ଭ୍ର୍ରମ
ଭ୍ର୍ରମ
ବାପା ଚାଲିଯିବା ଆଜିକୁ ପାଞ୍ଚଦିନ ହେଲାଣି । ତାଙ୍କ ଶୋଇବା ବଖରାରେ ଘଟଦୀପ ଜଳୁଛି । ରାତିରେ ସେଇ ବଖରାରେ ମୁଁ ଓ ମୋର ପିଉସୀ ଶୋଉଚୁ । ଘରେ ଯଦିଓ ଆଉରି ସାତପ୍ରାଣୀ ଅଛନ୍ତି କିନ୍ତୁ ସମସ୍ତଙ୍କୁ ଡର ଲାଗୁଛି । କୁହାଯାଏ ଏଗାର ରାତିରେ ପ୍ରେତ ବାଡିଆ ହେଲା ପରେ ଆତ୍ମା ସ୍ଵର୍ଗକୁ ଗମନ କରନ୍ତି । ଯୋଉ ବାପାଙ୍କ ହାତ ଧରି ଚାଲିବା ଶିଖିଚି ତାଙ୍କ ଆତ୍ମାକୁ ଅବା କି ଡର । ଏମିତିରେ ମୁଁ ବଡ଼ ପୁଅ । ବାପାଙ୍କ ପରେ ଏ ଘରର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ମୋର । ତେଣୁ ଡର ଭୟ କିଛି ଲାଗୁନି । ପିଉସୀ କହିଲା ଘଟ ସ୍ଥାପନା ଘରେ ପିଲାଟା ଏକୁଟିଆ ଶୋଇବ କେମିତି । ଯାହା ହେଲେ ବି ମାତ୍ର କୋଡିଏ ବର୍ଷ । ଯେତେ ଚେଷ୍ଟା କଲେ ବି ଏ ସମୟରେ ବେଳେ ବେଳେ ମନ ଦୁର୍ବଳ ହେଇଯାଏ । ତେଣୁ ସେ ମୋ ସହ ସେଇ ବଖରାରେ ଶୋଉଚି ।
ପାଖ ବଖରାରେ ବୋଉ ଓ ସାନ ଭଉଣୀ ଶୋଉଚନ୍ତି । ବୋଉ ଶୋଉଚି କଣ ଯେ ଦିନରାତି ଖାଲି କାନ୍ଦୁଚି ମଝି ମଝିରେ ଚେତାଶୂନ୍ୟ ହେଇ ଯାଉଛି ।ସେପଟ ବଖରାରେ କାକା ଖୁଡି ତାଙ୍କ ଝିଅ । ଆଉ ଗୋଟେ ବଖରାରେ ବୁଢୀମା ଆଉ ତା ସହ ତା ଦେଖାଶୁଣା କରୁଥିବା ସରୁ ନାନୀ । ବୁଢୀମା ବି ସେମିତି ବାହୁନି କାନ୍ଦୁଚି । ସେ ବଞ୍ଚି ଥାଉ ଥାଉ ତା କୋଳ ପଞ୍ଚଭୂତରେ ମିଶିଗଲା । ସେ ବା ସହିବ କିପରି ?
ରାତି ପ୍ରାୟ ତିନିଟା ହେବ । ମତେ ବାପାଙ୍କ ସ୍ଵର ଶୁଭିଲା । ବାବୁରେ .... । ତତେ ସମସ୍ତେ ଲାଗିଲେ । ତୋ ବୋଉ ଦୁନିଆ ବିଷୟରେ କିଛି ଜାଣିନି । ଏଇ ବର୍ଷ ତୋର ଇଂଜିନିୟରିଂ ସରିବ । ରୋଜଗାର ପାଇଁ ଦୂରକୁ ଗଲେ ବି ବୋଉକୁ ଭୁଲି ଯିବୁନି । ବୁଢୀମା କଥା ବି ବୁଝୁଥିବୁ । ଭଉଣୀର ପଢା ଦାୟିତ୍ୱ ବାହାଘର ଦାୟିତ୍ୱ ତୋ କାନ୍ଧରେ ରହିଲା । ନିଜକୁ ଅଣହେଳା କରିବୁନି । ଅଦୃଶ୍ୟ ହେଇଗଲେ ବାପା ଧୂଆଁଳିଆ ପରିବେଶରେ । ଚମକି କି ଉଠିଲି । ଦେଖିଲି ଚାରିଆଡ଼ ଅନ୍ଧାର । ଦୀପ ଦିକିଦିକି ହେଉଚି । ବାପା ତ କୋଉଠି ନାହାନ୍ତି । ଭ୍ରମର ଜାଲରେ ଯେମିତି ମୁଁ ଛନ୍ଦି ହୋଇ ଯାଇଛି ।
ସେତେବେଳେ ପିଉସୀ ବି ଉଠି ପଡିଲା । କହିଲା ବାବୁନା ମତେ କାହିଁକି ଲାଗିଲା ଭାଈନା ମତେ ଡାକୁଛି । ହେଇ ଦେଖ ଘଟଦୀପ ଦିକିଦିକି ହେଇ ଲିଭିବାକୁ ବସିଲାଣି । ଏତିକି କହି ପିଉସୀ ଦୀପରେ ଘିଅ ପକେଇ ବଳିତା ତେଜି ଦେଲା । ଅନ୍ଧାର ଘରଟା ଆଲୋକିତ ହେଇଗଲା । ତାହେଲେ ବାପା ଆସି ସତରେ ମତେ ବୁଝୋଉଥିଲେ ନା ଏହା ଏକ ଭ୍ରମ, ମାତ୍ର ଏକ ସ୍ଵପ୍ନ ।
ଆଜି ବାର ଶ୍ରାଦ୍ଧ ସରିଗଲା । କୁଣିଆ ମୈତ୍ର, କାକା ଖୁଡି, ପିଉସୀ ଯିଏ ଯାହା ବାଟେ ଗଲେ । ଏଡ଼େ ବଡ଼ ଘରେ ବୁଢୀମା, ବୋଉ, ରୁବିନା । ମୁଁ ବି ଦୁଇ ଦିନ ପରେ ସହରକୁ ପଳେଇବି । ଫାଇନାଲ୍ ପରୀକ୍ଷା ପାଖେଇଲାଣି । ରୁବିନା ତାର ପାଠ ଓ ସ୍କୁଲରେ ବିଜି ରହିବ । ବୋଉ ମନ ଭିତରେ କୋହ ଚାପି ହସିବ। ଆଉ ବୁଢୀମା ବାହୁନି କାନ୍ଦୁଚି କାନ୍ଦିବ ।
ହଠାତ୍ କେମିତି ମୋହ ମାୟା ସଂସାରରୁ ଆସ୍ଥା ଉଠିଗଲା । ପାଣି ଫୋଟକା ପରି ଜୀବନର ମୂଲ୍ୟ କିଛି ନାହିଁ ବୋଲି ଲାଗିଲା । ଗୌତମ ବୁଦ୍ଧ ଙ୍କ ପରି ସଂସାର ତ୍ୟାଗ କରିଦେବାକୁ ମନ ହେଲା । ହଠାତ୍ ମୋ ସମ୍ମୁଖରେ ବାପା ଛିଡା ହେଇଛନ୍ତି ।
ବାବୁରେ! ଏଇ ତ ଜୀବନ । ଯିଏ ଜନ୍ମ ହେଇଛି ସେ ମରିବ ନିଶ୍ଚୟ । ଭଗବାନ ପରା ରାମ ରୂପେ କୃଷ୍ଣ ରୂପରେ ମର୍ତ୍ତ୍ୟରେ ଜନ୍ମ ନେଇଥିଲେ ଯେ ସେ ବି ଦେହତ୍ୟାଗ କଲେ । ଆମେ ତ ଛାର ମଣିଷ । ହଁ ବିଧାତାଙ୍କ ପାଖରେ ଅଭିମାନ ରହିଗଲା, ତୋ ପଢା ସରି ଚାକିରୀ କରିଥାନ୍ତୁ ଦେଖିଥାନ୍ତି, ରୁବିନା ର ହାତକୁ ଦିହାତ କରି ଥାନ୍ତି, ବୋଉର ଶେଷ ଇଚ୍ଛା ପୂର୍ଣ୍ଣ କରିଥାନ୍ତି । ମତେ ସମୟଠୁ ପୂର୍ବରୁ ନେଇଗଲେ । କିନ୍ତୁ କଣ କରି ହେବ । ଯେତେ ଦିନକୁ ଆୟୂଷ ଲେଖା ଥିଲା । ଏବେ ତୋର କର୍ତ୍ତବ୍ୟ ର ପାଳି । ଧ୍ୟାନ ଭଙ୍ଗ କରନା । କୌଣସି ଭ୍ରମରେ ରୁହନାହିଁ ବାବୁ । କର୍ତ୍ତବ୍ୟ ପଥରେ ଆଗେଇ ଚାଲେ ।
ବାପା.. ବାପା.... । ପୁଣି ବାପା ଅନ୍ତର୍ଧ୍ୟାନ ହୋଇଗଲେ । ଚମକି ଉଠିଲି । ସତରେ ବାପା ଆସିଥିଲେ ନା ଭ୍ରମ ଥିଲା । କିନ୍ତୁ ମୁଁ ବାପାଙ୍କ ଅଭିପ୍ରାୟ ବୁଝି ଯାଇଥିଲି । ମୋର ଆଗାମୀ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଲି ।।
