ଭିକ୍ଷା
ଭିକ୍ଷା


ବାବା! ପୁଡ଼ିଆଟି ରଖ l
କିଛି ଫଳ ମୂଳ ଅଛି, ଆଉ ଏଇ ଟଙ୍କା ପଚାଶ ଟା l
କୋତରା ବେଗ ଭିତରେ ଭର୍ତ୍ତି କରୁ କରୁ ଭିକାରୀଟି ଗଦ ଗଦ ହେଇ କହିଲା- ବାବୁ !ଭଗବାନ ତୁମକୁ ସଦା ସୁଖୀ ରଖନ୍ତୁ, ତୁମର ସବୁ ମନୋକାମନା ପୁର୍ଣ୍ଣ ହଉ l
ତେବେ, ଆଜି ଉଦୟ ନ ଅସ୍ତ ?
ମତେ କିଛି କହିଲ ବାବା? ..ସେଇ ଲାଇନରେ ବସିଥିବା ଆଉ ଭିକାରୀ ମାନଙ୍କୁ ପୁଡିଆ ବାଣ୍ଟୁ ବାଣ୍ଟୁ ସୋମେଶ ପଚାରିଲେ l
ନା ବାବୁ! ସେମିତି କିଛି ନୁହେଁ l ଟିକେ ଖାଲି ଜାଣିବାକୁ ଚାଁହୁଥିଲି, ଆପଣଙ୍କ ପରିବାର ରେ ନୂଆ ପାଇଁ ଖୁସି ନା ପୁରୁଣା ଯିବାର ଦୁଃଖରେ ଏ ସବୁ?
ବାପାଙ୍କର ଯିବାର ବାର ଦିନ, ତେଣୁ ତାଙ୍କ ଆତ୍ମାର ସଦ୍ଗତି ପାଇଁ ବୋଉ ର ଇଚ୍ଛା ଅନୁସାରେ ଏ ସବୁ କାର୍ଯ୍ୟକ୍ରମ, ହେଲେ ଏ ସାମାନ୍ୟ ଭିକାରୀ ର ଆସ୍ପର୍ଦ୍ଧା ଦେଖ !
ତମେ ତ ପୁଡିଆ ରଖିବା ଲୋକ, ଏତେ କଥା ପଚାରୁଚ କାହିଁକି? ସାମାନ୍ୟ ଚଢା ଗଳା ରେ ସୋମେଶ ପଚାରିଲେ l
ସାଙ୍ଗରେ ସାନଭାଇ ରାକେଶ ଆସିଥାଏ। ଟିକେ ଦୂରରେ ଗାଡି ପାଖରେ ଛାଇ ଦେଖି ଠିଆ ହେଇଥାଏ l ପଚାରିଲା -ଭାଇ କିଛି ଅସୁବିଧା ହେଲାକି ମୁଁ ଯିବି ?
ନା, ତୁ ଥା ସେଇଠିl ମୋ କାମ ସରିଆସିଲାଣି ବାହାରିଯିବା lମନ୍ଦିର ଆଗରେ ବସିଥିବା ସମସ୍ତ ଭିକାରୀଙ୍କୁ ପୁଡିଆ ଦେଇସାରି କାର ପାଖକୁ ଫେରିଆସିଲେ ସୋମେଶ lଦେବା ର ଆନନ୍ଦ ଯେ ପାଇବାଠୁ ବହୁଗୁଣରେ ଅଧିକ ଏକଥା କେବଳ ବହିରେ ପଢିଥିଲେ lଆଜି କିଛିମାତ୍ରାରେ ଅନୁଭବ କଲେ l
ଭାଇ !ତମେ ସେ ଭିକାରୀ ସାଙ୍ଗରେ କ'ଣ କଥାହେଉଥିଲ? ମତେ ଦେଖିକି ତାଯୁବ ଲାଗିଲା l
ଆରେ ,ମତେ ବି ଅଡୁଆ ଲାଗିଲା ସିଏ ଯେତେବେଳେ ପଚାରିଲା ଉଦୟ ନା ଅସ୍ତ?
ବାଃ !ଦାର୍ଶନିକ ଜଣେ ତାହାଲେ... ରାକେଶ ମୁରୁକି ହସା ଦେଇ ମନ୍ତବ୍ୟ ଦେଲା l
ବୁଝିଲ ଭାଇ, ମୋର ଜମାରୁ ପସନ୍ଦ ନୁହେଁ, ଏସବୁ ଯାଗା କୁ ଆସି ଜିନିଷ ବୁଲିବୁଲି କି ବାଣ୍ଟିବା ଆଉ ଏପରି ଇତର ଲୋକଙ୍କଠୁ ପଦେ ଅଧେ ଶୁଣିବା lହେଲେ, ବୋଉ ଅଶାନ୍ତି ହବ l ସେଥିପାଇଁ ତୁମ ସାଙ୍ଗରେ ଆସିଲି l ମୋର ବି ଗୋଟେ ଯୋଡ଼େ ଏମିତି ବେକାରିଆ ଅନୁଭୂତି ଅଛି ଯେ l
ସବୁ ମଙ୍ଗଳ ବାର ଦିନ ଯିଏ ବି ଦ୍ୱାର କୁ ଆସିବ ତାକୁ କିଛି ପଇସା ଦିଆଯିବ l ଏଇଟା ବୋଉର ଅନେକ ନିର୍ଦେଶ ଭିତରୁ ଗୋଟିଏ lସେ ଦିନ ଦୁଇଟା ପର୍ଯ୍ୟନ୍ତ ଆସୁଥିବା ସମସ୍ତ ଭିକାରୀ ଙ୍କୁ ଆପ୍ୟାୟିତ କରିବା ମୋର ଦାୟିତ୍ୱ l ଗୋଟେ ଛୋଟ ବାକ୍ସ ରେ ରେଜା ପଇସା ରଖେ ବୋଉ ସେଇଥିରୁ ଦିଆଚାଲେ ସରିଲା ଯାଏ lସରିଗଲେ ବାପା ପୁଣି ଭରି ଦିଅନ୍ତି l
ବେଶିଦିନ ତଳକଥା ନୁହେଁ, ବୁଝିଲ ଭାଇ ...ଷ୍ଟିଅରିଂ ମୋଡ଼ୁ ମୋଡ଼ୁ ରାକେଶ କହିଲା l
ହଁ କହ, ମୁଁ ଶୁଣୁଛି-ସୋମେଶ କହିଲେ l
ମଙ୍ଗଳବାର ହେଇଥାଏ lଜଣଙ୍କର ଝୁଲାମୁଣିରେ ପଇସା ପକେଇକି ମୁଁ ଗେଟ ପାଖରୁ ଫେରିଆସୁଥାଏ ଘରକୁ l ପ୍ରାୟ ପଚିଶ ତିରିଶ ବର୍ଷ ର ସ୍ତ୍ରୀଲୋକ ଟିଏ କାଖରେ ଛୁଆଟିଏ ଜାକି ଡାକିଲା -ବାବୁ କିଛି ମିଳୁ l ମୁଁ ପଇସା ନେଇ ଦେଲି lତାକୁ ରଖିସାରିଲା ପରେ କହିଲା, ବାବୁ ମୋ ପିଲା କାଲି ରୁ କିଛିବି ଖାଇନି ଦୟା କର lମୁଁ parle g ପାକେଟଟେ ଘରୁ ନେଇ ଦେଲି lସେଥିରେ ବି ମନ ପୁରିଲାନି ତା’ର -ଫେର କହିଲା- ମୁଁ ବି କିଛି ଖାଇନି ଧର୍ମ କର lମୁଁ ଟଙ୍କା ଦଶଟା ନେଇ ତା ମୁଣା ରେ ପକେଇଲି l
ଏତିକି ରେ କ'ଣ ହେବ ବାବୁ? ଭୋକ ଲାଗୁଛି... କାଲି ରୁ ଖାଇନି ପରା କହୁଛିl ତା' ଚଢା ଗଳାର କଥା ଶୁଣି ଚମକି ପଡିଲିl
କଣ ହେଲା? ଏତେ ଚିତ୍କାର କାଇଁ ଛାଡୁଛୁ? ପଇସା, ବିସ୍କୁଟ ,ଫେର ଥରେ ପଇସା ପାଇସାରି ମନ ଶାନ୍ତି ହେଲାନି?
ଦଶ ଟଙ୍କା ରେ କୋଉଠି ଭାତ ମିଳୁଛି ମତେ କୁହ? ଏତିକି ରେ ହବନି ଜଳଖିଆ କୁ ବି ପାଇବନି lଦବ ଯଦି ଭଲକି ଦିଅ ନହେଲେ ତମେ ନେଇ ଯା ପଇସା ଟା l
ମୁଣ୍ଡକୁ ପିତ୍ତ ଚଢ଼ିଗଲା ମୋର l ଦୁମ ଦୁମ ହେଇ ପହଂଚିଲି ସିଧା ଠାକୁରଘରେ l
ବୋଉ ବୁଝିଲୁ!- ତୁ କେବଳ ତୋ'ର ପିଲାଙ୍କୁ ଛାଡି ଆଉ ସମସ୍ତଙ୍କ ମୁହଁ ବଢେଇଛୁ l ଘରେ ମାଛ ଆସିଲେ ବିଲେଇ କଥା ଆଗ ଚିନ୍ତା ତୋର, ପଛେ ଆମେ ସବୁ lକୋଉଠି, ପାରା ର ଦାନା ସରିଯାଇଛି ତ କୋଉଠି ବୁଲାକୁକୁରଙ୍କର ବିସ୍କୁଟ ନାହିଁ - ସଦାବେଳେ ଏଇ ଚିନ୍ତାl ଆଉ, ମୁଁ ଯେ ମଣିଷ ଟେ- କାଇଁ ଦିନେ ବୋଲି ତ ବ୍ୟସ୍ତ ହଉନୁ ମୋ ଲାଗି l ତୋରି ଠୁଁ ମୁହଁ ପାଇ ଏଇ ଭିକାରୀମାନେ ଆମକୁ ଏତେ ସରି କରୁଛନ୍ତି l ବାରଦୁଆର ଶୁଣ୍ଡିପିଣ୍ଡା ହେଲାଵାଲା - ତାଙ୍କର ବହପ ଦେଖ! ମାଗିଖାଇ ଟା କେତେକଥା ଶୁଣେଇଯାଉଛି ମତେ l ପଇସା, ବିସ୍କୁଟ ସବୁନେଇ ସାରି ,ଦାଣ୍ଡରେ ବେଜିତ କରୁଛିl ବସେଇଥା, ମୁଣ୍ଡରେ ଏମାନଙ୍କୁl ତତେ କହିରଖୁଛି, ଆଉ ମୁଁ ମଙ୍ଗଳବାର ରେ ଘର ବାହାରକୁ ବାହାରିବିନିl ତୁ ପୁଣ୍ୟ କମା,... ମୋର ଜମାରୁ ଦରକାର ନାହିଁl
ସେଠୁ କଣ ହେଲା?ଟିକିଏ ହସି ସୋମେଶ ପଚାରିଲେ -
କ'ଣ ଆଉ ହବ?ବୋଉ ତା'ର ମଗ୍ନ ଥାଏ ପୂଜାରେ- ଆଖିବୁଜି ହାତଯୋଡ଼ି l ଟିକିଏ ପରେ ଆଖି ଖୋଲିଲା-
କହିଲା ହଉ ମୁଁ ସେ ସବୁ କଥା ବୁଝିବି lତୁ ଏତେ ରାଗନାରେ ରାକା -ସବୁକଥା ଦିହକୁ କାଇଁ ଟାଣିନେଉଚୁ? ଦିହ ଖରାପ ହବ l ଭିକାରୁଣୀ ଟା ଖାଇବାକୁ ଗଣ୍ଡେ ତ ମାଗୁଥିଲା ଆଉ ଟଙ୍କା ଦଶଟା ନେଇକି ଦେଲୁନି ଆଶୀର୍ବାଦ କରିଥାନ୍ତା l ଆମର କ’ଣ ସରିଯାଇଥାନ୍ତା? ବିଚାରୀ ଦୁଆର ଦୁଆର ବୁଲି ମାଗୁଛି ଏତେ କଟୁକଥା କହନା l ହାୟ ଲାଗିଯିବ l ଦୁଆର ମୁଁହରୁ ଲୋକଙ୍କୁ ଫେରାନ୍ତିନି ଅମଙ୍ଗଳ ହୁଏ ବାବୁ lମୁଁ ବୋଉ ର ବ୍ୟସ୍ତତା ଦେଖି ତୁନି ପଡିଲି l ସନ୍ଧ୍ୟା ଚା ଖିଆବେଳେ ବାପାଙ୍କ ଆଗରେ ସବୁ ବଖାଣିଲା ବୋଉ ଆମର l ବାପା ସବୁ ଶୁଣି ଗୋଟିଏ ପଦ କହିଲେ- ତା'ର ନାହିଁ ବୋଲି ତ ଦ୍ୱାର ଦ୍ୱାର ବୁଲି ମାଗୁଛି lଏତିକି ବୁଝିବାର ଶକ୍ତି ତୋର ଏ ପର୍ଯ୍ୟନ୍ତ ହେଲାନି ?ମୁଁ କାନମୁଣ୍ଡା ଆଉଁସିକି ସେଇ ଜାଗାରୁ ଚାଲି ଆସିଲି l
ମନ୍ଦିର ରୁ ଫେରି, ଗାଡି ଗ୍ୟାରେଜ ରେ ପୁରେଇ ଦେବା ପୂର୍ବରୁ ରାକେଶ ପଚାରିଲା- ଆଉ କୁଆଡେ ଯାଇଥାନ୍ତ କି ଭାଇ ?
ନାଁ, ରେ -ହାଲିଆ ଲାଗିଲାଣି ଭୋକ ବି ପ୍ରବଳ ହେଲାଣି ଚାଲ ଘରକୁ l
ହାତ ଗୋଡ ଧୋଇ, ଦି ଭାଇ ଯାକ ଖାଇ ବସିଲେ lସୁମତି ଥାଳିରେ ପିଲା ଦି ଜଣଙ୍କୁ ପରଶି ଦେଉଥାନ୍ତି ,ବଳେଇ ବଳେଇ ଖୁଆଉଥାନ୍ତି -ଆଉ ଟିକେ ଖେଚୁଡ଼ି ନଉନୁ, ତତେ ଲୁଣିଆ ଖେଚିଡ଼ି ଭଲ ଲାଗେ ବୋଲି କଲିl ସେଠି କିଏ ମନଜାଣି କରିକି ଦବ?ଆଉ ଟିକେ ଆମ୍ବ ଖଟା ଖା ବାପା l ପଣସ ବରା କିମିତି ଲାଗିଲା ତତେ?
ସବୁ ବଢିଆ ହେଇଚି ବୋଉl କେତେ ଆଉ ଖାଇବି ?ଖାଇ ଖାଇ ପେଟ ଫାଟି ଗଲା ଭଳିଆ ଲାଗୁଚି l
ଆଉରି ଅଛି ନା! ତମ ର ସୁଇଟି ଡ଼ିସ -ମତେ ସେ କେକ ଫେକ ଆସେନି lଖୁଆ ଦେଇ ଚାଉଳ ଖିରି କରିଛି lତା ସାଙ୍ଗକୁ ନଡ଼ିଆ ଲଡୁlଏସବୁ ଜିନିଷ ତମ ବାପାଙ୍କର ଅତି ପ୍ରିୟ ଥିଲା,ଖାଲି ଟିକିଏ ବାସ୍ନା ପାଇଲେ ଖୁସି ରେ ଗୋଡ କଚାଡୁଥିଲେl
ବୋଉ! ତୁ କାନ୍ଦୁଛୁ କାହିଁକି? ସୋମେଶ ପଚାରିଲେ l
ନାଁ ରେ, କାନ୍ଦିବି କାହିଁକି ?ସିଏ ସିନା ଚାଲିଗଲେ ...ହେଲେ ମତେ ତ ତମମାନଙ୍କ ଲାଗି ବଂଚିବାକୁ ପଡିବ lତମକୁ ସବୁ ହାତରୁ ଦି ହାତ କରିଦେଲେ ମୋର ମୁକ୍ତି lଶାନ୍ତି ରେ ଯାଇପାରିବି l
କ'ଣ ସବୁ କହୁ ଯେ ତୁ?
ଆରେ ସବୁ ମଣିଷ ଏଇଆ ଚାହେଁ lସିଏ ଥାଉ ଥାଉ ପିଲେ ପାରି ଯାଆନ୍ତୁl ସୁଖରେ ସଂସାର କରନ୍ତୁl
ହଉ ହେଲା ତୁ ଯାହା କହୁଛୁ ସବୁ ଠିକ୍ l ହେଲେ, ମୋର ଏବେ ବାହା ହବାର ନାହିଁ l ଆଉ ଦି, ଚାରି ବର୍ଷ ଯାଉ ଦେଖିବା l
ଆଉରି ଦି ଚାରି ବର୍ଷ ? ମୁଁ ବଞ୍ଚିଥିବି ଟି ?
ତୋ’ର କିଛି ହବନି ବୁଝିଲୁ lଆମେସବୁ ଅଛୁ ପା l
ହଉ ତମେ ସବୁ ଅଛ, ବାପାକୁ କିଆଁ ରଖିପାରିଲନି?
ବୋଉ ପ୍ଲିଜ଼ ଚାଲ ...
ଆମର ଖାଇବା ସରିଲା, ଏବେ ତୁ ବସ lଆମେ ଦି ଭାଇ ତତେ ବାଢ଼ିକି ଦବୁ l ଆମକୁ ଯେମିତି ବଳେଇ ବଳେଇ ଖୁଅଉଚୁ ସେମିତି ତତେ ଖୁଏଇବୁ l
ଆରେ !ତମେ ସବୁ ଫୋପଡ଼ା, ଫୋପଡ଼ି କରିଦେବ l ମୋ ହାଣ୍ଡିଶାଳଟା ର ରୂପ ଭେକ ସବୁ ଯିବ l
ହଉ ତାହାଲେ, ତୁ ନିଜେ ବାଢେ ଆମ ସଂଗେ ଗପ କରିକି ଖାଇବୁ l
ଗପ ତ ଥରେ ଆରମ୍ଭ ହେଲେ ସହଜେ ସରେନି -ଏଠୁ ବାହରିକି ସାତ ସମୁଦ୍ର ,ତେର ନଈ ଯାକେ ଗଡ଼ିଚାଲିଲା l
କେତେ ଦିନ ପରେ ଟିକେ ମନଖୋଲା ହସ ହସିଲେ l
ତାଙ୍କର ମୁଡ଼ ପରିବର୍ତ୍ତନ ଦେଖି ସୋମେଶ ପଚାରିଲେ- ଆଚ୍ଛା କହିଲୁ,- ତୁ ଏତେ ଦାନ ଧର୍ମ କାହିଁକି କରୁଚୁ ?ଦିନ ଅଧ ପର୍ଯ୍ୟନ୍ତ ନଖାଇ ନପିଇ ପୂଜା କରିବୁ, ତା’ପରେ ଗାଈ, କୁଆ ,କୁକୁର, ପାରା , ଗୁଣ୍ଡୁଚି ସମସ୍ତଙ୍କ କଥା ବୁଝିବୁ l ଖାଇବୁ କେତେବେଳେ? ନଖାଇ ନଖାଇ
କ’ଣ ହେଲାଣି ଅବସ୍ଥା ?
ଆରେ ଅସଲ କଥା ତ ଭୁଲିଗଲି -ବୋଉ! ତୁ ଭିକାରୀ ମାନଙ୍କୁ ଏତେ ଦେଖି ପାରୁ କାହିଁକି କହିଲୁ?
ଜାଣିଚୁ,ଆଜି ମୋର ଜଣେ ଦାର୍ଶନିକ ଭିକାରୀଙ୍କ ସାଙ୍ଗରେ ଦେଖାହେଲା lଯୋଉ କଥା ସବୁ ପଚାରିଲା- ମତେ ବୁଝିବାକୁ ସମୟ ଲାଗିଗଲା l
ଜଣେ ପଢୁଆ ଲୋକ ହେଇଥିବା ନିଶ୍ଚୟ-ନହେଲେ ଏମିତି ଚିନ୍ତାଧାରା ହବନି l
ଆରେ, କ’ଣ କହିଲା ?
ଆଗ ପଚାରିଲା ଉଦୟ ନା ଅସ୍ତ ?
ସିଏ ପୁଣି କି କଥା ?
ମାନେ କାହା ଜନ୍ମଦିନ-ସୁ ଖବର? ନା କାହାର ଚାଲିଯିବା ଅବସରରେ ଏସବୁ ?
ଆଚ୍ଛା! ମତେ କହିଲୁ ବୋଉ, ତୋର ଯେଉଁ ଭିକାରୀମାନଙ୍କୁ ଭଲପାଇବା ୟା ପଛରେ କିଛି ରହସ୍ୟ ଅଛି ?
ହଁ, ଅଛି l
ପଚାରିଲୁ ଯଦି ଶୁଣ -ବହୁତ ଦିନ ତଳର କଥା l ତୁମେ ସବୁ ଛୋଟ ହେଇଥିଲ l ଆମେ ସେତେବେଳେ ବାପାଙ୍କର ସରକାରୀ କ୍ୱାଟର୍ସ ରେ ଥାଉ l ଦିନକର କଥା ତୁ ଟିଉସନ ଯାଇଥାଉ l ବାପା ସାଙ୍ଗମାନଙ୍କ ସଂଗେ ବଜାର ଯାଇଥାନ୍ତିl ସେଦିନ କିଛି ପୂଜା ଥାଏ -ହଁ ସାମ୍ବ ଦଶମୀ ମୁଁ ଭୋଗ ବାଢିକି ନେଇ ଯାଇଥାଏ ମନ୍ଦିରକୁl ଘରେ ଏକା ଥାଏ ରାକେଶ lତାକୁ କହିଯାଇଥାଏ, ଭିତରୁ କବାଟ ଦେଇକି ଥାl ଅଚିନ୍ହା ଲୋକ ଦେଖିଲେ କବାଟ ଖୋଲିବୁନି l ୟା ଭିତରେ କେହି ଜଣେ ଠଉରେଇଲା ବାଲା ଆସି କବାଟ ଠକ ଠକ କରିଛିl ରାକା ଆମର ପଚାରିଛି ତମେ କିଏ ?ସିଏ ଜବାବ ଦେଇଛି- ମୁଁ ତମ ବାପାଙ୍କ ସାଙ୍ଗl ମୋ ହାତରେ ଫଳ ପଠେଇଛନ୍ତିl କବାଟ ଟିକେ ଖୋଲ... ମୁଁ ବ୍ୟାଗ ଟା ଘରଭିତରେ ରଖିଦେବିl
ସିଏ କବାଟଟି ଖୋଲିଦେଇଛି lଚୋରଟି ଭିତରୁ କବାଟ ଲଗେଇକି, ଜିନିଷ ରୁଣ୍ଡେଇବାରେ ଲାଗିଛିl ରାକା ପାଟି କଲାଠୁଁ ତାକୁ ଛୁରା ଦେଖେଇକି ଚୁପ କରେଇଛି l ଅନି,କୁଷ୍ଠରୋଗୀଟିଏ... ପ୍ରାୟ ଆମ ଘରୁ ଖାଇବା ଜିନିଷ ନିଏ l ରାକା ର ପାଟି ଶୁଣିପାରି ଗେଟ ଭିତରକୁ ଆସି ଝରକାବାଟେ ଏସବୁ ଦେଖିଚି l ସେଇଠୁ ତାର ଖଣ୍ଡିଆ ଗୋଡ ରେ ପେଲି ହେଇ ମନ୍ଦିର ଯାକେ ଦୌଡିଛିl ମୋ ପୂଜା ସେତେବେଳକୁ ସରିଆସିଥାଏ -ତାକୁ ଏ ଅବସ୍ଥା ରେ ଦେଖି ମୁଁ ଆଗେ ବହେ ଗାଳି ଦେଲିl ଆଲୋ, ତତେ ମୁଁ ଗଣ୍ଡେ ଖାଇବାକୁ ଦିଏ ବୋଲି ମତେ ଖୋଜି ଖୋଜି ତୁ ପୂଜା ଜାଗାକୁ ପଳେଇଆଇଛୁ? ଟିକେ ଗେଟ ପାଖରେ ଅପେକ୍ଷା କରିପାରିଲୁନି? ମୁଁ କଣ କୁଆଡେ ପଳେଇଯାଉଛି ?
ସିଏ ଖାଲି ଥଙ୍ଗ ଥଙ୍ଗ ହେଇ ଏତିକି କହିପାରିଲା- ମା! ତମ ସଂସାର ଭାସିଗଲା l ଘରକୁ ଦଉଡ଼ିକି ଯାଅ -ତମ ଘରେ କିଏ ପଶିଚି l ଛୁରା ଅଛି ତା ପାଖରେ l
କଣ କହୁଚୁ ତୁ? -କାନ୍ଦୁଣୁ ମାନ୍ଦୁଣୁ ହେଇ ମୁଁ ଦୌଡ଼ିଲି l ବାଟରେ ବିପ୍ରବାବୁ ଦେଖାହେଲେ... ଜୋର କରି ମୋଟରସାଇକଲ ରେ ବସେଇଲେ l ଜଲ୍ଦି ହବ ଭାଉଜ, ବ୍ୟସ୍ତ ହୁଅନା l ମୁଁ ପରା ତୁମ ସାଙ୍ଗରେ ଅଛି l ଚୋରଟି ତା’ର ସବୁ ଜିନିଷ ଗୋଟେଇ ପୋଟେଇ ସେତେବେଳକୁ ବାହାରିଥାଏ l କବାଟ ଖୋଲିଲା ମାତ୍ରେ ଵିପ୍ରବାବୁ ତାକୁ ମାଡିବସି କାବୁ କରିନେଲେ lତା’ର ହାତ ଗୋଡ ବାନ୍ଧିପକେଇଲେl ପୋଲିସ କୁ ଖବର ଦିଆଗଲା l ଟିକେ ପରେ ବାପା ଆସି ପହଁଚିଲେ l ପୁଲିସ ତାକୁ ଥାନାକୁ ନେଇଗଲେ l ଆମ ସମସ୍ତଙ୍କୁ ଦେଖି ରାକା ଖାଲି ଭେମ୍ବା ରଡି ଛାଡୁଥାଏ l ତାକୁ କୋଳେଇ, କାଖେଇ, କେତେ ବୋକ ଦେବାରେ ଚୁପ ହେଲା l ମୁଁ ସେଠି ପ୍ରତିଜ୍ଞା କଲି ଏଇ ଘରେ ସବୁ ପୂଜା କରିବି l ବାହାରକୁ ଯିବିନି ଆଉ l
ଛିଣ୍ଡା କୋତରା ପିନ୍ଧି ଅନି ଗେଟ ପାଖରେ ଛାଇକି ଠିଆ ହେଇଥାଏ l ତାର ବେଣ୍ଡେଜ ଟାଇଟ କରୁଥାଏl ମୁଁ ଡାକିଲି ଆ ଭିତରକୁ l ସେଠି କାହିଁକି ଠିଆ ହେଇଚୁ? ତତେ ଆଜି ପାଞ୍ଚଶହ ଟଙ୍କା ଦେବି l ମୋର କେତେ ବଡ ଉପକାରଟେ କଲୁ l ମୋ ପୁଅ ପ୍ରାଣ ବଂଚେଇଲୁ l ମୋ ଗହଣାଗାଣ୍ଠି ସୁରକ୍ଷିତ ଅବସ୍ଥାରେ ମିଳିଲା l
ନାଁ, ମା l ଟଙ୍କା ପଇସା କିଛି ନେବିନି l ତମ ହାତରୁ ଗଣ୍ଡେ ଖାଇବି l ପେଜ, ତୋରାଣି ,ଶାଗ ,ପଖାଳ ଯାହା ଦଉଚ ଦିଅ l ଭୋକେଇକି ଅଛିl ମନ୍ଦିର ଯାକେ ଖଣ୍ଡିଆ ଗୋଡ଼ରେ ଯାଇ ଆସି ମୁଁ ଥକିଗଲିଣି l ଗାଡ଼ିଟା ବି ସକାଳୁ ଚାଲିଲାନି l ଏଇ ଦି ଚାରି ଘର ବୁଲି, ତମ ହାତରୁ ତୋରାଣି ମୁନ୍ଦେ ପିଇବା ଆଶାରେ ଘରୁ ଆସିଥିଲି l ସତକୁସତ ଦେଖିଲା ବେଳକୁ ତାର ଗୋଡ ବେଣ୍ଡେଜ ଛିଡି ରକ୍ତ ବାହାରୁଚି l ତାକୁ ଖାଇବାକୁ ଦେଇ ରାତିପାଇଁ ପୁଟୁଳି ବାନ୍ଧିଦେଲିl ଅଟୋ ଗୋଟେ ଡକେଇ ତାକୁ ଘରେ ଛାଡିବା ବନ୍ଦୋବସ୍ତ କଲି l
ସାଧାରଣ ଭିକାରୁଣୀ ଟିଏ ମୋ ପାଇଁ କ’ଣ ନକରିଗଲା ସେଦିନ ?ଚିର ରୁଣୀ ତା'ର ହେଇଗଲି ମୁଁ l ସାଧାରଣ ଭିକାରୁଣୀ ଟେ ଚାହିଁଥିଲେ ସିଏ ସେଦିନ ପରିସ୍ଥିତି ର ବହୁତ ଫାୟଦା ଉଠେଇ ପାରିଥାନ୍ତା କିନ୍ତୁ ନା ତା’ର ମହନୀୟତା ର ପରିଚୟ ଦେଇଗଲାl ତା’ ଜୀବନ ର ମୂଲ୍ୟବୋଧ ଆଗରେ ମୁଁ ମୁଣ୍ଡ ନୁଆଇଁଲି l କ’ଣ ବା ତାକୁ ଖାଇବାକୁ ଦିଏ ମୁଁ ?ଘରେ ଯାହା ହେଇଥାଏ ନହେଲେ ରାତିର ରୁଟି ଆଉ ତରକାରୀ -ଜୀବନରେ ସ୍ନେହ ର ଡୋରି ଟା ଭାରି ମଜବୁତରେ ପିଲେ, କୋଉଠି କିପରି ଭାବରେ ଅଯାଚିତ ସାହାଯ୍ୟ କୁଢ଼େଇ ହେଇ ପଡିବ ତୁମେ ଜାଣିପାରିବନି l ନିଜ ଭିତରେ ଥିବା ଏଇ ଦୟା କ୍ଷମା ଆଉ ଭଲପାଇବା ର ସ୍ରୋତ କୁ କେବେ ସୁଖେଇଦେବନି l ସିଏ ଶୁଖିଗଲେ ଜୀବନ ପୁରା ଶୁଷ୍କ ହେଇଯିବ l କେହି ଲୋକ କ’ଣ ମୂଳରୁ ଧନୀ, ଗରିବ, ବଡ଼ କି ସାନଥାଏ? ସମସ୍ତେ ପରିସ୍ଥିତି ର ଦାସ । ପରିସ୍ଥିତି ବଦଳିଗଲେ ବହୁତ କିଛି ବଦଳିଯାଏ l ଗୋଟିଏ ମୁହୂର୍ତ୍ତ ର ଭାବନା ଯଦି ପରବର୍ତ୍ତୀ ମୁହୂର୍ତ୍ତରେ ବଦଳି ଯାଇପାରୁଛି, ତେବେ ପରିସ୍ଥିତି ଜୀବନର ଗତି କୁ ବିଶେଷ ଭାବେ ପ୍ରଭାବିତ କରିବ କି ନାହିଁ ?
ହଁ ,ମୁଁ ଗୁଣ୍ଡୁଚି, କୁକୁର, ବିଲେଇ -ଏମାନଙ୍କ କଥା କାହିଁକି ଆଗେ ବୁଝେ -ତାଙ୍କୁ ଆଗ୍ରହରେ କାହିଁକି ଖାଇବାକୁ ଦିଏ ?
ଦେବାରେ ଯେଉଁ ତୃପ୍ତି ମିଳେ ଯେଉଁ ଆନନ୍ଦ ଶରୀର ମନ ତଥା ଆତ୍ମା କୁ ଜାବୋଡି ଧରେ ତା’କୁ କଥାରେ ବଖାଣି ହବନି କି ବୁଝେଇହବନି l ସେ ଏକ ଅନୁଭବ -ଏକ ନୈସର୍ଗିକ ଅନୁଭବ l ରାକା ଟା କିଛିଦିନ ଚାଉଳ ପଇସା ଦଉଥିଲା ହେଲେ ସେ ଅନୁଭୂତି ସେ ହାସିଲ କରିପାରିଲା ନାହିଁ କାହିଁକିନା ସିଏ ଡିଉଟି ଭାବି ଏସବୁ କରୁଥିଲା ଏବଂ ବହୁତ ଅସନ୍ତୁଷ୍ଟ ମଧ୍ୟ ହଉଥିଲା l ଏସବୁ କହିଲା ବେଳେ ବୋଉ ଗଦଗଦ ହେଇଯାଉଥାଏ ଆଉ ତା ଆଖିରୁ ଅବାରିତ ଧାରା ଝରି ଡାଇନିଂ ଟେବୁଲ ମାଟ କୁ କିଛିପରିମାଣରେ ଓଦା କରିସାରିଥାଏ l
ବୋଉ !ତୁ ଆଉ କାନ୍ଦନା-ତତେ ମୋ ରାଣ l
ଆ, ମୁଁ ତତେ ଖୋଇଦେବି ସବୁ ତ ଥଣ୍ଡା ହେଇସାରିଲାଣି -ରାକା ଗଲୁ ରେ, ତରାକରିପତ୍ର ଗରମ କରିଆଣିବୁ l
ଆମେ ସିନା ପାଠ ଗଣ୍ଡେ ପଡ଼ିଛୁ ବୋଉ! ହେଲେ, ତୁ ଆମ ସମସ୍ତଙ୍କ ଭିତରେ ପାଠୁଆ ଆଉ ସମଝଦାର l ଜୀବନ ର ଗୁଢ ରହସ୍ୟ ତତେ ଜଣା ଅଛି l ବହୁତ ବଡ ଭୁଲ ହେଇଚି ଆମର l ଆମକୁ ଟିକେ କ୍ଷମା କରିଦେ l
ଆରେ ବାଇଆ ! କ୍ଷମା କରିବା ଲୋକ ସେଇଠି ବସିଛି l ପ୍ରାର୍ଥନା କର... ସବୁ ମାଫ କରିଦେବେ ସେଇ କଳାଠାକୁର l