Sriman Bapu

Inspirational

4.5  

Sriman Bapu

Inspirational

ବହି ସାଥେ .....

ବହି ସାଥେ .....

8 mins
549



ଷଷ୍ଠରୁ ଦଶମ ଯାଏଁ ଶିକ୍ଷକମାନଙ୍କ ଦୃଷ୍ଟିରେ ସେ  ଏକ ମଧ୍ଯମ ଶ୍ରେଣୀର ଛାତ୍ର ହିସାବରେ ପରିଗଣିତ ହେଉଥିଲା । ବିଜ୍ଞାନ , ଗଣିତ ଆଉ ଇଂରାଜୀ ଶିକ୍ଷକଙ୍କ ନଜରରେ ସେ ଗଧଟିଏ ଥିଲା । କିନ୍ତୁ ସାମାଜିକ ବିଜ୍ଞାନ , ଓଡ଼ିଆ , ସଂସ୍କୃତ ଆଉ ହିନ୍ଦୀ ତା'ର ଭଲ ହେଉଥିଲା । ଚିତ୍ରାଙ୍କନରେ ପୂରା ସ୍କୁଲରେ ତାକୁ ଟକ୍କର ଦେବାକୁ କେହି ନଥିଲେ ଆଉ ହିନ୍ଦୀରେ ପୂରା ଶ୍ରେଣୀରେ ‌। ଏହି ଦୁଇଟିରେ ସବୁବେଳେ ସେ ପ୍ରଥମ ହୋଇଛି । ସଂସ୍କୃତ ତା'ର ପ୍ରିୟ ଥିଲା ହେଲେ ସୁଲୋଚନା ନାମକ ଏକ ଝିଅ ପାଇଁ ସଂସ୍କୃତ ଛାଡ଼ି ହିନ୍ଦୀ ରଖିଥିଲା ।


ବିଜୟ ସାର୍ ଯିଏ ଷଷ୍ଠ ସପ୍ତମରେ ଓଡ଼ିଆ ଆଉ ଇତିହାସ ପଢ଼ାଉ ଥିଲେ ପ୍ରଥମେ ତା'ର ଚିତ୍ର ଦେଖି ଖୁସି ହୋଇ ବହୁ ପ୍ରୋତ୍ସାହିତ କରିଥିଲେ , ବାରମ୍ବାର ଶ୍ରେଣୀରେ ପ୍ରଶଂସା କରି ତା'ର ମନୋବଳ ବଢାଇଥିଲେ । ଆଉ ଜଣେ ଶିକ୍ଷକ ମହେନ୍ଦ୍ର ସାର୍ କୃଷି ବିଜ୍ଞାନ ଆଉ ଚିତ୍ରାଙ୍କନ ପଢ଼ାଉଥିଲେ । ବଡ଼ ଚିଡୁଆ ପ୍ରକୃତିର ହୋଇଥିବାରୁ କୌଣସି ପିଲା ତାଙ୍କ ପାଖ ପଶୁନଥିଲେ ହେଲେ ତା'ର ଚିତ୍ରକଳାର ପ୍ରତିଭା ଦେଖି ସାର୍ ତାକୁ ସବୁବେଳେ ଆଦରର‌ ସହ ପାଖକୁ ଡାକି ତା'ର ଚିତ୍ର ଶ୍ରେଣୀରେ ସଭିଙ୍କୁ ଦେଖାଇ କରତାଳି ଦେବାକୁ କହୁଥିଲେ । ତାଙ୍କ ଅନୁପସ୍ଥିତି ସମୟରେ କ୍ଲାସ ସମ୍ଭାଳିବାର ଗୁରୁଦାୟିତ୍ୱ ସମର୍ପି ତାକୁ ପୂରା ଶ୍ରେଣୀରେ ହିରୋର ମାନ୍ୟତା ଦେଉଥିଲେ । 


ପାଠ୍ୟପୁସ୍ତକ ଛାଡ଼ି ଅବୋଲକରା କାହାଣୀ , ଦଶକୁମାର ଚରିତ , ମେଘଦୂତ ଆଉ ଜନ୍ହମାମୁଁ ଏଇମିତି କିଛି ବହି ତାଙ୍କ ଘରେ ଥିଲା । ବୋଉ ତା'ର ଖାଲି ସମୟରେ ସେସବୁ ପଢ଼ୁଥିଲା । କେବେ କେବେ ବୋଉ କାହାଣୀ ଶୁଣାଏ ଆଉ ତା' ଆଖି ଆଗରେ ନାଚି ଉଠେ ସେ ଜୀବନ୍ତ ଦୃଶ୍ୟ ସବୁ । ପାଠ୍ୟବହି ସହ ତା'ର ସଂପର୍କ ବାଧ୍ୟତାମୂଳକ ଥିଲା ସେହି କାରଣରୁ ଅନ୍ୟ ବହି ସହ ତା'ର ସମ୍ପର୍କ କେବେ ଭଲ ହୋଇ ପାରିଲା ନାହିଁ । କେବେ କେମିତି ଜନ୍ହମାମୁଁ ଦେଖିଲେ ଚିତ୍ରସବୁ ଦେଖି ସେ ମନରେ କାହାଣୀ ଗଢୁଥିଲା ।


ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ନହେଲେ ବି ଦ୍ୱିତୀୟ ଶ୍ରେଣୀରେ ପାସ୍ କରିବ ବୋଲି ସମସ୍ତେ ନିଶ୍ଚିନ୍ତ ଥିଲେ , ସେ ବି ଥିଲା । ହେଲେ ବୈତରଣୀ ନଦୀ ଏତକ କରେଇ ଦେଲାନି । ପ୍ରଥମ ଥର ସେ ଜୀବନରେ ନଦୀକୁ ଏତେ ପାଖରୁ ଦେଖିବାକୁ ପାଇଥିଲା । ବାସ୍ ! ପୂରା ପରୀକ୍ଷା ସମୟର ରହଣିରେ ତା'ର ଅଧିକାଂଶ ସମୟ ଅତିବାହିତ ହେଲା ନଦୀ ବିଷୟରେ ଚିନ୍ତାକରି । ପରୀକ୍ଷାର ଚିନ୍ତା ତା' ମନରେ ସେତେ ନଥିଲା , କେମିତି ପରୀକ୍ଷା ସରିଲେ ସେ ଯାଇ ନଦୀ କୂଳରେ ବୁଲିବ ସେ ଚିନ୍ତା ତା ମନକୁ ଘାରୁଥିଲା । ସେ ଯାହା ହେଉ , ସେହି ନଦୀର ଆଶୀର୍ବାଦରେ ହିଁ ସେ ଅଳ୍ପକେ ବର୍ତ୍ତିଗଲା । ଗଣିତ ବିଜ୍ଞାନ ଆଉ ଇଂରାଜୀରେ ଯଷ୍ଟ ପାସ୍ ନମ୍ବର ଆଉ ତା'ର ଭଲ ହେଉଥିବା ବିଷୟ ଗୁଡ଼ାକରେ ବି ପୂର୍ବ ଆଶାନୁଯାୟୀ ବହୁତ କମ୍ ନମ୍ବର ସେ ରଖିଥିଲା । ତା' ସହ କ'ଣ ଘଟିଗଲା କେବଳ ସେ ଆଉ ବୈତରଣୀ ଜାଣିଥିଲେ ।


ବହିଠାରୁ ସବୁଦିନ ପାଇଁ ସମ୍ପର୍କ ଚ୍ଛିନ୍ନ କରିବା ଉଦ୍ଦେଶ୍ୟରେ ଆଉ ଚିତ୍ରକର ହେବାର ସ୍ୱପ୍ନ ନେଇ ସେ ତା' ବାପା ଆଉ ଅନ୍ୟ ଗୁରୁଜନଙ୍କ ଉପଦେଶକୁ ବେଖାତିର କରି ଜିଦ୍ ଧରିଥିଲା , ପଢ଼ିବି ଯଦି କେବଳ ଫାଇନ୍ ଆର୍ଟ କଲେଜରେ ନହେଲେ ନାହିଁ । ବାପା ଇଚ୍ଛା କରିଥିଲେ ସାଧାରଣ ପାଠ ପଢ଼ି ପିଲାଟି ଅତିକମରେ ଓଡ଼ିଆ , ସାମାଜିକ ବିଜ୍ଞାନ କିମ୍ବା ହିନ୍ଦୀ ଶିକ୍ଷକ ଟିଏ ହୋଇପାରିବ କାରଣ ଏସବୁରେ ପିଲାଟିର ରୁଚି ଅଛି । ହେଲେ ତା' ଜିଦ୍ ଆଗରେ ଶେଷରେ ବାପାଙ୍କୁ ମୁଣ୍ଡ ନୁଆଇଁବାକୁ ପଡ଼ିଲା । ସେ ଭାବିଥିଲା ବହିଠାରୁ ସବୁଦିନ ପାଇଁ ତାକୁ ମୁକ୍ତି ମିଳିଗଲା ।


କେଉଁ ଜନ୍ମର ପୁଣ୍ୟ ବଳରେ ବୋଧହୁଏ ରାଜ୍ୟର ନାମୀ ସରକାରୀ ଆର୍ଟ କଲେଜରେ ତା'ର ଫର୍ମ ପଡ଼ିପାରିଲା ନାହିଁ । ଦୂର ସମ୍ପର୍କୀୟଙ୍କ ଜରିଆରେ ଧଉଳି ନାମକ ଭୁବନେଶ୍ୱରର ଏକ ଛୋଟ ବେସରକାରୀ ଆର୍ଟ କଲେଜରେ ପ୍ରବେଶ କଲା । ସେଠି ବି ଭେଟିଲା ବହିକୁ ତଥାପି ଦୁଇ ବର୍ଷ ଯଥା ସମ୍ଭବ ଦୂରରେ ରହି ଚିତ୍ର ଅଭ୍ଯାସରେ ବୁଡ଼ିଗଲା । 


ତୃତୀୟ ବର୍ଷ ତା'ର ପ୍ରିୟ ଶିକ୍ଷକ ପ୍ରବୀର ସାରଙ୍କ ଦ୍ୱାରା ପ୍ରଭାବିତ ହୋଇ ମୂର୍ତ୍ତିକଳା ପରିବର୍ତ୍ତେ ପେଣ୍ଟିଂକୁ ମୁଖ୍ୟ ବିଷୟ ଭାବେ ଗ୍ରହଣ କଲା । ପ୍ରବୀର ସାର୍ ସେବେ ଭାରତୀୟ ଆଉ ପାଶ୍ଚାତ୍ୟ ସୌନ୍ଦର୍ଯ୍ୟ ଶାସ୍ତ୍ର ପଢାଉଥାନ୍ତି । ତାଙ୍କ ପଢ଼ା ଶୈଳୀରେ ଅଭିଭୂତ ହୋଇ ସେ ଏକା କାହିଁକି ବହୁ ଛାତ୍ରଛାତ୍ରୀଙ୍କ ଜୀବନ ଜିଜ୍ଞାସା ଜାଗ୍ରତ ହୋଇଛି । ସେବେଠୁ ଧିରେ ଧିରେ ବହି ସହିତ ତା'ର ବହୁଦିନର ପୁରୁଣା ଶତ୍ରୁତାକୁ ଭୁଲି ବନ୍ଧୁତା କଲା । କଳା ଇତିହାସ , ସୌନ୍ଦର୍ଯ୍ୟ ଶାସ୍ତ୍ର ଆଉ କଳାକାର ବିଷୟରେ ସେ ଆଉ କେବଳ ପରୀକ୍ଷା ପାଇଁ ପଢୁ ନଥିଲା ବରଂ ତା' ଭିତରେ ଜଳି ଉଠିଥିବା ଜିଜ୍ଞାସାର ଅଗ୍ନିକୁ ଶାନ୍ତ କରିବା ପାଇଁ ।


ଜିଜ୍ଞାସାକୁ ଶାନ୍ତ କରିବାର ରାସ୍ତାରେ ସେତେବେଳେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଥିଲା ତା'ର କଚ୍ଚା ମୂଳଦୁଆ । ଇଂରାଜୀ ବିନା ସେ କିଛି ଜାଣି ପାରିବ ନାହିଁ । ନିଜ ପାରୁ ଯାଏ ଚେଷ୍ଟା କଲା କିନ୍ତୁ ବଡ଼ ବଡ଼ିଆ କହି ଯାଇଛନ୍ତି " ଯାହା ନହୋଇବ ବାଲ୍ଯକାଳେ ତାହା କି ହୋଇବ ପାଚିଲା ବାଳେ " ପୁଣି ବି କୁହାଯାଇଛି "ଚେଷ୍ଟା ବଳେ କାର୍ଯ୍ୟ ସିଦ୍ଧି" । ସେ ଚେଷ୍ଟା ଚାଲୁ ରଖିଲା ଯେତେ ପାରିବ ପଢ଼ିବାକୁ ଚେଷ୍ଟା କଲା ତା' ସହ ସେହି ଶିକ୍ଷକଙ୍କ ଠାରୁ ଅନୁପ୍ରାଣିତ ହୋଇ ଓଡ଼ିଆ ସାହିତ୍ୟ ସହ ତା'ର ପରିଚିତି ବଢ଼ାଇଲା । ତାହା ଆରମ୍ଭ ହୋଇଥିଲା ପ୍ରଥମେ ଏକତରଫା ପ୍ରେମରେ ବିଫଳ ହୋଇ ଡାଏରୀ ଲେଖାରୁ ତା'ପରେ ବୋଧ ହୁଏ କବିତା ଲେଖିବା ଆରମ୍ଭ କରିଥିଲା । ସେସବୁ ସାରଙ୍କୁ ଦେଖେଇବାରୁ ସେ ଭାନୁଜୀ ରାଓ ଆଉ ରମାକାନ୍ତ ରଥଙ୍କ କବିତା ବହି ସବୁ ଧରାଇ ଦେଲେ । ସେସବୁ ତା'ର ମୁଣ୍ଡରେ କିଛି ପଶିଲାନି ସେଠୁ ମନୋଜ ଦାସଙ୍କ ଗପ । ମନୋଜ ଦାସଙ୍କ ଭାଷାକୁ ହଜମ କରିବା ଥିଲା ତା' ସାମର୍ଥ୍ୟ ବାହାରେ । ସେ ଅନୁଭବ କଲା କେଡ଼େ ବଡ଼ ମୂର୍ଖ ସିଏ ! ଓଡ଼ିଆ ବି ଠିକ୍ ଭାବେ ଜାଣେନି । ଏବେ ବି ଏ ଭାବ ତା'ର ଦୃଢ଼ ଭାବେ ବଳବତ୍ତର ଅଛି ବରଂ ନିଜର ଅସୀମ ଅଜ୍ଞାନତାକୁ ଆହୁରି ଅଧିକ ସେ ଅନୁଭବ କରିପାରୁଛି ।


ଓଶୋ ରଜନୀଶ ଆଉ କ୍ରୀଷ୍ଣମୂର୍ତ୍ତିଙ୍କୁ ସେହି ଶିକ୍ଷକଙ୍କ ଜରିଆରେ ଭେଟିଥିଲା । ଜୀବନ ,ସମାଜ , ଧର୍ମ ଆଧ୍ୟାତ୍ମିକତା କୁ ନେଇ ଉଙ୍କି ମାରିଥିବା ଟିକିଏ ଅଗ୍ନି କଣାକୁ ଏ ଦୁହେଁ ବହ୍ନିରେ ପରିବର୍ତ୍ତନ କରିଥିଲେ । ବହି ଏବେ ତା'ର ଶତ୍ରୁ ନୁହେଁ ସବୁଠୁ ପ୍ରିୟ ସାଥୀ ପାଲଟି ସାରିଥିଲା । ଇଂରାଜୀ ସହ ଯୁଦ୍ଧ ତା'ର ଏବେବି ଚାଲିଛି । 


ଉଚ୍ଚ ଶିକ୍ଷା ପାଇଁ ବରୋଦା ଯାଇ ଯେବେ ପେଣ୍ଟିଂରେ ନପାଇ କଳା ଇତିହାସରେ ଯୋଗ ଦେଲା ସେଠାକାର ଶିକ୍ଷକଗଣଙ୍କ ଜ୍ଞାନ ଆଉ ବିଶାଳ ଲାଇବ୍ରେରୀକୁ ଦେଖି ତା' ଚରମ ଅଜ୍ଞାନତାକୁ ସେ ଭେଟିଲା । କଳାକୁ ନେଇ ଏତେ ବହି ! ‌ହେଲେ ତା'ର ଦୁର୍ବଳ ମୂଳଦୁଆ ପାଇଁ ସେଥିରୁ ସେ ଯେତେ ଲାଭ ଉଠେଇବା କଥା ପାରିଲା ନାହିଁ । ସେଠାକାର ପାଠ ଅଧା ଛାଡ଼ି ଶାନ୍ତି ନିକେତନ ପଳେଇ ଆସିଥିଲା ପେଣ୍ଟିଂରେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ । କଳାଭବନ ଲାଇବ୍ରେରୀ ସହ ସେଣ୍ଟ୍ରାଲ ଲାଇବ୍ରେରୀର ବିରାଟ ବିରାଟ ହଲ ଭିତରେ ଭୀମକାୟ ସେଲ୍ଫରେ ଅଗଣିତ ବହି ଦେଖି ତା'ର ଗନ୍ଧ ଶୁଙ୍ଘି ତାକୁ ଲାଗିଲା ବହିରେ ପଡ଼ିଥିଲା ଧୂଳିକୁ ବି ସେ ସରି ନୁହେଁ । ସେଇଠି ଥିଲା ଓଡ଼ିଆ ଭବନ ପାଇଁ ପ୍ରଯୁଜ୍ୟ ଏକ ବିଶାଳ ଓଡ଼ିଆ ସାହିତ୍ୟ ଲାଇବ୍ରେରୀ । ଦୁଇବର୍ଷରେ ଯେତିକି ପାରିବ ନେଇ ପଢ଼ିଲା ତାହା ସମୁଦ୍ରକୁ ଶଙ୍ଖେ ମାତ୍ର ।


ଶାନ୍ତି ନିକେତନରେ ସେ ପ୍ରଥମେ ରବିନ୍ଦ୍ରନାଥ ଟାଗୋରଙ୍କୁ ପଢ଼ିବା ଆରମ୍ଭ କଲା ବହୁ କଷ୍ଟ ସହି ବୁଝିବାକୁ ଚେଷ୍ଟା କରିଥିଲା କେତେ ସଫଳ ହୋଇଛି ସେ ଜାଣେନି । ଟାଗୋରଙ୍କ ଚିତ୍ର ସବୁ ଯେମିତି ଆକୃଷ୍ଟ କରିଥିଲା କଳା ଇତିହାସରେ ପଢିଥିବା ଜାଣିଥିବା କୌଣସି ଶିଳ୍ପୀ ତାକୁ ସେତେ କରିପାରି ନଥିଲେ କେବଳ ଭିନସେଣ୍ଟ ଭ୍ଯାନଗଗକୁ ଛାଡ଼ି । କାର୍ଲ ଗେଲରିପଙ୍କ Pilgrimage Kamnit, ହରମାନ୍ ହେସଙ୍କ ସିଦ୍ଧାର୍ଥ ଆଉ ଫ୍ରେଞ୍ଜ କାଫକାଙ୍କ ଦି ଟ୍ରାଏଲ , Irving Stone ଙ୍କ Lust for life , The agony and the ecstasy ଉପନ୍ୟାସସବୁ ତାକୁ ଦୋହଲାଇ ଦେଇଥିଲା । କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ , ଗୋପିନାଥ ମହାନ୍ତିଙ୍କ ଅମୃତର ସନ୍ତାନ , ଶରତ ମହାନ୍ତିଙ୍କ ଅସ୍ତିତ୍ବ ବାଦର ମର୍ମ କଥା , ଗାନ୍ଧୀ ମଣିଷ ବହିସବୁ ତା' ହୃଦୟ ମନରେ ଗଭୀର ପ୍ରଭାବ ପକାଇଥିଲା । 


ଶାନ୍ତି ନିକେତନରୁ ପଢ଼ାସାରି ସେ ପୁଣି ବରୋଦା ଫେରିଗଲା ଚିତ୍ରକର ହେବାର ସ୍ୱପ୍ନ ସାକାର କରିବା ପାଇଁ ଦୀର୍ଘ ପାଞ୍ଚବର୍ଷ ସେଠାରେ ସେ ରହିଲା ଅଧିକାଂଶ ସମୟ ତା'ର ରୁମରେ ବିତେ ଚିତ୍ର କରିବା , ଡାଏରୀ ଲେଖିବା ଆଉ ପଢ଼ିବା । ଫତେଗଂଜ ର ବ୍ୟାଙ୍କ ଅଫ୍ ବରୋଦା ସାମ୍ନା ହଷ୍ଟେଲ୍ ରୋଡ଼ର ଫୁତଫାତ୍ ରେ ଜିଗ୍ନେଶଭାଇ ନାମକ ଏକ ଛୋଟିଆ ପତଳା ମଣିଷଟିଏ ପିଠିରେ ଯାହାର କୁବ୍ଜ ଥାଏ , ତା'ର ଏକ ଠେଲା ବହି ଦୋକାନ ଥିଲା । ସେଇଠି ତା'ର ଅଧିକାଂଶ ଦ୍ୱିପ୍ରହର ଆଉ ସନ୍ଧ୍ୟା ବିତିଛି ବହି ଖେଳେଇ ଖେଳେଇ । ମଝିରେ ମଝିରେ ଯାଉଥିବା ଆସୁଥିବା ପାଖ ହଷ୍ଟେଲର ଝିଅମାନଙ୍କୁ ଟିକିଏ ଚାହିଁଦେଇ ସେ ଥକ୍କାମାରେ । ସେଇଠି ରହି ଜିଗ୍ନେଶଭାଇ ଠାରୁ ଜାଣିବାକୁ ପାଇଲା ଅଧିକାଂଶ ଝିଅମାନଙ୍କର ପସନ୍ଦ ହେଲା ଲୋକପ୍ରିୟ ରୋମାଂଟିକ ଉପନ୍ୟାସ ମୂଖ୍ୟତ ଆମେରିକୀୟ Series କାହାଣୀ ଯେମିତିକି ‌Twilight, Harry Potter, Vampire Chronicles ସବୁର ଚାହିଦା ଅଧିକ ।  


ଲୋକଟି ତାକୁ ପରିଚିତ କରାଇଥିଲା କେତେ ଲେଖକଙ୍କ ସହ । ସେଇଠି ସେ ବସି ପଢେ ଆଉ ଜିଗ୍ନେସଭାଇ ହାତରୁ ଚା ପିଏ ଦୁଃଖସୁଖ ହୁଏ । କେବେ କେବେ ଦୋକାନକୁ ଜଗିରୁହେ । ହେଲେ ଜିଗ୍ନେଶଭାଇର ବହି ଚୋରି ହେବାର ଭୟ ନଥାଏ । ତା'ର ପ୍ରସିଦ୍ଧ ଉକ୍ତି ଥିଲା " Thives do not read and Readers do not Steal" ସେହି ଜିଗ୍ନେଶଭାଇ ପାଖରୁ ଶୁଣିଥିଲା ଇରାନ୍ ର ରାସ୍ତାକଡ଼ ବହି ଦୋକାନସବୁ ରାତିରେ ସେମିତି ଖୋଲା ରହେ । ଦୋକାନୀ ଜଗିରହେନି କାରଣ ଲୋକଙ୍କର ଦୃଢ଼ ବିଶ୍ୱାସ ଯେ ଚୋର ପଢେ ନାହିଁ ଆଉ ପାଠକ କେବେ ବହି ଚୋରି କରେ ନାହିଁ ।


ଏହି ବହି ଚୋରିକୁ ନେଇ ତା'ର ମନେ ପଡ଼ିଲା , History of philosophy Eastern and Western ନାମକ ବହି କଥା । ଯାହା ଏବେ ବି ତା ପାଖରେ ସୁରକ୍ଷିତ ହୋଇ ଅଛି , ହେଲେ କେବେ ପଢ଼ି ପାରିନାହିଁ । ବହିଟି ସେ ଦେଖିଥିଲା ତା'ର ଏକ ଘନିଷ୍ଠ ବନ୍ଧୁ ପାଖରେ । ବନ୍ଧୁ ଜଣକର ପଢ଼ିବାରେ ରୁଚି ନଥିଲା । ପରୀକ୍ଷା ପାଇଁ ସେ ବହିଟିକୁ ଲାଇବ୍ରେରୀରୁ ଇସ୍ଯୁ କରାଇବାକୁ ଚାହିଁଥିଲେ ହେଲେ ବହିଟି ଦୁର୍ଲଭ ହୋଇଥିବାରୁ ଲାଇବ୍ରେରିୟାନ ଅନୁମତି ଦେଇନଥିଲେ । ବନ୍ଧୁ ଜଣକ କହିବା ଅନୁଯାୟୀ ଥରେ ବୁଢ଼ା ଠୋଳାଉଥିବା ବେଳେ ବଡ଼ ସତର୍କତାର ସହ ବହିଟିକୁ ନିଜ ପ୍ୟାଣ୍ଟ ତଳେ ଗୁଞ୍ଜି ପାର କରେଇ ଆଣିଥିଲେ ।


ବହିଟିକୁ ବନ୍ଧୁଙ୍କ ପାଖରେ ଦେଖି ସେ ଲୋଭ ସମ୍ବରଣ କରିନପାରି ମାଗିଥିଲେ । ବନ୍ଧୁ ଜଣକ ଖୁସିରେ ଖୁସିରେ ହସ୍ତାନ୍ତର କରି ବହି ଚୋରିର ପାପରୁ ମୁକ୍ତି ପାଇଥିଲେ । ଏବେ ବି ବହି ଖଣ୍ଡିକ ସେ ଦେଖିଲେ କିମ୍ବା ସେ ଘଟଣା ତା'ର ମନେ ପଡ଼ିଲେ ତାକୁ ଭାରି ଦୋଷୀ ଅନୁଭବ ହୁଏ । କେତେଥର ସେ ଚିନ୍ତା କରିଛି , ବହିଟିକୁ କୋରିୟର ମାଧ୍ୟମରେ ତା'ର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେବ । ପ୍ରେରକ ଯାଗାରେ ମିଛ ନାମ ଆଉ ଠିକଣା ଦେଇ , ହେଲେ ଆଜିଯାଏଁ କରିପାରି ନାହିଁ ଏଇଆ ଭାବି କି ଥରେ ମାତ୍ର ବହିଟିକୁ ସେ ଆମୂଳଚୁଳ ପଢ଼ିବ ।


ବରୋଦାର ଆଉ ଗୋଟିଏ ତା'ର ପ୍ରିୟ ରାସ୍ତାକଡ ବହି ଦୋକାନ ଥିଲା , Faculty of fine Arts ର ଫାଟକ କଡ଼ରେ ଥିବା ଦିଲ୍ଲୀପଭାଇର ବହି ଦୋକାନ । ସେ ଏକା କାହିଁକି ଆର୍ଟ କଲେଜର ଅଧିକାଂଶ ପିଲା ସେଠାରେ ସମୟ ଅତିବାହିତ କରନ୍ତି । ବିଭିନ୍ନ ପ୍ରକାରର ଦେଶ ବିଦେଶର କଳା ପତ୍ରିକା ,କେଟଲଗ୍ ଆଉ ବହି ସେଇଠି ଦେଖିବାକୁ ମିଳେ ‌। ଦିଲ୍ଲୀପଭାଇ ପାଖରୁ ବହି କିଣିବାକୁ ଚାହୁଁଛ ଆଉ ଆବଶ୍ୟକ ପଇସା ନାହିଁ ତେବେ ଚିନ୍ତାର କୌଣସି କାରଣ ନାହିଁ । ଯେବେ ପଇସା ଦେଲେ ବି ତା'ର ଆପତ୍ତି ନାହିଁ । ବହି ନେଇ ପଢ଼ି ଛଅ ମାସ କି ବର୍ଷଟିଏ ପରେ ଫେରାଇବାକୁ ଚାହିଁଲେ ପଢ଼ିବା ବାବଦ ଦଶ କୋଡ଼ିଏ ଯାହା ଦେଲେ ବି ସେ ନଦେଖି ହସି ହସି ପକେଟରେ ରଖିବ ।


ସେଠି ଥିବାବେଳେ ଚିରାଗଭାଇ ବୋଲି ଜଣେ ଚାଳିଶ ବୟାଳିଶ ବର୍ଷର ବ୍ୟକ୍ତିଙ୍କ ସହ ପାର୍କରେ ପରିଚୟ ହୋଇଥିଲା । ଗୋଟିଏ ଗମ୍ଭୀର ପାଠକ ସେ ଥିଲେ , ତାଙ୍କ ସହ ସେ ବହୁବାର crossword ର ଏ ବିରାଟ ଦୋକାନକୁ ଯାଇ ପୂରା ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏଁ ସମୟ ବିତେଇଛି ଆଉ ତାଙ୍କ ଠାରୁ ବହୁ ଲେଖକଙ୍କ ବିଷୟରେ ଜାଣିବାକୁ ପାଇଛି ।  


ଏଇମିତି ବହି ସହ ତା'ର କେତେ ଅଭୁଲା ସ୍ମୃତି ଅଛି ସବୁ କହି ବସିଲେ କାହାଣୀ ଅତୀବ ଦୀର୍ଘ ହେବ । ବରୋଦାରୁ ସେ ଦିଲ୍ଲୀଗଲା ସେଠାରେ ତିନି ବର୍ଷ ରହି ଓଡ଼ିଶାକୁ ଫେରି ଆସିଲା । 


ଯାତ୍ରା ତାହା ପାଇଁ କେବେ ବି ବିରକ୍ତିକର ହୋଇ ନାହିଁ । କେବେ ଯେ ରାସ୍ତା ସରିଯାଏ ସେ ଜାଣିପାରେନି କେବଳ ଏହି ବହି ପାଇଁ । ଭୁବନେଶ୍ବର ଆଉ କଟକ ରେଳ ଷ୍ଟେସନର ବହି ଦୋକାନରେ ବହି ଖେଳେଇ ଖେଳେଇ ସେ ବହୁତ ସମୟ ଅତିବାହିତ କରିଛି । ଗାଡ଼ି ଛାଡ଼ିବାର ବହୁସମୟ ପୂର୍ବରୁ ସେ ଜାଣି ଜାଣି ଷ୍ଟେସନ ଚାଲିଯାଏ ନୁଆ ବହି ଦେଖିବା ଲୋଭରେ । ଭୁବନେଶ୍ବରର ପୁରୁଣା ବସଷ୍ଟାଣ୍ଡର ଥିବା ନାରାୟଣୀ ବହି ଦୋକାନର ସେ ଜଣେ ଅତି ପୁରୁଣା ଗ୍ରାହକ ।


ଜୀବନର ଏହି ଦୁଇ ଦଶନ୍ଧି ଭିତରେ ସେ ହଜାରରୁ ଉର୍ଦ୍ଧ୍ବ ବହି ସଂଗ୍ରହ କରିଛି । ଖଣ୍ଡିଏ ପଢିଲେ ଦଶ ଖଣ୍ଡ କିଣି ସାଇତି ରଖେ । ସମୟ ଉଣ୍ଡେ ସେଇମାନଙ୍କ ସହ ଯେତେ ପାରିବ ସମୟ ବିତାଇବାକୁ । ବାପା ବୋଉ ତା'ର ଏହି ବହି ପ୍ରେମ ଦେଖି ପୁଅର ସର୍ବ ପ୍ରିୟ ସମ୍ପତ୍ତିର ସୁରକ୍ଷା ପାଇଁ ତା' ଅନୁପସ୍ଥିତିରେ ଷ୍ଟିଲ ଆଲମିରା କରାଇ ବହି ସବୁ ବଡ଼ ଯତ୍ନର ସହ ସାଇତି ରଖିଲେ । ସେ ଘରେ ନଥିଲେ ତା'ର ବହିର ଯତ୍ନ ପୂରା ପରିବାର ନିଅନ୍ତି । ଏହି ଭିତରେ ତା ପରିବାରର ଅଧିକାଂଶ ସଦସ୍ୟ କେବେ କେମିତି ବହିର ଆକର୍ଷଣରେ ମୋହିତ ହୋଇ ଖଣ୍ଡେ ଉଠେଇ ନେଇ ପଢ଼ନ୍ତି । ଏଇଟି ତା'ର ଏକ ବଡ଼ ସଫଳତା ବୋଲି ସେ ଭାବେ ।   


Rate this content
Log in

Similar oriya story from Inspirational