Lopamudra Mishra

Tragedy

3  

Lopamudra Mishra

Tragedy

ଭୁସ୍କି

ଭୁସ୍କି

5 mins
411


            


  ବାଡ଼ି କବାଟ ଖୋଲି ବାହାରକୁ ନଜର ପକାନ୍ତେ, ଆଖି ତା'ର ଅଟକିଗଲା ସବୁଠୁଁ ଡେଙ୍ଗା ଗଛର ଉପର ଡାଳ ଓ ପତ୍ରରେ ମାଡିଥିବା ବଣୁଆ ଲତା ଉପରେ । ଗଛ ଉପରକୁ ଦିଶୁଥିବା ସେହି ବଡ଼ ବଡ଼ ହଳଦିଆ ରଙ୍ଗର ଫୁଲ ଦୁଇଟି ନିଶ୍ଚୟ ସେ ବଣୁଆ ଲତାର ଫୁଲ । ଏତେ ସକାଳୁ କେହି ଉଠୁ କି ନଉଠୁ ଫୁଲମାନେ କିନ୍ତୁ ସଦ୍ୟସ୍ନାତା ଗୃହିଣୀ ପରି ସତେଜ ଦେହ, ମୁହଁ ନେଇ ପବନରେ ଝୁଲି ଝୁଲି ହସୁଥାନ୍ତି । କାହାର ନଜର ପଡିଲେ ବୃନ୍ତଚ୍ୟୁତ ହେଇ ଡ଼ାଲାରେ ଭର୍ତ୍ତି ହେଇ ଠାକୁର ଘରକୁ ଆସନ୍ତି । ଭୁସ୍କି ଭାବୁଥିଲା, "ଏ ସୁନ୍ଦରୀ ଫୁଲ ଦୁଇଟାଙ୍କର ଭାଗ୍ୟ ଭଲ, କେହି ୟାଙ୍କୁ ଛିଡେଇବେନି । ଏକରେ ତ ବଣୁଆ ପୁଣି ଏତେ ଉଚ୍ଚରେ ଫୁଟିଛନ୍ତି, କାହାର ଗରଜ ପଡିଛି ତୋଳିବାକୁ ଯିବ? "


   ଭୁସ୍କି, ସାମାନ୍ୟ ମୋଟୀ କିଶୋରୀ ଝିଅଟେ । ଆଖିରେ ତା'ର ଆଖିଏ ସ୍ୱପ୍ନ । ବଣ, ପାହାଡ଼, ଝରଣା ଡେଇଁ ସେ ଏଠିକୁ ଆସିଥିଲା ଦୁଇବର୍ଷ ତଳେ । ସେ ନିଜେ ଆସିନଥିଲା, ତାକୁ ଆଣିଆସିଥିଲେ ଲିପ୍ସା ମାଡାମ୍ । ଭୁସ୍କିର ମାଆ ଲିପ୍ସା ମାଡାମଙ୍କ ସରକାରୀ କ୍ୱାର୍ଟର୍ସକୁ କାମ କରିବାକୁ ଯାଉଥିଲା । ଏଇ ବାସନମଜା, ଝାଡୁ ପୋଛା ଆଉ କପଡା ସଫା କାମ କରୁଥିଲା ଭୁସ୍କିର ମାଆ ମଣୀ । ମଣୀ କେବେ କେବେ ନଆସିପାରିଲେ ଭୁସ୍କି ଆସେ ମାଆର ଜାଗାରେ କାମ କରିବାକୁ । 


   ମଣୀର କ'ଣ ହେଇଥିଲା କେଜାଣି, ସାମାନ୍ୟ ଜରଟା ଛାଡ଼ିଲାନି । ମାତ୍ର ଚାରି ପାଞ୍ଚଦିନର ଜରଟା ଦେହରୁ ଓହ୍ଲାଇଲାନି ଯେ ମଣୀ ଭୁସ୍କିକୁ ଏକା ଛାଡ଼ି ଚାଲିଗଲା । ଭୁସ୍କି ତା ମାମୁଁ, ମଉସାଙ୍କ କଥାକାଟି ଲିପ୍ସା ମାଡାମଙ୍କ ଭରସାରେ ଭୁବନେଶ୍ୱର ଚାଲିଆସିଲା । ଭୁବନେଶ୍ୱରରୁ ମାଡାମଙ୍କ ବାପଘର ଗାଁ । ଏବେ ସେହି ଗାଁ ହିଁ ତା ଠିକଣା । ଲିପ୍ସା ମାଡାମଙ୍କ ବୃଦ୍ଧ ବାପା, ମାଆଙ୍କ ସେବାରେ ଭୁସ୍କି ଟିକେ ବି ହେଳା କରେନି । ଖୁବ୍ ସକାଳୁ ଉଠେ, ଦାଣ୍ଡ ଓ ବାଡ଼ି ପହଁରା ଧରି ଓଳାଏ । ଫୁଲଗଛ ସବୁକୁ ନିରେଖି ଦେଖେ । ଶ୍ରଦ୍ଧାରେ ଆଉଁସି ପକାଏ । ଦିନେ ହେଲେ କିନ୍ତୁ ଗୋଟିଏ ବି ଫୁଲ ନିଜେ ଛିଡାଏନି କି ଆଉ କାହାକୁ ଛିଣ୍ଡେଇବାକୁ ଦିଏନି । ଲିପ୍ସା ମାଡାମଙ୍କ ମାଆ ଭୁସ୍କିକୁ ପାଠ ପଢିବାକୁ କହନ୍ତି । ନିଜେ ଫାଙ୍କା ସମୟରେ ତାକୁ ଅନେକ କିଛି ପଢା, ଲେଖା ଶିଖେଇଦେଲେଣି । ଏବେ ଖରାବେଳେ ଭୁସ୍କି ବାଡ଼ି କବାଟ ଖୋଲି ଏକା ଏକା ବସେ । କିଶୋରୀ ବୟସର ଉଚ୍ଚାଟ ମନ ନେଇ ସ୍ୱପ୍ନ ଦେଖେ । ନିଜେ ତୁଳୀ ଧରି ସେହି ସ୍ୱପ୍ନରେ ରଙ୍ଗ ମାଖେ । ଓଡ଼ିଆ ଖବର କାଗଜର ସାହିତ୍ୟ ପୃଷ୍ଠାରୁ ପ୍ରେମ କବିତା ଖୋଜି ଖୋଜି ପଢେ । ଛୋଟ ଆଇନାଟେ ଧରି ନିଜ ଆଖି, ନାକ, ଓଠର ନକ୍ସାକୁ କବିତାର ନାୟିକା ସହ ତୁଳନା କରେ । କିଛିଟା ମିଶିଯାଏ ବୋଧେ, ଭୁସ୍କି ଲାଜେଇ ହସି ଆଇନା ଲୁଚେଇ ଦିଏ । 


    "ଆଜି ଏତେ ସକାଳୁ ଅନୁପ୍ ଭାଇ କାହିଁକି ଆସିଲେଣି? ", ହଳଦୀଆ ରଙ୍ଗର ଫୁଲଙ୍କ ଭାବନାରୁ ଭୁସ୍କି ଫେରିଆସି ଲିପ୍ସା ମାଡାମଙ୍କ ମାମୁଁଙ୍କ ପୁଅକୁ ଦେଖି ମନେ ମନେ କହିଲା । 


   ଅଜାଙ୍କ ଶ୍ରାଦ୍ଧ, ବୁଢାବାବୁ ଆଉ ମାଆ ଯିବେ ଅନୁପ୍ ଭାଇଙ୍କ ସହ । ଭୁସ୍କି ସାରା ଦିନ ଏକା ରହିବ । କଣ କରିବ ସେ ସନ୍ଧ୍ୟା ଯାଏଁ ଏକା ଏକା ଏ ଘରଟାରେ ? ଗାଁ ରେ ବୁଲିବ ? ନାଁ ସେ କୁଆଡେ ଯାଏନି, ତାକୁ ଜଙ୍ଗଲୀ, ବଣୁଆଣି କହି ସଭିଏଁ ଏଠି ଚିଡ଼ାନ୍ତି । ସେ ଆଜି କାମସାରି ବୁଢାବାବୁଙ୍କ ବହି ଥାକରୁ ଓଡ଼ିଆ ବହି ଗୋଟେ କିଛି ବାହାର କରି ପଢିବ । ଭୁସ୍କି ଏମିତି କିଛି ସ୍ଥିର କରି ସମସ୍ତଙ୍କ ପାଇଁ ଚା' ଆଉ ଜଳଖିଆର ବ୍ୟବସ୍ଥା କରିବାକୁ ଚାଲିଗଲା । 


  ଘର ଫାଙ୍କା ହେଇଗଲା । ଭୁସ୍କିର ଆଖିରେ ସ୍ୱପ୍ନ ଭର୍ତ୍ତି ହେଇଗଲା । ସେ ତା'ର କୁଞ୍ଚୁକୁଞ୍ଚିଆ କେଶକୁ ଖୋଲାକରି ପଙ୍ଖାରେ ହାୱାରେ ଉଡେଇଲା । ବାରଣ୍ଡାର ସିମେଣ୍ଟ ଖୁଣ୍ଟକୁ ଧରି ତାଙ୍କ ଜଙ୍ଗଲ ଆଉ ଝରଣାରେ ଗୀତ ଗାଇଲା । ତାଙ୍କ ହସିଲା ହସିଲା ବନଫୁଲ ପରି ପବନରେ ଦୋହଲି ଦୋହଲି ନାଚିବାକୁ ଚେଷ୍ଟା କଲା । ଓଢଣୀଟା ଛାତି ଉପରୁ ଖୋଲି ଡ୍ରଇଂରୁମ୍ ରେ ସୋଫା ଉପରକୁ ଛାଟିଦେଲା । ଭୁସ୍କି ନିଜ ଭିତରେ ଏକଦମ ହଜିଯାଉଥିବା ବେଳେ ଡୋରବେଲ୍ ବାଜିଉଠିଲା । ଅନ୍ୟମନସ୍କତାରେ ଓଢଣୀ ନପକେଇ ସେ ଦର୍ଜା ଖୋଲିବାକୁ ଉଠିଗଲା । କବାଟ ସେପଟେ ଅନୁପ୍ ଭାଇ । ତାଙ୍କ କାନରେ ମୋବାଇଲ ଫୋନ , ଆଖିରେ ଗୋଟେ ଲୋଲୁପ ଦୃଷ୍ଟି । ସେ ମୋବାଇଲ୍ ପକେଟରେ ପୁରେଇ ଭିତରକୁ ପଶିଆସିଲେ । 


-ଆରେ ଭୁସ୍କି ଏ ବହି କାହାର ? 


-ବାବୁଙ୍କର ।


-ତୋତେ ପଢିଆସେ ? 


-ହଁ, ଏବେ ସବୁ ପାଠ ଶିଖୁଛି ମାଆଙ୍କ ପାଖରୁ । 


-ଏ କବିତା 'ଝିଅଟିଏ ଫୁଲଟିଏ ' କଣ କିରେ ତା ମାନେ ? 


-ତା ମାନେ ଭାଇ ଝିଅମାନେ ଫୁଲପରି ।


-ଆଚ୍ଛା, ତୁ କୋଉ ଫୁଲ ପରି ? କୋବି ଫୁଲ ପରି ନିଶ୍ଚୟ । ହା ହା... 


ଭୁସ୍କିକୁ ଖରାପ ଲାଗିଲା ଅନୁପଭାଇଙ୍କ ଥଟ୍ଟା । ସେ ମୁହଁ ଓହଳେଇ ଠିଆ ହେଲା, କିଛି କହିଲାନି । 


ଅନୁପଭାଇ ତାକୁ ସହଜ କରିବା ପାଇଁ କହିଲେ, "ଆରେ ଏ ତୋ ନାଁ ଭୁସ୍କିର ମାନେ କଣ କି ? "


-ଭୁସ୍କି ମାନେ ମୋଟୀ, ମୁଁ ଛୁଆଦିନେ ଭାରି ମୋଟୀ ଥିଲି ।


-ଆଚ୍ଛା ଆଚ୍ଛା, ଏବେ ତ ବେଶ୍ ବଡ଼ ହେଇଯାଇଛୁ । 


ଅନୁପ୍ ଭୁସ୍କିର ତାଳୁରୁ ତଳିପା ପର୍ଯ୍ୟନ୍ତ ନିଜ ତୀକ୍ଷ୍ଣ ନଜରକୁ ଦୁଇ ଚାରିଥର ବୁଲେଇ ଆଣିଲେ । ତାଙ୍କ ଦୁଇ ଆଖିର ରଙ୍ଗ ହଠାତ ଗାଢ଼ ନାଲିଆ ହେଇଗଲା । ଦେଶୀ ମହୁଲୀ ନିଶା ଘାରିଲା ପରି ସେ ଅନୁଭବ କଲେ । ଭୁସ୍କିକୁ ପାଖକୁ ଡାକିଲେ, ନିଜ ଡାହାଣ ଗୋଡ଼ର ପ୍ୟାଣ୍ଟକୁ ଆଣ୍ଠୁ ଯାଏଁ ଉଠେଇ ଦେଖେଇ କହିଲେ, "ଏଇଠି ଦରଜ କରୁଛି, ଟିକେ ମାଲିସ୍ କରିଦେବୁ ? ମାମୁଁଙ୍କ ଔଷଧ ନେବାକୁ ଆସୁଥିଲି, ସେହି ପାହାଚ ପାଖରେ ଗୋଡ଼ଟା ମୋଡ଼ି ହେଇଗଲା । ମୁଁ ଯାଉଛି ସେ ଭିତର ଘରକୁ ଟିକେ ତେଲ ଗରମ କରି ଆଣେ । "


    ଭିତରଘର ପୁରୁଣା ଖଟ ଗୋଡ଼ ପାଖରେ ଗରମ ତେଲର ଗିନା ଥୁଆ ହେଇଥିଲା । ଭୁସ୍କିର ନରମ ଦେହରୁ ଚାରି ଖଣ୍ଡ ବସ୍ତ୍ର ଫିଟି ପଡି ଖଟ ତଳକୁ ଝୁଲୁଥିଲା । ଭୁସ୍କି କିନ୍ତୁ ଭିତରୁ, ବାହାରୁ ସହଜରେ ଫିଟି ନପାରି ଛିଡିଯାଉଥିଲା । ରକ୍ତାକ୍ତ ହେଇ ଚିତ୍କାର କରିବାକୁ ଚାହିଁଲେ, ତା ଗଳା ପାଖଟାକୁ ଚାପି ଦିଆଯାଉଥିଲା । ଅନୁପଭାଇଙ୍କ ତତଲା ଗରଳ ଭୁସ୍କିର ଚିକ୍କଣ କଳା ଜଙ୍ଘ ଦେଇ ବୋହିଗଲା ପରେ, ଭୁସ୍କି ନିସ୍ତାର ପାଇଲା । କିଛି ସମୟ ସେହି ଖଟରେ ପଡି ଛଟପଟ ହେଲା । ତଳୁ ତେଲ ଗିନାଟା ଆଣି କ୍ଷତ ଜାଗରେ ଟିକେ ଟିକେ ଉଷୁମ ଉଷୁମ ତେଲ ଲଗେଇ 'ଉଃ ଆଃ ' ହେଲା । ଲୁଗାପଟା ପିନ୍ଧିନେଇ ଡ୍ରଇଂରୁମ୍ କୁ ଧିରେ ଧିରେ ଗଲା । ଅନୁପଭାଇ ବସି ବହିଟିଏ ଓଲଟାଉ ଥିଲେ, ଠିକ ଯେମିତି କିଛି ସମୟ ଆଗରୁ ସେ ଭୁସ୍କିକୁ ଓଲଟ୍ ପାଲଟ୍ କରୁଥିଲେ । ଭୁସ୍କି ଠିଆ ହେଲା ଠିକ ତାଙ୍କରି ସାମ୍ନାରେ । ଅନୁପ୍ ତାକୁ ବୁଢାବାବୁଙ୍କ ମେଡ଼ିସିନ୍ ଆଣିଦେବାକୁ କହିଲେ । ଏତେ ସହଜରେ ବରାଦ କଲେ ଯେମିତି ଟିକକ ଆଗରୁ ସେ ଭିତରଘରଟାରେ କିଛି ବି ହେଇନି । 


  ଭୁସ୍କି ଔଷଧ ଆଣିଦେଲା । ଆଖି ଉପରେ ପଡୁଥିବା ତା ଝାମ୍ପୁରା ବାଳକୁ କାନରେ ଗେଞ୍ଜିଦେଇ କହିଲା, "ମୋତେ କଣ୍ ତୁମେ ବାହା ହେବକି ? "


-ପାଗିଳୀ ହେଇଗଲୁ ନାଁ କଣ ? 


-ତାହେଲେ ସେ ଘରେ ଏମିତି କାହିଁକି କଲ ? 


-ସେ କଥା ଭୁଲି ଯାଆ । ଏଇ ନେ କିଛି ଟଙ୍କା । ରଖ କଣ କିଣିଦେବୁ ନିଜ ପାଇଁ । ବାସ୍ନା ତେଲ, ସାମ୍ପୁ ଆଉ ସାବୁନ୍ କିଣିଆଣି ଲଗେଇବୁ । ଭଲ ବାସିବୁ, ଠିକ ଫୁଲ ପରି । ଆଉ କାହାକୁ କିଛି କହିବୁନି । କହିଲେ ଥାନାରେ ପଶିବୁ । ପୁଲିସ୍ କୁ କହିଦେବି ତୁ ଚୋରିକରି ପଳାଉଥିଲୁ । ବୁଝିଲୁ, ଫୁଲକୋବି । ହା ହା ଭୁସ୍କି.. ବଢିଆ ନାଁ ଟେ ପାଇଛୁ । ଯେମିତି ଗଢ଼ଣ, ସେମିତି ନାଁ । ହା ହା ହା.. 


  ମେଡ଼ିସିନ୍ ଜରିଟା ଧରି ଅନୁପ୍ କବାଟ ଖୋଲି ବାଇକ୍ ଷ୍ଟାର୍ଟ କରି ଚାଲିଗଲେ । ଭୁସ୍କି ଟଙ୍କା ଗୁଡାକ ମୁଠିରୁ ଖସେଇ ଦେଇ ବାଡ଼ି କବାଟ ପାଖକୁ ଦୌଡ଼ିଗଲା । କବାଟ ଖୋଲି ପୁଣି ସେହି ଡେଙ୍ଗା ଗଛର ଅଗରେ ଝୁଲୁଥିବା ହଳଦୀଆ ରଙ୍ଗର ଫୁଲକୁ ଦେଖିଲା । ଦେଖୁ ଦେଖୁ ଭୋ ଭୋ ହେଇ କାନ୍ଦିଲା । 


   ଦୁଇଦିନ ଛାଡ଼ି ବୁଢାବାବୁ ଲୋକ ଲଗେଇ ଡେଙ୍ଗା ଗଛରୁ ସେ ବଣୁଆ ଲତାକୁ କାଢି ଫିଙ୍ଗି ଦେଲେ । ମାଆ ହଳଦୀଆ ଫୁଲ ଦୁଇଟି ଧରି ଭୁସ୍କିକୁ ଡାକିଦେଖେଇଲେ ।


-ଦେଖିଲୁ ଭୁସ୍କି , କେଡେ ସୁନ୍ଦର ଫୁଲ ଦିଓଟି !


-ଦିଅ ମାଆ ସିଡ଼ି ପାହାଚ ଉପରେ ଥୋଇଦେବି ଗାଧୋଇ ସାରି ୟାକୁ ଆଜି ଠାକୁରଙ୍କ ଉପରେ ଚଢେଇଦେବ । 


-ଛିଃ.. ଏଟା ପରା ବଣୁଆ ଫୁଲ । ଠାକୁରଙ୍କ ଠି ଏ ଲାଗି ହୁଏନି ଲୋ ହୁଣ୍ଡୀ ।


-ଆଉ ତାହେଲେ ? 


-ତାହେଲେ କିଛି ନାଇଁ । କୋଉ କାମକୁ ନୁହେଁ । ସଜନା କି କଖାରୁ ଫୁଲ ହେଇଥିଲେ ରାନ୍ଧିକି ଖୁଏଇଥାନ୍ତି ତତେ । ୟାକୁ ନେ ଫୋପାଡ଼ି ଦେ । 


  କହୁ କହୁ ଲିପ୍ସା ମାଡାମଙ୍କ ମାଆ ସୁନ୍ଦର ଫୁଲ ଦୁଇଟିର ପାଖୁଡାକୁ ଛିଣ୍ଡେଇ ଛାଣ୍ଡେଇ ତଳେ ପକେଇଦେଇ ଚାଲିଗଲେ । ଭୁସ୍କି ନଇଁପଡି ଉଠେଇନେଲା । ସେହି ଆଞ୍ଜୁଳି ଭର୍ତ୍ତି ଫୁଲର ପାଖୁଡା ଓ ନିଜର ଆଞ୍ଜୁଳାଏ ରଙ୍ଗୀନ ସ୍ୱପ୍ନକୁ ଭୁସ୍କି ନିଜ ଲୁହରେ ଭିଜେଇ ଡ୍ରେନ୍ ର କିଟିକିଟି କଳା ପାଣିରେ ଭସେଇ ଦେଲା । 


Rate this content
Log in

Similar oriya story from Tragedy