Nibedita Mishra

Inspirational

4.4  

Nibedita Mishra

Inspirational

ଭୁଲ କାହାର

ଭୁଲ କାହାର

3 mins
427


ମାନିନୀ ଖଟରେ ଶୋଇ ଶୋଇ ବିରକ୍ତ ହେଇଗଲେଣି।ଛାଇନିଦ ଟିକିଏ ହେଇଯାଇଛି। ସ୍ବପ୍ନରେ ସେ ଫେରିଯାଇଛନ୍ତି ଅତୀତକୁ।କେତେ ସୁନ୍ଦର ପରିବାରଟିଏ ଥିଲା ତାଙ୍କର।ହସଖୁସିରେ ଭରା ପରିବାରଟିଏ।

ଯେଉଁ ଦିନଠାରୁ ଦୁଇ ପୁଅଙ୍କ ବାହାଘର ହେଲା।ସବୁକିଛି କେମିତି କେଜାଣି ବଦଳି ଗଲା। ବଡ ପୁଅ ଛୋଟିଆ ଚାକିରଟିଏ କରେ। ସେ ଗୋଟିଏ ମଧ୍ଯବିତ୍ତ ପରିବାରରେ ବିବାହ କରିଥାଏ।ମାନିନୀଙ୍କର ଭାରି ଇଚ୍ଛାଥିଲା ସେ ବି ଅନ୍ଯଶାଶୁମାନଙ୍କ ପରି ନିଜ ବୋହୁକୁ ହାତମୁଠାରେ ରଖି ଶାଶୁ ରାଜୁତି ଚଳେଇବେ। କାରଣ ସେ ପୁରୁଣାକାଳିଆ ଗାଁଉଲି ପରିବାରରୁ ଆସିଥିଲେ। ତାଙ୍କର ବେଶ ଖାତିର୍ ଥିଲା ଆଖପାଖ ଅଞ୍ଚଳରେ। ତେଣୁ ତାଙ୍କ ଘରକୁ ବୋହୁ ହେଇ ଆସିଥିବା ଝିଅମାନଙ୍କୁ ତାଙ୍କ ମା ଯେପରି ଚଳେଇଥିଲେ, ସେ ବି ସେମିତି କରିବେ। ତାଙ୍କର ମତରେ ବୋହୁକୁ ପ୍ରଥମରୁ ଅନୁଶାସନରେ ରଖିଲେ ସେ ମାନିମୁନି କି ରହିବ। ନ ହେଲେ ସେ ମନମାନି କରିବ।ତେଣୁ ବଡ ବୋହୁ ଯେବେ ଆସିଲା, ସେ ଆରମ୍ଭ କଲେ ତାଙ୍କ ଶାଶୁଲୀଳା।ହେଲେ ବୋହୁଟି ଆଜିକାଲିକା ଏକକ ପରିବାରର ଝିଅଟିଏ, ଯିଏକି ଖୁବ ସ୍ନେହ ଶ୍ରଦ୍ଧାରେ ବଢିଥିଲା।ତେଣୁ ମାନିନୀଙ୍କ କଠୋର ବ୍ଯବହାର ତାକୁ ଭାରୀ କଷ୍ଟ ଦେଉଥିଲା।ତଥାପି ନିଜ ବାପା ମା(ବୋହୁର)ଙ୍କ ମାନସମ୍ମାନକୁ ଜଗି ସେ ଚୁପଚାପ ସହିଚାଲିଥାଏ। ହେଲେ କେତେ ଦିନ...? ଦିନକୁ ଦିନ ଏଇ ମାନିନୀ ଓ ବୋହୁ ମଝିରେ ବ୍ଯବଧାନ ବଢିବାକୁ ଲାଗିଥାଏ।

   କିଛି ଦିନ ପରେ ମାନିନୀ ଜାଣିବାକୁ ପାଇଲେ ଯେ ତାଙ୍କ ସାନପୁଅଟି(ଯିଏକି ଏକ ବହୁତ ବଡ କମ୍ପୀନୀରେ କାମ କରେ) ଏକ ଅନ୍ଯଧର୍ମର ଝିଅଟିଏର ପ୍ରେମରେ ପଡିଯାଇଛି। ତେଣୁ ଯେମିତି ସେମିତି ପୁଅକୁ ବୁଝେଇ ସୁଝେଇ ସେ ପୁଅଟିକୁ ବଡ ବୋହୁ ବିଷୟରେ ୟାଡୁସେଡୁ (ସେ ଆମକୁ ମାନୁନି, ସେ ଆମକୁ ପିଣ୍ଡପାଣି ଦେବ କି ନାହିଁ, ତୁ ଅନ୍ତତଃ ଆମ ଜାତିରେ ବାହା ହେଲେ ଆମକୁ ବୁଢାବେଳେ ପାଖରେ ରହି ସେବା କରିବୁ ଇତ୍ଯାଦି ଇତ୍ଯାଦି) କହି ନିଜ ଜାତିର ଝିଅଟିଏ ଦେଖି ବିବାହ କରାଇ ଦେଲେ।ହେଲେ ବଡ ବୋହୁ ନାଁରେ ଯେତକ ମିଛସତ କହି ସାନପୁଅକୁ ବାହା କରାଇଥିଲେ,ତେଣୁ ତା ଆଗରେ ତା ସ୍ତ୍ରୀ ନାଁରେ କିଛି କହିବାକୁ ସେ ସାହସ କରି ପାରୁ ନଥିଲେ।କାରଣ ସାନପୁଅ ତାଙ୍କ ପସନ୍ଦ ଝିଅକୁ ବାହା ହେଇଛି।ତେଣୁ କିଛି ବି କହିଲେ ସେ କାଳେ ପୁଣି ତା ପ୍ରେମିକା ପାଖକୁ ଫେରିଯିବ ବୋଲି ତାଙ୍କର ଡର ଥାଏ।ଏପଟେ ପୁଣି ଏତେ ସୁନ୍ଦର ରୋଜଗାରିଆ ପୁଅଟି ବି ହାତରୁ ଯିବ।ତେଣୁ ତା ସ୍ତ୍ରୀ ଯାହା ବି କଲେ ମାନିନୀ ନିଜ ବିଷ ଦାନ୍ତ ଚାପି ଚୁପଚାପ ସହି ଯାଆନ୍ତି।

 ହେଲେ ମାନିନୀଙ୍କର ସାନ ବୋହୁ ପ୍ରତି ମଉନ ପଣିଆ ବଡ ବୋହୁ ମନରେ ଦିନକୁ ଦିନ ବିଦ୍ରୋହର ଅଗ୍ନିଶିଖା ପରି ବଢି ଚାଲିଥାଏ।ସାନ ବୋହୁ ହି ଯୋଉ କେତେ ଦିନ ଶାଶୁ ଘରକୁ ଆସେ, ଦରକାର ଠାରୁ ଅଧିକ ସେବା କରି ପକାଏ।ଆଉ ତା'ର ଏଇ ଓଭୋର୍ ଡୋଜ୍ ସେବା ପରବର୍ତ୍ତୀ ସମୟରେ ବଡ ବୋହୁ ଲାଗି କୀଳା ହେଇଯାଏ।ଅବଶ୍ଯ ସାନପୁଅକୁ ଦେଖେଇ ହେବା ଲାଗି ମାନିନୀ ସାନ ବୋହୁକୁ ଯେତିକି ମୁଣ୍ଡରେ ମୁଣ୍ଡାନ୍ତି।ସେ ବି ସେତିକି ସେବା କରିବା ସ୍ବାଭାବିକ ଅଟେ।ଆଉ ବଡ ବୋହୁର ଯେତିକି ସବୁ କଟକଣା ଦେଇ ଗତିକରିଥାଏ, ସାନ ବୋହୁ ସେ ସବୁରୁ ଦୂରରେ ଥିବାର ଦେଖି ତା ମନରେ ବିଦ୍ରୋହ ଜାତ ହେବା ବି ସେତିକି ସ୍ୱାଭାବିକ।

 ଶେଷରେ ପରିସ୍ଥିତି ଏମିତି ହେଲା ଯେ ବଡ ବୋହୁ ତା ପୁଅକୁ ଧରି ଡାଇଭର୍ସ ନେଇ ବାପ ଘରକୁ ଚାଲିଗଲା।ଆଉ ଏପଟେ ସାନ ପୁଅ ବୋହୁ ଆଗରୁ ବର୍ଷକୁ ଚାରି ଚାରି ଥର ଆସୁଥିଲେ। ଧିରେ ଧିରେ ବର୍ଷକୁ ଥରେ, ପୁଣି ଏବେ କେଇ ବର୍ଷ ହେଲା ଛୁଆର ପାଠପଢା ଆଳ ଦେଖେଇ ଦୁଇଚାରି ବର୍ଷରେ ଥରେ ଲେଖା ଆସୁଛନ୍ତି।ବଡ ବୋହୁ ଗଲା ଦିନଠୁ ବଡ ପୁଅ ବି ଏକ ରକମର ଚୁପ ହେଇଯାଇଛି।ବିଶେଷ କଥାବାର୍ତ୍ତା ନାହିଁ, ସବୁବେଳେ ଚୁପଚାପ ହେଇ ରହୁଛି।

 ୟା ଭିତରେ ମାନିନୀଙ୍କ ସ୍ବାମୀ ବି ଆରପାରିକୁ ଚାଲିଗଲେଣି।ମାନିନୀ ବି ଅବଶ୍ଯ ନିଜ ବହୁତ ଚେଷ୍ଚା କରୁଛନ୍ତି ପୁଣି ସବୁକୁ ଫେରେଇ ଆଣିବାକୁ ହେଲେ ସେ ବି ଏବେ ଶଯ୍ଯାଶାୟୀ।ତେଣୁ ଅନୁତାପ ଛଡା କିଛିବି କରିବାକୁ ସେ ସମର୍ଥ ନୁହେଁ। ନିଜ ହାତରେ ଗଢିଥିବା ସଂସାରଟି ଖଣ୍ଡ ଖଣ୍ଡ ହୋଇଯାଉଥିବାର ଦୃଶ୍ଯକୁ ନିରବ ଦର୍ଶକ ପରି ଦେଖିବା ଛଡା ଆଉ କିଛି ଉପାୟ ନଥିଲା ମାନିନୀଙ୍କର।


Rate this content
Log in

Similar oriya story from Inspirational