tikeshwar sahu

Inspirational

4.0  

tikeshwar sahu

Inspirational

ଭକ୍ତର ଭଗବାନ

ଭକ୍ତର ଭଗବାନ

3 mins
236



 ଭକ୍ତ ସାଲବେଗ ଶ୍ରୀଜଗନ୍ନାଥଙ୍କୁ ପଦଟିଏ ମନର ଭାବାବେଗ ନ ଜଣାଇଲେ ଜଳ ସ୍ପର୍ଶ କରୁନଥିଲେ । ଶ୍ରୀମନ୍ଦିରକୁ ଚାହିଁ ଚାହିଁ ଦିନ ଯାଉଥାଏ । ଯବନ ହେଲେ ବି ଜଗନ୍ନାଥଙ୍କୁ ପ୍ରତିଦିନ ପୂଜା କରୁଥାଏ । ଯୁବକ ଅବସ୍ଥାରେ ସାଲବେଗକୁ ଏପରି କରୁଥିବାର ଦେଖି ମାତା ଖୁବ୍ ଖୁସି ହେଉଥାନ୍ତି । ମନେ ମନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୋଟି କୋଟି ଦଣ୍ଡବତ ହେଉଥାନ୍ତି । ପୁଅ ସାଲବେଗକୁ କୋଳରେ ଧରି ଭାରି ଗର୍ବିତ ହୁଅନ୍ତି ମାଆ । ମନରେ ଗଭୀର ସାଗର ଭଳି ଦୁଃଖକୁ ବୋହି ନେଇ ଚାଲୁଥିଲା ବେଳେ ସାଲବେଗର ଆଚରଣ ତାଙ୍କୁ କିନ୍ତୁ ଜଗତର ସମସ୍ତ ପ୍ରଶାନ୍ତି ଅଜାଡ଼ି ଦେଉଥାଏ । ଉଠିଲେ ଜଗନ୍ନାଥ ,ବସିଲେ ଜଗନ୍ନାଥ, ଭୋଜନ କଲେ ଜଗନ୍ନାଥ, ଶୟନ କଲେ ଜଗନ୍ନାଥ । ଶୟନେ ସପନେ ଖାଲି ଜଗନ୍ନାଥ । ଆଖିଲେ ଖାଲି ଭାସି ଯାଉଥାଏ ପତିତ ଉଦ୍ଧାରଣ ଶ୍ରୀଜଗନ୍ନାଥଙ୍କର ଚନ୍ଦ୍ର ସୂର୍ଯ୍ୟ ଭଳି ଚକାନୟନ ଦ୍ବୟ । ଅଦ୍ଭୁତ ଶିହରଣରେ ଶିହରି ଉଠନ୍ତି ସାଲବେଗ । ଚାହିଁ ରହିଥାନ୍ତି କେତେବେଳେ ଚତୁର୍ଦ୍ଧାମୂରତିଙ୍କୁ ରଥ ଉପରେ ବାମନ ଅବତାରରେ ଦର୍ଶନ କରିବେ । ଜୀବନର ସମସ୍ତ ଦୁଃଖକୁ ତାଙ୍କରି ଚରଣ କମଳରେ ଅଜାଡ଼ି ଦେବେ । ତାଙ୍କରି ପଦାମ୍ବୁଜରେ ଚିର ଦିନ ପାଇଁ ଆଶ୍ରୟ ନେବେ ।

   ସେ ଦିନ ଥିଲା ଆଷାଢ଼ ଶୁକ୍ଳ ଦ୍ବିତୀୟା । ଶ୍ରୀକ୍ଷେତ୍ରଠାରୁ ବହୁ ଦୂରରେ ସାଲବେଗ । ପାଦରେ ଚାଲି ଚାଲି ଆସୁଥାନ୍ତି । ଶ୍ରୀଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଆଉ ସୁଦର୍ଶନ ପହୁଣ୍ତି କରି ବାଇଶି ପାହାଚ ଓହ୍ଲେଇ ଆସିଲେଣି । ବଡ଼ଠାକୁର ଦୋହଲି ଦୋହଲି ଏପଟ ସେପଟ ହୋଇ ନାଟ ଲଗେଇ ଟାହିଆ ଝୁଲେଇ ଆସୁଥାନ୍ତି । ଅପୂର୍ବ ଦୃଶ୍ୟ । ଏ ଦୃଶ୍ୟ ଦେଖିବାକୁ ସ୍ବର୍ଗର ଦେବତାମାନେ ମଧ୍ୟ ମର୍ତ୍ତ୍ୟକୁ ଓହ୍ଲାଇ ଆସନ୍ତି । ମର୍ତ୍ତ୍ଯ ବୈକୁଣ୍ଠର ମାନବୀୟ ଲୀଳା ଅବର୍ଣ୍ଣନୀୟ । ଅସଂଖ୍ୟ ଭକତରେ ଭିଡ଼ ବଡ଼ଦାଣ୍ତ । ଥାଳି ମାରିଦେଲେ ମୁଣ୍ତ ଉପର ଦେଇ ଚାଲିଯିବ । ସାଲବେଗର ମନ ବିକଳ ହେଉଥାଏ । କେମିତି ପହଞ୍ଚିବ ବଡ଼ଦାଣ୍ଡକୁ । ପାଦ ଥକି ପଡ଼ୁଥାଏ । ଦେହହାତ ଅବଶ ହୋଇଗଲାଣି । ଆଗକୁ ପାଦ ବଢ଼ାଇଲେ ଆଉ ଯିବାକୁ ମନ ମାନୁନାହିଁ । ଏତେ ବାଟ ଆଖି ପାଉନାହିଁ । ମନରେ ଭାବିଲେ ବି ଭାବି ହେଉନାହିଁ । କେମିତି ପହଞ୍ଚିବ ସେହି ବାଞ୍ଛା କଳ୍ପତରୁ ମହାମେରୁ ଶ୍ରୀଜଗନ୍ନାଥଙ୍କୁ ପବିତ୍ର ନନ୍ଦିଘୋଷ ରଥ ଉପରେ । ସାଲବେଗର ମନେ ପଡ଼ିଗଲା‐ 'ରଥେ ତୁ ବାମନମ୍ ଦୃଶଟ୍ବା ପୁନର୍ଜନ ନ ବିଦ୍ୟତେ । ' ସେହିଠାରୁ ଶ୍ରୀଜଗନ୍ନାଥଙ୍କ ପାଦତଳେ ପଡ଼ିଗଲା । ହେ ଭଗବାନ ମୋର ସମସ୍ତ ଜୀବନ ଆପଣଙ୍କର । ଏ ହୃଦୟ ତୁମରି ଚରଣରେ ବନ୍ଧା । ତୁମେ ନେଲେ ନିଅ ନହେଲେ ନାହିଁ । ମାତ୍ର ମୋର ଆକୁଳ ନିବେଦନ, ମୁଁ ନ ଗଲା ଯାଏ, ନନ୍ଦିଘୋଷ ଚଢ଼ି ଆଗକୁ ଯିବୁନାହିଁ । ମୋତେ ଅପେକ୍ଷା କରିଥିଅ ପ୍ରଭୁ । 


    ସତରେ ତାହାହିଁ ହେଲା । କୋଟି ଭକ୍ତର ଭଗବାନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଆଉ ଚଳିଲା ନାହିଁ । ସେଇଠି ଅଟକି ଗଲା । ଯେତେ ଯାହା କଲେ ବି ରଥ ଚଳିଲା ନାହିଁ । ବଡ଼ପଣ୍ତା ତଥା ସମସ୍ତ ସେବାୟତଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା । ଗଜପତିଙ୍କ ପାଖକୁ ଖବର ଗଲା । ସମସ୍ତ ଚେଷ୍ଟା କରାଗଲା । ତଥାପି ରଥ ହଲିଲା ନାହିଁ ।


    ଗଜପତି ମହାରାଜ ଓ ବଡ଼ପଣ୍ତାକୁ ସ୍ବର୍ଗବାଣୀ ହେଲା । ସାଲବେଗ ପ୍ରଭୁଙ୍କର ପ୍ରିୟ ଭକ୍ତ । ସେ ନ ଆସିଲା ପର୍ଯ୍ଯନ୍ତ ରଥ ଚାଲିବ ନାହିଁ । ରଥରେ ବାମନ ରୂପି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସାଲବେଗ ଆସି ପହଞ୍ଚିଲେ । ସାଲବେଗ ବାମନ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥ ଉପରେ ଦର୍ଶନ କଲେ । ଶ୍ରୀଜଗନ୍ନାଥ ତ ଭକ୍ତର ଭକତିରେ ବନ୍ଧା । ତାହାହିଁ ହେଲା । ସାଲବେଗଙ୍କର ମନୋବାଞ୍ଛା ପୂରଣ ହେଲା । ସେ ପରା ଭକ୍ତର ଭଗବାନ ।ଭକ୍ତର ହୃଦୟରେ ବନ୍ଧା । କୋଟି କେବଲ୍ୟନାଥ , ପତିତଉଦ୍ଧାରଣ, ଶରଣରକ୍ଷଣ ଶ୍ରୀଜଗନ୍ନାଥ ସାଲବେଗଙ୍କର ମାନ ରକ୍ଷା କଲେ । ଗଜପତି ରାଜାଙ୍କଠାରୁ ଆରମ୍ଭ କରି ସମସ୍ତ ଭକ୍ତ ସାମ୍ରାଜ୍ଯରେ ସାଲବେଗ ସେହି ଦିନ ଠାରୁ ଭକ୍ତ ସାଲବେଗ ନାମରେ ପରିଚିତ ହେଲେ । ଯବନ ପୁତ୍ର ହୋଇ ସୁଦ୍ଧା ଅଗଣିତ ଜଗନ୍ନାଥ ଜଣାଣ ଭଜନ ଲେଖିଚାଲିଲେ । ମନର ଭାବକୁ ତାଙ୍କରି ଚରଣରେ ଅଜାଡ଼ି ଦେଲେ । ଆଜି ବି ଓଡ଼ିଶା ଜନଜୀବନରେ ଭକ୍ତ ସାଲବେଗ ଜଗନ୍ନାଥଙ୍କର ପ୍ରିୟଭକ୍ତ ବୋଲି ସୁପରିଚିତ । ଜୟ ଜଗନ୍ନାଥ ।



Rate this content
Log in

Similar oriya story from Inspirational