Kanan Bala Nayak

Tragedy

4  

Kanan Bala Nayak

Tragedy

ଭଙ୍ଗା କାନ୍ଥ

ଭଙ୍ଗା କାନ୍ଥ

4 mins
360



  ଆଲୋ ସାବି କେଉଁଠି ଅଛୁ ଦଉଡ଼ି ଆ‌ । ସାବି ଘର ପଛପଟ କଳ ପାଖରେ ଲୁଗା ସଫା କରୁଥିଲା । ରାଧୁଆ ର କଥା ଶୁଣି ଦଉଡ଼ି ଆସିଲା । କହିଲା କଣ ହୋଇଛି ଏତେ ବଡ଼ ପାଟି କରି କାହିଁକି ଡାକୁଛ ଶୁଣେ । ରାଧୁଆ କହିଲା ଆଲୋ ଶୀଘ୍ର ଜିନିଷ ପତ୍ର ସବୁ ବନ୍ଧାବନ୍ଧି କର । ଆମକୁ ଯଥା ଶୀଘ୍ର ଏ ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀ କୁ ଯିବାକୁ ପଡିବ । ସରକାର ଙ୍କ ତରଫ ରୁ ମାଇକ୍ ରେ ଡାକରା ଦିଆଯାଇଛି । ଗୋଟେ ଭୟଙ୍କର ବାତ୍ୟା କୁଆଡେ ମାଡ଼ି ଆସୁଛି । ଆଉ ତା ଆଖି ଟା କୁଆଡେ ଆମ ଗାଁ ପାଖରେ ଖୋଲିବ । ତେଣୁ ସରକାର ଡାକରା ଦେଉଛନ୍ତି ଯେଉଁ ମାନଙ୍କର ଚାଳ ଛପର ଘର ସେମାନେ ଘର ଛାଡି ଶୀଘ୍ର ସୁରକ୍ଷିତ ସ୍ଥାନକୁ ପଳାଇ ଯିବା ପାଇଁ ।


   ବାତ୍ୟା ଆଶ୍ରୟସ୍ଥଳୀ କୁ ଛାଡି ଆମ ଗାଁ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ଗ୍ରାମବାସୀ ଙ୍କ ରହିବା ପାଇଁ ସୁବିଧା କରାଯାଇଛି । ସରକାର ଙ୍କ ତରଫ ରୁ ରନ୍ଧା ଖାଦ୍ୟ ଓ ଚୁଡ଼ା ଗୁଡ଼ ଆଦିର ବ୍ୟବସ୍ଥା କରାଯାଇଛି । ତୁ ଆଉ ଡେରି କର୍ ନା ବେଳ ଥାଉ ଥାଉ ଆମକୁ ଏ ଘର ଛାଡ଼ିବା ପାଇଁ ପଡ଼ିବ । ନହେଲେ ଆମ ଏଇ ଘରର ଯେଉଁ ଅବସ୍ଥା ତାହା କେତେବେଳେ ଆମ ଉପରେ ଗଡ଼ି ନପଡିବ କହି ହେବନି ।


  ରାଧୁଆ ର ଘର ବୋଇଲେ ଦୁଇ ବଖରା ଚାଳ ଛପର ଘର । ସେଇ ଥିରେ ଚାରି ପ୍ରାଣୀ କଷ୍ଟେ ମଷ୍ଟେ ଚଳି ଯାଆନ୍ତି । ରାଧୁଆ ପର ଘରେ ମୂଲ ଲାଗେ । ସାବି ମଧ୍ୟ କେବେ କେମିତି ଗାଁ ର କେଉଁ ଲୋକ ତାଙ୍କ ଘର ଲିପାପୋଛା କରିବାକୁ ଡାକିଲେ ଯାଇ କାମ କରେ‌ । ସେଇଥିରେ ଚାରି ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଚଳି ଯାଆନ୍ତି ।


  ରାଧୁଆ ଆଉ ସାବି ର ଦୁଇ ପିଲା । ଗୋଟେ ପୁଅ ଗୋଟେ ଝିଅ । ଛୁଆ ଦୁଇଟିକୁ ବଡ଼ ମଣିଷ କରିବା ପାଇଁ ସେମାନଙ୍କୁ ଗାଁ ସ୍କୁଲରେ ପାଠ ପଢାଉ ଥିଲା । ତେଣୁ ଟଙ୍କା ପଇସା ଅଭାବ ରୁ ଦୁଇ ବର୍ଷ ହେଲାଣି‌ ଘରଟା ଆଉ ଛାଉଣୀ କରି ପାରି ନାହିଁ । ଠାଏ ଠାଏ ଚାଳ କଣା ହୋଇ ଗଲାଣି । ବର୍ଷା ଦିନ ହେଲା ମାନେ ରାଧୁଆ ମୁଣ୍ଡରେ ଚଡ଼କ ପଡ଼େ । କଣା ଚାଳ ରୁ ଘର ଭିତରକୁ ପାଣି ପଶେ । ସାବି ଓ ପିଲା ଦୁଇଟା ବହୁତ ହଇରାଣ ହୁଅନ୍ତି ।


  ଗତ ବର୍ଷ କିଛି ସ୍ବେଛାସେବୀ ଗାଁ କୁ ଆସି ଏଇ ଭଳି ଚାଳ ଛପର କଣା ହୋଇ ଯାଇ ଥିବା ଲୋକଙ୍କୁ ପଲିଥିନ୍ ଖଣ୍ଡେ ଖଣ୍ଡେ ଦେଇଥିଲେ । ତାକୁଇ ଚାଳ ଉପରେ ବାନ୍ଧି ବହୁ କଷ୍ଟରେ ଚଳନ୍ତି ଚାରି ପ୍ରାଣୀ । ହେଲେ ଏଇ ବାତ୍ୟା ଆସିବା ଖବର ଟା ରାଧୁଆ କୁ ଆତଙ୍କିତ କରି ଦେଇଛି । ଖାଲି ରାଧୁଆ ନୁହେଁ ତା ଗାଁ ର ସମସ୍ତ ଲୋକ ଙ୍କୁ ଏଇ ବାତ୍ୟା ଆସିବା ଖବର ଟା ଆତଙ୍କିତ କରି ଦେଇଛି ।  


  ସମୁଦ୍ର କୁଳିଆ ଲୋକ ଙ୍କୁ ପ୍ରାୟ ପ୍ରତ୍ୟେକ ବର୍ଷ ଥରେ କିମ୍ବା ଦୁଇଥର ବନ୍ୟା ବାତ୍ୟା ଆସିବା ର ଭୟ ଆତଙ୍କିତ କରିବାଟା ଥୟ । ପ୍ରକୃତିର ବିଚିତ୍ର ନିୟମ ଯେଉଁ ମାନଙ୍କ ପାଖରେ ସମ୍ପତ୍ତି ବାଡ଼ି ର ଅଭାବ ନାହିଁ ସେଠାରେ ବନ୍ୟା ବାତ୍ୟା ର ଆଶଙ୍କା କମ୍ । ଆଉ ଯେଉଁ ମାନେ ଜୀବନ ଜୀଇଁବା ପାଇଁ ସଙ୍ଘର୍ଷ କରୁଛନ୍ତି ସେଇଠାରେ ବର୍ଷ ରେ ଥରେ ଦୁଇ ଥର ବନ୍ୟା କିମ୍ବା ବାତ୍ୟା ହେବା ଟା ସୁନିଶ୍ଚିତ ।


 ଏଥର ପୁଣି କୁଆଡେ ଗୋଟେ ବଡ଼ ବାତ୍ୟା ଆସୁଛି ବୋଲି ଟି.ଭି.ରେ ଘନ ଘନ କହୁଛି । ସାବି ଡାକ ଛାଡିଲା ସେଠି ଖୁଣ୍ଟ ଟା ଭଳି ଛିଡା ହୋଇ କଣ ଭାବୁଛ । ଆସ ଜିନିଷ ପତ୍ର ବନ୍ଧାବନ୍ଧି ରେ ମୋତେ ସାହାଯ୍ୟ କର । ମୁଁ ସ୍ତ୍ରୀ ଲୋକଟା ଏକୁଟିଆ କଣ ଏତେ ଜିନିଷ ବାନ୍ଧି ପାରିବି ?


  ରାଧୁଆ ଓ ସାବି ଜିନିଷ ବାନ୍ଧୁ ବାନ୍ଧୁ କଥା ହେଉ ଥାଆନ୍ତି ଏଇ ବନ୍ୟା ବାତ୍ୟା ର ଆମ ଭଳି ଗରିବ ଲୋକଙ୍କ ଉପରେ ଏତେ ଆକ୍ରୋଶ କାହିଁକି?ରାଧୁଆ କହିଲା ଜାଣିଛୁ ସାବି ମୁଁ ଗାଁ ରୁ ଶୁଣି କି ଆସିଲି ଟି.ଭି ରେ କୁଆଡେ କହୁଛି ପବନ ଏତେ ଯୋରରେ ବହିବ ଯେ ଚାଳ ଛପର ଘର ସବୁ ଉଡ଼ାଇ ନେବ । ସେମିତି ହେଲେ ଆମେ କଣ କରିବା‌‌ । ଏଇ ପୁରୁଣା ଚାଳ ଛପର ଘରଟି କୁ ମରାମତି କରିବା ପାଇଁ ତ ଟଙ୍କା ସଂଗ୍ରହ କରି ପାରୁନି । ଆଉ ଚାଳରୁ ଛପର ଉଡ଼ି ଗଲେ କଣ କରିବୁ‌?


  ସାବି କହିଲା ସେ କଥା ସେତେବେଳେ ଦେଖିବା ଏବେ ବେଳ ଥାଉ ଥାଉ ପିଲା ଦୁଇଟାକୁ ଧରି ବାତ୍ୟା ଆଶ୍ରୟସ୍ଥଳୀ କୁ ଚାଲିଯିବା ଚାଲ । ନହେଲେ ସେଠି ବି ଜାଗା ମିଳିବନି । ଜୀବନ ରହିଲେ ସିନା ଘର । ଆଗ ଜୀବନ ବଞ୍ଚୁ ।


  ବେଳ ଥାଉ ଥାଉ ସାବି ଓ ରାଧୁଆ ପିଲାଙ୍କୁ ନେଇ ବାତ୍ୟା ଆଶ୍ରୟସ୍ଥଳୀ ରେ ପହଞ୍ଚି ଗଲେ । ରାତି ସାରା ତୁଫାନ୍ ତାଣ୍ଡବଲୀଳା ରଚିଲା । କାହାରି ଆଖିକୁ ନିଦ ଆସୁ ନ ଥାଏ । ସବୁ ଆଡେ ଖାଲି ବାତ୍ୟା ର ସୁ ସୁ ଗର୍ଜନ । ପାଞ୍ଚ ଛଅ ଘଣ୍ଟା ତାଣ୍ଡବ ରଚି ସାରିଲା ପରେ ବାତ୍ୟା ର ପ୍ରଭାବ ଆସ୍ତେ ଆସ୍ତେ କମିଲା ।


   ତା ପର ଦିନ ଆକାଶ ପୁରା ନିର୍ମଳ ହୋଇ ଯାଇଥାଏ । ଚାରି ଆଡେ଼ ସୁନେଲି ଖରା ବିଛାଡି ହୋଇ ପଡିଥାଏ । ବାତ୍ୟା ଆଶ୍ରୟସ୍ଥଳୀ ଛାଡି ସମସ୍ତେ ନିଜ ନିଜ ଘରକୁ ଗଲେ । ରାଧୁଆ ଓ ସାବି ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଛାଡି ନିଜ ଘର ଅଭିମୁଖେ ଆସିଲେ । ହେଲେ କାହିଁ ତାଙ୍କ ଘର । ଘର ନାଁ ରେ ଖାଲି ଭଙ୍ଗା କାନ୍ଥ ଟା ପଡି ରହିଛି ଯାହା । ଆଉ ସବୁ ମାଟିରେ ମିଶି ଯାଇଛି ।


  ଘରର ଏଇ ଅବସ୍ଥା ଦେଖି ରାଧୁଆ ଓ ସାବି କାନ୍ଦି ପକାଇଲେ । କିଛି ସମୟ ପରେ ସାବି କାନ୍ଦ ବନ୍ଦ କରି କହିଲା କାନ୍ଦିଲେ ଆଉ କ'ଣ ହେବ? କାନ୍ଦିଲେ କଣ ଆମ ଘର ଫେରି ଆସିବ‌?ଶୁଣ ବିପଦ ସମୟରେ ଧୈର୍ଯ୍ୟହରା ନ ହୋଇ ଧୈର୍ଯ୍ୟ ର ସହ ତାର ମୁକାବିଲା କରିବା । ଆଉ ଏଇ ଭଙ୍ଗା କାନ୍ଥକୁ ପୁଣି ଥରେ ଘର ରେ ପରିଣତ କରିବା ।


Rate this content
Log in

Similar oriya story from Tragedy