STORYMIRROR

Anupama Biswal

Romance Tragedy Inspirational

4  

Anupama Biswal

Romance Tragedy Inspirational

ଭୁଲ୍ ହୋଇଗଲା ତୋତେ ଭଲପାଇ

ଭୁଲ୍ ହୋଇଗଲା ତୋତେ ଭଲପାଇ

3 mins
9

ମାଟି ଓ ଆକାଶ ସୂର୍ଯ୍ୟାସ୍ତର ଉଛ୍ୱାସ ମଧ୍ୟରେ ଏକୀଭୁତ ହୋଇଥାନ୍ତି ପକ୍ଷୀମାନଙ୍କର କ୍ଳାନ୍ତଡେଣାରେ ଦିନର ବିଦାୟ ଲିପି।ଗାଈଗୋରୁ ଘରମୁହାଁ।ଦୂରଦେଶରୁ ଶିଶିରଭିଜା ପବନ ବହୁଥିଲେ ମଧ୍ୟ କେଉଁଠି ଯେମିତି ଅଟକିଯାଉଥାଏ।ସୁବ୍ରତ

ବାବୁଙ୍କ ମନ ଭିତରେ ଦୀର୍ଘଶ୍ବାସ..... 

  ଆଃ! ତୁମେ ସତରେ କଣ ନିର୍ଦ୍ଦୟ ?ତୁମ କୋମଳ ହୃଦୟ

ସତରେ କଠୋର ହୋଇଯାଇଛି?ତୁମେ ମୋ ପାଖରେ ଅଭିନୟ କଲ ନା ସେସବୁ ବାସ୍ତବ?

ହାତ୍ ପାପୁଲିରେ ଉତ୍ତପ୍ତ କପାଳରୁ ଝାଳବୁନ୍ଦା ପୋଛିଦେଲେ

ସୁବ୍ରତ।ଦେହ ମନ ଏକସଙ୍ଗରେ ଭାରାକ୍ରାନ୍ତ।ଚାରିଆଡେ ନୀରବତା,ନିଃସଙ୍ଗତା। ଓଠ ଶବ୍ଦହୀନ।

  ସୂର୍ଯ୍ୟଦେଵ ପଶ୍ଚିମାଭିମୂଖୀ।ମାଛି ଅନ୍ଧାରୁଆ ଭିତରେ କେହି ଠିଆ ହେଲାପରି ମନେହେଲା।

ଚମକି ପଡିଲେ ସୁବ୍ରତ।

"ପ୍ରୀତି ! ପ୍ରୀତି ! ପ୍ରୀ .... ତି।

ଫେରି ଆସିଛ ତୁମେ।ମୋ ପାଖକୁ ନୁହଁ ମ,ତୁମ ସୁବୁ ପାଖକୁ।ମୁଁ ଜାଣିଥିଲି,ମୋତେ ଛାଡ଼ି ତୁମେ ରହିପାରିବ ନାହିଁ।ଆମେ ପରା ଏକ ଆତ୍ମା,ଭିନ୍ନ ଶରୀର।ଠିକ ନିର୍ଣ୍ଣୟ ନେଲା।"

  ମାଳ ମାଳ ଶବ୍ଦ ପାଟିରୁ ବାହାରୁଥାଏ।ପାଖକୁ ଧାଇଁଗଲେ ପ୍ରୀତିଙ୍କ।ହାତ ଧରି ନେଇଯିବେ ସେହି ସ୍ଥାନକୁ,ଯେଉଁଠି ନିତି ଗପସପ କରୁଥିଲେ,ଭାବର ଆଦାନ ପ୍ରଦାନ କରୁଥିଲେ,ମାନ

ଅଭିମାନ ବଣ୍ଟାବଣ୍ଟି କରୁଥିଲେ,ଆଖି ଲୁହ ଓ ଓଠ ହସକୁ ଦେଖିପାରୁଥିଲେ।

"   ଏ କଣ  ! ଏଠି ତ କେହି ନାହାନ୍ତି। କୁଆଡେ ଗଲ ପ୍ରୀତି।"ପାଗଳ ପରି ପୁଣି ସେହି ଡ଼ାକ ।ଆଖିରେ ଆଖିଏ ଲୁହ।ହଜିଗଲେ ଅଭୁଲା ସ୍ମୃତିରେ ।ମନେ ପଡିଯାଉଥାଏ ପ୍ରେମର ଚିତ୍ର।

  ସାହିତ୍ୟ ପ୍ରତି ବହୁତ ଅନୁରାଗ ତାଙ୍କ। ନିଜେ ସାହିତ୍ୟକୁ ଯେତେ ଭଲପାଆନ୍ତି,ପ୍ରୀତି ତାଙ୍କୁ ସେତେ ଭଲପାଆନ୍ତି। ଏହି ସାହିତ୍ୟ ମାଧ୍ୟମରେ ହିଁ ସେ ପାଇଥିଲେ ପ୍ରୀତିଙ୍କୁ।ସାହିତ୍ୟ ଥିଲା ତାଙ୍କ ସାଧନ,ପ୍ରାଣ ସ୍ପନ୍ଦନ।ସାହିତ୍ୟରେ ପ୍ରେମ, ଅନୁରାଗ।ସାହିତ୍ୟରେ ହଜିଯାଇ ପ୍ରଥମେ ଛୋଟ ଛୋଟ କବିତା ଲେଖିଲେ।ଧୀରେ ଧୀରେ କବିତାକୁ ପ୍ରେମିକା କରିବସିଲେ।ତାକୁ ପ୍ରାଣ ଦେଇ ଜୀବନ୍ତ ରୂପ ଦେବାକୁ ଲାଗିଲେ।କବିତା ହେଲା ଜୀବନର ସବୁକିଛି।କେହି କେହି ପାଗଳ ଆଖ୍ୟାଦେଲେ।ଗୋଟିଏ ପରେ ଗୋଟିଏ କଲମ ମୂନରେ ରୂପ ପାଇଲା।ସବୁଗୁଡିକ ପ୍ରେମ କବିତା।ଯିଏ ପଢିବ ତା'ର ପ୍ରେମ ହୋଇଯିବ।

 ହଠାତ ଦିନେ ଫୋନଟିଏ ଆସିଲା।ଅଜଣା ନମ୍ବର।ଓଠେଇଲେ ନାହିଁ।କାରଣ ଆଜିକାଲି କେତେ ଠକେଇ ଚାଲିଛି।ଦିନବେଳା ଲୋକ ତଣ୍ଟି କାଟିଦେବେ।ବାରମ୍ବାର ସେହି ନମ୍ବରରୁ ଫୋନ ଆସୁଥାଏ।ବିରକ୍ତ ହୋଇ ଉଠେଇଲେ ଫୋନ୍ ଟି।

"  ଆଃ ! କି ମଧୁର, କି କୋମଳ ଏ ସ୍ୱର।ଭରିରହିଛି ଆତ୍ମୀୟତା,ଭରି ରହିଛି ହୃଦୟର ଆବେଗ।"

       "ଆପଣ ଶୁଣି ପାରୁଛନ୍ତି? ମୁଁ ପ୍ରୀତି।

" ହଁ ହଁ କୁହନ୍ତୁ।ମୁଁ ଠିକ ଶୁଣୁଛି। "ସୁବ୍ରତ କହିଲେ।

ଆପଣ କି ସୁନ୍ଦର ଲେଖୁଛନ୍ତି। ଥରେ ପଢିଲେ ବାରମ୍ବାର ପଢିବାକୁ ଇଚ୍ଛା ହେଉଛି।ଖୁବ ରସାଳ।

 କେବଳ ଧନ୍ୟବାଦଟିଏ ଦେଲେ ସେଦିନ ସୁବ୍ରତ।ପ୍ରାୟ ନିର୍ଦ୍ଦିଷ୍ଟ ସମୟରେ ଫୋନ ପ୍ରତିଦିନ ଆସିଲା ।ସୁବ୍ରତ ମଧ୍ୟ ଅପେକ୍ଷାରେ ରହିଥାନ୍ତି ଫୋନକୁ। ଧୀରେ ଧୀରେ ଗପିବା ଅବଧି ବଢିବାକୁ ଲାଗିଲା ଓ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟିହେଲା।

  ସତରେ ପ୍ରେମ କେତେବେଳେ ଲୁଚିଲୁଚି ଆସି ହୃଦ ଭିତରେ ଘର କରେ ଜଣାଯାଏ ନାହିଁ।ଯାହା ତ ନିଏ ନିଏ,ନିଦକୁ ବି ଛାଡେ ନାହିଁ।

  ସୁବ୍ରତଙ୍କ ପ୍ରତ୍ୟେକ କବିତାରେ ପ୍ରୀତିଙ୍କ ଛବି।କବିତା ପଢି 

ପ୍ରୀତି ଆତ୍ମବିଭୋର ହୋଇଉଠନ୍ତି। ଦୁହେଁ ଦୁହିଁଙ୍କୁ ନ ଦେଖି ଆଉ ରହିପାରିଲେ ନାହିଁ। ସୁବ୍ରତ ବାଧ୍ୟ ହୋଇ ଗାଁ ଛାଡି ସହରରେ ଭଡାଘର ନେଇ ରହିଲେ।କାରଣ ପ୍ରୀତିଙ୍କ ସହ ଦେଖାକରିପାରିବେ।

  ପ୍ରଥମ କରି ଗୋଟିଏ ପାର୍କରେ ଉଭୟ ଭେଟ ହେଲେ।କି ଆନନ୍ଦର ମୂହୁର୍ତ୍ତ ! ପ୍ରୀତି ନ ଯଜୌ ନ ତସ୍ଥୌ ଅବସ୍ଥାରେ ରହିଗଲେ। ଅର୍ଥାତ ଆଗକୁ ନୁହଁ କି ପଛକୁ ନୁହଁ ,ଠିକ ସେଦିନ ଯେମିତି ମାତା ପାର୍ବତୀ ଭଗବାନ ଶିବଙ୍କୁ ଦେଖି ହୋଇଥିଲେ। ଏହାହିଁ ତ ନାରୀ ସୁଲଭ ଗୁଣ।

 କିଛି ସମୟ କଥାବାର୍ତ୍ତା ପରେ ଦୁହେଁ ଚାଲିଗଲେ।ପ୍ରତିଦିନ ସେହି ଗୋଟିଏ ସ୍ଥାନରେ ନିର୍ଦ୍ଦିଷ୍ଟ ସମୟରେ ଉଭୟରେ ଭେଟ ହୋଉଥିଲେ।ପ୍ରେମ ବାଟରେ ଯେତେ ଆଗେଉଥିଲେ ସୁବ୍ରତ ସେତିକି ସୁନ୍ଦର କବିତା ଲେଖି ଚାଲିଥିଲେ।କବିତା ପୁସ୍ତକ ମଧ୍ୟ ପ୍ରକାଶିତ କଲେ।କବିତା କାମିନୀ,ପ୍ରୀତି ଛନ୍ଦା,ପ୍ରାଣର ସ୍ୱର,ପ୍ରେମର ବାସ୍ନା ଏମିତି ଅନେକ।

 ପ୍ରୀତି ଦିନେ ଘାସ ଗାଲିଚାରେ ସୁବ୍ରତଙ୍କ କୋଳରେ ମୁଣ୍ଡ ରହି କହନ୍ତି, "ସୁବ୍ରତ! ତୁମେ ମୋତେ ଭୁଲିଯିବ ନାହିଁ ତ ?ମୋ ମଥାରେ ସିନ୍ଦୂର ଦେଇ ଆପଣାର କରିବ ତ?"

 " ଏଥିରେ ସନ୍ଦେହ କଣ ?

ତୁମେ ମୋର ହୋଇସାରିଛ।,

 ସଞ୍ଜ ରକ୍ତ ଆଭାରେ ଦୁହେଁ ହଜି ଯାଇଥିବା ବେଳେ ହଠାତ ଏକ କର୍କଶ ସ୍ୱର ଶୁଭିଲା।ପ୍ରୀତି !

 ଚମକି ପଡିଲେ ଦୁହେଁ।ବଡ଼ ବଡ଼ ଆଖି କରି ଛିଡା ହୋଇଥାନ୍ତି ପ୍ରୀତିର ବଡ଼ଭାଇ।ବୟସରେ ପ୍ରୀତିଠାରୁ ଆଠ ବର୍ଷର ବଡ଼।ବାପା ଆଉ ପାରିକୁ ଯିବାଠାରୁ ସେ ନେଇଛନ୍ତି ଭଉଣୀର ଦାୟିତ୍ୱ।

  ସୁବ୍ରତଙ୍କୁ ବହୁତ ବାଧିଲା ।ପ୍ରୀତି ସହ ଆଉ କଣ ଦେଖା

ହୋଇ ପାରିବ ନାହିଁ।ଭବିଷ୍ୟତ ଅନିଶ୍ଚିତ।ଆଖିକୁ ଆଉ ନିଦ ନାହିଁ।କ୍ଷୀଣ ଦୀପଶିଖା ପରି ହୃଦୟ କମ୍ପିତ ହେଉଥାଏ।

ପ୍ରୀତିଙ୍କ ପାଇଁ ବହୁତ ଥର ଅମାନିଆ ଲୁହ ବହିଯାଏ।ହୃଦୟର କ୍ଷତରେ ଯେତେ ମଲମ ଦେଲେ ଶୁଖିଲା ନାହିଁ।

    କବିତା ମଧ୍ୟ ଆଉ ଲେଖିପାରିଲେ ନାହିଁ।ମନରେ ସ୍ଥିରତା ରହିଲା ନାହିଁ। ଏମିତି କିଛିଦିନ ପରେ ହଠାତ ପ୍ରୀତିଙ୍କ ସହ ଦେଖାହୋଉଗଲା।ତରତରରେ ପ୍ରୀତି ଥିଲେ ମଧ୍ୟ ସୁବ୍ରତଙ୍କୁ ଦେଖି ଅଟକିଗଲେ।ଉଭୟଙ୍କ ଆଖିରେ ଅକୁହା ଭାଷା।ହୃଦ ସ୍ପନ୍ଦନ ଓ ଓଠର କମ୍ପନ ପ୍ରତିଯୋଗୀତା କରୁଥାନ୍ତି।ଏତେ ଦିନ ପରେ ଦେଖାସାକ୍ଷାତ। 

 କେମିତି ଅଛ ? ସୁବ୍ରତ ପଚାରିଲେ

  " ମରୁଭୂମିର ନିତି ତଣ୍ଟି ଶୁଖୁଥିବା ଜୀବ ପରି"।

ବାସ। ଏତିକି କହୁ କହୁ ଡ୍ରାଇଭର ପ୍ରୀତିଙ୍କୁ ଡାକି ନେଇଗଲେ।

ଯାହେଉ ସୁବ୍ରତ ବୁଝିଗଲେ।ତାଙ୍କ ବିନା ପ୍ରୀତିର ଅବସ୍ଥା।

ବହୁତ ଚେଷ୍ଟା କରି ମଧ୍ୟ ଆଉ ଭେଟ ହୋଇ ପାରିଲେ ନାହିଁ।

ହେଲେ ମନରେ ବିଶ୍ବାସ । ସେ ନିଶ୍ଚୟ ଦିନେ ତାଙ୍କ ସହ ଘର ସଂସାର କରିବେ।

  ଇତି ମଧ୍ୟରେ ସୁବ୍ରତ ଦିନେ ପ୍ରୀତିଙ୍କ ବଡ଼ଭାଇଙ୍କୁ ମନ ଭିତରେ ସାହସ ଜୁଟେଇ ପ୍ରୀତିଙ୍କ ହାତ ମାଗିଲେ।ଭାଇଙ୍କ ମୁହଁରୁ ଜାଣିଲେ ପ୍ରୀତି ବାହା ହୋଇ ସାରିଛନ୍ତି।କାନ ମୁଣ୍ଡା

ଭାଁ ଭାଁ କଲା।ମୁଣ୍ଡରେ ବଜ୍ର ପଡିଲା।

  ତାଙ୍କ ପ୍ରେମ କଣ ଏତେ ଦୁର୍ବଳ ଥିଲା।ସବୁ କଣ ମିଛ ଥିଲା।ଟେବୁଲ ରେ ଥିବା ପାଣିତକ ଢକ ଢକ ପିଇଦେଲେ।

ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରୀତି ସହ ସାକ୍ଷାତ କରିବାକୁ ବଡଭାଇଙ୍କ ଅନୁମତି ନେଇଗଲେ। 

ଦ୍ୱାର ପାଖରେ ଛିଡା ହୋଇ କଳିଙ୍ଗ ବେଳ୍ ଦେଲେ।

ଚାକର ଟୋକା ପରିଚୟ ପଚାରି ଘର ଭିତରକୁ ଗଲା।

  ମଥାରେ ସିନ୍ଦୂର,ଦେହରେ ନାଲି ରଙ୍ଗ ଶାଢ଼ୀ,ଅଲଙ୍କାର ପରିପୂର୍ଣ୍ଣ ହୋଇ ପ୍ରୀତି ଆସିଲେ ସୁବ୍ରତଙ୍କ ପାଖକୁ।ହୃଦ ସ୍ପନ୍ଦନ ନାହିଁ କି ଓଠ କମ୍ପନ ନାହିଁ।

  ସୁବ୍ରତ ଠିକ ବୁଝିଗଲେ।କିଛି କହିବା ପୂର୍ବରୁ ପ୍ରୀତି କହିଲେ ତୁମେ କିଏ ? କାହାକୁ ଖୋଜୁଛ? କଣ କାମ ଅଛି ?

 ସତରେ ପ୍ରୀତି ତାଙ୍କୁ ଚିହ୍ନି ନାହାନ୍ତି।କି ଉତ୍ତର ସେ ଦେବେ।

କେବଳ କହିଲେ,"ଭୁଲ ହୋଇଗଲା ତୁମକୁ ଭଲ ପାଇ।"

ପ୍ରୀତି ନିରୁତ୍ତର।



Rate this content
Log in

Similar oriya story from Romance