STORYMIRROR

Minakshi Samal

Inspirational

3  

Minakshi Samal

Inspirational

ଭୋକର ଦାଉ

ଭୋକର ଦାଉ

2 mins
569


ବୋଉଲୋ,ବୋଉ। ଜଲଦି କିଛି ଖାଇବାକୁ ଦେ ବହୁତ ଭୋକ ଲାଗୁଛି।କହୁ କହୁ ସ୍କୁଲ ବ୍ୟାଗଟି ଘର ଭିତରକୁ ଫୋପାଡ଼ି ଦେଇ ସପ୍ତମ ଶ୍ରେଣୀରେ ପଢୁଥିବା ସରଜୁ ପିଣ୍ଡାରେ ପଡିଥିବା ଚେୟାରରେ ଲଥ କିନା ବସି ପଡିଲା।ଘର ଭିତରୁ ବୋଉ ଦୌଡିଆସି ଲୁଗା କାନିରେ ମୁହଁକୁ ପୋଛି ଦେଉ ଦେଉ ସରଜୁ ଭିଡିଭାଡି ହୋଇ ନିଜକୁ ମୁକୁଳାଇ ନେଇ କହିଲା....ଭୋକ କରୁଛି ବୋଲି କହିଲି ପରା। ଖାଇବାକୁ ଦେ କିଛି।


ଆରେ ତୁ କ'ଣ ଖାଇବୁ କହୁନୁ।ପଚାରିଲେ ସୁହାସିନୀ,ସରଜୁର ବୋଉ।


ଦେ ଯାହା ଘରେ ଅଛି ବାଢି ଦେ।


ଭୋକିଲା ପୁଅକୁ ଦେଖି ସରାଗରେ ମା'ଟି ସଜ ପଖାଳରେ ଲେମ୍ବୁ ଚିପୁଡି,ଦହିଟିକେ ଢାଳି ଲୁଣପକାଇ ରଖିଦେଲେ।ଦିନର ଆଳୁ ପୋଟଳ ଭଜା ଓ ଶାଗ ଭଜାଟିକେ କଡେଇରେ ଥିଲା।ଥାଳିଆରେ ସଜାଇ ଭାତ କଂସା ପାଖେ ରଖି ସରଜୁକୁ ଖାଇବାକୁ ଡାକିଲେ ମା।


ବାରିଆଡୁ ପାଣି ସରସର ହେଇ ହାତ ଗୋଡ ନ ପୋଛି ସେମିତି ଭାତକଂସା ପାଖରେ ବସିଗଲା ସରଜୁ।ଗାଉଁ ଗାଉଁ କରି ପଖାଳ କଂସାରୁ ଭାତ ଖାଇବାର ଦେଖି ମା' ସୁହାସିନୀ ଆଁ କରି ଅନେଇ ରହିଥିଲେ।ମନକୁ ମନ କେତେକ'ଣ ଭାବିଯାଉଥିଲେ।


ଏକୋଇରବଳା ବିଶିକେଶନ ଥିଲା ସରଜୁ।ସ୍ନେହ ସରାଗରେ ବଢି ପିଲାଟି ଟିକେ ଏକଜିଦିଆ ହୋଇଯାଇଥିଲା।ପ୍ରତି କଥାରେ ଜିଦ।ମା ବାପା ଆଉ କରନ୍ତେ ବା କ'ଣ?ପିଲାକୁ ଖୁସି କରିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି ଦୁଇଜଣ।ବେଳେ ବେଳେ ମନଦୁଃଖ ମଧ୍ୟ କରନ୍ତି।ଖାଇବା ବେଳେ ହଜାର ଫେଚକାମି।ଏଇଟା ଖାଇବିନି,ସେଇ ପରିବା ଭଲ ଲାଗୁନି,ଭାତ ଖାଇବିନି,ତରକାରୀ ପାଣିଚିଆ ଲାଗୁଛି ଏମିତି କେତେକ'ଣ ବାହାନା ବାହାର କରିବ। ଶେଷରେ ଜିଦି କରି ବାପା ନହେଲେ ବୋଉଙ୍କ ଠାରୁ ପଇସା ନେଇ ସାହିମୁଣ୍ଡରେ ଥିବା ଗୁଡିଆ ଦୋକାନରୁ ବରା,ଆଳୁଚପ,ପିଆଜି ପକୁଡିରୁ ପେଟେ ଖାଇ ଘରକୁ ଆସିଯିବ।ଖେଳ ଛୁଟି ରେ ଅନ୍ୟ ପିଲାମାନେ ଘରକୁ ଆସି ଖାଇକି ଯାଉଥିବା ବେଳେ ସରଜୁ ବୁଲା ବିକାଳି ମାନଙ୍କ ଠାରୁ ଦହିବରା,ଘୁଗୁନୀ,ଆଳୁଦମ ଏଇସବୁ କିଣିକି ଖାଏ।ସେଥିପାଇଁ ଛୁଟି ହୋଇ ଘରକୁ ଆସିଲେ ବୋଉ ତାର ସରାଗରେ ଯାହା ଯାଚିଲେ ବି ସେ ଖାଏନା ,ଜୋର କରି ଦେଲେ କିଛି ଜିନିଷ ତାକୁ ସୁଆଦ ଲାଗେନା।


ଆଜିର ଘଟଣାଟି ମା' ସୁହାସିନୀଙ୍କ ଆଖି ବିଶ୍ୱାସ କରିପାରୁନି।ପ୍ରଥମ କରି ଦେଖୁଛନ୍ତି ପଖାଳକଂସାର ପ୍ରତିଟି ଦାନା ଶେଷ ହୋଇଛି,ତୋରାଣି ସମ୍ପୂର୍ଣ୍ଣଭାବେ ପିଆ ହୋଇଛି,ଥାଳିଆରେ ଭଜା ଛଡା ହେଇନି।ମା'କୁ ଆଉ କ'ଣ ଦରକାର।ସନ୍ତାନ ଯଦି ସନ୍ତୋଷର ସହିତ ମା' ହାତରନ୍ଧା ଜିନିଷ ଖାଇନିଏ ତେବେ ମା'ର ମନ କୁଣ୍ଢେମୋଟ ହୋଇଯାଏ,ଖୁସିରେ ତାର ପେଟ ଭରିଯାଏ।


ଭାବନା ରାଇଜରୁ ତାଙ୍କୁ ଫେରାଇ ଆଣିଲା ସରଜୁର ବୋଉ ଡାକ।ଜାଣିଲୁ ବୋଉ ଆଜି ପଖାଳ ଏତେ ସୁଆଦିଆ ବନେଇଥିଲୁ ଯେ ସବୁ ପୋଛିପାଛି ଖାଇଦେଲି।ଆଜି ଖେଳ ଛୁଟିରେ ଜଣେ ହେଲେବି ବୁଲା ବିକାଳି ସ୍କୁଲ ଗେଟ ବାହାରେ ନଥିଲେ।ବଡଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସମସ୍ତେ ତାଙ୍କ ଗାଁକୁ ପଳେଇଛନ୍ତି।ପୁରାଦିନ ମୁଁ ଖାଡା ଓପାସରେ ରହିଲି।ସେମାନଙ୍କୁ ଜଗିବସିଥିଲି କାଳେ ଆସିବେ ବୋଲି କିନ୍ତୁ ଆସିଲେନି।ସେତେବେଳକୁ ଖେଳଛୁଟିର ଘଣ୍ଟା ବି ବାଜିଯାଇଥିଲା।ସେ ଯାହାହେଉ ମୁଁ ଏବେ ଖେଳ ଛୁଟିରେ ସବୁଦିନ ଘରକୁ ଖାଇବାକୁ ଆସିବି।ଆଉ ତତେ କିଛି ହଇରାଣ କରିବିନି।ତୁ ଯାହା ରାନ୍ଧିଥିବୁ ଖାଇକି ଯିବି।


ସେତିକିବେଳେ ସରଜୁର ବାପାଙ୍କ ସହିତ ତାର ଶ୍ରେଣୀ ଶିକ୍ଷକ ପଦ୍ମନାଭ ବାବୁ ତାଙ୍କରି ଘରକୁ ଆସୁଥିଲେ।ମା'ପୁଅଙ୍କ କଥାବାର୍ତ୍ତା ଦାଣ୍ଡଘରୁ କିଛି କିଛି ପଦ୍ମନାଭ ବାବୁଙ୍କ କାନରେ ପଡିସାରିଥିଲା।ସେ ମଧ୍ୟ କଥାରେ ନଥା ପକାଇ କହିବାକୁ ଆରମ୍ଭ କଲେ.....ଅସଲରେ ସରଜୁର ବାହାର ଖାଇବା ଖାଇ ଗୋଟେ ବଦଭ୍ୟାସ ହୋଇଯାଇଛି,ୟାଡୁ ସାଡୁ ଖାଇବା ଯୋଗୁଁ ଘରକୁ ଆସିଲା ବେଳକୁ ତାର ଭୋକ ମରିଯାଉଛି ତେଣୁ ବୋଉ ହାତ ରନ୍ଧା ଜିନିଷର ସ୍ବାଦ ସେ ଜାଣିପାରିନାହିଁ। ଆଜିର ଭୋକ ତାକୁ ମା'ହାତରନ୍ଧା ଜିନିଷର ସ୍ବାଦ ତ ଚଖାଇଲା।କ'ଣ ସତ କହିଲିତ ସରଜୁ?


ମୁଣ୍ଡପୋତି ସରଜୁ ହଁ ମାରୁଥିଲା।ଶ୍ରେଣୀ ଶିକ୍ଷକଙ୍କ ସହିତ ସରଜୁର ବାପା ଓ ମା ମୁରୁକି ମୁରୁକି ହସୁଥିଲେ।


Rate this content
Log in

Similar oriya story from Inspirational