STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବୈକୁଣ୍ଠେ ଚ ମହାଲକ୍ଷ୍ମୀ

ବୈକୁଣ୍ଠେ ଚ ମହାଲକ୍ଷ୍ମୀ

4 mins
6

         ବୈକୁଣ୍ଠେ ଚ ମହାଲକ୍ଷ୍ମୀ
         =============
ବହୁ ଦିନ ତଳର କଥା l ଦିନେ, ଦେବରାଜ ଇନ୍ଦ୍ର, ଅପ୍ସରା ରମ୍ଭାଙ୍କ ସହ ସୁରାପାନ କରି କାମୋନ୍ମତ୍ତ ଅବସ୍ଥାରେ ଅରଣ୍ୟବିହାର କରୁ ଥାନ୍ତି l ସେହିବାଟଦେଇ ଋଷି ଦୁର୍ବାସା ଶିଷ୍ୟ ମାନଙ୍କ ସହ ଭଗବାନ ଶିବଙ୍କ ଦର୍ଶନ ପାଇଁ ବୈକୁଣ୍ଠପୂରରୁ କୈଳାସ ଯାତ୍ରା କରୁଥିଲେ l ମହର୍ଷିଙ୍କ ଉପରେ ଦୃଷ୍ଟିପଡ଼ିବା ମାତ୍ରେ, ଇନ୍ଦ୍ର ଆସି ତାଙ୍କୁ ପ୍ରଣାମ କରି ପାଛୋଟି ନେଲେ l ମହର୍ଷି ଓ ଶିଷ୍ୟ ମାନଙ୍କ ସତ୍କାର କରି ତାଙ୍କୁ ତୁଷ୍ଟକଲେ l ତାଙ୍କୁ ଆଶୀର୍ବାଦ କରି ଦୁର୍ବାସା ବୈକୁଣ୍ଠ ପୁରରୁ ଆଣିଥିବା ଗୋଟିଏ ସୁନ୍ଦର ପାରିଜାତପୁଷ୍ପ ଉପହାରଦେଲେ l ହିତାହିତ ଜ୍ଞାନଶୁନ୍ୟ ଇନ୍ଦ୍ର ହେୟଜ୍ଞାନକରି ସେ ଅପୂର୍ବ ପୁଷ୍ପଟିକୁ ଐରାବତ ହସ୍ତୀ ମସ୍ତକ ଉପରକୁ ଫିଙ୍ଗିଦେଲେ l ପାରିଜାତ ପୁଷ୍ପର ସ୍ପର୍ଶଲାଭ କରି ଐରାବତହସ୍ତୀ ଅରଣ୍ୟମଧ୍ୟରେ କେଉଁ ଆଡ଼େ ଅଦୃଶ୍ୟ ହୋଇଗଲା l ଇନ୍ଦ୍ରଙ୍କ ଏପରି ଆଚରଣରେ ମହର୍ଷି ଦୁର୍ବାସା କ୍ରୋଧରେ ଜଳି ଉଠି କହିଲେ, ରେ ମୁଢ଼ ! ଐଶ୍ୱର୍ଯ୍ୟମୋଦରେ ତୁ ପବିତ୍ର ପାରିଜାତପୁଷ୍ପ ଓ ମୋତେ ଅବଜ୍ଞା କଲୁ l ତୋତେ ଏବେ ମୁଁ ଅଭିଶାପ ଦେଉଛି, ଐଶ୍ୱର୍ଯ୍ୟଲକ୍ଷ୍ମୀ ତୋତେ ଅଚିରେ ତ୍ୟାଗ କରି ଚାଲିଯିବେ l ଅଭିଶପ୍ତଇନ୍ଦ୍ର ତାଙ୍କୁ କ୍ଷମାଭିକ୍ଷା କରିବାରୁ, ୠଷି ଦୁର୍ବାସା କହିଲେ, ହେ ଇନ୍ଦ୍ର ! ଐଶ୍ଵର୍ଯ୍ୟ ମତ୍ତ ବ୍ୟକ୍ତିର ପତନ ଅବଶ୍ୟମ୍ଭାବି l ତୁ ସାଧୁସଙ୍ଗ କଲେ ଯାଇ ମୋ ଅଭିଶାପରୁ ମୁକ୍ତ ହେବୁ l
ଦୁର୍ବାସାଙ୍କ ଅଭିଶାପରୁ, ଇନ୍ଦ୍ରଙ୍କ ନିକଟରୁ ସ୍ବର୍ଗଲକ୍ଷ୍ମୀ ତିରୋହିତ ହୋଇଗଲେ l ସେ ଏଥିରୁ ରକ୍ଷା ପାଇଁ ଦେବଗୁରୁ ବୃହସ୍ପତିଙ୍କ ଶରଣପଶିଲେ l ବୃହସ୍ପତି ତାଙ୍କୁ ଆଶ୍ୱସ୍ତ କରି କହିଲେ, ତୁମେ ଆଦୌ ବ୍ୟସ୍ତ ହୁଅ ନାହିଁ l ନାରାୟଣ ହେଉଛନ୍ତି ଏ ଜଗତର ସର୍ବମୟ କର୍ତ୍ତା l ଭଗବାନ୍ ଶିବ କହିଛନ୍ତି ବିପଦ କାଳରେ, ଭଗବାନ୍ ମଧୁସୂଦନଙ୍କୁ ସ୍ମରଣ କଲେ ସମସ୍ତ ଦୁର୍ଗତି ଦୂର ହୋଇଥାଏ l ତୁମେ ତାଙ୍କରି ଶରଣ ପଶ l ତୁମ ଦୁର୍ଗତି ଦୂର ହେବ l
ଦେବରାଜ ନାରାୟଣଙ୍କୁ ସ୍ମରଣ ପୂର୍ବକ ବ୍ରହ୍ମାଙ୍କ ପାଖରେ ଯାଇ ପହଞ୍ଚିଲେ l ବ୍ରହ୍ମା ତାଙ୍କୁ କହିଲେ, ଯେଉଁ ପାରିଜାତ ପୁଷ୍ପ ଅର୍ପଣକରି ଶିବ ଭଗବାନ୍ କୃଷ୍ଣଙ୍କ ପୂଜା କରନ୍ତି, ତୁମେ ସେହି ପାରିଜାତ ପୁଷ୍ପକୁ ଅବଜ୍ଞା କରିଛ l ବୈକୁଣ୍ଠକୁ ଯାଇ ତୁମେ ଶ୍ରୀମନ୍ ନାରାୟଣଙ୍କୁ ଆରାଧନା କଲେ, ତୁମର ପୂର୍ବଶ୍ରୀ ତୁମେ ଫେରି ପାଇବ l ଦେବରାଜ ସମସ୍ତ ଦେବତାଙ୍କ ସହ ବୈକୁଣ୍ଠ ପୁର ଯାତ୍ରାକରି ଯାଇ ଶ୍ରୀନାରାୟଣଙ୍କ ଦର୍ଶନ କଲେ l ସେଠାରେ ନାରାୟଣଙ୍କ ଚତୁର୍ଦ୍ଦିଗରେ ଚତୁର୍ବେଦ, ସରସ୍ଵତୀ ତଥା ଗଙ୍ଗା ଅବସ୍ଥାନ କରୁଥାନ୍ତି l ଇନ୍ଦ୍ର ସମସ୍ତ ଦେବତା ମାନଙ୍କ ସହ ନାରାୟଣଙ୍କୁ ସ୍ତୁତି କରିବାକୁ ଲାଗିଲେ l ଭଗବାନ କହିଲେ, ଦୁର୍ବାସା, ମୋର ପରମ ଭକ୍ତ l ତୁମେ ତାଙ୍କ ପ୍ରତି ଏବଂ ମୋ ପ୍ରସାଦ ପାରିଜାତ ପ୍ରତି, ଅବମାନନା କରିଛ l ଏଣୁ ତୁମକୁ ଲକ୍ଷ୍ମୀ ପରିତ୍ୟାଗ କରିଛନ୍ତି l ଯେଉଁ ଘରେ ଶଙ୍ଖ ଧ୍ଵନୀ ହୁଏ ନାହିଁ l ତୁଳସୀ ନ ଥାଏ, ଶିବ ଶିବାନୀଙ୍କ ପୂଜା ହୁଏ ନାହିଁ, ବ୍ରାହ୍ମଣଙ୍କୁ ଦାନ ଭୋଜନ ଦିଆ ହୁଏ ନାହିଁ l ଯେଉଁଠାରେ ମୋର କିମ୍ବା ମୋ ଭକ୍ତମାନଙ୍କ ଅବମାନନା କରା ଯାଏ l ଯେଉଁଠି ଶ୍ରୀହରିଙ୍କ ଯଶଗାନ ହୁଏ ନାହିଁ, ସେସବୁ ସ୍ଥାନରେ ଲକ୍ଷ୍ମୀ ବାସ କରନ୍ତି ନାହିଁ l ସେ ପାଇଁ ଲକ୍ଷ୍ମୀ ତୁମକୁ ଛାଡ଼ି ଯାଇଛନ୍ତି l
ଶ୍ରୀନାରାୟଣ ଏହା କହି, ମହାଲକ୍ଷ୍ମୀଙ୍କୁ କହିଲେ, ଶୀଘ୍ର ତୁମେଯାଇ କ୍ଷୀରସମୁଦ୍ର ମଧ୍ୟରେ ଅବସ୍ଥାନକର ଓ ଦେବତା ମାନଙ୍କୁ କହିଲେ, ତୁମେମାନେ ଯାଇ କ୍ଷୀର ସମୁଦ୍ର ମନ୍ଥନ କର l ତହିଁରୁ ମହାଲକ୍ଷ୍ମୀ ଆବିର୍ଭୁତା ହେବେ ଓ ତୁମେ ତାଙ୍କୁ ଲାଭ କରିବ l ଦେବତାମାନେ କ୍ଷୀରସମୁଦ୍ର ମନ୍ଥନ ପାଇଁ ପ୍ରସ୍ତୁତ ହୋଇଗଲେ l ସାଗର, ମନ୍ଥନ ହେଲା ଓ ତହିଁରୁ ଐରାବତହସ୍ତୀ ଓ ଲକ୍ଷ୍ମୀ ଉତ୍ଥିତା ହେଲେ l ଲକ୍ଷ୍ମୀ ବିଷ୍ଣୁଙ୍କୁ ବରଣକରି ବିଷ୍ଣୁପ୍ରିୟା ବୋଲାଇଲେ l ସେ ଅଭିଶପ୍ତ ଦେବରାଜ ଇନ୍ଦ୍ରଙ୍କ ଊ ପରେ ତାଙ୍କର କରୁଣା କଟାକ୍ଷ ପକାଇଲାରୁ ତାଙ୍କ ପାଖକୁ ହୃତ ଐଶ୍ୱର୍ଯ୍ୟ ଫେରିଆସିଲା l ଦେବତାମାନଙ୍କ ମଧ୍ୟରେ ଉଲ୍ଲାସ ଖେଳି ଗଲା l ଇନ୍ଦ୍ର ମହାଲକ୍ଷ୍ମୀଙ୍କୁ ସ୍ତୁତିକଲେ:-  ନମଃ କମଳ ବାସିନୈ ନାରାୟଣେଇ ନମୋ ନମଃ l କୃଷ୍ଣପ୍ରିୟାୟି ଶତତମ୍ ମହାଲକ୍ଷ୍ମୈ ନମୋ ନମଃ ll
ଏପରି ଇନ୍ଦ୍ର ମହାଦେବୀଙ୍କ ନାନା ଯଶଗାନ କରି କହିଲେ, ହେ ମହାଦେବୀ, ତୁମେ ଶୁଦ୍ଧ ସତ୍ତ୍ବ ସ୍ୱରୂପା ନାରାୟଣ ପରାୟଣା ବିଷ୍ଣୁ ପ୍ରୀୟା l ତୁମେ ଅଭୀଷ୍ଠ ବରଦାୟିନୀ l ତୁମେ ପରମାର୍ଥ ଦାୟିନୀ ମଙ୍ଗଳମୟୀ ଶାରଦା, ପରମା ପ୍ରକୃତି l ତୁମବିନା ଅଖିଳ ଜଗତ ଅସାର, ମୃତ l ତୁମେ ଜଗଜ୍ଜନନୀ l ତୁମ ବିନା ଅଖିଳ ଜଗତ ମାତୃହୀନା l ଆପଣଙ୍କ ଅଭାବରେ, ମୁଁ, ଦୀନ ଭିକ୍ଷୁକ ହୋଇ ଯାଇ ଥିଲି l ଆପଣ ମୋ ପ୍ରତି କରୁଣା କଲାରୁ ମୁଁ ଓ ଦେବତା ମାନେ ସମସ୍ତ ଐଶ୍ଵର୍ଯ୍ୟ ପୁଣି ଫେରିପାଇଲେ l ମୁଁ ଆପଣଙ୍କୁ ବାରମ୍ବାର ପ୍ରଣାମ କରୁଛି :- ସମ୍ପତ୍ୟଧିଷ୍ଠାତୃଦେବୈ ମହାଦେବୈ ନମୋ ନମଃ l ନମଃ ବୁଦ୍ଧି ସ୍ୱରୁପାୟେ ବୁଦ୍ଧିଦାୟେ ନମୋ ନମଃ ll ମହାଲକ୍ଷ୍ମୀ ବାସବଙ୍କ ଭକ୍ତି ପୂତ ସ୍ତୁତିରେ ସନ୍ତୁଷ୍ଟା ହୋଇ ତାଙ୍କୁ ଆଶୀର୍ବାଦ ପ୍ରଦାନ କଲେ l
ଶ୍ରୀମଦ୍ ଦେବୀ ଭାଗବତରେ ଭଗବାନ ଦେବର୍ଷି ନାରଦଙ୍କୁ ମହାଲକ୍ଷ୍ମୀଙ୍କର ଏହିକଥା କହୁଥିଲେ l ପୁଣି ଦେବର୍ଷିଙ୍କୁ ଆଦ୍ୟାଶକ୍ତି ମହାଲକ୍ଷ୍ମୀଙ୍କ କଥାକହି ନାରାୟଣ କହିଲେ, ସୃଷ୍ଟି ଆଦ୍ୟ କାଳରେ ଭଗବାନ କୃଷ୍ଣଙ୍କ ଶରୀରର ବାମ ଭାଗରୁ ଦେବୀ ଶ୍ରୀରାଧା ପ୍ରକଟିତ ହୋଇ ଥିଲେ l ଶ୍ରୀରାଧା ନିଜ ଶରୀରର ବାମ ଭାଗରୁ, ଯେଉଁ ପରମା ସୁନ୍ଦରୀ ଦେଵୀଙ୍କୁ ସୃଷ୍ଟି କଲେ, ସେହି ଦେବୀ ହେଉଛନ୍ତି ମହାଲକ୍ଷ୍ମୀ l ରାଧା, ଶ୍ରୀକୃଷ୍ଣଙ୍କୁ ପତି ରୁପେ ଲାଭ କରି ସାରି ଥିଲେ l ପ୍ରକଟ ହୋଇ, ମହାଲକ୍ଷ୍ମୀ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ଇଚ୍ଛା କଲେ l ଦେବୀଙ୍କ ମନ କଥା ଜାଣିପାରି ଶ୍ରୀକୃଷ୍ଣ ତାଙ୍କ ଶରୀର ବାମ ଭାଗରୁ, ଚତୁର୍ଭୁଜ ବିଷ୍ଣୁଙ୍କୁ ସୃଷ୍ଟିକଲେ ଓ ଦେବୀଙ୍କୁ ତାଙ୍କୁ ସମର୍ପଣ କଲେ l ଭଗବାନ ବିଷ୍ଣୁ ମହାଲକ୍ଷ୍ମୀଙ୍କୁ ଗ୍ରହଣକରି ବୈକୁଣ୍ଠପୁର ପ୍ରସ୍ଥାନ କଲେ l ସେହି ଦେବୀ ହେଲେ:-     
       ବୈକୁଣ୍ଠେ ଚ ମହାଲକ୍ଷ୍ମୀ
          ପରିପୂର୍ଣ୍ଣତମା ରମା l
           ଶୁଦ୍ଧ ସତ୍ତ୍ଵ ସ୍ୱରୂପା ଚ
        ସର୍ଵ ସୌଭାଗ୍ୟ ସଂଯୁତା ll

          ! ଜୟ ମାଆ ମହାଲକ୍ଷ୍ମୀ !
                 🙏🙏🙏
                     ଅର୍ଜୁନୀ
                  ---------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୮୨୯୭୧


Rate this content
Log in

Similar oriya story from Inspirational