The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Mamata Bebarta Pattnaik

Abstract

3  

Mamata Bebarta Pattnaik

Abstract

ଏବେଠୁ ଆରମ୍ଭ

ଏବେଠୁ ଆରମ୍ଭ

5 mins
208


ସମୟ ଏମିତି ତ ଗଡ଼ିଚାଲେ, ଚାଳରୁ ନିଗିଡା ବର୍ଷାପାଣି ପରି, ବହିଗଲା ଜୀବନ, ସମୟର ଅଫେରା ସୁଅରେ । 

ଶୁଖିଲା ନଡା ଯାକ କିଛି ଶୋଷ ମେଣ୍ଟାଇଲେ, ଭୂଇଁରେ ପଡି ବହିଗଲେ ବାକି ଯେତେ, ଭୂଇଁ ଓଦାହେଲା ଭିଜା ମାଟିର ମହକରେ ମୁଗ୍ଧ ହେଲା ମନ । 

ଗାଁ ଦାଣ୍ଡରେ ସୁଅକାଟି ଚାଲିଲା କୁନିଏକ ନଈ ଟିଏପରି ବର୍ଷା ପାଣି, ଯାହା ପଛରେ ଧାଇଁ କାଗଜ ଡଙ୍ଗା ଭସାଉ ଭସାଉ ଓଦା ପଚପଚ ହେଉଥିଲା ଦେହ । 

ସ୍କୁଲ ଘଣ୍ଟା ବାଜୁଥିଲା ଘରକୁ ଧାଉଁ ଥିଲା ମନ କୋଉଠି କଣ ଛାଡି ଆସିଲାପରି ପୁଣି ସକାଳୁ ସ୍କୁଲ ପାଇଁ ଦୌଡୁଥିଲା ପାଦ ତଳ ରାସ୍ତା । 

ପାଠ କଥା କିଏ ପଚାରେ ସବୁକେମିତି ଆପେ ହେଇଯାଉଥିଲା, ସ୍ୱପ୍ନ ମାନେବି ଆପେ ମେଲୁଥିଲେ ଡେଣା । କିଏ ବୁଝାଉଥିଲେ ସ୍ୱପ୍ନମାନଙ୍କ କଥା ? ଭୋକ କଲେ ଗଣ୍ଡେ ଖାଅ, ଯାହାଅଛି ଜାମା ପଟା ଦି'ଖଣ୍ଡ ପିନ୍ଧ, ବାକିବେଳ ଘରକୁ ଆସିଥିବା କାହାର ବି ସାଇକେଲ ଚାବିନେଇ ଟିକେ ହାପ ପେଡଲମାରି ଘେରାଏ ବୁଲିଆସ, ଘରକୁ ଫେରି ସାଇକେଲ ନପାଇଁ ଅତିଥିଙ୍କ ଅପେକ୍ଷା । ଅତିଥି ଯିବାପରେ ଯେ 

ଯେତକ ଗାଳି ଅବା ମାଡ଼ । ଖେଳପଡ଼ିଆରେ ଖେଳ ସଞ୍ଜ ଗଡ଼ିଲାପରେ, ଚାରି ତାରା ଦେଖି ଘରେ ପସ । ବହିପତ୍ର ଖୋଲୁଖୋଲୁ ଖାଇବା ବେଳ ଆଉ ନିଦ । ଜୀବନ ମାଡ଼କୁ ଭୟ ହେଲେ ଭୁଲରେ ଭୁଲରେ ପୁଣି ଭୁଲ । 

ନୂଆନୂଆ ରଙ୍ଗରେ ରଙ୍ଗୀନ ହେଉଥିଲା ଦୁନିଆ, ଇନ୍ଦ୍ରଧନୁର ଆକାଶ, ସମୁଦ୍ରର ରହସ୍ୟ, ଆଉ ଗଦେଇ ହେଇପଡିଥିବା ଗଙ୍ଗଶିଉଳିର ଝରଝର ହସ, ଘାସ ପଡ଼ିଆରେ ସାଧବ ବୋହୁ, ଝରିପୋକ, ତେଲୁଗୁଣି, କଙ୍କି ଆଉ ପ୍ରଜାପତି......କି ବନ୍ଧୁତା ସତେ । କି ସରାଗ ଓଃ । 

ଚାଲୁଥିବା ପାଦ ଆଗକୁ ଆଗକୁ....

ଅଟକି ଗଲେତ ଚବକାଏ ପାଣି, ବହି ଚାଲିଥିଲେ ନଈ । ମନ କହିଲା ନଈ ହେଇଯା, ନଈ ହେଇ ବହି ଯା' । କିଏ ଅଟକାଇବ...ମ ପାହାଡ଼ ? ଜଙ୍ଗଲ... ? 

ଫିକ କିନା ପୁଳାଏ ହସ ଝରିପଡୁଥିଲା ସତରେ । ନଈ ସମୁଦ୍ରରେ ମିଶିଵ ନିଶ୍ଚୟ ....ଏମିତି କି କଥା ଥାଏ...ଧେତ... । 

ସଂସାର ତ ସମୁଦ୍ର, ବଡ଼ ରହସ୍ୟମୟ । କିଏ କଳିବ, ନିରୀମାଖୀ ନଈ ? ? ଦିନ ନାଇଁ ରାତି ନାଇଁ ଖାଲି ଅବିଶ୍ରାନ୍ତ ଗତି, ଗୋଟିଏ ଲକ୍ଷ୍ୟ, ଆସ ଯାହାନେଉଛ ନେଇଯା, ତୁମେ ଗ୍ରୀଷ୍ମର ବାଟୋଇ ମୁଁ ପରା ଜଳ । ମୋର ଖାଲି ଟିକିଏ ତୃପ୍ତି ବିତରିବାରେ ସାର୍ଥକ ସମସ୍ତ ସପନ । ହେଲେ ଜୀବନର ପୂର୍ଣ୍ଣତା ପାଇଛି କିଏ ? ନା ନଦୀ, ବା ସମୁଦ୍ର, ଦିଗବଳୟ କି ଆକାଶ, ନା ପାଣି ନା ପବନ....କେହି ନୁହେଁ, କେହି ବି ନୁହେଁ । କେବଳ ଦେବାରେ ଯଦି ତୃପ୍ତି ଥାଏ ତେବେ ପୁଣି ଏ ଅସହ୍ୟ ଶୂନ୍ୟତା କଣ ? ଏ କଣ ଜୀବନର ଛାଇ ? 

ଅନେକ ପଥ ଅତିକ୍ରାନ୍ତ ପରେ ବିଶ୍ରାମ ଖୋଜିଲେ ପାହାଡ଼ ପଥର ବି ଆଶ୍ରା ଦିଏ, ହେଲେ ରାସ୍ତା ତ ସାରିବାକୁ ହେବ । କିଏ କହିବ ଆଉ ଆଗକୁ କେତେ ରାସ୍ତା । ସବୁବେଳେ ତ ସରିଆସୁଥିବା ରାସ୍ତା ଟିକକ କଷ୍ଟକର ମନେହୁଏ । ଆଶ୍ରୟସ୍ଥଳଟିଏ ଦେଖିଲେ, ଥକାପଣ ଅବୋରିନିଏ ମନକୁ । ଟାଙ୍ଗରା ଭୂଇଁରେ ଘାସ ଆସିଲା ଯାଏ ଅପେକ୍ଷା କରିବ କିଏ ? ସବୁକିଛି ସଜାଡି ହେବାପାଇଁ ଅପେକ୍ଷା କରିବା କଣ ପାଗଳାମି ନୁହେଁ । ଏମିତି ହେଲେ ସବୁ ସଜାଡି ଦେଇ ଯାଉଥାନ୍ତା କି ଜୀବନ । ନା କିଛି ସଜାଡି ହୁଏନା ବରଂ ଅସଜଡ଼ା ମୁହୂର୍ତ୍ତମାନଙ୍କୁ କୋଳରେ ପୁରେଇ ସଜାଡ଼ିବାକୁ ହୁଏ । । ନାଳ ନର୍ଦ୍ଦମାର ମାଛିମାନେ ସେମିତି ସେଇଠି ସଢୁଥାନ୍ତି । ଆଡେଇ ଦେଇ ଚାଲିଗଲେ ନିଜ ରାସ୍ତା ନିଜେ ତିଆରି କଲେ ହେଲା । ଲୁହ ଦେଇ, ଶ୍ରମ ଦେଇ, ରକ୍ତ ଦେଇ ନିନ୍ଦା ଅପମାନ, ଲାଞ୍ଛନା ସବୁକୁ ମଥା ପାତିବାକୁ ହୁଏ । 

ହେଲେ ସମୟତ ଅଣଲେଉଟା । ଘାସ ପଡ଼ିଆ କିଛି ଶୀତଳ ସ୍ପର୍ଶ ଦେଇପାରେ, ଅଟକାଇ ଦେଇପାରେ କିଛି ସମୟ । ବୁଝିପାରେ କି ଆବେଗମାନଙ୍କର ବ୍ୟାକୁଳତା ? କିଏ କଣ ବୁଝିପାରେ ଜୀବନକୁ ଭଲପାଇବାର ଏ ନିବିଡ଼ତା । ଭାଵ, ଆବେଗ ଆଉ ଭାବପ୍ରବଣତା । ଏସବୁକୁ କିଏ ମୂଲ୍ୟ ଦିଏ । ଜୀବନର ସେ ମୁଣ୍ଡରୁ ଏ ମୁଣ୍ଡ, କିଶୋରୀ ବୟସରୁ ବରିଷ୍ଠତା ପର୍ଯ୍ୟନ୍ତ..... କିଏ ବୁଝେ ସମ୍ପୂର୍ଣ୍ଣ ରୂପେ, ଗୋଟିଏ ମନ ଅନ୍ୟ ଏକ ମନକୁ ସତରେ କଣ ବୁଝେ ? ତଥାପି ମନସହିତ ଯୋଡି ହେବାକୁ ଚାହୁଁଥାଏ ମନଟିଏ । । ନବୁଝିଲେ ନାଇଁ, ଜୀବନ ତ ଏମିତି ଗତିକରିବା ପାଇଁ ଅତିବାହିତ ହେବାପାଇଁ ମୃତ୍ୟୁ ପର୍ଯ୍ୟନ୍ତ, ସେତିକି ବୁଝି ସେମିତି ଚାଲିଥାଏ ଜୀବନଟିଏ, ଚାଲିଥାଉ । ରାସ୍ତା ତ ସାରିବାକୁ ହେବ । କିଏ ବୁଝୁବା ନବୁଝୁ, କଣ ଜରୁରୀ ଅଛି ଯେ ସମସ୍ତେ ସବୁକଥା ବୁଝିବେ । ପ୍ରକୃତରେ ସମସ୍ତେ ଯଦି ସବୁକଥା ବୁଝୁଥାନ୍ତେ ତାହାଲେ ଏତେ ଦୁଃଖ ନଥାନ୍ତେ, ନଥାନ୍ତା ଏତେ ଅବଶାଦ । 

ଏକଥା କିନ୍ତୁ ସତ ଯେ ପାଦ ଏବେବି ଅଟକି ଯାଏ କେଉଁଏକ ଖେଳ ପଡିଆ ପାଖରେ । 

ଛୋଟଛୋଟ ପିଲାଙ୍କର ଚିତ୍କାର ଶୁଣି ଇଛା ହୁଏ ବାହୁଡି ଯିବାକୁ, ଚଗଲା ପିଲାପରି ସମୂଦ୍ର କୂଳରେ ଦୌଡ଼ି ଦୌଡ଼ି କାହାକୁ ବାଲି ଫିଙ୍ଗିବାକୁ, ଢେଲାମାରି ଚହଲାଇବାକୁ ସ୍ଥିର ପୋଖରୀର ଜଳକୁ, ବାଡି ଖଣ୍ଡେ ଫିଙ୍ଗି ଗଦେଇଦେବାକୁ ତଳେ କୁଢ଼କୁଢ଼ ଆମ୍ବ ବଉଳ, ଏବେବି ଇଚ୍ଛା ହୁଏ ଭସେଇ ଦେବାକୁ କାଗଜ ଡଙ୍ଗା, ନାଚିବାକୁ କୁନିପିଲା ସହିତ ପିଲାଟିଏ ପରି । 

କି ମାନ କି ସନମାନ!!! । ସବୁଠାରୁ "ଆନନ୍ଦର" ମୂଲ୍ୟ ଢେର ବେଶି, କୋଉ ବଜାରରେ ମିଳେ କି!କେତେ ବଜ଼ାର ହାଟ ବୁଲିବୁଲି ଥାକ ଥାକ ରଙ୍ଗୀନ କାଗଜ ଭର୍ତ୍ତି ହାତରେ, ସଞ୍ଚିତ ଅର୍ଥ ଦେଇ କିଏ ନଖୋଜିଛି ଆନନ୍ଦ ? ମିଳିଲା ଏଇ ମିଳିଯିବ -ସନ୍ତୋଷ, ଖୁସି- ବୋଲି ଇଛା ମାନେ ଏତେ ଭିଡ଼ ଲଗାନ୍ତିଯେ ନିଜ ଘର ହେଇଯାଏ ଅଳିଆ ଗଦା । ସତରେ ଯାହାସବୁ ସାଉଁଟି ଥିଲି ଆନନ୍ଦ ବୋଲି ସେସବୁ ଆଜି କେମିତି ଅଳିଆ ଅଳିଆ ଲାଗେ । ହଁ ଜୀବନ କଣ ଆଉ କଣମ, ଏ ଚିରାଚରିତ ସମାଜରେ ଚିନ୍ତା ଓ ଚେତନା ଯେତେସବୁ ଅଳିଆ ହିଁ ହେଇ ଯାଆନ୍ତି, ଠିକ ନା!!

କେତେ ସମୟ ଗଲା ମୋ ଘର ମୋ ସଂସାର, କିଏ କଣ କହିବ, କିଏ କଣ ଭାବିବ । ସୁନ୍ଦର ଅସୁନ୍ଦର.....ହେଲେ ଏସବୁତ ଗୋଟିଏ ଗୋଟିଏ ପ୍ରସଙ୍ଗରେ ବଦଳିଯାଉଥାଏ, କିଏ ଗୋଟିଏ କଥା କହୁଛି ତ ଆଉକିଏ ଆଉଏକ କଥା । କାହାକୁ ଧରିବି କାହାକୁ ଛାଡ଼ିବି କି ସମସ୍ତଙ୍କୁ ଖୁସିକରିବାକୁ ମୁଁ ନିଜକୁ ବାଦ ଦେଇଦେବି ଅଥବା ନିଜେ ବହୁରୂପୀ ହେବି । ଆଃ ..ନିଜେ ଯାହା ନୁହେଁ ନିଜକୁ ସେଇଆ ବୋଲି କେତେ କାହା ଆଗରେ ସାଲିସ କରିଚାଲିଲା ସତେ ଏ ଜୀବନ । ମିଛରେ କେତେହସିଲି, ହେଲେ ଖୁସିତ ଆଉ କଣ ଗୋଟେ, ଯାହା ଅନୁଭବି ହେଉଛି ସିନା ବୁଝେଇତ ହେଉନି । ଯାହା ଶବ୍ଦ ନୁହେଁ ଅନୁଭବ, ସେସବୁ ବୁଝେଇତ ହେବନି । 

ସେ ସମୁଦ୍ରକୂଳ, ସେଇ ପାହାଡ଼ି ରାସ୍ତା, ଜହ୍ନରାତି, ଶୀତ ସକାଳ...ଗଙ୍ଗ ଶିଉଳିଫୁଲ, ବର୍ଷା ରେ ନଇଁ ପଡୁଥିବା ଫୁଲ ଭର୍ତ୍ତି ଟଗରର ଡାଳ, ଗ୍ରୀଷ୍ମର ଆବେଶରେ କୃଷ୍ନଚୁଡାର ଉଦ୍ଦାମ ହସ, ପବନରେ ଦୋହଲୁ ଥିବା ଧାନ କ୍ଷେତ, ବରଗଛ ତଳେ ଘାସ ଚରୁଥିବା ଗାଈ ପଲ....ଗଛପତ୍ର ରୁ ଝରିପଡୁଥିବା ଟୋପା ଟୋପା କାକର, ମୁହଁସଞ୍ଜବେଳେ ବଉଳ ଗଛ ଡାଳରେ ଚଢେଇମାନଙ୍କର କିଚିରି ମିଚିରି ସ୍ୱର...ଏମିତି ଆହୁରି ଅନେକ ..ଅନେକ କିଛି ଅପୂର୍ବ ଆନନ୍ଦର ଉତ୍ସ ସେମାନେ । କେତେ ଝୁରିଥିବେ ସେମାନେ, କେତେ ଖୋଜିଥିବେ, ହେଲେ ମୁଁ କଣ ସତରେ ଭୁଲିଯାଇଛି । କାହିଁ ଏବେତ ରୋମାଞ୍ଚ ଜାଗେନା ସମୁଦ୍ରରେ ଦୂରରୁ ଭାସି ଆସୁଥିବା ସେଇ ପାଲଟଣାଡଙ୍ଗା ମାନଙ୍କୁ ଦେଖି । 

କିଏ ମନା କରୁଥିଲା ସେସବୁକୁ ମନଭରି ଅନୁଭବ କରିବାକୁ ? ସମାଜର ସେଇ ଅବିଶ୍ୱାସ ଭରା ଆଖି, ଯାହା ମଣିଷପାଣିଆ ତାହା ହିଁ ତ ପ୍ରେମର ଭାବନା । ସକଳ ଜୀବନକୁ ଭଲପାଇବା , ପାଗଳାମି ନୁହେଁ । ବୁଝେଇ ପାରିଲିକି ? ଘର ଚାରିପଟେ ସୋରିଷ କିଆରୀ ହେଲେ ସେଠି ବସି ଗୀତଟିଏ ଲେଖିପାରିଲି କି ଥରେ ? 

ଫୁଲମାନଙ୍କ ସହିତ କଥାହେବା କଥା ଥରେ କହିଥିଲି ପରା, ହେଲେ ସତେ ଯେମିତି କିଛି ଅର୍ଥହୀନ କଥା କହିପକେଇଛି ପରି ମନେହେଲା । ଚାରିପଟେ ପୃଥିବୀ ମତେ ଚାହିଁ ମୁରୁକି ହସୁଥିଲା, କହୁଥିଲା ଏଥିରେ ନିଶ୍ଚୟ କିଛି ବଡ଼ ରହସ୍ୟ ଅଛି । 

ସେଦିନରୁ ଓଳି ତଳ ବର୍ଷା ଜଳ ପରି ବହିଯାଇଛି ମୁଁ..... ହଜିଯାଇଥିବା କାଗଜ ଡଙ୍ଗା ଆଉ ଖୋଜିନି । କେବଳ କେବେ କେମିତି ଲାଗିଛି "ସତେଯେମିତି ଏ ପୃଥିବୀକୁ ମୁଁ ଭୁଲରେ ପଶି ଆସିଛି" । 

ଡେରିରେ ହେଉପଛେ ଆପଣାକୁ ଭଲପାଇ ଶିଖିଯାଇଛି ମୁଁ । 

ମୁଁ ନଈ ହୋଇ ବହିଚାଲିଛି । ଲବଣାକ୍ତ କରିଦେଇଛି ନିଜକୁ । ମାତ୍ର ମୋ ଗତିପଥରେ ଯେଉଁ ସବୁଜିମା ସେମାନେ ହିଁ ତ ମୋର ସ୍ୱପ୍ନର ସମ୍ଭାର, କେବେ ଫୁଲ ହୋଇ ଫୁଟିଛନ୍ତି କେବେ ଗୀତ ହୋଇ ଛୁଇଁଛନ୍ତି ଅନେକ ଜୀବନ । କେବେ ଆବେଗର ଲୁହ ହୋଇ ଝରିଛନ୍ତି । କେବେ କୋହ ହୋଇ କଣ୍ଠ ରୋଧ କରିଛନ୍ତି । 

ବଂଚିଯାଇଛି ମୁଁ ଅଣନିଃଶ୍ୱାସୀ ହୋଇ, ବିଶ୍ୱାସର ସହ, ଉଛ ସ୍ୱରରେ କହୁଛି "ଏ ଜୀବନ!ତୋ ପାଇଁ ଏ ପରିପର୍ତ୍ତନର ପର୍ବ ମୁଁ ଆରମ୍ଭ କରିଛି, ସକଳ ବାଧାବିଘ୍ନକୁ ଏଡେଇ ଦେଇଛି କାରଣ ଏବେବି ତତେ ମୁଁ ନିବିଡ଼ତାର ସହିତ ଭଲ ପାଉଛି"



Rate this content
Log in

Similar oriya story from Abstract