ଭକ୍ତର ଭଗବାନ
ଭକ୍ତର ଭଗବାନ
ସକାଳର ସୁନେଲୀ କିରଣ ସହ ଗଳ୍ପର ବିଷୟବସ୍ତୁ ଦେଖି ଭାବ ବିହ୍ୱଳ ହୋଇଗଲି । ଏକ ପୁରୁଣା ସ୍ମୃତି ମନରେ ଉଙ୍କି ମାରିଲା । ଶରୀରର ଲୋମ ଟାଙ୍କୁରି ହୋଇଗଲା ।
ମାନବ ସମାଜ ଆଜି ପ୍ରଗତିର ବହୁ ଉଚ୍ଚରେ । ମାତ୍ର ଯେତେବେଳେ ବିପଦ ଆପଦ ପଡେ ସେତେବେଳେ ମନେପଡନ୍ତି ଏଇ ବିଶ୍ୱନିୟନ୍ତା ଏବଂ ସେ ମଧ୍ୟ ସଦାସର୍ବଦା ତାଙ୍କ ହାତ ପସାରିଥାନ୍ତି ତାଙ୍କ ରଚିତ ସୃଜନକୁ ତାଙ୍କ ପଣତ ରୂପକ ଆଶିର୍ବାଦ ରେ କୋଳେଇ ନେଇ ଅଭୟ ପ୍ରଦାନ କରିବା ନିମନ୍ତେ ।
ଏହାକୁ ନେଇ ମୋର ଏକ କ୍ଷୁଦ୍ର ଅନୁଭୂତି । ଦଶହରାର ସମୟ । ମାଆ ଜଗତଜନନୀ ଧରାପୃଷ୍ଠକୁ ମଣ୍ଡିତ କରିଥାନ୍ତି । ସମସ୍ତଙ୍କ ମୁଖରେ ମାଆଙ୍କ ଶ୍କୋକଚ୍ଚାରଣ । ମନ୍ତ୍ରମୁଗ୍ଧ ସାରା ଧରିତ୍ରୀ । ଆମେ ମଧ୍ୟ ଖୁସିରେ ମାଆଙ୍କ ପୂଜାରେ ଧଗ୍ନ ଥାଉ । ଦଶହରା ସମୟରେ ଛୁଟିଥାଏ ତେଣୁ କିଛି ସମୟ ମିଳେ ଘରକୁ ଆସି ବାପାମାଆଙ୍କ ସହ ବିତେଇବାକୁ । ଖୁସିର ସମୟ । ସମସ୍ତେ ହସ ଖୁସିରେ ମସଗୁଲ । ହଠାତ ବାପାଙ୍କର ଶରୀର ଅସୁସ୍ଥ ହେଲା । ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ପାଇଁ ଗଲୁ । ସେ କହିଲେ କିଛି ଅସୁବିଧା ନାହିଁ ସାମାନ୍ୟ ବଦହଜମୀ ହୋଇଯାଇଛି । ମାତ୍ର ତାର ଔଷଧ କାଟୁ କଲାନାହିଁ । ସଙ୍ଗେସଙ୍ଗେ ଆମେ ଭାଇ ଭଉଣୀ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲୁ ସେଠାରେ ସେ କହିଲେ ହୃଦଘାତଜନିତ ସମସ୍ୟା । ତାଙ୍କୁ ଡାକ୍ତରଖାନାରେ ଆଡମିଶନ କରେଇଲେ । ଏହାଶୁଣି ଆମକୁ ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା । ବୟସରେ ସାନ । କୌଣସି ଅଭିଜ୍ଞତା ନାହିଁ । କଣ କରିବୁ । ତଥାପି ସେଇ ମୁହୂର୍ତ୍ତରେ ମୋର ଆରାଧ୍ୟ ସାଇବାବାଙ୍କୁ ସ୍ମରଣକରି ତାଙ୍କ ଆଶିଷ ନେଲି । ସେ ହିଁ ରକ୍ଷାକର୍ତ୍ତା । ଘରେ ମାଆର ଅବସ୍ଥା ଅସମ୍ଭାଳ । ବାପାଙ୍କୁ ଘରକୁ ଆଣ । ହଁ ଭରିବା ସହ ଆଶ୍ୱାସନା ଦେଲୁ । ମାତ୍ର ଡାକ୍ତରଙ୍କ ପରାମର୍ଶ ଅପରେଶନ ହେବ । ଅର୍ଥର ଯୋଗାଡ କର । ଅର୍ଥର ପରିମାଣ କିଛି କମ ନୁହେଁ । ସମସ୍ୟା ଭିତରେ ଆମ ମସ୍ତିଷ୍କ କିଛି କାମ କରୁନଥାଏ । ଭାଇକୁ ଧର୍ଯ୍ୟ ଧରିବାକୁ କହି ମୁଁ ବାହାରିଆସିଲି ।
ପାଦ ପଡୁନଥାଏ ମାତ୍ର କଥାରେ ଅଛି ଝିଅ ଜନମ ପରଘରକୁ । ପ୍ରକୃତରେ ନିଜ ଜନ୍ମିତ ବାପାମାଆଙ୍କୁ ଛାଡିଦେଲେ କେହି ତୁମ ଅନ୍ତରର ବେଦନା ବୁଝିବେ ନାହିଁ । ଭଗବାନଙ୍କ ଭରସାରେ ଛାଡି ମୁଁ ଆଗେଇଲି ମୋର କର୍ତ୍ତବ୍ୟ ପଥରେ । ସେଦିନ ଠାରୁ ନା ଆଖିର ଲୁହ ଶୁଖୁଥାଏ ନା ନିଦ ଆସୁଥାଏ ନା ଖାଦ୍ୟ ରୁଚୁଥାଏ । ପ୍ରତି ମୁହୂର୍ତ୍ତରେ ସେହି ଭଗବାନଙ୍କୁ ଡାକୁଥାଏ କେମିତି ଏ ସମସ୍ୟା ଟଳୁ ଓ ଆମ ବାପା ଭଲ ହୋଇ ଘରକୁ ଯାନ୍ତୁ ।
ହଠାତ ଦିନେ ରାତିରେ ଶୋଇଛି ମତେ ଲାଗିଲା ଯେମିତି ଏକ ଅଦୃଶ୍ୟ ଶକ୍ତି ମତେ ଡାକୁଛି । ଏକ ବହି ଓ ତା ଭିତରେ ଏକ ଗୋଲାପଫୁଲକୁ ଦେଖୋଉଛି । ବାରମ୍ବାର ସେହି ଦୃଶ୍ୟ ମୋ ସାମନାକୁ ଆସିଲା । ତାର ଅର୍ଥ ମୁଁ ବୁଝିପାରିଲି ନାହିଁ । ମୂଢ ମଣିଷ ଆମେ ଭଗବାନଙ୍କ ଇଶାରା ବୁଝିବାରେ ବି ଅସମର୍ଥ । ତା ପରଦିନ ସକାଳୁ ଉଠି ସମସ୍ତଙ୍କୁ ପଚାରିବାରେ ଜଣାଗଲା ଏହା ବାବାଙ୍କ ନିର୍ଦ୍ଦେଶ । ବହିର ଅର୍ଥ ବାବାଙ୍କର ଏକ ସାପ୍ତାହିକ ପାରାୟଣ ଉତ୍ସବ ହୁଏ । ଏବଂ ଗୋଲାପ ଫୁଲ ବାବାଙ୍କର ଅତି ପ୍ରିୟ । ଏଥି ପୂର୍ବରୁ ମୋର ଧାରଣା ନଥିଲା ଏ ବାବଦରେ । ସେପଟେ କିଛି ରାହା ମିଳୁନଥାଏ ବାପାଙ୍କ ଅପରେଶନ ପାଇଁ । ପାରାୟଣ ଆରମ୍ଭ କଲି । ମନରେ ସାଈଙ୍କ ଛବିକୁଧରି । ସାତଦିନ ଗଲା । ସେପଟେ ଭାଇ କହିଲା ଅପରେଶନ ହେବ । ସାଧ୍ୟମତେ ଅର୍ଥର ଯୋଗାଡ ହୋଇଗଲା । ଠିକ ସମୟରେ ଅପରେଶନ ହେଲା । ଡାକ୍ତର କହିଲେ ଠିକ ସମୟରେ ଆଡମିଶନ ହୋଇଛି । କିଛି ଅସୁବିଧା ହେବ ନାହିଁ । ଆମର ଅସହାୟତା ଦେଖି ସେ ସାମନାରୁ ଭଗବାନଙ୍କ ପରି ଆସି ଆମକୁ ଆଶ୍ୱାସନା ଦେଲେ । ଆମର ଆମ ଛଡା ଓ ଭଗବାନଙ୍କ ଛଡା ଆଉ କେହି ଭରସା ନଥିଲେ । । ଶେଷରେ ତାଙ୍କ ଆଶିଷରୁ ବାପା ସୁସ୍ଥହେଲେ, ଘରକୁ ଆସିଲେ । ବହୁତ ବଡ ବିପଦ ଟଳିଗଲା । ସବୁ ସେହି ଭଗବାନ ଓ ସାଇବାବାଙ୍କ ଆଶୀର୍ବାଦରୁ ସମ୍ପନ୍ନ ହେଲା ।
ପ୍ରକୃତରେ ଭକ୍ତର ଭଗବାନ । ସାଇବାବା ହିଁ ଆମ ଜୀବନରେ ପ୍ରେରଣାଦାୟୀ,ଶକ୍ତିମନ୍ତ ଓ ଆଶାର ବାଡି ହୋଇ ଦୃଶ୍ୟମାନ ହୋଇଥିଲେ । । ଭଗବାନଙ୍କ ବିନା ମନୁଷ୍ୟର ଗତି ନାହିଁ । ତାଙ୍କ ବିନା ନିର୍ଦ୍ଦେଶରେ ଗଛର ପତ୍ର ମଧ୍ୟ ହଲିବ ନାହିଁ ।
ତେଣୁ "ଶ୍ରୀ ସାଇ ଚରଣେ ପ୍ରଣତି,
ସଭିଏଁ ଲଭନ୍ତୁ ପ୍ରଶାନ୍ତି । "
