Prasanta kumar Hota

Inspirational

3  

Prasanta kumar Hota

Inspirational

ଭାଗ୍ୟ କେତେ ଦିନ

ଭାଗ୍ୟ କେତେ ଦିନ

6 mins
646


ମଣିଷ ସଂସାରରେ ଚରିତ୍ର ର ଅଭାବ ନାହିଁ। ଯେତେ ମଣିଷ ସେତେ ଚରିତ୍ର । ଏହା କେବଳ ଅନୁଭବୀ ଲୋକ ବୁଝି ପାରିବ ବୋଲି ରାମଚନ୍ଦ୍ର ବାବୁଙ୍କ ଭାରି ବିଶ୍ୱାସ । ସେ କହନ୍ତି ଏହି ପୃଥିବୀରେ ସମସ୍ତେ ସବୁକିଛି ପାଆନ୍ତି ନାହିଁ ଓ ସେଥିପାଇଁ କେବଳ ଦୁନିଆରେ ଅଭାବବୋଧ ରହିଛି। ସେ ଅଭାବବୋଧକୁ କିଏ କେମିତି ପୁରଣ କରିବ ସେଇଟା ତାର ନିଜସ୍ବ ଜୀବନ ଶୈଳୀ କେହି ନିରବଛିନ୍ନ କର୍ମ କରିଚାଲେ କିଛି ପାଇବା ଆଶାରେ, କିଏ ପୁଣି ସାମାନ୍ୟ କର୍ମରେ ନିୟୋଜିତ ହୋଇ ଭାଗ୍ୟକୁ ଭରସା କରେ ବଡ ଧରଣର ସଫଳତା ପାଇଁ।

ସୁରେନ୍ଦ୍ର ସବୁ ଶୁଣୁଥିଲେ। ଏଇ ଶେଷ କଥାଟା ତାଙ୍କର କିନ୍ତୁ ହଜମ ହେଲା ନାହିଁ। ସେ କହିଲେ ଯିଏ ଅଳ୍ପ କର୍ମରେ ନିୟୋଜିତ ହୋଇ ବଡ ସଫଳତାକୁ ଅପେକ୍ଷା କରି ବସେ ସେ କେବେ ସୁସ୍ଥ ମସ୍ତିଷ୍କର ହୋଇ ନଥିବ।

ଭୁଲ କହିଲ ସୁରେନ୍ଦ୍ର ବାବୁ। ସେ ସମ୍ପୂର୍ଣ୍ଣ ସୁସ୍ଥ। ଆଶା କରିବାଟା ତାର ଚରିତ୍ର ମାତ୍ର। ମୂଳ ବିଷୟ ବସ୍ତୁ ହେଉଛି ଜୀବନରେ ଆତ୍ମ ସନ୍ତୋଷ। ଯେଉଁ ବ୍ୟକ୍ତି ପ୍ରଚଣ୍ଡ ପ୍ରତିଭାଶାଳୀ ହୋଇ କର୍ମ କରେ କିନ୍ତୁ ନିଜ ଇଛା ଅନୁଯାୟୀ ଫଳ ପାଏ ନାହିଁ ସେ ବ୍ୟକ୍ତି ବହୁତ ଦୁଃଖିତ ହୁଏ। କିନ୍ତୁ ଆଉଜଣେ କର୍ମ କରେ ନାହିଁ ଓ ଫଳ ମଧ୍ୟ ପାଏ ନାହିଁ ବୋଲି ଦୁଃଖିତ ହୁଏ । ତା ଦୁଃଖରେ ଦୁଃଖର ମାତ୍ରା ବୋହୁତ କମ ଥାଏ। ତେଣୁ ସେ ମ୍ରିୟମାଣ ହୋଇପଡେ ନାହିଁ।

ସୁରେନ୍ଦ୍ର ବାବୁ ପଚାରିଲେ - କଥାଟା ଟିକିଏ ଗୋଳମାଳିଆ ଜଣା ପଡୁ ନାହିଁ କି?

ରାମଚନ୍ଦ୍ର ସମର୍ଥନ କରି କହିଲେ - ହଁ ପୁରା ଗୋଳମାଳିଆ। ଭାଗ୍ୟକୁ ବୁଝିବା ଆଦରିବା ଓ ଅନାସକ୍ତ ହୋଇ ରହିବା ସୁଖି କର୍ମମୟ ଜୀବନର ଏକ ବୃହତ୍ତର ଅଙ୍ଗ। ମୁଁ ତମକୁ ଏ ପ୍ରସଙ୍ଗରେ ଗୋଟିଏ ଗପ କହୁଛି ଶୁଣ। ଭାଗ୍ୟକୁ ଯିଏ ଆଦର ନକରି ଭାଗ୍ୟର ଅବମାନନା କରେ ତା ପାଇଁ ଭାଗ୍ୟ କେତେବେଳେ ଦୁର୍ଭାଗ୍ୟ ରେ ପରିଣତ ହୋଇଯାଏ ସେ ଜାଣି ପାରେନାହିଁ।

ହଁ କୁହନ୍ତୁ କହି ସୁରେନ୍ଦ୍ର ଶୁଣିବା ପାଇଁ ପ୍ରସ୍ତୁତ ହୋଇଗଲେ।

ରାମଚନ୍ଦ୍ର ଆରମ୍ଭ କଲେ- ଗୋଟିଏ ସହରରେ ହରି ଓ ହାଲି ଭିନ୍ନ ଭିନ୍ନ ପରିବାରରେ ବଢୁଥିଲେ।

ହରି ଖୁବ୍ ଭଲ ପଢୁଥିଲା। ପରିଶ୍ରମ ହିଁ ତାର ଭଲ ପଢିବାର କାରଣ ଥିଲା। କେତେବେଳେ କେମିତି ଯାହା ଟିକେ ବୁଲିବାକୁ ଯାଏ ନହେଲେ ଅନ୍ୟମାନଙ୍କ ପରି ମଉଜ କରିବା ତାକୁ କେହି ଦେଖି ନାହାନ୍ତି। କଲେଜ ପଢା ପରେ ସାଙ୍ଗେ ସାଙ୍ଗେ ଚାକିରୀ ବି ପାଇଗଲା। ଚାକିରୀ ବି ଭଲ ଚାକିରୀ। ଆଉ ସେ ପଛକୁ ଫେରି ଚାହିଁ ନାହିଁ। ମଣିଷ ଥରେ ଜୀବନର ଦୌଡରେ ସାମିଲ ହୋଇଗଲେ ତାହା କେତେବେଳେ ସରିବ କେହି କହି ପାରିଵେ ନାହିଁ। ଅବିଶ୍ରାନ୍ତ ଦୌଡ ଚାଲିଥାଏ। ଯିଏ ରହିଯାଏ, ରହିଯାଏ। ଅନ୍ୟମାନେ ତାକୁ ଅତିକ୍ରମ କରି ଆଗକୁ ବଢି ଚାଲନ୍ତି। କିଏ ବା ଚାହେଁ ପଛରେ ରହିବାକୁ। ସମସ୍ତେ ତେଣୁ ଦୌଡୁଥାନ୍ତି ପଛରେ ପଡିଯିବାର ଭୟରେ। ସେହି ଦୌଡିବାରେ ସେମାନଙ୍କର ଆନନ୍ଦ ଥାଏ । ଯାହା ଆନନ୍ଦ ବୋଲି କେବେ ତାଙ୍କର ହୃଦୟଙ୍ଗମ ହୁଏ ନାହିଁ କିନ୍ତୁ ଆନନ୍ଦିତ ହେବାର ଆଶା ଉଜ୍ଜୀବିତ ହୋଇ ଥାଏ।

ହାଲି କିନ୍ତୁ ଟିକିଏ ଭିନ୍ନ ସ୍ବଭାବର ଝିଅ ଥିଲା। ଏତେ ଭଲ ସେ ପଢେ ନାହିଁ କି କେହି ପଢିବାକୁ କହିଲେ ଏତେ ଗୁରୁତ୍ବ ଦିଏ ନାହିଁ। ଯାହା ଭଲ ଲାଗେ କରେ। ନଚେତ୍ କରେ ନାହିଁ। କାହା କଥାକୁ ଏତେ ଗୁରୁତ୍ବ ଦିଏ ନାହିଁ କି କେହି କିଛି କହିଲେ ତାକୁ ତାର ଜବାବ୍ ଦେବାକୁ ଭୁଲିଯାଏ ନାହିଁ। ତେଣୁ ନା ତାର ମାନସିକ ଚାପ ନା ମନରେ କିଛି ନକରି ପାରିବାର ଦୁଃଖ ଆସୁଥିଲା। ସେ ସଦାବେଳେ ହସଖୁସି ହୋଇ ମୁକ୍ତ ବିହଙ୍ଗ ପରି ମୁକ୍ତ ଆକାଶରେ ଉଡି ବୁଲୁଥିଲା।

ସମୟ କ୍ରମେ ହରି ହାଲି କୁ ବିବାହ କଲା। ହାଲି ତାର ନିଃସଙ୍କୋଚ ସ୍ଵଭାବରେ ଜୀବନ ଅତିବାହିତ କରିବାକୁ ଲାଗିଲା। ନା ତାର କାହାକୁ ଖାତିର ନା ପଡି ଯିବାର ଭୟ । କିଛି ବି ତାକୁ ବ୍ୟତିବ୍ୟସ୍ତ କରୁ ନଥିଲା। ନିଜ ଅହଂକାର କୁ ସନ୍ତୋଷ ଦେବା ପାଇଁ ହରିର ଟଙ୍କା ସେ ଅଚିନ୍ତିତ ବ୍ୟବହାର କରୁଥିଲା। ନିଜ କଥାକୁ ସାବ୍ୟସ୍ତ କରିବା ପାଇଁ ହରି ସହିତ ଝଗଡା କରିବାକୁ ବି ପଛାଉ ନଥିଲା। ହାଲି ର କଡା ମିଜାଜ୍ ପାଇଁ ଘରକୁ କେହି ଆସିବାକୁ ବି ଭଲ ପାଉ ନଥିଲେ। ଯିଏ ହାଲି ର ଦରକାର ତା ସହ ସେ ଭଲ ବ୍ୟବହାର କରୁଥିଲା। ହରି ବିରୋଧ କଲେ ବିରୋଧ କେବଳ ଶବ୍ଦର ଗୁଞ୍ଜନ ଭିତରେ ରହିଯାଉଥିଲା। କାରଣ ହାଲି କହିଲା ଭଳି କିଛି ଏମିତି କରେ ନାହିଁ। ହରି ଅଯଥାରେ ମାନସିକ ଅଶାନ୍ତି ଆସିବ ମନେକରି କଥା ଆଗକୁ ନିଏ ନାହିଁ। ଚାପରେ ରହିବା ହାଲିର ଅଭ୍ୟାସ ନୁହେଁ। ହାଲି ତେଣୁ ଅନେକ ଅଧିକ ଖୁସି ରେ ରହେ। ସମସ୍ତେ ହାଲିର ଭାଗ୍ୟକୁ ଆଙ୍ଗୁଳି ଦେଖାଇ କହନ୍ତି

- ଭାଗ୍ୟବାନ ଝିଅଟା ଭାଗ୍ୟ ଯେମିତି ହାତରେ ଧରି ଧରାକୁ ଆସିଛି।

ହାଲି କିନ୍ତୁ କହେ ଭାଗ୍ୟ କଣ ! ତମେ ସବୁ ଡରପୋକ । ସେଥିପାଇଁ ନିଜ ଇଛା ଅନୁସାରେ ଚଳିପାରୁ ନାହଁ କି ଖୁସି ନେଇ ପାରୁ ନାହଁ। ମୋର ଯାହା ହେଉଛି ମୁଁ କରୁଛି। ମୋ ପାଇଁ କେହି ଆସି କରି ଦେଉ ନାହାନ୍ତି।

ସମସ୍ତେ ଶୁଣନ୍ତି। କିନ୍ତୁ କହିବାର ଇଛା ଥିଲେ ବି କିଛି କହନ୍ତି ନାହିଁ। କାରଣ ଯାହାକୁ ପରିସ୍ଥିତି ପ୍ରତ୍ୟେକ କଥାରେ ସହଯୋଗ କରୁଛି ତାକୁ କାହାର କହିବା କଣ ଫରକ ସୃଷ୍ଟି କରି ପାରିବ। ସେମାନେ କଣ ହାଲି ପରି ଶାଶୁଙ୍କୁ ଅଲଗା କରି ରଖି ପାରିବେ ନା ସ୍ଵାମୀ ଘରର ଜ୍ଞାତିଜନଙ୍କୁ ଅନାଦର କରି ପାରିବେ। ହାଲିକୁ କେହି ଆଦର୍ଶ ବୋଲି ମାନନ୍ତି ନାହିଁ କିନ୍ତୁ ହାଲି ର ଭାଗ୍ୟକୁ ଇର୍ଷା କରନ୍ତି।

ହାଲି ଘର ଭିତରେ ଅନବରତ ପାଟି କରି ଚାଲେ ଯେମିତି ସବୁ କାମ ତା ଯୋଗୁଁ ହିଁ ହେଉଛି। ଘରେ କିଏ ଅଛି ଯେ ଶୁଣିବ। ପୁଅ ରବି ବେଳେ ବେଳେ ବିରକ୍ତ ହୁଏ। ହରି ପ୍ରାୟତଃ କିଛି କହନ୍ତି ନାହିଁ। ହାଲି ଭାବି ନିଏ ସେ ଯାହା କରୁଛି ଠିକ୍ ହିଁ କରୁଛି। ପ୍ରବଳ ଆତ୍ମସନ୍ତୋଷରେ ସେ ସଦାବେଳେ ଥାଏ। ସମୟ ଗଡି ଚାଲେ।

ହାଲି ର ପୁଅ ରବି ବଡ ହୋଇ ବାହା ହେଲା। ହାଲି ତାର ନିଜ ଇଛା ଅନୁସାରେ ବୋହୁ ଖୋଜିକି ଆଣିଥିଲା। ଅନ୍ୟ ମାନେ ଇର୍ଷା କରି କହନ୍ତି ଏବେ ସେ ଘରେ ଆହୁରି ରାଜଭୋଗ କରିବ। ବାର୍ଦ୍ଧକ୍ୟ ଅନାୟାସରେ ଅତିବାହିତ ହୋଇଯିବ। ଯାହାର ଜୀବନରେ ସମ୍ମାନ ଓ ଅହଂକାର ପୂର୍ତ୍ତି ଯଦି ହେଇ ପାରିଲା ଆଉ ଅଧିକ ବା ଆବଶ୍ୟକ କଣ !

ହରି ବାହାଘରରେ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କଲା। ସମସ୍ତେ କିନ୍ତୁ ହାଲି ର ପାରିବା ପଣକୁ ବାହାବା ଦେଲେ। ହରି କେବଳ ଏକ ଟଙ୍କା ମେସିନ ହୋଇ ରହିଗଲା। ହରିର ଚାକିରି ଜଞ୍ଜାଳ ହରିର ସବୁକିଛି। ସେଥିରୁ ବାହାରି ଆସି ଆଉ କିଛି କରିବାକୁ ସେ ସମର୍ଥ ନଥାଏ। ଚାକିରୀ ଯେତେବେଳେ ସରିବାକୁ ବସିଲା ହରି କେବଳ ବଞ୍ଚିବା ଛଡା ଆଉ କିଛି ଚିନ୍ତା କରି ପାରୁ ନଥିଲା। ହାଲି କିନ୍ତୁ ତାର ମହିଳା ମାହୋଲ ପୁରା ଜମେଇକି ରଖିଥାଏ ଓ ଜୀବନର ପୁରା ମଜା ଉଠାଉଥାଏ।

ଜୀବନର ସ୍ରୋତରେ ସବୁ ଜିନିଷ ସଦାବେଳେ ସମାନ ଭାବରେ ଗତି କରୁ ନଥାଏ। ନଦୀର ପଥ ଗିରି ବନ ଦେଇ ଗତି କଲା ପରି ପ୍ରତ୍ୟେକ ମଣିଷର ଅବସ୍ଥା ମଧ୍ୟ ସେହିପରି ଗତି କରେ। ଯେପର୍ଯ୍ୟନ୍ତ ସମତଳ ରାସ୍ତାରେ ଗତି କରୁଥାଏ ସେ ନିଜର ପାରିବା ପଣକୁ ଜାହିର କରୁଥାଏ। ବିପରୀତ ଗତି ବା ପ୍ରତିରୋଧ ଯେଉଁଠାରେ ପାଏ ସେ ବିଚଳିତ ହେବା ଆରମ୍ଭ କରେ ଓ ଅନ୍ୟ କୁ ଦୋଷ ଦେବା ପାଇଁ ମଧ୍ୟ ପଛାଇ ନାହିଁ ।

ପୁଅ ରବି ବାହା ହେଲା ପରେ ବୋହୂ ରାନୀ ରାଣୀ ପରି ରାଜ କରିବା ଆରମ୍ଭ କଲା। ଶାଶୁଙ୍କ କୌଣସି କଥାକୁ ସେ ଖାତିର କଲା ନାହିଁ। ବେଶି କହିଲେ ମୁହଁରେ ଜବାବ ମଧ୍ୟ ଦେଲା। ଥରେ କଥା ଏତେଦୁର ବଢିଗଲା ଯେ ରାନୀ କହିବାକୁ ଲାଗିଲା ତମେ ବାପାଙ୍କ ସ଼ହ କେମିତି ବ୍ୟବହାର କର ମୁଁ ଦେଖୁନି ନା ମୁଁ ଜାଣିନି। ମୁଁ ମୋ ସ୍ଵାମୀ ସହ କେମିତି କଥା ହେଲି ତମେ ମୋତେ ଶିଖେଇବା ଦରକାର ନାହିଁ। ହାଲି ରାଗିଯାଇ କହିଲେ ତୋର ଏଇ ବ୍ୟବହାର ବିଷୟରେ ମୁଁ ତୋ ବାପାକୁ ରହ ଡାକି କହିବି।

ରାନୀ ନରାଗି ହସି ଦେଇ କହିଲା - ମୋ ବାପାଙ୍କୁ କାହିଁକି ଆପଣଙ୍କ ଘରର ବି କିଏ କିଏ ଅଛନ୍ତି ଡାକି ଆଣନ୍ତୁ। ଆପଣ ବି ସେମାନଙ୍କ ସହ କଣ କଣ କରିଛନ୍ତି। କାହାକୁ କେତେ ଆଦର କରିଛନ୍ତି ଜଣା ପଡିଯିବ। ଜୀବନସାରା ଖାଇ ପିଇ ମସ୍ତି କରି ଉଡେଇଛନ୍ତି। ଏବେ ଆସିଲେ ଉପଦେଶ ଦେବା ପାଇଁ। ଆପଣଙ୍କ ସବୁ କଥା ଖବର ମୋ ପାଖରେ ଅଛି। ନିଜେ ଯେମିତି ଚଳିଛନ୍ତି ଅନ୍ୟକୁ ବି ସେମିତି ଚଳିବାକୁ ଦିଅନ୍ତୁ।

ହାଲି ଗୋଡ ଛିଞ୍ଚାଡି ଇୟାଡୁ ସେୟାଡୁ କଣ ଗୁଡାଏ କହି ପଳେଇଲା। ନେଡିଗୁଡ କହୁଣୀକୁ ଯାହା ବୋହି ଯାଇଥାଏ ସେଥିରୁ ଫେରିବା ଆଉ ସମ୍ଭବ ଲାଗୁ ନଥାଏ। ଧୀରେ ଧୀରେ ଅତ୍ୟଧିକ ମାନସିକ ଚାପରୁ ବ୍ଳଡ ପ୍ରେସର ଡାଇଵେଟିସ ଆଦି ରୋଗ ମାଡିବା ଆରମ୍ଭ ହେଇଗଲା। ସୁସ୍ଥ ମଣିଷଟି ଦିନ କେତେଟା ଭିତରେ ଶଯ୍ୟା ଧରିବାକୁ ଲାଗିଲା। ହରି କିନ୍ତୁ ଅବସର ପରେ ଚାଲିବା ବୁଲିବା ଆଧ୍ୟାତ୍ମିକ ବହି ପଢିବା ଆରମ୍ଭ କରି ଦେଇଥାଏ। ଦିନେ ବୋହୂ କୁ ପାଖକୁ ଡାକି କହିଲେ - ତମେ ମାନେ ସଦାବେଳେ ତମ ରୁମ ଭିତରେ ବସିକି ରହୁଛ। ଆମ ପାଖରେ ଆସି ଟିକିଏ ବସୁନ।

ରାନୀ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା - ବୋଉ ମନା କରିଛନ୍ତି ଏଠିକି ଆସିବା ପାଇଁ।

ହରି ହାଲି ଆଡେ ଅନାଇଲେ। ହାଲିଙ୍କର କିଛି ଉତ୍ତର ନଥାଏ। ସମସ୍ତେ ଚୁପ୍ ହେଇ ଯିବାରୁ ରାନୀ କହିଲା ବାପା ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି। ଆପଣଙ୍କୁ ଯେତେବେଳେ ବୋର ଲାଗିବ ଆମ ରୁମକୁ ପଳେଇ ଆସିବେ। ମୁଁ କାହାକୁ ମନା କରି ନାହିଁ। ଆମେ ଖୁବ୍ ଗପିବା।

ହରି ହସିଦେଲେ କହିଲେ ତୋ ଶାଶୁର ଟିକେ ସେବା ଦରକାର ପଡୁଛି। ତୁ ଟିକେ ପାଖରେ ଠିଆ ହେଲେ ଭଲ ଲାଗନ୍ତା ।

ରାନୀ ସ୍ଵଭାବ ବଦଳାଇ କହିଲା -ବାପା ମୁଁ ପାରିବିନି। ମୁଁ ଜାଣିଛି ସେ ତମ ବାପା ମାଆ ଭାଇଙ୍କ ପାଇଁ କଣ କରିଛନ୍ତି। ତେଣୁ ତାଙ୍କର ମୋଠୁ ଆଶା କରିବା ଉଚିତ ନୁହେଁ।

ତାହେଲେ କଣ ଆମ ଘରେ ଏଇଟା ପରଂପରା ଭାବରେ ଚାଲିଥିବ। କେହି ବନ୍ଦ କରିବାକୁ ଆସିବେ ନାହିଁ।

ଆସିବେ ବାପା। ମୁଁ ଆସିବି। କିନ୍ତୁ ବୋଉ ଆଗ ଏ ଅବସ୍ଥା ଭୋଗି ସାରନ୍ତୁ। ଏ କଷ୍ଟକୁ କିଛି ଦିନ ଅନୁଭବ କରନ୍ତୁ। ସେତିକି ଦିନ ପର୍ଯ୍ୟନ୍ତ ମୋତେ ଏମିତି ରହିବାକୁ ଦିଅ।

ହରି ରାନୀ ଆଡେ ଦୃଷ୍ଟି ଦେଇ କହିଲେ ହୋଉ କିଛି ତ ଆଶା ଦେଲୁ। ମୁଁ ସେପର୍ଯ୍ୟନ୍ତ ଅପେକ୍ଷା କରିବି। କିନ୍ତୁ ମନେରଖ ଆମେ କାହାର କର୍ମ ପାଇଁ ଫଳ ପ୍ରଦାୟିକା ନୁହନ୍ତି। ଆମେ କେବଳ ନିଜର କର୍ମ ପାଇଁ ଉଦ୍ଦିଷ୍ଟ। ଯିଏ ଯାହା ବି କର୍ମ କରେ ସେ ତାର ଫଳ କୌଣସି ବାଟରେ ପାଇଯାଏ। ଭାଗ୍ୟ କର୍ମଫଳର ଏକ ଷ୍ଟାର୍ଟର୍ ମାତ୍ର ସବୁ କିଛି ନୁହେଁ। ଭାଗ୍ୟ ପାଖରେ ଯିଏ ଅଟକି ଯାଏ ସିଏ ଆଉ ମେନ୍ କୋର୍ସକୁ ଯାଇ ପାରେ ନାହିଁ।

କଥାଟା କହି ସାରି ରବିଚନ୍ଦ୍ର ସୁରେନ୍ଦ୍ର ଙ୍କ ଆଡକୁ ପ୍ରଶ୍ନିଳ ଦୃଷ୍ଟି ରେ ଦେଖିଲେ।

ସୁରେନ୍ଦ୍ର ଗମ୍ଭୀରତାରେ କହିଲେ -ଆପଣ ଏୟା କହିବାକୁ ଚାହୁଁଛନ୍ତି ନା ଯିଏ ଯେତେ ଭାଗ୍ୟ ଭୋଗ କରୁ ଅଯୋଗ୍ୟ ହାତରୁ ସବୁ ଧିରେ ଧିରେ ଖସି ଆସେ। ଯୋଗ୍ୟ ଭାଗ୍ୟକୁ ଧିରେ ଧିରେ ତା ଆଡକୁ ଟାଣି ଆଣେ

ରବିଚନ୍ଦ୍ର ନିଜ ବୁଝିଥିବା ଉତ୍ତର କୁ ପାଇ ଯିବାରୁ ତୃପ୍ତିରେ ଟିକିଏ ହସିଦେଲେ ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational