ABhimanyu Panda

Inspirational

4  

ABhimanyu Panda

Inspirational

ଭିକାରୀ ପଥେ

ଭିକାରୀ ପଥେ

11 mins
505


ସାମାଜିକ ଭାବେ ସ୍ବୀକୃତିପ୍ରାପ୍ତ ଶିକ୍ଷିତ ନହୋଇଥିଲେବି ପ୍ରତ୍ୟେକ ବାପା ମା ସେମାନଙ୍କ ପିଲାମାନଙ୍କ ଲାଗି କିଛି ନିର୍ଦ୍ଦିଷ୍ଟ ସମୟ ଲାଗି ଥାନ୍ତି ସର୍ବଜ୍ଞ । ଶିକ୍ଷା ଅପେକ୍ଷା ଅନୁଭବ ମଣିଷକୁ ଅନେକ କଥା ଶିଖାଇଦିଏ ସମାୟାନୁସାରେ । ଶିକ୍ଷା ଏତେ ବ୍ୟାପ୍ତ ଯେ କେହିଜଣେ ପୂର୍ଣଶିକ୍ଷିତ ହେବା ଅସମ୍ଭବ ପ୍ରାୟ । ଜଣେ କେବଳ ଗୋଟିଏ ବିଷୟରେ ସମ୍ପୂର୍ଣ୍ଣ ଶିକ୍ଷିତ ହେବାକୁ ପୁରା ଜୀବନଟା ବି କମ ପଡ଼ିଯାଏ । କିନ୍ତୁ ପିତାମାତାଙ୍କ ପାଖରୁ ମିଳିଥିବା ଶିକ୍ଷା ଜୀବନର ପ୍ରତିଟି ମୁହୂର୍ତ୍ତରେ କାମରେ ଲାଗେ । ତେଣିକି ସେ ସାମାଜିକ ହେଉ କି ବୈଷୟିକ ଶିକ୍ଷା ହେଉ ଅବା ଆଧ୍ୟାତ୍ମ ହେଉ । 

.ସେ ଶିକ୍ଷାକୁ ସଂସ୍କାର ଭାବେ ଗ୍ରହଣ କରିଥାଉ ଆମେ ସମସ୍ତେ । ମଣିଷର ସାମାନ୍ୟ ବିପରୀତ ବ୍ୟବହାରରେ ସମସ୍ତେ କେବଳ ସେଇ ମୂଳଶିକ୍ଷା ସଂସ୍କାରକୁ ହିଁ ଆକ୍ଷେପ କରିଥାନ୍ତି । ଆଧ୍ୟାତ୍ମ ଶିକ୍ଷା ମୁଖ୍ୟତଃ ଦେଖିଦେଖି ଶିଖନ୍ତି ପିଲାମାନେ ନିଜର ଅଭିଭାବକ ମାନଙ୍କ ପାଖରୁ । ସାଧାରଣ ଭାବେ କେମିତି ନମସ୍କାର କରାଯାଏ ପ୍ରାର୍ଥନା କରାଯାଏ ଏମିତି ଅନେକ । 

: ବୟସାନୁପାତରେ ଜଣେ ନିଜ ଭିତରେ ଅନେକ ପରିବର୍ତ୍ତନ ଆଣେ ସମାଜ ସହିତ ନିଜକୁ ଖାଆଖୁଆଇ ଚଲେଇବା ପାଇଁ । ଗୁରୁ ଗୁରୁଜନ ମାନଙ୍କ ପ୍ରତି ବ୍ୟବହାର ତତସଙ୍ଗସଙ୍ଗେ ଦେବାଦେବୀ ଓ ଦେବାଳୟ ମାନଙ୍କ ମହତ୍ତ୍ୱ ବିଷୟରେ ନାନା ଉଦାହରଣ ମାନ ଦେଇ ବୁଝେଇ ଦିଅନ୍ତି ଅଭିଭାବକ ମାନେ । ଯାହାଦ୍ୱାରା କୋମଳମତିର ପିଲାଟିର ସର୍ବାଙ୍ଗୀନ ବୌଦ୍ଧିକ ବିକାଶ ହୁଏ । 

: .ମୋ କଥା ସାମାନ୍ୟ ଭିନ୍ନ ଥିଲା । ଈଶ୍ୱର କଣ କେମିତି ଆଉ କିଏ ବୋଲି ମନରେ ଜିଜ୍ଞାସା ଆସିଲା ବେଳେ ଯେଉଁ ପ୍ରଶ୍ନ ଉଙ୍କି ମାରିଥିଲା ମନରେ ତାର ଉତ୍ତରରେ ଏତିକି ମିଳିଲାଯେ ଈଶ୍ୱର ହେଉଛନ୍ତି ଏକ ଅନୁଭବ । ସେ ସର୍ବବ୍ୟାପୀ । 


: ମନ୍ଦିରରେ ଈଶ୍ୱର ଅଛନ୍ତିକି ?


:  ଏ ପ୍ରଶ୍ନର ଉତ୍ତରରେ ସିଧା ମନା କରାଯାଇନଥିଲା କି ମନ୍ଦିରରେ ଈଶ୍ୱର ନାହାଁନ୍ତି ବୋଲି କିନ୍ତୁ ସ୍ୱୀକାର ଓ ଦୃଢୋକ୍ତି ମଧ୍ୟ ଦିଆଯାଇନଥିଲା କି ମନ୍ଦିରରେ ହିଁ ଈଶ୍ୱର ଅଛନ୍ତି ବୋଲି । କିନ୍ତୁ ମନ୍ଦିର ମଠ ପ୍ରଭୃତି ପବିତ୍ର ସ୍ଥାନ ଯେଉଁଠି ଈଶ୍ୱରଙ୍କ ସତ୍ତା ସହଜେ ଅନୁଭବ କରିହୁଏ ଆଉ ମାନସିକ ଶାନ୍ତି ମଧ୍ୟ ମିଳେ ସେସବୁ ପବିତ୍ର ସ୍ଥାନରେ । ଈଶ୍ୱରଙ୍କୁ ଖୋଜିବା ଅପେକ୍ଷା ସାଂସାରିକ କର୍ମ ପରେ ଯଦି ଈଶ୍ୱରୀୟ କର୍ମ କିଛି କରାଯାଏ ତାହେଲେ ଈଶ୍ୱରୀୟ ଅନୁଭବ ଆସିବାର ସମ୍ଭାବନା ଯଥେଷ୍ଟ ଅଧିକ । ଜୀବ ମାତ୍ରକେ ଦୟା ଓ ପ୍ରତ୍ୟେକ ଜୀବନରେ ଈଶ୍ୱର ବିଦ୍ୟମାନ ବୋଲି ଏକଥାକୁ ଦୃଢ଼ତାର ସହିତ ବାରମ୍ବାର କୁହାଯାଇଛି । 

ତେଣୁ ପିଲାଟି ବେଳୁ ମନ୍ଦିର ଓ ମନ୍ଦିରର ଦେବତା ମାନଙ୍କ ପ୍ରତି ସେମିତି କିଛି ଆକର୍ଷଣ ମନରେ ଆସିନି । ତଥାପି ମନ୍ଦିର ଯିବା କିମ୍ବା ଦିଅଁ ଦର୍ଶନ କରିବାରେ କୌଣସି ବିରୋଧାଭାସ କିମ୍ବା ଦ୍ଵିଧା ବି ମନରେ ଆସିନି । ଈଶ୍ୱର ସର୍ବ ଶକ୍ତିମାନ , ସର୍ବ ବିଦ୍ୟମାନ ଓ ସର୍ବ ସଂମ୍ପନ୍ନ ଏଥିରେ କୌଣସି ଦ୍ବିମତ ବି ନାହିଁ । ଜୀବନ କାଳ ଭିତରେ ସମସ୍ତେ କେବେନା କେବେ ନିଶ୍ଚିତ ଭାବେ ଦେବଦର୍ଶନାର୍ଥେ ମନ୍ଦିର ଯାଇଥିବେ କିଛି ସାତ୍ଵିକ ଅନୁଭୂତି ବି ସାଉଁଟି ଥିବେ ନିଶ୍ଚୟ । କେବେକେବେ ଏମିତି ସଂଯୋଗ ହୁଏ ଯେମିତି କିଛି ଅଦୃଶ୍ୟ ଶକ୍ତି ଆମ କ୍ଷମତା ବାହାରର ଆମ ଚିନ୍ତା ଚେତନାର ଉର୍ଦ୍ଧରେ ଅନେକ କାର୍ଯ୍ୟ ସମ୍ପନ୍ନ କରିଦିଏ ଯାହାକୁ ଆମେ ଈଶ୍ୱରଙ୍କ ସଂଜ୍ଞା ଦେଇଦେଉ । ହେଇପାରେ ସେହିଁ ଭଗବାନ । ବିଶ୍ୱାସରେ ହରି । 

: ଓଡ଼ିଆ ଜାତିରେ ଜନ୍ମ ନେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଦୁର୍ବଳତା ରହିବା ସ୍ୱାଭାବିକ । ମୋର ମଧ୍ୟ ଅଛି । କେତେଥର ପୁରୀ ଯାଇଛି । ସେ ବାତାବରଣ ନିଆରା । ପୁରୀରେ ପହଞ୍ଚିଲା ପରେ ମୁଁ ଟା କୁଆଡ଼େ ଉଭେଇ ଯାଏ । ସେ ଆଉ ତୁ ଘର କରିନିଏ ମନରେ । ପ୍ରାୟ ଆଈ ବୁଢ଼ୀ ସାଙ୍ଗରେ ପୁରୀ ଯାଏ । ବୁଢ଼ୀ ଲୋକ ପୁରୀରେ ପଞ୍ଚୁକ କରିବ ସାଙ୍ଗରେ କେହିଜଣେ ଦରକାର ମୁଁ ଥିଲେ ଖୋଜା ପଡ଼ିବାଟା ଧାର୍ଯ୍ୟ । ମୋ କାମ ହେଲା ରହିବା ଜାଗାରୁ ବୁଢ଼ୀକୁ ମନ୍ଦିର ନେବା ଆଣିବା କରିବା । ସତକହିବାକୁ ଗଲେ ଆଇମୋର ଏବେବି ସମର୍ଥ । ମୁଁ ତାର କୌଣସି ଦାୟିତ୍ୱ ନିଏନି ବରଂ ସେ ମୋ ଦାୟିତ୍ୱ ନିଏ ସବୁ । 

.ତାକୁ ମନ୍ଦିରରେ ଛାଡ଼ିଦେଲା ପରେ ମୋର ଆରମ୍ଭ ହେଇଯାଏ ବୁଲିବା ଏଣେତେଣେ । ଏଣେତେଣେ କହିଲେ ମୁଁ ଚାଲିଆସେ ବଡ଼ଦାଣ୍ଡକୁ । ସେପୁଣି ନିଜସ୍ୱ ଏକ ଅଦ୍ଭୁତ ଯୁକ୍ତିରେ । 


.ଯୁକ୍ତିଟି ଏମିତି । ଧରି ନିଆଯାଉ ଯଦି ଆମକୁ ଜଣେ ଅଫିସରଙ୍କ କୋଠରୀ ଭିତରରକୁ ପ୍ରବେଶ କରିବାକୁ ହୁଏ , କେତେ ତେଲମରା ଲାଞ୍ଚ ବି ଦେବାକୁ ହୁଏ ସେପୁଣି ମୋଭଳି ଜଣେ ସାଧାରଣ ମଣିଷ । ତେବେ ଯିଏ ଜଗତର ନାଥ , ଯିଏ ସର୍ବଶକ୍ତିମାନ , ଯିଏ ସର୍ବେଶ୍ୱର ବିନା ଅନୁମତିରେ ତାଙ୍କ ଘରକୁ ମୁଁ କାହିଁକି ଯିବି ? ଏ ଯୁକ୍ତି ସମ୍ପୂର୍ଣ୍ଣ ରୂପେ ମୋ ନିଜସ୍ୱ । ଯାହାଙ୍କୁ ବି ଏ ବିଷୟରେ ପ୍ରଶ୍ନ କରିଛି ସନ୍ତୋଷ ହେଲାଭଳି ଉତ୍ତର ପାଇନି । 

: ଅଧିକାରୀ ପାଳଟିଥିବା ସାଧାରଣ ମଣିଷଟିଏର କୋଠରୀକୁ ବିନା ଅନୁମତିରେ ପଶିଗଲେ ଗଳାଧକା ଦେଇ ବାହାର କରିଦିଆଯାଏ । ତେବେ ଏ ତ ମହାକାଳ , ଜମିଦାର ବାବୁଙ୍କ ଦୁଆରକୁ ବି ବିନା ଡକାରରେ ଯିବାକୁ ମନରେ ଏବେବି କୁଣ୍ଠାବୋଧ । ଯିଏ ସର୍ବ ସମ୍ପନ୍ନ ତାଙ୍କ ଘରକୁ ଏମିତି ଅବାଧରେ ଧସେଇ ପଶିଯିବି କେମିତି ? ଯେତେ ଯିଏ ମହାନ ଭକ୍ତର ପରିଚୟ ପାଇଛନ୍ତି ସେମାନେ କେହିତ ଏମିତି ଧସେଇ ପଶି ନାହାଁନ୍ତି ? ସମସ୍ତେ ବାହାରୁ ମାନ୍ୟତା ପାଇଲା ପରେ ଭିତରେ ପ୍ରବେଶ କରିଛନ୍ତି , ତେବେ ମାନ୍ୟତା ପାଇବାର ଇଛା ନାହିଁ କି ବିନା ଅନୁମତିରେ ବି ପ୍ରବେଶର ଲାଳସା ନାହିଁ । ତେଣୁ ସିଧା ବଡ଼ଦାଣ୍ଡ । 

: କେତେକେତେ ଭକ୍ତ ଏଇ ବଡ଼ଦାଣ୍ଡ ଦେଇ ଆସିଛନ୍ତି ଆଉ ଏବେବି କେହିତ ଭକ୍ତ ଆସୁଥିବେ ଏଇ ବଡ଼ଦାଣ୍ଡରେ । ବଡ଼ଦାଣ୍ଡ ଦେଇ ଚାଲିଗଲା ବେଳେ ଭକ୍ତଙ୍କ ପାଦଧୂଳି ଟିକେତ ମଥାରେ ଲାଗିବ ପବନ ଦ୍ୱାରା ଉଡ଼ିଆସି । ସେବି ଭାଗ୍ୟରେ ଥିଲେ । କଥାରେ ଅଛି କୃଷ୍ଣଙ୍କୁ ଡାକି କିଏ ପାଇଛି !!? ଯିଏ ବି ପାଇଛି ଗୋପୀମାନଙ୍କ ମାଧ୍ୟମରେ ପାଇଛି । ତେଣୁ ଯଦି ଖୋଜିବାରେ ଅଛି ତେବେ ଗୋପୀମାନଙ୍କୁ ଖୋଜ କୃଷ୍ଣଙ୍କୁ ନୁହେଁ । କୃଷ୍ଣତ ସବୁଆଡ଼େ ବିଦ୍ୟମାନ ହେଲେ ଗୋପୀ ସୀମିତ ଆଉ ବିରଳ ମଧ୍ୟ ଯାହାଙ୍କ ପଛେପଛେ କୃଷ୍ଣ । 

: ବଡ଼ଦାଣ୍ଡକୁ ଆସିଲା ପରେ ଚକା ପକାଇ ବସିଯାଏ ସେ ଧୂଳିଗଙ୍ଗାର ବକ୍ଷରେ । ତଥାକଥିତ ଭିକାରୀ ମାନଙ୍କ ଧାଡ଼ିରେ । ଦେବ ସ୍ଥାନ ସହିତ ଦାନର ମହତ୍ତ୍ୱ କଣ ଥାଏ ତାର ସଠିକ ଅର୍ଥ ମୁଁ ଆଜିଯାଏ ବୁଝିପାରିନି । ଆସୁଥିବା ଦର୍ଶନାର୍ଥୀ ମାନେ ଦାନ କରିଚାଲନ୍ତି ନିଜର ସାମର୍ଥ୍ୟ ଅନୁସାରେ ଭିକାରୀ କୁହାଯାଉଥିବା ମଣିଷ ମାନଙ୍କୁ ହାତଖୋଲି । ଦାତା ପଦବାଚ୍ୟ କରନ୍ତି ନିଜକୁ । ଆତ୍ମସନ୍ତୋଷ ମିଳେ ମଧ୍ୟ ଯାହା ଦାତା କହୁଥିବା ମଣିଷ ମାନଙ୍କ ମୁହଁରୁ ସ୍ପଷ୍ଟ ବାରିହେଇପଡ଼େ । ଏଠି ଭିକାରୀର ସଂଜ୍ଞା ମଧ୍ୟ ସନ୍ଦେହରେ । ଆସୁଥିବା ଦାନୀ ଦର୍ଶନାର୍ଥୀ ମାନଙ୍କ ଭିତରୁ କେହିକେହି ମୋ ଆଗରେ ମଧ୍ୟ କଏନ ଆଉ ନୋଟ ପକେଇ ଦିଅନ୍ତି ,, ସେମାନଙ୍କର ଦାତାପଣିଆର ମନୋଭାବକୁ ଚରିତାର୍ଥ କରିବାପାଇଁ । ମନେମନେ ଖୁବ ହସେ ଆଉ ମିଳିଥିବା ପଇସାକୁ ସେ ସ୍ଥାନର ପୁରୁଣା ଅଧିକାରୀ ମାନଙ୍କୁ ଦେଇଦିଏ । ସେମାନେ ବି ଖୁସ ମୁଁ ବି ଖୁସ । ଥରେ କାର୍ତ୍ତିକ ମାସର ବିଳମ୍ବିତ ଅପରାହ୍ଣରେ ବସିଥାଏ ମୋ ମନ ପସନ୍ଦର ଜାଗାରେ । 

: ଶୀତୁଆ ସୁଲୁସୁଲିଆ ପବନ ବହୁଥାଏ । ଆଖିଆଗରେ ଅନେକ ଆଗନ୍ତୁକ ଭକ୍ତ । ହେଲେ ଆଖିମୋର ଦେଖୁଥାଏ କିଛି ଭିନ୍ନ । ଏକଥା ନୁହେଁଯେ ସେ ଭିନ୍ନତାକୁ ମୁଁ ପ୍ରଥମକରି ଦେଖୁଥିଲି । କିନ୍ତୁ ସେଦିନ ସେ ଦୃଶ୍ୟରେ ମୋତେ ଭିନ୍ନତା ପ୍ରଥମ କରି ଦୃଶ୍ୟମାନ ହେଉଥିଲା । ଜଣେ ମଧ୍ୟବୟସ୍କା ମହିଳା ଧାଡ଼ିରେ ବସିଥିବା ଭିକାରୀ ମାନଙ୍କୁ କିଛିକିଛି ଖୁଚୁରା ପଇସା ଦେଇ ଆସୁଥାନ୍ତି । ମୋ ଆଡ଼କୁ ଦଶ ଟଙ୍କିଆ ନୋଟ ଖଣ୍ଡେ ବଢ଼େଇଦେଲେ । ତାଙ୍କ ଦାନକୁ ଲକ୍ଷ୍ୟ ନଦେଇ ମୁଁ ମୋର ଦୃଷ୍ଟିକୁ ସ୍ଥିର ରଖିଥାଏ ଭିନ୍ନତା ଉପରେ । ସେ ମହିଳା ଜଣକ ସେ ଦଶଟଙ୍କିଆ ନୋଟକୁ ମୋ ଆଗରେ ପକେଇ ଦେଲେ ମୋ ଉଦ୍ଦେଶ୍ୟରେ । ନିଜେ ଆଗକୁ ବଢ଼ିଗଲେ । କଣ ଭାବିଲେ କେଜାଣି ପୁଣି ଫେରିଆସିଲେ ମୋ ସାମ୍ନାକୁ । 


: ଏଠି କାହିଁକି ବସିଛ ? ଲାଜ ଲାଗୁନି ତୁମକୁ ଭେଣ୍ଡିଆ ଟୋକା ହେଇ ଭିକ ମାଗୁଛ ? 


: କିଛି ଉତ୍ତର ନଦେଇ ପକେଟରୁ ଦଶଟଙ୍କା ବାହାର କରି ତାଙ୍କ ଆଡ଼କୁ ବଢ଼େଇ ଦେଲି । ମହିଳା ଜଣକ ଦ୍ଵନ୍ଦ୍ୱରେ ପଡ଼ିଗଲେ । ବିନା ଶବ୍ଦରେ ମୋର ବ୍ୟବହାର ଭଲ ଲାଗିଲାନି ତାଙ୍କୁ । ତାଙ୍କ ଦାତାପଣିଆକୁ କ୍ଷଣିକ ଭିତରେ ମୁଁ ମକଚି ଦେଇଥିଲି । ବସିଗଲେ ଝୁକିପଡ଼ି । 


: ଏଠି କାହିଁକି ବସିଛ ? ପୁନର୍ବାର ପଚାରିଲେ । 


: ଆପଣ ଜଗନ୍ନାଥଙ୍କ ଦର୍ଶନରେ ଆସିଛନ୍ତି !? ଯାଆନ୍ତୁ । ମୁଁ ମୋ ଆଈକୁ ସାଙ୍ଗରେ ଆଣିଛି ବୁଲେଇବାକୁ । 


: ତମେ ଭିକ ମାଗୁଛ କାହିଁକି ? 

: ମୁଁ ଭିକ ମାଗିନି ବଡ଼ଦାଣ୍ଡର ଧୂଳିରେ ବସିଛି ମାତ୍ର । ଆପଣ ମୋ ଭିତରର ଭିକାରୀକୁ ଦେଖିଲେ । 


: ତମେ ଜଗନ୍ନାଥଙ୍କ ଦର୍ଶନ କରିବନି ? 


: ନାଇଁ ଆପଣ ସ୍ବତନ୍ତ୍ରଭାବେ ଅନୁମତି ପାଇ ଆସିଛନ୍ତି ଠାକୁରଙ୍କ ଦର୍ଶନ କରିବାକୁ , ମୁଁ ଏବେବି ଅନୁମତିର ଅପେକ୍ଷାରେ । 


: ଏଠି ବସିଵାରେ ତମକୁ ଲାଜ ଲାଗୁନି ? ଏ ଯୁବାବସ୍ଥାରେ ଭିକ ମାଗିବାଟା ଶୋଭା ଦେଉଛି କି ତୁମକୁ ? 


: ଦାନୀ ମହାଶୟା ଆପଣ ଦେଇଥିବା ଅର୍ଥ ମୁଁ ଫେରେଇ ସାରିଛି ଆପଣ ଆପଣଙ୍କ କାମରେ ଯାଆନ୍ତୁ ମୋତେ ମୋ କାମ କରିବାକୁ ଦିଅନ୍ତୁ ଦୟାକରି । 


: ମୋ ପ୍ରଶ୍ନର ଉତ୍ତର ଦରକାର ମୋତେ । ମହିଳା ଜଣକ ଜିଦି କରି କହିଲେ । 


: ଆଜ୍ଞା ଆପଣ ମୋତେ ସିନା ଦଶଟଙ୍କା ଦେଇ ମୋ ଆଖିରେ ନିଜର ଦାନୀ ପଣର ପ୍ରତିଛବି ଦେଖି ଆତ୍ମଗର୍ବରେ ଫାଟି ପଡ଼ିଲେ । ପୁଣ୍ୟ ଅର୍ଜନର ମିଥକରେ ନିଜର ପିଠି ଥାପୁଡ଼େଇଲେ ହେଲେ ଆପଣ ବି ଗୋଟେ ଲମ୍ବା ତାଲିକା ପ୍ରସ୍ତୁତ କରିଥିବେ ଜଗନ୍ନାଥଙ୍କ ଲାଗି ? ପିଲାମାନଙ୍କର ଭବିଷ୍ୟତ , ପିତାମାତାଙ୍କ ରୋଗ ବୈରାଗ୍ୟ ଘର ତୋଳେଇବା ଆହୁରି ଅନେକ , ସୀମାହୀନ ଲାଳସାର ଅନନ୍ତ ଫର୍ଦ୍ଦ ସବୁ । ଏଠି ଦଶ ଟଙ୍କିଆଟେ ଦେଇ କୋଟିକୋଟିର ମାଗୁଣି କରିବାକୁ ଧାଇଁ ଆସିଛନ୍ତି । 


: ତମେ କଣ କିଛି ମାଗିବନି ଜଗାକୁ ?


:  ଆଜ୍ଞା ଆପଣଙ୍କ ପରି ମୋର ବି ଅଭିଭାବକ ମାନେ ଅଛନ୍ତି ସେମାନେ ମୋ ବିଷୟରେ ସର୍ବଦା ଚିନ୍ତିତ । ଏଇ ଯେମିତି ମୋ ଆଈ ମନ୍ଦିର ଯାଇଛି ଏ ବୟସରେ ସେ ତ ଆଉ ତା ନିଜପାଇଁ କିଛି ମାଗିବନି , ମୋ ବିଷୟରେ ହିଁ କହିବ ଜଗନ୍ନାଥଙ୍କୁ । ଯେହେତୁ ଏତେଲୋକ ଅଛନ୍ତି ମୋ ବିଷୟରେ ଚିନ୍ତା କରିବାକୁ ମୁଁ କାହିଁକି ମାଗିବି ତାଙ୍କୁ । ମୁଁ ତ ଏତିକି କୁହେ ମୋ ଆଈର ଇଚ୍ଛା ମୋ ଅଭିଭାବକ ମାନଙ୍କର ଇଚ୍ଛା ପୁରଣ ହେଉ । 

: ତାପରେ ସେ ହେଉଛନ୍ତି ସମସ୍ତଙ୍କର ପିତା ମୋର ମଧ୍ୟ । ମୋର ବର୍ତ୍ତମାନ ପରିସ୍ଥିତିରେ ଯଦି ମୋ ପିତା ବୋଲାଉଥିବା ଜଗନ୍ନାଥେ ଖୁସି ଅଛନ୍ତି ମୁଁ ଦୁଃଖ କରି କଣଟା ଓଲଟେଇ ପକେଇବି ? ଯେହତୁ ଏ ସ୍ଥାନ ତାଙ୍କ ବାସସ୍ଥାନ ଭାବେ ପରିଚିତ ତେଣୁ ଏଠି ତାଙ୍କୁ ଛାଡ଼ିଲେ ସମସ୍ତେ ଭିକାରୀ । ଭିକମାଗିବାକୁ ଏଇ ବଡ଼ଦାଣ୍ଡ ହିଁ ଧାର୍ଯ୍ୟ ସ୍ଥାନ ରୂପେ ଅଭିହିତ ହୋଇଛି । ସମସ୍ତେଯେ ଅର୍ଥ କାମନାର ଭିକାରୀ ଏଇ ମାନସିକତା କିଏ ବାହାର କରିବ ଆପଣଙ୍କ ମନରୁ ?


: ତାହେଲେ ତମେ ଏଠି କଣ ପାଇଁ ବସିଛ ? କେଉଁ କାମନାର ଚରିତାର୍ଥ ଆଶାରେ ଏଠି ବସିଛ ? ତାହେଲେ କେଉଁମାନଙ୍କୁ ଦର୍ଶନର ଅନୁମତି ଅଛି ମନ୍ଦିରରେ ? 

: ଆଜ୍ଞା ଏତେ କଥା ତ ମୁଁ ଜାଣିନି । କିନ୍ତୁ ଶୁଣିଛି ପୁରୁଷ ରୂପେ ତାଙ୍କୁ ବ୍ରାହ୍ମଣ ଆଉ ଗୋପୀମାନେ ହିଁ ଅବାଧରେ ଦର୍ଶନ କରିପାରିବେ । 

ପୁରୁଷ ରୂପେ ଅର୍ଥାତ !? 


: ଆଜ୍ଞା ଓଠରେ ଲାଳିମା ନାକରେ ବସୁଣୀ ଜଣେ ସ୍ତ୍ରୀ ହିଁ ଲଗାଏ । ତେଣୁ ନାରୀ ରୂପେ ଦର୍ଶନ କରିବାକୁ ହେଲେ ସ୍ୱୟଂ ଦେବଦେଵ ମହାଦେବ ହେବାକୁ ପଡ଼ିବ ସେପୁଣି ପାଦତଳେ । ନଚେତ ଗଣେଶ ଆହୁରି ମଧ୍ୟ ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦ ଏମାନେ ନାରୀ ରୂପେ ଦର୍ଶନକୁ ସମର୍ଥ ହେଇଛନ୍ତି । ପୁରୁଷ ରୂପେ ଦେଖିବାକୁ ହେଲେ ଗୋପୀ ହେବାଟା ଧାର୍ଯ୍ୟ । 


: ତମେ ଏଠି କାହାକୁ ଖୋଜୁଛ ? 


: ଶୁଣିଛି ଯେଉଁଠି ଗୋପୀ ନଥାନ୍ତି ସେଠି କୃଷ୍ଣ ବି ନଥାନ୍ତି । କୋଟିକୋଟି ଲୋକଙ୍କର ବିଶ୍ୱାସ ଏଠି କୃଷ୍ଣ ଅଛନ୍ତି ଯେତେବେଳେ ଗୋପୀମାନେ ବି ନିଶ୍ଚୟ ଅଛନ୍ତି ଏଠି । ଯଦି ସେମିତି କିଛି ସୌଭାଗ୍ୟ ଥିବ , ମୋର ମନରେ ଥିବା ଗୋପୀ ଦର୍ଶନର ଭିକାରୀପଣ ନିଶ୍ଚୟ ଦୂର ହେବ । 

: ଆପଣ ଯାଆନ୍ତୁ ଆପଣଙ୍କ ଦର୍ଶନ ସାରି ଆସନ୍ତୁ । ହଁ ଆଉ ଗୋଟିଏ କଥା ଆପଣ କୃଷ୍ଣଙ୍କୁ ଖୋଜିଲେ କଣ ? ହେବ ଯେ ପର୍ଯ୍ୟନ୍ତ କୃଷ୍ଣ ଆପଣଙ୍କୁ ଖୋଜିନାହାଁନ୍ତି ଆପଣ ଏମିତି ଲୋକଦେଖାଣିଆ ଦାନୀ ହେଇକି ରହିଥିବେ । ଯେବେ କୃଷ୍ଣ ଆପଣଙ୍କୁ ଖୋଜିଖୋଜି ଆପଣଙ୍କ ଦାନ ଗ୍ରହଣ କରିବାକୁ ଆସିବେ ସେତେବେଳେ ଆପଣଙ୍କ ମନରେ ଲୁଚି ରହିଥିବା ଭିକାରୀ ଆପେଆପେ ସମ୍ପନ୍ନତାକୁ ପ୍ରାପ୍ତ ହେଇଯିବ । ଏସବୁର ଉଦାହରଣ ଆପଣଙ୍କୁ ଦେବାକୁ ପଡ଼ିବନି । ମହିଳା ଜଣକ କିଛି ସମୟ ନୀରବ ରହିଲେ । 


: ଏଠି କେତେ ସମୟ ଅଛ ତମେ ? 


: ଆପଣ ଆସନ୍ତୁ ମୁଁ ଅଛି ଏଇଠି । 


: ଚାଲିଗଲେ ମହିଳା ଜଣକ ନିଜର ଲମ୍ବା ଲାଳସାର ଚିଠା ଖୋଲିବାକୁ କାଳିଆ ସାଆନ୍ତଙ୍କ ପାଖକୁ । ପୁଣି ଦୃଷ୍ଟି ଫେରେଇ ଆଣି ସ୍ଥିର କରିଦେଲି ସେଇ ଭିନ୍ନତା ଉପରେ ଯାହା ମୋ ଆଖି ଆଗରେ ଘଟି ଚାଲିଥିଲା । 

: ପୁରୀରେ ଥିବା ନାନା ମଠ ମାନଙ୍କରୁ କୀର୍ତ୍ତନ ମଣ୍ଡଳୀ ମାନେ ବଡ଼ ଦାଣ୍ଡରେ ପ୍ରଭୁନାମ ଗାଇଗାଇ ବାତାବରଣକୁ କୃଷ୍ଣମୟ କରିଦିଅନ୍ତି । ଏମିତି ଏକ କୀର୍ତ୍ତନ ମଣ୍ଡଳୀ ଉପରେ ମୋ ଆଖି ଅଟକି ରହିଥିଲା । ସେମାନଙ୍କର ଭାବଭଙ୍ଗୀମା ଅହେତୁକ ଭାବେ ଆକର୍ଷିତ କରୁଥିଲା ମୋତେ । ରାଧେଶ୍ୟାମ ସାଙ୍ଗକୁ ହରିବୋଲର ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ । କାହିଁକି କେଜାଣି ଚେଷ୍ଟା କରିବି ଆଖି ଫେରାଇ ପାରୁନଥିଲି ସେ ଦୃଶ୍ୟରୁ । ମୋ ଭିତରେ ମୁଁ ଦୁଇଟି ଶରୀରରେ ପରିଣତ ହେଇସାରିଥିଲି । ଗୋଟିଏ ବସିରହିଥିଲା ବଡ଼ଦାଣ୍ଡରେ ଆଉ ଗୋଟିଏ ସେଇ କୀର୍ତ୍ତନମଣ୍ଡଳୀର ଅଂଶବିଶେଷ ହେଇସାରିଥିଲା । ଆଖିମୋର ଆପେଆପେ ସଜଳ ହେଇଯାଇଥିଲା । ଦୁଃଖର ତ ପ୍ରଶ୍ନ ଉଠୁନଥିଲା ହେଲେ ସେ ସୁଖର ଅନୁଭବକୁ ଆତ୍ମସାତ୍ କରିବାର କ୍ଷମତା ମୋର ନଥିଲା । 


କଣ ଦେଖୁଛୁ ? କାହାକୁ ଦେଖୁଛୁ ? କେହି ଜଣେ ମୋ କାନ ପାଖରେ ପଚାରିଲେ । 


ଏମାନଙ୍କ ଭିତରେ ରାଧାରାଣୀ କିଏ ? ଯିଏ ମୋଟାମୋଟା ନିଷରଖି ମୁଣ୍ଡରେ ଗାମୁଛା ପକେଇ ଲାଜେଇ ଯାଉଛି ନା ଯିଏ ଅଣ୍ଟାକୁ ହଲେଇ ପାଗଳଙ୍କ ପରି ନାଚୁଛି ? 


ଆରେ ବାଇଆ ସମସ୍ତେ ରାଧା ସେଠି । 


: ତାହେଲେ ବିନା କୃଷ୍ଣରେ ରାଧାକଣ ଏମିତି ମତୁଆଲା ହେଇ ନାଚିପାରିବେ ? କେମିତି ସମ୍ଭବ ଏ ? ସେ ଯେଉଁ ପ୍ରୌଢ଼ ଜଣକ ହାତରେ ବଇଁଶୀର ମୁଦ୍ରାକରି ଏପଟସେପଟ ଘୁରିବୁଲୁଛନ୍ତି ସେଇ କୃଷ୍ଣ ନୁହଁନ୍ତି ତ ? 


ଆରେ ହେ ଚଗଲା ସମସ୍ତେ ସେଠି କୃଷ୍ଣ । 


: ତାହେଲେ ହାତ ଚକିକୁ ପାତ୍ରକରି ଅନ୍ୟ ହସ୍ତରେ ଯିଏ ସମସ୍ତଙ୍କ ଅଧରରେ ଅଧାର ଦେଉଛନ୍ତି ସେ ଯେଉଁ ମଧ୍ୟ ବୟସ୍କ ଜଣକ ସେ କିଏ ? 


ଆରେ ଏତିକି ଜାଣିପାରୁଣୁ ସେପରା ଯଶୋମତୀ । 


: ସେ ଯେଉଁ ଧଳା ପାଟବସ୍ତ୍ର ପିନ୍ଧି ଯୁବକ ଜଣକ ଏ ଧୂଳିରେ ଗଡ଼ି ଯାଉଛି ତାଙ୍କ ପରିଚୟ କଣ ? 


ସେ ହେଉଛି ମଙ୍ଗଳ । 


: ଆଉ ସେ ହାତରେ ବାଡ଼ି ଖଣ୍ଡେ ଧରି ସମସ୍ତଙ୍କ ଠାରୁ ଯିଏ ଭିନ୍ନପ୍ରକାରର ବ୍ୟବହାର କରୁଛି ତାଙ୍କ ପରିଚୟ କଣ ? 


ଏତିକି ଜାଣିପାରୁନୁ !!? ସେ ହେଉଛି ସୁବଳ । 


.ଏ ସେଇ ସୁବଳ ନା ଯିଏ ତୁମେ କୁଞ୍ଜ ଛାଡ଼ିବାପରେ ଜଙ୍ଗଲରୁ ମିଠା ଫଳସବୁ ସଂଗ୍ରହ କରି ଗଦେଇ ରଖୁଛି ତାର ପ୍ରିୟ ବାଲ୍ୟସଖା ର ପ୍ରତ୍ୟାବର୍ତ୍ତନ ରେ ଖାଇବାକୁ ଦେବବୋଲି ? 


ହଁ ହଁ ଏ ସେଇ । 


ହେଲେ ଫଳ ସଂଗ୍ରହ ଛାଡ଼ି ସେ ଏଠି କାହିଁକି ? 


ତୁ ଏଠି ବସିଛୁ ତଥାପି ସେମାନଙ୍କ ଭିତରେ ବି ନାଚୁଛୁ ନା ନାଇଁ ?


 ହଁ । 


ସେବି ଠିକ ସେମିତି । ମନତାର କୁଞ୍ଜରେ ଆଉ କୃଷ୍ଣ ପାଖରେ ସବୁବେଳେ । 


ଆଖିରୁ ସେମାନଙ୍କର ଲୁହ କାହିଁକି ଝରୁଛି ? ସେମାନେ କାନ୍ଦୁଛନ୍ତି କାହିଁକି ? 


ମୋ କାନପାଖରେ କଥା କହୁଥିବା ଜଣକ ହସିଲେ । ଆରେ କେହି କାନ୍ଦୁନାହାଁନ୍ତି ସେମାନେ ସମସ୍ତେ ଖୁସିରେ ଝରାଉଛନ୍ତି ଭାବର ଧାରା । ଯେମିତି ତୁ ଭିଜିଗଲୁଣି ଦେଖେ ନିଜକୁ ଥରେ । 


.ଯଦି ଏମାନେ ସମସ୍ତେ କୃଷ୍ଣ ସମସ୍ତେ ରାଧା ତେବେ ଏକକ ଭାବେ ଏମାନଙ୍କ ପରିଚୟ କଣ ? 


ଆରେ ବୁଦ୍ଧୁ ଏମାନେ ସମସ୍ତେ ଗୋପୀ । 


ଏଇଟା କେମିତି ସମ୍ଭବ ? 


ବାଇଆରେ ଗୋପୀ କୌଣସି ଦେହଧାରୀ ବ୍ୟକ୍ତିବିଶେଷ ନୁହଁନ୍ତି । ଗୋପୀ କେବଳ ଗୋଟିଏ ଭାବ ମାତ୍ର । ସେ ଭାବରେ ସେମାନଙ୍କୁ ସଂସାର ଗୋପୀ କୁହେ କିନ୍ତୁ ସେମାନେ ଜଗତକୁ କୃଷ୍ଣମୟ ଦେଖନ୍ତି । ତେଣୁ ଗୋପୀ ଆଉ କୃଷ୍ଣ ଅଭିନ୍ନ । 


ତାହେଲେ ସେମାନଙ୍କୁ କଣ କହିବି ମୁଁ ଗୋପୀ ନା କୃଷ୍ଣ ? 


ଯେମିତି ତୋ ଇଚ୍ଛା ସେମିତି କହିପାରୁ । ଝରୁଥିବା ସେ ଭାବଧାରା ହେଉଛି କୃଷ୍ଣର ଉପସ୍ଥିତି । ମନ ପ୍ରାଣ ସେମାନଙ୍କର ଗୋପୀ ଯାହା କୃଷ୍ଣର ପ୍ରିୟ । 


ଏ ମନ୍ଦିରରେ ଯେଉଁ ଭୋଗରାଗ ଦିଆଯାଉଛି କୃଷ୍ଣଙ୍କୁ ସେସସବୁ ?


 ସେସବୁ ଏ ଗୋପୀଙ୍କ ଦାନ ପାଖରେ ତୁଚ୍ଛରେ । ନହେଲେ ମୁଁ କଣ ମନ୍ଦିରରୁ ବାହାରକୁ ଆସିଥାନ୍ତି !? 


ଚମକି ପଡ଼ିଲି ? କିଏ ତୁମେ ? କିଛି ଉତ୍ତର ମିଳିଲାନି । ବୁଲି ଚାହିଁଲି କେହିନାହାଁନ୍ତି !! କିଏ କହୁଥିଲା ମୋ କାନପାଖରେ !? କୁଆଡ଼େ ଗଲା !? ଲୁହ ଭର୍ତ୍ତି ଆଖିରେ ମଳିନ ଦୃଶ୍ୟ । ଲୁହ ପୋଛିଲି । କାଇଁ କେହିତ ନାହାଁନ୍ତି !!

: ତୁମେ କୁଞ୍ଜ ଛାଡ଼ିବା ଆଉ ମୁଁ ମନ୍ଦିରରୁ ଆସିଲି ଏଇ ବାକ୍ୟ ଯୋଡ଼ିକ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା ମନରେ ମୋର । ମୃଦଙ୍ଗ ଠୁ ଜୋରରେ ନାଚୁଥିଲା ଛାତି ମୋର । ପବନ ମାନ ଏକାଠି ହୋଇ ପଚାଶକୁ ସନ୍ଧାନ କରିବା ମାର୍ଗରେ । ଆଖି ଇତସ୍ତତଃ ଭାବେ ଖୋଜୁଥିଲା କାହାକୁ । 

: ଦୂରରୁ ସେଇ ମହିଳା ଜଣକ ଚାଲି ଆସୁଥିଲେ ମୋ ଆଡ଼କୁ । କିଛି ନକହି ପାଖକୁ ଆସି ବସିଗଲେ ଭିକାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଧାଡ଼ିରେ ଯେଉଁ ଧାଡ଼ିରେ ମୁଁ ପୂର୍ବରୁ ବସିଥିଲି । ମନଟା ତାଙ୍କର ପ୍ରଫୁଲ୍ଲିତ ଲାଗୁଥିଲା । ମୁହଁରେ ପ୍ରକାଶ ପାଉଥିଲା ନୂତନ ଆଭା । ହେଲେ ମୁଁ ମୋ ଭିତରେ ଥିଲି ଅସ୍ଥିର । ଏଣେତେଣେ ଦୌଡ଼ୁ ଥିଲା ଆଖିମୋର । ମୋ କାନପାଖରେ ମୋତେ ଚିହ୍ନେଇ ଦେଉଥିବା ସେ ଲୋକଙ୍କୁ ମୁଁ ଖୋଜି ବୁଲୁଥିଲି । ହେଲେ ସେ ନିରୁଦ୍ଦିଷ୍ଟ ଥିଲେ । ଘଡ଼ିଏ ଘଡ଼ିଏ ଆଖି ଅଟକୁଥିଲା କାହା ଉପରେ ସ୍ଥିର ହୋଇ । ପୁଣି ଫେରିଆସୁଥିଲା ଅସନ୍ତୋଷକୁ ମନରେ ଧରି । 


: ଧନ୍ୟବାଦ ତୁମକୁ ମୋ ଭିତରେ ଥିବା ଦୀନତା ସହିତ ମୋତେ ପରିଚିତ କରେଇଥିବାରୁ । ମହିଳାଜଣକ ଭରା କଣ୍ଠରେ ମୋ ଉଦ୍ଦେଶ୍ୟରେ କହିଲେ । ହେଲେ ମୁଁ ଅପ୍ରସ୍ତୁତ । କାହାକୁ ଏମିତି ଖୋଜୁଛନ୍ତି ? 


: ନାଇଁ ଏମିତି । ମନର ଭାବକୁ ଲୁଚେଇବାକୁ ଚାହିଁଲି ତାଙ୍କ ନିକଟରୁ । ଅସଲ କଥା ହେଲା ସେ ଅନୁଭବରୁ ତାଙ୍କୁ କାଣିଚାଏ ଭାଗଦେବାର ସ୍ପୃହା ମୋ ମନରେ ନଥିଲା । 


: ଜାଣିଛ ମୁଁ କିଛିବି କହିନି ଆଜି ଜଗାକୁ । ଏଇ ବଡ଼ଦାଣ୍ଡକୁ ଚାଲିଆସିଲି ମନର ସମସ୍ତ ମାଗୁଣି ନେଇ । ଇଚ୍ଛାମୟଙ୍କ କୃପାହେଲେ ଦୟା କରିବେ ନହେଲେ ଅନେକେ ଫେରିଗଲା ପରି ମୁଁ ବି ଏଥର ଫେରିଯିବି । ହେଲେ ଆସୁଥିବି ଏଇ ବଡ଼ଦାଣ୍ଡକୁ ବାରମ୍ବାର ଭିକାରୁଣୀଟିଏ ହୋଇ । 

: ସେ ହିଁ ତ ଏ ସଚାରଚରର ସାଆନ୍ତ । ଆଉ କିଏ ସମର୍ଥ ଅଛି ତାଙ୍କ ପରିବର୍ତ୍ତେ ? କଣ ପାଇଁ ନିଜକୁ ଦାତାଭାବେ ପରିଚିତ କରାଇବି । ମୁଁ ତ ନିଶ୍ୱ । ତେଣିକି ତାଙ୍କ ଇଚ୍ଛା । ସେ ମହିଳା ଜଣକ ଆଉ କିଛି କହିବାର ଅବସ୍ଥାରେ ନଥିଲେ । 

: ବିଭିନ୍ନ ସାଂସାରିକ ବିଷୟରେ କଥାବାର୍ତ୍ତା ଚାଲିଲା ଆମ ଭିତରେ । ମୋ ଆଇବୁଢ଼ୀ ବି ତାର ପଞ୍ଚୁକ ବ୍ରତ ପାଳନର ପୁରାଣଶାସ୍ତ୍ର ଶୁଣି ବାହାରକୁ ଆସିସାରିଥିଲା । ତାକୁ ମୋର ବସିବା ଠିକଣା ଜଣାଥାଏ ।  


: ଆରେ ଝିଅ ଆଜି ଏ ପାଗଳ ହାବୁଡ଼ରେ ପଡିଛୁ !!? ମୁଁ ଜାଣିଛି ପରା ସେ ତୋ ମୁଣ୍ଡକୁ ଖରାପ କରିଦେଇଥିବ । ନହେଲେ ଲକ୍ଷ୍ମୀପ୍ରତିମା ପରି ତୋଭଳି ଝିଅ କଣ ଏ ବଡ଼ଦାଣ୍ଡରେ ଭିକାରୁଣୀ ହେଇ ବସିଥାନ୍ତା !? ଏ ବାଇଆ କଥାକୁ ମନରୁ ପୋଛିଦେବୁ । ଦୁଇଜଣ ସ୍ତ୍ରୀ ଲୋକଙ୍କ ଭିତରେ ଆତ୍ମୀୟତା ଫୁଟି ଉଥିବା କିଛି ନୂଆ ଅସ୍ୱାଭାବିକ ନଥିଲା । ସେଦୁହେଁ ମଜ୍ଜିଗଲେ କଥାବାର୍ତ୍ତାରେ । 

: ମୋ ସହିତ ଘଟିଯାଇଥିବା ଘଟଣା ରହିରହି ସେ ଶୀତୁଆ ପାଗରେ ଭରିଦେଉଥାଏ ଆଖିରେ ଉଷ୍ମ ଜଳ ଧାରା , ଯେଉଁ ଧାରାକୁ ମୁଁ ସେମାନଙ୍କ ଆଢୁଆଳରେ ପୋଛି ଚାଲିଥିଲି ବାରମ୍ବାର । ଭାବୁଥିଲି ପ୍ରତିଥର ମୋର ଏଇ ଭିକାରୀ ଅବସ୍ଥାରେ ସେଇ ଅଚିହ୍ନା ମୋହକ କଣ୍ଠ କାନରେ ପଡ଼ନ୍ତାକି !? କିଛି ସମୟପରେ ଆଈ ଆଉ ମୁଁ ଆମ ରହିବା ସ୍ଥାନକୁ ଫେରିଲୁ ସେ ମହିଳା ଜଣକ ତାଙ୍କ ରହିବା ସ୍ଥାନକୁ । 

: ଆଖିଟେକି ଚାହିଁଲି ନୀଳଚକ୍ର ନେତକୁ , ଫରଫର ଉଡ଼ୁଛି ଭାବଗ୍ରାହୀଙ୍କର ପତିତ ଉଧାରଣର ଗାଥା ଗାଇ । ମନରେ ସ୍ୱତଃ ଆସିଲା , ହେ ଅଦୃଶ୍ୟ ଶକ୍ତିମାନ , (ଏମିତି ମୋ କଳ୍ପନାରେ ବାରମ୍ବାର ଆସୁଥାଅ । ତୁମରି ଅଧୀନରେ ରହୁ କଳ୍ପନା ମୋର । ତୁମକୁ ଭାବନାରେ ରଖି ଯେଉଁ ଆନନ୍ଦ ପାଉଛି , ସେ ଆନନ୍ଦର ଅନ୍ତ ନହେଉ । ଅନେକ ବାର ତୁମର ସାକ୍ଷାତକୁ ନେଇ ଯେଉଁ ପ୍ରଶ୍ନ କରିଛି ସେ ପ୍ରଶ୍ନର ସମାଧାନ ନହେଉ । ତୁମର କଳ୍ପନାରେ ଆସିବା ବନ୍ଦ ନହେଉ କି ମୋର ସାକ୍ଷାତ ଇଚ୍ଛା ବି ପୂର୍ଣ୍ଣ ନହେଉ) ।


        ।।ଶରଣ ମାତେ।।



Rate this content
Log in