puspanjali das

Inspirational

4  

puspanjali das

Inspirational

ବାପା

ବାପା

4 mins
290


ଅସୀମ ଙ୍କ ହାତକୁ କଫି କପ୍ ଟି ବଢ଼ାଇ ଦେଇ,ନିଜ ପାଇଁ ଚା'କପେ ହାତରେ ଧରି,ଈଶାନୀ ଦିନଯାକର କ୍ଲାନ୍ତିକୁ ଯେମିତି ପୋଛି ଦେବାକୁ ଚେଷ୍ଟା କରି,ଡାଇନିଂ ରୁମ୍ କୁ ଚାଲି ଆସିଥିଲା।ବାପା,ବୋଉ, ଓ ଶାଶୁ ଙ୍କ ଫୋଟୋ ଗୁଡିକୁ ଯଥାସ୍ଥାନ ରୁ କାଢି,ଘର ଝଡା ଝଡି କରି,ଡାଇନିଂ ଚେୟାର ଉପରେ ରଖି ଦେଇଥିଲା,ଓ ସେସବୁ କୁ ପୂର୍ବ ସ୍ଥାନରେ ନ ରଖିଲେ ଯେ ଭାଙ୍ଗି ଯିବାର ସମ୍ଭାବନା ଟା ଅଛି ,ଭାବି ତରତରରେ ସେସବୁକୁ ଟେବୁଲ ଉପରେ ରଖିଦେଇ,ଚା'କପ୍ ଟିରେ ଓଠ ଲଗାଇ,ଅବଶ ଶରୀରଟାକୁ ଚେୟାର ଟିରେ ଲମ୍ବାଇ ଦେଇଥିଲା।କେହି ନ ହେଲେ ବି ଶ୍ରୀୟାକୁ ତାର ଡର ଥିଲା,କିଛି ନ ଦେଖିକି,ଦୁମ କରି ବସି ପଡିବା ତାର ଅଭ୍ୟାସ-ଏତକ ଭାବୁ ଭାବୁ,ଅନ୍ୟ ରୁମ୍ ରୁ ଶ୍ରୀୟା ଦଉଡିକି ଚାଲି ଆସିଥିଲା ଓ ଈଶାନୀର ବେକରେ ଓହଳି ପଡି କହି ପକାଇଲା-ମାମା,ତୋର ମନେ ଅଛି ତ,ଆଜି ସନ୍ଧ୍ୟାରେ ମତେ 'ଫାଦର' ଉପରେ ଏସେ ଟି କହିଦେବୁ।କାଲି ରବିବାରରେ ତ,ତୁ ପୁରା ବିଜି ରହିବୁ,ମୋର ମିସ ସୋମବାର ଦିନ ଟେଷ୍ଟ ନେବେ।ଏବେ ଅନଲାଇନରେ ବି ସବୁ ଜାଣି ପାରୁଛନ୍ତି, ମୁଁ କାଲି,ଭଲକି ପଢି ମନେ ରଖିଦେବି।

     ଶ୍ରୀୟାର ମୁହଁରୁ ଏତକ ଶୁଣି,ଈଶାନୀର ହାତ ମନକୁ ମନ ତା'ବାପା ଙ୍କ ଫୋଟୋଟିକୁ କେତେବେଳେ ଯେ ଉଠାଇ ଆଣିଥିଲା,ଜାଣିପାରି ନଥିଲା ! ଭାବନାର ଜାଲରେ ସତେ ଯେମିତି ଛନ୍ଦି ହୋଇ ପଡ଼ିଥିଲା-ସତେ ତ, ଆସନ୍ତାକାଲି 'ଫାଦର୍ସ ଡେ'!ହେଲେ,ତାଙ୍କ ପିଲାବେଳେ କେବେ କ'ଣ ସେସବୁ 'ଫାଦର୍ସ ଡେ', 'ମଦର୍ସ ଡେ' ଦିନ କୁ ପାଳୁଥିଲେ?ସେସବୁ ସିନା ନ ଥିଲା, କିନ୍ତୁ ଓଡ଼ିଆ ଘରର ବାର ମାସରେ ତେର ପର୍ବ ,ସବୁ ଥିଲା,ଆଉ ସେସବୁକୁ ନିଜ ଶକ୍ତି ଅନୁଯାୟୀ ବାପା,ବୋଉ ଘରେ ପାଳନ କରୁଥିଲେ।କୌଣସି ଗୋଟିଏ ପର୍ବ ପର୍ବାଣୀରେ ଭାଇ ଭଉଣୀଙ୍କର ଟିକିଏ ବି ଉଣା କରୁନଥିଲେ!

        ବାପା ,ବୋଉଙ୍କର ପରସ୍ପରର ବୁଝାମଣା ଓ ସ୍ନେହଶ୍ରଦ୍ଧା ଦେଖି,ଈଶାନୀ ପିଲାବେଳେ ଭାବୁଥିଲା,ହୁଏତ ଭଗବାନ ସବୁ ବାପା ବୋଉ ଙ୍କୁ ଠିକ୍ ସେମିତି ତିଆରି କରିଥାନ୍ତି ! ବାପା,ଘର ର ମେରୁଦଣ୍ଡ ହେଲାବେଳେ,ବୋଉ ସେ ଘରର ଆତ୍ମା ଯେମିତି!ବୋଉ ଠାରୁ ଯେତେବେଳେ ବାପାଙ୍କର ପିଲାଦିନ କଥା ଶୁଣେ,ସେତେବେଳେ ଲାଗେ,ସତେଯେମିତି ଗପ ଶୁଣୁଛି କି କୋଉ ସିନେମା କାହାଣୀ ଶୁଣୁଛି!ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଆହୁରି ବଢିଯାଏ।ବେଳେ ବେଳେ ମନ ଭିତରେ ଆସିଯାଏ - ବାପାଙ୍କୁ ପଚାରି ଦେବ ଯେ ଏତେ ସାହସ କୋଉଠୁ ଆଣୁଥିଲେ ବୋଲି!ସାତ ବର୍ଷ ଦିନୁ ବାପା ମାଙ୍କୁ ହରାଇ,ବାପା ତା'ର ଚାରି ବର୍ଷର ଦାଦାଙ୍କୁ ଧରି ,ଏତେବଡ଼ ଘରଟାରେ ଏକୁଟିଆ ରହି ପରଘରେ ଟିଉସନ କରି ଦୁହିଁଙ୍କୁ ଚଳାଉଥିଲେ!ସମ୍ପର୍କୀୟ କେହି ସେତେବେଳେ ତାଙ୍କର ନଥିଲେ କହିଲେ ଚଳେ, କାରଣ କୌଣସି ସାହାଯ୍ୟର ହାତ ତାଙ୍କ ଆଡକୁ ବଢ଼ିନ ଥିଲା ! ସାତ ବର୍ଷର ପିଲା ଆଉ ଟିଉସନ ! ଭାବିଲେ ଆଶ୍ଚର୍ଯ୍ୟ ଲାଗେ ! କିନ୍ତୁ ବାପା ତୃତୀୟ ଶ୍ରେଣୀରେ ନିଜେ ପଢ଼ୁଥିବା ବେଳେ,ପ୍ରଥମ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିଲେ ! ଅବଶ୍ୟ,ସେତକ ଗାଁର ଜଣେ ସହୃଦୟ ବ୍ରାହ୍ମଣ ପରିବାରଙ୍କ ଯୋଗୁଁ ସମ୍ଭବ ହୋଇ ପାରିଥିଲା!

    ଅନେକ କଷ୍ଟ ସହି ନିଜେ ପାଠ ପଢି,ଦାଦାଙ୍କୁ ମଧ୍ୟ ପାଠ ପଢ଼ାଇ ମଣିଷ କରି ପାରିଥିଲେ।ସେସବୁ ଜାଣି,ବୋଉ ତାଙ୍କ ହାତ ଧରି ସଂସାର କରିବାକୁ ଚାଲି ଆସିଥିଲା,ଆଉ ଜଣକ ପରେ ଜଣେ ହୋଇ ତିନି ଭାଇ ଭଉଣୀ ତା'କୋଳ କୁ ଆସିଯାଇ, ପରିବାର ଟିକୁ ପୂର୍ଣ୍ଣାଙ୍ଗ କରିଦେଇଥିଲୁ!ଯଦିଓ ବାପା ଯେତିକି ପଢିଥିଲେ,ତାଙ୍କ ପରିବାର ଟିକୁ ଚାକିରୀ ଟିଏ କରି ସୁରୁଖୁରୁରେ ସମ୍ଭାଳି ପାରୁଥିଲେ,ହେଲେ ଗାଁ ଲୋକଙ୍କର ଚିକିତ୍ସା ବ୍ୟବସ୍ଥା ଏତେ ଦୟନୀୟ ଥିଲା ଯେ,ନିଜ ପିଲା ମାନଙ୍କର ସ୍ୱାସ୍ଥ୍ୟ ସହିତ ସମସ୍ତଙ୍କ କଥା ଭାବି ଭାବି ବାପା ବ୍ୟତିବ୍ୟସ୍ତ ହୋଇ ପଡୁଥିଲେ ! ହୋମିଓପ୍ୟାଥି ବହି କିଛି ପଢ଼ାପଢ଼ି କରି,ବାପା ସାଧାରଣ ଛୋଟ ଛୋଟ ରୋଗର ଉପଚାର କରିଦେଉଥିଲେ,କାରଣ ଚିକିତ୍ସାଳୟଟି ସେତେବେଳେ ଗାଁ ର ଅନତି ଦୂରରେ ଥିଲା ! ହେଲେ,ଗାଁ ଲୋକଙ୍କ ଆଶା ଓ ଭରସା ବାପାଙ୍କ ଉପରେ ଏତେ ଅଧିକା ରହିଯାଉଥିଲା ଯେ,ବେଳେ ବେଳେ ବାପା ନିଜକୁ ଅସହାୟ ମନେ କରୁଥିଲେ ! କାରଣ ତାଙ୍କର ହୋମିଓପ୍ୟାଥିକ ଚିକିତ୍ସାର ଜ୍ଞାନ ସୀମିତ ଥିଲା,ଚାକିରି ସାଙ୍ଗରେ ସେସବୁ ପ୍ରତି ଧ୍ୟାନ ଦେବା ଅସମ୍ଭବ ଥିଲା, ତାଛଡା, ସେସବୁ ଏତେ ସହଜ ନ ଥିଲା!ସେଥିପାଇଁ ସେ ହୋମିଓପ୍ୟାଥିକ କଲେଜରେ ପଢିବା ପାଇଁ ମନସ୍ଥ କରୁଥିଲେ ! ଆଉ ,ଗୋଟିଏ ଘଟଣା ହିଁ ତାଙ୍କ ଇଛା ପୁରଣ କରିବା ପାଇଁ ଯଥେଷ୍ଟ ଥିଲା।

  ଚାକିରିରେ ଥିବା ସମୟରେ,ଗାଁ ଠାରୁ ଦୂରରେ ରହିଥିବା ବେଳେ ବଡ଼ ଭାଇଙ୍କ ଦେହ ଭୀଷଣ ଖରାପ ହୋଇଥିଲା ବାପାଙ୍କୁ ପନ୍ଦର କିଲୋମିଟର ରାତାରାତି ସାଇକେଲିଙ୍ଗ କରି ଆସି ପହଞ୍ଚି ବାକୁ ପଡିଥିଲା।ଆଉ ଡାକ୍ତରଙ୍କ ପାଖକୁ ଦଉଡ଼ା ଦଉଡି କରି ବହୁ କଷ୍ଟରେ ଭାଇଙ୍କୁ ଆରୋଗ୍ୟ କରାଇଥିଲେ!ତା'ପରେ ପରେ କିନ୍ତୁ ବାପା ଆଉ କୌଣସି ଭଲମନ୍ଦ ଚିନ୍ତା ନ କରି ପୁରୀ ହୋମିଓପ୍ୟାଥିକ କଲେଜରେ ନାମ ଲେଖାଇ ଦେଇଥିଲେ।ଅବଶ୍ୟ ସେଇ ପଢିବା ସମୟ କାଳରେ ଅନେକ ଛୋଟବଡ଼ ଅସୁବିଧାର ସମ୍ମୁଖୀନ ଉଭୟେ ହୋଇଥିଲେ ହେଲେ ପଢ଼ା ଶେଷ କରି ବାପା ଫେରିଥିଲେ ଓ ଗାଁ ରେ ଚିକିତ୍ସାଳୟଟିଏ କରି,ପରିବାର ତଥା ଗାଁ ଲୋକଙ୍କର ଅନେକ ଆଶା ପୂରଣ କରିପାରିଥିଲେ।

       ଜୀବନର ସବୁ କ୍ଷେତ୍ରରେ,ବୋଉର ସବୁପ୍ରକାର ସହଯୋଗ ରହିଥିବାରୁ,କେବଳ ଗାଁ ଲୋକଙ୍କର ଚିକିତ୍ସାରେ ବାପାଙ୍କର କର୍ତ୍ତବ୍ୟ ସୀମାବଦ୍ଧ ହୋଇନଥିଲା, ସେମାନଙ୍କୁ ବିଭିନ୍ନ କଳା କୌଶଳ ଶିଖାଇବାରେ ମଧ୍ୟ ବାପାଙ୍କର ପୂର୍ଣ୍ଣ ଅବଦାନ ରହିଥିଲା-ବିଭିନ୍ନ ବାଦ୍ୟଯନ୍ତ୍ର ଯଥା ଢୋଲକ ଖଞ୍ଜଣୀ,ବଂଶୀ,ହାରମୋନିୟମ୍ ପ୍ରଭୃତି କୁ ଗାଁ ପିଲାମାନଙ୍କୁ ଶିଖାଇ,ସେମାନଙ୍କର ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣି ପାରିଥିଲେ।ଏମିତି କି ଖୁଦୁରୁକୁଣୀ, ଗଣେଶ,ସରସ୍ୱତୀ ପୂଜାରେ ମଧ୍ୟ ନିଜ ହାତ ତିଆରି ମୂର୍ତ୍ତି ଗଢି,ଗାଁ ର ଅନେକ ସାଙ୍ଗସାଥି ଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପ୍ରୋତ୍ସାହିତ କରି ପାରିଥିଲେ।ଯଦିଓ ଛୋଟିଆ ଚିକିତ୍ସାଳୟ ଟିରେ ନିଜ ପରିବାରଟିକୁ ଆର୍ଥିକ ଦୃଷ୍ଟିରୁ ଏତେ ସ୍ୱଚ୍ଛଳ କରିପାରିନଥିଲେ,ହେଲେ ସେ ଗାଁ ଓ ଆଖ ପାଖ ଗାଁ ର ସବୁ ଦୁଃଖୀ ଦରିଦ୍ର ଙ୍କୁ ସାମର୍ଥ୍ୟ ଅନୁଯାଇ ସାହାଯ୍ୟ କରି ସମସ୍ତଙ୍କ ର ଅତି ଆପଣାର ହୋଇ ପାରିଥିଲେ!

          ବୋଉର ସେଦିନର କଥା ଈଶାନୀର ମନେ ପଡିଗଲେ,ଏବେ ବି ତା'ରୁମ ମୂଳ ଟାଙ୍କୁରି ଯାଏ ! ବାପାଙ୍କର ସାହସ ଓ ଧୈର୍ଯ୍ୟ ପାଖରେ ତା'ମୁଣ୍ଡ ଆପେ ଆପେ ନଇଁ ଯାଏ!ଲଗାତାର ବର୍ଷା ଓ ସାହି ସାରା ରାସ୍ତାଘାଟ ପାଣି ଭର୍ତ୍ତି ହୋଇ ଯାଇଥିବାର ଦେଖି ବୋଉ କହିଥିଲା ଯେ,କେମିତି ସେମାନଙ୍କ ପିଲାଦିନେ ଦଳେଇଘାଇ ଭାଙ୍ଗି ଗାଁ ସାରା ପାଣିରେ ଉବୁଟୁବୁ ହେଉଥିଲା ଓ ବାପା ତାଙ୍କ ବୁଦ୍ଧି ଖଟାଇ ବାଉଁଶ ଗୁଡିଏ କୁ ବାନ୍ଧି 'ଭେଳା' କରି ପୁରା ଗାଁ ଯାକର ଲୋକଙ୍କୁ ଉଚ୍ଚ ସ୍ଥାନରେ ଥିବା ସ୍କୁଲ ଘରକୁ ନେଇ ଯାଇଥିଲେ।ନିଜର ଅତ୍ୟାବଶ୍ୟକ ଜିନିଷ କିଛି କିଛି ଧରି ସମସ୍ତ ଙ୍କୁ ସେହି ଭେଳା ସାହାଯ୍ୟରେ ସ୍ଥାନାନ୍ତରିତ କରି,ଅନ୍ୟ କେତେଜଣ ଙ୍କ ସାହାଯ୍ୟରେ ସମସ୍ତଙ୍କ ର ଖାଇବା,ପିଇବାର ବନ୍ଦୋବସ୍ତ କରି,ଏତେବଡ଼ ବିପତ୍ତିରୁ ଉଦ୍ଧାର କରିଦେଇଥିଲେ!ଅବଶ୍ୟ ପାଣି ଛାଡ଼ିଗଲା ପରେ ସମସ୍ତେ ଫେରିଆସି ନାନା ପ୍ରକାର ଥଣ୍ଡାଜ୍ବର ଓ ଝାଡା ବାନ୍ତି ର ଶିକାର ହୋଇ ଯାଇଥିଲେ।ହେଲେ,ସେତେବେଳେ ମଧ୍ୟ ବାପା,ବୋଉର ସହଯୋଗରେ ଦିନରାତି ଲାଗି ସମସ୍ତଙ୍କୁ ଆରୋଗ୍ୟ କରାଇ ପାରିଥିଲେ,ଗାଁ ର ପୁଣି ସମସ୍ତେ ପୂର୍ବାବସ୍ତା କୁ ଖୁବ ଶୀଘ୍ର ଫେରି ଆସିଥିଲେ!ଆଉ ,ବାପା ଯେମିତି ଗାଁର ସମସ୍ତ ଙ୍କ ର ସୁପର ହିରୋ ହୋଇ ଯାଇଥିଲେ!

        ଶ୍ରୀୟାର ଡାକରେ ଭାବନା ରାଜ୍ୟରୁ ଓହ୍ଲାଇ ଆସିଥିଲା ଈଶାନୀ।ତର ତର ହୋଇ ଫଟୋ ଗୁଡିକୁ ଯଥାସ୍ଥାନରେ ରଖିଦେଇ ଶ୍ରୀୟାର ଷ୍ଟଡି ରୁମ୍ କୁ ଚାଲିଯିବାକୁ ବସିଲା।ମନ ଭିତରେ 'ଫାଦର' ଉପରେ ଏସେ ଟିଏ ଲେଖିବାକୁ ତାକୁ ବୁଝାଇ ଦେବାକୁ ପ୍ରସ୍ତୁତ ହେଉ ହେଉ ପୁଣି ଚେନାଏ ଭାବନା ଧସେଇ ହୋଇ ପସିଆସିଥିଲା-ଏତେ ଛୋଟ ଛୁଆଟାକୁ ଫାଦର ବିଷୟ ରେ କେମିତି ସିଏ ତାର ଭାବନା କୁ ସୀମିତ କରି କେଇ ଧାଡି ରେ ଶେଷ କରିବ!ତା'ଭାବନା ରାଜ୍ୟରେ ଏବେବି ତ ତା'ବାପାଙ୍କର ଛବି ଓ ତାଙ୍କ ଜୀବନ କାହାଣୀ ଘୁରି ବୁଲୁଛି!ଯେତେ ଚେଷ୍ଟା କଲେ ମଧ୍ୟ ସେ ଭାବନା ଭିତରୁ ନିଜକୁ ମୁକୁଳେଇ ପାରୁନି!ତା'ବାପା -ତା''ସୁପର ହିରୋ' କ'ଣ ଶ୍ରୀୟା ର ବାପାଙ୍କ କାହାଣୀ କୁ ସହଜରେ ତା'ମୁଣ୍ଡ ଭିତରେ ପଶିବାକୁ ଦେବେ ? କାହିଁକି କେଜାଣି ଈଶାନୀ ର ତା'ବାପାଙ୍କ କଥା ଭାରି ମନେ ପଡି ଆଖି ଛଳ ଛଳ ହୋଇ ଯାଉଥିଲା ।  


Rate this content
Log in

Similar oriya story from Inspirational