Mamata Bebarta Pattnaik

Drama

3  

Mamata Bebarta Pattnaik

Drama

ବାପାଙ୍କ ବଙ୍କୁଲି ବାଡ଼ି

ବାପାଙ୍କ ବଙ୍କୁଲି ବାଡ଼ି

7 mins
231



ହରିହର ମହାନ୍ତିଙ୍କର ଇହଧାମ ତ୍ୟାଗ କରିବାର ଆଜିକୁ ବାରଦିନ।ବାରପତ୍ର ପଡିଗଲା ପରେ ଭାତ,ମାଛ ତରକାରୀ,ଓଉଖଟା,କୋବି ଚିଂଛଡ଼ା ବେଶ ଆନନ୍ଦରେ ସମସ୍ତେ ଖାଇପିଇ ସାରିଥାଆନ୍ତି।ଏବେ ନିଜନିଜ ଘରକୁ ଫେରିଆସିବାକୁ ତରବର ସମସ୍ତେ।ଲୋକେ କୁହନ୍ତି ତେରଦିନ ଘରୁ ବାହାରି କରି ଯାଆନ୍ତି ନାହିଁ ।କାଳେ କଣ ଅମଙ୍ଗଳ ହେଇଯିବ ପରା ପିଲାଛୁଆ କୁଟୁମ୍ବ ଧରି ଫେରିବାର ଅଛି।ତେଣୁ ଆଜିହିଁ ଯିବାକୁ ହେବ।ଘରର ଦି' ବୋହୁଙ୍କର ପାଦ ଥକିଗଲାଣି ସକାଳୁ ଆସି ଦିନ ଚାରିଟା ହେଲାଣି।ବଡବୋହୁ ସୁନନ୍ଦା ଟିକିଏ ଥକା ମେଣ୍ଟେଇବାକୁ ଯାଇ ବସିଯିବ ଭାବିଛି ସାନ ସୁନିତା ଆସି କହିଲା"ବସିଲ କଣ ଅପା,ଯାଅ ଦେଖିବ ସେପଟେ କେମିତି ହାଉହାଉ ହେଉଛନ୍ତି ବାପାଙ୍କ ବଙ୍କୁଲିବାଡ଼ିକୁ ନେଇ ସେଇଟା ପାଇଁ ଝଗଡା। ବାପା ହସ୍ପିଟାଲରେ ପନ୍ଦର ଦିନ ରହି ଆସି ଦେଢ଼ମାସ ଘରେ ପଡିଲେ। ଗୋଡ଼ ହାତ ଚଳୁ ନଥିଲା ତାଙ୍କର। କେହି ତ କାଇଁ ଆସି ଦୁଇ ଚାରିଦିନ ଟିକେ ସେବା ଯତ୍ନ କରିଦେଇ ଗଲନି...ହୁଁ ଖାଲି ଶୁଖିଲାଟାକୁ ଲୁହ ଢାଳି ପକାଉଛନ୍ତି କାହିଁକି"।

ବଡ଼ ସୁନନ୍ଦା ଜାଣି ପାରିଲା ଘଟଣାଟି କଣ.....ଉଠୁ ଉଠୁ କହିଲା।"ଚାଲିଲୁ ଦେଖିବା କଣ ସବୁ କଥା ପଡିଛି"।

-"ଦେଖିବ ଶୁଣିବ ଆଉ କଣମ,କଥା କୋଉଠୁଯାଇ କୋଉଠି ଉଠିଲାଣି ନା ......।

ସୁନନ୍ଦା ଆଉ ଅପେକ୍ଷା ନକରି ଉଠି ଚାଲିଲା ବାପାଙ୍କ କୋଠରୀ ଆଡକୁ।ସେଇଠି ସମସ୍ତେ ଏକାଠି ହେଇ ସାରିଛନ୍ତି।

ହରିହର ମହାନ୍ତିଙ୍କର ଦୁଇପୁଅ ଦୁଇ ଝିଅ। ବଡ଼ ଝିଅ ଝରଣା କହିଚାଲିଥାଏ-"ମୋର କଣ କୋଉଥିରେ ଅଭାବ ଅଛି ଯେ ଏଇ ବଙ୍କୁଲି ବାଡ଼ି ଖଣ୍ଡକ ପାଇଁ ମୁଁ ଅଡ଼ି ବସନ୍ତି। ବାପାଙ୍କୁ ମୁଁ କୋଉ ଦିନରୁ ମାଗିଥିଲି ସେ ବାଡ଼ି ଖଣ୍ଡିକ। ସେ ମତେ କହିସାରିଥିଲେ-"ମୁଁ ମଲେ ସେଇଟା ଆଉ କଣ ହବକି ତୁ ନେଇଯିବୁ "-ଗତଥର ଯେତେବେଳେ ମୁଁ ତାଙ୍କୁ ଦେଖିବାକୁ ଆସିଥିଲି ଏ କଥା ବାପା ପରା ନିଜେ ମତେ କହିଥିଲେ। କୁଆଡେ ତୁମେ ଚାଲିଗଲ ବାପା ହେ, ଏମାନେ ମୋ କଥାକୁ କେହି ବିଶ୍ୱାସବି କରୁନାହାନ୍ତି ବାରମ୍ବାର ଲୁହ ପୋଛୁଥିଲା ବଡଝିଅ ଝରଣା। ସାନପୁଅ ଛାଡିବା ଲୋକ ନୁହେଁ। ବଡ଼ପାଟିରେ କହିଲା,"ତୁ ଆଉ ଏତେ ଚାଲାକ ଦେଖାନି ମ ଅପା,ବାପାଙ୍କର ଏହି ବାଡିଟି ୧୫ ବର୍ଷ ତଳୁ ତାଙ୍କର ସାହାରା ଥିଲା। ସେଇଟିକୁ ମୁଁ ଏଇଠି ତାଙ୍କ ବୈଠକଘରେ ତାଙ୍କ ତୈଳଚିତ୍ର ପାଖରେ ରଖିବି। ସେଇଥିରେ ସେ ଖୁସି ହେବେ। ଏତକ ଶୁଣି ବଡଝିଅ ଝରଣା ଆଉ ଟିକିଏ ବଡ଼ ପାଟିରେ କହିଲା-"ମୁଁ ଭୁବନେଶ୍ୱରରେ ଏତେ ବଡ଼ ଘର କରିଛି,ସେଠି ପାରମ୍ପରିକ ଜିନିଷ ସବୁ ରଖିବା ପାଇଁ ବଡ଼ ହଲ ରେ ଗୋଟିଏ କର୍ନର କରିଛି।ସେଥିରେ କାହିଁ କେଉଁ ସୁଦୂର ଫ୍ରାନ୍ସ,ଜର୍ମାନୀର ଆଣ୍ଟିକ ଜିନିଷ ସବୁ ସଂଗ୍ରହ କରି ରଖାଯାଉଛି।ମୋ ଘରକୁ କେତେକେତେ ନାମିଦାମୀ ଲୋକ ସବୁ ଆସୁଛନ୍ତି।ଏତେସବୁ କଲେକ୍ସନ ଦେଖି ସମସ୍ତେ କେତେ ଖୁସି ହେଇଯାଉଛନ୍ତି।ସେଇଠି ବାପାଙ୍କ ବାଡ଼ି ସଜାଇ ରଖିବା ପାଇଁ ମୁଁ ମାର୍ବଲରେ ଗୋଟିଏ ସୁନ୍ଦର ଷ୍ଟାଣ୍ଡ ବି ତିଆରି କରି ସାରିଛି,ବାପାଙ୍କ ବାଡ଼ି ମାପରେ।କେତେ ପଇସା ଖର୍ଚ୍ଚକରି ସାରିଛି, ସେଇଠି ରହିଲେ ବାଡ଼ି ଖଣ୍ଡିକର ମର୍ଯ୍ୟାଦା ବଢିବ ନା ଏଇଠି ଗାଁ କୋଉ କୋଣରେ ପଡିଥିବ?ବୁଝିଲୁ ମାନସ ତୁମେମାନେ ଯାହାଥିଲ ସେଇଆ ରହିଗଲ।ନିଜ ଚିନ୍ତାଧାରା ରେ କିଛି ପରିବର୍ତ୍ତନ ହିଁ ନାହିଁ ତୁମମାନଙ୍କର।

ଏଥର ଚିହିଁକି ଉଠିଲା ସାନଝିଅ ସୁନିତା-"କହିଲା ହଉହଉ ବହୁତ କହିଗଲୁ ତୁ ଆପା,ହେଲେ ମୁଁ ପଚାରୁଛି ତୋର ଏତେ ସମ୍ପତ୍ତିବାଡ଼ି ଥାଉଥାଉ ଏ ବାଡ଼ି ଖଣ୍ଡକରେ ତୋର ଏତେ ଲୋଭ କଣ ପାଇଁ ଯେ?ଖାନଦାନୀ ଦେଖାଇବାକୁ ତୁମର ଯଦି ଏତେ ସଉକ ଯାଉନୁ ବରାଦଦେଇ ଏମିତି ବାଡ଼ି ଖଣ୍ଡେ ବନେଇଦେବୁ।ଏ ବାଡ଼ିଖଣ୍ଡିକ ମୁଁ ନେବି,ବାପାଙ୍କୁ ମୁଁ କହିଥିଲି"।ତାପରେ ବୋଉ ବସିଥିବା କୋଠରୀ ଆଡକୁ ଚାହିଁ ସେ ପୁଣି ଆରମ୍ଭ କଲା- "ତୁ ତ ଜାଣିଛୁ ଲୋ ବୋଉ ତୋ ଜ୍ବାଇଁଙ୍କର ଗୋଟିଏ ଗୋଡ଼ ଅଚଳ।ବଡ଼ କଷ୍ଟରେ ଚଳୁଛନ୍ତି ଏବେ।ତାଙ୍କର ବହୁତ ଦିନରୁ ଆଶା ଅଛି, ବାପାଙ୍କ ବଙ୍କୁଲି ବାଡ଼ିଟି ପାଇଁ।ଭାରି ପସନ୍ଦ ତାଙ୍କର।ସାନଜ୍ୱାଇଁ ବୋଲି ବାପା ତାଙ୍କୁ କେତେ ଆଦର କରନ୍ତି କିଏ ନଜାଣେ। ତାଙ୍କ ଗୋଡ ଖରାପ ଅଛିବୋଲି ବାପା ଦୁଃଖବି କରନ୍ତି ବହୁତ।ସେଇଟା ବାଡିଟି ନେବିଵୋଲି ବାପାଙ୍କୁ ମୁଁ କହିଥିଲି,ମୁଁ ନେବି।

ଏତକ କହି ସୁନିତା ...ବୋଉ,ବୋଉ ବୋଲି ବଡ଼ପାଟିରେ ଡାକପକେଇଲା।

ସରିତାଦେବୀ ଅସ୍ତେଆସ୍ତେ ପାଦ ପକାଇ ଶୋଇବା ଘରଛାଡି ଆସୁଥିଲେ।ମନରେ ତାଙ୍କର ସୁଖ କି ସରାଗ ଅଛି ନଥିଲା,ନଥିଲା ବି ଦୁଃଖ କିଛି।ବାଡ଼ି ଖଣ୍ଡିକୁ ନେଇ ଏପରି ଟଣା ଓଟରାରେ ତାଙ୍କର ଭୂମିକା କଣ ହେବା ଉଚିତ ସେତକ ଭାବିବାକୁ ତାଙ୍କୁ ସୁଯୋଗ ଦେଲା ବା କିଏ।ସେ ଦେଖିଲେ ବଡଝିଅ ବଡ଼ବଡ଼ ଆଖିରେ ଅନେଇ ରହିଛି ସେ ଧରିଥିବା ତା' ବାପାଙ୍କ ବଙ୍କୁଲି ବାଡ଼ି ଉପରେ।ବାପାଙ୍କ ଅନ୍ତେ ତାଙ୍କର ସାହାରା ଏ ବଙ୍କୁଲି ବାଡିଟିକୁ ବାପା କୋଉଦିନ ଗୋଟେ ବଢ଼େଇ ଦେଇଛନ୍ତି ବୋଉ ହାତରେ ଆଶାଟିଏ ପରି ସେକଥା ସେ ବୁଝିବ ବା କାହିଁକି।ସେ କାହିଁକି ଭାବିବ ଯେ ଚାଲିବାକୁ ବୋଉର ମଧ୍ୟ ଆଶ୍ରାଟିଏ ଦରକାର।ଏକଥା କେଜାଣି କେମିତି ଭୁଲିଯାଇଛନ୍ତି ତାଙ୍କ ପିଲାମାନେ।ବାପାଙ୍କ ଅନ୍ତେ ବୋଉର ଅଣ୍ଟା ଆହୁରି ଭାଙ୍ଗିପଡିଛି କିଏ ଏକଥା ବୁଝିଛି? କାହାର ଘଣ୍ଟା ଦରକାର,କାହାର ବାପାଙ୍କ ଟସର ଚାଦର ତ ଆଉ କାହାର ଦରକାର ବାପାଙ୍କ ସୁନା କ୍ୟାପ ଥିବା କଲମ।ସବୁତ ସେ ଟେକି ଦେଇଛନ୍ତି ପିଲାଙ୍କ ହାତରେ,ସମସ୍ତଙ୍କ ମନବୁଝି।ଶେଷରେ ଏଇ ବାଡ଼ିପାଇଁ ପୁଣି ଏତେ ପାଟିତୁଣ୍ଡ।

ସରିତାଦେବୀ ନିଜେ ବାଡି ଖଣ୍ଡିକ ପଣତ କାନିରେ ପୋଛି ପକାଇଲେ ଅଜାଣତରେ।ତାଙ୍କୁ ଲାଗିଲା ସତେ ଯେମିତି ବାଡ଼ି ନୁହେଁ ସେ ଧରିଛନ୍ତି ତାଙ୍କ ସ୍ୱାମୀଙ୍କର ହାତ ସେଇ ହାତଧରି ଏ ଘର ଏରୁଣ୍ଡି ବନ୍ଧ ଡେଇଁଥିଲେ ସେ.....।ଯୋଉ ବାଡ଼ି ଖଣ୍ଡିକ ପାଇଁ ଏତେ କଥା,ପ୍ରକୃତରେ ସରିତା ଦେବୀଙ୍କ ବାପା ବଂଚିଥାଉଥାଉ ଦେଇଥିଲେ ତାଙ୍କର ଏକମାତ୍ର ଅଲିଅଳି ଝିଅକୁ।କହିଥିଲେ "ତୁ ମୋର ଗୋଟିଏ ବୋଲି ଝିଅ।କେବେ ମୁଁ ଥାଏ ନଥାଏ ଏବାଡି ଖଣ୍ଡିକଥିଲେ ଭାବୁଥିବୁ ମୁଁ ଅଛି ତୋ ସାଙ୍ଗରେ"।

ତାଙ୍କବାପା ଚାଲିଯିବାର ଅନେକ ବର୍ଷ ହେଇଗଲାଣି।ସରିତାଦେବୀ ସେ ବାଡ଼ିଖଣ୍ଡିକ ଧରେଇ ଦେଇଥିଲେ ନିଜଠାରୁ ଦଶବର୍ଷବଡ଼ ତାଙ୍କ ସ୍ୱାମୀଙ୍କୁ,ହସିହସି କହିଥିଲେ,"ତମେ ମତେ ସ୍ନେହ ଦେଇଛ,ଆଦର ଦେଇଛ,ଷୋହଳ ବର୍ଷ ବୟସରେ ତୁମ ଘରକୁ ଆସିଥିବା ସଂସାରକୁ ନୂଆନୂଆ ଚିହ୍ନୁଥିବା ବେଳେମୋର ଯତ୍ନ ନେଇଛ ତୁମେ,ମୋ ପିଲାଳିଆମିକୁ ଯଥେଷ୍ଟ ମର୍ଯ୍ୟାଦା ବି ଦେଇଛ।ତମ ଭିତରେ ମୁଁ ମୋର ବାପା,ଭାଇ ସାଙ୍ଗସାଥି,ସ୍ୱାମୀ ସଂସାର ସବୁର ଏକ ଅପୂର୍ବ ସମଷ୍ଟି ଦେଖିଛି।ଧନ୍ୟ ହେଇଛି ମୁଁ।ଆଜି ମୋର ପଚାଶବର୍ଷ ବିବାହ ବାର୍ଷିକରେ ଏଇ ମୋର ବାପାଙ୍କ ବଙ୍କୁଲିବାଡି ଖଣ୍ଡିକ ମୁଁ ତମକୁଦେଲି।ବାପାମୋର କୁଆଡେ ହଜି ଗଲେଣି।ସେ ନିଶ୍ଚୟ ଖୁସି ହେବେ ତାଙ୍କ ବାଡ଼ିଖଣ୍ଡିକ ତୁମ ହାତରେ ଦେଖି।....ସେଦିନ ସେ ଥିଲା ଏକ ନିଭୃତ ମୁହୂର୍ତ୍ତ। ସବୁ ଭାବପ୍ରବଣତା ସହଜକରି ସେଦିନ ଖୁବଜୋରରେ ଠୋ ଠୋ ହସି ଉଠିଥିଲେ ତାଙ୍କର ସ୍ୱାମୀ।ଟିକେ କୋଳେଇ ନେଇ ସେ କହିଥିଲେ-"ବୁଝିଲ ଶ୍ରୀମତୀ,ମୁଁ ଆଜିଯାକେ ପଞ୍ଚସ୍ତରୀ ବର୍ଷ ବୟସରେ ବି ବୁଢା ହେଇନଥିଲି।ଆଜି ତମେ ମତେ ବୁଢା ହିଁ କରିଦେଲ" ସ୍ୱାମୀଙ୍କର ସେକଥା ଶୁଣି ଟିକେ ଲାଜେଇ ଯାଇଥିଲେ ସେ।

କୁଆଡେ ଚାଲିଗଲେ ସେଇ ସର୍ବଦା ଚଳଚଂଚଳ ଯୁବ ସୁଲଭ ହସରେ ଉଛୁଳି ପଡୁଥିବା ସେଇ ମଣିଷଟି।କେହିତ କାହିଁ ସେ ବିଷୟରେ ଆଦୌ ଚିନ୍ତିତ ନୁହନ୍ତି।ପିଲାମାନଙ୍କ ବିଷୟରେ ମାନ ଅଭିମାନ କରି ସରିତାଦେବୀ କିଛି ଯଦି କେବେ କହୁଥିଲେ ତେବେ ସେ କୁହନ୍ତି-"ତୁମେ ଖୁସିହୁଅ ଯେ ଆମ ପିଲାମାନେ ବେଶ ପ୍ରାକ୍ଟିକାଲ ।ଆମ ଭଳି ଅଯଥା ଭାବପ୍ରବଣତା କୁ ଜାବୁଡ଼ିଧରି ଗୁଡ଼ାଏ ଦୁଃଖ ପାଇବାର କିଛି ମାନେ ହିଁ ନଥାଏ"।

ସତରେ ସମ୍ପର୍କ ମାନଙ୍କୁ ବାନ୍ଧିରଖିବା ପାଇଁ ଯେଉଁ ପ୍ରୟାସ ତାଙ୍କର ସେ ସବୁକଣ ବାସ୍ତବତା ନଥିଲା.....ଅନ୍ୟମନସ୍କ ଭାବରେ ଆଖିରୁ ଲୁହ ପୋଛିଲେ ସରିତାଦେବୀ,ଚାରିଆଡକୁ ଚାହିଁଲେ।କିଏ ଜାଣିଗଲା କି ତାଙ୍କ ମନକଥା ସବୁ,ତାଙ୍କର ଏହି ଅନୁଚ୍ଚରିତ ଶବ୍ଦସବୁକୁ ତାଙ୍କ ମୁହଁରେ କେହି ପଢ଼ିନେଲା କି .....?ସେ ଦେଖିଲେ ବଡଝିଅ ଉଠିଆସୁଛି ତାଙ୍କ ପାଖକୁ।ସେ ଟିକେ ସଜାଡି ନେଲେ ନିଜକୁ।

ବଡଝିଅ ପାଖକୁ ଆସି କହିଲା..."ବୋଉ' ତୁ ଏ ବାଡ଼ି ଖଣ୍ଡକୁ ପିନ୍ଧାକାନିରେ ପୋଛି ପକଉଛୁ ମୁଁ ଜାଣିଛି ସେଇଟା ତୋର ଦରକାର ହେବ।ସେକଥା ମୁଁ ବୁଝିପାରିଛି ଲୋ ବୋଉ।ସେଥିପାଇଁ ତ ତୋ ପାଇଁ ମୁଁ ଗୋଟିଏ ବହୁତ ସୁନ୍ଦର ୱାକିଙ୍ଗ ଷ୍ଟିକ ଆଣି ଆସିଥିଲି।ଗାଡ଼ିରେ ଅଛି,ରୂପାର ହ୍ୟାଣ୍ଡେଲ ଲାଗିଛି।ଧରିଲେ ବେଶ ଗୋଟେ dignitary ପରି ଦିଶିବୁ ଲୋ।ଅଗଣା କି ଘରଭିତରେ ଚାଲିଲା ବେଳେ ଜମାରୁ ସ୍ଲିପ କରିବନି।ତୋ'ବଡ଼ଜ୍ବାଇଁ ପରା ଏବେ North East ଯାଇଥିଲେ ସେଇଠୁ ଆଣିଛନ୍ତି ଖାସ ତୋପାଇଁ।

ବଡ଼ଝିଅ ଆସି ବାଡ଼ିଖଣ୍ଡିକ ତାଙ୍କ ହାତରୁ ନେବାକୁ ଚେଷ୍ଟା କରୁଥିଲା।ସାନଝିଅ ଜବାଵ ଦେଇ କହିଲା,-"ତୁ ଆଉ ଏତେ ସିଆଣିଆ ଦେଖାଅନି ଅପା,ବୋଉକୁ ପଚାରେ ସେ କଣ କହୁଛି।...କହିଲୁ ବୋଉ,ଏ ବଡ଼ଅପା ପାଇଁ ବାଡ଼ି କଣ ଦରକାର ଖାଲି ଲୋକଙ୍କୁ ଦେଖେଇ ହେବ ବୋଲି ଏତେ ନାଟକ କରୁଛି।ହେଲେ ତୁ ତ ଜାଣିଛୁ ତୋ ସାନ ଜ୍ବାଇଁଙ୍କର କେତେ ଦରକାରରେ ଆସିବ ଏଖଣ୍ଡିକ।ତା ଛଡା ସେ ଯେମିତି ରାଗି ଲୋକ ନା' ଆଉ ଦିନକ ପାଇଁ ଦୁଆର ମାଡିବେନି ତୁମର ।

ସରିତାଦେବୀ ସ୍ଥାଣୁ ପାଲଟି ଯାଇଛନ୍ତି ଯେମିତି।ଦୁଇଝିଅ ଓ ଦୁଇପୁଅ ତାଙ୍କର କେତେ ଗର୍ବ କରିନାହାନ୍ତି ସତେ ସେ ନିଜ ପିଲାମାନଙ୍କୁ ନେଇ। ହେଲେ ଏଠି ତ ମନ ବୁଝିବାକୁ ବେଳ ନାହିଁ କାହାର।ସତରେ ବାସ୍ତବତା କହିଲେ କଣ ଆଉ ଗୋଟେ କିଛି ଅର୍ଥକୁ ବୁଝାଏ।ଯାହା ସେ ଆଦୌ ବୁଝିନାହାନ୍ତି ଏଯାକେ।ସାରା ଜୀବନର କଠିନ,କର୍କଶ ଏତେ ରାସ୍ତା ଅତିକ୍ରମ କଲାପରେ ଏ କି ଦୁଃଖ ତାଙ୍କର.....ଏହି ଦୁଃଖ କଣ ତାହାଲେ ଅଯଥା ଭାବପ୍ରବଣତା ?ସରିତା ଦେବୀ ଙ୍କୁ ଲାଗିଲା ଯେମିତି ତାଙ୍କ ପାଦତଳେ ଜମା ମାଟିନାହିଁ ,ସେ ଯେମିତି ଶୂନ୍ୟ ହେଇଯାଉଛନ୍ତି।

ନୀରବରେ ଛିଡା ହେଇ ସବୁ ଦେଖୁଥିଲେ ଦୁଇବୋହୁ ପାଟି ଶୁଭିଲା ବଡ଼ ବୋହୂର..."ଏ ଘରକୁ ତିରିଶବର୍ଷ ହେଲାଣି ବୋହୁ ହେଇ ଆସିଲିଣି,ମୁଁ ଏଘରର ବଡ଼ ବୋହୁ।ବାହାରେ ରହୁଥିଲେ କଣହେଲା,ବାପା ତାଙ୍କର ମନକଥା ସବୁ ମତେ ହିଁ କୁହନ୍ତି।ତମେ ସବୁ ବାପାଙ୍କ ଅନ୍ତେ ତାଙ୍କ ଜିନିଷରେ ଏତେ ହକ କାହିଁକି ଦେଖାଉଛ ମ,ଆମ ଘର କଥା ଆମେ ବୁଝିବୁ।ଏ ଘରର କୋଉ ଜିନିଷ କଣ କରାଯିବ ସେକଥା ପରେ ବିଚାର ହେବ।ଏବେ ଏଠୁ କେହି କିଛିବି ନେଇ ଯାଇ ପାରିବେ ନାହିଁ,ସେ ବାଡ଼ି ଖଣ୍ଡେ ନହେଲା କାହିଁକି ରାଗରେ ଗରଗର ହେଉଥିଲା ବଡ଼ବୋହୁ।ଆଉ କେହି ସାହସ କରୁନଥିଲେ କିଛି କହିବାକୁ।ଝରଣା ହାରିବା ଝିଅ ନୁହେଁ।ଚାଲିଯାଉ ଯାଉ କହିଲା- "ହଉ ଠିକ ଅଛି,କେମିତି କେହି କିଛି ନେଇ ପାରିବେନି ଦେଖିବା ଏଥର।କିଛି ନ କହିଲାରୁ ବେଶି ସାହସ ବଢ଼ିବଢି ଯାଉଛି ତୁମର।ସବୁସମ୍ପତ୍ତି ରେ ଆମ ଝିଅମାନଙ୍କର ବି ଭାଗ ଅଛି।ଦେଖିବା କେମିତି ତମେ କିଛି ଦେବନି।

ଏତକ ଶୁଣି ସାନ ମୁହଁ ଫଣଫଣ କରି ଧାଇଁଲା ବଡ଼ ପାଖକୁ...."ସତରେ ଲୋ ଅପା, ଏମାନେ ସବୁ ସମ୍ପତ୍ତି ଖାଇବେ,ଏଇ ବଙ୍କୁଲି ବାଡ଼ି ଖଣ୍ଡିକ ପାଇଁ ଦେଖୁନୁ କେମିତି ହଉଛନ୍ତି।ବୋଉ ତ ଗୋଟାପଣେ ବୋହୁ ମାନଙ୍କର।ଦେଖୁନୁ କେମିତି ଚୁପଚାପ ବସିଛି"।

ସାରିତାଦେବୀଙ୍କ ପାଖରେ ଭାଷା ନାହିଁ,ବଙ୍କୁଲି ବାଡ଼ି ରୁ କଥାଯାଇ ଉଠିଲାଣି ସମ୍ପତ୍ତି ଭାଗନେବା ଉପରେ।ହେ ଈଶ୍ୱର!ଏଭଳି ସଂସ୍କାର ତ ତାଙ୍କ ପିଲାମାନଙ୍କୁ ସେ କେବେ ଦେଇ ନାହାନ୍ତି।ନା ତାଙ୍କୁ କିଛି କରିବାକୁ ହିଁ ପଡିବ।ସେ ବଡ଼ପୁଅକୁ ଡାକି କିଛି କହିବା ପୂର୍ବରୁ ବଡ଼ପୁଅ ଦୁଇଭଉଣୀଙ୍କ ପାଖକୁ ଯାଇ କହୁଥିଲା-"ଆଲୋ ଅପା, ଏଇ ସାମାନ୍ୟ ବାଡ଼ି ଖଣ୍ଡିକୁ ନେଇ ଆମର ଏତେ ସୁନ୍ଦର ସମ୍ପର୍କକୁ କଣ ଭୁଲିଯିବା।ଗାଁ ରେ ଏ ଘରର ମାନ ସନମାନ ଆଉ କଣ ରହିବ ଭଲା କହିଲୁ"

-"ତାହାଲେ ତୁ ତୋ ସ୍ତ୍ରୀକୁ କହୁନୁ ଚୁପ ରହିବ। ବେଶି ଗୁଡ଼ାଏ ଓକିଲାତି କରୁଛି"-କହିଲା ଝରଣା

-"ହଁ ଲୋ ଅପା, ମୁଁ ତା କଥା ବୁଝିବି।ହେଲେ ତୁ ଘରୁ ଗଲାବେଳେ ଏତେ ମନଦୁଃଖ ରେ କରି ଯା'ନା।ମତେ ବହୁତ ଖରାପ ଲାଗୁଛି।ଏ ଘରେ କେବେ ଭାଇ ଭଉଣୀରେ କୌଣସି ବିବାଦ ନଥାଏ ,ସନସ୍ତେ ଜାଣନ୍ତି ଏ କଥା।....."

---"ତାହାଲେ ସମାଧାନ କରୁନୁ ଏ କଥାର।ବୋଉ ତ ତା ବୋହୁ ମାନଙ୍କ କଣ୍ଟ୍ରୋଲ ରେ,ସେଥିପାଇଁ ଚୁପ ରହୁଛି।ଆମେ କଣ ବୁଝି ପାରୁନୁ। ସାନ ପାଳିଧରି କହିଲା ଆଉ ବଡ଼ଭାଇ ପାଖକୁ ଚାଲି ଆସି କଣ ସବୁ ଚୁପଚାପ କହିଦେଇ ଗଲା ତା କାନରେ। ବଡ଼ପୁଅ ସଙ୍ଗେସଙ୍ଗେ ଘୋଷଣା କଲା---"ତାହାଲେ ଗୋଟିଏ କଥା କରାଯାଉ,ବାପାଙ୍କ ବଙ୍କୁଲି ବାଡିଟିକୁ ବଡ ଅପା ନେଇଯାଉ। ଯାହାହେଲେ ଏ ଘରର ପ୍ରଥମ ସନ୍ତାନ ସେ ତା ମନରେ ଦୁଃଖ ନରହୁ, ଆଉ ସେ ଯୋଉ ରୂପା ଗୋବଲଗା ବାଡିଟି ବୋଉପାଇଁ ଆଣିଛି ସେଇଟା ସୁନିତାକୁ ଗିଫ୍ଟ ହିସାବରେ ଦେଉ ତା' ପତି ଦେଵ ଶରତ ବହୁତ ଖୁସି ହେବ। ନା କଣ କହୁଛ...?

ସୁନିତା କହିଲା-ମୋର ଚଳିବ, ହେଲେ ବଡ ଅପା ଏତେ ଦାମୀ ଜୀନିଷଟା ମତେ ଦେଲେ ତ।  

ବଡ ହସି ଦେଇ କହିଲା "ହଁ ,ଦାମରେ କଣ ଥାଏ ତୁ ନେବୁ ତ ନେ ଜ୍ୱାଇଁ ଖୁସିହେବେ। ହେଲେ ବୋଉକୁ କିଛି ନଦେଇ ବାପାଙ୍କ ବାଡିଟିକୁ ମୁଁ ନେବାଟା କଣ ସୁନ୍ଦର ହେବ"।

ଏତେବେଳେ ସାନପୁଅ କହିଲା-ବୋଉ ଚିନ୍ତା କରନା,ତମେ ମାନେ ଖୁସିରେ ଗଲେ ସେ ଖୁସି।ମୁଁ ଆଉ ଗୋଟିଏ ବାଡ଼ି ବାପାଙ୍କ ପାଇଁ ଆଣିଥିଲି। ଏ ବାଡିଟିକୁ ସେ ବେଶି ପସନ୍ଦ କରନ୍ତି ବୋଲି। ସେଇଟା ପଡିଥିଲା। ଏବେ ବୋଉର ଦରକାର ହେଲେ ମୁଁ ତାକୁ ଦେଇଦେବି।

କଥା ସମସ୍ତଙ୍କ ମନକୁ ପାଇଲା।ସବୁ କଥା ଏତେ ସହଜରେ ସମାଧାନ ବି ହେଇଗଲା।ଏବେ ଯିବାକୁ ବାହାରିଲେ ସମସ୍ତେ।ବୋଉ ପାଖକୁ ଆସି ମୁଣ୍ଡିଆ ମାରିବା କାର୍ଯ୍ୟ ବି ସରିଗଲା।ସରିତାଦେବୀଙ୍କ ହାତରେ ବାଡ଼ି,ବେଶ ଅଧିକାରରେ ବଡଝିଅ ଝରଣା ବଡ଼ ପାଟିରେ କହିଲା-"ଆର ବାଡିଟିକୁ ଆଣିଲୁରେ ମୁଁ ତାକୁ ଧରାଇ ଦେଇ ଯିବି.....ବୋଉ ଠୁ ଏ ବାଡିଟି ମୁଁ ନେଉଛି।

ସରିତାଦେବୀ ହଠାତ ଭାବିଲେ ଏଇ ବୋଧହୁଏ ପ୍ରାକ୍ଟିକାଲ ହେବାର ବେଳ--ସବୁ ବଳ ଖଟାଇ ସେ କହିଲେ --"ତୁମ ବାପାଙ୍କ ସମ୍ପତ୍ତି ଭାଗ ବଣ୍ଟା ହେଇଯାଉ ପଛେ,ଏଇଟା ମୋ ବାପାଙ୍କ ବାଡ଼ି ମୋ ବାପା ମତେ ସେ ବଂଚି ଥାଉଥାଉ ଖୁସିରେ ଦେଇଥିଲେ ତାଙ୍କର ସନ୍ତକ ହିସାବରେ। କୌଣସି ଭାଗ ବଣ୍ଟନରେ ମୁଁ ଏ ବାଡି ପାଇନି।ଏଇଟା ତୁମ ବାପର ନୁହେଁ ଯେ ଅଧିକାର ଦେଖାଇବ। ତୁମ ବାପା କେବଳ ଏଇଟିକୁ ବ୍ୟବହାର କରୁଥିଲେ,ଏଇଟା ମୋ ବାପାଙ୍କର ମୁଁ କାହାକୁ ଦେବିନାହିଁ।କୌଣସି ପରିସ୍ଥିତିରେ ବି ନୁହେଁ। ହଁ,ଏକଥା ବି କହିଦେଉଛି ମୁଁ ମଲାପରେ ମୋ କୋକେଇ ପାଖରେ ଏ ବାଡିଟି ରଖିଦେବ ଯେମିତି ।

ସମସ୍ତେ ତଟସ୍ତ ହୋଇ ପରସ୍ପର ମୁହଁ ଚାହଁଚୁହିଁ ହେଉଥିଲେ।ସରିତାଦେବୀ ନିଜ ଶୋଇବା କୋଠରୀ ଭିତରକୁ ଯାଇ କବାଟ ବନ୍ଦ କରିଦେଲେ।ଲମ୍ବାଲମ୍ବା ନିଶ୍ୱାଶ ପ୍ରଶ୍ୱାସ ନେବା ସହିତ ଖୁବ ଜୋରରେ ଜାବୁଡ଼ି ଧରିଥିଲେ ବଙ୍କୁଲି ବାଡିଟିକୁ।



Rate this content
Log in

Similar oriya story from Drama