Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଭସାମେଘ

ଭସାମେଘ

4 mins
310



  ଘରୁ ଆସିବା ଏକମାସ ହେଲାଣି, କେବେ କେମିତି ଖୁବ୍ କମ ଲୋକଙ୍କ ପାଖରୁ ଫୋନ ଆସେ । ନାତୁଣୀ ଆର୍ଯ୍ୟାର ସ୍କୁଲ ପୂଜା ପାଇଁ ଗତକାଲି ଠାରୁ ଛୁଟି ହୋଇ ଯାଇଛି । ଆଜି ଘରେ ସମସ୍ତେ ଟିକେ ଡେରି ଯାଏ ଶୋଇଛନ୍ତି, ବିଛଣାରୁ ଉଠି ନାହାନ୍ତି । ଏମିତି ତ ବାଙ୍ଗାଲୋର ସହରର ଜଳବାୟୁରେ ଏବେଠାରୁ ବି ସକାଳ ଆଠଟା ଯାଏ ଟିକେ ଟିକେ ଶୀତୁଆ ଲାଗି ବସିଲାଣି ।

  ହଠାତ ଫୋନ ରି° ହେଲା । ସି ବ୍ଲକରୁ ସେଠିବାବୁ ପଚାରୁଥିଲେ- କଣ ବିଶ୍ୱାଳବାବୁ କହୁଛନ୍ତି । ବାଙ୍ଗାଲୋରରେ ଅଛନ୍ତି କି ଗାଆଁକୁ ଗଲେଣି ?

 ଜଣେ ପୂର୍ବ ପରିଚିତ ବନ୍ଧୁଙ୍କ ସହିତ ବହୁଦିନ ପରେ ଆଳାପ ପାଇଁ ସୁଯୋଗ ମିଳିଥିବାରୁ ଖୁସି ଲାଗିଲା । ଉତ୍ତର ଦେଲି- ନା ଭାଇ ଗାଁ ଯିବା ଆହୁରି ଦୁଇମାସ ଡେରି ହୋଇପାରେ । ଝିଅର ଦେହ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ନାହିଁ ।   " ଘରେ ବସି କଣ କରୁଛନ୍ତି, ତଳ ଆଡେ ଆସନ୍ତୁ, ଟିକେ ବୁଲାବୁଲି କଲେ ଭଲ ଲାଗିବ ।"

  ସେଠିବାବୁଙ୍କ ଅନୁରୋଧ ଏଡାଇ ନ ପାରି ମୁଁ ଶୀଘ୍ର ଶୀଘ୍ର ଚା ଟିକେ ପିଇ ବାହାରି ପଡିଲି । ନ ମହଲା ଆପାର୍ଟମେଣ୍ଟଟିର ପଛ ଆଡକୁ ଭଲ ସକାଳର କଅଁଳିଆ ଖରା ପଡୁଥାଏ । ଭସାମେଘ ଖଣ୍ଡ ମଝିରେ ମଝିରେ ସୂର୍ଯ୍ୟଙ୍କୁ ଢାଙ୍କି ପକାଇଲେ ଛାଇ ହେଉଥାଏ ତ ଟିକେ ପରେ ଖରା ।ଦୁଇ ବନ୍ଧୁ ଖରାଛାଇରେ କିଛି ସମୟ ପଦଚାଳନା କରି ସୁଖଦୁଃଖ ହେଲାପରେ ହାଲିଆ ଲାଗିଲା । ଉଭୟଙ୍କର ବୟସ ପଞ୍ଚଷଠି ଡେଇଁ ଗଲାଣି, ମଧୁମେହ ରୋଗ ଯୋଗୁ ଶରୀର ଦୁର୍ବଳ ।

  ତା ସହିତ ସେଠିବାବୁ ଏଇ କିଛିଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ , ଦେହରୁ ରକ୍ତକଣିକା କମିଯିବା କାରଣରୁ ସେ ଶୀଘ୍ର କ୍ଲାନ୍ତ ହୋଇ ପଡୁଥାନ୍ତି । ଫେରିବା ବେଳକୁ ସେ ଖୁବ୍ ବାଧ୍ୟ କଲେ ।କହିଲେ-ଝିଅ ଡଲି ବାର ବାର ମୋତେ କହିଛି,ଆସିବା ବେଳେ ଅଙ୍କଲଙ୍କୁ ଆମ ଘରକୁ ଡାକି ଆଣିବ । ମୁଁ ଡଲିର ନାଆଁ ଶୁଣି ଆଉ ମନା କରି ପାରିଲିନି । ଖୁବ୍ ସୁନ୍ଦର ସ୍ୱଭାବର ଝିଅଟି ।ଗୋଟିଏ ବଡ଼ MNCରେ ଏବେ ମାନେଜର ଅଛି ।ଭଲ ରୋଜଗାର ଅଛି । ଏଠି ନିଜର ଫ୍ଲାଟ ସହିତ ଗାଡି ବି ରଖିଛି ,କୈ।ଣସି କଥାରେ ଅଭାବ ନାହିଁ । ବିବାହ ବୟସ ଅତିକ୍ରାନ୍ତ ହୋଇଗଲାଣି । ଅବିବାହିତ ରହିବା ନିଷ୍ପତ୍ତି ନେଇ ପ୍ରାୟ ଚାରି ବର୍ଷ ତଳେ ଗୋଟିଏ ଶିଶୁକନ୍ୟାକୁ ପୋଷ୍ୟା ସନ୍ତତି ଭାବେ ଗ୍ରହଣ କରିଛି । ଗଲା ଆସିବା ବେଳେ ଯେବେ ଦେଖାହେଲେ ବି ନମସ୍କାର ଜଣାଇ ଅତି ଅମାୟିକ ଭାବେ ଦୁଇପଦ କଥା ହୋଇଥାଏ ।

   ମନେପଡେ ,ଦୁଇବର୍ଷ ତଳେ ତାଙ୍କ ଘରେ ଏକ ସୁନ୍ଦର ଭଜନ ସନ୍ଧ୍ୟାକୁ ଆମେ ଯାଇଥିଲୁ । ତାଙ୍କ ସପରିବାର ବାବା ଅନୁକୂଳ ଚନ୍ଦ୍ରଙ୍କ ଅନୁଗାମୀ । ଖୁବ୍ ଯତ୍ନର ସହିତ ନିମନ୍ତ୍ରିତ ଅତିଥି ମାନଙ୍କୁ ଖୁଆଇ ଭଲଭାବେ ଆପ୍ୟାୟିତ କରିଥିଲେ ଡଲି ଏବଂ ତା ବାପା ମାଆ । ସମସ୍ତଙ୍କୁ ଆପଣାର କରିନେବା ଭଳି ଗଭୀର ଆତ୍ମିକ ଭାବନା ଫୁଟିଉଠେ ତାଙ୍କ ମୁଖ ମଣ୍ଡଳରେ ।

   ଏମିତି ଘରେ ଦେଖିବା କ୍ଷଣି ଡଲି ପଚାରିଲା-ମଉସା ଆପଣ ତ ବିନା ଚିନି ଚାହା ପିଉଥିବେ ।ବାପାଙ୍କ ପରି ସୁଗାର ଫ୍ରି ସହିତ ଚା ଚଳିବ କି ? 

 ନା, ଝିଅ । ମୋର ଆଦୈ। ଚାହା ଦରକାର ନାହିଁ ।ମୁଁ ଏବେ ହିଁ ଘରୁ ଚାହା ପିଇ ଆସିଛି ।

   ମନା କଲେ ବି ଥାଳୀରେ ଚାହା ବିସ୍କୁଟ ଧରି ଡଲି ବହୁତ ବାଧ୍ୟ କଲାରୁ ଆଉ ନାହିଁ କରିହେଲା ନାହିଁ ।

   କଥା ପ୍ରସଙ୍ଗରେ ସେଠିବାବୁ କହୁଥିଲେ - ରାଉରକେଲା କୋଏଲ ନଗରରେ ଥିବା ତାଙ୍କ ଘରେ ଥିଲେ ସେ ଅପେକ୍ଷାକୃତ ଭାବେ ଅଧିକ ସ୍ୱଚ୍ଛନ୍ଦ ଅନୁଭବ କରନ୍ତି । ଛକରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ତାଙ୍କର କିଛି ବୟସ୍କ ବନ୍ଧୁଙ୍କ ସହିତ ନିଇତି ଭେଟଘାଟ ହୁଏ ।

ସୁଖଦୁଃଖ ଆଲୋଚନା ଭିତରେ କେମିତି ସମୟ କଟିଯାଏ ଜଣା ପଡେନା ।

  ରଥବାବୁ ଓ ପତିବାବୁ ଦୁଇଜଣଙ୍କ ମଧ୍ୟରେ ଖୁବ୍ ଘନିଷ୍ଠତା । ରଥବାବୁ ତାଙ୍କ ଘରୁ ବାହାରି କିଛିବାଟ ଆସିଲେ ପଡେ ପତିବାବୁଙ୍କ ଘର । ଦୁହେଁ ସବୁଦିନ ଯୋଡି ହୋଇ ହସଖୁସିରେ ଆସୁଥିବା ଦେଖିଲେ ସମସ୍ତଙ୍କୁ ଭାରି ଖୁସି ଲାଗେ ।

   ସେଠିବାବୁ କହୁଥିଲେ -ଦିନେ ରଥବାବୁ ମନଟି ଝାଉଁଳାଇ ଏକା ଏକା ଆସିବା ଦେଖି ବନ୍ଧୁମାନେ କଥା କଣ ବୋଲି ପଚାରିଲେ । ରଥବାବୁ ନାହିଁ- ମୋଟେ କହିବେନି ବୋଲି ଜିଦି କରୁଥାନ୍ତି । ସମସ୍ତେ ବୁଝାସୁଝା କରିବାରୁ ସେ କହିଲେ -ଆଜି ପତିବାବୁଙ୍କ ଗେଟ ଖୋଲି ଭିତରକୁ ପଶିବାକୁ ଯାଉଛନ୍ତି ତ ଘର ଭିତରୁ ତାଙ୍କ ବୋହୁ ବଡ଼ ପାଟିରେ କହୁଥିବା ଶୁଣାଗଲା-

 ବୁଢାମାନଙ୍କର ଆଉ ତ କାମ କିଛି ନାହିଁ, ବସି ବସି ଗପି ଗପି ସମୟ କଟୁଛି ।ତା ସାଙ୍ଗକୁ ପୁଣି ସାଙ୍ଗ ଦୋସ୍ତିଙ୍କ ପାଇଁ ଚାହା ବନେଇ ବନେଇ ମଣିଷ ହାଲିଆ ।କାମ ସରିଲେ ତ ଜଳଖିଆ ବନାଯିବ ।

  ଏଇ କେଇପଦ କାନରେ ପଡିବା କ୍ଷଣି ସେ ଆଉ ଭିତରକୁ ନ ପଶି ବାହାରୁ ବାହାରୁ ପଳାଇ ଆସିଲେ -ରଥବାବୁ ଏକ ନିଶ୍ୱାସରେ କହିଗଲେ । ତା ପରେ ସମସ୍ତଙ୍କୁ ବାରବାର କରି କହିଲେ-ଏକଥା ପତିବାବୁଙ୍କ କାନରେ ଯେମିତି ନ ପଡେ ।

କାରଣ ପଚାରିବାରୁ କହିଲେ -ସେ ବିଚରା ଘରେ ଏକୁଟିଆ । ତାଙ୍କର ସ୍ତ୍ରୀ ଆରପାରିକୁ ଗଲେଣି । ଏ କଥା ଶୁଣି ତାଙ୍କ ବୋହୁକୁ କିଛି ପଚରା ଉଚରା କଲେ ବିଚରା ବୁଢା ମଣିଷଟି ଅଧିକ ହଇରାଣ ହରକତ ହେବ । ମୋର ତ ହେଲେ ଘରେ ସ୍ତ୍ରୀ ବଞ୍ଚିଛନ୍ତି । ମୁଁ ତାଙ୍କ ଘରେ ଚାହା ନ ପିଇଲେ କଣ ମରିଯିବି ?

  ଏଇ ଘଟଣା ପରେ ଦୁଇ ବନ୍ଧୁଙ୍କ ଭିତରେ ଆଦୈ। କଥାବାର୍ତ୍ତା ବି ହେବା ଦେଖା ଗଲାନି । ମୁହଁକୁ ଫୁଲେଇ ଦୁଇ ଜଣ ଦୁଇ ହାତ ଛଡାରେ ବସିଥିବେ।

  ଦିନେ ଆଉ କେହି ବନ୍ଧୁ ଆସି ପହଞ୍ଚି ନ ଥାନ୍ତି । ନିଜେ ସେଠିବାବୁ ଏକା ଥିଲେ । କିଛି ସମୟ ପରେ ପତିବାବୁ ଆସି ପହଞ୍ଚିଲେ । କଥା ପ୍ରସଙ୍ଗରେ ରଥବାବୁ କଥାଟି ପଚାରି ଦେବାରୁ ପତିବାବୁ କହିଲେ -ଭାଇ,ରଥବାବୁ ଭାରି ସୁବିଧାବାଦୀ । ଆଗ ବନ୍ଧୁ ମାନଙ୍କ ପ୍ରତି ତାଙ୍କ ମନରେ ଯେଉଁ ସରାଗ ଥିଲା , ଏବେ ନାହିଁ । ତାଙ୍କର ପୁଅ ଝିଅ ଭଲ ଚାକିରୀ କଲେ ,ଆଉ ପଚାରିବେ କାହିଁକି?

  ମୁଁ ତାଙ୍କୁ ଏମିତି ଭାବିବାର କଣ କାରଣ ପଚାରିବାରୁ ସେ କହିଲେ-ଭାଇ ମୋର ପୁଅ ଓ ବୋହୁ ଉଭୟ ଏ କଥା ଲକ୍ଷ୍ୟ କରି ମୋତେ ଦିନେ କହିଲେ । ମୁଁ ମଧ୍ୟ ପରୀକ୍ଷା କରି ଦେଖିଲି ପ୍ରକୃତ ସତ କଥା ।

 ସେଠିବାବୁ କହୁଥିଲେ-ପତିବାବୁଙ୍କ ଏ କଥାଶୁଣି ତାଙ୍କ ଧୈର୍ଯ୍ୟ ରହି ନଥିଲା । ସେ ସବୁ କଥା ଖୋଲି କହିଦେଲେ । ଅନ୍ୟ ବନ୍ଧୁମାନେ ବି ପହଞ୍ଚି ସାରିଥିଲେ ।ତାଙ୍କ ଠାରୁ ବି ପତିବାବୁ ଶୁଣି ସତ୍ୟ କଣ ବୁଝିଗଲେ ।

 ରଥବାବୁ ଆସିଗଲାରୁ ପତିବାବୁ ତାଙ୍କୁ କୁଣ୍ଢାଇ ପକାଇ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ସମସ୍ତଙ୍କ ଆଖିକୋଣରେ ଲୁହ ଜକାଇ ଆସିଥିଲା । ସନ୍ଦେହର ଭସାବାଦଲ ଅପସରି ଯିବାପରେ ଦୁଇ ବନ୍ଧୁଙ୍କ ମୁହଁଟି ଆଲୋକରେ ପୁଣି ଉଜ୍ଜଳ ଦିଶୁଥିଲା । କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତା ନିବିଡ଼ତା ତ ଆମ ଆଖି ଦେଖି ନାହିଁ । କିନ୍ତୁ ସେଦିନ ପତିବାବୁ ଓ ରଥବାବୁଙ୍କ ଅନ୍ତରଙ୍ଗତା ଦେଖି ହୃଦୟ ଦ୍ରବିଭୂତ ହୋଇ ଯାଇଥିଲା ।

   ପ୍ରିୟବନ୍ଧୁ ଭାଗବତ ସେଠିଙ୍କ ଅଙ୍ଗେ ନିଭା ଏହି ନିଚ୍ଛକ ଜୀବନ କାହାଣୀଟି ଶୁଣି ମୁଁ ଖୁବ୍ ପ୍ରଭାବିତ । 

   ମୋର ଆଉ କିଛିଦିନ ରହଣୀ ଭିତରେ ହୁଏତ ଶୀତ ଅନୁଭୂତି ହୋଇ ଆସୁଥିବ । ସକାଳର ଖରାଛାଇ ମଧ୍ୟରେ ବୁଲୁବୁଲୁ ଏମିତି କିଛି ନୂତନତ୍ୱର ସନ୍ଧାନ ନିଶ୍ଚୟ ମିଳି ପାରିବ ବୋଲି ମୁଁ ଗଭୀର ଆଶାବାଦୀ ।

     


Rate this content
Log in

Similar oriya story from Tragedy