STORYMIRROR

Kumar Mrutyunjay

Inspirational

4.6  

Kumar Mrutyunjay

Inspirational

ଭିନ୍ନ ଏକ ମମତା

ଭିନ୍ନ ଏକ ମମତା

2 mins
278


କାହିଁକି କେଜାଣି ଆଜି ଭାରି ବ୍ୟସ୍ତ ବିବ୍ରତ ଲାଗୁଛି ଅଞ୍ଜଳି କୁ. ଜୀବନର ଏକ ଦୋଛକି ପଥରେ ଛିଡ଼ାହୋଇ ଜାଣିପାରୁନାହିଁ କେଉଁ ଦିଶା ତା ପାଇଁ ଠିକ.ସନ୍ଧ୍ୟା ରେ ଅଛି ପ୍ରୋଗ୍ରାମ, କିନ୍ତୁ ଏ ପ୍ରୋଗ୍ରାମ ତ ନୂଆ ନୁହେଁ, କିମ୍ବା ଅଞ୍ଜଳି ମିଶ୍ର ନୂଆ ଚେହେରା ନୁହେଁ. ଓଡିଶୀ ନୃତ୍ୟ ଜଗତର ଜଣେ ଖ୍ୟାତନାମା ଶିଳ୍ପୀ ହୋଇ ଏ ଭୟ ଏ ଆଲୋଡ଼ନ କଣ ପାଇଁ? 


ଏ ଭୟ ଏ ସମାଜ କୁ, ସମାଜ ର ଚଳଣି କୁ, ରୀତି ନୀତି ଓ ପ୍ରଥା ପରମ୍ପରା ନାଁ ରେ କାହିଁ କେଉଁ କାଳ ରୁ ଚାଲି ଆସିଥିବା ସଂସ୍କାର ନାଁ ରେ କୁସଂସ୍କାର କୁ. 


ମନେ ପଡିଯାଉଛି ଦୁଇ ବର୍ଷ ତଳର ସେଇ ସ୍ନେହ ପ୍ରେମ ପ୍ରୀତି ବନ୍ଧନ ତଥା ମିଳନ ର ଅପୂର୍ବ ସନ୍ଧିକ୍ଷଣ, ତା ପାଣିଗ୍ରହଣ ର ସମୟ. ପୁଣି ଆଖି ଆଗକୁ ଭାସିଆସୁଛି ଛ ମାସ ତଳର ସେ ବୁକୁ ଫଟା କ୍ରନ୍ଦନ,ବେଦନା ଓ ନିଜ ଧବ କୁ ହରାଇ ଶ୍ୱେତ ବସ୍ତ୍ର ପରିଧାନ କରିବାର ବୈଧବ୍ୟ ତାଡନା. 


ଆଜିର ସମାଜ ଯେତେ ପ୍ରଗତିଶୀଳହେଲେ ମଧ୍ୟ ବିଧବା ଟେ ପାଇଁ ଥାଏ କ୍ରୁର ସମାଲୋଚନା, ଅଶ୍ଳୀଳ ମନ୍ତବ୍ୟ ତଥା ପ୍ରତିକ୍ଷେତ୍ର ରେ ଘାତ,ପ୍ରତିଘାତ ଓ ଅପମାନ. ଯଦି ସେ ସମସ୍ତ ପ୍ରଚଳିତ ନିୟମାବଳୀ ର ଆଜ୍ଞାଧୀନା ତେବେ ସେ ହୁଏ ସୁନାମୁଣ୍ଡା ଯଦି ବିଚ୍ୟୁତି ଘଟେ ସେ ହୋଇଉଠେ ନିନ୍ଦନୀୟା. 


ନିୟମ କାନୁନ ର ଶିକୁଳିବେଡି ପଡ଼ିଥିବା ଅଞ୍ଜଳି ପାଦ ରେ ଆଜି କଣ ପୁଣି ଥରେ ଶୁଭିବ ନୁପୁର ଘୁଙ୍ଗୁର ର ରୁଣୁଝୁଣୁ ଶବ୍ଦ!ଯେଉଁ ହସ୍ତ ରୁ ଦିନେ ଶିଳପୁଆ ରେ ଚୁଡ଼ି ଭଙ୍ଗାଯାଇ ଶୂନ୍ୟହସ୍ତା କରାଯାଇଥିଲା ସେଇ ହସ୍ତ ପୁଣି ବାହୁଟି ପିନ୍ଧିବ!ରଙ୍ଗୀନ ପୋଷାକ ଛାଡି ଧଳାଥାନ ପିନ୍ଧିଥିବା ଶରୀର ଆଜି ପାଟ ପୀତାମ୍ବରୀ ପିନ୍ଧି ଅଧର ରକ୍ତିମ କରି, ପାଦ ରେ ଅଳତା ଆଖିରେ କଜଳ ଲଗାଇ

ବିସ୍ମିତ ଠାଣି ରେ ପୁଣି ଆଜି ଦର୍ଶକ ଙ୍କ ମନ ମୋହିବ!ଏହା କଣ ଠିକ!? 


ଷ୍ଟେଜ ଉପରେ ସମସ୍ତଙ୍କ ବାଃ ବାଃ ହେଲେ ଥରେ ଷ୍ଟେଜ ତଳକୁ ଆସିଲେ କଟାକ୍ଷ ଓ ସମାଲୋଚନା. ଏହି ସବୁ ଦ୍ୱନ୍ଦ୍ୱ ରେ ପଡି ସ୍ଥିର ନିର୍ଣ୍ଣୟ ନେଇ ପାରୁନଥାଏ ଅଞ୍ଜଳି.. 


ଏହି ସମୟରେ ଶାଶୁ ସୁମତି ଦେବୀ ପ୍ରବେଶ କଲେ, ତାର ଏପରି ଚିନ୍ତାଗ୍ରସ୍ତ ଚେହେରା ଦେଖି ପଚାରିଲେ,"ମା ତୋର କଣ ହେଇଛି"? କଣ ଭାବୁଛୁ? 


ଭୋକ ଆତୁର ପକ୍ଷୀଶାବକ, ପକ୍ଷୀଟି ନୀଡ଼କୁ ବାହୁଡ଼ିଲେ ଚେଁ ଚେଁ ଶବ୍ଦ କରି ନିଜର ଅଭିଯୋଗ ଶୁଣାଇବା ପରି କଇଁ କଇଁ କାନ୍ଦି ଅଞ୍ଜଳି ଲୋଟି ପଡିଲା ସୁମତି ଦେବୀ ଙ୍କ ଛାତି ଉପରକୁ.ସ୍ନେହଶୀଳା ସୁମତି ଦେବୀ ମମତା ର ଅନନ୍ତ ପାରାବାର ପରି କୋଳେଇ ନେଇ ପଣତକାନିରେ ତା ଲୁହ ପୋଛୁ ପୋଛୁ ଅଞ୍ଜଳି ନିଜ କୋହ ଭରା କଣ୍ଠ ରେ ସମାଜ ପ୍ରତି ଭୟ କୁ ପ୍ରକାଶ କରୁଥାଏ. 


ସୁମତି ଦେବୀ ସମସ୍ତ କିଛି ଶୁଣି କହିଉଠିଲେ,ଆଲୋ ମାଆ!ଛାଡେ ସମାଜ କଥା, ମୁଁ ବି ମୋ ପୁଅ କୁ ହରେଇଛି, ଏବେ ତୁ ହିଁ ମୋ ପୁଅ ତୁ ହିଁ ମୋ ଝିଅ, ଜନ୍ମ ନଦେଇ ବି ମୁଁ ତୋ ମାଆ!ମୁଁ ଅଛି, କିଏ କଣ କହିଲା ନକହିଲା ରେ ବ୍ୟସ୍ତ ହେବୁନି'. 


ଏହା କହୁକହୁ ସୁମତି ଦେବୀ ଆଲମିରା ରୁ ବଉଳପାଟ ଟେ କାଢ଼ିଲେ,ଓ ଅଳତା କାଚ ଆଣି ବୋହୂ ପାଦରେ ଢେଉ ଢେଉ କରି ସୁନ୍ଦର ଭାବେ ଲଗାଇ ଦେଉ ଦେଉ ଗାଲ ରେ ହାତ ମାରି ଚୁମ୍ବନ ଟେ ଦେଲେ. 


ଏଇ ଦଶ ମିନିଟ ର ସମୟରେ ଅଞ୍ଜଳି ର ଭାରାକ୍ରାନ୍ତ ମନ ଓ ଶୋକାତୁର ହୃଦୟ ସୁମତି ଦେବୀ ଙ୍କ ପ୍ରତି ଗଭୀର ଭକ୍ତି ଶ୍ରଦ୍ଧା ରେ ଭରି ଯାଉଥିଲା.ସୁମତି ଦେବୀ ତା ଆଗରେ ସ୍ନେହ ପ୍ରେମ ଓ ମମତା ର ମୂର୍ତ୍ତିମନ୍ତ ପ୍ରତୀକ ହୋଇଉଠିଲେ. 


Rate this content
Log in

Similar oriya story from Inspirational