Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Mamata Bebarta Pattnaik

Tragedy

3  

Mamata Bebarta Pattnaik

Tragedy

ମୋହ

ମୋହ

7 mins
39


ଏ କାନ ସେ କାନ ହୋଇ ଗାଆଁଟା ସାରା ହୁରିପଡ଼ିଲାଣି ମଙ୍ଗୁଳି ସୁରତରୁ ଫେରୁଛି । କାଲି ରାତି ପାହାନ୍ତାରୁ ପହଂଚିଯିବ ଗାଆଁରେ । ଏ ଖବର କାନରେ ପଡିଲା ବେଳଠୁ ମଙ୍ଗୁଳି ବୋଉ ସଳଖ ହୋଇ ବସିପଡ଼ିଲା, ଚାରିଆଡକୁ ଆଖି ବୁଲେଇ ଦେଖିନେଲା । ଆଖି ଯେମିତି ଫେରିପାଇଛି ଆଲୁଅ ।  

ପୁରୁଣା ଖଜୁରୀବୁଣା ପଟିଖଣ୍ଡେରେ ପଡିଛି ଛିଣ୍ତାକ କନ୍ଥାଖଣ୍ଡିଏ, ତାରି ଉପରେ ଜାକିଜୁକି ହୋଇ ପଡିରହିଛି ସେ,ପାଞ୍ଚ ବରଷ ହେଲାଣି । କେବେ କେମିତି ଦାଣ୍ଡ ପିଣ୍ଡାରେ ବାଡ଼ି ଧରିଧରି ଯାଇ ବସିରହୁଥିଲା ଯିବା ଆସିବା ଲୋଜଙ୍କ ଖବର ରଖୁଥିଲା । ସମସ୍ତଙ୍କୁ ପଚାରି ବୁଝୁଥିଲା ମଙ୍ଗୁଳିଆ କଥା । କାଳେ କାହା ଘରକୁ ଫୋନ କରିଥିବ । କିଛି ଖବର ମିଳେନି । ବୋହୁଟା ଥିଲାଯେ ଟିକିଏ ବୁଝୁଥିଲା ତା କଥା । କେଜାଣି କେତେବେଳେ କାହାକୁ ନ କହି ବାପଘରକୁ ଚାଲି ଗଲା, ଆଉ ଆସିଲା ନାହିଁ । ଲୋକେ କହିଲେ ତା ବାପ ଆଉ ଠାଏ ବାହା ଦେଲା ତାକୁ । ଢେର କାନ୍ଦିଲା ବୁଢ଼ୀ, ଯାହା ହେଲେ ପାଖରେ ଥିଲା । ନିଜର ବୋଲି କେହି ତ ଜଣେ ତା ପାଖେପାଖେ ରହି ତା କଥା ବୁଝୁଥିଲା । ଆଉ ତାର କଣ ବା ଦରକାର ଥିଲା । ହଉ ଯାଉ.... ନୂଆ ଭୁଆସୁଣି ସଜବାଜ ହୋଇ କେଡେ ସୁନ୍ଦର ଦିଶୁଥିଲା, ଦେଖିଲେ ଆଖି ଲାଖି ଯିବ । ଦେବୀ ପରି ଗଠନ । ନାଆଁ ତାର ପାର୍ବତୀ, ମଙ୍ଗୁଳିବୋଉ ଗେଲେଇ କରି ଡାକ ଦିଏ ପାର.... । ପ୍ରଥମ ତିନି ଚାରି ବରଷ ମଝିରେ ମଝିରେ ମଙ୍ଗୁଳିଆ ଆସେ ତାପରେ ଆଉ ଆସିଲାନି କି କିଛି ଖବର ଦେଲାନି । ବୋହୁଟା କେତେଦିନ ଆଉ ବୁଢ଼ୀ ସାଙ୍ଗରେ ହନ୍ତସନ୍ତ ହେଇଥାନ୍ତା । ତାକୁ ଯିଏ ପଚାରିଲେ କହେ "ଯାଉ କାହିଁକି ଏଠି ଏ ବୁଢୀଟା ମୁହଁକୁ ଚାହିଁ ପଡିରହିଥିବ - ତା ସୁଖ ସେ ଦେଖୁ" । ମଙ୍ଗୁଳିବୋଉ ବାଡି ପଛ ପଟ ପାହାଡ଼ ତଳକୁ ନିତି ସକାଳୁ ଚିରା ଅଖାଖଣ୍ଡେ ଧରି ଧାଉଁ ଥାଏ । ଗଛ ମୂଳେ ଝଡି ପଡିଥିବା ଶୁଖିଲା ପତ୍ର ସବୁ ଖଡିକାରେ ଓଳାଏ । ଗୋଟେଇପୋଟେଇ ଅଖାରେ ବାନ୍ଧି ଆଣେ । ଯାହା ସରକାରୀ ସାହାଯ୍ୟ ମିଳେ ସେଇଥିରେ ସରିଯାଏ ତାର ଦିନ । 

ଘର ବୋଲି ଲମ୍ବା ହୋଇ ଦି ବଖରା, ମଝିରେ ଦାଣ୍ଡଘର, ଯିବାଆସିବା ବାଟ, ଆଗ ପଟେ ବାରଣ୍ଡା । ଯୋଉଠି ସକାଳ ସଂଜେ ମଙ୍ଗୁଳି ବାପା ଥିଲା ବେଳେ ବସିବସି ସୂତା ଗୁଡ଼େଇବା କାମ କରେ । ସେ ଆରପାରିକୁ ଗଲାଦିନୁ ମଙ୍ଗୁଳିବୋଉ ବଡ଼ କଷ୍ଟରେ ମଙ୍ଗୁଳିକୁ ବଡ କଲା । ମାଟ୍ରିକ ଯାଏ ପାଠ ପଢାଇଲା ହେଲେ ମଙ୍ଗୁଳି ଗାଆଁରେ ରହିବାକୁ ମଙ୍ଗିଲା ନାହିଁ । ତା ମନ ଘର ଧରିବ ବୋଲି ମଙ୍ଗୁଳିବୋଉ ତାକୁ ହାତକୁ ଦି ହାତ କରିଦେଲା । ବରଷେ ପୁରୁ ନ ପୂରୁଣୁ ସେ ତାର ଆଖପାଖ ଗାଆଁ ପିଲାଙ୍କ ସହିତ ମିଶି ସୁରତ ଗଲା । ବୋଉକୁ କହୁଥିଲା ଢେର ପଇସା ରୋଜଗାର କରିବି ଲୋ ବୋଉ । ଘରକୁ ଆସିବି, ଦେଖିବୁନି କେତେ ଦରବ ବୋହି ଆଣିବି ତୋ ପାଇଁ ଆଉ ତୋ ବୋହୁ ପାଇଁ" । 

ମଙ୍ଗୁଳିବୋଉ ଆଖି ଲୁହପୋଛି କହେ "ମୋର କୋଉ ଦରବ କଣ ହବରେ ପୁଅ । ତୁ ମୋ ପାଖରେ ଥିଲେ ସବୁ ଅଛି । ମଙ୍ଗୁଳି ଟିକିଏ ହସିଦେଇ ପାର ମୁହଁକୁ ଚାହିଁଦେଇ କହେ,"ତୋ ପାଖରେ ପରା ତୋ ବୋହୁ ଅଛି । କି ଚିନ୍ତା ତୋର" ତା ପିଠିରେ ଲଦି ହୋଇଯାଏ ମଙ୍ଗୁଳି । 

ପୁଅର କଥା ଶୁଣି ବୁଢ଼ୀ କହେ,"ମନକରିଛି ନାତି କି ନାତୁଣୀଟିଏ ଦେଖିଥାନ୍ତି....! ମୋର ଦେହପା  ଆଉ କୋଉ ଭଲ ରହୁଛି ଯେ ବେଶିଦିନ ବଞ୍ଚିବି" । 

ସେଇ କେତେ ଦିନ ବୋଧହୁଏ ମା ପୁଅଙ୍କର ବେଶ ଦୁଃଖ ସୁଖ ମିଳାମିଶା ଅନ୍ତରଙ୍ଗ କଥାବାର୍ତ୍ତା ଥିଲା । ମଙ୍ଗୁଳି ଥରେ ଦିଥର ପରେ ଆଉ ଘର ନାଆଁ ଧରିଲା ନାହିଁ । ବୋହୁ ଚାଲିଗଲା ତା ବାପାଘର, ଅଭାବ କଷଣରେ କାହିଁକି ରୁହନ୍ତା । 

ଦିଅର ଯାଆଙ୍କୁ ଶେଷରେ ନିର୍ଭର କଲା ମଙ୍ଗୁଳିବୋଉ । ତାଙ୍କ ସଂସାର ବଢ଼ିଲା ପୁତୁରା ବାହାହେଲା । ଦି ବଖରା ଘରରୁ ବଖୁରିଟିଏ ତାର ବଖୁରିଏ ଦିଅର ଯାଆଙ୍କର । ପୁତୁରା ବୋହୁ ଆସିବାରୁ ତା ବଖରାରେ ସେମାନେ ରହିଲେ । ମଙ୍ଗୁଳିବୋଉ ଲୁଚିଲୁଚି ବହୁତ କାନ୍ଦିଲା । ନିଜର ଟିଣ ବାକ୍ସ ଆଉ ଲୁଗାପଟା ଦିଖଣ୍ଡ ଧରି ଦାଣ୍ଡଘରକୁ ଆସିଲା । ସେଇ ଦିନରୁ ସେଇଠି ପଡିଛି ଯେ ପଡିଛି । ଘର ଭିତରକୁ ପଶୁପଶୁ ଢ଼ିଙ୍କି, ଆଉ ତ ସେଠି କିଛି କୁଟା ଶୁଖା ହେଉନି, ସେମିତି ସେ ଢ଼ିଙ୍କିଟା ଶୋଇ ପଡିଥାଏ ଆଉ ସେଇଠି ଶୋଇ ପଡେ ସେ । ସେଇ ଘରେ ବନ୍ଧା ହୁଅନ୍ତି ଛେଳି ଦୁଇଟି । ପାହାଡ଼ ଉପରୁ ହେଟାବାଘ ଆସି ନେଇଯିବ ବୋଲି ଛେଳି ପାଇଁ ବଡ଼ ଚିନ୍ତା । ତାଙ୍କ ପାଇଁ ଝାଟି ମାଟିର ଖଣ୍ଡେ ଗୁହାଳ କରିବାକୁ କାହାକୁ ତର ନାହିଁ । ସେଇ ଘରେ ଡାହାଣ କଡ଼କୁ ଯେତିକି ଜାଗା ସେତକ ମଙ୍ଗୁଳିବୋଉର । ବାଉଁଶ ଠେଙ୍ଗା ଖଣ୍ଡେରେ ଅଳଗୁଣିଟିଏ ତିଆରି କରିଦେଇଛି ପୁତୁରା । ସେଥିରେ କନ୍ଥା, ଚାଦର, ପିନ୍ଧା ଲୁଗା ସବୁ ଝୁଲୁଥାଏ ସେମିତି । ସଳଖ ହୋଇ ଆଉ ଛିଡା ହେଇପାରୁନି ବୁଢ଼ୀ । ଲୁଗାପଟା ଚଉତଉଛି କିଏ । ସେଇଥିରେ ସକାଳୁ ଉଠି ଘରର ବାରିପଟ, ଦାଣ୍ଡ ପିଣ୍ଡା ନଇଁ ନଇଁ ଓଳାପୋଳା କରିପକାଏ ସେ । ସରକାରୀ ଚାଉଳ ଗହମ ଯାହା ମିଳେ ସବୁ ତାର ଯାଆ  ନେଇଯାଏ । ସତରେ ବସିବସି ଖାଇବାକୁ ଦେବ କିଏ?" ମୋର ପୁଅବୋହୁ ଘର, ତମେ ଏମିତି ବସିବସି ଖାଇଲେ ଖାଇବାକୁ ଦେବ କିଏ । କେବେ ପରିବାପତ୍ର ପାଇଁ ତ କେବେ ଖୁଚୁରା ପଇସା ନାହିଁ କହେ ଯାଆ  । ହିସାବ କରି ମିଳିଥିବା ଭତ୍ତା ପଇସା ସବୁ ନେଇଯାଏ ସେ । ତଥାପି ପୁତୁରାଟାର ବୁଢ଼ୀର ଟିଣ ବାକ୍ସଟିରେ ସବୁବେଳେ ନଜର । 

ଚାହା ଟିକିଏ ମୁଢି ଗଣ୍ଡାଏ ପକେଇ ପିଇବାକୁ ଇଛାହେଲେ ବି ପିଇପାରେନି ବୁଢ଼ୀ । କେବେକେବେ ପୁତୁରା ବୋହୁ ଟିକିଏ ଲୁଚିଛପି ଆସି କଥା ଦି ପଦ ହେଇଯାଏ । ଗୋଡ଼ହାତ ଅଚଳ ଧରିଲେ ସମସ୍ତଙ୍କର ମୁହଁ ଛିଞ୍ଚଡ଼ା । ସେଥିରେ ବି ଦିନେଦିନେ ବୁଢ଼ୀ ଘୁଷୁରି ଘୁଷୁରି ବାଡ଼ିପଟ ଜଙ୍ଗଲକୁ ଯାଏ । ଜାଳପତର ନଥିଲେ ଚୁଲି ଜଳିବ କେମିତି, ରୋଷେଇ ହେବ କେମିତି । ସବୁ କପାଳର ଦୋଷ କହି ସାମ୍ଭାଳି ନିଏ ସେ । 

ଆଉ ଉଠି ବସି ପାରିଲାନି ମଙ୍ଗୁଳିବୋଉ । ବୋହୁ ପାଖକୁ ଖବରଦେଲା, ତା ଗାଆଁକୁ ଯାଉଥିବା ଲୋକ ହାତରେ । ପାଖ ବାଟ ନୁହେଁ ଯେ କାହାକୁ ହେଲେ ପଠେଇଦେଵ । ସେ ଲୋକ ଆସି ଖବର ଦେଲା ଯେ ବୋହୁ ବାପଘରେ କହିଲେ-" ସେ ତା ମାମୁଁ ଘର ଗାଆଁରେ ଅଛି । ତାକୁ ଖବର ଦେବେ ସେ ଆସିବ" । ହେଲେ ତା ବାଟ ଚାହିଚାହିଁ ବୁଢ଼ୀର ଆଖିପାଣି ଆଖିରେ ମଲା ଯାହା । କେହିକେହି କୁହାକୁହି ହେଲେ ଏଡ଼େ ସୁନ୍ଦର ଯୁବତୀ ଝିଅଟା କଣ ଏକୁଟିଆ ରହିଥାନ୍ତା, ସେ ଆଉ କାହା ହାତ ଧରି ସଂସାର କଲା । ବୁଢ଼ୀ ମନେମନେ ଆଶୀର୍ବାଦ କରେ, ଚୁପ ହୋଇ ରହେ । 

*********************************

କରୋନା ମହାମାରୀ ଆସିଛିବୋଲି ଶୁଣିଲା ଦିନରୁ ମଙ୍ଗୁଳିବୋଉ ଗାଁଠାକୁରାଣୀଙ୍କୁ ନେହୁରା ହେଲା"ଏ ଜୀବନ କେମିତି ଜଲଦି ବାହାରିଯାଉ, ଆଉ ଜୀଇଁରହି କିବା ଲାଭ । କିଏ କରିବ ତାର ସେବାଯତନ । ହେଲେ ତିନି ଚାରିଦିନ ହେଲାଣି ପୁତୁରା କହୁଥିଲା ଯେତେ ଲୋକ ସୁରତ ସୁତାକଳରେ କାମ କରିବାକୁ ଯାଇଥିଲେ ସମସ୍ତେ ଆମ ରାଇଜକୁ ଫେରିଆସିବେ । ମଙ୍ଗୁଳିବୋଉ ପୁଣି ନେହୁରାହେଲା ଗାଁଠାକୁରାଣୀଙ୍କୁ "ଆଉ ଦିନ କେଇଟା ମତେ ବଞ୍ଚେଇ ଦେ ଲୋ ମା--ତତେ କୋଟିକୋଟି ଜୁହାର ମଙ୍ଗୁଳିଆଟାକୁ ଥରେ ଦେଖିଦେଇ ମରିବି । କୋଡିଏ କି ଅଧିକା ବରଷ ପୁରା ହେବଣି ତାକୁ ଦେଖିନି । ଥରଟିଏ ଦେଖିଦେଇ ଏ ପ୍ରାଣ ଯାଉ ଲୋ ମା "---ଢୋ ଢୋ ମୁଣ୍ଡିଆ ମାରିପକାଉଥାଏ ମଙ୍ଗୁଳିବୋଉ । 

ଯାଆ  ମୁହଁ ଛିଞ୍ଚାଡିଦେଇ ଯାଏ । ଦିଅର ତେରେଛା ହସ ଟିକିଏ ହସିଦେଇ ଚାଲିଯାଏ । ପୁତୁରା ତ ଅଲକ୍ଷଣା କଥା କହିଦେଲା,କହିଲା"କିଏ ଜାଣିଛି ବଞ୍ଚିଛି କି ନାହିଁ" । ନୀତିଦିନ କେତେ ରକମର ଖବର,କୋଉଠି ବସ ଓଲଟି ପଡିଲା,କୋଉଠି କାହା ଉପରେ ଟ୍ରେନ ଚଢ଼ିଗଲା । ଏହି କଥା ସବୁ କହିବାକୁ ଦୌଡ଼ିଆସେ ପୁତୁରା । ବୁଢ଼ୀ ମନରେ ଢେର ଆଶା,ମଙ୍ଗୁଳି ନିଶ୍ଚୟ ଫେରିବ । ଯେବେଠୁ ସେ ଶୁଣିଲାଣି ଗାଆଁ ସରପଞ୍ଚ ଙ୍କ ପାଖକୁ ଦୌଡିଯିବାକୁ ତାର ମନ । କେତେ କାହା ହାତରେ ଖବର ଦେଇ କାନଡେରି ବସିଥିଲା ସେ । ଏଇତ କିଏ କହିଦେଇଗଲା ମଙ୍ଗୁଳିଆ ଫେରିଛି । ଗାଆଁ ସ୍କୁଲ ଘରେ ଅଠର ଦିନ ରହିବ । ତାପରେ ଘରକୁ ଆସିବାକୁ ଅନୁମତି ମିଳିବ । 

ବୁଢ଼ୀଶୋଇବା ଜାଗାରୁ ଉଠିପଡ଼ି ଲୁଗା ଖୋଷଣି ଖୋସିଲା । ବାଡ଼ି ଖଣ୍ଡକୁ ଦରାଣ୍ଡି ହେଲା । ଯାଆ  ତାର ଦଉଡି ଆସି କହିଲା-"ଦେଖିବ ଆସ ହେ ଗାଆଁ ଲୋକେ ଏବୁଢ଼ୀ ଉଠିପାରୁ ନଥିଲା,କତରା ଲଗା ହୋଇ ପଡିରହିଥିଲା । ଗୁହ ମୁତ,ମଇଳା ଅସନା ସଫାକରିକରି ମୋ ଜୀବନ ଗଲାଣି । ପୁଅ ଆସିଛି ଖବର ପାଇଲା ଯେମିତି ଭୁସ କିନା ଉଠିପଡ଼ି ବାଡ଼ିଧରି ଯିବାକୁ ବହାରିଲେଣି ହେ ଦେଖ । 

ଖାଲି ବାହାନା, ବାହାନା । ହାଇରେ ବିଧାତା,ଆମ ଯୋଗୁଁ ଜୀବନ ଅଛି ୟାଙ୍କର, ଆମକୁ ଟିକିଏ ଭଲା ଖାତିରି ଥାନ୍ତା । "କଥାଟା ପ୍ରଘଟ ହେଲା ସମସ୍ତେ ଅଟକାଇଲେ । ମଙ୍ଗୁଳିବୋଉ ଆଉ କି କାହା କଥା ଶୁଣେ । ଅଣ୍ଟା ନୁଆଁଇ ବାଡ଼ି ଖଣ୍ଡିଏ ଧରି ଡାକ ଛାଡି ଚାଲିଛି....ମଙ୍ଗୁଳିରେ ...ଆରେ ମଙ୍ଗୁଳିଆ ମୋର,ଧନ ସଙ୍ଖାଳି ମୋର ..ଆଇଲୁ ଆଇଲୁ ବାପା, ତତେଟିକେ ଆଉଁଷି ଦିଏ....ମଙ୍ଗୁଲୁରେ......." ଦଉଡି ଆସିଲେ ସାହି ଲୋକ, ଦଉଡି ଆସିଲେ ସରପଞ୍ଚ ଗାଁ ଦାଣ୍ଡରେ ହାଟ ବସିଲା ପରିଲୋକ । ସରପଞ୍ଚ ଜାଣିପାରିଲେ ସଂଗରୋଧ କେନ୍ଦ୍ରରେ ପହଁଚିଲା ବେଳକୁ ଆଉ ବୁଢ଼ୀର ପ୍ରାଣବାୟୁ ନଥିବ । ମଝି ସଡକରେ ବୁଢ଼ୀ "ବାଟଛାଡ଼,ବାଟଛାଡ଼ "ରଡି କରିଚାଲିଛି । ଘରଠାରୁ ସଂଗରୋଧ କେନ୍ଦ୍ର ସାତ କିଲୋମିଟର ହେବ । ସରପଞ୍ଚ ନିଷ୍ପତ୍ତି ନେଲେ ମଙ୍ଗୁଳି ପାଖକୁ ଖବର ଯିବ,ସେ ଆସି ଘରଠାରୁ ଦୁରେଇ ରହି ବୁଢ଼ୀକୁ ଦେଖି ଦେଇଯିବ । ସେତେବେଳକୁ ବୁଢ଼ୀର ପାଟି ପଡ଼ିଗଲାଣି,ଚେତା ଚପଟନାହିଁ । ସମସ୍ତେ ଭାବିଲେ ବୁଢ଼ୀ ଆଉ ଅଳ୍ପ ସମୟ ଭିତରେ ଆରପାରିକୁ ଚାଲିଯିବ । ସରପଞ୍ଚବାବୁ କହିଲେ- ବୁଢ଼ୀର ଶେଷ ସମୟରେ ପୁଅଟା 

ଆସିଛି ଯେତେବେଳେ ବୁଢ଼ୀକୁ ଆସି ଦେଖିଦେଇ ଯାଉ,କେତେ ଦୁଃଖ କଷ୍ଟ ପାଇଲାଣି । ମାତ୍ର ତାର ଘର ପରିବାର ସାହିପଡ଼ିଶା ସମସ୍ତେ ପ୍ରତିବାଦ କଲେ,ନା ନା ଏ କଥା କଦାପି ହେଇପାରିବନାହଁ,ବୁଢ଼ୀ ତ କତରାଲଗା ହୋଇ ପଡ଼ିଥିଲା । ମରିଗଲେ ତରିଯିବ ହେଲେ ସେଇଠି ମଙ୍ଗୁଳିଆକୁ ଆଣିଏ ଘର ଦୁଆରେବି ବସିବାକୁ ଦିଅନାହିଁ । କିଏ ଜାଣେ ତାଠେଇ କରୁନା ବେମାରି ଥିବ କି ନାହିଁ । ସରପଞ୍ଚବାବୁ ବିଚାରବନ୍ତ ଲୋକ ଖବର ଦେଲେ ମଙ୍ଗୁଳିକୁ ଅଣାଯାଉ । ସେ ରାସ୍ତା ଉପରେ ଛିଡ଼ାହୋଇ ବୁଢ଼ୀକି ଦେଖିଯାଉ । ନଚେତ ବୁଢ଼ୀ ମଲା ପରେ ତାର ଆତ୍ମା ଅଶାନ୍ତିରେ ଘୁରିବୁଲିବ ଗାଆଁ ସାରା । 

କେତେବେଳକୁ ଆଖି ଖୋଲିଲା ମଙ୍ଗୁଳିବୋଉ, ଦେଖିଲା ସେ ତାର ଦାଣ୍ଡ ବାରଣ୍ଡାରେ ମସିଣା ଉପରେ ଶୋଇଛି । ବାରଣ୍ଡା ତଳେ ସାହିପଡ଼ିଶା କେତେଜଣ । ଖାଲି ଜୁଳୁଜୁଳୁ କରିଚାହୁଁଥାଏ ସେସମସ୍ତଙ୍କୁ । ଚେଷ୍ଟା କରିମଧ୍ୟ ଆଉ ଡାକିପାରୁନଥାଏ"ମଙ୍ଗୁଳିରେ ...ଆରେ ମଙ୍ଗୁଳିଆ ମୋର,ଧନ ସଙ୍ଖାଳି ମୋର ..ଆଇଲୁ ଆଇଲୁ ବାପା ଆ..ଆ..."

ଏତିକି ବେଳକୁ ଦେଖିଲା ଅପୂର୍ବ ଦୃଶ୍ୟ ସେଇ ରାସ୍ତା ଉପରେ । ମଙ୍ଗୁଳିଆ...ମଙ୍ଗୁଳିତା ର...ପିଲାଦି ଟା ତାପାଖକୁ ଲାଗି ଛିଡା ହେଇଛନ୍ତି । ସେମାନେ ପଚାରିବା ଆଖିରେ ଚାହୁଁଛନ୍ତି କେବେ ମଙ୍ଗୁଳିକୁ ତ କେବେ ବୁଢ଼ୀକୁ । 

ହେଲେ ମଙ୍ଗୁଳିବୋଉ ଆଖି ଆଗରେ ଏକଣ ଦେଖୁଛି ସତେ! ଇଏ ତ ପାର....!!ପାର ତା ବୋହୁ,ଯୁବା ବଅସରେ ଏକୁଟିଆ ଦୁଃଖ ପାଇଲାବୋଲି କେତେ କାନ୍ଦିଛିସେ ଏଇ ପାର ପାଇଁ । କେତେ ସମ୍ପିଛି ପୁଅକୁ । ହଁ ଇଏତ ଆଉକେହି ନୁହେଁ ପାର! ପାର । ...ଆଉକିଛି ଦେଖିପାରୁନଥିଲା କି କହିପାରୁନଥିଲା ମଙ୍ଗୁଳିବୋଉ । ସବୁଯେମିତି ତାଆଖି ଆଗରେ ଅନ୍ଧାର ହେଇଗଲା । ହେଲେ ସେ ଶୁଣି ପାରୁଥିଲା ତା ଦିଅର ବଡ଼ ପାଟିରେ କହୁଥିଲା "ପଚିଶ ବରଷ ଧରି କୁଆଡେ ଥିଲୁ । ଏବେ ଗାଆଁ ଘର ମନେ ପଡ଼ିଲା ତୋର...ହଉ ଯା  ଅଠର ଦିନ ସାରିଲେ ଆସିବୁ ବୋଉ ବଞ୍ଚିଥିଲେ ଦେଖିବୁ ନହଲେ ଗାଆଁ ମଶାଣି ମୁଣ୍ଡକୁ ଆସିବୁ । 

ତୁ ଏଇନା ଅଛୁଆଁ ପରା ମୋ ଘରେ ତତେ ପଶେଇ ଦେବିନି ଯା ..ଯା... ଗଲୁ ଏଇଠୁ "

ମଙ୍ଗୁଳିବୋଉ ଝାପସା ଝାପସା ଦେଖିପାରିଲା,ମଙ୍ଗୁଳି ଚାଲିଯାଉଛି,ତା ସହିତ ତା ସଂସାର । ସେ ଚେଷ୍ଟା କରୁଥିଲା କଣ୍ଠ ଖୋଲି ଡାକିବାକୁ...."ମଙ୍ଗୁଳିରେ ...ଆରେ ମଙ୍ଗୁଳିଆ ମୋର,ଧନ ସଙ୍ଖାଳି ମୋର....." । 



Rate this content
Log in

More oriya story from Mamata Bebarta Pattnaik

Similar oriya story from Tragedy