Padmalaya Mishra

Tragedy Classics

4.0  

Padmalaya Mishra

Tragedy Classics

ବାୟାବସା

ବାୟାବସା

4 mins
226



    ବାହାରେ ଆକାଶରୁ ତୁହାକୁ ତୁହା ବର୍ଷା ଝରି ପଡୁଥାଏ, ଘନ ଅନ୍ଧକାର କୁ ଚିରି ମଝି ମଝିରେ ବିଜୁଳି ଚମକି ଯାଉଥାଏ । ନୀରବତା ଭାଙ୍ଗି ଘଡଘଡି ଶବ୍ଦ ଶୁଭୁଥାଏ । ମିତୁ ବାପାଙ୍କ ରୁମର ଝରକା ଦେଇ ଅପଲକେ ତାଳଗଛରେ ଝୁଲିଥିବା ବାୟାବସାକୁ ଚାହିଁ ରହିଥାଏ । ପବନର ଗତି ପାଖାପାଖି ଦେଢଶ... ନଡ଼ିଆ ଗଛ ଅଧା ଲଇଁ ଯାଉଥାଏ । ତାଳଗଛଟି ଖୁବ୍ ଜୋରରେ ଝୁଲୁଥାଏ ଓ ସାଥିରେ ଝୁଲୁଥାଏ ବାୟାବସା, ଦୀର୍ଘ ସାତ ବର୍ଷ ହେଲା ତୋଳା ହେଇଛି ବାଇଚଢେଇ ଦମ୍ପତି ଦ୍ଵାରା । 


     ମିତୁ ଆଖିରେ ଲୁହର ଧାର । ଅତୀତ ଆଖି ଆଗରେ ଆସି ଯାଉଛି । ଏପଟେ ଅଶୀ ବୟସର ବୃଦ୍ଧ ବାପା ନିଶ୍ଚଳ ହୋଇ ଯାଇଛନ୍ତି । ପ୍ରାଣବାୟୁ ଉଡିଗଲାଣି ରାତି ଏଗାରଟା ରୁ .... ସକାଳ ହେଲେ ଯାଇ.... ବିକଟାଳ ରଡି କରି ଅନ୍ତର ଆତ୍ମା କାନ୍ଦୁଛି । କିନ୍ତୁ ବର୍ଷାର ଶବ୍ଦ ଆଗେ ସବୁ ଫିକା । 


     ଘର ବାଡିପଟ ତାଳ ଗଛକୁ ପ୍ରତିଦିନ ଚାହିଁ କିଛି ସମୟ ବସିବା ମିତୁର ଅଭ୍ୟାସ । ସେ ଗଛକୁ ସେ ଓ ତା ବାପା ଲଗେଇ ଯତ୍ନ ନେଇ ବଡ଼ କରିଛନ୍ତି । ତାଳଗଛ ନୁହେଁ ତ ମିତୁର ସୁଖ ଦୁଃଖର ସାଥୀ ।


    ଚାରି ଭାଇରେ ସେ ଗୋଟିଏ ବୋଲି ଭଉଣୀ । ବାପା ଦାମୋଦର ତ୍ରିପାଠୀ ଗାଁରେ ତେଜରାତି ଦୋକାନ ଖଣ୍ଡିଏ କରି ଆଠ ପ୍ରାଣୀର କୁଟୁମ୍ବ ଚଳଉ ଥିଲେ । ବାପା, ମା, ଦାମୋଦର ବାବୁ, ତାଙ୍କ ପତ୍ନୀ ସରଳା ଏବଂ ଚାରି ପୁଅ... । ଗାଁ ଜଗନ୍ନାଥ ମଣ୍ଡପ ଉପରେ ସକାଳୁ ଚାହାଳୀ କରନ୍ତି । ଗାଁର ଗରିବ ପିଲା ଚାହାଳୀକୁ ଆସନ୍ତି । କେବେ ସେମାନଙ୍କ ଠାରୁ ଟଙ୍କା ନିଅନ୍ତିନି ବାପା ବୋଲି ଜେଜେମା କହେ । ଅବଶ୍ୟ ସେ ପିଲା ମାନଙ୍କ ଘରୁ ମା କହେ, ଚାଉଳ, ପନିପରିବା ଆସେ ଗୁରୁ ଦକ୍ଷିଣା ସ୍ଵରୂପ । ବାପା ନାହିଁ କରନ୍ତି ବୋଲି ବାପା ଘରେ ନଥିଲା ବେଳେ ଘରେ ପିଲା ମାନଙ୍କ ବାପା ମାନେ ଆଣି ଥୋଇ ଯାଆନ୍ତି । 


   ସାନ ପୁଅକୁ ସାତ ବର୍ଷ ହେଇ ଯାଇଥାଏ, ମିତୁ ବୋଉ ପେଟରେ ରହିଲା । ଗାଁରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଟିଏ ଖୋଲିଲା । ଦାମୋଦର ବାବୁ ସେ ସ୍କୁଲରେ ମାଷ୍ଟ୍ର ଚାକିରି କଲେ । ମିତୁ ଜନ୍ମ ହେବା ପରେ ଦାମୋଦର ବାବୁଙ୍କୁ ଗାଁ ସ୍କୁଲର ହେଡ଼ ମାଷ୍ଟର କରି ଦିଆଗଲା । ଜେଜେମା ତେଣୁ ମିତୁକୁ ଲକ୍ଷ୍ମୀ ଡାକେ । 


   ମିତୁ ଠାରୁ ତା ବଡ଼ ଭାଈ ଷୋହଳ ବର୍ଷ ବଡ଼ । ସେ କଲେଜ ପଢିବାକୁ ସହରକୁ ଗଲା । ଏପଟେ ଯେତେବେଳେ ମିତୁକୁ ତିନି ବର୍ଷ ଜେଜେମା ଚାଲିଗଲା । ମିତୁ ଜେଜେମା କୁ ଭାରି ଭଲ ପାଉଥିଲା, ତେଣୁ ସବୁ ବେଳେ ଖୋଜିଲା । 


    ଘରକୁ ତାଳ ଆସିଥିଲା । ଉଙ୍ଖୁ ପାଇଁ କିଛି ତାଳ ପୋତା ହେଇଥିଲା । ସେଥିରୁ ଗୋଟାକରୁ ଗଜା ବାହାରି ଛୋଟିଆ ଗଛଟିଏ ହେଲା । ସେଦିନ ଜେଜେମା କାହିଁ ର ଉତ୍ତର ଦବାକୁ ଯାଇ ବାପା ମିତୁକୁ କହିଲେ, ତୁ ଏଇ ଗଛକୁ ଯତ୍ନ ନେଇ ବଡ଼ କରେ ଜେଜେମା ଆସିବ । ସେବେଠାରୁ ଏ ତାଳଗଛ ମିତୁର ସାଥୀ । 


    ଜେଜେବାପା ଚାଲିଗଲା ପରେ ବାପା ଟିକେ ନୀରବ ହେଇଗଲେ । ସ୍କୁଲ୍ ଉନ୍ନତି ପାଇଁ ନିଜ ସମୟ ତକ ଖର୍ଚ୍ଚ କଲେ । ସେତେବେଳକୁ ବଡ଼ ଭାଈ ଚାକିରି କରି ଗଲେଣି ଓ ସାନ ତିନି ଭାଈ କଲେଜ ପଢିବା ପାଇଁ ସହରକୁ ଚାଲି ଗଲେଣି । ଘରେ ବୋଉ ସହ ମିତୁ ପ୍ରାୟ ରହୁଥିଲା । 


  ମିତୁ ଏବେ ସୁନ୍ଦରୀ ଯୁବତୀ.... ତାଳଗଛ ଢେର ବଡ଼ ହେଇଗଲାଣି । ସେଥିରେ ବାଇ ଚଢେଇଟେ ବସା ବାନ୍ଧି ଥିଲା । ପବନର ତାଳେ ତାଳେ ବାୟାବସା ଝୁଲୁଥାଏ, ମିତୁ ନିଜ ରୁମର ଝରକା ପାଖରେ ବସି ବାୟାବସା ର ଗତିବିଧି ଲକ୍ଷ କରୁଥାଏ । ବେଳେବେଳେ ବୋଉ ବି ମିତୁ ପାଖେ ବସେ । ଏମିତି ଦିନେ ମୋ ଧନ ବାହା ପରେ ନିଜ ଘର ଗଢିବ... । ନା ବୋଉ ମୁଁ ସବୁବେଳେ ବାପା ଓ ତୋ ସାଙ୍ଗେ ରହିବି । ପାଗଳୀ ଟା କହି ବୋଉ ହସି ଦେଇଥିଲା । 


    ସମୟ ସ୍ରୋତ ଆଗକୁ ମାଡି ଚାଲିଲା । ବଡ଼ ଦୁଇ ଭାଈ ବାହା ହେଇ ସାରିଥିଲେ । ମିତୁ ପାଇଁ ପ୍ରସ୍ତାବ ଖୋଜା ହେଉଥିଲା..... ଅଦିନିଆ ଝଡ଼ ବୋଉକୁ ଛଡେଇ ନେଲା । 


    ସେଦିନ ବର୍ଷା ରାତିରେ ବୋଉ ଛାତିରେ ଅସହ୍ୟ ଯନ୍ତ୍ରଣା ହେଲା । ବାପା ଦ୍ଵିତୀୟ ଭାଈ ଡାକ୍ତର ଥିଲା ବୋଲି ତାକୁ ଫୋନ୍ କଲେ । ସେ ବର୍ଷା ରାତିରେ କେମିତି ଆସିବ.... ସକାଳୁ ବର୍ଷା ଛାଡିଲେ ଆସିବ କହିଲା । ମିତୁ ଓ ବାପା ବୋଉକୁ ଘଷାଘଷି କରି ରାତିଟା କାଟିଲେ । ବୋଉ ବି ଯନ୍ତ୍ରଣା ଓ ମୃତ୍ୟୁ ସହ ଭୋର୍ ପର୍ଯ୍ୟନ୍ତ ଲଢୁଥିଲା । 


   ରାତି ପାହିଲା । ସୂର୍ଯ୍ୟ ଉଇଁ ଚତୁର୍ଦିଗ ଆଲୋକିତ ହେଲା.... କିନ୍ତୁ ବୋଉ ଜୀବନ ଦୀପ ଲିଭିଗଲା । ମିତୁ ଜୀବନରେ ଅନ୍ଧକାର ମାଡି ଆସିଲା । 


    ବୋଉ ଚାଲିଗଲାନି ତ ଘରର ମୂଳଦୁଆ ଦୋହଲି ଗଲା । ଦ୍ଵିତୀୟ ଡକ୍ଟର ଭାଈ ନିଜ ପସନ୍ଦର ଡାକ୍ତରାଣୀ ଭାଉଜ ବାହା ହୋଇ ସହରରେ ସବୁଦିନ ପାଇଁ ରହିଲା । ତଳ ଦୁଇ ଭାଈ ଫରେନ୍ କମ୍ପାନୀ ଚାକିରି କରୁଥିଲେ । ନିଜ ନିଜ ପସନ୍ଦର ଝିଅ ସହ ବାହା ହୋଇ ଜଣେ ଆମେରିକା ଓ ଜଣେ ଲଣ୍ଡନରେ ରହିଲେ ।


     ବୋଉ ତ ଚାଲି ଯାଇଥିଲା, ବାପା ମଧ୍ୟ ରିଟାୟର୍ ବୃଦ୍ଧ । ଭଉଣୀ ମିତୁ ପାଇଁ କାହାର ଚିନ୍ତା ନାହିଁ । ମିତୁ ବି ବାପାଙ୍କୁ କହି ଦେଇଛି, ଘର ଜୋୟାଁ ମିଳିଲେ ବାହା ହବ । ନହେଲେ ବାପାଙ୍କୁ ଛାଡି କୁଆଡ଼େ ଯିବନି । ଭାଈ ଭାଉଜ ତ ବାପାଙ୍କୁ ପାଖକୁ ନବାକୁ ନାରାଜ । ଏକୁଟିଆ ବାପା କେମିତି ରହିବେ .... 


     ମିତୁ ବି ଇଡି ପାଶ୍ କରି ସେହି ଗାଁ ସ୍କୁଲରେ ଶିକ୍ଷୟତ୍ରୀ ହେଇଛି, ଯୋଉ ସ୍କୁଲ୍ ବାପାଙ୍କ ହାତରେ ଗଢା.... ଆଦର୍ଶ ବିଦ୍ୟାଳୟ .... 


     ଜୋରରେ ଘଡଘଡି ଆବାଜ ... ତାପରେ ନିଆଁ ଲାଗିଗଲା ସେ ତାଳଗଛରେ । ପ୍ରକୃତିସ୍ଥ ହେଲା ମିତୁ । ଜଳିଗଲା ବାପା ଓ ତା ହାତ ଲଗା ତାଳଗଛ.... ସବୁଦିନ ପାଇଁ ସେ ଏକୁଟିଆ ହେଇଗଲା । 


    ସେ ଗଛ ନିଆଁରୁ ମୁହଁ ଫେରାଇ ନେଇ ବାପାଙ୍କୁ ଚାହିଁଲା । ରାତି ପାହିଲେ ବାପା ବି ପଞ୍ଚଭୂତରେ ବିଲୀନ ହେଇଯିବେ । ବଡ଼ ଭାଈ ନିକଟ ସହରରେ ରହେ । ମିତୁ ଫୋନ୍ କରି ଦେଇଛି । ବର୍ଷା ଛାଡିଲେ ସେ ଆସିବ ଅନ୍ତ୍ୟେଷ୍ଟି କରିବାକୁ । ଦ୍ଵିତୀୟ ନମ୍ବର ଭାଈ ଭାଉଜ ଡକ୍ଟର ଟ୍ରିପ୍ ରେ ଇଉରୋପ ଯାଇଛନ୍ତି । ତିନି ନମ୍ବର ଓ ଚାରି ନମ୍ବର ଭାଇ ଭିଡିଓ କଲ୍ ରେ ବାପାଙ୍କ ଦର୍ଶନ କରି ଶେଷ ପ୍ରଣାମ ଜଣେଇ ଦେଇଛନ୍ତି । 


    ବର୍ଷା ଛାଡି ଆସୁଥାଏ.... ସିନ୍ଦୂରା ଫାଟି ଆକାଶ ରକ୍ତାଭ ଦିଶୁଥାଏ.... ତାଳଗଛର ଅଗ ତା ସହ ବାୟାବସା ଅର୍ଦ୍ଧ ଦଗ୍ଧ ଅବସ୍ଥାରେ.... ଆଉ ମିତୁ.... ମିତୁ ବାପାଙ୍କ ପାଦ ଉପରେ ମୁଣ୍ଡ ଥୋଇ ଶୋଇ ଯାଇଥାଏ ଚିରନିଦ୍ରାରେ..... ।।


    


Rate this content
Log in

Similar oriya story from Tragedy