁଥିଲାନା ନାହିଁ ।

ଜେଠେଇ ପାଖରେ ଠିଆ ହୋଇଥାନ୍ତି । ତାଙ୍କ ଆଖିରୁ ଧାରଧାର ଲୁହ ବୋହି ଯାଉଥାଏ । ଅନିମେଶ କହିଉଠିଲା ଜେଠେଇ କାହିଁକି କାନ୍ଦୁଛ ମଣିଷ ମାତ୍ରକେତ ଭୂଲ । ଜେଠେଇ ଅନିମେଶରହାତକୁ ଧରି ପକାଇ କହିଲେ ତୁ ଠିକ କହିଛୁରେ ପୁଅ । ଏତିକିବେଳେ ନିଲେଶ ଡାକ ଛାଡିଲା ଜେଜେମା କୁଆଡେ ଗଲ ଆସ ତୁମର ମୋର ଗୋଟେ ଫଟୋ ନେବା । ଅନିମେଶ ସେମାନଙ୍କୁ ଦେଖି ଭାବୁଥାଏ ସତିଶ ଭାଇଙ୍କ କଥା । ଏତିକିବେଳେ ଭାଉଜ ତା ପିଠିରେ ହାତ ରଖି କହିଲେ ଅନିମେଶ ସମସ୍ତେ ଖାଇସାରିଲେଣି । ଚାଲ ଖାଇବ । ଅନିମେଶ ହଁ କହି ତାଙ୍କୁ ଅନୁସରଣ କଲା ।


Rate this content
Log in

Similar oriya story from Inspirational