Parameswar Ojha

Inspirational

3  

Parameswar Ojha

Inspirational

ବାପାଙ୍କ ଦେହ ପା

ବାପାଙ୍କ ଦେହ ପା

3 mins
181


 ମୁଁ ସଂଧ୍ୟାରେ ଘରେ ପହଞ୍ଚିଲା ବେଳକୁ ବାପା ଅସ୍ତ ବ୍ୟସ୍ତ ହେଉଛନ୍ତି ମୁଣ୍ଡ ବିନ୍ଧା ଯନ୍ତ୍ରଣାରେ । ପାଖକୁ ଗଲି ବଡ଼ ଦୁଃଖ ଲାଗିଲା ତାଙ୍କ ଅବସ୍ଥା ଦେଖି , ସେ ବାଁ ପଟ କଡ଼ ମାଡ଼ି ଶୋଉଥାନ୍ତି ପୁଣି ଡାହାଣ ପଟ କଡ଼ ଲେଉଟାଉ ଥାଆନ୍ତି ପୁଣି ଚିତ୍ ହୋଇ ଶୋଉଥାନ୍ତି ପୁଣି ପେଟେଇ ଶୋଉଥାନ୍ତି ।.....' " ଇଲୋ ବୋଉଲୋ ମରିଗଲି ଲୋ... ମୋ ମୁଣ୍ଡ ଲୋ ... ଓଃ... ମୋ ମୁଣ୍ଡ .... ଇଲୋ ବୋଉ ... "


ଏମିତି କଷ୍ଟରେ ଛଟ ପଟ ହେଉଥାନ୍ତି । ଯିଏ ବି ଦେଖିବ ମନରେ ଦୟା ଆସିବ ବାପାଙ୍କ ପ୍ରତି । ଯେମିତି ଲାଗୁଥାଏ ବାପାଙ୍କ ମୁଣ୍ଡରେ ଗୋଟେ କାନଗଳା ବିଛା ଟେ ପଶି ଯାଇଛି ଆଉ ତାର କାରସାଦି ଚାଲଉଛି ମଝି ମଝିରେ ।


ବୋଉକୁ ପଚାରିଲି -" ହୋମିଓପାଥି ପା ଆଣି ଖାଉଥିଲେ... କଣ ହେଲା କି ? "


ବୋଉ କହିଲା -" କାଇଁ କିଛି ଦିନ ହେଲା ନଥିଲା ତ .. ଫେଏରେ ବାହାରିଛି । ହଅ... ଟିକେ ପରେ ବାନ୍ତି ହୋଇଗଲେ ଛାଏଁ କମିଯିବ ମୁଣ୍ଡ ତାଙ୍କର ... "


ବାପାଙ୍କର ଗୋଟେ ଅଦ୍ଭୂତ ବେମାରୀ ମୁଣ୍ଡ ବିନ୍ଧା । ଯେ କାହିଁ କେତେ ପୁରୁଣା ରୋଗ । ହଠାତ୍ ହେବ ଯେ ତମକୁ ଅସ୍ଥିର ଲଙ୍ଗଳା କରିପକାଇବେ ଏକବାର । କଣ କରିବ କଣ ନକରିବ ତମେ କିଛି ବୁଝି ପାରିବନି । ସେମିତି ଅସ୍ତବ୍ୟସ୍ତ ଛାଟି ପିଟି ହେଉଥିବେ । 

ମାମୁ ଘର ସାନ ମାଆ ବତେଇ ଥିବା ଗୋଟେ ଉପାୟ ସବୁବେଳେ ଆପଣାନ୍ତି ବାପା ତାଙ୍କ ମୁଣ୍ଡ ବିନ୍ଧିଲେ । ପୁରୁଣା କନାକୁ ମୋଟା ସଳିତା ପରି ବଳି ଦିଆଯିବ ତାପରେ ତାର ଗୋଟେ ମୁଣ୍ଡରେ ନିଆଁ ଲଗା ହେବ ତାପରେ ସେଇ ନିଆଁକୁ ଲିଭେଇ ଦେଇ ତାର ଧୂଆଁକୁ ଦୁଇ ନାକ ପୁଡାରେ ଜୋର୍ ସେ ସୁଁ କରି ଶୋଷି ନିଆଯିବ ମୁଣ୍ଡ ଭିତରକୁ । ଯେମିତି ପଛ ମୁଣ୍ଡରେ ଚାଉଁ କିନା କରେଣ୍ଟ୍ ଭଳି ଲାଗିବ । ବାସ୍ ଟିକେ ଥୟ ଧରିବେ । 


ବାପାଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଲା ମାତ୍ରେ ସେ ଏଇ ଜିନିଷ ଆପଣାନ୍ତି । ସେ ରାତି ହେଉ କି ଦିନ ତାଙ୍କ ଚାରି ପାଖରେ ସେଇ ପୋଡ଼ା ବଳିତାର ଅବଶେଷ ପଡ଼ିଥାଏ ଗୋଟେ ଦୁଇଟି ତାଙ୍କ ବିଛଣା ପାଖରେ । ତାଙ୍କ କହିବା କଥା ଭଲ ହୋଇଯାଏ ଏମିତିରେ । କିନ୍ତୁ ବାନ୍ତି ଟା ହେବା ଦରକାର । ବାନ୍ତି ହେଲା ମାତ୍ରେ ବାପାଙ୍କ ମୁଣ୍ଡ ବିନ୍ଧା ଥପ୍ କିନା ରହିଯାଏ ରାଣ ଦେଲା ପରି । ପେଟରେ ଯାହା ଥାଏ ସବୁ ବାହାରି ଯାଏ ବାପା ଶୋଇ ପଡନ୍ତି ନିସ୍ତେଜ ହୋଇ । ଆଉ ଯେତେ ଡାକିଲେ ଶୁଣନ୍ତିନି କି ଉଠନ୍ତିନି ଅଖିଆ ଅପିଆ ଶୁଅନ୍ତି ସେମିତି । ଯାଇ କେତେ ଘଡ଼ି ପରେ ଛାଏଁ ଛାଏଁ ଉଠି ଆଗ ଖାଇବା ଖୋଜନ୍ତି ବିକଳରେ ତାପରେ ଖାଇ ସାରି ସାଷ୍ଟାମ ହୁଅନ୍ତି । 


ଖାଲି ଏ ମୁଣ୍ଡ ବିନ୍ଧା ନୁହେଁ ବାନ୍ତି ହେଉ ଝାଡ଼ା ହେଉ ଜ୍ବର ହେଉ ... ...କିଛି ବି ହେଉ .. , ବାପାଙ୍କ ଦେହ ଖରାପ କଣ ଟିକେ ହେଲେ ସେ ଏକଦମ୍ ଦୂର୍ବଳ ହୋଇ ଯାଆନ୍ତି ଭାଙ୍ଗି ପଡ଼ନ୍ତି । ସେହି ସମୟରେ ଯେମିତି ଲାଗେ ତାଙ୍କ ଦେହ ତାଙ୍କୁ ସୂଚାଇ ଦିଏ,... ନା ଆଉ ନୁହେଁ ବହୁତ ହୋଇଗଲା ମୁଁ ଆଉ ପାରିବିନି ଏ କଷ୍ଟ ଏ ଯନ୍ତ୍ରଣା ମୁଁ ଆଉ ସହି ପାରିବିନି ମୋତେ ବିଶ୍ରାମ ଦିଅ ଅନିର୍ଦ୍ଦିଷ୍ଟ କାଳ ଯାଏଁ ।

 ମୋ ମନ ବି କୁହେ ବହୁତ ହୋଇଗଲା ବାପାଙ୍କ ଏ ତୁଟୁକା ଔଷଧ ଆଉ ଦେହ ପ୍ରତି ଖାମ ଖିଆଲି । ଏଥର ପଇସା କିଛି ସଞ୍ଚୟ କରି ବାପାଙ୍କୁ ଏକାଥରେ କଟକ ନେଇଗଲେ ଭଲ ଡାକ୍ତର ଦେଖେଇ ଆଣିଲେ କାମ ସରିବ । ସବୁ ଠିକ୍ ହୋଇଯିବ । 


ରାତିରେ ଦେଖୁଥିବ ରାତି ସାରା କୁନ୍ଥୋଉ ଥିବେ କାହାକୁ ଶୁଆଇ ବସାଇ ଦେଉନଥିବେ ( କାହାକୁ ମାନେ ଖାଲି ବୋଉକୁ ) କିନ୍ତୁ ରାତି ପାହି ସକାଳ ହେଲା ବେଳକୁ ଏକଦମ୍ ବିନ୍ଦାସ୍ । ଭୋର୍ ସାଢ଼େ ଚାରି ପାଞ୍ଚ ରୁ ଉଠି ଅଗଣା ଘର ଝାଡୁ ମରା ସରିଥିବ ଗୋବର ପାଣି ଅଗଣାରେ ଛିଞ୍ଚା ସରିଥିବ । ପଡିଶା ଘର ନଳକୂପ ରୁ ପାଣି ଦୁଇ ଗରା ଆସି ସାରିଥିବ । ଆଉ ଆମକୁ ବିଛଣା ଛାଡ଼ି ଉଠି ସକାଳ ନିତ୍ୟକର୍ମ କରିବାକୁ ଆଠ ଦଶ ଥର ବାର ବାର ଡାକରା ସରିଥିବ । ଆହୁରି କାହିଁରେ କେତେ ଦୁନିଆଁ ସାରା କାମ ସରି ଯାଇଥିବ ।  

ସକାଳକୁ ଦେଖିଲେ କେହି ବି ବିଶ୍ୱାସ କରି ପାରିବେନି ଯେ ଏଇ ଲୋକଟି କାଲି ବିଛଣାରେ ମୁଣ୍ଡ ପାଇଁ ଛଟ ପଟ ହେଉଥିଲା । ବୋଉଲୋ ବାପାଲୋ ହୋଇ ପରିବାର ସମସ୍ତଙ୍କୁ ଅସ୍ଥିର କରି ପକାଉଥିଲା । 


ସକାଳକୁ ମେଡିକାଲ ଯିବା କଥା କହିଲେ , ଏମିତି ହସ ହସି କଥାଟାକୁ ଖାମଖିଆଲ କରିବେ ଯେ .. ଯେମିତି ଲାଗିବ କହୁଛନ୍ତି , କିଛି ବୋଲି ତ କିଛି ନାହିଁ ମାଖୁନାଟାରେ ସମୟ ନଷ୍ଟ କରିବ ପଇସା ବର୍ବାଦ କରି ଆସିବ ଏ ଛୁଆଟା .... ।  


ସତରେ ଏ ବାପା ଙ୍କୁ ବୁଝିବା ବହୁତ କଷ୍ଟ ।



Rate this content
Log in

Similar oriya story from Inspirational