Maheswar sahoo

Inspirational

0.2  

Maheswar sahoo

Inspirational

ଭଦ୍ରକ ଦଙ୍ଗା

ଭଦ୍ରକ ଦଙ୍ଗା

10 mins
519


ସକାଳର ମୃଦୁ ପବନ ସାଙ୍ଗରେ ଭାସି ଆସୁଥିଲା ଝରା ସେଫାଳିର ଭୁରୁ ଭୁରୁ ବାସ୍ନା । ଗାଈ ଉଠୁଥିଲେ ବିହଙ୍ଗ ନିଜର କିଚିରି ମିଚିରି ଶବ୍ଦରେ ନାନା ବାଇଆ ଗୀତ । ପୂରୁବ ଦିଗରେ ଶୀତଳ କିରଣ ଧରି ବାଙ୍କ ଚାହାଣୀରେ ହସି ଦେଉଥିଲେ ଦିବାକର । ଚାରିଆଡ଼ ସାନ୍ତ, ନିରବ ଓ ସ୍ତବ୍ଧ ଭିତରେ ଭଦ୍ରକ ଜିଲ୍ଲା ତିହିଦିର ବିକାଶ ବାବୁ ନିଜ ଧନ୍ଦାକୁ ବାହାରି ଯାଆନ୍ତି । ନିଜର ମାଛ ବେପାର ଜୀବିକା କହିଲେ ଚଳେ । ମାଛ କିଣି ଭଦ୍ରକ ବଜାରରେ ନେଇ ବିକି ଥାନ୍ତି । ଏମିତି ଦୈନିକ ନିଜ ଧନ୍ଦା ଚାଲୁ ରଖିଥାନ୍ତି । ବିକାଶ ବାବୁ ପାଠ ପଢି ନଥିଲେ ବି ତାଙ୍କର ମାନବିକତା ଓ ପରୋପକାର ଗୁଣ ତାଙ୍କୁ ସବୁବେଳେ ବାବୁ ପଦରେ ପଦବାନ୍ୱିତ କରିଥାଏ ।


      ବିକାଶ ବାବୁ ଆଜି ସକାଳେ ମାଛ କିଣି ଆଣିଛନ୍ତି ନେଇ ବଜାରରେ ବିକ୍ରି କରିବେ, ହେଲେ ୟେ କଣ ? ସକାଳ ଠାରୁ ବଜାରରେ ଘୋ ଚୋ ଚାଲିଛି । ଲୋକମାନେ ଠୁଳ ହୋଇ ଫୁଟୁରୁ ଫାଟର ହେଉଥାନ୍ତି । ସେ ବଜାରରେ ବସିଛନ୍ତି ହେଲେ କେହି ବି ଆଜି ମାଛ କିଣୁ ନାହାନ୍ତି । ବଜାର ପୁରା ବେପାର ପାଇଁ ମାନ୍ଦା ଦେଖାଯାଉଛି । କଣ ଗୋଟାଏ ହୋଇଛି ବୋଧେ । ଆଜି ଟିକେ ମାଛ ଶସ୍ତା ଥିଲା ବୋଲି ଅଧିକ କିଣି ଆଣିଲି ହେଲେ, ଜଣେ ଦୁଇ ଜଣ ଦାମ ପଚାରି ଚାଲି ଗଲେ । ଏମିତି ଭାବି ଭାବି ବସିଥାନ୍ତି । ଅନ୍ୟ ଦୋକାନୀ ମାନେ ମଧ୍ୟ ନିଜର କାରବାର ମାନ୍ଦା ଥିବାରୁ ବହୁତ ଦୁଃଖିତ ଅନୁଭବ କରୁଥାନ୍ତି । ଠିକ ଏହି ସମୟରେ ଦୂରରୁ ଏକ ଶବ୍ଦ ଶୁଣାଗଲା । ଶବ୍ଦ କହିଲେ ଲୋକ ମାନଙ୍କର କୋଳାହଳ ଶବ୍ଦ । କୁଆଡେ ଦଙ୍ଗା ଆରମ୍ଭ ହୋଇ ଯାଇଛି । ହିନ୍ଦୁ ଆଉ ମୁସଲମାନଙ୍କ ମଧ୍ୟରେ । ଆଖ ପାଖରେ ହିନ୍ଦୁ ଅଧିକ ଥିଲେ ମୁସଲମାନ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛନ୍ତି ଓ ମୁସଲମାନ ଅଧିକ ଥିଲେ ହିନ୍ଦୁ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥାନ୍ତି । ଏମିତି ପରିସ୍ଥିତିରେ ବିକାଶ ବାବୁଙ୍କର ମାଛ ଉପରୁ ଧ୍ୟାନ ଯାଇ ନିଜ ଜୀବନ ଉପରେ ଧ୍ୟାନ ଆସିଯାଇ ଥିଲା । 


    ମୋ ପିଲା ଛୁଆ ମୋ ପାଇଁ ଅପେକ୍ଷା କରିଥିବେ । ବଜାର ଠାରୁ ତିହିଡି ନିଜ ଘର ଯେ କି ପନ୍ଦର ରୁ କୋଡିଏ କିଲୋମିଟର ହେବ । ସାଇକେଲରେ ଆସନ୍ତି ପ୍ରାୟ ପଚାଶ କିଲୋ ମାଛ ବୋହି ଆଣିଥାନ୍ତି । ଆଜି ମାଛ ଗୋଟେ କିଲୋ ବି ବିକ୍ରି ନାହିଁ ହେଲେ ଏଇ ଭଳି ଦଙ୍ଗା ଶୁଣି ଚମକି ପଡ଼ିଥିଲେ ବିକାଶ ବାବୁ । ପୂର୍ବରୁ ଥରେ ହିନ୍ଦୁ ସମ୍ପ୍ରଦାୟ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ହୋଇ ଥିଲା । ସେଥିରେ ଉଭୟ ପକ୍ଷରୁ ବହୁତ ଜନ ଓ ଧନ ହାନି ହୋଇଥିଲା । ପୁଣି ସେମିତି ପରିସ୍ଥିତି ଉପୁଜିଲେ ବଞ୍ଚିବା କଷ୍ଟକର ହେଇ ଯିବ କିଛି ଦିନ ପାଇଁ । ବିକାଶ ବାବୁ ପୁରୁଣା ମାଛ ବେପାରୀ । ବଜାରରେ ତାଙ୍କର ଖାତିରି ଅଛି । ଛୋଟ ପିଲାଠାରୁ ବଡ଼ ଲୋକ ସମସ୍ତେ ତାଙ୍କୁ ଜାଣନ୍ତି । ସମସ୍ତଙ୍କର ବିଶ୍ୱାସ ଥାଏ ବଜାରକୁ ଗଲେ ନିଶ୍ଚୟ ବିକାଶ ବାବୁଙ୍କ ପାଖରେ ମାଛ ମିଳିବ । ବିକାଶ ବାବୁ ଏତେ ପଇସା ଲୋଭି ନୁହେଁ । ତେଣୁ ଲୋକ ମାନେ ତାଙ୍କୁ ବିକାଶ ବାବୁ ବୋଲି ଜାଣନ୍ତି । ବହୁତ ସରଳ ହୃଦୟ । ଗରିବ ଲୋକଟିଏ ମାଛ ଖାଇବାର ଆଶା କଲେ ଯାଚି ଯାଚି ମାଛ ଦେଇ ଦିଅନ୍ତି ଆଉ କୁହନ୍ତି " ଆଜି ନେଇ ଖାଇବୁ ଯାଆ, ଆଉ ଯେତେବେଳେ ଆସିବୁ ପଇସା ଦେଇ ଦେବୁ " । ଏମିତି ହୃଦୟ ବାନ ଲୋକର ପଇସା କେହି ବି ଲୋକ ବୁଡାଇ ନାହାନ୍ତି । 


     ଭାରି ଭୋକ ଲାଗିଲାଣି । ହେଲେ ଦୋକାନୀ ସମସ୍ତେ ଭୟରେ ବଜାର ବନ୍ଧ କରି ପଳେଇ ଯିବାକୁ ବସିଲେଣି । ମକ୍ଷୀ ନାନୀର ଗୁଲୁଗୁଲା ଆଉ ଆଳୁଦମ ଦୋକାନ ଖୋଲା ଅଛି । ବିକାଶ ବାବୁ ନିଜ ଦୋକାନ ବାନ୍ଧି ମାଛ ଗୁଡାକ ବରଫ ଦେଇ ନିଜ ସାଇକେଲରେ ବାନ୍ଧି ମକ୍ଷୀ ନାନୀ ପାଖରେ ପହଁଚିଲେ । 


କହିଲେ " ମକ୍ଷୀ ନାନୀ କଣ ଅଛି ଦିଇଟା ଦେଲୁ ଖାଇ ଦିଏ । ଆଉ ନାନୀ କଣ ଦଙ୍ଗା ହେଇଛି ବୋଧେ, ଦୋକାନ ଗୁଡାକ ବନ୍ଧ କରି ସମସ୍ତେ ପଳେଇ ଲେଣି । ଆଜି ଗରାଖ କେହି ଦେଖା ଯାଉ ନାହାଁନ୍ତି । କଣ ହେଇଛି ମକ୍ଷୀ ନାନୀ ?" ।


ମକ୍ଷୀ ନାନୀ: " ହଁ ରେ ବିକାଶ । ସେଇ ମୁସଲମାନ ବସ୍ତିର ଗୋଟେ ପିଲା କୁଆଡେ ସୀତା ମାଆଙ୍କ ଫଟୋ ତଳେ ଇଆଡୁ ସିଆଡୁ ଲେଖି ଦେଇଛି ଆଉ ସେଇଥି ପାଇଁ ପରା ପୁରା ଭଦ୍ରକ ଏବେ ରକ୍ତ ମୁଖା ହେଇ ଯାଇଛି " ।


ବିକାଶ ବାବୁ : " ହଉ ତୁ ଆଗେ ଖାଇବାକୁ ଦେ ତା ପରେ ଆମେ କଥା ହେବା । ଆଉ ନାନୀ ମୋ ପାଖରେ ପଇସା ନାହିଁ ତେଣୁ ତୋ ପାଇଁ ଇଲିସ ମାଛ ଗୋଟେ ରଖିଛି ନେଇ ଖାଆ, ପୁଣି ଆସିଲେ ହିସାବ କରିଦେବା ।"


ମକ୍ଷୀ ନାନୀ: " ତୋ ପାଖରେ କଣ ନାସ୍ଥା ପାଇଁ ପଇସା ନାହିଁ । ତୁ ପୁଣି ଘରେ ଚଳିବୁ କେମିତି ?

ବିକାଶ ବାବୁ: " ହଁ ଲୋ ନାନୀ ସେଇଆ ଭାବୁଛି । ଯାହା ପଇସା ଥିଲା ଆଜି ଅଧିକ ମାଛ କିଣି ଆଣିଥିଲି । ଆଗରୁ ଥରେ ଏମିତି ଦଙ୍ଗା ହୋଇଥିଲା ଆଉ ଆମ ଭଦ୍ରକ ପୁରା ଜଳି ଯାଇଥିଲା । ସମସ୍ତଙ୍କର ସେଇ ଗୋଟିଏ କଥା ଥିଲା, ଆମେ ଯଦି ସମସ୍ତେ ଗୋଟିଏ ରଙ୍ଗର ରକ୍ତ ଓ ଗୋଟିଏ ପ୍ରଜାତିର ମଣିଷ ତେବେ ଆମ ମଧ୍ୟରେ ଏପରି ବିଭିନ୍ନତା ଆସୁଛି କୁଆଡୁ ? ଯେଉଁ ସୁଜଳା ଓ ସୁଫଳା ଧରଣୀର ବକ୍ଷରେ ଆମେ ସମସ୍ତେ ନିଜର ଖାଦ୍ୟ, ବସ୍ତ୍ର ଓ ପାନୀୟ ଗ୍ରହଣ କରନ୍ତି, ସେଇ ମାଟି ମାଆ ଉପରେ କଣ ବିଭିନ୍ନତାର ଆଲୋକ ବୁଣିବା ଜାତାର୍ଥ କି ନାନୀ ?"


ମକ୍ଷୀ ନାନୀ: "ହଉରେ ବିକାଶ ତୁ ଯେତେ ପାରୁଛୁ ନାସ୍ଥା ଖାଇ ତୋର ଇଲିସ ପଇସା ନେଇକି ଯାଆ ଆଉ ଦେଖିବା କଣ ଘଟୁଛି ଘଟୁ ! ଏଇ ଲୋକ ଗୁଡାକ ଅର୍ଥ ପାଗଳ । ଏମାନଙ୍କୁ ସବୁବେଳେ ହିଂସା ଦ୍ଵେଷ ଓ ଜାତି ଧର୍ମ ପାଗଳ କରି ରଖିଛି । ତା ସହିତ ଏଇ ଜଉ ଆଧୁନିକ ଯୁଗ କହୁଛନ୍ତି ତା ସହିତ କମ୍ପୁଟର ଯୁଗ କହୁଛନ୍ତି ଏଇଟା ମଣିଷକୁ ଅନ୍ଧ କରିଦେଉଛି । ତେଣୁ ସେମାନେ ଫେସ ବୁକରେ ଅନ୍ଧ ହୋଇ ମନ୍ତବ୍ୟ ଦେଉଛନ୍ତି ଓ ନିଜ ନିଜ ଭିତରେ ଶତ୍ରୁର କାରଣ ହେଉଛନ୍ତି । ଆମେ ଜାଣୁ ଯେ ଈଶ୍ୱର ହୁଅନ୍ତୁ କି ଆଲ୍ହା ହୁଅନ୍ତୁ କି ଭଗବାନ ରାମ ହୁଅନ୍ତୁ ସବୁ ଏକ ପରା । କିନ୍ତୁ ଲୋକଙ୍କର ଭାବନା ଅଲଗା ରହୁଥିବାରୁ ଉପାସନା ଗୃହ ଅଲଗା ହୋଇଛି ଓ ଏଇଟା ବିଭିନ୍ନତା ଆଡକୁ ନେଇ ଯାଉଛି । ହଉ ତୁ ଆରାମରେ ଖାଇ ଘରକୁ ପଳା ।"


ବିକାଶ ବାବୁ: "ମକ୍ଷୀ ନାନୀ ମୋତେ ବହୁତ ଡର ଲାଗୁଛି ଲୋ । ଲୋକ ମାନେ ବୁଝି ପାରୁ ନାହାନ୍ତି ଯେ ଆମେ କାହା ଉପରେ ଆକ୍ରମଣ କରିବା ପୂର୍ବରୁ ତାର ପରିବାର ଓ ପିଲା ଛୁଆଙ୍କ କଥା ଚିନ୍ତା କରିବା ଦରକାର ! ହେଲେ ନିଜର ଅହମିକା ଓ ଆତ୍ମଗର୍ଵ ସେମାନଙ୍କୁ ଅନ୍ଧ କରିଦେଉଛି । ହଉ ମକ୍ଷୀ ନାନୀ ମୋର ଖାଇବା ସରିଲା ଆଉ ଯାହା ଦେବୁ ଦେ ମୁଁ ଘରକୁ ଯିବି । ଭଦ୍ରକରୁ ଇଚ୍ଛାପୁର ରାସ୍ତାରେ ଗଲେ ତିହିଡି ରେ ପହଞ୍ଚିବାକୁ ପଡିବ । "


ବିକାଶ ବାବୁ ନିଜ ସାଇକେଲ ଧରି ଭଦ୍ରକରୁ ଘର ଅଭିମୁଖେ ଚାଲିଲେ । କିଛିବାଟ ଆସିଛନ୍ତି ଦଳେ ଲୋକ ଟଣା ଟଣି ଲାଗିଛନ୍ତି । କିଏ କହୁଛି ମାର ବେ ତାକୁ ଧର ବେ ତାକୁ ଏମିତି ଘୋ ଘୋ ତୁ ତାକର ଚାଲିଛି । ବିକାଶ ବାବୁ ବହୁତ ଡରି ଯାଇଥିଲେ ହେଲେ ଅଧର୍ଯ୍ୟ ନ ହୋଇ ରାସ୍ତାର କଡେ କଡେ ଆଗକୁ ଚାଲିଲେ । ବୋଧ ହୁଏ ସେଠାରେ ହିନ୍ଦୁ ଲୋକ ମାନଙ୍କ ସଂଖ୍ୟା ଅଧିକ ଥିଲା ସେଥିପାଇଁ ବିକାଶ ବାବୁଙ୍କ କିଛି ଚିହ୍ନା ଲୋକ କହିଲେ ଜଲ୍ଦି ଘରକୁ ପଳାଓ । ବିକାଶ ବାବୁ ସେଇ ଜାଗାରୁ ପାର ହୋଇ କିଛି ବାଟ ଆସିଛନ୍ତି ଦେଖିଲେ ପୁରା ବଜାର ଯାହାକି କଚେରୀ ବଜାରର ଦୋକାନ ଗୁଡିକ ଜଳୁଛି । ଅଧିକାଂଶ ହିନ୍ଦୁ ଆଉ ମୁସଲମାନ ମାନଙ୍କ ଦୋକାନରେରେ ନିଆଁ ଲଗାଯାଇଛି । କିଏ କୁଆଡେ ଦଉଡି ପଳାଇ ଯାଉଛି । ବିକାଶ ବାବୁ ଯିବେ କୁଆଡେ । ଯିବ ଥିବା ଯାଏ ଲୋଭ ରହିଛି ତେଣୁ ଏକରେ ପୁରା ଷାଠିଏ କିଲୋ ମାଛର ବୋଝ ସହିତ ନିଜ ସାଇକେଲ । ଛାଡି ଦୌଡ଼ିବାର ବାଟ ନାହିଁ । ହଉ ଭଗବାନ କଣ କରୁଛନ୍ତି ଦେଖିବା । ଯାହା ହେଉ ପୋଲିସ ଭାଇ ମାନେ ଘଟଣାସ୍ଥାନରେ ପହଞ୍ଚି ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ହେଲେ ଯେଉଁ ଠାରେ ପୋଲିସ କର୍ମୀ ରହିଛନ୍ତି ସେଇଠାରେ ଦଙ୍ଗା ନାହିଁ ହେଲେ ଅନ୍ୟ ସ୍ଥାନରେ ଦୋକାନ ଜଳା ଯାଉଛି । ବିକାଶ ବାବୁଙ୍କୁ ଏହି ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ହୋଇଥିଲା । କୋଟି କୋଟି ଟଙ୍କାର ସମ୍ପତ୍ତି ଜାଳି ଦିଆ ଯାଉଛି । ହେଲେ ସେମାନେ କାହିଁକି ମୁଖ୍ୟ ଦୋଷୀକୁ ଧରିବାକୁ ଚେଷ୍ଟା କରୁ ନାହାନ୍ତି । ଦୋଷୀକୁ ନ ଧରି ଏଇ ଦୋକାନ ବଜାର ଜଳେଇ ସୁନ୍ଦର ଓ ଧନାଢ୍ୟ ଭଦ୍ରକ ସହରଟାକୁ ଶ୍ରୀହୀନ କରି ଦେଉଛନ୍ତି ଯେ । ସିଏ ହିନ୍ଦୁ ହୁଅନ୍ତୁ କି ମୁସଲମାନ ହେଲେ ନଷ୍ଟ ତ ଆମ ଭଦ୍ରକ ସହରର ହେଉଛି । ହେ ଭଗବାନ ଆମ ସହରକୁ ରକ୍ଷା କର । ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ରାତି ଦିନ ଦୋକାନ ଜଗି ରହିଲେ ଦୁଇ ପଇସା ମିଳେ । ହେଲେ ଏମିତିରେ ନିଜର ଜୀବିକା ହରେଇ ଲୋକ ମାନେ ବଞ୍ଚିବେ କେମିତି । ଏମିତି ଭାବି ଭାବି ବିକାଶ ବାବୁ ଆଗେଇ ଚାଲିଛନ୍ତି । 


    କିଛି ବାଟ ପୁଣି ଆସିଲା ପରେ ସାଳନ୍ଦୀ ନଈର ପୋଲ ଉପରେ ଜଣେ ମୁସଲମାନ ଦାଢ଼ି ଓ ଟୋପି ପିନ୍ଧା ଚାଚା ଆସି ବିକାଶ ବାବୁଙ୍କ ସାଇକେଲ ରେ ବାଡେଇ ଗଲେ । ଚାଚା ଜଣଙ୍କ ରକ୍ତାକ୍ତ ଶରୀର । ସେ ବିକାଶ ବାବୁଙ୍କୁ ଚିହ୍ନି ପାରିଲେ ଓ କହିଲେ ମୋତେ ବଞ୍ଚେଇ ଦିଅ ବିକାଶ ବାବୁ । ମୋ ଦେହ ସାରା ଆଘାତ ଲାଗିଛି । କେହି ଚାକୁ ମରିଛି ତ କେହି ଲାଠିରେ ବାଡେଇ ଛନ୍ତି । ବିକାଶ ବାବୁ ନିରୁପାୟ ହେଇ ଗଲେ । ଏହି ବଜାର ସାରା ଲୋକ ବିକାଶ ବାବୁଙ୍କ ମାଛ ନେଇ ଥାନ୍ତି । ସବୁ ଗରାଖ ଦେବତା ତାଙ୍କ ପାଇଁ । ମାଛ ପେଟିରୁ କିଛି ବରଫ କାଢି ଓ ମାଛ ଘୋଡା କପଡା ଖଣ୍ଡେ କାଢି ବିକାଶ ବାବୁ ସେଇ ଚାଚାଙ୍କ ମୁଣ୍ଡରେ ବାନ୍ଧି ଦେଇଥିଲେ । ଚାଚା ଜଣଙ୍କ ଟିକିଏ ସୁସ୍ଥ ଲାଗିବାରୁ ବିକାଶ ବାବୁ କହିଲେ ଚାଚା ତମେ ଏଇ ଗଳି ଭିତର ଦେଇ ଡାକ୍ତର ଖାନାକୁ ପଳେଇ ଯାଅ ଆଉ ସେଠାରେ ପୋଲିସ ଅଛନ୍ତି । ତମକୁ ଡାକ୍ତରୀ ଚିକିତ୍ସା ମିଳିଯିବ ଆଉ ତମେ ସୁସ୍ଥ ହେଇଯିବି । ଚାଚା ଜଣଙ୍କ ଆଲ୍ହା ତୁମକୁ ଦୀର୍ଘାୟୁ କରନ୍ତୁ କହି ଧୀରେ ଧୀରେ ଡାକ୍ତର ଖାନାକୁ ଚାଲିଲେ । ବିକାଶ ବାବୁ ଏଥର ନିଜର ସାଇକେଲର ବେଗ ବଢାଇବାରେ ଲାଗିଲେ । କିଛି ବାଟ ଆସିଲା ପରେ ସେ ବାଇପାସରେ ପହଁଚିଲେ ଓ ସେଠାରେ ଦୋକାନ ଗୁଡିକ ଜଳୁଥିବାର ଧୂଆଁରେ ପୁରା ବାଟ ଅନ୍ଧକାର ଦେଖା ଯାଉଥିଲା । ପୋଲିସ ଭାଇ ମାନେ ବିକାଶ ବାବୁଙ୍କୁ କହିଲେ ଜଲ୍ଦି ଜଲ୍ଦି ପଳାଓ । ଆମେ ଘଟଣାକୁ ଆୟତ୍ତ କରୁଛୁ । ବିକାଶ ବାବୁ ପୋଲିସ ମାନଙ୍କୁ ସ୍ୱାଗତ କରି ସେଠାରୁ ଇଚ୍ଛାପୁର ରାସ୍ତାରେ ଆଗେଇ ଚାଲିଲେ । 


    କିଛି ବାଟ ଆସିଛନ୍ତି ଦେଖିଲେ କିଛି ମୁସଲମାନ ଟୋକା ଏକତ୍ରିତ ହୋଇ ହୋ ହଲ୍ଲା କରୁଛନ୍ତି । ବିକାଶ ବାବୁଙ୍କୁ ଦେଖି ଜଣେ ଟୋକା କୁଆଡୁ ଦଉଡି ଆସି ଗୋଟିଏ ମୋଟା ଦଣ୍ଡାରେ ମୁଣ୍ଡକୁ ବହୁତ ଜୋରରେ ପାହାରେ ଦେଲା । ମୁଣ୍ଡରୁ ନାଲି ରକ୍ତ ଡବ ଡବ ହୋଇ ବୋହିଆସିଲା । କିଛି ସମୟ ଅନ୍ଧକାରଦେଖା ଦେଲା । ସେଇ ଟୋକାଟି ଆଉ ଏକ ପହାର ଦେବା ପୂର୍ବରୁ କିଛି ହୃଦୟବାନ ମୁସଲମାନ ଲୋକ ତାକୁ ଧରି ନେଇଥିଲେ । ବିକାଶ ବାବୁ ମାଡ଼ ଖାଇ ମଧ୍ୟ ନିଜ ସାଇକେଲ ଛାଡି ନ ଥିଲେ ।


ବିକାଶ ବାବୁଙ୍କ ମୁଣ୍ଡ ବୁଲେଇ ଦେଉଥାଏ । ତଣ୍ଟି ସୁଖୀ ଯାଉଥାଏ । ପାଣି ପାଣି ବୋଲି କହିବାରୁ କେହିଜଣେ ଗୋଟିଏ ବୋତଲରୁ ପାଣି ପିଇବାକୁ ଦେଇଥିଲେ । ସେଇ ସମୟରେ ପୋଲିସ ଭାଇ ମାନେ ଆସିଯିବାରୁ କିଏ କୁଆଡେ ଦଉଡି ପଳେଇ ଯାଇଥିଲେ । ବିକାଶ ବାବୁ ପାଣି ପିଇ ଟିକେ ବସି ଯାଇଥିଲେ । ପୋଲିସ ଭାଇ ମାନେ ତାଙ୍କ ମୁଣ୍ଡରେ ମଲମ ଲଗେଇ ବାନ୍ଧି ଦେଇଥିଲେ । ଯନ୍ତ୍ରଣା ବଢିବାକୁ ଲାଗିଲା । ପୋଲିସ ଭାଇ ମାନେ ତାଙ୍କର ମାଛ ପେଟିକୁ ନିଜ ଘରକୁ ପଠେଇ ଦେଇ ବିକାଶ ବାବୁଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତର ଖାନାକୁ ପଠେଇ ଦେଇଥିଲେ । 

    ଡାକ୍ତର ଖାନାରେ ବିକାଶ ବାବୁଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତା ପରେ ତାଙ୍କୁ କିଛି ଦିନ ସେଠାରେ ରହି ନିଜର ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ବିଛଣା ଦିଆ ଯାଇଥିଲା । ବିଛଣା ସଂଖ୍ୟା ସାତରେ ସୋଇଥାନ୍ତି ସେଇ ଚାଚା ଜଣଙ୍କ ଓ ଏପାଖ ବିଛଣା ସଂଖ୍ୟା ଅଠରରେ ସୋଇଥାନ୍ତି ବିକାଶ ବାବୁ । ସରକାର ଭଦ୍ରକ ଦଙ୍ଗାକୁ ଆୟତ୍ତ କରି ସାରିଥିଲେ । ସହର ଓ ବଜାର ଧୀରେ ଧୀରେ ଶାନ୍ତ ହେବାକୁ ଲାଗିଲା । 

    ବିକାଶବାବୁଙ୍କୁ ଦେଖି ସେଇ ଚାଚା ଜଣଙ୍କ କହିଲେ ଆରେ ବିକାଶ ବାବୁ ତମର ଏହି ଅବସ୍ଥା । ତମେ ସେଦିନ ମୋତେ ବଞ୍ଚେଇ ନଥିଲେ । ଆଜି ମୋ ଶବ କବରିସ୍ଥାନରେ ରହିଥାନ୍ତା । ଆପଣ ମୋ ପାଇଁ କେତେ ପରିଶ୍ରମ କଲେ, ମୁଁ ବଞ୍ଚିଥିବା ଯାଏ ଆପଣଙ୍କର ଋଣ ସୁଝି ପାରିବିନି । ବିକାଶ ବାବୁଙ୍କର ପୁରା ପରିବାର ଆସିଯାଇଥିଲେ । ଚାଚାଙ୍କର ପରିବାର ମଧ୍ୟ ଆସିଯାଇଥିଲେ । ଚାଚାଙ୍କର ପୁଅ ସେଇଠାରେ ଉପସ୍ଥିତ ଥିଲେ । 

    ୟେ କଣ ଚାଚାଙ୍କର ପୁଅ ସଙ୍ଗେ ସଙ୍ଗେ ଉଠିଯାଇ ବିକାଶ ବାବୁଙ୍କ ପାଦ ଧରି କନ୍ଧିବାକୁ ଲାଗିଲା । ମୋର ଭୁଲ ହେଇ ଯାଇଛି ମଉସା । ମୋର ବହୁତ ବଡ଼ ଭୁଲ ହୋଇ ଯାଇଛି ।

ବିକାଶ ବାବୁ: " ତମେ ଏଇ ଚାଚାଙ୍କ ପୁଅ କି?"

ସଲିମ : " ହଁ ମଉସା ମୋତେ ମାଫ କରିଦିଅ । ମୁଁ ସେଇ ଲୋକ ଯିଏ ହିନ୍ଦୁ ମୁସଲମାନ ଦଙ୍ଗାରେ ବଶବର୍ତ୍ତୀ ହୋଇ ତୁମକୁ ବାଡେଇ ଥିଲି । ମଉସା ଏବେ ମୁଁ ଅନୁଭବ କରୁଛି ତୁମର ଏଇ ଛୋଟ ଛୋଟ ପିଲାମାନଙ୍କୁ ଦେଖି ମୋ ହୃଦୟ ଫାଟି ଯାଉଛି ମଉସା । ସେଦିନ ଯଦି କିଛି ଅଘଟଣ ଘଟି ଯାଇଥାନ୍ତା ତେବେ ତୁମ ପରିବାର କଣ କରିଥାନ୍ତେ ? କେମିତି ଚଳି ଥାନ୍ତେ ? "

" ମୁଁ ଦୋଷୀ ମଉସା ! ମୁଁ ଦଣ୍ଡ ପାଇବା ଯୋଗ୍ୟ । ମୋତେ ଅଭିଶାପ ଦିଅ ମଉସା ମୋତେ ଦଣ୍ଡ ଦିଅ । ଯିଏ ମୋ ବାପାଙ୍କୁ ବଞ୍ଚେଇ ପାରିଲେ ଧର୍ମ ଜାତିର ବିଭିନ୍ନତା ନ ରଖି ମୁଁ ଏମିତି ଅପଦାର୍ଥ ସେଇ ମହାତ୍ମାଙ୍କୁ ଆଘାତ ଦେଲି "

   ସଲିମ ନିଜକୁ ନିଜେ କାନ୍ଦିବାକୁ ଲାଗିଲେ । ଆଖିରୁ ଝରି ଯାଉଥାଏ ଅନୁତାପର ଲୋତକ । ଜାବୁଡି ଧରିଥାନ୍ତି ବିକାଶ ବାବୁଙ୍କ ଗୋଡ଼ । କ୍ଷମା ଭିକ୍ଷା ପାଇଁ ଆତୁର କଣ୍ଠରେ କ୍ରନ୍ଦନ କରୁଥାନ୍ତି ସଲିମ । କହୁଥାନ୍ତି ହେ ଆଲ୍ହା ରେହମ କର । ହେ ଆଲ୍ହା ରେହମ କର । ଏମିତି କହି ହେଉଥାନ୍ତି । 


    ବିକାଶ ବାବୁ ଜାତିରେ ମଳିକ ଓ ବ୍ୟବସାୟରେ ମତ୍ସ୍ୟଜୀବୀ ହେଲେ ମଧ୍ୟ ତାଙ୍କ ମଧ୍ୟରେ ଏମିତି ଏକ ପ୍ରତିମା ରହିଥିଲା ଯାହାକି ବାବୁ ପଦରେ ମଣ୍ଡିତ କରୁଥିଲା । ଆଉ କହି ଉଠିଲେ "ସଲିମ ଭୁଲ ତୋର ନାହିଁରେ । ଭୁଲଟା ଏଇ ସମାଜର । ଯିଏ ଆମ ମାନଙ୍କୁ ଜାତି ଧର୍ମ ଭଳି ସୁତାରେ ବାନ୍ଧି ବିବିଧତା ସୃଷ୍ଟି କରିଛି । ତୁ ସେଇ ପରିସ୍ଥିତିରେ ଥିଲୁ ଯାହାକି ତୋ ଜାତି ଓ ତୋ ଧର୍ମ ପାଇଁ ତୋତେ ଅମାନୁଷିକ କାର୍ଯ୍ୟରେ ଲୁପ୍ତ କରିବାକୁ ବାଧ୍ୟ କରିଥିଲା । ହେଲେ ଥରେ ଭାବିଦେଖ ତୋ ବାପା ମରିଯାଇଥିଲେ ତୁମ ପରିବାର କେମିତି ଚଳି ଥାନ୍ତେ । ତୁ ପାଠ ପଢ଼ୁଛୁ ଆଉ ତୋର ସାତ ଭାଇ ଭଉଣୀ କେମିତି ଚଳି ଥାନ୍ତେ । ମୁଁ ମଧ୍ୟ ଆଜି ମରିଯାଇଥିଲେ ମୋ ସ୍ତ୍ରୀ ଓ ପିଲାମାନେ ଭୁକ ଉପାସରେ ଡହଳ ବିକଳ ହୋଇ ଥାନ୍ତେ । ତେଣୁ କୌଣସି ଘଟଣାର ଆମେ ବିଚାର କରିବା ଉଚିତ । ସିଏ ଜଉ ଜାତି ହେଉ କି ଧର୍ମ ସମସ୍ତଙ୍କର ସମାନ ଅଧିକାର ଅଛି ଏହି ଦୁନିଆରେ ବଞ୍ଚିବା ପାଇଁ । ସମସ୍ତଙ୍କୁ ସମାନ ନ୍ୟାୟ ମଧ୍ୟ ମିଳିବା ଦରକାର । ତେଣୁ ଆମେ ସମସ୍ତେ ଭାଇ ଭାଇ ହୋଇ ଏଇ ଦୁନିଆର କର୍ମ ଭୂମିରେ ନିଜର ସୀମିତ ଜୀବନ ଦୀପକୁ ଜଳେଇ ଖୁସିରେ ନିଜର ଜୀବନ ଅତିବାହିତ କରିବା ଆବଶ୍ୟକ । ବୁଝିଲୁ ସଲିମ ତେଣୁ ପାଠ ପଢ଼ିଦେଲେ ହୁଏ ନାହିଁ । ପାଠର ମୁଖ୍ୟ ଠିକଣା ପ୍ରମାଣ ପତ୍ର ନୁହେଁ । ପାଠର ମୁଖ୍ୟ ଠିକଣା ହେଉଛି ମାନବିକତା । ଯାହାକି ସେଇଟା ମୁଁ ଜାତି ଧର୍ମ ନ ଦେଖି ତୋ ବାପା ପାଇଁ ପରପ୍ରକାଶ କରିଥିଲି । ହେଲେ ମୁଁ ପାଠ ପଢି ନାହିଁ । ମୁଁ କେବଳ ପଇସା ହିସାବ କରିପାରେ । ହେଲେ ମାନବିକତା ଗୁଣ ନ ରହିଥିଲେ ତୋ ବାପା ମୁସଲମାନ ବୋଲି କହି ମୁଁ ମଧ୍ୟ ତାଙ୍କୁ ଆଘାତ ଦେଇ ମୃତ୍ୟୁ ମୁଖକୁ ପେଲି ଦେଇଥାନ୍ତି । ତେଣୁ ବିଦ୍ୟା ସହିତ ମାନବିକତା ଗୁଣ ହିଁ ମହାନ ।"


   ବିକାଶ ବାବୁ ସଲିମକୁ କ୍ଷମା କରି ଦେଇଥିଲେ ଓ ସଲିମ ମଧ୍ୟ କଥା ଦେଇଥିଲା ବିକାଶ ବାବୁଙ୍କୁ ମଉସା ଆଉ ଏମିତି ସମୟ ଆସିବ ନାହିଁ ଆମ ଭଦ୍ରକରେ ପୁଣି ଦଙ୍ଗା ହେବ ତେଣୁ ଆମେ ଉଭୟ ହିନ୍ଦୁ ମୁସଲମାନ ମିଳିତ ଭାବରେ ଏଥିପାଇଁ ଧ୍ୟାନ ଦେବୁ । ସେଇଦିନ ଠାରୁ ସଲିମ ଉଭୟ ହିନ୍ଦୁ ଓ ମୁସଲମାନ ଉଭୟଙ୍କ ମଧ୍ୟରେ ଶାନ୍ତି ଶୃଙ୍ଖଳା ରହିବା ପାଇଁ କାର୍ଯ୍ୟ କରିଥିଲେ । ଭାରତ ମାତା କି ଜୟ ଗାନ କରି ନିଜର ଜୀବନ ପଥରେ ଆଗେଇ ଚାଲିବା ହେଉଛି ଆମର ଧର୍ମ । ଜୟ ହିନ୍ଦ....ବନ୍ଦେ ମାତରଂ



Rate this content
Log in

Similar oriya story from Inspirational