The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Biswanath Nayak

Inspirational

4  

Biswanath Nayak

Inspirational

ଭିକାରୀ

ଭିକାରୀ

8 mins
694



ଦିନ ଦି'ଟା ହେବ । ଅଳକା କଲେଜରୁ କ୍ଲାସ ସାରି ଘରକୁ 

ଫେରିବା ପାଇଁ ବସନ୍ତପୁର ଛକରେ ବସକୁ ଅପେକ୍ଷା କରିଥାଏ । ଖରାବେଳ ହୋଇଥିବାରୁ ସେଠାରେ ବେଶିଲୋକ ନଥାନ୍ତି । ପ୍ରବଳ ଗରମ ଲାଗୁଥାଏ । ତିନି ଚାରିଜଣ କଲେଜପିଲା ମଧ୍ୟ ବସକୁ ଅପେକ୍ଷା କରିଥାନ୍ତି । ଛିଣ୍ଡା ଓ ମଇଳା ପୋଷାକ ପିନ୍ଧିଥିବା ଲୋକଟିଏ ମୋ ଆଡକୁ ଆସୁଥିବାର ଲକ୍ଷ୍ୟ କଲି । କଳା ମିଚିମିଚି ଚେହେରା । ମୁହଁରେ ଲମ୍ବା ଦାଢି । ମସ୍ତକରେ 

ବିକ୍ଷିପ୍ତ କେଶରାଶି । ହସହସ ମୁହଁ । ଗୁଣୁଗୁଣୁ ହୋଇ କଣ ଗୁଡାଏ ଏଣୁ ତେଣୁ ଗପିଗପି ମୋ ଆଡକୁ ସେ ହାତ ପତେଇଲା ।  ପଇସା ଚାହୁଁଛି ଭାବି ପ୍ୟାଣ୍ଟ ପକେଟରୁ ଦୁଇ ଟଙ୍କିଆ ମୁଦ୍ରାଟିଏ କାଢି ତା ହାତରେ ଧରାଇଦେଇ ବସ ଆସିବା ଦିଗକୁ ଲକ୍ଷ୍ୟ କଲି ।  କିନ୍ତୁ ଦେଖିଲି, ସେ ନଯାଇ ସେମିତି ଠିଆ ହୋଇରହିଲା । ଓଲଟା ମୁଁ ଦେଇଥିବା ଦି'ଟଙ୍କିଆଟିକୁ ମୋ ହାତରେ ଧରାଇଦେଲା ।  

ଏକଥା ବସକୁ ଅପେକ୍ଷା କରିଥିବା ପିଲାମାନଙ୍କ ନଜରରୁ ମଧ୍ୟ ବାଦ୍ ପଡିନଥିଲା । ମୁଁ କମ୍ ଟଙ୍କା ଦେଇଥିବାରୁ ସେ ଫେରାଇ ଦେଉଛି ବୋଲି ସେମାନେ ତାଙ୍କ ଭିତରେ ଇଙ୍ଗିତରେ କଥା ହେଉଥିବା ମୁଁ ମଧ୍ୟ ଲକ୍ଷ୍ୟ କରି ସାରିଥିଲି । କଥାଟା ମୋତେ ଟିକେ ଖରାପ ଲାଗିଲା ଓ ଭାବିଲି, ପ୍ରଥମରୁ ପାଞ୍ଚ ଟଙ୍କିଆଟା ଦେଇ ଦେଇଥିଲେ ଭଲ ହୋଇଥାନ୍ତା ।


ଯେଉଁ ଉଦ୍ଦେଶ୍ୟରେ ହେଉନା କାହିଁକି ଯେତେବେଳେ କାହାକୁ ଟଙ୍କାଟିଏ ଅଧିକ ଦେବାକୁ ହୁଏ ଅର୍ଥନୀତିର ସବୁ ସୂତ୍ର ଏକାବେଳକେ ମୋ ମନ ଭିତରକୁ ପଶି ଆସନ୍ତି । କିନ୍ତୁ ନିଜ ପିଲାମାନଙ୍କର ଅନାବଶ୍ୟକ ଆବଶ୍ୟକତାକୁ ପୂରଣ କଲାବେଳେ ଏ ସୂତ୍ର ସବୁ ପଙ୍କ ଭିତରେ ମାଛ ମୁଣ୍ଡ ଗୁଞ୍ଜିଲାପରି କେଉଁଠି ମୁଣ୍ଡ ଗୁଞ୍ଜିଦିଅନ୍ତି କେଜାଣି!ସେ ଯାହା ହେଉନା କାହିଁକି ବୋଧହୁଏ ଦି'ଟଙ୍କା ତାର ପସନ୍ଦ ହେଲାନାହିଁ ଭାବି ତାକୁ ପକେଟରେ ରଖି ପାଞ୍ଚ ଟଙ୍କିଆ 

ମୁଦ୍ରାଟିଏ ତା ହାତରେ ଧରାଇ ଦେଇ ଭାବିଲି ସେ ନିଶ୍ଚୟ ଖୁସି ହୋଇଯିବ । କିନ୍ତୁ ସେମିତି କିଛି ହେଲା ନାହିଁ । ସେ ଖୁସି ହେଲାନାହିଁ କି 'ଭଗବାନ ତୁମର ମଙ୍ଗଳ କରନ୍ତୁ' ବୋଲି କହିଲା ନାହିଁ । ବରଂ ପୁଣି ସେ ଟଙ୍କାକୁ ମୋ ହାତରେ ଧରାଇଦେଲା । ମୁଁ ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁରହିଥାଏ ।


ସେ ପ୍ରକୃତରେ କଣ ଚାହୁଁଛି ମୁଁ କିଛି ବୁଝି ପାରୁନଥାଏ ।

ସେତେବେଳଯାଏ ବସ୍ ଆସିବାର କିଛି ସୂଚନା ବି 

ମିଳୁନଥାଏ । ବିରିଡି ପାଖରେ ଗୋଟିଏ ଆକ୍ସିଡେଣ୍ଟ ହୋଇଥିବା ଯୋଗୁ ବସ୍ଆସିବାରେ ବିଳମ୍ବ ହେଉଛି ବୋଲି ପିଲାମାନେ ତାଙ୍କ ଭିତରେ କଥା ହେଉଥାନ୍ତି । ସେମାନେ ବସ୍ ଆସିବା ଉପରେ ନଜର ରଖିବା ସହିତ ମୋ ଅଲକ୍ଷ୍ୟରେ ମୋ ଉପରେ ବି ନଜର ରଖୁଥାନ୍ତି । ମୁଁ ବି ସେତେବେଳକୁ ବଡ ଅଡୁଆରେ ପଡି ଯାଇଥାଏ । ଲୋକଟି ଦୁଇଥର ପଇସା ଫେରେଇ ଦେବାପରେ ମୋ ମନ ଭିତରେ ବିରକ୍ତିଭାବ ଆସିଯାଇଥାଏ । ସବୁଠାରୁ ବଡକଥା ହେଲା ପଇସା ଫେରେଇ ଦେବାପରେ 

ମଧ୍ୟ ମୋ ସାମନାରୁ ସେଫେରି ଯାଉ ନଥାଏ । କିଛି ପାଇବା ଆଶାରେ ମୋ ମୁହଁକୁ ଚାହିଁ ରହିଥାଏ । ପିଲାମାନେ ମୋ ଉପରେ ନଜର ରଖିଥିବାରୁ ମୁଁ ମଧ୍ୟ ଲୋକଟି ଉପରେ ଖୋଲାଖୋଲି ଭାବେ ବିରକ୍ତି ପ୍ରକାଶ କରି ତାକୁ 'ମୋ ପାଖରେ ଆଉ ପଇସା ନାହିଁ, ଚାଲିଯା' 

ବୋଲି କହି ପାରୁନଥାଏ ।


  ଅନେକ ସମୟରେ କାହାକୁ କିଛି ଦେଲାବେଳେ 

ଆନ୍ତରିକତାଠାରୁ ଔପଚାରିକତା ଅଧିକ ଗୁରୁତ୍ୱ ବହନ 

କରିଥାଏ । ପାଞ୍ଚ ଟଙ୍କାରୁ ଆଉ ଅଧିକ ଦେବାପାଇଁ ମୋର 

ଆଦୌ ଇଚ୍ଛା ନ ଥିଲା । କିନ୍ତୁ କାଳେ ପିଲାମାନେ ମୋତେ ଜଣେ କଞ୍ଜୁସ୍ ସାର୍ ବୋଲି ଭାବିବେ, ଏହି କଥା ଚିନ୍ତା କରି ତାଙ୍କ ଆଗରେଥିବା ମୋର ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚେଷ୍ଟା କଲି । ହାତୀର ଖାଇବା ଦାନ୍ତ ଅଲଗା ଓ ଦେଖେଇବା ଦାନ୍ତ ଅଲଗା ପରି ଇଚ୍ଛା ନଥିଲେ ମଧ୍ୟ ତା ହାତକୁ ଖଣ୍ଡେ ଦଶଟଙ୍କିଆ ନୋଟ୍ ବଢାଇ ଦେଲି । ମନେ ମନେ ଗୋଟିଏ ବଡ ସମସ୍ୟା ସମାଧାନ ହୋଇଗଲା ବୋଲି ଭାବିଲି ଯଦିଓ ପ୍ରକୃତରେ ତାହା ଏକ ସମସ୍ୟାନଥିଲା । କାରଣ ମୁଁ ତାକୁ ସର୍ବାଧିକ ପାଞ୍ଚଟଙ୍କା ଦେବାପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲେ ମଧ୍ୟ ଅନ୍ୟମାନଙ୍କ ଆଗରେ ମୁଁ ଯାହା ନୁହେଁ ନିଜକୁ ତାହା ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଥିଲି । ତାହାହିଁ ମୋ ପାଇଁ ସମସ୍ୟା ସୃଷ୍ଟି କରିଥିଲା ।


ଅଧିକାଂଶ ସମୟରେ ଆମେ ନିଜେ ନିଜର ସମସ୍ୟାର କାରଣ ହୋଇଥାଉ କାରଣ ଆମେ ଯାହା ନୁହେଁ ଅନ୍ୟ ମାନଙ୍କ ଆଗରେ ନିଜକୁ ତାହା ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥାଉ । ଲୋକଟିକୁ ଆଦୌ କିଛି ନଦେଇ ମନାକରି ଦେଇଥିଲେ ପିଲାମାନେ କଣ ଭାବିଥାନ୍ତେ କି ନାହିଁ ଅଲଗା କଥା । କିନ୍ତୁ 'କାଳେ ସେମାନେ ମୋତେ କଞ୍ଜୁସ୍ ଭାବିବେ'ବୋଲି ଯେଉଁ ମାନସିକତା ମୋ ମନ ଭିତରେ ଘର କରି ଯାଇଥିଲା ତାହାହିଁ ମୋତେ ଅସୁବିଧାରେ ପକାଇଦେଇଥିଲା ।


ସାଧାରଣତଃ ସ୍ଥାନ, କାଳ, ପାତ୍ର ଓ ଗୁରୁତ୍ୱକୁ ବିବେଚନା 

କରି କାହାକୁ ସର୍ବାଧିକ କେତେ ଟଙ୍କା ଦିଆଯାଇପାରିବ ତାର ଏକ ନିର୍ଦ୍ଦିଷ୍ଟ ସୀମାରେଖା ମୋ ମନ ଭିତରେ ଆଙ୍କି ହୋଇ ରହିଥାଏ । ବସଷ୍ଟାଣ୍ଡ,ରେଲୱେ ଷ୍ଟେସନ ପ୍ରଭୃତି ସ୍ଥାନରେ ପଇସା ମାଗୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସେ ସୀମାରେଖା ଦୁଇରୁ ପାଞ୍ଚ ଟଙ୍କା ପର୍ଯ୍ୟନ୍ତ ଥିଲା । ତେଣୁ ଏଠାରେ ଏ ଲୋକଟିକୁ ଦଶଟଙ୍କା ଦେଇଦେବାପରେ ମୁଁ ଭାବୁଥିଲି ସେ ସନ୍ତୁଷ୍ଟ ହୋଇ ଚାଲିଯିବ ଓ ତା ମୁଖ ମଣ୍ଡଳରେ ମୋତେ କୃତଜ୍ଞତା ଜଣାଇବାର ଭାବ ପ୍ରକାଶ ପାଇବ । ସବୁଠାରୁ ବଡକଥା ହେଲା ମୂଳରୁ ଏ 

ପର୍ଯ୍ୟନ୍ତ ତା ମୁହଁରେ ବିରକ୍ତିଭାବପ୍ରକାଶ ପାଇ ନଥିଲା ଓ ସେ ହସହସ ମୁହଁରେ ମୋ ଆଗରେ ଛିଡାହୋଇ ରହିଥିଲା ।

ସେମିତି ହସିହସି ସେ ଦଶଟଙ୍କିଆ ନୋଟ୍ ଟିକୁ ପୁଣି ମୋ 

ହାତକୁ ଫେରେଇଦେଇ କିଛି ପାଇବା ଆଶାରେ ମୋ ମୁହଁକୁ ଚାହିଁ ରହିଲା । ମୋ ଜାଗାରେ ଅନ୍ୟକେହି ଥିଲେ କଣ କରିଥାନ୍ତେ ସେକଥା ମୁଁ ଜାଣିପାରୁନାହିଁ କିନ୍ତୁ ମୁଁ ସତରେ ଏକ କିମ୍ଭୂତକିମ୍ଭାକାର ପରିସ୍ଥିତିରେ ପଡି ଯାଇଥିଲି ଓ କଣ କରିବି କିଛି ଜାଣି ପାରୁନଥିଲି । କାରଣ ଏଇ 'ଦେବା' ଶବ୍ଦର ଅର୍ଥ ଏତେବ୍ୟାପକ ଯେ ତାର କୌଣସି ପରିସୀମା ନାହିଁ ।  ଏହା ମାନସିକତା ଅନୁସାରେ ବ୍ୟକ୍ତି ପାଖରୁ ବ୍ୟକ୍ତି ପାଖକୁ ଭିନ୍ନ ହୋଇଥାଏ । ନିଜର ମାନସିକତାକୁ ନେଇ ଆମେ ଏହାର ପରିସୀମାକୁ ଅନେକ ମାତ୍ରାରେ ସଙ୍କୁଚିତ କରି ଦେଇଥାଉ । ଏ ସଂକ୍ରାନ୍ତରେ ଆଉ ଏକ ଘଟଣା ପ୍ରାସଙ୍ଗିକ ହେବ ଭାବି ଏଠାରେ 

ତାର ଅବତାରଣା କରୁଛି ।  


ଆଉ ଦିନେ ବସରେ ଘରକୁ ଫେରିଲା ବେଳେ ଜଣେ 

ଦିବ୍ୟାଙ୍ଗ ବ୍ୟକ୍ତି ଭଜନ ଗାଇ ଗାଇ ପଇସା ମାଗୁଥାନ୍ତି । ଯେଉଁ ଯାତ୍ରୀମାନେ ନିୟମିତ ବସରେ ଯିବା ଆସିବା କରନ୍ତି ସେମାନଙ୍କ ଭିତରୁ ଅଧିକାଂଶ ଏହାକୁ ଏକ ଦୈନନ୍ଦିନ ଘଟଣା ଭାବି ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ । ସେମାନେ ଖବର କାଗଜ ପଢାରେ ହେଉ ଅଥବା ଅନ୍ୟ ଯାତ୍ରୀ ମାନଙ୍କ ସହ ଗପିବାରେ ହେଉ ବ୍ୟସ୍ତ ରହନ୍ତି । ସେଦିନ ମୁଁ ମଧ୍ୟ ଖବରକାଗଜ ପଢାରେ ବ୍ୟସ୍ତ ଥିଲି ।

ମୋ ପାଖରେ ଯେଉଁ ମାଉସୀ ଜଣଙ୍କ ବସିଥିଲେ ସେ ଭଜନ ଶୁଣି ବହୁତ ଖୁସି ହୋଇ ନିଜ ଲୁଗା କାନିର ଗଣ୍ଠି ଖୋଲି ସେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ହାତରେ ଦୁଇ ଟଙ୍କା ଦେଇ ଖୁସିରେ କହିଲେ, ବୁଝିଲ ପୁଅ!ମୋ ପାଖରେ ଆଉ ପଇସା ନାହିଁ,ଏହି ଦି'ଟଙ୍କା ଅଛି । ନିଅ । ଏତିକି କହିଲା ବେଳେ ସେ ବ୍ୟକ୍ତି ଜଣଙ୍କ ଅତି ଆନନ୍ଦରେ ତାକୁ ନେଇ ମୁଣ୍ଡରେ ମାରି ରଖିଥିଲେ । ମୋତେ ଲାଗିଲା ସତେ ଯେମିତି ତାହା ତାଙ୍କ ପାଇଁ ଦୁଇ ଟଙ୍କା ନଥିଲା, ଦୁଇ ଲକ୍ଷ କି ଦୁଇ କୋଟି ଟଙ୍କା ଥିଲା । କାରଣ ସୁଦାମାଙ୍କ ଖୁଦଭଜା ସ୍ନେହ ଓ ପ୍ରେମରେ ଅଭିମନ୍ତ୍ରିତ ହେଲାଭଳି ସେ ଦୁଇ ଟଙ୍କିଆଟା ମାଉସୀର ସ୍ନେହରେ ଭିଜି ଯାଇଥିଲା । ତାପରେ 

ପାନ ଚୋବାଉ ଚୋବାଉ ମାଉସୀ ମୋତେ କହିଲେ , ବୁଝିଲ ପୁଅ! ବସଭଡା ଦଶଟଙ୍କା ଦେଇଥିଲି । ଏ ଦି'ଟଙ୍କା ବସରୁ ଓହ୍ଲେଇଲା ପରେ ପାନ ଖାଇବାକୁ ରଖିଥିଲି । ପାନ ତ ଘରେ ପହଞ୍ଚି ଖାଇଦେଲେ ଚଳିବ କିନ୍ତୁ ଏ ସୁଯୋଗ ଆଉ କଣ ମିଳିବକି? କାହାକୁ କଣ ଦେବାଟା ଯେ ଏକ ସୁଯୋଗ ଓ ଏ ସୁଯୋଗ ସବୁବେଳେ ମିଳେ ନାହିଁ ବୋଲି ମାଉସୀଙ୍କର ଏ ଆଦର୍ଶକୁ ସେଦିନ ହୃଦୟଙ୍ଗମ କରିବାକୁ ଚେଷ୍ଟା କରିଥିଲି । କିନ୍ତୁ ଆଜି ସେ ସୁଯୋଗ ମୋତେ ଜୁଟିଲେ ମଧ୍ୟ ମୁଁ କାହିଁକି ଯେ ତାର ସଦୁପଯୋଗ କରିପାରୁନଥିଲି ସେକଥା ମୁଁ ଏ ପର୍ଯ୍ୟନ୍ତ ବୁଝି 

ପାରୁନଥିଲି ।  


 ଆଜି ଲୋକଟି ମୋତେ ତିନି ତିନି ଥର ପଇସା ଫେରେଇ ଦେବାପରେ ମୁଁ ଭାବିଲି ସେ ବୋଧହୁଏ ପଇସା ନୁହେଁ ଅନ୍ୟ କିଛି ଚାହୁଁଛି । ଯଦି ସେ ଅନ୍ୟ କିଛି ଚାହୁଁଛି ସେ ପ୍ରଥମ ଥର ପଇସା ଫେରେଇଲାବେଳୁ ସେ କଥା କହି ପାରିଥାନ୍ତା । ତିନି ତିନି ଥର ପଇସା ଦେବା ଓ ଫେରେଇବା ପର୍ଯ୍ୟନ୍ତ କଥା ଯାଇ ନଥାନ୍ତା ଓମୁଁ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇ ନଥାନ୍ତି । ଏ ପରିସ୍ଥିତିର ସମାଧାନ ପାଇଁ ମୋ ପାଖରେ ଆଉ 

ଏକମାତ୍ର ଉପାୟ ଥିଲା । ତାହା ହେଉଛି ତାକୁ ଖୋଲାଖୋଲି ଏହାର କାରଣ ପଚାରି ଦେବା ।


ବାଧ୍ୟ ହୋଇ ତାକୁ ପଚାରିଲି, କଣ ଖାଇବାକୁ ପଇସା 

ଦରକାର?କାରଣ ମୁଁ ଭାବୁଥିଲି ଖାଇବାକୁ ଦଶଟଙ୍କା ଯଥେଷ୍ଟ ହେବନାହିଁ ଭାବି ବୋଧହୁଏ ସେ ପଇସାଟା ଫେରାଇ ଦେଇଛି । ଅନେକ ସମୟରେ କିଛି ଲୋକଙ୍କୁ ଅଳ୍ପ ପଇସା ଦେଲେ ସେମାନେ ତାକୁ ଫେରାଇ ଦେଇ ଖାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଚାହିଁଥାନ୍ତି । ତେଣୁ ସେହି ନ୍ୟାୟରେ ସେ କେତେ ଟଙ୍କା ଚାହୁଁଛି ତାର ଏକ ନିର୍ଦ୍ଦିଷ୍ଟ ଉତ୍ତର ତାଠାରୁ ପାଇବା ପାଇଁ ମୁଁ ତାକୁ ଏ ପ୍ରଶ୍ନ ପଚାରିଥିଲି ।


ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଲା, 'ମୋର 

ଖାଇବା ପାଇଁ ପଇସା ଆବଶ୍ୟକ ନାହିଁ କିମ୍ବା ମୁଁ ଅଧିକ ପଇସା ଚାହେଁ ନାହିଁ । ' ମୁଁ ପଚାରିଲି ,ତାହେଲେ ତୁମେ କଣ ଚାହଁ?ସେ କହିଲା ,ତୁମ ଦେବାରେ ମୁଁ ଟିକେ ଶ୍ରଦ୍ଧା ଓ ଆନ୍ତରିକତା ଚାହେଁ । ବିନା ଶ୍ରଦ୍ଧା ଓ ଆନ୍ତରିକତାରେ ଯିଏ ମୋତେ ଯେତେ ପଇସା ଦେଲେବି ମୁଁ ତାକୁ ଗ୍ରହଣ କରେନା । ତୁମେ ଯେଉଁ ତିନି ତିନି ଥର ମୋତେ ପଇସା ଦେଲ ସେଥିରେ ଶ୍ରଦ୍ଧା ଓ ଆନ୍ତରିକତା ନଥିଲା, ଥିଲା କେବଳ ଔପଚାରିକତା । ତେଣୁ ତିନି ଥରଯାକ ସେ ପଇସା ତୁମକୁ ମୁଁଫେରାଇଦେଲି । ତୁମେ ମୋତେ 

ଶ୍ରଦ୍ଧାରେ ଯଦି ଗୋଟିଏ ଟଙ୍କା ବି ଦେଇଥାନ୍ତ ମୁଁ ତାକୁ ଖୁବ 

ଆନନ୍ଦରେ ଗ୍ରହଣ କରିଥାନ୍ତି ।  


ତାର ଏକଥା ଶୁଣି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର 

କେତୋଟି ପଦ ମୋର ସ୍ମରଣ ହେଉଥିଲା ।  

'ସେ ଯେବେ ରେଣୁ ମାତ୍ର ଦେଇ । ମୁଁ ତାହା ବହୁତ ଘେନଇ ।  ଯେ ମେରୁତୁଲ୍ୟ ନାନା ଦ୍ରବ୍ୟେ । ମୋତେ ସମର୍ପଇ ଅଭାବେ ।  ଶ୍ରଦ୍ଧା ନଥାଇ ଅନ୍ତର୍ଗତେ । ମୁଁ ତାହା ଛୁଇଁବି କେମନ୍ତେ । '  ମୁଁ ତାକୁ ପଚାରିଲି, ' ମୋ ଦେବାରେ ଶ୍ରଦ୍ଧା ଓ ଆନ୍ତରିକତା ନଥିଲାବୋଲି ତୁମେ କିପରି ଜାଣିଲ?

ସେ କହିଲା,' ଦେବାରେ ଶ୍ରଦ୍ଧା ଓ ଆନ୍ତରିକତା ଥିଲେ ତାହା

ଦେବାବାଲାର ମୁହଁରେ ଆତ୍ମତୃପ୍ତିର ହସ ମାଧ୍ୟମରେ ପ୍ରକାଶିତ ହୋଇଥାଏ । କିନ୍ତୁ ତିନି ଥରଯାକ ପଇସା ଦେଲାବେଳେ ତୁମ ମୁହଁରେ ଟିକିଏ ବି ହସ ନଥିଲା । ' ତାପରେ ପ୍ରତିଦିନ ଶହଶହ ଲୋକଙ୍କ ସଂସ୍ପର୍ଶରେ ଆସି ଦେବାବାଲାର ମନୋଭାବ ମୁଁ ସହଜରେପଢି ନେଇ ଥାଏ । ପଇସା ନଥିଲେ ମୁଁ ବରଂଉପବାସରେ ରହି ଯାଇପାରେ,କିନ୍ତୁ ଖୁସିରେ କେହି କିଛି ନଦେଲେ ମୁଁ ତାହା ଗ୍ରହଣ କରି ପାରେନାହିଁ । ତାର ଏହି ଆଦର୍ଶକୁ ମୁଁ ମନେ ମନେ ପ୍ରଣାମ ଜଣାଉଥିଲି ।  


  ତାପରେ ସେ ମୋତେ କହିଲା ,'ଏବେ ତୁମେ କୁହ , 

ମୋତେ ପଇସା ଦେଲାବେଳେ ତୁମ ମୁହଁରେ କଣ ଆତ୍ମତୃପ୍ତିର ହସ ଥିଲା ?ସେ ବୋଧହୁଏ ସେହି ଆତ୍ମତୃପ୍ତିର ହସ କଥା କହୁଥିଲା ଯେଉଁ ହସ ସେଦିନ ବସ୍ ଭିତରେ ପାନ ଖାଇବାକୁ ରଖିଥିବା ଦୁଇ ଟଙ୍କାକୁ ସେ ଦିବ୍ୟାଙ୍ଗକୁ ଦେଲାବେଳେ ସେ ମାଉସୀଙ୍କ ମୁହଁରେ ଦେଖିବାକୁ ମିଳିଥିଲା । ତାର ସେ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା । କାରଣ ପ୍ରକୃତରେ ତାକୁ ପଇସା ଦେଲାବେଳେ ମୋର ଶ୍ରଦ୍ଧା ଓ ଆନ୍ତରିକତା ନଥିଲା । କେବଳ ଔପଚାରିକତା ହିଁ ଥିଲା ।  ତେଣୁ ମୋ ମୁହଁରେ ଆତ୍ମତୃପ୍ତିର ହସ ଆସିବ କେଉଁଠୁ? ତାକୁ 'ହଁ' ମାରିବାର ସାହସ ମୋ ପାଖରେ ନଥିଲା କାରଣ ମୁଁ ତା ଆଖିରେ ଧରା ପଡିଯାଇଥିଲି ଓ ମୋ ମୁହଁରେ ଦୁଖଃର ଛାୟା ପରିଷ୍କାର ଭାବରେ ଦେଖା ଯାଉଥିଲା ।


ମୋ ମନର ଦୁଖଃକୁ ପଢିଦେଇ ସେ କହିଲା, ମୁଁ ଜାଣେ, 

ମୁଁ ପଇସା ଫେରେଇ ଦେଇଥିବା ଯୋଗୁ ତୁମ ମନରେ ଦୁଖଃ ହୋଇଛି । କିନ୍ତୁ କଣ କରିବି କୁହ?କୌଣସି ପରିସ୍ଥିତିରେ ବି ମୋ ଆଦର୍ଶକୁ ମୁଁ ବଦଳାଇ ଦେଇପାରିବି ନାହିଁ । ଏବେ ତୁମେ ହସି ହସି ଶ୍ରଦ୍ଧାର ସହିତ ମୋତେ ଯେତିକି ପଇସା ଦେବ ମୁଁ ତାକୁ ଆନନ୍ଦରେ ଗ୍ରହଣ କରିବି । ଏହା କହି ସେ ହସହସ ମୁହଁରେ ମୋ ଆଡକୁ ଚାହିଁଲା ।  

   କିନ୍ତୁ ତାର ଏହି କଥାରେ ମୋର ସମସ୍ୟା ସମାଧାନ 

ହୋଇନଥିଲା ବରଂ ଆହୁରି ବଢି ଯାଇଥିଲା । କାରଣ ପଇସା ନେବାପାଇଁ ସେ ଯେଉଁ ସର୍ତ୍ତ ରଖିଥିଲା ତାକୁ ମୁଁ ପୂରଣ କରି ପାରିବିତ?ଆତ୍ମତୃପ୍ତିର ହସ ହସି ମୁଁ ତାକୁ ପଇସା ଦେଇପାରିବିତ?ଦାନ୍ତ ଦେଖେଇ ଉପରଠାଉରିଆ ହସ ହସି ତା ହାତରେ ପଇସା ଧରେଇ ଦେଇ ମୁଁ ହୁଏତ ତାକୁ କହିପାରେ 'ଖୁସିରେ ମୁଁ ଏ ପଇସା ଦେଉଛି 'କିନ୍ତୁ ଆତ୍ମତୃପ୍ତିର ହସ ହସି ତାକୁ ପଇସା ଦେବାଟା ମୋ ପକ୍ଷେ ଏତେ ସହଜ ନଥିଲା କାରଣ ତାହା ହେଉଛି ଏକ ମାନସିକତା, ଏକ ପ୍ରବୃତ୍ତି । ଯେତେବେଳେ ଚାହିଁଲେ ସେ ମାନସିକତାକୁ ସୃଷ୍ଟି କରାଯାଇ ପାରେନା । ପର୍ବତ କନ୍ଦରରୁ ସ୍ଵତପ୍ରବୃତ୍ତ ଭାବେ ଝରଣାର ପାଣି ଝରି ଆସିଲା ପରି ମଣିଷର ହୃଦୟ କନ୍ଦରରୁ ତାହା ଆପେଆପେ ଝରି ଆସିଥାଏ ।


 ତାପରେ ଆତ୍ମତୃପ୍ତିର ହସକୁ ଚିହ୍ନି ପାରୁଥିବା ଲୋକଟି 

ଆଗରେ ଔପଚାରିକତାର ହସ ହସି ମୁଁ ଆଉ ଉପହସିତ 

ହେବାକୁ ଚାହୁଁନଥିଲି । ତେଣୁ ତା ଆଗରେ ମୁଁ କିଂକର୍ତ୍ତବ୍ୟବିମୁଢ ହୋଇ ଠିଆହୋଇଥିଲି । ତାକୁ ଦେବାପାଇଁ ମୋ ପାଖରେ ହୁଏତ ପଇସା ଥିଲା କିନ୍ତୁ ସେ ଚାହୁଁଥିବା ହସ ନଥିଲା । ସେ କିନ୍ତୁ ଆତ୍ମତୃପ୍ତିର ହସ ହସି ଚାଲିଥିଲା । ମୋତେ ଲାଗିଲା ଯେମିତି କିଛି ନଥାଇ ମଧ୍ୟ ତା ପାଖରେ ସବୁକିଛି ଅଛି କିନ୍ତୁ ସବୁ ଥାଇ ମଧ୍ୟ ମୋ ପାଖରେ କିଛି ନାହିଁ ।  ତାର ସେ ହସ ଆଗରେ ମୋର ଅହଂକାର ଓ ପ୍ରତିପତ୍ତିର ସୁରମ୍ୟ ଅଟ୍ଟାଳିକା ବଜ୍ରାଘାତରେ ପାହାଡ ଭାଙ୍ଗି ଗଲାପରି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଥିଲା । ଭଗବାନ ଶ୍ରୀକୃଷ୍ଣଙ୍କ ଓଜନ ଆଗରେ ଦେବୀ ସତ୍ୟଭାମାଙ୍କର ସମସ୍ତ ହୀରାନୀଳାର ଗହଣାର ଓଜନ 

କମ ଲାଗିଲା ପରି ତାର ସେ ହସର ମୂଲ୍ୟ ଆଗରେ 

ମୋର ବ୍ୟାଙ୍କ ବାଲାନ୍ସ ଓ ଲକର୍ ରେ ଥିବା ସମସ୍ତ 

ଗହଣାର ମୂଲ୍ୟ ଫିକା ପଡି ଯାଇଥିଲା । ତାର ସେ  

ମନଖୋଲା ହସଭଳି ହସ ଟିକେ ହସିବାକୁ ମୁଁ ବିକଳ 

ହୋଇ ଚେଷ୍ଟା କରୁଥିଲି କିନ୍ତୁ ପାରୁ ନଥିଲି । ମୁଁ ସମ୍ପୂର୍ଣ୍ଣ ନିସ୍ଵ ହୋଇ ଭାବୁଥିଲି ତାର ସେ ମନଖୋଲା ହସରୁ ମୋତେ ଟିକେ ଦିଅନ୍ତାକି !ମୋତେ ଲାଗୁଥିଲା ସେ ଯେପରି ମୋତେ କିଛି ମାଗୁନାହିଁ ବରଂ ତାର ସେ ଆତ୍ମତୃପ୍ତିର ହସରୁ ଟିକିଏ ପାଇବା ପାଇଁ ମୁଁ ତା ଆଗରେ ହାତପାତି ଠିଆ ହୋଇଛି ।  ମୁଁ ସତକୁ ସତ ତା ଆଗରେ ଏକ ବଡ ଭିକାରୀ ପାଲଟି ଯାଇଥିଲି ।  


ମୋର ଅସହାୟତା ବୁଝିପାରି ସେ ମୋ ପାଖରୁ ହସିହସି 

ଦୂରକୁ ଚାଲି ଯାଉଥିଲା । ଏପଟେ ବସ୍ ଅଟକିବା ଶବ୍ଦ ଶୁଣି ମୁଁ ଏକ ଭାରାକ୍ରାନ୍ତ ମନ ନେଇ ବସ୍ ନିକଟକୁ ଅଗ୍ରସର ହେଉଥିଲି । ଆଜି ମଧ୍ୟ ଯେତେବେଳେ ମୁଁ ବସନ୍ତପୁର ଦେଇ ଯାଏ ମୋତେ ଲାଗେ ମୁଁ ଯେମିତି ସେହିଠାରେ ସେ ଲୋକଟି ଆଗରେ ଆତ୍ମତୃପ୍ତିର ହସ ଟିକିଏ ମାଗିବା ପାଇଁ ହାତପାତି ଭିକାରୀଟିଏ ଭଳି ଠିଆ ହୋଇଛି ।  



Rate this content
Log in

Similar oriya story from Inspirational