STORYMIRROR

Birakishore Nayak

Inspirational

4  

Birakishore Nayak

Inspirational

ବାପଥିବା ପୁଅ ସଭାରେ ହାରେନା

ବାପଥିବା ପୁଅ ସଭାରେ ହାରେନା

4 mins
190


     ଅଫିସରୁ ଫେରିବା ପରେ ସରକାରୀ କ୍ଵାର୍ଟର ର ବାଲକୋନୀରେ ବସି ଚା ପିଉଥିଲେ ଅନିମେଷ l ସମ୍ମୁଖ ରାସ୍ତାରେ କାଁ ଭାଁ ଗୋଟାଏ ଅଧେ ଗାଡି ଯିବାଆସିବା କରୁଥିଲା l ସନ୍ଧ୍ୟା ଆସନ୍ନ ପ୍ରାୟ l ମନଟା ଉଦାସ ଉଦାସ ଲାଗୁଛି l ଜୀବନରୁ କିଛି ଗୋଟାଏ ହଜି ଯାଇଛି ଯେମିତି ତାଙ୍କର l

      ଗାଁରୁ ରାଜେଶ ଫୋନ କରିଥିଲା ଆଜି l ପିଲାଦିନର ସାଙ୍ଗ ସିଏ ଅନିମେଷଙ୍କର l କହିଲା ଯେ, ଗାଁର ମଧୁସାର, ଯିଏକି ପ୍ରାଥମିକ ବିଦ୍ୟାଳୟରେ ସେମାନଙ୍କୁ ପାଠ ପଢାଇଥିଲେ, ଆଜି ଚାଲିଗଲେ ଆରପାରିକୁ l ଦୀର୍ଘଦିନ ହେଲା ପାରାଲେସିସ ରୋଗରେ ଆକ୍ରାନ୍ତ ହୋଇ ପଡି ରହିଥିଲେ l ଚାଲବୁଲ ବି କରିପାରୁନଥିଲେ l ଏଇ ଦୁଃଖଦ ଖବର ପାଇବା ପରେ ଛାତି ଭିତରଟା କୋରି ହେଇଯାଉଥିଲା ଯେମିତି l ଦୀର୍ଘଦିନ ହେଲାଣି ସରକାରୀ କାର୍ଯ୍ୟ ଚାପରେ ଗାଁକୁ ଯାଇପାରିନାହାନ୍ତି ଅନିମେଷ l ଦୁଇବର୍ଷ ପାଖାପାଖି ହେବଣି, ଗାଁକୁ ଯାଇଥିଲେ l ମଧୁସାର ଦେଖା ହୋଇଥିଲେ ସେତେବେଳେ l ବୁଢା ହେଇଯାଇଥିଲେ, କିନ୍ତୁ ବାଡିଧରି ଧୀରେଧୀରେ ଚାଲିପାରୁଥିଲେ l ସେଦିନ ତାକୁ ଦେଖି ଭାରୀ ଖୁସି ହେଇଯାଇଥିଲେ ସିଏ l ତା ମୁଣ୍ଡକୁ ଆଉଁସି ଦେଇଥିଲେ ଶ୍ରଦ୍ଧାରେ,ହୃଦୟର ସବୁ ସାଇତା ଆଶୀର୍ବାଦ ଢାଳିଦିଇଥିଲେ ଯେମିତି ତା ଉପରେ l ତାଙ୍କ ପାଦଛୁଇଁ ପ୍ରଣାମ କରିଥିଲେ ଅନିମେଷ l ସେଇଟା ଥିଲା ମଧୁସାରଙ୍କ ସହିତ ଶେଷ ଦେଖା l ବାପା ମଝିରେ ମଝିରେ ତାଙ୍କ ପାଖକୁ ବୁଲି ଆସିଲେ, ମଧୁସାରଙ୍କ କଥା ସେ କହନ୍ତି ତାଙ୍କୁ l

    ମଧୁସାର ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ନିଜ ଗାଁର l ବହୁତ ସ୍ନେହୀ, ଖୋଲା ହୃଦୟର ଅମାୟିକ ମଣିଷଟିଏ l ବିଦ୍ୟାଳୟର ପିଲାମାନେ ତାଙ୍କର ପୁଅଝିଅ ଯେମିତି l ସେମିତି ଅନୁଭବ ହୁଏ ତାଙ୍କ ବ୍ୟବହାରରେ l ତାଙ୍କରି ଉପଦେଶଯୋଗୁ ଯେ ସେ ଭଲ ପାଠ ପଢି ଆଜି ଜଣେ ଜିଲ୍ଲl କଲେକ୍ଟର ହୋଇପାରିଛନ୍ତି,ତାହା ସେ ଅସ୍ବୀକାର କରି ପାରିବେ ନାହିଁ l ବାପାଙ୍କର ସାହାଯ୍ୟ ବି ଅତୁଳନୀୟ l ଦିନେ ବାପା ମଧୁସାରଙ୍କୁ କହୁଥିବାର ସେ ଶୁଣିଥିଲେ ,ମାଷ୍ଟ୍ରେ, ପିଲାଟା ପୁରା ନଷ୍ଟହେଇଗଲାଣି, ତାକୁ ଟିକେ ବାଟକୁ ଆଣନ୍ତୁ l ତା ପାଇଁ ଯେ ବାପା କେତେ ଚିନ୍ତିତ ଥିଲେ ସେତେବେଳେ, ଆଜି ସେକଥା ବୁଝିପାରୁଛନ୍ତି ଅନିମେଷ l

     ଷ୍ଟ୍ରୀଟଲାଇଟ ସବୁ ଜଳି ଉଠିଲାଣି, ତୋଫା ଆଲୁଅ ବିଛାଡି ହେଇଯାଇଛି ରାସ୍ତାଉପରେ l ଭାବୁଥିଲେ ଅନିମେଷ, ତାଙ୍କ ପିଲାଦିନର କଥା l ଏକ ଅପରିଚିତ ପଲ୍ଲୀରେ, ଏକ ଯୌଥପରିବାରରେ ଜନ୍ମ ହେଇଥିଲେ l ପିଲାଦିନେ ବହୁତ ଦୁଷ୍ଟ ଥିଲେ ସିଏ l ପାଠପଢ଼ାରେ ମନ ନଥିଲା, ଗୁରୁଜନମାନଙ୍କ କଥା ବି ଶୁଣୁ ନଥିଲେ କେବେ l ଚଗଲା ଯେ ଚଗଲା l ଦିନେ ମଧୁସାରଙ୍କ ବାଡ଼ିରେ ପଶି ତାଙ୍କ ପିଜୁଳି ଗଛରେ ଚଢି ପିଜୁଳି ପାରୁଥିବା ବେଳେ ମଧୁସାରଙ୍କ ଆଖିରେ ଧରା ପଡିଗଲେ l ଡରିଡରି ଗଛରୁ ଓହ୍ଲାଇଲା ବେଳେ ଭାବୁଥିଲେ , ସାର ଆଜି ନିଶ୍ଚୟ ବାଡ଼େଇବେ l ପୁରା ମନେଅଛି ସେଦିନର କଥା ଅନିମେଷଙ୍କର l ସାର କିନ୍ତୁ ସେଦିନ ରାଗିନଥିଲେ ତାଙ୍କ ଉପରେ, ଘରକୁ ଡ଼ାକିନେଇ ଘରେଥିବା କିଛି ପିଜୁଳି ତା ହାତରେ ଦେଇ ପାଖରେ ବସାଇଥିଲେ l ସେଦିନ ସେ ତାକଙ୍କୁ ଅନେକ ବୁଝାଇ ଥିଲେ l କହିଥିଲେ, କାହିଁକି ଏମିତି ଦୁଷ୍ଟକାମ ଏମିତି କରୁଛୁ, ଗଛରୁ ଖସିପଡ଼ିଥିଲେ, କଣ ଅବସ୍ଥା ହେଇଥାନ୍ତା ଏବେ ତୋର ? ଏଇମିତି ଚୋରିକାମ କରି ଜୀବନରେ କଣ କରିବୁ ତୁ ? ତୋ ବାପାମାଆ କଣ ଏଇଆ ଆଶା କରନ୍ତି ତୋ ଠାରୁ ? ତାଙ୍କ ପୁଅ ଗୋଟାଏ ଚୋର ହେଉ, ଏଇଆ କଣ ଚାହାଁନ୍ତି ସେମାନେ ? କଣ ଅଭାବ ଅଛି ତୋର, ତୋ ପଛରେ ବାପା, ଦାଦା, ସବୁଗୁରୁଜନ ସାହାଯ୍ୟ କରିବାକୁ ଅଛନ୍ତି l ତୁ ଯାହା ଚାହିଁବୁ, ଜୀବନରେ ସେଇଆ କରିପାରିବୁ l ଯେତେ ପାଠ ପଢ଼ିବୁ, ଜମିବାଡ଼ି ବିକ୍ରିକରି ବି ତୋତେ ଅର୍ଥ ଯୋଗାଇବେ ତୋ ବାପା l ସେଇଥି ପାଇଁ କହନ୍ତି ପରା ବାପଥିବା ପୁଅ ସଭାରେ ହାରେନା l ତେବେ ତୁ କାହିଁକି ହାରିବୁ ? ତୋ ପଛରେ ତୋର ବାପା ପରା ଅଛନ୍ତି l ବାପା ନିଜର ସନ୍ତାନ ପାଇଁ ନିଜକୁ ଅନ୍ୟପାଖରେ ବିକ୍ରିକରିଦେଇ ପାରନ୍ତି ପରା l ଭଲ ରାସ୍ତାରେ ଚାଲ, ମନଦେଇ ପାଠ ପଢ଼, ଦିନେ ନା ଦିନେ ବଡ ମଣିଷ ହେବୁ l ପାଠପଢି ଜୀବନରେ ଅର୍ଜିଥିବା ଜ୍ଞାନଗାରିମା ତୋତେ ସବୁବେଳେ ସାହାଯ୍ୟ କରିବ l ବାପା ସାହାଯ୍ୟ କଲାଭଳି l କେବେବି କେଉଁଠାରେ ହାରିବୁନାହିଁ ତୁ l ମାନିବୁ ନା ମୋ କଥା ? ମୋତେ ଆଜି କଥା ଦେ, ଆଜିଠାରୁ ହିଁ ତୁ ମନଦେଇ ପାଠ ପଢ଼ିବୁ l ପୁରାପୁରି ସେଦିନର କଥାସବୁ ମନେ ଅଛି ଅନିମେଷଙ୍କର l ସେ ସେଦିନ ସାରଙ୍କ ମୁହଁକୁ କେବଳ ଚାହିଁରହିଥିଲେ ଜଳ ଜଳ କରି l ହଁ ଭରିଥିଲେ ଉତ୍ତରରେ l ଅନିମେଷ ସେଦିନ ଦେଖିଥିଲେ , ସାରଙ୍କ ଆଖିରେ ଲୁହ ଜକେଇ ଆସିଥିଲା ଯେମିତି l

     ସେଇଦିନଠାରୁ ମନ୍ତ୍ରକଲାପରି ବଦଳି ଯାଇଥିଲେ ଅନିମେଷ l ମନଦେଇ ପାଠପଢିବା ସହିତ ସବୁପ୍ରକାର ଦୁଷ୍ଟାମୀ ବି ଛାଡି ଦେଇଥିଲେ l ବାପା ବି ଖୁସି ହୋଇଥିଲେ ତାଙ୍କର ଏଇ ପରିବର୍ତ୍ତନରେ l ପିଲାମନରେ ସାରଙ୍କ ସବୁକଥା ସେଦିନ ସେ ଵୁଝି ପାରିନଥିଲେବି, ଏତିକି ଅନୁଭବ କରିଥିଲେ, ତାଙ୍କ ପଛରେ ମଧୁସାର ଅଛନ୍ତି, ତା ବାପା ଅଛନ୍ତି, ଯିଏକି ପ୍ରତିପଦକ୍ଷେପ ରେ ତାକୁ ସାହାଯ୍ୟ କରିବେ l ତେଣୁ ଜୀବନରେ ଭୟ କାହାକୁ ? କୌଣସି ପରିସ୍ଥିତିରେ ବି ହରିବାର କଳ୍ପନା ତାଙ୍କୁ ସ୍ପର୍ଶ କରିପାରିନଥିଲା l ଆଗକୁ ଆଗକୁ ଆଗେଇ ଚାଲିଥିଲେ ସିଏ l ଆକାଂକ୍ଷୀତ ଲକ୍ଷ୍ୟକୁ ହାସଲ କଲାପରେ ସେ ଅନୁଭବ କରିଥିଲେ,ମଧୁସାରଙ୍କ କଥାର ସତ୍ୟତାକୁ "ବାପଥିବା ପୁଅ ସଭାରେ ହାରେନା "l

ଜଗତଜିତା ଯେମିତି ସିଏ l

     ମଧୁସାରଙ୍କ ସ୍ମୃତିଗୁଡା ସବୁ ଚଳଚିତ୍ର ପରି 

ଅନିମେଷଙ୍କ ଆଖିଆଗରେ ଭାସି ଚାଲିଥିଲା l ଭାବୁଥିଲେ ଅନିମେଷ, ମଧୁସାର ଆଜି ଚାଲିଗଲେ l କାଲି ବି ତାର ବାପା ଚାଲିଯିବେ ଆରପାରିକୁ l ଏଇତ ସଂସାର l କିନ୍ତୁ ସେମାନଙ୍କ ଯୋଗୁ ଅର୍ଜିଥିବା ଜ୍ଞାନ କେବେବି ଚାଲିଯିବନାହିଁ l ତାହା ତ ସେଇମାନଙ୍କ ଦାନ l ତାରି ଭିତରେ ହିଁ ସେମାନେ ସବୁଦିନ ବଞ୍ଚି ରହିଥିବେ l ତେଣୁ ଜୀବନରେ କୌଣସି ପରିସ୍ଥିତିରେ ବି ହାରିବା ତା ପାଖକୁ ଆସିବ ନାହିଁ କେବେ l ବାପଥିବା ପୁଅ ସଭାରେ ହାରେନା ପରା l

     ପତ୍ନୀ ସୁଲଗ୍ନାଙ୍କ ଡାକରେ ପ୍ରକୃତିସ୍ଥ ହେଲେ ଅନିମେଷ l ଅଝଟହୋଇ କାନ୍ଦୁଥିବା ବର୍ଷକର ପୁଅକୁ ଧରାଇଦେଲେ ତାଙ୍କ ହାତରେ ସୁଲଗ୍ନା l ପୁଅକୁ ଧରି ବୋଧ କରୁ କରୁ କହୁଥିଲେ ଅନିମେଷ, ମୁଁ ଅଛି ତୋ ପାଖରେ ପରା, ତୁନି ହୋଇଯା ମୋ ଧନ, ବାପଥିବା ପୁଅ ସଭାରେ ହାରେନା, ଜାଣିନୁ କି ?

     କଅଁଳ ରାତିର ଆକାଶରେ ମେଞ୍ଚା ମେଞ୍ଚା ତାରାର ରୋଷଣୀ l କେଉଁ ତିଥି ହେବ କେଜାଣି, ମଝି ଆକାଶରେ ଜହ୍ନଟା ହସୁଚି ଯେମିତି l ଜହ୍ନକୁ ଦେଖାଇ ଦେଉଥିଲେ ପୁଅକୁ ଅନିମେଷ, ଗୁଣୁଗୁଣୁ ହେlଇ ଗାଉଥିଲେ, ଆ.. ଜହ୍ନମାମୁଁ ଶରଦଶଶୀ l


     


Rate this content
Log in

Similar oriya story from Inspirational