ଭାଗ୍ୟ
ଭାଗ୍ୟ
ଆମର ଏଠି ଦାସବାବୁଙ୍କୁ କିଏ ନ ଜାଣେ ? ଏଇ ଗାଁରେ ସବୁଠାରୁ ଧନୀ ବୋଇଲେ ସେଇ ଏକ୍କା । ଏବେ ତିନି ତିନିଟା ପୁଅ ଚାକିରୀ କରନ୍ତି । ଘରକୁ ଅଭାବ କହିଲେ ଖାଲି ପରିବାର ଲୋକଙ୍କର ସେତେ ଭେଟ ସାକ୍ଷାତ ହୁଏନି ନୋହିଲେ ଜଗତ ଯାକରେ ଜୀଵନକୁ ଛାଡ଼ି ଆଉ ସବୁ କିଣି ପାରିବାର ବଳ ଅଛି । ହେଲେ ତିରିଶ ଵର୍ଷ ତଳେ ଦାସେ ଏତେ ଧନୀ ନଥିଲେ । ଧନ ପାଇଁ ପେଟ କାଟି ଟଙ୍କା ରଖିଛନ୍ତି । ପଖାଳ ଭାତ ସହ ଆଳୁ ପୋଡା଼ ଖାଇ ଓ ଖୁଆଇ ଆଜି ତାଙ୍କ ପରିବାର ଧନୀ ହୋଇଛି ବୋଲି ସାରା ଗାଆଁକୁ କୁହନ୍ତି । ଦାସେଙ୍କର ଯେତେବେଳେ କିଛି ନଥିଲା ସରକାର ବାହାଦୂର ତାଙ୍କ ନାଆଁରେ ଗୋଟାଏ ବିପିଏଲ କାର୍ଡ କରିଦେଇଥିଲେ । ସେ ଯୁଗରେ ଶଶୁରଘର ଧନ ସହ ସରକାରୀ ଇନ୍ଦିରାଆଵାସ ଟଙ୍କା ମିଶେଇ ଗୋଟାଏ ଦି ବଖରିଆ ପଥରଘର କରିଥିଲେ କିନ୍ତୁ ସେହି ବିପିଏଲ କାର୍ଡ ଯୋଗୁଁ ଆଜି ଦାସେଙ୍କର ଅନେକାନେକ ଉନ୍ନତି ସାଧିତ ହେଉଅଛି ଏବଂ ବହୁମାତ୍ରାରେ ତାଙ୍କର ଲାଭାଂଶ ସ୍ଵରୂପ ଧନରାଶୀ ବ୍ୟାଙ୍କ ଖାତାରେ ମଧ୍ଯ ଜମା ହେଉଛି ।
ଦାସେଙ୍କ ଯୁଆନ କାଳରେ ସରକାର ବାହାଦୂର ଖାଲି ଇନ୍ଦିରାଆଵାସ ଦେଉଥିଲେ ଏବେ କିନ୍ତୁ ଘର ସହ ଘରକୁ ଶସ୍ତାଦରରେ ଵିଜୁଳୀ ବି ଦଉଚନ୍ତି ।
ଖାଲି ଏତିକି ନୁହେଁ ମ ଜାଣିବା ଶୁଣିବା ଲୋକେ କୁହନ୍ତି ,ପାଇଲାଵାଲାଏ କହୁନାହାନ୍ତି ନୋହିଲେ ସରକାର ତ ତାଙ୍କେତିକି କେତେ କିୟଣ ଦଉଚନ୍ତି ।
ଅଳପ ଟଙ୍କାକୁ ଯେତେ ପାଇବ ଵିଦ୍ୟୁତ ଜାଳିପାରିବ... ଦାସେଙ୍କର ତ କଚେ ପୁଅ ବାର ନୋହିଲେ ଆଉ କଣ୍ ?
ବେଲେ ଗାଆଁର ସବୁଠାରୁ ଧନୀ ଲୋକ ହେଇ ବି ତାଙ୍କେ ଵିଦ୍ୟୁତ ଵିଭାଗକୁ ମାସିକ ମାତ୍ର ୮୦ ଟଙ୍କା ଦେୟ ପ୍ରଦାନ କରିଥାନ୍ତି । ଏଣେ ତିନିପୁଅଙ୍କର ହାତଗଣ୍ଠି ପଡି଼ସାରିଛି ଯେ ଆପଣା ଧନ ସହ ଇନ୍ଦିରାଆଵାସ ଯୋଜନାର ଟଙ୍କା ମିଶେଇ କେଡେ଼ କେଡେ଼ ଘର ତୋଳିଛନ୍ତି ଥରେ ଦେଖିଲେ ଆଖିରେ ଧୂଳି ପଡି଼ଯିବ !!!
ସେଇ ଟିକିଏ ଡାହାଣ ପାଖରେ ଦାସେ ଆପଣେଙ୍କ ହତାକୁ ନାଗିଥିବା ଦି ବଖରିଆ ପୁରୁଣା ଅଧାଭଙ୍ଗା ପଥରଘରଟା ହେଉଛି ବୃଦ୍ଧ ଋଗ୍ଣ ଦିନା ସାହୁର ! ଦାସେଙ୍କ ପରି ତା ଭାଗ୍ୟରେ ହାତୀ,ସୁନାକଳସ କି କଳସ ମଧ୍ୟର ଧନରାଶୀ ନାହିଁ । ତାହାର ଫଟା କପାଳ ବୋଇଲେ ମିଛ ହବନି । ଦାସେ ଯେତେବେଳେ ପରମ ନିର୍ଦ୍ଧନ ଥାନ୍ତି ଏ ଦିନା ସାହୁ ଦୋକାନ କରି ନିଜ ପରିଶ୍ରମ ଓ ଧନ ବଳରେ ଘରଟିଏ, ପାଇଖ
ାନା ଟିଏ ଓ କୂଅ ଗୋଟାଏ ଖୋଳାଇଥିଲା ।
ଏଇ ମାତ୍ର ଦଶ ଵର୍ଷ ତଳେ ମଧ୍ଯ ତା ପାଖରେ ବହୁତ ଧନ ଥିଲା କିନ୍ତୁ ଆପଣା କର୍ମର ଫଳ ଯୋଗୁଁ ଆଜି ସେ ଧନ ଓ ଧନ ଆଧାରିତ ମାନ ସମ୍ମାନରେ ଦାସେଙ୍କ ଠାରୁ ବହୁ ପଛରେ ପଡି଼ଯାଇଛି । ଦିନା ସାହୁ ଟା ନିପଟ ଓଲୁ ଥିଲା । ସେ ଆଳୁ ବେପାର କରୁ କରୁ ତେଜରାତି ଦୋକାନଟେ କରିପକେଇଥିଲା କିନ୍ତୁ ଦାସେଙ୍କ ପରି ସେ ଚେଣ୍ଟା ହୋଇପାରିଲାନି ।
ନା ଆଦୌ ନୁହେଁ...
ଦିନା ସାହୁକୁ ଲୋକଙ୍କ ସ୍ନେହ ଆଦର ଦେଖି କି ମାୟା ଲାଗିଲା କେଜାଣି ଆପଣା ବନ୍ଧୁ ବାନ୍ଧବ ଛଡ଼ା ଆଉରି ପାଞ୍ଚ ଦଶ ଘର ଅଜାତିଆ ଧରମ ବନ୍ଧୁ କରିପକେଇଲା । ଏଣେ ଜାତିଆ ବନ୍ଧୁ ପଚାଶକୁ ତେଣେ ଧରମ ବନ୍ଧୁ ଦଶ ଘର, ତାଙ୍କ ଘରମାନଙ୍କୁ ଭଲ ମନ୍ଦରେ ଜିନିଷ ପତ୍ର ନେଇ ନେଇ ଆଉ ପଇସାପତର ସଞ୍ଚି ପାରିଲାନି ଏଣେ ଝୁଅ ବାହାଘରରେ ଚାରି ପାଞ୍ଚ ଲକ୍ଷ ସାରିଦେଲା ତେଣେ ସୁଗାର ରୋଗ ବି ଧରିପକେଇଲା ।
ପୁଅ ଦିଇଟା ବି କୋଉ କାମକୁ ସରି ହେଲେନି ଦାସେ ଆପଣେଙ୍କ ପୁଅମାନଙ୍କ ପରି ବଡ଼ ସାହିବ ନହୋଇ ପର ରାଇଜକୁ ଖଟିବାକୁ ପଳେଇଲେ । ଆଉ କିସ ଯେ ଦିନା ସାହୁ ଟା ଶେଷକୁ ଏହି ସବୁ କାରଣରୁ ଗରିବ ହୋଇଗଲା ବୋଲି ଅନେକ ପୁରୁଖା ଲୋକେ କୁହାକୁହି ହୁଅନ୍ତି ।
ତେବେ ସେତେବେଳେ ଦିନା ସାହୁର ସବୁଠାରୁ ବଡ଼ ଭୂଲ ଥିଲା ସେ ବିପିଏଲ କାର୍ଡଟିଏ ପାଇବାକୁ ଚେଷ୍ଟା କରିବା ତ ଦୂରର କଥା ଵରଂ ତା ଘରର ସ୍ଵଚ୍ଛଳତା ଆଦି ତଥ୍ୟ ନେବାକୁ ଆସିଥିବା ଅଧିକୃତ ସରକାରୀ କର୍ମଚାରୀଙ୍କୁ ତାହାର ଘର,କୂଅ,ପାଇଖାନା, ଗାଡ଼ି ଓ ଗ୍ୟାସ ଦେଖେଇ ଆପଣାକୁ ଧନୀ ଦେଖେଇବାରେ ଲାଗିପଡି଼ଥିଲା ।
ଆଜି ଫଳ ଏମନ୍ତ ହୋଇଛି...
ଦିନା ସାହୁକୁ ମାସିକ ୩୦୦ ରୁ ୫୦୦ ବିଜୁଳି ଦେୟ ଭରିବାକୁ ପଡୁଥିଲା ବେଳେ ଦାସେ ଭରୁଛନ୍ତି ମାତ୍ର ୮୦ ଟଙ୍କା ଏଣେ ଆହୁରି ଅନେକ ସରକାରୀ ସହାୟତା ପାଇ ପାଇ ଦାସେ ଆପଣେ ଯେତିକି ଯେତିକି ଚହଟୁଛନ୍ତି ଦିନା ବୁଢାଟା ବିଚରାର ଭାଗ୍ୟଟା ସେତିକି ସେତିକି ମଉଳା ଫୁଲ ଭଳିଆ ହେଇ ହେଇ ଯାଉଛି ।
ଏସବୁ ଦେଖି ଦେଖେଇ ଲୋକେ ବି କହିବା ଆରମ୍ଭ କରିଦେଲେଣି ହଁ ଵା ଭାଗ୍ୟ ବୋଲି କିଛି ଗୋଟେ ଅଛି ନା ଆଉ...
ନୋହିଲେ
“ଚେଣ୍ଟା କି ଧନୀକ ହୁଅନ୍ତା
ଧନୀ ଟା ଅଭାବେ ମରନ୍ତା”